‘ମୋ ପାଠପଢ଼ା ପାଇଁ ବୋଉର ସବୁ ଗହଣା ବିକ୍ରୀ ହୋଇଥିଲା’ (ବିଭୂତି ପଟ୍ଟନାୟକ), ‘ଗୀତ ଗାଇବା ପୂର୍ବରୁ ବୋଉକୁ ମନେ ପକାଏ’ (ପ୍ରଣବ ପଟ୍ଟନାୟକ), ‘ମୁଁ ସନ୍ନ୍ୟାସୀ ହେବା କଥା ଶୁଣି ବୋଉ କାନ୍ଦିଲା’ (ପ୍ରଣବ ପ୍ରକାଶ ଦାସ), ‘ବୋଉଠୁ କେବଳ ପାଇଛି, କିଛି ଦେଇନି (ସୁଦତ୍ତା ପଟ୍ଟନାୟକ), ‘ମାଆ ମୋ ଭିତରେ ଖେଳାଳୀଟିଏ ପାଇଥିଲା’ (ଅନୁରାଧା ବିଶ୍ୱାଳ) – ଏ ହେଲା ‘ମୋ ମାଆ’ ସଂକଳନରେ ସନ୍ନିବେଶିତ ହୋଇଥିବା କିଛି ଆଲେଖ୍ୟର ଶିରୋନାମା। ଏହା ସୂଚାଇଦିଏ, ଏଥିରେ ସ୍ଥାନୀତ ଲେଖକମାନେ କେଉଁ ଅନ୍ତଃସ୍ୱରର ସହ ଚିତ୍ରଣ କରିଛନ୍ତି ନିଜର ପରମ ବନ୍ଦନୀୟା ମାଆମାନଙ୍କୁ। ଗତ ସଂଖ୍ୟାରେ ଆମେ ଏହି ପର୍ଯ୍ୟାୟର ଆଉ ଏକ ଗଳ୍ପ ସଂକଳନ ‘ବୋଉ’ ବିଷୟରେ ଏକ ସଂକ୍ଷିପ୍ତ ସମୀକ୍ଷା ପ୍ରକାଶ କରିଥିଲୁ। ଏଥରର ଆଲୋଚ୍ୟ ସଂକଳନଟି ମଧ୍ୟ ବୋଉମାନଙ୍କ ଉପରେ ଆଧାରିତ ହୋଇଥିଲେ ହେଁ, ସେଗୁଡିକ କାହାଣୀ ନୁହନ୍ତି, ବରଂ ବାସ୍ତବ ଜୀବନରେ ବୋଉଙ୍କୁ ଅନୁଭବିଥିବା ଗେଲବସରର ସନ୍ତାନମାନଙ୍କର ଏକ ଅନ୍ତରଙ୍ଗ ପ୍ରତିବେଦନ।
ସଂକଳନଟିର ଆରମ୍ଭରେ ଥିବା ପ୍ରକାଶକଙ୍କର ନିଜ କଥାରୁ ଆଭାସ ମିଳେ ଯେ ଏଥିରେ ସ୍ଥାନ ପାଇଥିବା କିଛି ଲେଖା ସଂପୃକ୍ତ ଲେଖକମାନଙ୍କର ସ୍ୱରଚିତ ହୋଇଥିବା ସ୍ଥଳେ ସଂକଳକ ଆଉ କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଭେଟି ମାଆଙ୍କ ସଂପର୍କରେ ସେମାନଙ୍କ ମନରେ ଥିବା ଭାବନାକୁ ଲିପିବଦ୍ଧ କରିଛନ୍ତି। ପ୍ରକାଶକଙ୍କ ଭାଷାରେ, “ଅନେକ ପ୍ରସିଦ୍ଧ ଲୋକ, ପରିଣତ ବୟସରେ ମଧ୍ୟ, ନିଜ ମାଆ ବିଷୟରେ କହିବା ବେଳେ କୋହ ସମ୍ବରଣ କରିପାରିନଥିଲେ।” ଏଥିରେ ସଂକଳିତ ପ୍ରାୟ ସମସ୍ତ ରଚନା ଆମକୁ ଭାବବିହ୍ୱଳ କରିଦେବା ଭଳି ଏବଂ ଏହି ଆଲେଖ୍ୟମାନଙ୍କୁ ପାଠ କରୁଥିବାବେଳେ ପାଠକଟିଏ ମାନସ ଚକ୍ଷୁରେ ନିଜ ବୋଉଙ୍କର ସାନ୍ନିଧ୍ୟ ସହଜରେ ଆବିଷ୍କାର କରିପାରେ।
ବୋଉଙ୍କ ବିଷୟରେ ନିଜର ଭାବନାକୁ ବ୍ୟକ୍ତ କରିବା ବେଳେ ପରିଣତ ବୟସର ବିଜ୍ଞଜନଟିଏ ମଧ୍ୟ କେମିତି ଶିଶୁଟିଏ ଭଳି ଦରୋଟି କଣ୍ଠରେ ବର୍ଣୁଥାଏ ନିଜର ଅନୁଭବ, ତା’ର ଦୃଷ୍ଟାନ୍ତଟିଏ ପାଇଁ ଆସନ୍ତୁ ଦେଖିବା ଏଥିରେ ଆମର ଦୃଷ୍ଟି ପଥାରୂଢ଼ ହୋଇଥିବା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିବେଦନରୁ କେଇ ଧାଡ଼ି: “ଘରେ ସମସ୍ତେ ଖାଇସାରିବା ପରେ ସେ ଖାଇ ବସେ। ସେଇ ଅବସ୍ଥାରେ କୌଣସି ସ୍ତ୍ରୀ ଲୋକ ଆସି ତା ପିଲା ପାଇଁ ତରକାରୀ ମାଗିଲା ତେବେ ସେ ତାକୁ ଦେଇ ପକାଏ ଓ ଅନ୍ୟ ଯାହା ଥିବ ତାକୁ ଲଗାଇ ଖାଏ। ସେ ବିଷୟରେ ତାକୁ ଘରର କେହି ପ୍ରଶ୍ନ କଲେ କହିବ, ‘ହ ଖାଇବା କଥା ତ, ଘଣ୍ଟିକା ଡେଇଁଲେ ତ ନରକ’। ତା ଅର୍ଥ ଖାଦ୍ୟଟା ତଣ୍ଟିରୁ ଘଣ୍ଟିକା ଡେଇଁଲେ ବର୍ଜ୍ୟବସ୍ତୁରେ ପରିଣତ ହୋଇଯାଏ। ତା ପାଇଁ ଏତେ ବ୍ୟସ୍ତ କାହିଁକି?”
ସେମିତି ବିଶିଷ୍ଟ ସିନେ ଅଭିନେତା ଅଜିତ ଦାସ ମାଆଙ୍କ ସ୍ୱରୂପରେ ପ୍ରତ୍ୟକ୍ଷ କରନ୍ତି ଏକ ଦେବୋପମ ସତ୍ତା। ସେ କହନ୍ତି, “ଅନୁଭବୀ ଜାଣେ ଅନୁଭବରୁ। ଆଉ ମଧ୍ୟ କୁହାଯାଏ – ମା’ ନାହିଁ ଯା’ର ସାହା ନାହିଁ ତା’ର। ଦୁଃଖ ସୁଖର ସାଥୀ। ଯେତେ ଝଡ଼ ଝଂଜା, ବିପଦ ଆସୁନା କାହିଁକି ମା’ କୋଳରେ ମୁଣ୍ଡ ଗୁଂଜିଦେଲେ ଯେମିତି ସବୁ ବାଧା ବିଘ୍ନ କୁଆଡେ ମିଳେଇ ଯାଆନ୍ତି ତା’ର ପଣତ କାନିର ସ୍ପର୍ଶରେ।”
ବୋଉଙ୍କ ବିଷୟରେ ସାର୍ବଜନୀନ ଜୀବନରେ ଅଧିଷ୍ଠିତ ବିଶିଷ୍ଟ ବ୍ୟକ୍ତିମାନଙ୍କର ଏଭଳି ସଂସ୍ମରଣମାନ ସଂଗ୍ରହ କରି ତାହାକୁ ପୁସ୍ତକାକାରରେ ପ୍ରକାଶ କରିବାର ଏହି ପ୍ରୟାସ ଅତୀବ ପ୍ରଶଂସନୀୟ।
- ନିହାର ଶତପଥୀ
BOOK KEUNTHI MILIBA