- ଏହି ଭାଷାର ନିଜର ସ୍ଵାତନ୍ତ୍ର୍ୟ ରହିଛି। ଶବ୍ଦ ଉଚ୍ଚାରଣରେ, ବାକ୍ୟ ଗଠନରେ, ବ୍ୟାକରଣରେ ଏହା ନିଜସ୍ୱ ଅଭିବ୍ୟକ୍ତି ରଖେ।
“ଭାଷ୍ୟତେ ବ୍ୟକ୍ତ ବାଗ୍ରୂପେଣ ଅଭିବ୍ୟଜ୍ୟତେ ଇତି ଭାଷା।”
ଅର୍ଥାତ୍ : ବ୍ୟକ୍ତ ବାଣୀ ରୂପରେ ଯାହାର ଅଭିବ୍ୟକ୍ତି ଥାଏ ତାହାକୁ ଭାଷା କୁହାଯାଏ।
ଏବଂ “ସଙ୍କେତିତୋ ଧ୍ୱନିବ୍ରାତଃ ସା ଭାଷେତ୍ୟୁଚ୍ୟତେ ବୁଧୈଃ।”
ଅର୍ଥାତ୍ : ଭାଷାର ଚାରିଗୋଟି ଲକ୍ଷଣ, ଯଥା ବାଣୀକୁ ସ୍ଫୁଟ କରିବାର ଶକ୍ତି, ଭାବକୁ ଅଭିବ୍ୟକ୍ତି କରିବାର ସାମର୍ଥ୍ୟ, ବାଗ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି ସମୂହ ଓ ସାଙ୍କେତିକତା। ମଣିଷ ନିଜର ଭାବ ଆଦାନ ପ୍ରଦାନ ପାଇଁ କିଛି ଶବ୍ଦ ବ୍ୟବହାର କଲା। ଏକ ନିର୍ଦ୍ଦିଷ୍ଟ ଭୂ-ଖଣ୍ଡରେ ତାହା ସମୟ କ୍ରମେ ସାର୍ବଜନୀନ ଏବଂ ସର୍ବାଦୃତ ହେଲାପରେ ଏକ ଭାଷାରେ ପରିଣତ ହେଲା। ପୃଥିବୀର ଅନ୍ୟାନ୍ୟ ଭାଷା ପରି ସୃଷ୍ଟି ହୁଏ ଏହି କିସାନ (କୁଣ୍ହାଁ) ଭାଷା। ଏହି କିସାନ (କୁଣ୍ହାଁ) ଭାଷା କହୁଥିବା ଜନଜାତିମାନେ ଓଡ଼ିଶାରେ ମୁଖ୍ୟତଃ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ ଆଦି ଜିଲ୍ଲାରେ ବହୁଳ ଭାବେ ବସବାସ କରନ୍ତି। ଏହା ବ୍ୟତୀତ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ଅନୁଗୋଳ, ଢ଼େଙ୍କାନାଳ, କେଉଁଝର, ଯାଜପୁର, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲାରେ ମଧ୍ୟ ବସବାସ କରନ୍ତି। ଓଡ଼ିଶା ବାହାରେ ନାଗପୁର, ମଧ୍ୟ ପ୍ରଦେଶ, ଛତିଶଗଡ଼, ଆସାମ ଆଦି ଅଞ୍ଚଳରେ ମଧ୍ୟ ଏହି କିସାନ (କୁଣ୍ହାଁ) ଜନଜାତିଙ୍କୁ ଦେଖିବାକୁ ମିଳେ। ସାଧାରଣତଃ ପାହାଡ଼ ପର୍ବତ କୋଳରେ ବସବାସ କରୁଥିବା କିସାନ (କୁଣ୍ହାଁ) ଆଦିବାସୀମାନେ ଏହି ଭାଷାକୁ ବ୍ୟବହାର କଲେ। କାଳକ୍ରମେ ସେମାନେ ଗ୍ରାମାଞ୍ଚଳ ଏବଂ ପରେ ସହର ପର୍ଯ୍ୟନ୍ତ ପହଞ୍ଚିଲେ। ତାଙ୍କ ସହ କିସାନ (କୁଣ୍ହାଁ) ଭାଷା ମଧ୍ୟ ସହର ଅଭିମୁଖୀ ହେଲା।
ଏହି ଭାଷାର ନିଜର ସ୍ଵାତନ୍ତ୍ର୍ୟ ରହିଛି। ଶବ୍ଦ ଉଚ୍ଚାରଣରେ, ବାକ୍ୟ ଗଠନରେ, ବ୍ୟାକରଣରେ ଏହା ନିଜସ୍ୱ ଅଭିବ୍ୟକ୍ତି ରଖେ। ପ୍ରତ୍ୟେକ ପଦାର୍ଥର, ସାମଗ୍ରୀର ଏବଂ କ୍ରିୟାର କୁଣ୍ହାଁ ବା କିସାନ ଶବ୍ଦରହିଥାଏ। ଏହି ଭାଷାର ଶବ୍ଦରେ ଅଧିକାଂଶ ଅନୁଶ୍ୱାର (୦), ବିଶର୍ଗ (ଃ), ଚନ୍ଦ୍ରବିନ୍ଦୁ ( ଁ ) ଏବଂ ହଳନ୍ତ
( ୍ )ବ୍ୟବହୃତ ହୁଏ। ଯାହା ଫଳରେ ଶବ୍ଦ ଉଚ୍ଚାରଣରେ ନ ଲମ୍ବାଇ ହଠାତ୍ ଶେଷ କରିବାକୁ ପଡ଼େ।
ଯଥା: ଏନ୍ଦେନ୍ (କଣ?), ବେଚାଦାନ୍ (ଖେଳୁଛି) ଇତ୍ୟାଦି। ଯାହା ଫଳରେ ଶବ୍ଦ ଉଚ୍ଚାରଣରେ ତୀବ୍ରତା ଆସେ।
ଏହି କିସାନ (କୁଣ୍ହାଁ)ଭାଷା ସାହିତ୍ୟର ଅନ୍ୟ ଏକ ସ୍ୱତନ୍ତ୍ର ଦିଗ ହେଲା, ଏହାର ଶବ୍ଦକୋଷ। ଏହାର ଆକାର ବିଶାଳକାୟ। ଗୋଟିଏ କ୍ରିୟା ପାଇଁ ଦୁଇ, ତିନୋଟି ଶବ୍ଦ ବ୍ୟବହାର ହୁଏ। ଯଥା- ରାନ୍ଧିବା। ରାନ୍ଧିବା କ୍ରିୟା ପାଇଁ ବିତ୍ନା, ଲାଦ୍ନା, ମେଖ୍ନା ଆଦି ଶବ୍ଦ ବ୍ୟବହାର କରାଯାଏ।
ଅନ୍ୟ ଏକ ସ୍ୱତନ୍ତ୍ରତା ହେଲା ଏହାର ବ୍ୟାକରଣ। ଗୋଟିଏ ବାକ୍ୟରୁ ଜଣା ପଡ଼ିଯାଏ, ତାହା ଜଣେ ପୁରୁଷ ପାଇଁ ପ୍ରଯୁଜ୍ୟ ନା ମହିଳା ପାଇଁ ପ୍ରଯୁଜ୍ୟ।
ଯଥା: ସେ ଆସୁଅଛି (ପୁ ଲିଙ୍ଗ ପାଇଁ)
ସେ ଆସୁଅଛି (ସ୍ତ୍ରୀଲିଙ୍ଗ ପାଇଁ )
ଉଭୟ ପୁ ଲିଙ୍ଗ ଏବଂ ସ୍ତ୍ରୀ ଲିଙ୍ଗ ପାଇଁ ଗୋଟିଏ ବାକ୍ୟ “ସେ ଆସୁଅଛି”। କିନ୍ତୁ ଏହି କିସାନ (କୁଣ୍ହାଁ) ସାହିତ୍ୟରେ
ଆସ୍ ବାରାଦାସ୍ (ପୁ ଲିଙ୍ଗ ପାଇଁ)
ଆଦ୍ ବାରାଲିଦ୍ (ସ୍ତ୍ରୀ ଲିଙ୍ଗ ପାଇଁ)
ଗୋଟିଏ ବାକ୍ୟରୁ ଜଣା ପଡ଼େ, ଜଣେ ପୁରୁଷ କି ମହିଳା ଆସୁଛନ୍ତି।
ଏମିତି ଅନେକ ସ୍ୱତନ୍ତ୍ରତା ବହନ କରେ ଏହି ବହୁ ପୁରାତନ (କୁଣ୍ହାଁ) ଭାଷା।” ସଦାସର୍ବଦା ପ୍ରକୃତି ସହ ଜଡ଼ିତ ହୋଇ ପ୍ରକୃତିର ଭିନ୍ନ ଭିନ୍ନ ପ୍ରାକୃତିକ କାର୍ଯ୍ୟକଳାପ ଏହି ସାହିତ୍ୟରେ ବ୍ୟବହାର କରାଯାଏ। ଏହି ଭାଷାର ଆବେଗରେ ପ୍ରକୃତିର ବିଭିନ୍ନ କ୍ରିୟା ପରିଲକ୍ଷିତ ହୁଏ। ଏହି ଜନଜାତିର ପୁରୋଧାମାନେ ଭିନ୍ନ ଭିନ୍ନ ସାମାଜିକ ସଭା ସ୍ଥଳରେ ଏମିତି ଆବେଗଭରା ବାର୍ତ୍ତାଳାପ କରନ୍ତି ଯାହାକି, ପ୍ରକୃତିର କାର୍ଯ୍ୟକଳାପ ସହ ସଂପୃକ୍ତ। ଏହି ଭାଷାର ଲୋକଗୀତରେ ମଧ୍ୟ ପ୍ରକୃତିର ଛବି ବର୍ଣ୍ଣିତ, ଯଥା-
‘ଗୁଣ୍ ନାଲୟ୍ ପେଲ୍ଲୋ ଚଇତ୍ ନାଲୟ୍
ମାଦି ନିନ୍ ପେଶାଗେ ମାହାନ୍ କାଲୟ୍।’
ଅର୍ଥାତ୍- ଗୁଣ ନାଚିବ ପ୍ରିୟା ଚଇତ୍ର ନାଚିବ, ମହୁଲ ଗୋଟେଇବାକୁ ତମେ ଅନ୍ଧାରରୁ ଯିବ।
‘ଆଷାଢ଼ ବାକେନ୍ ଚେପୁ ଚିଚ୍ଚା, ନାଲଖୁ ମଖ୍ଖା ପାଳ୍ହା ଲାଟ୍ଟା
ଶ୍ରାବଣ ବାକେନ୍ ବାଢ଼ି କେରା, ମାଁସୁ ପାଟ୍ଟାନୁ ଇଞ୍ଜ ଧାରା।’
ଅର୍ଥାତ୍: ଆଷାଢ଼ର ବର୍ଷାରେ ଧାନଚାରା ରୋପଣ ଓ ଘାସ ବଛା ହୁଏ ଶ୍ରାବଣର ବଢ଼ିରେ, ବାଉଁଶ ପଟାରେ ମାଛ ଧରା ହୁଏ।
‘ବାଇଶାଖ୍ ବାକେନ୍ ବିଡ଼୍ନା ଚିଚ୍ଚା
ତେଲା ଆଥା ବିଂସା ବିଂସା
ଜୈଷ୍ଠ ବାକେନ୍ ଝାଞ୍ଜି ମକ୍କାତ୍
ଡୟୁଁ କିଟ୍ଟି ଠେସା ଠେସା।’
ଅର୍ଥାତ୍: ବୈଶାଖ ମାସର ରୌଦ୍ର ତାପରେ କେନ୍ଦୁପତ୍ର ବିକ୍ରି କରନ୍ତି।
ଜ୍ୟେଷ୍ଠ ମାସର ଝାଞ୍ଜି ପବନ ଖରାରେ ମଧ୍ୟ ମହୁଲ ଟୁଳ, ଚାର ମଞ୍ଜି ସଂଗ୍ରହ କରନ୍ତି।
କେତେକ ଲୋକଗୀତରେ ଜନଜାତିର ଜୀବନଶୈଳୀ ମଧ୍ୟ ପ୍ରତିଫଳିତ ଯଥା-
‘ମାଘ୍ ଫଗୁଣ୍ ନୁ କୁଣ୍ହାଁର୍ଗେ ବେଞ୍ଜା
ପାଚ୍ଚ ପାଚ୍କିରେ ବି ଲାଗ୍ଗାଲି ମଜା
ମାଲକାସ୍ତିନ କାମନାର୍ ଖଂଜା।’
ଅର୍ଥାତ୍: ମାଘ-ଫଗୁଣ ମାସରେ କିସାନ୍ (କୁଣ୍ହାଁ) ଜନଜାତିର ବାହାଘର ହୁଏ। ସେତେବେଳେ ବୃଦ୍ଧା, ବୃଦ୍ଧଙ୍କୁ ମଧ୍ୟ ଆନନ୍ଦ ଲାଗେ, ସେଥିପାଇଁ ଯେତେ ଅଭାବରେ ଥିଲେ ମଧ୍ୟ ଯୋଗାଡ଼ କରି ବାହାଘର କରନ୍ତି। ସୁନ୍ଦର ପ୍ରକୃତିର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି ଲୋକଗୀତ ସୃଷ୍ଟି ହୋଇଥାଏ ଏହି କିସାନ ବା କୁଣ୍ହାଁ ଜନଜାତିର। ଏମାନେ ନିଜ ଭାଷା ଓ ସଂସ୍କୃତିକୁ ବହୁତ ସମ୍ମାନ ଓ ଗୁରୁତ୍ୱ ଦିଅନ୍ତି।
ତେଣୁ କହନ୍ତି – ‘ଜାତିଗେ ଜିଆଦ୍ ଯେ ଭାଷା-ସଂସ୍କୃତି ଆଦ୍ଗେ ହୃଦୟ ମାଂଚା।’
ଅର୍ଥାତ୍: ଜନଜାତିର ଜୀବନ ତାର ଭାଷା ହେଲେ, ସଂସ୍କୃତି ତାର ହୃଦୟ।
ଏହି ଜନଜାତିର ପୂଜା ପଦ୍ଧତି ମଧ୍ୟ ଖୁବ୍ ନିଆରା। ପ୍ରକୃତିର ଉପାସକ ଏମାନେ। ପ୍ରକୃତି ହିଁ ସବୁକିଛି ତାଙ୍କପାଇଁ। ସୂର୍ଯ୍ୟ ଦେବତା ହେଉଛନ୍ତି ତାଙ୍କ କୁଳ ଦେବତା। ଏହା ବ୍ୟତୀତ ବୃକ୍ଷ, ନଦୀ, ପଥର, ପାହାଡ଼ ଆଦିଙ୍କୁ ପୂଜା ଅର୍ଚ୍ଚନା କରନ୍ତି। ପୂଜା ପଦ୍ଧତିରେ ଅଧିକାଂଶ ପ୍ରାକୃତିକ ପୂଜା ସାମଗ୍ରୀ ବ୍ୟବହାର କରାଯାଏ ଯଥା:- ଚାଉଳ, ଝୁଣା, ଫୁଲ, କାଠ-ସଂଯୋଗ ଅଗ୍ନି ଇତ୍ୟାଦି।
କିନ୍ତୁ ପରିସ୍ଥିତି ଓ ପରିବେଶର ପ୍ରଭାବରେ କେତେକ ଓଡ଼ିଆ, ଇଂରାଜୀ ଆଦି ଶବ୍ଦ ଏହି କିସାନ (କୁଣ୍ହାଁ) ସାହିତ୍ୟରେ ପ୍ରବେଶ କରି ଯାଇଛି। ଯାହା ଫଳରେ ସେହି କିସାନ ମୂଳ ଶବ୍ଦର ବ୍ୟବହାର ଧୀରେ ଧୀରେ ହ୍ରାସ ପାଇ ଶେଷରେ ଲୁପ୍ତ ହୋଇଯାଇଛି। ସାଂପ୍ରତିକ ପରିସ୍ଥିତିରେ ଏହି କୁଣ୍ହାଁ ଭାଷା ବିଲୟ ଅଭିମୁଖୀ। କାରଣ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବସବାସ କରୁଥିବା ଏହି ଜନଜାତିର ଅଧିକାଂଶ ଲୋକ ନିଜ କିସାନ (କୁଣ୍ହାଁ) ଭାଷା କହୁନାହାନ୍ତି। ଦ୍ୱିତୀୟତଃ ଏହି ଭାଷାର ଲିପି ନଥିଲା, ୨୦୧୯ ମସିହାରେ ବୈଜ୍ଞାନିକ ଭାତୃଦ୍ୱୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର କିସାନ ଓ ଶ୍ରୀଯୁକ୍ତ ଡ଼ିଲେଶ୍ୱର କିସାନଙ୍କ ଦ୍ୱାରା ଉଦ୍ଭାବିତ କିସାନ (କୁଣ୍ହାଁ) ଅକ୍ଷର ‘ରାମ୍ଦିଲ୍’ ଏ ପର୍ଯ୍ୟନ୍ତ ରୂପାନ୍ତରଣ ଏବଂ କାର୍ଯ୍ୟାନ୍ୱୟନ ପାଇଁ ପ୍ରତୀକ୍ଷାରତ।
ଏଣୁ ଏହି ଜନଜାତିର ବିଜ୍ଞ ବ୍ୟକ୍ତିମାନେ ଏହି ଲୁପ୍ତ ପ୍ରାୟ ଭାଷା ପ୍ରତି ସଜାଗ ହେବା ବିଧେୟ ଏବଂ ସମଗ୍ର କିସାନ (କୁଣ୍ହାଁ) ଜନଜାତି ଏହି ଭାଷାର ସୁରକ୍ଷା ପାଇଁ ତତ୍ପର ହେବା ଅନିର୍ବାର୍ଯ୍ୟ।
- ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଜୁନ୍, ୨୦୨୨ ସଂଖ୍ୟାରେ ପ୍ରକାଶିତ।
So much to learn. Excellent writeup. Sir thank you so much.