ପଞ୍ଚସଖା ସାହିତ୍ୟରେ ଜଗନ୍ନାଥ ତତ୍ତ୍ୱ

  • ଓଡ଼ିଶାର ପଞ୍ଚସଖା କବିମାନେ ଜଗନ୍ନାଥଙ୍କୁ ଶୂନ୍ୟମୟ ଓ ପୁରୁଷୋତ୍ତମ ତଥା ବହୁ ବିଭିନ୍ନତାର ସମନ୍ୱୟ ଭାବରେ ଚିତ୍ରଣ କରିଛନ୍ତି।

ଡ. ରମାକାନ୍ତ ନାୟକ

ଗଜପତି ପ୍ରତାପରୁଦ୍ରଙ୍କ ରାଜତ୍ୱକାଳରେ ଓଡ଼ିଶାର ରାଜନୈତିକ ଆକାଶକୁ ଦୁର୍ଦ୍ଦିନର କଳା ବାଦଲ ଘୋଟି ଆସିଥିଲା। ଏହାପରେ ସାମନ୍ତ ରାଜାମାନଙ୍କ ମଧ୍ୟରେ କ୍ଷମତା ହାସଲ ପାଇଁ ତୁମୂଳ ସଂଘର୍ଷ, ମୁସଲମାନମାନଙ୍କ ଅବାରିତ ବର୍ବରୋଚିତ ଆକ୍ରମଣର ଲୋମହର୍ଷଣକାରୀ ଆତଙ୍କ, ତୀବ୍ର ରାଜନୈତିକ ସଙ୍କଟ, ମରହଟ୍ଟା ଓ ଇଂରେଜମାନଙ୍କର ଓଡ଼ିଶାକୁ କାମଧେନୁ ସଦୃଶ ନିର୍ଦ୍ଦୟ ଶୋଷଣ ସହିତ ବାତ୍ୟା, ବନ୍ୟା ଓ ଦୁର୍ଭିକ୍ଷର କରାଳ ବିଭୀଷିକା ଓଡ଼ିଶାର ଜାତୀୟ ଅସ୍ମିତାକୁ ବିଧ୍ୱସ୍ତ କରିଦେଇଥିଲା। ଓଡ଼ିଶାର ଏପରି ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅବକ୍ଷୟ ତଥା ବିପର୍ଯ୍ୟୟ ମଧ୍ୟରେ ଭାରସାମ୍ୟ ହରାଇ ବସିଥିବା ଏହି ଗୌରବମୟ ଜାତିକୁ ଏକତା ଓ ଭ୍ରାତୃତ୍ୱର ସୂତ୍ରରେ ଆବଦ୍ଧ କରିରଖିବାରେ ସକ୍ଷମ ହୋଇଥିଲେ ଓଡ଼ିଆ ଜାତିର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥ ଓ ଇଷ୍ଟକବି ଜଗନ୍ନାଥ ଦାସଙ୍କ ସମେତ ପଞ୍ଚସଖା ଭକ୍ତ ପ୍ରବର କବିଗଣ। ଉତ୍କଳୀୟ ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ବିପ୍ଳବର ସୂତ୍ରପାତ କରି ବୈଷ୍ଣବଧର୍ମକୁ ଓଡ଼ିଶାର ଜାତୀୟଧର୍ମ ଓ ଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବରେ ପ୍ରତିଷ୍ଠିତ କରିବାରେ ଏମାନଙ୍କର ମହାର୍ଘ ଅବଦାନ ଓଡ଼ିଶାର ସାରସ୍ୱତ ଇତିହାସରେ ଚିରଦିନ ଅବିସ୍ମରଣୀୟ ହୋଇରହିବ। ଅବିଶ୍ରାନ୍ତ ଲେଖନୀ ଚାଳନାକରି ଓଡ଼ିଶାର ଗଣଜୀବନରେ ପଞ୍ଚସଖା ଯେପରି ନୂତନ ପ୍ରାଣସ୍ପନ୍ଦନ ଓ ଉନ୍ମାଦନା ସଞ୍ଚାରକରି ସମଗ୍ର ଓଡ଼ିଆ ଜାତିକୁ ଗୋଟିଏ ଅଭିନବ ପଞ୍ଚସଖା ଧର୍ମରେ ଦୀକ୍ଷିତ କରାଇବା ସହିତ ଉତ୍କଳୀୟ ଧର୍ମଚେତନାକୁ ଯେପରି ଅଭୂତପୂର୍ବ ଭାବରେ ଅଲୋଡ଼ିତ କରିଛନ୍ତି ସେଥିପାଇଁ ଓଡ଼ିଶା ଭୂଖଣ୍ଡ ଜଗନ୍ନାଥ ଦେଶ ଭାବରେ ବିଶ୍ୱବିଶ୍ରୁତ ହୋଇପାରିଛି।

ଶ୍ରୀ ଚୈତନ୍ୟଙ୍କ ପ୍ରଭାବ
ପଞ୍ଚସଖା ଭାବରେ ପରିଗଣିତ କବି ତଥା ସାଧକ ବଳରାମ, ଜଗନ୍ନାଥ, ଅଚ୍ୟୁତ, ଅନନ୍ତ ଓ ଯଶୋବନ୍ତ ଶ୍ରୀଚୈତନ୍ୟଙ୍କର ସମକାଳୀନ ଏବଂ ପରିକର ରୂପେ ଅଭିହିତ ହୁଅନ୍ତି ବୋଲି ଅଚ୍ୟୁତାନନ୍ଦଙ୍କ ‘ଶୂନ୍ୟ ସଂହିତା’ ଓ ଯଶୋବନ୍ତଙ୍କ ‘ଚୌରାଶୀ ଆଜ୍ଞା’ରୁ ଏହା ପ୍ରମାଣିତ ହୁଏ। ଅଚ୍ୟୁତାନନ୍ଦ ଦାସ ତାଙ୍କ ରଚିତ ‘ଉଦୟ କାହାଣୀ’ ବା ‘ବର୍ଣ୍ଣଟୀକା’ ରେ କହନ୍ତି;
“ଭେକରେ ବ୍ରାହ୍ମଣ ଜାତି ଆମ୍ଭର, ପାଦପଦ୍ମ ସେବି ଦାସଟି ସାର।
ଦ୍ୱିଜ ସୂର୍ଯ୍ୟ ଆଦି କ୍ଷତ୍ରିୟ ହେଲୁ, କରଣ ଶୂଦ୍ର କୁଳ ଉଦ୍ଧାରିଲୁ।
ଆମ୍ଭେ ପଞ୍ଚସଖା ପଞ୍ଚକୁଳରେ, ଜନମ ହୋଇଲୁ କୃଷ୍ଣ ଆଜ୍ଞାରେ।”
ଏହି ପଞ୍ଚମହାତ୍ମାଙ୍କ ମଧ୍ୟରେ କେତେକ ଆଦର୍ଶଗତ ଭିନ୍ନତା ଥିବା ସତ୍ତ୍ୱେ, ସେମାନେ ନିଜକୁ ଶ୍ରୀଚୈତନ୍ୟଙ୍କ କଳ୍ପବୃକ୍ଷର ପାଞ୍ଚଶାଖା ରୂପେ ବିବେଚନା କରୁଥିଲେ। ଏମାନେ ପୁରାଣଶାସ୍ତ୍ର ଉପରେ ଆଧାରିତ ଗୀତା, ସଂହିତା, ମାହାତ୍ମ୍ୟ, ମାଳିକା, ପଟଳ, ଓଗାଳ, ସ୍ତୁତି, ଜଣାଣ, ଚଉତିଶା, ଟୀକା ଇତ୍ୟାଦି ରଚନାକରି ଓଡ଼ିଆ ଭାଷା, ସାହିତ୍ୟ, ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ଏକ କ୍ରାନ୍ତିକାରୀ ଯୁଗର ଉନ୍ମୋଚନ କରିଥିଲେ।

ଷୋଡ଼ଶ ଶତାବ୍ଦୀର ଆଦ୍ୟ ସୋପାନରେ ପଞ୍ଚସଖାଙ୍କର ଆବିର୍ଭାବ ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ଅଧ୍ୟାୟର ଉନ୍ମେଷ କଲା। ଗଜପତି ପ୍ରତାପରୁଦ୍ରଦେବଙ୍କ ବଳିଷ୍ଠ ପୃଷ୍ଠପୋଷକତା ଯୋଗୁଁ ଓଡ଼ିଆ ସାହିତ୍ୟ ଓ ଧର୍ମଭାବନା ପାରମ୍ପରିକ ରୀତିରୁ ମୁକ୍ତ ହୋଇ ଏହି ଯୁଗ ସନ୍ଧିରେ ନିଜର ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟିକଲା। ଗଙ୍ଗ ଅଧୀଶ୍ୱର ଚୋଡ଼ଗଙ୍ଗଦେବଙ୍କ କାଳରୁ ଜଗନ୍ନାଥଙ୍କୁ କେନ୍ଦ୍ରକରି ବିକଶିତ ହୋଇଥିବା ଉତ୍କଳୀୟ ବୈଷ୍ଣବ ଧର୍ମର ମତବାଦ ମଧ୍ୟରେ ଜ୍ଞାନମିଶ୍ରା ଭକ୍ତିଧର୍ମ ଓ ଶୁଦ୍ଧାନୁରାଗ ପ୍ରେମଧର୍ମର ଅଙ୍କୁରୋଦ୍‌ଗମ ଘଟିଥିଲା। ପଞ୍ଚସଖାଗଣ ଏହି ମତବାଦକୁ ସ୍ୱୀୟ ବିଚାରଧାରା ଓ ଦାର୍ଶନିକ ଚିନ୍ତନରେ ପରିପୁଷ୍ଟ କରିବାପୂର୍ବକ ମାର୍ଜିତ ରୂପ ପ୍ରଦାନ କରି ସେମାନଙ୍କ ବାଙ୍‌ମୟ କୀର୍ତ୍ତିଭଣ୍ଡାର ମାଧ୍ୟମରେ ଏହାକୁ ଏକ ବିଶାଳକାୟ ମହାଦ୍ରୁମରେ ପରିଣତ କରିଦେଲେ।
ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ଓଡ଼ିଶାରେ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କ ଧର୍ମପ୍ରଚାର ଏବଂ ଏହାପରେ ବଜ୍ରଯାନ ଓ ସହଜଯାନର ପ୍ରସାର ସହିତ ‘ଶୂନ୍ୟବାଦ’ ଓଡ଼ିଆ ସାହିତ୍ୟରେ ସଂଶ୍ଳିଷ୍ଟ ହୋଇଥିଲା। ପରବର୍ତ୍ତୀ କାଳରେ ପଞ୍ଚସଖାଗଣ ଏହି ତତ୍ତ୍ୱ ପ୍ରବର୍ଦ୍ଧିତ କରିଥିଲେ। ଶୂନ୍ୟରେ ଗୁଣର ଆରୋପକରି ବ୍ରହ୍ମଙ୍କୁ ସ୍ୱୀକାର କରିବା ସହ ସେଥିରେ ଜଗନ୍ନାଥଙ୍କର ସ୍ୱରୂପକୁ ସେମାନେ ପ୍ରତିପାଦିତ କରିଥିଲେ। ଯଶୋବନ୍ତ ଦାସଙ୍କ ‘ବ୍ରହ୍ମଗୀତା’ ଓ ‘ଶୂନ୍ୟ ସଂହିତା’ ଏବଂ ଜଗନ୍ନାଥ ଦାସଙ୍କ ‘ତୁଳାଭିଣା’ରୁ ଏହାର ପ୍ରମାଣ ମିଳେ। ଶିଶୁ ଅନନ୍ତ ତାଙ୍କ ‘ହେତୁ ଉଦୟ ଭାଗବତରେ’ ଲେଖିଛନ୍ତି,
“ପରମ ପୁରୁଷ ଦେଉଳ। ନୀଳଚକ୍ର ଯେ ଶୂନ୍ୟଠୁଳ।
ନେତ ଯେ ବ୍ରହ୍ମା ବିଷ୍ଣୁ ହର। ଉଡୁଣ ଅଛି ଫର ଫର।
ଦେଉଳେ ବ୍ରହ୍ମାଣ୍ଡ ଗୋସାଇଁ। ବୁଦ୍ଧ ସ୍ୱରୂପେ ବିହରଇ।
ମାୟାକୁ ଦିଶଇ ସ୍ୱରୂପ। ସକଳ ରୂପ ଯହିଁ ଗୋପ୍ୟ।
ଅଲେଖ ଅରୂପ ଅଚ୍ୟୁତ। ଅକ୍ଷର କ୍ଷର ସର୍ବଜାତ।
ଏମନ୍ତ ନୀଳାଦ୍ରି ମହିମା। ଦେବାକୁ ନାହିଁ ତା’ ଉପମା।”
ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱକୁ ଓଡ଼ିଶାର ପଞ୍ଚସଖା କବିମାନେ ଗ୍ରହଣକରି ଶ୍ରୀ ଜଗନ୍ନାଥଙ୍କ ଦାରୁପିଣ୍ଡ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡର ପରିକଳ୍ପନା କରିଛନ୍ତି। ଜଗନ୍ନାଥଙ୍କୁ ଶୂନ୍ୟମୟ ଓ ପୁରୁଷୋତ୍ତମ ତଥା ବହୁ ବିଭିନ୍ନତାର ସମନ୍ୱୟ ଭାବରେ ଚିତ୍ରଣ କରିଛନ୍ତି। ଶୂନ୍ୟପୁରୁଷ ଜଗନ୍ନାଥ ସର୍ବଘଟରେ ବିରାଜମାନ କରନ୍ତି। କବି ଅଚ୍ୟୁତାନନ୍ଦ ତାଙ୍କ ‘ଶୂନ୍ୟ ସଂହିତା’ରେ ବର୍ଣ୍ଣନା କରିଛନ୍ତି,
“ଉର୍ଦ୍ଧ୍ବେ କରଯୋଡ଼ି କର ତୁ ଲୟେ। ଉର୍ଦ୍ଧ୍ୱ ମୁଖ କରି କରତୁ ଲୟେ।
ଉର୍ଦ୍ଧ୍ୱମୁଖ କରି ଚିତାକୁ ଧ୍ୟାୟି। ତ୍ରିକୁଟ ସନ୍ଧି ଅଲେଖକୁ ଚାହିଁ।
ନିରାକାର ମନ୍ତ୍ର କଣ୍ଠ ଚକ୍ରରେ। ବୋଲିବାକୁ ସ୍ୱର ଅର୍ଦ୍ଧ ମୁଖରେ।
ଦ୍ୱାତ୍ରିଂଶ ଅକ୍ଷର ଉଚ୍ଚାର କର। ନୟନ ନଚଳୁ ଚିତା ଚକ୍ରର।”

ଉତ୍କଳୀୟ ଧର୍ମ ଚେତନା
ଉତ୍କଳୀୟ ଧର୍ମ ଚେତନାରେ ଶ୍ରୀକ୍ଷେତ୍ର ବିହାରୀ ଶ୍ରୀଜଗନ୍ନାଥ ଷୋଳକଳାରେ ପରିପୂର୍ଣ୍ଣ ଅବତାରୀ ଭାବରେ ଅଧିଷ୍ଠିତ ହୋଇଛନ୍ତି। ତେଣୁ ପୁରୁଷୋତ୍ତମ କ୍ଷେତ୍ର ହେଉଛି ନିତ୍ୟ କ୍ଷେତ୍ର ଏବଂ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରର ଏହା ଉତ୍ପତ୍ତିସ୍ଥଳ। ଯୋଗବଳରେ ଷଟଚକ୍ର ଭେଦକରି ପରଂବ୍ରହ୍ମଙ୍କୁ ଉପଲବ୍ôଧ କରିବାର ଉପାୟ ଏବଂ ନାମସଂକୀର୍ତ୍ତନ ଓ ଯୋଗମୂଳକ ଧ୍ୟାନ ସମାଧିର ଆବଶ୍ୟକତା ପଞ୍ଚସଖା ସାଧକଗଣ ସେମାନଙ୍କ ରଚନାରେ ବିସ୍ତାରିତ ଭାବରେ ବ୍ୟକ୍ତ କରିଛନ୍ତି। ଅଚ୍ୟୁତାନନ୍ଦ ତାଙ୍କ ‘ଶୂନ୍ୟ ସଂହିତା’ରେ ଜଗନ୍ନାଥଙ୍କୁ ଶୂନ୍ୟ ପୁରୁଷ ଏବଂ ବ୍ରହ୍ମସ୍ୱରୂପ ଅବତାରୀ ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ଭାଷାରେ, “ଅବତାର ଯେତେ ୟେହି ଜଗନ୍ନାଥ ଅଙ୍ଗରୁ କ୍ଷରି ମିଶନ୍ତି।
ନୀଳା ନିମନ୍ତେ ସେ ନୀଳାଦ୍ରି ନାୟେକେ ନିର୍ବିକାରେ ବସିଛନ୍ତି।”
ପୁନଶ୍ଚ “ଅବତାର ଦଶ, ଏହି ଦାରୁ ରୂପ, ଏହି ଦାରୁରେ ସେ ଲୀନ।
ଈଶ୍ୱର ସାକ୍ଷାତେ ପ୍ରକାଶ ନିମନ୍ତେ, ବିଜେ ରତ୍ନ ସିଂହାସନ।”
ତାଙ୍କ ରଚିତ ‘ହରିବଂଶ’ରେ ଲେଖିଛନ୍ତି,
“ଜୟ ନୀଳାଚଳ ନାଥ ନୀଳାଦ୍ରି ବିହାରୀ, ଅବିକାର ବ୍ରହ୍ମ ତୁମ୍ଭେ ପ୍ରାଣ ଅଧିକାରୀ।
ଯୋଗୀଜନ ମାନସରେ ଅଟ ଆଦିମୂଳ, ତୁମ୍ଭ ରୂପ ରେଖ ବର୍ଣ୍ଣ ନାହିଁ ଶୂନ୍ୟଠୁଳ।”
ଶ୍ରୀ ଜଗନ୍ନାଥ ପ୍ରଣବ-ବ୍ରହ୍ମ, ଏକାକ୍ଷର ବ୍ରହ୍ମ ନିରଞ୍ଜନ ଓ ଜ୍ୟୋତିବ୍ରହ୍ମ ଅଟନ୍ତି। ଅଚ୍ୟୁତାନନ୍ଦ ଏହି ପ୍ରସଙ୍ଗରେ ‘ଆକାର ବ୍ରହ୍ମଯନ୍ତ୍ର’ ଗ୍ରନ୍ଥରେ ଲେଖିଛନ୍ତି, “ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯେ ସୁଦର୍ଶନ ରୂପ ଚାରି।
ଚତୁର୍ଦ୍ଧାମୂର୍ତ୍ତି ଯେ ଏକ ଆତ୍ମା ଭିନ୍ନ ଭିନ୍ନରେ ସେ ରୂପ ଧରି।
ସିଂହାସନ ଘେନି ପଞ୍ଚଆତ୍ମା ସେହୁ ଭିନ୍ନ ଭିନ୍ନ ପଞ୍ଚ ନାମ।
ପଞ୍ଚ ଆତ୍ମା ପଞ୍ଚ ରୂପରେ ବିଜୟ ନିଳାଚଳେ ଦାରୁବ୍ରହ୍ମ।”
ଯଶୋବନ୍ତ ଦାସ ତାଙ୍କ ପ୍ରଣିତ ‘ଶିବ ସ୍ୱରୋଦୟ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି,
“ଜୟ ଜୟ ଜଗନ୍ନାଥ ଜଗତ ଧାରଣ। ଜୟ ବଳଭଦ୍ର ଭଦ୍ରା ଜୟ ସୁଦର୍ଶନ।
କୋଟି କୋଟି ପତିତପାବନ ଦେବ ହରି। ତ୍ରିଭୂବନରେ ନାଥ ନୀଳାଦ୍ରି ବିହାରୀ।”

ଜଗନ୍ନାଥ ଆରାଧନା
ଓଡ଼ିଶୀ ବୈଷ୍ଣବଧର୍ମର ପ୍ରଧାନ ବୈଶିଷ୍ଟ୍ୟ ହେଉଛି ଜଗନ୍ନାଥ ଆରାଧନା। ସଭ୍ୟତାର ଉଷାକାଳରୁ ପୁରୁଷୋତ୍ତମ କ୍ଷେତ୍ରକୁ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଯଶସ୍ୱୀ ଧର୍ମପ୍ରଚାରକ ମହାମନୀଷୀଗଣ ଆସି ସେମାନଙ୍କର ମତବାଦର ପ୍ରଚାର ପାଇଁ ଏହି କ୍ଷେତ୍ରକୁ ପ୍ରକୃଷ୍ଟତମ ପୀଠ ଭାବରେ ବିବେଚନା କରି ଆଗମନ କରିଛନ୍ତି। ଶଙ୍କରାଚାର୍ଯ୍ୟ, ରାମାନୁଜ, ଜୟଦେବ, ମାଧବାଚାର୍ଯ୍ୟ, ନରସିଂହ ମୁନି, ନରସିଂହ ତୀର୍ଥ, ନରସିଂହ ଭାରତୀ, ବାସୁଦେବ ଭାରତୀ, ରାଘବ, ବିଷ୍ଣୁସ୍ୱାମୀ ପ୍ରମୁଖ ସମୟାନୁକ୍ରମେ ନିଜର ମତବାଦ ଅନୁସାରେ ଜଗନ୍ନାଥ ମନ୍ଦିରରେ ସେମାନଙ୍କର ପୂଜାପଦ୍ଧତି ପ୍ରବର୍ତ୍ତନ କରିବାକୁ ପ୍ରୟାସ କରିଛନ୍ତି ଏବଂ କେତେକାଂଶରେ ମଧ୍ୟ ସଫଳ ହୋଇଛନ୍ତି। ଏହାର ପରିଣାମରେ ଜଗନ୍ନାଥ ଧର୍ମ ସର୍ବଧର୍ମର ସମନ୍ୱୟ ରୂପେ ଆବିର୍ଭାବ ହୋଇଛି।
ଓଡ଼ିଆ ସାହିତ୍ୟର ଇତିହାସ (ମଧ୍ୟପର୍ବ)ରେ ସୁରେନ୍ଦ୍ର ମହାନ୍ତି ଉଲ୍ଲେଖ କରିଛନ୍ତି, “ସମଗ୍ର ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ତଥା ଆଧ୍ୟାତ୍ମିକ ଭାବନାକୁ ଜଗନ୍ନାଥ ହିଁ ସର୍ବତୋଭାବେ ସମାଚ୍ଛନ୍ନ କରି ରଖିଥିଲେ। ଚୈତନ୍ୟଙ୍କ ପରଠାରୁ ସେହି ଜଗନ୍ନାଥ ଅବଶ୍ୟ କୃଷ୍ଣାଭିମୁଖୀ ହୋଇ କ୍ରମେ ମହାବୈଷ୍ଣବରେ ପରିଣତ ହୋଇଥିଲେ। ମାତ୍ର ଚୈତନ୍ୟଙ୍କ ପୂର୍ବରୁ ସେ ଥିଲେ ମହାବୌଦ୍ଧ। ତାଙ୍କ ଆରାଧନା ପଦ୍ଧତି ଥିଲା ଜ୍ଞାନମିଶ୍ରା ଭକ୍ତି ମାର୍ଗ ଅଥବା ଯୋଗଭିତ୍ତିକ ସାଧନା।” ବାସ୍ତବରେ ଓଡ଼ିଶାରେ ରାଧାକୃଷ୍ଣ ଭକ୍ତିର ପ୍ରବାହ ବଳିଷ୍ଠ ହୋଇଥିଲା ଶ୍ରୀ ଚୈତନ୍ୟଙ୍କ ପ୍ରଚାର ଓ ଗଜପତି ପ୍ରତାପରୁଦ୍ରଙ୍କ ସଭକ୍ତି ପୃଷ୍ଠପୋଷକତା ଯୋଗୁଁ। ଏହି ମତବାଦ ଅଧିକ ପରିପୁଷ୍ଟ ହୋଇଥିଲା ପଞ୍ଚସଖାଙ୍କ ରଚିତ ସାହିତ୍ୟ ମାଧ୍ୟମରେ। ସ୍ୱୟଂ ଜଗନ୍ନାଥ ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବରେ ଓଡ଼ିଶାର କବି ଦାର୍ଶନିକମାନଙ୍କ ରଚନାବଳୀରେ ବିମ୍ବିତ ହୋଇ ଜନସାଧାରଣଙ୍କର ହୃଦୟକୁ ଗଭୀରଭାବରେ ସ୍ପର୍ଶ କରିଥିଲେ। ଏଥିଯୋଗୁଁ ରାଧାକୃଷ୍ଣ ପ୍ରେମ-ପନ୍ଥୀଙ୍କ ନିମନ୍ତେ ଜଗନ୍ନାଥ କ୍ଷେତ୍ରର ଗୌରବ ଓ ମହିମା ସୁଦୂରପ୍ରସାରୀ ହୋଇ ପାରିଥିଲା।

ଶ୍ରୀକ୍ଷେତ୍ରର ଶ୍ରେଷ୍ଠତ୍ୱ
ପଞ୍ଚସଖାଙ୍କ ଦୃଷ୍ଟିରେ ଜଗନ୍ନାଥ ହେଉଛନ୍ତି ମହାବିଷ୍ଣୁ। ତେଣୁ ଜଗନ୍ନାଥକ୍ଷେତ୍ରକୁ ନିତ୍ୟ ରାସସ୍ଥଳୀ ରୂପେ ଗ୍ରହଣ କରିବା ସହିତ ଶ୍ରୀକ୍ଷେତ୍ରକୁ ସକଳ ତୀର୍ଥମାନଙ୍କ ମଧ୍ୟରେ ଶ୍ରେଷ୍ଠ କ୍ଷେତ୍ର ହିସାବରେ ବର୍ଣ୍ଣନା କରିଛନ୍ତି। କବି ଯଶୋବନ୍ତ ଦାସ ତାଙ୍କ ‘ପ୍ରେମ ଭକ୍ତି ଗୀତା’ରେ ଉଲ୍ଲେଖ କରିଛନ୍ତି,
“କହିଲୁ ସେ ପୁରୁଷୋତ୍ତମ। ନିତ୍ୟ ରାହାସ ଅନୁପମ।
ଦେଖ ୟେ ନିତ୍ୟ ନୀଳାଚଳ। ସକଳ ତୀର୍ଥଙ୍କର ଆଳ।
ଗୋପ ମଧୁରା ବୃନ୍ଦାବନ। ଦ୍ୱାରିକା ଆଦି ଯେତେ ସ୍ଥାନ।
ସକଳ ୟେହି ସ୍ଥାନ ପାଇ। ଆବର କାଶୀ ମଧ୍ୟ ହୋଇ।
କୋଟିଏ ତୀର୍ଥ ଏ କ୍ଷେତ୍ରରେ। ମହିମା କହିଲେ ନସରେ।”

ପୁନଶ୍ଚ ଭକ୍ତକବି ଜଗନ୍ନାଥ ଦାସ ତାଙ୍କ “କ୍ଷେତ୍ରବର ଚଉତିଶା”ରେ ଶ୍ରୀକ୍ଷେତ୍ରର ମହତ୍ତ୍ୱ ପ୍ରକାଶ କରିବାକୁ ଯାଇ ଏହାକୁ କ୍ଷେତ୍ରଶ୍ରେଷ୍ଠ ଏବଂ ବୃନ୍ଦାବନ ସହିତ ତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି,
“ଜଗନ୍ନାଥ ବିନୁ ଆନ ନଜାଣଇ ମୁହିଁ, କ୍ଷେତ୍ରବରକୁ ଗୋକୁଳ ବୋଲି ବିଚାରଇ।
ପଞ୍ଚ ତୀର୍ଥ ପଞ୍ଚଧାରା ରାଧାଶ୍ୟାମ କୁଣ୍ଡ। ନୀଳ
ଶଇଳ ଅଟଇ ଗୋବର୍ଦ୍ଧନଖଣ୍ଡ।”
ପଞ୍ଚସଖା ଅନ୍ତର୍ଗତ ଅନ୍ୟତମ କବି ଅଚ୍ୟୁତାନନ୍ଦ ତାଙ୍କ ରଚିତ “ଶୂନ୍ୟ ସଂହିତା”ରେ ମହାମନ୍ତ୍ରର ଅର୍ଥ ପ୍ରକାଶ କରି ଲେଖିଛନ୍ତି,
“ହରେ ରାମ ଅଷ୍ଟ ନାମ, କୃଷ୍ଣ ନାମ ଚାରି।
ରାମନାମ ଚାରିଗୋଟି ଷୋଳନାମ ହରି।”
ଏହି ମହାମନ୍ତ୍ରରେ ଯିଏ କୃଷ୍ଣ ସିଏ ହିଁ ଜଗନ୍ନାଥ, ତେଣୁ କବି ବର୍ଣ୍ଣନା କରିଛନ୍ତି, “ମହାମନ୍ତ୍ରେ କୃଷ୍ଣ ଯେହୁ ଜଗନ୍ନାଥ ସେହି, ଦ୍ୱିତୀୟ କୃଷ୍ଣଙ୍କୁ କାମ ଦାମ ବୋଲି କହି।” ପୁନର୍ବାର ଅଚ୍ୟୁତାନନ୍ଦ ଏହି ଗ୍ରନ୍ଥରେ ପଞ୍ଚତତ୍ତ୍ୱ ବା ପଞ୍ଚବୀଜ ମଧ୍ୟରୁ କ୍ଲୀଁ ବୀଜରୁ ହିଁ କିଶୋର ବୟସର କୃଷ୍ଣ ଜଗନ୍ନାଥ ରୂପେ ଆବିର୍ଭାବ ହେବା ବିଷୟ ଉଲ୍ଲେଖ କରିଛନ୍ତି।
“କିଶୋର ବୟସରେ କୃଷ୍ଣ ଜଗନ୍ନାଥ ସେହି
ଋସାନନ୍ଦ ସ୍ୱରୂପେ ସେ ଆପେ ଭାବଗ୍ରାହୀ।”
ଶ୍ରୀ ଜଗନ୍ନାଥଙ୍କ ଠାରୁ ସୃଷ୍ଟିର ପ୍ରାରମ୍ଭ ହୋଇଛି ବୋଲି ପଞ୍ଚସଖାଗଣ ବିଶ୍ୱାସ କରୁଥିଲେ। ସେମାନେ ଜଗନ୍ନାଥଙ୍କୁ ଅବତାରୀ ଭାବରେ ଗ୍ରହଣ କରି କୃଷ୍ଣଙ୍କୁ ଜଗନ୍ନାଥଙ୍କର ଷୋଳକଳାରୁ ଏକ କଳାରୂପେ ବର୍ଣ୍ଣନା କରୁଥିଲେ।

ଅଭିନବ ଭକ୍ତିମାର୍ଗ
ଭକ୍ତକବି ପଞ୍ଚସଖାମାନେ ଜଗନ୍ନାଥଙ୍କୁ କେନ୍ଦ୍ରକରି ନିତ୍ୟ ଗୋଲକ ଲୀଳାର ପରିକଳ୍ପନା କରି ଏକ ଅଭିନବ ଭକ୍ତିମାର୍ଗ ଓ ଆଧ୍ୟାତ୍ମିକ ଚିନ୍ତନର ପ୍ରବର୍ତ୍ତନ କରିଛନ୍ତି, ଯାହାଥିଲା ଓଡ଼ିଆ ବୈଷ୍ଣବଧର୍ମ ବା ଜଗନ୍ନାଥ ଧର୍ମର ମୂଳଭିତ୍ତି। ‘ଗୁରୁଭକ୍ତି ଗୀତା’ରେ ଅଚ୍ୟୁତାନନ୍ଦ ଲେଖିଛନ୍ତି,
“ଶୁଣ ଆହେ ଗୋପ ସୂତ ଭଗତିର କଥା। ସଗୁଣ ନିର୍ଗୁଣ ଦୁଇ ଯେବଣ ବ୍ୟବସ୍ଥା।
ଦୁଇ ସେ ଡେଣାରେ ପକ୍ଷୀ ଉଡ଼ିକରି ଯାଇ। ଦୁଇ ସେ ଚକ୍ଷୁରେ ସେହି ସଂସାର ଖେଳଇ।
ଏକ ଯେ ନଥିଲେ କଣା, ଦୁଇଗଲେ ଅନ୍ଧ। ଏଣୁ କରି ନିର୍ଗୁଣ ସଗୁଣ ପାଶେ ବନ୍ଧା।”
ପ୍ରେମପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୂପା ଶ୍ରୀରାଧାଙ୍କର ନିତ୍ୟ ରାସକାଳୀନ ଯୁଗବନ୍ଧରୂପେ ହିଁ ରତ୍ନସିଂହାସନାରୂଢ଼ ହୋଇଛନ୍ତି ଶ୍ରୀଜଗନ୍ନାଥ। ‘ଶୂନ୍ୟ ସଂହିତା’ରେ କବି ଅଚ୍ୟୁତାନନ୍ଦ ଉଲ୍ଲେଖ କରିଛନ୍ତି,
“ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ। ବିଜୟ କରି ଅଛନ୍ତି ଚତୁର୍ଦ୍ଧାରୂପରେ।”
କବି ବଳରାମ ଦାସ ‘ବେଦାନ୍ତସାର ଗୁପ୍ତଗୀତା’ରେ ନୀଳଗିରିକୁ ନିତ୍ୟ ଗୋଲକ ଧାମ ସ୍ୱରୂପେ କଳ୍ପନା କରିଛନ୍ତି ଏବଂ ଏଠାରେ ନିରାକାର ଜଗନ୍ନାଥ ନିତ୍ୟ ରାଧା ଓ ନିତ୍ୟକୃଷ୍ଣଙ୍କ ଏକାଙ୍ଗ ସ୍ୱରୂପ ବିହାରଲୀଳା କରୁଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି,
“ଏ ନୀଳଗିରି ନିତ୍ୟ ସମ। ତେଣୁ ଶ୍ରୀକୃଷ୍ଣ ନିତ୍ୟଧାମ।
ଏ ନୀଳଗିରି ନିତ୍ୟ ଦୁଇ। ଅଭିନ୍ନ ଅଭେଦ ଅଟଇ।
ଗୋପ ମଧୁରା ଦ୍ୱାରାବତୀ। ଶ୍ରୀକୃଷ୍ଣ ଅଯୋଧ୍ୟାର ପତି।
ଏମାନେ ନିତ୍ୟସ୍ଥଳୁ ଜାତ। ଅଭିନ୍ନ ନକର ହୋ ପାର୍ଥ।
ସେହି ରୂପରେ ନିରାକାର। ଶ୍ରୀ ନୀଳଗିରିରେ ବିହାର।”
ଜଗତକୁ ଉଦ୍ଧାର କରିବା ନିମନ୍ତେ ସେ ହୋଇଛନ୍ତି ଦାଶରଥି ଏବଂ ଦେବକୀ ନନ୍ଦନ ତଥା ବୈାଦ୍ଧ, କଳକୀ ଆଦି ଦଶ ଅବତାରୀ। ତାଙ୍କ ରଚିତ ମହାକାବ୍ୟ ‘ରାମାୟଣ’ରେ ଏହି ବିଷୟ ବର୍ଣ୍ଣନା କରି କହନ୍ତି,
“ବନ୍ଦଇ ଶ୍ରୀଜଗନ୍ନାଥ କମଳାର ପତି, ସର୍ବଦେବ ନିସ୍ତାରୀ ପ୍ରସନ୍ନ ମୂରତି।
ମତ୍ସ୍ୟ କୂର୍ମ ବରାହ ନୃକେଶରୀ, ବାମନ,
ଶ୍ରୀରାମ ରୂପୀ ଯେ ତୁ ରେ ଦେବକୀ ନନ୍ଦନ।
ବଉଦ କଳକି ଯେ ହୋଇଲୁ ଦେବ ହରି,
ଦଶ ଅବତାର ତୁହି ଦଇତ ସଂହାରୀ।”
ଜଗନ୍ନାଥ ଦାସଙ୍କ ଭାଷାରେ,
“ଶୁଣ ହେ ସୁଜନ ଜନେ, ଶ୍ରୀକୃଷ୍ଣ ଲୀଳା ଆଖ୍ୟାନେ ନିତ୍ୟସ୍ଥାନେ ନିତ୍ୟ ଖେଡ଼ ଖେଡ଼ନ୍ତି ହରି,
କୋଟିବ୍ରହ୍ମ ନଜାଣନ୍ତି ଅନନ୍ତ ଶେଷ ମୂୂରତି ହେ ପ୍ରଭୁ ବିଜେ ଏ ନିତ୍ୟ ନୀଳଗିରି।”

ଜଗନ୍ନାଥଙ୍କର ନାମ ସ୍ମରଣ
ପଞ୍ଚସଖା ସାଧକଗଣ ପ୍ରତି ନିୟତ ଜଗନ୍ନାଥଙ୍କର ନାମ ସ୍ମରଣ କରିବା ସହିତ ନିଜର ଶରୀରକୁ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଭାବରେ ବିବେଚନା କରନ୍ତି। ଏ ସମ୍ବନ୍ଧରେ ପ୍ରମାଣ ମିଳେ ବଳରାମ ଦାସକୃତ “ବିରାଟ ଗୀତା”ରେ। ସେଥିରେ ଉଲ୍ଲେଖ ଅଛି,
“ବଡ଼ ଦେଉଳ ବୋଲି ଯାହା, ନିଶ୍ଚୟ ଏ ତୋହର କାୟା,
ବଡ଼ ଦାଣ୍ଡଟି ମାୟା କହି, ଅର୍ଜୁନ ତୋର ମୁଖସେହି,
ବାଇଶି ପାହାଚଟି ପୁଣ, କଣ୍ଠ ତଳକୁ ହେ ଅର୍ଜୁନ।
ଅଠର ନଳା ଯାହା କହି, ତୋହର ଗଳା ସେ ଅଟଇ।
ଭକ୍ତ ପ୍ରବର ପଞ୍ଚସଖାଗଣ ନିର୍ମଳଭକ୍ତିରେ ଉଦ୍‌ବୁଦ୍ଧ ହୋଇ ନିଜକୁ ଜଗନ୍ନାଥଙ୍କଠାରେ ସମର୍ପଣ କରିଦେଇ ନିଜର ସମସ୍ତ କବି ପ୍ରତିଭା ହିଁ ଯେ ଜଗନ୍ନାଥଙ୍କର କୃପା ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି। ବଳରାମ ଦାସ ‘ଜଗମୋହନ ରାମାୟଣ’ରେ ଜଗନ୍ନାଥଙ୍କ ସ୍ତୁତିଗାନ କରିବା ବେଳେ ପ୍ରକାଶ କରିଛନ୍ତି,
“ଜଗମୋହନ ବୋଲି ସେ ରାମାୟଣ ଗ୍ରନ୍ଥ, ୟେଥର କବି ସେ ନୀଳଗିରି ଜଗନ୍ନାଥ,
ସେ ହରି ମୋହର କର୍ଣ୍ଣେ ବିଜେ କରିଛନ୍ତି, ଆପଣା ଚରିତ ଯେ ଆପେ ବଖାଣନ୍ତି।”
ସେହିପରି ଜଗନ୍ନାଥ ଦାସଙ୍କର ଭକ୍ତପ୍ରାଣରୁ ଉଦ୍‌ଗତ ଭାବକୁ ପ୍ରକାଶ କରିବାକୁ ଯାଇ ଲେଖିଛନ୍ତି,
“ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ ହୋଇଲୁ ଦଶ ଅବତାର,
ନାଶିଲୁ ଅବନୀରୁ ଭାର, ସେହି ପ୍ରକାରେ ମୋର ମନ। ତୋ ପାଦେ ରହୁ ଭଗବାନ।”
ସାହିତ୍ୟରଥୀ ପଞ୍ଚସଖାଗଣ ଯୋଗୀ ହେଲେ ମଧ୍ୟ ସେମାନେ ଥିଲେ ଜଗନ୍ନାଥଙ୍କ ପାଦପଦ୍ମରେ ପୂର୍ଣ୍ଣ ସମର୍ପିତ ପରମଭକ୍ତ। ଭଗବତ ପ୍ରାପ୍ତି ନିମିତ୍ତ ଯୋଗସାଧନ ସଙ୍ଗେ ସଙ୍ଗେ ନବଧା ଭକ୍ତିର ଉପାଦେୟତାକୁ ମଧ୍ୟ ସେମାନେ ଉପଲବ୍ଧ କରିଥିଲେ। ସେମାନେ ଜ୍ଞାନମିଶା ଭକ୍ତିଯୋଗ ଅନୁସରଣ କରି ସିଦ୍ଧସାଧକ ହୋଇଥିବାରୁ ଅନେକ ଅଲୌକିକ କ୍ଷମତାର ଅଧିକାରୀ ଥିଲେ। ସେମାନଙ୍କର ପ୍ରଜ୍ଞାଦୀପ୍ତ ସାରସ୍ୱତ ପ୍ରତିଭା ଓ ଆଧ୍ୟାତ୍ମିକ ଚିନ୍ତନ ସାଧାରଣ ଲୋକଙ୍କର ହୃଦୟକୁ ସ୍ପର୍ଶ କରିବାରେ ସମର୍ଥ ହୋଇଥିଲା। ଏପରିକି ସେମାନଙ୍କର ଅଲୌକିକ କାର୍ଯ୍ୟକଳାପ ପାଇଁ ରାଜଦରବାରରେ ସେମାନଙ୍କୁ ଅନେକ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେମାନଙ୍କର ଛନ୍ଦୋବଦ୍ଧ ସରଳ ସାବଲୀଳ ଭାଷାରେ ରଚିତ ଅଥଚ ଗୁଢ଼ତତ୍ତ୍ୱପୂର୍ଣ୍ଣ ଦର୍ଶନ ଚର୍ଚ୍ଚା ଓଡ଼ିଆ ଜନଜୀବନକୁ ବହୁଳ ଭାବରେ ପ୍ରଭାବିତ କରିଥିଲା। ପଞ୍ଚସଖା ଯୁଗର ଅନ୍ତିମ ଭାଗରେ ବିପ୍ରନାରାୟଣ ଦାସ, ରାୟ ରାମାନନ୍ଦ, ମାଧବୀ ଦାସୀ, ଦିବାକର ଦାସ, କପିଳେଶ୍ୱର ଦାସ, ଶିଶୁ ଶଙ୍କର ଦାସ, ଅର୍ଜୁନ ଦାସ, ଦେବଦୁର୍ଲଭ ଦାସ, କାର୍ତ୍ତିକ ଦାସ ପ୍ରଭୃତି କବିମାନେ ଆବିର୍ଭାବ ହୋଇ ଓଡ଼ିଆ ସାହିତ୍ୟର ଏହିଧାରାକୁ ସମୁଜ୍ୱଳ କରିଛନ୍ତି। ମୁଖ୍ୟତଃ କାବ୍ୟକାର ଭାବରେ ବିଖ୍ୟାତ ଏହି ମନୀଷୀଗଣ ପ୍ରଧାନତଃ ପୌରାଣିକ ଆଖ୍ୟାନମାନ ସୃଷ୍ଟି କରି ଓଡ଼ିଆ କାବ୍ୟ ସାହିତ୍ୟ ଓ ଚେତନାକୁ ନୂତନ ଦିଗ୍‌ଦିଗନ୍ତ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ରୀତି ଯୁଗର ବାର୍ତ୍ତାବାହକ ସୃଜନଶିଳ୍ପୀ ଭାବରେ ଏମାନଙ୍କର ତେଜୋଦୀପ୍ତ ପ୍ରତିଭାରେ ଓଡ଼ିଆ ସାହିତ୍ୟାକାଶ ଉଦ୍ଭାସିତ ହୋଇଛି। ଶ୍ରୀ ଜଗନ୍ନାଥ ଧର୍ମ ଓ ତତ୍ତ୍ୱ ସମ୍ପ୍ରତି କେବଳ ନୀଳାଚଳରେ ସୀମିତ ନରହି ଏହା ବିଶ୍ୱବ୍ୟାପକତା ଲାଭ କରିଛି। ଏହାର ଜନପ୍ରିୟ ପ୍ରସାରଣଶୀଳତା ବିଶ୍ୱ ସଂସ୍କୃତିରେ ଏକ ଗଣଧର୍ମ ସ୍ୱରୂପରେ ପ୍ରତିଭାତ ହୋଇ ସମଗ୍ର ମାନବଜାତିକୁ ବିଶ୍ୱଭ୍ରାତୃତ୍ୱ, ଶାନ୍ତି, ମୈତ୍ରୀ, ପ୍ରେମ ଓ ଶ୍ରଦ୍ଧାରେ ଉଦ୍‌ବୁଦ୍ଧ କରିଛି। ଏଥିନିମିତ୍ତ ପଞ୍ଚସଖାଯୁଗର ଲେଖକ ଓ କବିମାନଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ , ୨୦୨୨ ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *