ଦିନରେ ‘ଦିବସ’

  • ଦିବସ ପାଳନ ସରିଯାଏ ଯେବେ, ପୁଣି ଅପେକ୍ଷା ବର୍ଷକ ପାଇଁ। ଏମିତି ଏତେ ଦିବସ କିଏ କଣ ସତରେ ମନେରଖୁଛି?
ଡା. ଅଭୟ ଦାଶ

ଆମ ଜାଣିବାରେ ‘ଦିବସ’ ବୋଧେ ଦିନକୁ କହନ୍ତି! ସନ୍ଦେହ ଆସୁଛି, କାହିଁକି ନା ସେ ଦିନ ସାଙ୍ଗରେ ରାତି ମଧ୍ୟ ମିଶିଛି କି ନାହିଁ, ଜଣାନାହିଁ। ଦିବସ ଓ ରାତ୍ରି ମିଶି ଅହୋରାତ୍ର ହୋଇଯାଏ ଚବିଶଘଣ୍ଟା। ଯେବେଠାରୁ କୋଆଲିସନ ଗଭର୍ଣମେଣ୍ଟ୍ ବ୍ୟବସ୍ଥା ବଜାରକୁ ଆସିଲା, ଗୋଟାଏ ଦିନରେ ଖୁନ୍ଦିମାଡି ହୋଇ ଗଣ୍ଡାଏ ଛଅଟା ଦିବସ ଅବା ‘ଡେ’ ରହିଗଲେ। ସେଗୁଡା ବର୍ଷକେ ଥରେ ମନେପଡନ୍ତି। ଉଦାହରଣ ସ୍ବରୂପ, ଅଣ୍ଡା ଦିବସ, ସାଇକଲ ଦିବସ, ସାପକାମୁଡା ଦିବସ ତଥା ପିତୃଦିବସ ଆଦିରୁ କେତେକେ ଏକାଦିନକେ ପଡିବାରେ କୌଣସି ବାରଣ ନାହିଁ। ବର୍ଷରେ ତିନିଶ ପଅଁଷଠି ଦିନକୁ ପ୍ରାୟ ଦୁଇହଜାର ଡେ ବା ଦିବସ। ସମସ୍ତଙ୍କୁ ଆଡଜଷ୍ଟ କରିବାକୁ ହେବ। ନହେଲେ ଜେଜେ ବାପାଙ୍କ ଅମଳର ଅଛିଣ୍ଡା ଅଙ୍କ “ଷାଠିଏ ମଇଁଷି ପନ୍ଦର କିଳା, ବିଯୋଡ କରି ବାନ୍ଧରେ ବାଳା,” ଭଳି ହେବ!
ସେ ଦିବସ ଯେବେ ଆସିଯାଏ ଆବଶ୍ୟକତାର ବଜାର ତେଜିଉଠେ। କାର୍ଡ, ଟି-ସାର୍ଟ, କବିତା, ଜାଗରଣ, ଆଓ୍ବାରନେସ୍ କ୍ୟାମ୍ପେନ୍, ଡିବେଟ୍, ପେଣ୍ଟିଙ୍ଗ୍ କମ୍ପିଟେସନ, ବୃକ୍ଷ ରୋପଣ, ସଫେଇ ଅଭିଯାନ, ଗରିବଙ୍କୁ ମିଠେଇ ଓ କମ୍ବଳ ବଣ୍ଟନ ଆଦି ମନେପଡେ। ସେଥିପାଇଁ ଲୋଡାହୁଅନ୍ତି ମହାନୁଭବମାନେ। ଆମେ ସଂଗ୍ରହ କରିବୁ , ସିଏ ବାଣ୍ଟିବେ, ଆମେ ତାଳିମାରି ସମର୍ଥନ କରିବୁ। ଏଇତ ହେଲା ଦିବସମାନଙ୍କ ପାଳନର ସାରମର୍ମ ! ତା’ପରେ “ଜିନ୍ଦେଗୀ ଏକ ସର୍କସ ହୈ , ସୋ ତିନ ଘଣ୍ଟେକି!”
ଦିବସ ପାଳନ ସରିଯାଏ ଯେବେ, ପୁଣି ଅପେକ୍ଷା ବର୍ଷକ ପାଇଁ। ଏମିତି ଏତେ ଦିବସ କିଏ କଣ ସତରେ ମନେରଖୁଛି? ମନେରଖନ୍ତି ସେଇମାନେ, ଯାହାଙ୍କର ଦରକାର! ଆମେ ଯେତିକି ଜାଣିଛୁ ସମସ୍ତେ ସବୁ ଦିବସକୁ ମାନନ୍ତି ନାହିଁ। ଏହି ପାଳନ ପଛରେ ଥାଏ ବେପାର। ହାତୀ ଦିବସ, ବାଘ ଦିବସ, ସାପକାମୁଡା ଦିବସ, ଅଣ୍ଡା ଦିବସ, ବନ୍ୟଜନ୍ତୁ ଦିବସ, ପର୍ଯ୍ୟାବରଣ ଦିବସ ପର୍ଯ୍ୟାୟରେ ବିଭିନ୍ନ ସରକାରୀ ବିଭାଗମାନେ ଚଳଚଞ୍ଚଳ ହୋଇ ଉଠନ୍ତି। ସାମିଆନା , ଫୁଲତୋଡା, ଜଳଯୋଗ ସବୁ ସରକାରୀ ଖର୍ଚ୍ଚରେ ହୋଇଯାଏ। ଭିଆଇପି ଭିଜିଟ୍, ଉତ୍ସବର ମର୍ଯ୍ୟାଦା ବଢାଇ ଦିଏ । ତା’ପରେ? “ଖାଲି ଖାଲି କୁରସିଆଁ ହୈ, ଖାଲି ଖାଲି ତମ୍ଵୁ ହୈ, ବିନା ଚିଡିୟା କି ବସେରା ହୈ।”

ପାରିବାରିକ ଦିବସ, ଯେପରି ପିତୃ ଦିବସ , ମାତୃ ଦିବସ, ପୁତ୍ର କନ୍ୟା ଦିବସ ଆଦିର ଦାୟିତ୍ବ, ଗ୍ରିଟିଂ କାର୍ଡ ପବ୍ଲିସରଙ୍କ ଉପରେ। ଯେଉଁ କ୍ଷେତ୍ରରେ ପିତାମାତାଙ୍କର ବିୟୋଗ ଘଟିଥାଏ, ଯେଉଁମାନେ ତାଙ୍କର ଶ୍ରାଦ୍ଧ ଦିବସ ଭୁଲିଯାଇଛନ୍ତି, ତା’ଙ୍କ ପାଇଁ ଭାବପୁର୍ଣ କବିତା ଅଜାଡି ଦେବାକୁ ଗୋଟାଏ ମଉକା ବୋଲି ଜାଣନ୍ତୁ! ଗୁରୁ ପୁର୍ଣିମା, ଗୁରୁ ଦିବସ (ସେପ୍ଟେମ୍ବର ପାଞ୍ଚ) ଦୁଇ ପ୍ରକାର। ପ୍ରଥମଟି ହେଲା ଆଧ୍ୟାତ୍ମିକ ଗୁରୁ ବୃହଷ୍ପତ୍ତି , ଶୁକ୍ରାଚାର୍ଯ୍ୟ, ସାନ୍ଦିପନି, ଦ୍ରୋଣାଚାର୍ଯ୍ୟ ହୋଇ ଆଶାରାମ ବାପୁ ପର୍ଯ୍ୟନ୍ତ। ଦ୍ୱିତୀୟଟି କ୍ବାସି-ପଲିଟିକାଲ ଟିଚର୍ସ୍ ଡେ, ଗୁରୁଦିବସ। ସେଇ ଏକା ମ୍ୟୁଜିକ୍ “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ।” ତା’ପରେ ଘେରାଉ, ପଥର, ହାଏ ହାଏ ଆଦି! ଆଉ ଗୋଟାଏ ଅଳ୍ପ ପଲିଟିକାଲ “ଶିଶୁ ଦିବସ ବା ବାଳଦିବସ” ସ୍କୁଲ ପିଲାଙ୍କ ପାଇଁ। ପିଲାଦିନକୁ ଖୁବ୍ ଆନନ୍ଦ ରେ ଉପଭୋଗ କରାଯାଏ। ଏ ଦିନଟି ସମର୍ପିତ ସ୍ବତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଜନ୍ମଦିନ ଚଉଦ ନଭେମ୍ବରକୁ।
ଗୋଟାଏ ଅଛି ଡକ୍ଟର୍ସ ଡେ, ସେଥିରେ ବୀଜମନ୍ତ୍ର ହେଲା, “ହାପି ଡକ୍ଟର୍ସ ଡେ।” ଜୁଲାଇ ପହିଲା ଦିନ ପାଳିତ ହୁଏ। ତା’ପରେ ରୋଗୀ ଯେଉଁ କାରଣରୁ ମଲେ ବି, ଡାକ୍ତରଙ୍କୁ ଏମନ୍ତ ଦକ୍ଷିଣା ମିଳେ ଯେ, ହାଡଗୋଡ ଭାଙ୍ଗିଯାଏ।
ଏହିପରି ଅନେକ ଦିବସମାନଙ୍କ ଆଗମନରେ ଆମ ସଭ୍ୟତା ସଂସ୍କୃତି କେତେ ବଳିଷ୍ଠ ହୋଇପାରେ, ଦେଖିବା କଥା। ଆଗକୁ ଆଉ ଯେ ଦିବସ ଯୋଡିହେବେନି, ସେମିତି କିଛି କହିବା କଷ୍ଟକର। ଭାବନ୍ତୁନି ଯେ ଏଇଠି ସରିଗଲା !

3 thoughts on “ଦିନରେ ‘ଦିବସ’

  1. ଆପଣଙ୍କ ଏ ଲେଖା ଟି ବହୁତ ଭଲ ଲାଗିଲା। ବହୁତ ସୁନ୍ଦର ଭାବରେ ଲେଖିଛନ୍ତି।

  2. It is very true. Earlier I used to be excited for certain Divas but now I feel bored. So many divas we have now that it is difficult to remember and all of them are for self advertisement . Very nicely written and the truth expressed honestly

  3. ଅଭୟ ବାବୁ ଙ୍କ ଲେଖାଟି ସମୟୋପଯୋଗୀ ଏବଂ ବାସ୍ତବତା ଭରା। ତୀର୍ଯକ ବାଣ ଚଲାଇବାରେ ସେ ସିଦ୍ଧହସ୍ତ।

Leave a Reply

Your email address will not be published. Required fields are marked *