- ଦାରିଙ୍ଗବାଡ଼ିର ସନ୍ଧ୍ୟା କାହା ସହିତ ତୁଳନା କରାଯାଇନପାରେ। ଏହା ଅନନ୍ୟ ଓ ଅସାଧାରଣ।
ଡିସେମ୍ବର ମାସର ଶୀତୁଆ ସକାଳ। ଭୋର ଚାରିଟା ବେଳେ ସପରିବାର ଭୁବନେଶ୍ୱର ଛାଡ଼ିଲୁ। ପରିବାର କହିଲେ ପୁଅବୋହୂ ଓ ଆମ ଦୁଇପ୍ରାଣୀ। ଦୀର୍ଘ ଯାତ୍ରାର କଷ୍ଟକୁ ଲଘବ କରିବାରେ- ଏକମାତ୍ର ସହାୟକ ବିଦୁଷକ ଥିଲେ ତିନିବର୍ଷର ନାତି, ଗେହ୍ଲୁ ଆଉ ଆମକୁ ବହନ କରି ନେଉଥିବା ବିଶ୍ୱସ୍ତ ଗାଡ଼ି ବାଲେନୋ। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ଥିଲା ଆମର ଗନ୍ତବ୍ୟ ସ୍ଥଳ। ଏତେ ଭୋରରୁ କିଛି ଖାଇବାର ଅବକାଶ ନଥିଲା, ଯଦିଓ ପାଖରେ ବିସ୍କୁଟ ଓ କଦଳୀ ପରି ସମୟ ଉପଯୋଗୀ ଲଘୁ ଖାଦ୍ୟଦ୍ରବ୍ୟ ମହଜୁଦ୍ ଥିଲା।
ଦଶପଲାରେ ପହଂଚିଲା ବେଳକୁ ଘ.୮.୩୦ ବାଜି ସାରିଥାଏ। ଆଜିକାଲି ପ୍ରାୟତଃ ସବୁଠାରେ ଦକ୍ଷିଣ ଭାରତୀୟ ଖାଦ୍ୟ (ଇଡ୍ଲି, ଦୋଷା, ବରା ପ୍ରଭୃତି)ର ଢ଼େର ପ୍ରଚଳନ। ସେଥିରୁ କିଛି ଉଦରସ୍ଥ କଲୁ। ଘରୁ ନେଇଥିବା ଖିଚୁଡି କିଛି ନାତିକୁ ଖୁଆଇ ଆମର ଗନ୍ତବ୍ୟ ପଥରେ ଆଗେଇଲୁ। ମୋବାଇଲରେ ସେଟ୍ ହୋଇଥିବା ଜି.ପି.ଏସ୍ ମ୍ୟାପ୍ ଆମର ଥିଲା ପଥ ପ୍ରଦର୍ଶକ। ପୂର୍ବରୁ ହୋଇଥିବା କଥା ଅନୁସାରେ ଗାଇଡ୍ (ଶ୍ରୀ ଶିବ ପ୍ରସାଦ ମିଶ୍ର) ଆମକୁ ରାଇକିଆରେ ଅପେକ୍ଷା କରିଥାନ୍ତି। ମଝିରେ ମଝିରେ କଥାବାର୍ତ୍ତା ଚାଲିଥାଏ। ଚକାପାଦରେ ପହଂଚିବା ସମୟରେ ଫୋନ୍ କଲେ, ଆପଣମାନେ ପୁରାଣପ୍ରସିଦ୍ଧ ପ୍ରାଚୀନ ବିରୁପାକ୍ଷ (ଶିବ) ମନ୍ଦିର ଦର୍ଶନ କରି ଆସନ୍ତୁ। ଆହୁରି ଅନେକ ବାଟ ଯିବାର ଥିଲା। ପୁଣି ଗାଧୁଆ ପାଧୁଆ ଭଲରେ ହୋଇ ନ ଥିବାରୁ ଦିଅଁ ଦର୍ଶନ ନ କରି ଆଗେଇଲୁ। ରାଇକିଆରେ ଗାଇଡ୍ଙ୍କୁ ଆମ ଗାଡ଼ିରେ ବସାଇ ମଣ୍ଡାସାରୁରେ ପହଂଚିଲା ବେଳକୁ ଦିନ ପ୍ରାୟ ୧୨ଟା ବାଜି ସାରିଥାଏ।
ମଣ୍ଡାସାରୁ ପ୍ରକୃତି ନିବାସ (ମଣ୍ଡାସରୁ ନେଚର୍ କ୍ୟାମ୍ପ)ରେ ମଧ୍ୟାହ୍ନ ଭୋଜନ ସାରି ପ୍ରାୟ ଘଣ୍ଟାଏ ପରେ ବାହାରିଲୁ ଲଭର୍ସ ପଏଣ୍ଟ। ଏଇଟି ଗୋଟିଏ ସୁନ୍ଦର ଝରଣା। ପ୍ରଶସ୍ତ ପ୍ରସ୍ତର ଶଯ୍ୟାରେ ବହିଯାଇଛି। ବସିବା ପାଇଁ ମଝିରେ ମଝିରେ ଉଚ୍ଚ ପ୍ରଥର ଖଣ୍ଡ ସହିତ ସମତଳ ପଥର ଚଟାଣ। ସ୍ଥାନଟି ବେଶ ନିରୋଳା। ଦୁଇପାଖର ପତଳା ଜଙ୍ଗଲ। ତେଣୁ ସାଧାରଣ ଦର୍ଶକଙ୍କ ସହିତ ପ୍ରେମୀ ଯୁଗଳଙ୍କ ସାମାନ୍ୟ ଭିଡ ପରିଲକ୍ଷିତ ହୁଏ। ସେଥିପାଇଁ ବୋଧେ ସ୍ଥାନଟିର ନାମ ଲଭର୍ସ ପଏଣ୍ଟ ରହିଛି। ପ୍ରକୃତି ପ୍ରେମୀମାନଙ୍କ ପାଇଁ ସ୍ଥାନଟି ସ୍ୱାଗତଯୋଗ୍ୟ। ଏହା ମଣ୍ଡାସରୁ ଠାରୁ ୨୦ କିମି ଦୂରରେ ଥିଲେ ମଧ୍ୟ ଗାଇଡ୍ଙ୍କ ପରାମର୍ଶରେ ସେଠାରେ କିଛି ସମୟ ବିତାଇ ନିକଟରେ କର୍କୁଟୀରେ ଥିବା ଏମୁ ପାର୍କ ବୁଲିବାକୁ ଗଲୁ। ନିଜସ୍ୱ ଉଦ୍ୟମରେ ଜଣେ କିଛି ଏମୁ ପାଳିଛନ୍ତି। ସୁନ୍ଦର ପରିବେଶ ମଧ୍ୟରେ ଫୁଲର ବଗିଚା, ପିଲାମାନଙ୍କ ଖେଳକୁଦ ପାଇଁ ଫାର୍ମ ଇତ୍ୟାଦି କରି ରୋଜଗାର କ୍ଷମ ହୋଇଛନ୍ତି। ନାତି ପାଇଁ ଜାଗାଟି ଭଲ ଥିଲା। ସନ୍ଧ୍ୟା ଆସନ୍ନ। ଗାଇଡ ସେଠାରୁ ୧୧/୧୨ କିମି ଦୂର ଦାରିଙ୍ଗବାଡ଼ି ଫେରିଗଲେ। ଆମେ ମଧ୍ୟ ମଣ୍ଡାସରୁ ନେଚର କ୍ୟାମ୍ପରୁ ଫେରିଲୁ। ରାତିର ଘନ ଅନ୍ଧକାର ମଧ୍ୟରେ ଲୁଚିଯାଇଥିବା ମଣ୍ଡାସରୁ ପାହାଡ କଟେଜ୍ର ବିଦ୍ୟୁତ୍ ଆଲୋକରେ ଝାପ୍ସା ଦିଶୁଥାଏ। ପ୍ରାତଃ କାଳରେ ତା’ର ମନଲୋଭା ଦୃଶ୍ୟ ଦେଖିବାର ଲୋଭରେ ଶୀଘ୍ର ରାତ୍ରୀ ଭୋଜନ ସାରି ଶୋଇପଡିଲୁ। ଶୀତ ବେଶ୍ ହେଉଥିଲା। କମ୍ବଳ ଘୋଡି ହୋଇ ବିଛଣାରେ ପଡୁ ପଡୁ କ୍ଲାନ୍ତ ଶରୀର ଗାଢ଼ ନିଦରେ ଶୋଇପଡ଼ିଲା।
ସକାଳ ଠିକ୍ ୫ଟାରେ ମୋବାଇଲ ଫୋନ୍ର ଆଲାର୍ମ ବାଜିଉଠିଲା। ତର ତର ହୋଇ ବାହାରକୁ ଆସି ଦେଖିଲୁ ତଥାପି ଅନ୍ଧକାର ରହିଥାଏ। ଅଧଘଣ୍ଟାଏ ପରେ ଆକାଶ ଟିକେ ସଫା ଦେଖାଗଲା। ବାଳସୂର୍ଯ୍ୟଙ୍କର ଆଗମନର ଆଭାରେ ଦିଗବିଦିଗ କ୍ରମଶଃ ଉଜ୍ଜ୍ୱଳ ଦେଖାଗଲା। ଆମେ ରହିଥିବା ସ୍ଥାନଟି ଗୋଟିଏ ପାହାଡର ଠିକ୍ ଉପର ଭାଗରେ ରହିଥିଲା। ତା’ର ପ୍ରାୟ ତିନିହଜାର ଫୁଟ ତଳେ ଗଭୀର ଉପତ୍ୟକା। ଅପର ପାଶ୍ୱର୍ରେ ଲଗାଲଗି ହୋଇ ଦଣ୍ଡାୟମାନ ଥିଲେ ବାଇଶରୁ ଅଧିକ ଜଙ୍ଗଲ ପରିବେଷ୍ଟିତ ପାହାଡଶ୍ରେଣୀ। ସର୍ବୋଚ୍ଚ ପାହାଡର ଉଚ୍ଚତା ସମୁଦ୍ର ପତ୍ତନରୁ ୩୨୮୦ ଫୁଟ ଉଚ୍ଚ। ଆମ ଠାରୁ ଉଚ୍ଚରେ ଥିଲେ ମଧ୍ୟ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଶୋଭା ଦର୍ଶନ ପାଇଁ ନେଚର କ୍ୟାମ୍ପରେ ୨ଟି ଉଚ୍ଚ ୱାଚ୍ ଟାୱାର ଥିଲା। କାଳ ବିଳମ୍ବ ନ କରି ଆମେ କ୍ୟାମେରା ଧରି ସୂର୍ଯ୍ୟଙ୍କ ଉଦୟକାଳୀନ ଦୃଶ୍ୟର ଫଟୋ ଉତ୍ତୋଳନ କଲୁ। ପ୍ରକୃତିର ଶୋଭା ସକାଳେ ଓ ସନ୍ଧ୍ୟାରେ ଏତେ ମନୋରମ ହୋଇ ଉଠେ ଯେ ତାହା କେବଳ ପ୍ରକୃତିପ୍ରେମୀ ହିଁ ଅନୁଭବ କରିପାରିବ। ଡିସେମ୍ବର ଶୀତକୁ ନ ଡରି ମଣ୍ଡାସରୁ ସକାଳର ସେଇ ଅଭୁଲା ସ୍ମୃତିକୁ ସାଇତି ରଖିଲୁ। ଗୋଟିଏ ବିରାଟ ଦର୍ପଣ ପରି ଆମ ସାମ୍ନାରେ ଠିଆ ହୋଇ ରହିଥିଲେ ଅନେକ ପାହାଡ ଶ୍ରେଣୀ। ସବୁଜ ବନାନୀର ନୀରବତା ଭଙ୍ଗ କରି ପାହାଡି ଝରଣାର କୁଳୁକୁଳୁ ଶବ୍ଦ ସ୍ପଷ୍ଟ ଶୁଭୁଥାଏ। ଚାରିପାଖରେ ପାହାଡ ଘେରି ରହିଥିବାରୁ ବଡପାଟିରେ ଶବ୍ଦ କଲେ ପ୍ରତିଧ୍ୱନି ସୃଷ୍ଟି ହେଉଥାଏ। ଉପତ୍ୟକା ମଧ୍ୟରେ ପ୍ରବାହିତ ୬ଟି ଝରଣା ମଧ୍ୟରୁ ୨ଟି ଚିରସ୍ରୋତା। ସମସ୍ତଙ୍କର ଜଳ ଋଷିକୂଲ୍ୟା ନଦୀର ଏକ ଉପନଦୀରେ ପ୍ରବାହିତ। ତେଣୁ ସ୍ଥାନୀୟ କୃଷି କାର୍ଯ୍ୟରେ ଝରଣାଗୁଡିକ ବେଶ୍ ଉପଯୋଗୀ। ସ୍ଥାନୀୟ ଭାଷାରେ ମଣ୍ଡା ଶବ୍ଦର ଅର୍ଥ ପଥର ବା ପାହାଡ। ସରୁର ଅର୍ଥ ସରୁ ବା ମୁନିଆ ଅଗ୍ରଭାଗ। ଏଇ ମଣ୍ଡାସରୁ ଉପତ୍ୟକା ନାନା ପ୍ରକାର ବିରଳ ବୃକ୍ଷଲତା ସହିତ ଜୀବଜନ୍ତୁଙ୍କର ଏକ ଅପୂର୍ବ ଗନ୍ତାଘର। ନେଚର କ୍ୟାମ୍ପରୁ ଲବ୍ଧ ପୁସ୍ତିକାରୁ ଜାଣିଲୁ ଏଠାରେ ୧୫୦ରୁ ଅଧିକ ଔଷଧୀୟ ବୃକ୍ଷଲତା, ୪୦ ରୁ ଅଧିକ ଅର୍କିଡ, ୧୨୫ ପ୍ରକାର ଛତୁ (ତନ୍ମଧ୍ୟରୁ ୨୦ ପ୍ରକାର ଖାଦ୍ୟ ଉପଯୋଗୀ), ୩୦ ପ୍ରକାର ସ୍ତନ୍ୟପାୟୀ ଜୀବ, ୧୫୦ ପ୍ରକାର ପକ୍ଷୀ, ୧୪୮ ପ୍ରକାର ପ୍ରଜାପତି ଓ ୧୦୦ରୁ ଅଧିକ ପ୍ରକାରର ଅନ୍ୟାନ୍ୟ ବନ୍ୟସାମଗ୍ରୀ ଲପଲବ୍ଧ। ଏହାକୁ ଓଡ଼ିଶାର ନୀରବ ଉପତ୍ୟକା (ସାଇଲେଣ୍ଟ ଭ୍ୟାଲି ଅଫ୍ ଓଡ଼ିଶା) କୁହାଯାଇଥାଏ। ଏହା ମଧ୍ୟ ଆମ ଦେଶର ବହୁ ବିଳମ୍ବରେ ସଂରକ୍ଷିତ କେତେକ ବନ୍ୟଜୈବ ସଂପଦ ମଧ୍ୟରୁ ଅନ୍ୟତମ। ସୁପ୍ତ ଆଗ୍ନେୟଗିରିର ଉଦ୍ଗୀରଣ ଯେପରି ଅନିଶ୍ଚିତ ଓ ବିସ୍ମୟଜନକ ସେହିପରି ମଣ୍ଡାସରୁ ପାହାଡ ଅଞ୍ଚଳର ଜଳବାୟୁ। ବହୁ ଦୁର୍ଲଭ ଜୈବ ବିବିଧତା ସାଙ୍ଗକୁ ପ୍ରକୃତିର ମନଛୁଆଁ ଦୃଶ୍ୟରାଜି ହଠାତ୍ ପରିବର୍ତ୍ତିତ ପାଣିପାଗରେ ଅଧିକ ମନମୁଗ୍ଧକର ହୋଇ ଉଠନ୍ତି। ଉଚ୍ଚ ପାହାଡର କେତେକ ଅଂଶର ରଙ୍ଗ ସବୁଜ, ଆଉ କେତେକ ଅଂଶ ଇଷତ୍ ଲାଲ୍ ପୁଣି ଆଉ କେତେକ ଅଂଶ ଧୂସର ରଙ୍ଗର। କେବେ କେମିତି ହଠାତ୍ ଅସରାଏ ଅସରାଏ ବର୍ଷା (ଯେକୌଣସି ଋତୁରେ) ଭ୍ରମଣକାରୀର ଚିତ୍ତବିନୋଦନ ସାଙ୍ଗକୁ ପ୍ରକୃତିର ଏ ନୈସର୍ଗିକ ଲୀଳା ବିସ୍ମୟରେ ଅଭିଭୂତ କରିଦିଏ। ପ୍ରଥମେ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ଉନ୍ନତି କରାଗଲା। ଏଥିରେ ସଫଳତା ମିଳିବା ପରେ ରାତ୍ରୀ ରହଣିର ବ୍ୟବସ୍ଥା କରାଗଲା।
ଭୁବନେଶ୍ୱରରୁ ମଣ୍ଡାସରୁର ଦୂରତା (ଭାୟା ବେଲଗୁଣ୍ଠା) ପ୍ରାୟ ୨୪୭.୬ କି.ମି ବା ୬.୩୦ ଘଣ୍ଟାର ଡ୍ରାଇଭ୍। ବଣ ପାହାଡ ଘେରା ସୁନ୍ଦର ରାସ୍ତା ଦୂରଯାତ୍ରାକୁ ସୁଗମ କରେ। ଦୁଇ ରାତି ପାଇଁ ଆମର ମଣ୍ଡାସରୁ ନେଚର କ୍ୟାମ୍ପରେ ବୁକିଂ ହୋଇଥିଲା। ଦ୍ୱିତୀୟ ଦିନରେ ସକାଳ ଜଳଖିଆ ଖାଇବା ପରେ ବାହାରିଲୁ ଦାରିଙ୍ଗବାଡି ଅଭିମୁଖେ। ମଧ୍ୟାହ୍ନ ଭୋଜନ ସେଠାରେ କରିବାକୁ ହେବ, ତେଣୁ ନେଚର କ୍ୟାମ୍ପରେ ଆମ ପାଇଁ ଖାଇବାର ବ୍ୟବସ୍ଥା ନ କରିବାକୁ କହିଦେଲୁ। ମଣ୍ଡାସରୁ ନେଚର କ୍ୟାମ୍ପ ଠାରୁ ଦାରିଙ୍ଗବାଡ଼ିର ଦୂରତା ୩୦ କିଲୋମିଟର ବା ପ୍ରାୟ ୧ଘଣ୍ଟାର ଡ୍ରାଇଭ୍। ଦାରିଙ୍ଗବାଡ଼ିର ଦୂରତା ଭୁବନେଶ୍ୱରଠାରୁ ୨୪୭ କି.ମି. ବା ୫.୫୦ ମିନିଟ୍ର ଡ୍ରାଇଭ୍ (ଭାୟା ଏନ୍ଏଚ୍-୧୬ ଏବଂ ଏନ୍ଏଚ୍ ୫୯) ଥିଲାବେଳେ ଫୁଲବାଣୀ ଟାଉନ୍ଠାରୁ ୭୫ କି.ମି.। ବ୍ରିଟିଶ ଶାସନ କାଳରେ ଦାରିଙ୍ଗବାଡି ଅଞ୍ଚଳର ଦାୟିତ୍ୱ ଦାରିଙ୍ଗ ସାହେବଙ୍କ ହାତରେ ନ୍ୟସ୍ତଥିଲା। ସମୟକ୍ରମେ ତାଙ୍କ ନାଁ ଅନୁସାରେ ସ୍ଥାନର ନାମ ଦାରିଙ୍ଗବାଡି ହୋଇଥିଲା ଶୁଣାଯାଏ। ଆମ ଗାଇଡଙ୍କ ଘର ଦାରିଙ୍ଗବାଡିରେ। ମୂଳ ବାସସ୍ଥାନ ଗଞ୍ଜାମ ଜିଲ୍ଲା, କିନ୍ତୁ ଦାରିଙ୍ଗବାଡିରେ ଆକର୍ଷଣରେ ସେ ସବୁଦିନ ପାଇଁ ଏଠାରେ ରହିଗଲେ। ବେଶ୍ ମିଷ୍ଟଭାଷୀ, ମେଳାପି ସ୍ୱଭାବର। ସେ ବହୁ ଅନୁଷ୍ଠାନ ସହିତ ଜଡ଼ିତ। ଗାଇଡ୍ ହେବା ତାଙ୍କର ପେଷା ନ ହେଲେ ମଧ୍ୟ ଭ୍ରମଣକାରୀଙ୍କୁ ବୁଲାଇ ଦେଖାଇବାରେ ତାଙ୍କର ଖୁସି।
ଦାରିଙ୍ଗବାଡିରେ ପହଂଚିବା ପରେ ମୁଁ ବହୁତ ଦୁଃଖୀ ହୋଇଗଲି। କାରଣ ମୋର ସ୍ୱପ୍ନର ଦାରିଙ୍ଗବାଡିଠାରୁ ତାହା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ମୋ କଳ୍ପନାରେ ବଣଜଙ୍ଗଲ ଘେରା ଛୋଟିଆ ଗାଁଟି ଝାଟିମାଟିର ଘରେ ବାସ କରୁଥିବା ଆଦିବାସୀ ଜନଜାତିଙ୍କ ସ୍ଥାନ। କିନ୍ତୁ ବହୁ କୋଠାବାଡି, ହୋଟେଲ, ସରକାରୀ କାର୍ଯ୍ୟାଳୟ ଦେଖି ମୁଁ ସେଠାକୁ ଯିବା ବେକାର ହୋଇଗଲା ବୋଲି ଭାବିଲି। ଗାଇଡ୍ (ଶ୍ରୀ ଶିବ ପ୍ରସାଦ ମିଶ୍ର) ହସି ହସି ସ୍ୱାଗତ କଲେ। ପ୍ରଥମେ ଦାରିଙ୍ଗବାଡ଼ି ଜଳ ପ୍ରପାତ (ଅନ୍ୟ ନାମ, ମିଦୁ ୱାଣ୍ଡା ଫଲ୍) ଦେଖାଇବାକୁ ବାହାରିଲୁ। ବଜାରଠାରୁ ପ୍ରାୟ ୧୩ କି.ମି. ଦୂର। ସବୁ ଋତୁରେ ଯାଇହେବ। ସ୍ୱୟଂ ସହାୟକ ଗୋଷ୍ଠୀ ଟିକେଟ (ପଚାଶ ଟଙ୍କା) କାଟି ଯିବାକୁ ଦେଲେ। ଅଙ୍କା ବଙ୍କା ରାସ୍ତାରେ ତଳକୁ ୫୦/୬୦ଟି ପକ୍କା ପାହାଚ ଅତିକ୍ରମ କରି ଝରଣାର ପାଣି ପଡୁଥିବା ସ୍ଥାନରେ ପହଂଚି ହୁଏ। ବହୁତ ଉଚ୍ଚରୁ ଗୁରୁଗମ୍ଭୀର ଧ୍ୱନିରେ ଝରଣା ବହି ଆସି ତଳେ ଥିବା ଶଯ୍ୟାରେ ଜୋରରେ ପଡି ତଳକୁ ବହିଯାଇଛି। ସାମନାରେ ସିମେଣ୍ଟର ଗୋଟିଏ ବଡ ମଣ୍ଡପ ତିଆରି ହୋଇଛି। ପିକ୍ନିକ୍ ପାର୍ଟିରେ ଯାଉଥିବା ଲୋକମାନଙ୍କ ପାଇଁ ବେଶ୍ ସହାୟକ। ଗାଡି ପାର୍କିଂ ସ୍ଥାନରେ ପଶ୍ଚିମବଙ୍ଗ, ଗୁଜୁରାଟରୁ ଆସିଥିବା କେତେ ଗୁଡିଏ ଗାଡି ରହିଥିଲା। ସ୍ଥାନୀୟ ଚାଷୀମାନେ ନିଜ କ୍ଷେତରେ କରିଥିବା ହଳଦୀ, ଅଦା ପ୍ରଭୃତି ସୁଲଭ ମୂଲ୍ୟରେ ବିକ୍ରିବଟା କରୁଥିଲେ। ଟୁରିଷ୍ଟମାନେ ମଧ୍ୟ ବହୁତ ଖୁସିରେ ସେସବୁ କ୍ରୟ କରୁଥିଲେ।
ଏହାପରେ ଗାଇଡ୍ ଆମକୁ ଆଉ ଗୋଟିଏ ଜଳପ୍ରପାତ ଦେଖାଇବାକୁ ନେଲେ। ଦାରିଙ୍ଗବାଡ଼ିଠାରୁ ମାତ୍ର ୩୦କିମି ଦୂରରେ ଅବସ୍ଥିତ ପାଙ୍ଗାଲି ଜଳପ୍ରପାତ। ବର୍ଷାଋତୁ ଛାଡ଼ିଦେଲେ ଅନ୍ୟ ସମୟରେ ଗାଡି ସେଠାକୁ ଯାଇପାରିବ। ବେସରକାରୀ ଉଦ୍ୟମରେ ଉପରୁ ତଳକୁ ମାଟିର ଛୋଟ ଛୋଟ ପାହାଚ କରାଯାଇଛି। ଗୋଡ ଖସିଯିବାର ବହୁତ ସମ୍ଭାବନା। ଦୁର୍ଘଟଣା ଏଡାଇବାକୁ ଯାଇ ପାହାଚରେ କେଡେ କେଡେ ବାଉଁଶର ଖୁଣ୍ଟ ପୋତାଯାଇ ଭରାଦେବାର ବ୍ୟବସ୍ଥା କରିଛନ୍ତି। ଟିକେ କଷ୍ଟସାଧ୍ୟ ମନେ ହେଲା। କନ୍ତୁ ଏଥିରେ ଦୁଇଟି ବିଶେଷତ୍ୱ ବା ନୂତନତ୍ୱ ଥିଲା। ପ୍ରଥମଟି ହେଲା ବାଉଁଶର ଠେଙ୍ଗାଧରି ତଳକୁ ନିରାପଦରେ ଯିବାର ଆୟୋଜନ। ଜଳପ୍ରପାତର ପାଣି ପଡୁଥିବା ସ୍ଥାନର ଚାରିପାଖ ଗଛଲତା କଟାଯାଇ ଭୟର ବାଣବରଣକୁ ଦୂର କରାଯାଇଛି। ଦ୍ୱିତୀୟ ନୂତନତ୍ୱଟି ହେଲା ଝରଣାର ପାଣି ବିରାଟ ପଥର ଖଣ୍ଡ ଦେଇ ଖସୁଥିବା ସମୟରେ ସୂର୍ଯ୍ୟକିରଣର ପ୍ରତିଫଳନରେ ଇନ୍ଦ୍ରଧନୁର ସୃଷ୍ଟି। ବେଶ୍ ଚମତ୍କାର ଓ ମନଲୋଭା ସେ ଦୃଶ୍ୟ। ନ ଦେଖିଲେ ଶୁଣି ବା ପଢ଼ି କେହି ଏହାର ସୌନ୍ଦର୍ଯ୍ୟକୁ ହୃଦୟଙ୍ଗମ କରିପାରିବ ନାହିଁ। ଆମର ଶ୍ରମ ସାର୍ଥକ ମନେ ହେଲା। ମାୟାବୀ ବନ ଝରଣାର ଅନୁସରଣ ଆମକୁ କ୍ଲାନ୍ତ ଓ କ୍ଷୁଧାର୍ତ୍ତ କରିଦେଇଥିଲା। ତେଣୁ ପାଙ୍ଗାଲି ଜଳପ୍ରପାତଠାରୁ ବିଦାୟ ନେଲୁ।
ବାଟରେ ରାସ୍ତାର ଦୁଇ କଡରେ ଆକାଶଛୁଆଁ ପାଇନ ଗଛର ଘଞ୍ଚ ଜଙ୍ଗଲ ଦେଖି ଆଶ୍ଚର୍ଯ୍ୟ ଲାଗିଲା। କାରଣ ଭାରତରେ ଥଣ୍ଡା ଜଳବାୟୁ ଥିବା ଉଚ୍ଚ ପାହାଡିଆ ଅଞ୍ଚଳରେ ଏଇ ଶ୍ରେଣୀର ଗଛ ଦେଖାଯାଏ। ଗାଇଡ ଅଳ୍ପ ସମୟ ପାଇଁ ଆମକୁ ସେଠାକୁ ନେଲେ। ଗୋଟିଏ ଚିରସ୍ରୋତା ଝରଣାର ଜଳ ରାସ୍ତାର ଦୁଇକଡରେ ପାଇନ ଜଙ୍ଗଲ ଦେଇ ବହିଯାଇଛି। ବଣଭୋଜିକୁ ସୁଗମ କରିବା ପାଇଁ କେତେ ଗୁଡିଏ ସିମେଣ୍ଟର ପିଣ୍ଡି କରାଯାଇଛି। ତତ୍ ସଂଗେ ସଂଗେ ନଳକୂପର ବ୍ୟବସ୍ଥା ଜଳ ସଂକଟକୁ ଦୂର କରି ପାରିଛି। ଦଳ ଦଳ ହୋଇ କେତେକ ଲୋକ ଭୋଜିଭାତ ସହ ନାଚଗୀତ, ଫଟୋ ଉଠାଇବାରେ ବ୍ୟସ୍ତ ଥିବା ଦେଖି ଖୁସି ଲାଗିଲା। ଅଳ୍ପ ସମୟ ମଧ୍ୟରେ ଆମ ହୋଟେଲ୍ ହିଲ୍ଭିଉରେ ପହଞ୍ôଚଲୁ। ରୁଚିପୂର୍ଣ୍ଣ ଖାଦ୍ୟ ଖାଇ ସମସ୍ତେ ସନ୍ତୁଷ୍ଟ ହେଲେ। ଦାରିଙ୍ଗବାଡିରୁ କିଛି ସ୍ଥାନୀୟ ଦ୍ରବ୍ୟ କିଣିବାକୁ ଇଚ୍ଛା ଥିଲା। ଗାଇଡ୍ କହିଲେ ସନ୍ଧ୍ୟାପରେ ସପିଂ କରିବା। ସନ୍ଧ୍ୟା ପୂର୍ବରୁ ଆମେ ଆଉ କେତୋଟି ଦର୍ଶନୀୟ ସ୍ଥାନ ଦେଖିନେବା। କଫି ଫାର୍ମ ପ୍ରାୟ ୨ କି.ମି. ଦୂରରେ। ମାତ୍ର ଆମେ ବହୁପୂର୍ବରୁ କର୍ଣ୍ଣାଟକର କୁର୍ଗ ଓ ତାମିଲନାଡୁର ୟେରକାଡରେ କଫି ପ୍ଳାଣ୍ଟେସନ ଓ ପ୍ରସେସିଂ ପ୍ଲାଣ୍ଟ ଦେଖିଥିବାରୁ ସେଠାକୁ ଗଲୁ ନାହିଁ। ନିକଟରେ ଥିବା ବଟରଫ୍ଲାଏ ଗାର୍ଡନ ଓ ସନ୍ରାଇଜ୍ ପଏଣ୍ଟ ଇତ୍ୟାଦି ଦେଖିଲୁ। ସନ୍ଧ୍ୟା ଟିକେ ଡେରି ଥିଲା। ତେଣୁ ଗାଇଡ୍ ଆଉ ଗୋଟିଏ ଅଲଗା ପ୍ରକାର ଜଳପ୍ରପାତ ଦେଖିବାକୁ ପ୍ରସ୍ତାବ ଦେଲେ। ଏହା ଦାରିଙ୍ଗବାଡ଼ିଠାରୁ ପ୍ରାୟ ୩୫ କିମି ଦୂରରେ। ସେ କହିଲେ, ଗୋଟିଏ ବିରାଟ ତଥା ପ୍ରଶସ୍ତ ଗୁମ୍ଫାର ଛାତ ଉପରୁ ଝରଣାର ଜଳ ତଳକୁ କଚାଡି ହୋଇ ପଡୁଛି। ତଳକୁ ଯିବାକୁ ପାହାଚ ନିର୍ମାଣ ହୋଇଛି। ସବୁ ଋତୁରେ ଯାଇହେବ। ଗୁମ୍ଫା ଭିତରେ ରହି ମଧ୍ୟ ଜଳପ୍ରପାଳତର ଦୃଶ୍ୟ ଉପଭୋଗ କରିହେବ। ସତକୁ ସତ ତାଙ୍କ କହିବା ଅନୁସାରେ ଏହି ନିଆରା ଜଳପ୍ରପାତ ରାଣୀପଙ୍ଗା ଫଲ୍କୁ ଦେଖି ଅପାର ଆନନ୍ଦ ଲାଭ କଲୁ।
ଦାରିଙ୍ଗବାଡ଼ି ସହରର ଅନତି ଦୂରରେ ଥିବା ଏଇସବୁ ନୈସର୍ଗିକ ଶୋଭା ଦର୍ଶନ କରି ଆମେ ଆଦୌ କ୍ଲାନ୍ତ ଅନୁଭବ କରିନଥିଲୁ। ପଶ୍ଚିମ ଆକାଶରେ ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣର ରକ୍ତାଭ ଛିଟା। ଗାଇଡ ଆମକୁ ଶୀଘ୍ର ବାହାରି ଦୁଇ କିମି ଦୂରରେ ଥିବା ସନ୍ସେଟ୍ ପଏଣ୍ଟରେ ପହଞ୍ôଚବାକୁ ଇସାରା ଦେଲେ। ଶୀତ ଲାଗିବା ଆରମ୍ଭ ହୋଇଥାଏ। ଗାଇଡ୍ କହୁଥିଲେ ଏ ମାସରେ ଦାରିଙ୍ଗବାଡ଼ିରେ ହାଲୁକା ବରଫପାତ ହୋଇଥାଏ। ଆମେ ଡେରି ନ କରି ବହୁ ଇପ୍ସିତ ଦାରିଙ୍ଗବାଡ଼ିର ସେଇ ସନ୍ଧ୍ୟାର ଦୃଶ୍ୟ ଦେଖିବାକୁ ତତ୍ପର ହୋଇଉଠିଲୁ। ଆମେ ପହଂଚିବାର ଅନେକ ପୂର୍ବରୁ ବହୁତ ଲୋକ ଜମା ହୋଇ ସାରିଥିଲେ। ବେସରକାରୀ ଉଦ୍ୟମରେ ପାହାଡର ଏକ ଅପେକ୍ଷାକୃତ ସମତଳ ସ୍ଥାନରେ ଗାଡି ପାର୍କିଂ କରାଯାଉଥିଳା। ଟୁରିଷ୍ଟମାନେ ବସିବା ପାଇଁ କାଠ ବାଉଁଶର ମଞ୍ଚା ବନ୍ଧା ଯାଇଥିଲା। ଗୋଟିଏ ଛୋଟ ଚା ଦୋକାନ କଡରେ ସମସ୍ତେ ଦେଖିପାରିବା ଭଳି ଖୋଲା ସ୍ଥାନରେ ୪/୫ ଜଣ କନ୍ଧ ପୁରୁଷ ସ୍ତ୍ରୀ ହାତ ଧରାଧରି ହୋଇ ଗୀତଗାଈ ନାଚିବା ଆରମ୍ଭ କରିଦେଇଥିଲେ। ବାଦ୍ୟର ତାଳେ ତାଳେ ଗୀତ ଓ ନାଚର ଆସର ସମସ୍ତଙ୍କୁ ଅନ୍ୟମନସ୍କ କରି ଦେଇଥିଲା। ଆମେମାନେ କୌଣସି ମତେ ବସିବା ପାଇଁ ସ୍ଥାନଟିଏ ଦଖଲ କରିନେଲୁ। ଗୀତର ଅର୍ଥ ବୁଝିବା ସମ୍ଭବ ନ ଥିଲା। କେବଳ ତାହା ଅଭିମାନ ଓ ଅନୁରାଗଭରା ପ୍ରେମୀଯୁଗଳର ପ୍ରଣୟ କାହାଣୀ ହୋଇପାରେ ବୋଲି ଅନୁମାନ କଲୁ। ତଥାପି ମିଶ୍ରବାବୁ ଅଭିଜ୍ଞ ଥିବାରୁ ଗଦ୍ୟପଦ୍ୟ ମିଶାଇ ସେମାନଙ୍କ ଗୀତର ସାରାଂଶ କହିଲେ, “ବାଘ ଛାଡୁଅଛି ରଡି, ତୋତେ ଆଶାକରି ଅନେଇ ରହିଲି, ଦିନ ଯାଏ ଗଡି ଗଡି। ମୋ କୋରେଇ ଫୁଲ, କିଛି ନ କହିଲୁ ମନ ଖୋଲି, ଉପରେ ଧର୍ମଦେବତା ଆଉ ପାହାଡି ଝରଣା ସାକ୍ଷୀ। ମୋ ବଣୁଆ ରଜା ସତ, ତୁଇ ମୋ ଜୀବନ ସାଥୀ।” ଇତ୍ୟାଦି।
ଏଥର ସମସ୍ତଙ୍କ କ୍ୟାମେରା ଅସ୍ତଗାମୀ ସୂର୍ଯ୍ୟଙ୍କ ଦିଗରେ କେନ୍ଦ୍ରୀଭୂତ ହେଲା। ଉପରତଳ ହୋଇ ଲଗାଲଗି ଅନେକ ପାହାଡ। ଦୁଇ ପାହାଡର ଉଚ୍ଚ ଶିଖର ମଧ୍ୟରେ ଅସ୍ତଗାମୀ ସୂର୍ଯ୍ୟ। ଗୋଟିଏ ପଦ୍ମଫୁଲର ଅନେକ ପାଖୁଡା ପରି ପାହାଡସବୁ ସଜାଇ ହୋଇଥାନ୍ତି। ଚାରିଆଡ ସବୁଜିମାର ଅନ୍ଧକାର ତଥାପି ଅଂଶୁମାନଙ୍କ ଶେଷ ସ୍ପର୍ଶରେ ଝଟକି ଉଠୁଥାନ୍ତି। ମୁଁ ତର ତର ହୋଇ ଗଣିଲି ଅତି କମ୍ରେ ୩୦ ରୁ ଅଧିକ ଶୃଙ୍ଗ (ପୂରା ଗଣିବା ସମ୍ଭବ ହେଲା ନାହିଁ) ବେଷ୍ଟିତ ଥାଇ ଦିନମଣି ବିଦାୟ ନେଇ ମା’ କୋଳକୁ ଢ଼ଳି ପଡ଼ିଲେ। ଓଡ଼ିଶା ବାହାରୁ ଅନେକ ଟୁରିଷ୍ଟ ଉପସ୍ଥିତ ଥିଲେ। ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଲି ନାହିଁ। ପାଠକେ, ମୁଁ ଏହା ପୂର୍ବରୁ ତାମିଲନାଡୁର କନ୍ୟାକୁମାରୀ, ରାଜସ୍ଥାନର ଜୈସାଲମେର, ଦାର୍ଜିଲିଂ, ନଦୀ ଓ ସମୁଦ୍ର ତୀର ପ୍ରଭୃତି ଅନେକ ସ୍ଥାନରେ ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତକାଳୀନ ଦୃଶ୍ୟ ଉପଭୋଗ କରିଛି। କିନ୍ତୁ ଦାରିଙ୍ଗବାଡ଼ିର ସନ୍ଧ୍ୟା କାହା ସହିତ ତୁଳନା କରାଯାଇନପାରେ। ଏହା ଅନନ୍ୟ ଓ ଅସାଧାରଣ। କେବଳ ସରକାରୀ ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ଅଭାବରୁ ଏହା ନିଜର ଗାରିମା ପ୍ରତିଷ୍ଠା କରିବାରୁ ବଞ୍ଚିତ। ଅଧିକ ଟୁରିଷ୍ଟ ଆକର୍ଷଣ କରି ଆର୍ଥିକ ଉନ୍ନତି ଲାଭରୁ ରାଜ୍ୟ ମଧ୍ୟ ବଂଚିତ। କେବେ କେହି ସୁଯୋଗ ପାଇଲେ ମୋ କଥାର ସତ୍ୟାସତ୍ୟ ଉପଲବ୍ଧି କରିପାରିବେ। କବି ଯଥାର୍ଥରେ କହିଥିଲେ, “ବଚନ ବିଷୟ ନୁହଇ ଏ ଛବି, ହୃଦ ସେ କେବଳ ପାରେ ଅନୁଭବି।” ଧୀରେ ଧୀରେ ଗହଳି ଭାଙ୍ଗିଲା। ଆମେ ସହରରେ ଥିବା ଜନଜାତି ଉତ୍ପାଦିତ ଦ୍ରବ୍ୟର ନିର୍ଭରଯୋଗ୍ୟ ତଥା ଖାଣ୍ଟି ଜିନିଷର ଦୋକାନ “କସମ୍”ରେ ପହଂଚିଲୁ। ହଳଦୀ, ସୋରିଷ, ଅଦା, ମାଣ୍ଡିଆ, ମହୁ ପ୍ରଭୃତି ଜିନିଷ କିଣିଲୁ। ଦୁଇଦିନ ଧରି ପରିବାରର ସଦସ୍ୟ ଭଳି ଆମ ପାଖେ ପାଖେ ରହିଆସିଥିବା ମିଶ୍ରବାବୁ (ଗାଇଡ୍) ଆମଠାରୁ ବିଦାୟ ନେଲେ। ତାଙ୍କର କାମ ସରିଯାଇଥିଲା। ମଣ୍ଡାସରୁ ନେଚର କ୍ୟାମ୍ପର ରାସ୍ତା ଦେଖାଇ ସେ ଶୁଭରାତ୍ରି ଜଣାଇଲେ।
ମଣ୍ଡାସରୁ ରିସର୍ଟର ପରିଚାଳିକାମାନେ ଆମ ଅପେକ୍ଷାରେ ଥିଲେ। କାରଣ ଏହା ଥିଲା ଆମର ଶେଷ ରାତ୍ରୀ। ତେଣୁୁ ଆମକୁ କ’ଣ ଖୁଆଇ ସନ୍ତୁଷ୍ଟ କରିବେ ପଚାରିଲେ। ରୋଟି, ତରକାରୀ, ଅଣ୍ଡା ଆମଲେଟ୍ ତିଆରି କଲେ। ଥଣ୍ଡା ପଡିଥିବାରୁ ରୁମ୍କୁ ଖାଇବା ନେଇ ଆସିଲେ। ପରଦିନ ସକାଳୁ ଆମେ ବଙ୍ଗଳା ଛାଡ଼ିବୁ, ଦେଖା ହେବ କହି ବିଦାୟ ନେଲେ। ପାଖ ଗାଁରେ ଘର, ତେଣୁ ରାତିରେ ଘରକୁ ଫେରିବାର ଭୟ ନ ଥିଲା। ଏ ସମୟରେ ଆମର ପରିଚିତ ଜନୈକ କର୍ମଚାରୀ, ଆମ ସହିତ ଟିକେ ଆଲୋଚନ କଲେ। କହିଲେ, ସାର୍ ବଙ୍ଗଳାର ଖୁବ୍ ନିକଟରେ (ମଣ୍ଡାସରୁ ଉପତ୍ୟକା ମଧ୍ୟରେ) ଏକ ସୁନ୍ଦର ଜଳପ୍ରପାତ ଅଛି। ଆପଣ ଏତେ ସବୁ ଝରଣା ଦେଖିସାରିଲେଣି ହେଲେ ଏହାକୁ ଥରେ ଦେଖିନିଅନ୍ତୁ। ମୁଁ ସାଙ୍ଗରେ ନେଇ ଅଳ୍ପ ସମୟ ମଧ୍ୟରେ ବୁଲାଇ ଆଣିବି। ସକାଳେ ନେଚର କ୍ୟାମ୍ପ ଛାଡିବା ପୂର୍ବରୁ ଦେଖିବାକୁ ଯିବା କହି ବିଦାୟ ନେଲୁ। ରାତି ପାହିଲା ପୁଣି ୱାଚ୍ ଟାୱାରରେ ଚଢ଼ି ଉଦୟ ସୂର୍ଯ୍ୟଙ୍କର ମନଲୋଭ ଦୃଶ୍ୟ ଦେଖିଲୁ। ପୂର୍ଣ୍ଣବାବୁ ଆମ ସହିତ ଦୁଇ କିମି ଯିବା ପରେ ଗାଡି ରଖି ଆମେ ଚାଲି ଚାଲି ଜଙ୍ଗଲ ଭିତରକୁ ଗଲୁ। ଅଳ୍ପବାଟ ଯିବା ପରେ ଧୀରେ ଧୀରେ ମଣ୍ଡାସରୁ ପାହାଡ ତଳକୁ ଚାଲିଲୁ। କେତେକ ଯାଗାରେ ଜଙ୍ଗଲ ବିଭାଗ ପକ୍କା ପାହାଚ କରିଥିଲେ। କିନ୍ତୁ ମାଟି ପାହାଚ ଦେଇ ଶେଷରେ ଜଳପ୍ରପାତ ନିକଟରେ ପହଂଚିଲୁ। ପ୍ରାୟ ୬୦/୭୦ ଫୁଟ ଉଚ୍ଚରୁ ଝରଣାର ପାଣି ଭୟଙ୍କର ଶବ୍ଦ କରି ତଳେ ପଡୁଛି। ପଥରର କିଛି ଉପରକୁ ଉଠି ଫଟୋ ଉଠେଇଲୁୁ। ଜଙ୍ଗଲ ବିଷୟରେ ପୂର୍ଣ୍ଣ କେତେକ ଉପାଦେୟ ବିଷୟ କହିଲେ। ଫେରିବା ବାଟରେ ୨/୩ଟି ବଙ୍ଗାଳୀ ପରିବାର ଆମ ସହିତ ଭେଟ ହେଲେ। ସେମାନେ ମଧ୍ୟ ସେଇ ଲାଣ୍ଡ୍ରିକିଆ ବା ମଣ୍ଡାସରୁ ଜଳପ୍ରପାତ (ଜାଗାର ନାଁ ଅନୁସାରେ) ଦେଖିବାକୁ ଯାଉଥିଲେ। ତାକୁ ମଧ୍ୟ ପିସୋଗୃଣ୍ଡୁଫଲ୍ କୁହାଯାଏ। ପୂର୍ଣ୍ଣଙ୍କୁ କିଛି ପାରିଶ୍ରମିକ ଦେଇ ନେଚର କ୍ୟାମ୍ପରେ ଜଳଯୋଗ ସମାପ୍ତ କଲୁ। ବହୁ ଆଦରର ସହିତ ସେମାନେ ଆମର ସତ୍କାର କଲେ। କେହି କେହି ଟିକେ ଭାବାବେଗ ହୋଇ ପଡିଲେ। ସେମାନଙ୍କ ସହିତ ଫଟୋ ଉଠାଇଲୁ। କେତୋଟି ସାଧାରଣ ବ୍ୟବହାରର ଦୁଇ ଶବ୍ଦ ରେକଡିଂ କଲୁ। ତାଙ୍କର କାମ, ପାଉଣା ଇତ୍ୟାଦି ବିଷୟରେ ସାମାନ୍ୟ କଥା ହେଲୁ। ସେମାନେ କହିଲେ ଆପଣମାନେ ଆମର ସର୍ବସ୍ୱ। ଆପଣ ଆସିଲେ ସବୁଭଲ। ପୁଣି କେବେ ଦେଖା ହେବ ପଚାରିବାରୁ କହିଲୁ ତୁମେମାନେ ସବୁବେଳେ ମନେ ରହିବ। ନିଶ୍ଚୟ ଆଉ ଥରେ ଆସିବୁ। ପଦେ ଦି ପଦ ତାଙ୍କ ଗୀତ ଗାଇବାକୁ କହିଲୁ। ସେମାନେ ଟିକେ ଲାଜେଇ ଗଲେ। ଜଣେ ବୟସ୍କା ମହିଳା ପଦେ ଗାଇ ବନ୍ଦ କରିଦେଲେ। ତା’ର ଅର୍ଥ ଥିଲା, “ତମେ ପୁଣି ଆସିବ କହୁଚ। ସମସ୍ତେ ସେଇ କଥା କହୁଛନ୍ତି। ତମ ଅପେକ୍ଷାରେ ରହିଲୁ।” ପ୍ରସିଦ୍ଧ ଭୁଖା ସିନେମାର ଦୁଃଖଦ କାହାଣୀ ପରି ମୋତେ ଲାଗିଲା। ତାଙ୍କର ଏ ପ୍ରତୀକ୍ଷା ଅସରନ୍ତି। ସମୟ ସୁଅରେ ଭାସି ଭାସି କିଏ କେତେବେଳେ କେଉଁଠି ଆସି ପହଂଚି ଯାଉଛି ତା’ର କିଛି ଇୟତ୍ତା ନାହିଁ। ସେମାନଙ୍କୁ କିଛି କିଛି ପାରିତୋଷିକ ଦେଇ ହସି ହସି ବିଦାୟ ନେଲୁ ପୁଣି ଏକ ନୂତନ ସକାଳର ଅପେକ୍ଷାରେ।
- ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଜୁନ୍ , ୨୦୨୨ ସଂଖ୍ୟାରେ ପ୍ରକାଶିତ ।
Very beautiful.
ମଣ୍ଡାସରୁ ବୋଲି ଗୋଟେ ଜାଗା ଅଛି ଏବଂ ଅତି ମନୋହର ଜାଗା ସେ ବିଷୟରେ ଜ୍ଞାତ ହେଲୁ ଏବଂ ବୁଲିଯିବାକୁ ଇଛା କରୁଛୁ।
ଦାରିଙ୍ଗବାଡ଼ି ବିଷୟରେ ବହୁତ ଶୁଣିଥିଲି। ଏ ଲେଖାଟି ପଢି ଆହୁରି ବହୁତ କଥା ଜାଣି ଖୁସି ହେଲି। ଅତି ସୁନ୍ଦର ବର୍ଣ୍ଣନା କରାଯାଇଛି ଏମିତି ଲେଖା ସାହିତ୍ୟ ଚର୍ଚ୍ଚା ପ୍ରକାଶ କରିଥିବାରୁ ସମ୍ପାଦକଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଲେଖକ କଷ୍ଟକରି ଲେଖିଛନ୍ତି ସେ ମଧ୍ୟ ଧନ୍ୟବାଦାର୍ହ ଆଶାକରେ ଜୀବନରେ ଥରେ ସୁଯୋଗ ଆସିବ ଓ ମୁଁ ଦାରିଙ୍ଗବାଡି ବୁଲିଯିବି।
ମୋର ଆଗ୍ରହୀ ପାଠକ ମାନଙ୍କୁ ସେମାନଙ୍କ ମତାମତ ପାଇଁ ମୁଁ ବହୁତ ଧନ୍ୟବାଦ ଜଣାଉଛି ।