- ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ଦଖଲ ଦେବାକୁ ପ୍ରଜାମାନେ କିଏ ?
କାଲିଠାରୁ ମହାରାଜାଙ୍କ ମନ ଭଲ ନାହିଁ। ଗୁପ୍ତଚରଙ୍କ ପ୍ରଦତ୍ତ ଖବର ଏହାର କାରଣ। ନିଜ ସମ୍ପର୍କରେ ଜନଭାବନା କେମିତି ରହିଛି, ସେ ଖବର ଜାଣିବା ପାଇଁ ସେ ଏକାଧିକ ଗୁପ୍ତଚରଙ୍କୁ କାମରେ ଲଗାଇଥିଲେ। ଯାହା ତଥ୍ୟ ପ୍ରାପ୍ତ ହୋଇଛି, ତାହା ଚିନ୍ତାଜନକ। କିଛି ଆଗ ଧାଡିର ଉଚ୍ଚ ସ୍ୱରଧାରୀ ନାଗରିକ ତାଙ୍କ ଉପରେ ଲମ୍ପଟତାର ଆରୋପ ଲଗାଉଛନ୍ତି ଯାହା ତରଙ୍ଗ ଭଳି ପ୍ରସାରିତ ହେବାରେ ଲାଗିଛି ରାଜ୍ୟର କୋଣ ଅନୁକୋଣରେ। ସେ କୁଆଡେ ରୂପବତୀ, ଗୁଣବତୀ, ବିବାହ କରିଥିବା ସାତ ରାଣୀ ଥାଉ ଥାଉ ଅନ୍ୟ ଜଣେ ପରମା ସୁନ୍ଦରୀ ନାରୀ ପ୍ରତି ଆସକ୍ତ ହୋଇ ତା ସହ ରାତ୍ରିଯାପନ କରୁଛନ୍ତି। ରାଜ୍ୟର ରାଜା ହୋଇ ଏପରି ଚରିତ୍ରହୀନ ହେଲେ ରାଜ୍ୟ ରହିବ?
ଏଇଟା କ’ଣ ଗୋଟେ କଥା? ରାଜା ସେ। ରାଜ୍ୟଗୋଟାର ଦାୟିତ୍ୱ ତାଙ୍କ ମୁଣ୍ଡରେ। ନିଜର ଭାରି ମସ୍ତିଷ୍କକୁ ଟିକିଏ ହାଲ୍କା କରିବାର ଅଧିକାର ତାଙ୍କର ଅଛି ନା ନାହିଁ? ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ଦଖଲ ଦେବାକୁ ପ୍ରଜାମାନେ କିଏ? ସେମାନଙ୍କର ସମସ୍ୟା ବୁଝିବାରେ ତ ସେ କେବେ କାର୍ପଣ୍ୟ କରି ନାହାନ୍ତି। କିନ୍ତୁ ସାଧାରଣ ପ୍ରଜା ଏ କଥା ବୁଝିଲେ ତ! ସେମାନେ ତ ମେଣ୍ଢା। ଏଇ ମୁଷ୍ଟିମେୟ ଚତୁର, କୁଟିଳ ଅପପ୍ରଚାରକାରୀମାନଙ୍କ କଥାରେ ସେମାନେ ଭାସିଯିବା କିଛି ବିଚିତ୍ର ନୁହେଁ। ସେମିତି ହେଲେ ତାହା ଏକ ଘୁର୍ଣ୍ଣିଝଡ ପାଲଟି ତାଙ୍କୁ ସିଂହାସନରୁ ଉଠାଇ ନେଇ କେଉଁଠି ଫୋପାଡି ଦେଇପାରେ।
ସେଦିନ ରାତିରେ ସେ ପୂର୍ବ ପରି ତାଙ୍କର ସେଇ ପ୍ରିୟ ନାରୀ ଗୃହରେ ପାଦ ଥାପିଲେ ଶେଷ ଅଭିସାର ପାଇଁ। ତାଙ୍କୁ ତାଙ୍କ ସିଂହାସନ ରକ୍ଷା କରିବାକୁ ହେବ। ତେଣୁ ସେ ରାତିଟିକୁ ସେ ଶେଷ ଅଭିସାର ରାତ୍ରି କରିବେ।
ସେ ଲୋଭନୀୟା ନାରୀଙ୍କର ନାମ ଥିଲା ମନ୍ଦାକିନୀ। ଖାଲି ରୂପବତୀ ନୁହେଁ, ସେ ନୃତ୍ୟ ବିଶାରଦା ଏବଂ କାମ ବିଶାରଦା ବି ଥିଲେ। ସର୍ବୋପରି ଖୁବ୍ ଚତୁରୀ ଆଉ ବୁଦ୍ଧିମତୀ ବି ଥିଲେ। ପୁରୁଷ ମାନଙ୍କର ମନସ୍ତତ୍ତ୍ୱ ସେ ଖୁବ୍ ସୁନ୍ଦର ପଢି ପାରୁଥିଲେ। ରାଜାଙ୍କର ମୁଖରେ ବିରସତା ଅବଲୋକନ କରି ସେ ତା’ର କାରଣ ପୁଚ୍ଛା କରନ୍ତେ, ରାଜା ମନଦୁଃଖରେ କହିଲେ, ‘ପ୍ରିୟେ! ତୁମ ସହ ମୋର ମିଳନର ଆଜି ବୋଧେ ଶେଷ ରାତ୍ରି। ନିଜର ଭାବମୂର୍ତ୍ତି ରକ୍ଷା ପାଇଁ, ପ୍ରକାରାନ୍ତରେ ଗାଦି ରକ୍ଷା ପାଇଁ ମୋତେ ଏବେ ତୁମକୁ ତ୍ୟାଗ କରିବାକୁ ପଡ଼ିବ। ମୋ ପାଇଁ ଏହା ବହୁତ କଷ୍ଟକର ଅବଶ୍ୟ ହେବ। ତୁମ ସହ ମୋର ସମ୍ପର୍କକୁ ନେଇ ଏବେ ରାଜ୍ୟର କିଛି ମୁଖିଆ ପ୍ରଜା ଟୁପୁର ଟାପର ହେଉଛନ୍ତି। କାଲିକୁ ଏହା ଏକ ବିପଦଜନକ ରୂପ ଧାରଣ କରିପାରେ। ଓଃ, କି କଷ୍ଟକର କଥା, ମୁଁ ତୁମକୁ ତଥା ନିଜକୁ ଶୁଣାଉଛି!’
ମନ୍ଦାକିନୀଙ୍କ ଓଠରେ ହାସ୍ୟ ଛଟା। ରାଜା ପ୍ରଶ୍ନ କଲେ, ‘ତୁମେ ହସୁଛ ଯେ। କ’ଣ ମୋତେ ତ୍ୟାଗ କରିବା ତୁମ ପାଇଁ ଆନନ୍ଦ ଦାୟକ ହେବ?’ ମନ୍ଦାକିନୀ କିଛି ସମୟ ନିରବ ରହି କହିଲେ, ‘ମହାରାଜ! ଏଭଳି ପ୍ରଶ୍ନ କରିବା ବା ତା’ର ଉତ୍ତର ଦେବା ଅନାବଶ୍ୟକ। କାରଣ ଆପଣ ମୋତେ କିମ୍ବା ମୁଁ ଆପଣଙ୍କୁ ତ୍ୟାଗ କରିବା ଭଳି ପରିସ୍ଥିତି ଆଦୌ ଉପୁଜିବାର ନାହିଁ। ଆପଣଙ୍କୁ ମୋ’ର ସବିନୟ ଅନୁରୋଧ, ଆପଣଙ୍କ ରାଜମହଲର ରଙ୍ଗଶାଳାରେ ମୋ’ର ଏକ ନୃତ୍ୟ ରାତ୍ରିର ଆୟୋଜନ କରି ସେ ମୁଖିଆ ମାନଙ୍କୁ ନିମନ୍ତ୍ରଣ କରନ୍ତୁ। ସବୁଠାରୁ ଉତ୍କୃଷ୍ଟ ମଦ୍ୟର ବ୍ୟବସ୍ଥା ଅବଶ୍ୟ ରଖିବେ ତହିଁରେ। ବାକି କାମ ମୋ’ର।’
ମହାରାଜ ରାଗିଯାଇ କହିଲେ, ‘ଏ କି କଥା କହୁଛ? ବିବାହ ନକଲେ ବି ତୁମେ ମୋ’ର ହୋଇ ସାରିଛ। ନଗରବଧୂ ନୁହଁ ତୁମେ। ତୁମକୁ କ’ଣ ମୁଁ ସେମାନଙ୍କ ସହ ଭାଗ କରିବି?’
ମନ୍ଦାକିନୀ କହିଲେ, ‘ଆପଣ କ’ଣ ସେଇ ଶ୍ଳୋକଟି ଭୁଲିଗଲେ ମହାରାଜ! ସର୍ବନାଶ ସମୁତ୍ପନେ ଅର୍ଦ୍ଧଂ ତ୍ୟଜନ୍ତି ପଣ୍ଡିତାଃ। ମୋ’ର ଏ ସମଗ୍ର ଶରୀର ତଥା ଅନ୍ତର ଏକାନ୍ତ ଭାବେ ଆପଣଙ୍କର। ଆଉ ସେହିପରି ହିଁ ରହିବ। ସେମାନେ କେବଳ ଦୂରରେ ନିଜ ନିଜ ଆସନରେ ବସି ରହି ମୋର ନୃତ୍ୟ ସହ ସାମାନ୍ୟ ଜାନୁ ଯୌବନ ଦର୍ଶନ କରିବେ। ତା ପୁଣି ବସ୍ତ୍ର ଉହାଡରୁ। ଅବଶ୍ୟ ଟିକିଏ ପାରଦର୍ଶୀ ରେଶମ ବସ୍ତ୍ର। ମୋ’ର ସୁନ୍ଦରୀ ଷୋଡଶୀ ସହଚରୀ ମାନେ ସେମାନଙ୍କୁ ମଦ୍ୟ ପରିବେଷଣ କରିବେ। ତା ପରଦିନ ଦେଖିବେ, ସେହି କତିପୟ ସମାଜର ଉଚ୍ଚସ୍ୱରଧାରକମାନେ କିପରି ଆପଣଙ୍କର ଅନୁଗତ ହୋଇଯିବେ, ବା ଅନୁଗତ ହେବାକୁ ବାଧ୍ୟ ହେବେ। ଆପଣଙ୍କୁ ଆଜି ଲମ୍ପଟର ଆଖ୍ୟା ଦେଉଥିବା ସେ କତିପୟମାନେ ଆପଣଙ୍କୁ ମହାଚରିତ୍ରବାନ୍ ବୋଲି କାଲି ସମାଜରେ ପ୍ରଚାର କରିବେ। ନା ଆପଣ ମୋତେ ହରାଇବେ, ନା ଆପଣଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ। ଆପଣଙ୍କର ସିଂହାସନ ଆହୁରି ଦୃଢୀଭୂତ ହେବ। ଶେଷରେ ସେପରି ହିଁ ହେଲା।
ରଙ୍ଗଶାଳା ମଝିରେ ମଝିରେ ଚାଲିଛି। ସମାଗମ ହେଉଛି ପ୍ରମୁଖ ସ୍ୱରଧାରୀ ମାନଙ୍କର। ମହାରାଜାଙ୍କର ମନ୍ଦାକିନୀଙ୍କ ସହ ପ୍ରୀତି ଅଧିକ ନିବିଡ଼ ହେଉଛିି। ହେଲେ କିଛି ଫରକ ପଡୁନି। ବରଂ ନିଜ ରାଜ୍ୟରେ ଆଗ ଅପେକ୍ଷା ସେ ବେଶ୍ ଅଧିକ ପ୍ରତିଭାତ ହେଉଛନ୍ତି ଏକ ନିଷ୍କଳଙ୍କ, ଚରିତ୍ରବାନ, ସୁପୁରୁଷ, ମହନୀୟ ରାଜା ହିସାବରେ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ , ୨୦୨୨ ସଂଖ୍ୟାରେ ପ୍ରକାଶିତ । )
ପ୍ରତୀକାତ୍ମକଭାବେ ଏହି ଲେଖା ମାଧ୍ୟମରେ ଆଜିର ଗଣମାଧ୍ୟମ ପ୍ରତିନିଧିମାନଙ୍କ କାର୍ଯ୍ୟକୁ ଠିକ୍ ଢଙ୍ଗରେ ଚେତାଇଛନ୍ତି ଲେଖକ ବେଶ୍ ଚମତ୍କାର
Very natural, original, somehow philosophical too. It’s a satire to open the eyes of public how the media of today make people foolish !!!