ସାହିତ୍ୟ ନାମରେ ଅପସାହିତ୍ୟ

  • ପାଠକର ରୁଚିକୁ ଆଖି ଆଗରେ ରଖି ଯୁଗୋପଯୋଗୀ ଚେତନଶୀଳ ସାହିତ୍ୟ ସୃଷ୍ଟି ପ୍ରତି ଅନେକ ଲେଖକ ସଚେତନ ନୁହନ୍ତି।
ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର

ସାହିତ୍ୟ ହେଉଛି ସଭ୍ୟତାର ଉଜ୍ଜ୍ୱଳ ସ୍ୱାକ୍ଷର। ସମାଜର ପ୍ରତ୍ୟେକଟି ଚିତ୍ର ସାହିତ୍ୟରେ ପ୍ରତିବିମ୍ବିତ ହୋଇ ଜୀବନ ଓ ଜଗତର ଯଥାର୍ଥ ରୂପ ପ୍ରଦର୍ଶନ କରିଥାଏ। ପରିଣାମ ସ୍ୱରୂପ ସାହିତ୍ୟ ଦ୍ୱାରା ସାମାଜିକ ଚେତନାର ଉତ୍ତରଣ ଘଟିଥାଏ ତଥା ସମାଜର ବୌଦ୍ଧିକ ବିକାଶ ସାଧନ ହୋଇ ମାନବିକ ମୂଲ୍ୟବୋଧ ବୃଦ୍ଧି ପାଇଥାଏ। କୌଣସି ଜାତି, ସମାଜ ବା ବ୍ୟକ୍ତିର ଐଶ୍ୱର୍ଯ୍ୟର ଆଭାସ ସାହିତ୍ୟରୁ ହିଁ ଉପଲବ୍ଧ ହୋଇଥାଏ। ଯେଉଁ ସାହିତ୍ୟ ସାମାଜିକ ଚେତନାର ଉତ୍ତରଣ ଘଟାଇବାକୁ ଅସମର୍ଥ ବା ସମାଜର ବୌଦ୍ଧିକ ବିକାଶ ସାଧନ କରିପାରେ ନାହିଁ ତାହା ଅପସାହିତ୍ୟ ପଦବାଚ୍ୟ। ସଂପ୍ରତି ମନନଶୀଳ ଜୀବନଧର୍ମୀ ସମାଜ ଉପଯୋଗୀ ସାହିତ୍ୟ ପରିବର୍ତ୍ତେ ଅପସାହିତ୍ୟର ପ୍ରସାରରେ ବୃଦ୍ଧି ହେଉଛି। ବିଶେଷତଃ ଓଡ଼ିଆ ସାହିତ୍ୟରେ ସଂପ୍ରତି ଅପସାହିତ୍ୟର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସାଂପ୍ରତିକ ଓଡ଼ିଆ ସାହିତ୍ୟ ପାଠକାଦୃତ ପାଇପାରୁନାହିଁ। ଏତାଦୃଶ ସ୍ଥିତିରେ ସ୍ମରଣ ରଖିବାକୁ ହେବ ଯେ, ସାହିତ୍ୟ ହେଉଛି ଜାତିର ପ୍ରାଣସ୍ପନ୍ଦନ ଏବଂ ଅପସାହିତ୍ୟ ହେଉଛି ପ୍ରାଣଘାତୀ।
ସଂପ୍ରତି ଅନେକ ଲେଖକ ଜାତି ଓ ସଂସ୍କୃତିର ପୁନଃନିର୍ମାଣ ଲକ୍ଷ୍ୟରେ ଲେଖନୀ ଚାଳନା କରିବା ପରିବର୍ତ୍ତେ ଆପଣାକୁ ପ୍ରକାଶିତ ତଥା ବିଜ୍ଞାପିତ କରିବାରେ ମନୋନିବେଶ କରିଛନ୍ତି। ଅନେକ ଲେଖକ ଆପଣା ସୃଷ୍ଟିରେ ବର୍ଣ୍ଣନା କରୁଥିବା ଘଟଣାର ସହିତ ସାଂପ୍ରତିକ ସ୍ଥିତିର ସାକ୍ଷାତ୍ ସମ୍ପର୍କ ରଖିପାରୁ ନ ଥିବାରୁ ଲେଖାଗୁଡିକ ଶୁଷ୍କ, ନିରସ ଓ ପ୍ରାଣହୀନ ହୋଇ ପାଠକତା ହରାଇଛି। ପାଠକର ରୁଚିକୁ ଆଖି ଆଗରେ ରଖି ଯୁଗୋପଯୋଗୀ ଚେତନଶୀଳ ସାହିତ୍ୟ ସୃଷ୍ଟି ପ୍ରତି ଅନେକ ଲେଖକ ସଚେତନ ନୁହନ୍ତି। ଅଧିକନ୍ତୁ, ସାଂପ୍ରତିକ ସାହିତ୍ୟରେ ଆଧୁନିକତା ନାମରେ ବିଲକ୍ଷଣତା ପ୍ରକାଶ ପାଉଛି। ଜୀବନଯାପନ ଧାରାଠାରୁ ସମ୍ପୂର୍ଣ୍ଣ ବେଖାପ କେତୋଟି ଅବାନ୍ତର ଘଟଣା ସାହିତ୍ୟରେ ଚିତ୍ରଣ କରି ଲେଖକମାନେ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ସ୍ରଷ୍ଟାଙ୍କର ସତେଜ ଅନୁଭୂତି, ମୌଳିକ ଅଭିବ୍ୟକ୍ତି ଓ ପ୍ରାଣସ୍ପର୍ଶୀ ଭାଷା ସାହିତ୍ୟରେ ପ୍ରତିଫଳିତ ହେଉ ନ ଥିବାରୁ ଲେଖକ ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାରେ ଲାଗିଛି। କେଉଁ ଧରଣର ସାହିତ୍ୟ ସୃଷ୍ଟି କଲେ ତାହା ପାଠକଙ୍କୁ ଜ୍ଞାନ, ଆନନ୍ଦ ଓ ଅମୃତର ସନ୍ଧାନ ପ୍ରଦାନ କରିପାରିବ ସେ ସମ୍ପର୍କରେ ଲେଖକ ଆଦୌ ଧ୍ୟାନ ଦେଉନାହାନ୍ତି। ଅନେକ ଲେଖକ ସାହିତ୍ୟ ସୃଷ୍ଟି ନିମିତ୍ତ ବ୍ୟଗ୍ର ହେଲେ ହେଁ ପାଠକ ସଚେତନତା ସୃଷ୍ଟି ନିମିତ୍ତ ଆଦୌ ଚିନ୍ତା କରନ୍ତି ନାହିଁ। ଏହା ହିଁ ସାରସ୍ୱତ ସମୃଦ୍ଧିରେ ପ୍ରଧାନ ଅନ୍ତରାୟ।

କଳ୍ପନା ବନାମ ଜ୍ଞାନଭିତ୍ତିକ ସାହିତ୍ୟ
ବର୍ତ୍ତମାନ ଓଡ଼ିଆ ଭାଷାରେ ବର୍ଷକୁ ପ୍ରାୟ ଦୁଇ ହଜାରରୁ ଅଧିକ ପୁସ୍ତକ ପ୍ରକାଶ ପାଉଛି। ତନ୍ମଧ୍ୟରୁ ପ୍ରାୟ ଏକ ଶହ ପୁସ୍ତକ ପାଠକାଦୃତି ଲାଭ କରୁଛି। ଏହି ଏକଶହ ପୁସ୍ତକ ମଧ୍ୟରୁ ଅଧିକାଂଶ ଜ୍ଞାନଭିତ୍ତିକ ସାହିତ୍ୟ ଏବଂ ସ୍ପଳ୍ପ କଳ୍ପନାଭିତ୍ତିକ ସାହିତ୍ୟ। ଏହା ସତ୍ୟ ଯେ, ବର୍ତ୍ତମାନ କଳ୍ପନାଭିତ୍ତିକ ସାହିତ୍ୟ ଅପେକ୍ଷା ଜ୍ଞାନଭିତ୍ତିକ ସାହିତ୍ୟର ଆଦର ସର୍ବତ୍ର ବୃଦ୍ଧି ପାଇଛି। ଅଥଚ ଜ୍ଞାନଭିତ୍ତିକ ସାହିତ୍ୟ ଅପେକ୍ଷା ଅଧିକ ସଂଖ୍ୟାରେ କଳ୍ପନାଭିତ୍ତିକ ସାହିତ୍ୟ ପ୍ରକାଶ ପାଉଛି। ଯଦି ପ୍ରକାଶିତ କଳ୍ପନାଭିତ୍ତିକ ସାହିତ୍ୟ ପାଠକୀୟ ଆଦୃତି ଲାଭ କରୁ ନାହିଁ ସେଭଳି ସାହିତ୍ୟ ସୃଷ୍ଟିର ଉଦ୍ଦେଶ୍ୟ କ’ଣ? କେତେକ ଲେଖକ ନିଜକୁ ଜଣେ ଲେଖକ ଭାବରେ ପ୍ରତିଷ୍ଠିତ କରିବା ନିମିତ୍ତ କଳ୍ପନାଭିତ୍ତିକ ସାହିତ୍ୟ ରଚନା କରୁଛନ୍ତି ଏବଂ ନିଜ ବ୍ୟୟରେ ସେସବୁ ପ୍ରକାଶ କରି ବିତରଣ କରିବାରେ ଲାଗିଛନ୍ତି। କିନ୍ତୁ ପାଠକ ସେମାନଙ୍କ ସାହିତ୍ୟ ଗ୍ରହଣ କରୁଛନ୍ତି କି ନାହିଁ କେବେ ଚିନ୍ତା କରୁନାହାନ୍ତି। କେତେକ ପଦପଦବୀଧାରୀ ବ୍ୟକ୍ତି ପାଠକାଦୃତି ନ ଥିବା ସାହିତ୍ୟ ସୃଷ୍ଟି କରି ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିବାର ଦେଖାଯାଉଛି। ଅନେକ ମଧ୍ୟ ନିଜେ ବ୍ୟୟ କରି ଅନ୍ୟମାନଙ୍କ ଦ୍ୱାରା ସେମାନଙ୍କ ସାହିତ୍ୟର ଆଲୋଚନାଚକ୍ରମାନ କରୁଛନ୍ତି। ତଥାପି ସେମାନଙ୍କ ସାହିତ୍ୟ ପାଠକଙ୍କ ହୃଦୟକୁ ସ୍ପର୍ଶ କରିପାରୁନି। ଏପରିକି କେତେକ ପୁରସ୍କୃତ ପୁସ୍ତକ ମଧ୍ୟ ପାଠକାଦୃତି ପାଉନାହିଁ। ବର୍ତ୍ତମାନ ଓଡ଼ିଶାର ସହରାଞ୍ଚଳରୁ ଗ୍ରାମାଞ୍ଚଳ ସର୍ବତ୍ର କବିତା ପାଠୋତ୍ସବର ସ୍ରୋତ ପ୍ରବାହିତ। ସେହି ସବୁ କବିତା ପାଠୋତ୍ସବ ସ୍ଥଳରେ କବିତା ପାଠ କରିବାକୁ ଆସିଥିବା କବି-କବୟିତ୍ରୀଙ୍କ ବ୍ୟତୀତ କୌଣସି ଶ୍ରୋତା ନ ଥାନ୍ତି। ଯେଉଁ କବି ନିଜ କବିତାଟି ପାଠ କରି ସାରିଥାଏ ସେ ମଧ୍ୟ ଅନ୍ୟ କବିଙ୍କ କବିତା ଶୁଣିବାକୁ ଅପେକ୍ଷା କରେ ନାହିଁ। କବିତା ପାଠୋତ୍ସବରେ ପଠିତ କବିତା ସାହିତ୍ୟ ପଦବାଚ୍ୟ କି ନୁହେଁ ତାହା କେହି ମଧ୍ୟ ତର୍ଜମା କରନ୍ତି ନାହିଁ। ସଭିଏଁ କବିତା ଲେଖିବାକୁ ଓ ପାଠ କରିବାକୁ ପାଗଳ। ସତେ ଯେପରି କବିତାଟିଏ କବିତା ପାଠୋତ୍ସବରେ ପାଠ କଲେ ସ୍ୱର୍ଗପ୍ରାପ୍ତି ହୋଇଯିବ। କେତେକ ମଧ୍ୟ କବିତା ପାଠୋତ୍ସବ ସମୟର ଫଟୋ ସମ୍ବାଦପତ୍ରମାନଙ୍କରେ ପ୍ରକାଶ କରି ଆତ୍ମସନ୍ତୋଷ ଲାଭ କରନ୍ତି।
ପଦକରେ ଉଲ୍ଲେଖ କଲେ, ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ କବି-କବୟିତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ତଥା ଶ୍ରୋତା ବା ପାଠକଙ୍କ ସଂଖ୍ୟା ଦ୍ରୁତ ଗତିରେ କମି କମି ଆସୁଛି। ତା’ର ଏକମାତ୍ର କାରଣ ହେଉଛି, ସଂପ୍ରତି ସୃଷ୍ଟି ହେଉଥିବା ଓଡ଼ିଆ କବିତା ମଧ୍ୟରୁ ବହୁଳାଂଶ ଆଦୌ କବିତା ପଦବାଚ୍ୟ ନୁହେଁ ଏବଂ ସେହି କବିତାଗୁଡିକର ସାମାଜିକ ଚେତନା ଉତ୍ତରଣ ଘଟାଇବାର ସାମର୍ଥ୍ୟ ନାହିଁ। ଏହି କବିତାଗୁଡିକୁ ସାହିତ୍ୟ କୁହାଯିବ ନା ଅପସାହିତ୍ୟ କୁହାଯିବ ପାଠକେ ବିଚାର କରିବେ। ଓଡ଼ିଆ ସାହିତ୍ୟ ଅଧୋଗତିର ଏହା ମୁଖ୍ୟ କାରଣ ହେଲେ ହେଁ କେହି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଉଚିତ ମଣୁନାହାନ୍ତି ବା ସାହସ କରୁନାହାନ୍ତି। ଭାଷା ପ୍ରଜ୍ଞାର ଐଶ୍ୱର୍ଯ୍ୟମୟ ଆଭାସରେ ଉଦ୍‌ଭାସିତ ହେଲେ ତାହା ସାହିତ୍ୟର ସ୍ୱରୂପ ଗ୍ରହଣ କରେ। ପୃଥିବୀର ସକଳ ଭାଷାର ପ୍ରଥମ ସାହିତ୍ୟ ହେଉଛି କବିତା। ବୈଦିକ ମନ୍ତ୍ର ହେଉଛି ବିଶ୍ୱର ପ୍ରଥମ କବିତା। କବିତା ଯେଉଁ ଭାଷାର ହେଉନା ନାହିଁ କି ତାହାର ମାନ୍ତ୍ରିକ ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ତାକୁ ପାଠକପ୍ରିୟ କରାଏ। ଓଡ଼ିଆ ଭାଷାରେ ଚର୍ଯ୍ୟାଯୁଗରୁ କବିତା ସୃଷ୍ଟି ଆରମ୍ଭ ହୋଇ ସିଦ୍ଧ ସାହିତ୍ୟ ଯୁଗ, ପ୍ରାକ୍ ସାରଳାଯୁଗ, ସାରଳାଯୁଗ, ପଞ୍ଚସଖା ଯୁଗ, ରୀତିଯୁଗ ଓ ଆଧୁନିକ ଯୁଗର ନୂତନ ନୂତନ ରୂପରଙ୍ଗରେ ବିଭାସିତ ହୋଇଥିଲେ ହେଁ ସଂପ୍ରତି ଓଡ଼ିଆ କବିତା ତା’ର ଔଜ୍ଜ୍ୱଲ୍ୟ ହରାଇଛି। ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ କବିତାର ବିପୁଳାୟିତ ବିସ୍ତାର ଓ ଶୋଭାରାଶି ଲକ୍ଷ ଲକ୍ଷ ପାଠକ ପ୍ରାଣରେ ବିସ୍ମୟ, ପୁଲକ ଓ ଆନନ୍ଦ ଜାତ କରାଇଥିଲେ ହେଁ ସଂପ୍ରତି ଓଡ଼ିଆ କବିତା ପାଠକଙ୍କଠାରୁ ବହୁଦୂରରେ। ପ୍ରତ୍ୟେକ ଓଡ଼ିଆ କବି ଏଇ କଥା ଦୁଇପଦକୁ ସ୍ମରଣ କରି କବିତା ରଚନାରେ ବ୍ରତୀ ହେବା ସମୀଚୀନ।

ଆତ୍ମପ୍ରଚାର
ସଂପ୍ରତି ଆତ୍ମପ୍ରଚାରଧର୍ମୀ ଲେଖକ ଓ ସଂପାଦକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସଂପାଦକ ସେମାନଙ୍କ ପତ୍ରିକାରେ ଏପରି ଲେଖକଙ୍କ ଲେଖା ପ୍ରକାଶ କରିଥାନ୍ତି, ଯେଉଁଥିରେ ସୃଜନଶୀଳତା ନ ଥାଏ। ଲେଖକଙ୍କ ଚାନ୍ଦାରେ ପତ୍ରିକାଟିଏ ପ୍ରକାଶ କରି ସେହି ସଂପାଦକଗଣ ଆତ୍ମସନ୍ତୋଷ ଲାଭ କରିଥାନ୍ତି, ଅଥବା ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଏତାଦୃଶ ପତ୍ରିକା କେବଳ ସେହି ଲେଖକଙ୍କ ବ୍ୟତୀତ ଅନ୍ୟ କେହି ପାଠ କରିବାକୁ ସୁଖ ମଣନ୍ତି ନାହିଁ। ଏହିଭଳି ପତ୍ରିକାରେ ସାରସ୍ୱତ ଔଜ୍ଜ୍ୱଲ୍ୟ ନ ଥିଲେ ହେଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛା ଓ ପ୍ରୋତ୍ସାହନ ରହିଥାଏ। ନ ରହିଥିଲେ ମଧ୍ୟ ସମ୍ପାଦକ କଳେ ବଳେ କୌଶଳେ ଆପଣାର ପାରିବାରପଣିଆରେ ରାଜନୈତିକ ଅଥବା କ୍ଷମତାସୀନ ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ଦେଇ ପତ୍ରିକାଟି ପ୍ରକାଶନ କରିଥାନ୍ତି। ଅନେକ ଲେଖକ ନିଜକୁ ନିଜେ ପ୍ରକାଶନ କରିବାର ଦୁର୍ବାର ବାସନାରେ ଲେଖା ସହିତ କିଛି ଚାନ୍ଦା ଦେଇ ଏହିଭଳି ପତ୍ରିକାରେ ଆପଣା ଲେଖା ଛପାଇବାକୁ ସମର୍ଥ ହୋଇଥାନ୍ତି। ଲେଖା ପ୍ରକାଶନ ପରେ ହ୍ୱାଟ୍‌ସଆପ୍ ଓ ଫେସ୍‌ବୁକ୍‌ରେ ଶହ ଶହ ବ୍ୟକ୍ତିଙ୍କ ନିକଟକୁ ପଠାଇଥାନ୍ତି। କେବଳ ସେତିକି ନୁହେଁ, ପତ୍ରିକା ପ୍ରକାଶନ ପରେ ଆପଣାର ବନ୍ଧୁବାନ୍ଧବ, ସାଙ୍ଗସାଥୀ, ସହକର୍ମୀ, ଆତ୍ମୀୟସ୍ୱଜନ ଓ ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ସେମାନେ ଜଣାଇଥାଆନ୍ତି ଯେ, “ଅମୁକ ପତ୍ରିକାରେ ମୋ ଲେଖା ବାହାରିଛି।” ଲେଖାଟିଏର ଜେରକ୍ସ ନକଲ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ପଠାଇ ସେମାନେ ଆତ୍ମସନ୍ତୋଷ ଲାଭ କରିଥାନ୍ତି। ଏହିପରି ଭାବରେ ଦୁଇଚାରିଟା ପତ୍ରିକାରେ ଲେଖା ବାହାରିବା ପରେ ସେମାନେ ହୋଇଯାଆନ୍ତି ପ୍ରତିଷ୍ଠିତ ଲେଖକ। ତା’ପରେ ଲବି ଆରମ୍ଭ କରିଦିଅନ୍ତି ପୁରସ୍କାର ପାଇବାକୁ। ଅପସାହିତ୍ୟ କିପରି କାୟାବିସ୍ତାର କରେ ଏହା ତହିଁର ଜ୍ୱଳନ୍ତ ଉଦାହରଣ।
ଏତାଦୃଶ ପ୍ରତିଷ୍ଠିତ ଲେଖକଙ୍କ ସୃଷ୍ଟି ସମ୍ଭାର ପରିପୂର୍ଣ୍ଣ ପତ୍ରିକା ଦ୍ୱାରା ଜନମତକୁ ଜାଗ୍ରତ ଓ ସଚେତନ କରାଯାଇପାରେ ନାହିଁ। ଏହିସବୁ ପତ୍ରିକାର ଲେଖକମାନେ ରାଜନୈତିକ ବ୍ୟକ୍ତିବିଶେଷ, କ୍ଷମତାସୀନ ପଦାଧିକାରୀ ଅଥବା ସମ୍ପାଦକଙ୍କୁ ସୁହାଇଲା ଭଳି ସାହିତ୍ୟ ସୃଷ୍ଟି କରିଥାନ୍ତି। ଏହା ମନନଶୀଳ, ଜୀବନଧର୍ମୀ ଓ ବୌଦ୍ଧିକ ବିଚାର ସମ୍ପନ୍ନ ସାହିତ୍ୟ ହୋଇ ନ ଥିଲେ ହେଁ ପତ୍ରିକାର କର୍ମକର୍ତ୍ତା ଓ ସମ୍ପାଦକ ସେହି ଲେଖକମାନଙ୍କୁ ପୁରସ୍କୃତ, ସମ୍ମାନିତ ଓ ସମ୍ବର୍ଦ୍ଧିତ କରି ସାହିତ୍ୟ ନାମରେ ଅପସାହିତ୍ୟ ସୃଷ୍ଟିର ପଥ ପରିଷ୍କାର କରିଥାନ୍ତି।

ବିକ୍ଷୁବ୍ଧ ଲେଖକ
କେତେକ କ୍ଷେତ୍ରରେ ଜଣେ ଦିଜଣ ବିକ୍ଷୁବ୍ଧ ଲେଖକ ଚାହିଁଲେ ସାହିତ୍ୟ ପତ୍ରିକାଟିଏ ଆତ୍ମପ୍ରକାଶ କରିପାରୁଛି। କେହି ସମର୍ଥ ବ୍ୟକ୍ତି ଚାହିଁଲେ ନିଜେ ପତ୍ରିକାଟିଏ ପ୍ରକାଶ କରିପାରୁଛି। ଆପଣାକୁ ପ୍ରତିଷ୍ଠା କରିବା ଅଥବା କିଛି ରୋଜଗାର ପନ୍ଥା ବାହାର କରିବା ଆଶାରେ କେହି କେହି ମଧ୍ୟ ପତ୍ରିକା ପ୍ରକାଶ କରୁଛନ୍ତି। ସେମାନଙ୍କର ସ୍ମରଣ ରଖିବା ଉଚିତ ଯେ ସାହିତ୍ୟ ପତ୍ରିକାଟିଏ ବାହାର କରିଦେଲେ ସାରସ୍ୱତ ଭଣ୍ଡାର ସମୃଦ୍ଧ ହୋଇଯିବ ନାହିଁ। ପତ୍ରପତ୍ରିକାର ସମାଜ ପ୍ରତି ଯେଉଁ ଉତ୍ତର ଦାୟିତ୍ୱ ରହିଛି ତାହା ତୁଲାଇବାର ସାମର୍ଥ୍ୟ ନ ଥାଇ କେବଳ କେତେଜଣ ଲେଖକଙ୍କୁ ବିଜ୍ଞାପିତ କରିପାରିଲେ ସାହିତ୍ୟ ସମୃଦ୍ଧ ହୋଇଯିବ ନାହିଁ। ଏହି ଭଳି ପତ୍ରିକାରେ ପତ୍ରସ୍ଥ ସାହିତ୍ୟ ସମାଜର ଦୁଃଖସୁଖରେ ସମଦରଦୀ ହୋଇ ଆତ୍ମପ୍ରକାଶ କରି ନ ଥାଏ। ଅଥବା ସେଥିରେ ଜୀବନ ନିର୍ମାଣର କଳା ସମୃଦ୍ଧ ହେବା ନିମିତ୍ତ ଉପାଦାନ ନ ଥାଏ। ସର୍ବୋପରି, ଏପରି ପତ୍ରିକାର ସାହିତ୍ୟରେ ବିପର୍ଯ୍ୟସ୍ତ ରାଜନୈତିକ ଜୀବନ, ଶଙ୍କାଗ୍ରସ୍ତ ସାମାଜିକ ଜୀବନ, ଅଭାବଗ୍ରସ୍ତ ଅର୍ଥନୈତିକ ଜୀବନ ଓ ମୋହଗ୍ରସ୍ତ ଆଧ୍ୟାତ୍ମିକ ଜୀବନ ନିମିତ୍ତ ଦିଗ୍‌ଦର୍ଶନ ଓ ଚେତାବନୀ ନ ଥିବାରୁ ସେସବୁ ଅପସାହିତ୍ୟ ପର୍ଯ୍ୟାୟଭୁକ୍ତ।
କେତେକ କ୍ଷେତ୍ରରେ ରାଜନୈତିକ ବ୍ୟକ୍ତିବିଶେଷ ଓ କ୍ଷମତାସୀନ ପଦାଧିକାରୀ ତଥା ଏମାନଙ୍କର ସ୍ତାବକ ଏକାଡେମୀ, ସଂସଦ, ସାଂସ୍କୃତିକ ପରିଷଦ ଓ ସାରସ୍ୱତ ସଂଘ ମାଧ୍ୟମରେ ଲେଖକଙ୍କୁ ପ୍ରୋତ୍ସାହନ ପ୍ରଦାନପୂର୍ବକ ସ୍ୱନିୟନ୍ତ୍ରଣରେ ରଖିଥାନ୍ତି। ବହୁ ସ୍ଥଳରେ ଏହିସବୁ ଅନୁଷ୍ଠାନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହାତବାରିସୀ ରୂପେ ପ୍ରତିଭାତ ହୋଇ ଅସାହିତ୍ୟିକଙ୍କ ଦ୍ୱାରା ପରିଚାଳିତ ହୋଇ ଅପସାହିତ୍ୟ ସୃଷ୍ଟି କରିବାରେ ହିଁ ସାର ହୋଇଥାଏ।
ଅସାହିତ୍ୟିକ ଓ ସେମାନଙ୍କ ଚେଲାଚାମୁଣ୍ଡା ଅପସାହିତ୍ୟ ପ୍ରସାରର ସୂତ୍ରଧର ବୋଲାଇଥାନ୍ତି। କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା, ଏକାଡେମୀ ତଥା ବହୁ ସାହିତ୍ୟାନୁଷ୍ଠାନରେ ସୋମନଙ୍କର ପ୍ରାଦୁର୍ଭାବ ଥାଏ। କେତେକ ଯଶପ୍ରାର୍ଥୀ ଅସାହିତ୍ୟିକ ନିଜକୁ ଲେଖକ ବୋଲାଇ ସେମାନଙ୍କ ଗୋଡାଣିଆ ସାଜିଥାନ୍ତି। ଲେଖା ପ୍ରକାଶ କରାଇବା, କବିତା ପାଠୋତ୍ସବରେ କବିତା ପାଠ କରାଇବା, ଅତିଥି ବା ବକ୍ତା ଭାବରେ ମଞ୍ଚାସୀନ କରାଇବା ଓ ପୁରସ୍କାର କରାଇଦେବା ନିମିତ୍ତ ସେମାନେ ପାରିଶ୍ରମିକ ନିଅନ୍ତି। ଯେଉଁମାନେ ଅର୍ଥ ଦେଇ ଲେଖା ପ୍ରକାଶନ, କବିତା ପାଠ ବା ଲେଖାନିମିତ୍ତ ପୁରସ୍କାର ପାଆନ୍ତି ସେମାନଙ୍କ ଲେଖାରେ ମାନବିକ ମୂଲ୍ୟବୋଧ, ନୈତିକତା, ବ୍ୟକ୍ତିତ୍ୱ ନିର୍ମାଣର ଆଧାର, ସାମାଜିକ ଚେତନା ଓ ସୃଜନଶୀଳତା ଅଛି କି ନାହିଁ ସେ ଧାରଣା ସେମାନଙ୍କର ନ ଥାଏ। କେତେକ ସ୍ଥଳରେ ପୁରସ୍କାର ଓ ସମ୍ମାନ ଟଙ୍କା ବଦଳରେ ପ୍ରଦାନ କରାଯାଏ। ଦୁଃଖର ବିଷୟ, ଏହି ସବୁ କାର୍ଯ୍ୟରେ ମନ୍ତ୍ରୀ, ଏମ୍‌.ଏଲ୍‌.ଏ. ଓ ଉଚ୍ଚପଦାଧିକାରୀ ଅତିଥିର ଆସନ ଅଳଙ୍କୃତ କରିଥାନ୍ତି, ଯଦିଓ ଆମ ପ୍ରତିବେଶୀ ପ୍ରଦେଶମାନଙ୍କରେ ସେପରି ପରମ୍ପରା ନାହିଁ। ଏହି ରାଜନେତା ଓ ପଦାଧିକାରୀମାନେ ପ୍ରକାରାନ୍ତରେ ଅପସାହିତ୍ୟକୁ ପ୍ରୋତ୍ସାହନ ହିଁ ଯୋଗାଇ ଦେଇଥାଆନ୍ତି। ସେମାନଙ୍କ ଏତାଦୃଶ କାର୍ଯ୍ୟ ଯୋଗୁ ସାହିତ୍ୟ ନାମରେ ଅପସାହିତ୍ୟ ସୃଷ୍ଟି ହୋଇ ସାରସ୍ୱତ ସମୃଦ୍ଧି ସୁଦୂର ପରାହତ ହୁଏ, ଅଥଚ ସାହିତ୍ୟ, ସାହିତ୍ୟିକ, ସାହିତ୍ୟ ପତ୍ରିକା ଓ ସାହିତ୍ୟ ସଂସଦର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥାଏ।
ଅସାହିତ୍ୟିକ, ରୁଚିବିହୀନ ସାହିତ୍ୟ ପତ୍ରିକା, ଅପାଙକ୍ତେୟ ସଂପାଦକ ଓ ଅବାଞ୍ଛିତ ସାହିତ୍ୟ ସଂସଦ ହିଁ ଯଥାର୍ଥରେ ଅପସାହିତ୍ୟ ସୃଷ୍ଟିର କାରଣ। ଏଇମାନେ ହିଁ ସାହିତ୍ୟ ବିଭାଗଟିକୁ ଅଧିକାର କରି ସାରସ୍ୱତ କ୍ଷେତ୍ରରେ ଦୁର୍ନୀତି ଓ ଅନୀତିକୁ ପ୍ରୋତ୍ସାହନ ଦେଇଥାନ୍ତି। ଏମାନେ ଗୋଟିଏ ଗୋଟିଏ ସାହିତ୍ୟ ସଂସଦ ଗଢ଼ି ନିଜର ଆତ୍ମପ୍ରଚାର କରିବା ସହିତ ରାଜନୈତିକ ବ୍ୟକ୍ତିବିଶେଷ ଓ କ୍ଷମତାସୀନ ପଦାଧିକାରୀଙ୍କୁ କରାୟତ୍ତ କରି ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସଂସଦ, ପରିଷଦ ଓ ଏକାଡେମୀକୁ ନିଜ ନିୟନ୍ତ୍ରଣକୁ ନେଇଥାନ୍ତି। ସେମାନଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି କର୍ମକର୍ତ୍ତା ପଦବୀ ଅଳଙ୍କୃତ କରି ଅପସାହିତ୍ୟ ସୃଷ୍ଟିରେ ପୃଷ୍ଠପୋଷକତା କରିଥାନ୍ତି। ସାହିତ୍ୟର ଧାରା ଧରି ନ ଥିବା ବ୍ୟକ୍ତିବିଶେଷ ରାଜନୈତିକ ପ୍ରୋତ୍ସାହନରେ ଏହି ପଦ ଲାଭ କରିବାରେ ସମର୍ଥ ହୋଇଥାନ୍ତି, ଅଥଚ ସାହିତ୍ୟ ଓ ଅପସାହିତ୍ୟର ସଂଜ୍ଞାନ ହୃଦୟଙ୍ଗମ କରିବାକୁ ଅସମର୍ଥ ହୋଇଥାନ୍ତି। ସାହିତ୍ୟର ସଂଜ୍ଞା ଜାଣି ନ ଥିବା ଏହି ବ୍ୟକ୍ତିମାନଙ୍କ ତୁମ୍ବିତୋଫାନରେ ସାହିତ୍ୟ ଓ ସାହିତ୍ୟିକ ଉଭୟ ଅବହେଳିତ ଓ ଅସହାୟ ହୋଇ ଅପସାହିତ୍ୟକୁ ପ୍ରତିଷ୍ଠା ଅର୍ଜନ କରାଇଥାଏ। ଫଳରେ ସାହିତ୍ୟ ଦ୍ୱାରା ବୌଦ୍ଧିକ ବିକାଶ ପରିବର୍ତ୍ତେ ବୌଦ୍ଧିକ ବିନାଶ ହିଁ ଘଟିଥାଏ।

ସାହିତ୍ୟ ସଭାର ଗୁମର
ଅନେକ ସାହିତ୍ୟ ସଂସଦରେ ଉତ୍ସବ, ମହୋତ୍ସବ, ଆଲୋଚନାଚକ୍ର, କବିତା ପାଠ, ବାର୍ଷିକ ସମାରୋହ, ସୃଜନୀସନ୍ଧ୍ୟା ପ୍ରଭୃତି ଆୟୋଜନ କରାଯାଇ ରାଜନୈତିକ ବା କ୍ଷମତାସୀନ ବ୍ୟକ୍ତିବିଶେଷଙ୍କୁ ଉଦ୍‌ଘାଟକ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ବକ୍ତା ଭାବରେ ନିମନ୍ତ୍ରଣ କରାଯାଏ। କେତେକ ସାରସ୍ୱତ ସଂସଦ ବର୍ଷରେ ବହୁବାର ଭିନ୍ନ ଭିନ୍ନ ସ୍ଥାନରେ ଏତାଦୃଶ ମହୋତ୍ସବ ରଖି ଏମାନଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି ଅଥବା ସେହିମାନଙ୍କ ପ୍ରୋତ୍ସାହନରେ ଓ ଅନୁଦାନରେ ସାହିତ୍ୟ ନାମରେ ସ୍ୱପ୍ରଚାରର ଆଭିମୁଖ୍ୟ ଗ୍ରହଣ କରିଥାନ୍ତି। ପ୍ରତ୍ୟେକ ଉତ୍ସବରେ କିଛି ବ୍ୟକ୍ତିଙ୍କୁ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଏ। ସୂଚନାଯୋଗ୍ୟ ଯେ ପୁରସ୍କାର, ସମ୍ମାନ ସମ୍ବର୍ଦ୍ଧନା ପ୍ରଦାନ ନିମିତ୍ତ ସେମାନଙ୍କଠାରୁ ଅର୍ଥ ମଧ୍ୟ ଆଦାୟ କରାଯାଏ ତଥା ସେହି ଅର୍ଥରେ ଉତ୍ସବର ଆୟୋଜନ ହୁଏ। ଅତିଥି ଓ ବକ୍ତା ହେବା ନିମିତ୍ତ ମଧ୍ୟ କିଛି ବ୍ୟକ୍ତି ଅର୍ଥ ପ୍ରଦାନ କରିଥାନ୍ତି। ଅତିଥି, ବକ୍ତା ବା ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସାହିତ୍ୟିକ ମଧ୍ୟ ନୁହନ୍ତି। ଗଣମାଧ୍ୟମ ସେମାନଙ୍କର ଏତାଦୃଶ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭାବରେ ପ୍ରସାରଣପୂର୍ବକ ପ୍ରଚାର ଆଭିମୁଖ୍ୟକୁ ବ୍ୟାପକ କରିଥାନ୍ତି। ଏସବୁ କ୍ଷେତ୍ରରେ ପ୍ରକୃତ ସାହିତ୍ୟିକଙ୍କର ସ୍ଥାନ ନ ଥାଏ। କେବଳ ଉଦ୍‌ଘାଟକ, ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାଙ୍କର ସ୍ତାବକ ତଥା ଆର୍ଥିକ ସହାୟତା ପ୍ରଦାନପୂର୍ବକ ଆଶାୟୀ ଅସାହିତ୍ୟିକ ଏବଂ ସେମାନଙ୍କର ଅନୁଗାମୀଙ୍କ ଦ୍ୱାରା ସଭାସ୍ଥଳ ପୂର୍ଣ୍ଣ ହୋଇଥାଏ। ଏହାଦ୍ୱାରା ସାହିତ୍ୟ ସମୃଦ୍ଧି ନାମରେ ଅପସାହିତ୍ୟ ସୃଷ୍ଟିର ପଥ ପ୍ରଶସ୍ତ ହୋଇଥାଏ। ଅନେକ ମଧ୍ୟ ରାଜନୈତିକ ବ୍ୟକ୍ତିବିଶେଷ ଅଥବା କ୍ଷମତାସୀନ ପଦାଧିକାରୀ ନ ହୋଇ ଆପଣାର ଅର୍ଥ ପ୍ରାବଲ୍ୟରେ ଉଦ୍‌ଘାଟକ, ମୁଖ୍ୟ ଅତିଥି ବା ମୁଖ୍ୟ ବକ୍ତା ଆସନ ଅଳଙ୍କୃତ କରିଥାନ୍ତି। ସାରସ୍ୱତ ମହୋତ୍ସବର ଆୟୋଜକମାନେ ଅର୍ଥ ପ୍ରତିବଦଳରେ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଥାନ୍ତି। ଏ କ୍ଷେତ୍ରରେ ଅସାହିତ୍ୟିକ ହିଁ କର୍ଣ୍ଣଧାର ବୋଲାଇଥାନ୍ତି ଓ ସୃଜନଶୀଳ ପ୍ରତିଭାବନ୍ତ ସ୍ରଷ୍ଟା ଅବହେଳିତ ହୋଇଥାନ୍ତି। ସଂସଦର ମୁଖପତ୍ରରେ ଏହି ଅସାହିତ୍ୟିକଙ୍କ ଲେଖା ମୁଖ୍ୟପୃଷ୍ଠା ମଣ୍ଡନ କରିଥାଏ। ଏହା ସତ୍ୟ ଯେ, ଅପସାହିତ୍ୟ ପରିପୂର୍ଣ୍ଣ ଏତାଦୃଶ ମୁଖପତ୍ର ସାଧାରଣ ପାଠକଙ୍କ ନିକଟରେ ନ ପହଞ୍ଚି ବଣ୍ଟନ ଓ ଉପହାର ମାଧ୍ୟମରେ ଏପରି ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିଥାଏ।
ଯେଉଁମାନଙ୍କର ପଢ଼ିବାକୁ ସମୟ ନ ଥାଏ ଯଦିବା ସମୟ ମିଳେ, ଲେଖାଗୁଡିକ ନିମ୍ନମାନର ହୋଇଥିବାରୁ ପାଠକ ରୁଚି ଜାଗ୍ରତ ହୁଏ ନାହିଁ। କେତେକ କ୍ଷେତ୍ରରେ ସରକାରୀ ସ୍ତରରେ ପ୍ରକାଶିତ ସ୍ମରଣିକା ବା ସାମୟିକ ସଙ୍କଳନରେ ଅଗଣିତ ଅସାହିତ୍ୟିକଙ୍କର ବହୁଳ ଅପସାହିତ୍ୟ ମୁଦ୍ରିତ ହୋଇଥାଏ। କାରଣ ସଙ୍କଳନ ଦାୟିତ୍ୱ ବହନ କରିଥିବା ପଦାଧିକାରୀ ବା ବ୍ୟକ୍ତିଙ୍କର ଏହି ଅପସାହିତ୍ୟ ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସତ୍‌ସାହସ ନ ଥାଏ। ସମୟେ ସମୟେ ଏକାଡେମୀ ଓ ସଂସ୍କୃତି ବିଭାଗ ପୁସ୍ତକ ପ୍ରକାଶନ କରିଥାନ୍ତି, ଯେଉଁଥିରେ ସାହିତ୍ୟିକଙ୍କର ଅପସାହିତ୍ୟ ହିଁ ପ୍ରକାଶିତ ହୋଇଥାଏ।
ସାହିତ୍ୟର ଭୂମି ଓ ଭୂମିକା ଜାଣି ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ହିଁ ଅପସାହିତ୍ୟ ସୃଷ୍ଟି ହୋଇଥାଏ। ସଂପ୍ରତି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଓ ସରକାରୀ ସାହିତ୍ୟାନୁଷ୍ଠାନରେ ସେମାନଙ୍କ ପତିଆରା ବେଶି। ତେଣୁ ପ୍ରକୃତ ସାହିତ୍ୟିକ ଅସହାୟ ହୋଇ ପଡିଲେଣି। ଏହି ଅପସାହିତ୍ୟ ସୃଷ୍ଟିବ୍ୟାଧି ନଗର, ସହର ଓ ଗ୍ରାମାଞ୍ଚଳକୁ ବ୍ୟାପିଗଲାଣି। ସାହିତ୍ୟ ଓ ଅପସାହିତ୍ୟ ଦୁଇଟି ବିପରୀତବୋଧକ ଶବ୍ଦ। ସାହିତ୍ୟରେ ଜୀବନର ବିକାଶ ଓ ଅପସାହିତ୍ୟରେ ଜୀବନର ବିନାଶ। ସଂପ୍ରତି ସାହିତ୍ୟ ନାମରେ ଅପସାହିତ୍ୟର ବ୍ୟାପକ ପ୍ରସାର ଚାଲିଛି। ଫଳରେ ଓଡ଼ିଆ ସାହିତ୍ୟ ଆଉ ପାଠକଙ୍କର ଆଦରର ବସ୍ତୁ ହୋଇ ରହିନାହିଁ। ଆଶ୍ଚର୍ଯ୍ୟର କଥା, ସମସ୍ତେ ଜାଣି ଶୁଣି ମଧ୍ୟ ଅପସାହିତ୍ୟ ସୃଷ୍ଟି ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରୁନାହାନ୍ତି। ଅଧିକନ୍ତୁ ଚାନ୍ଦାଭେଦା ଦେଇ ସାହିତ୍ୟିକଟିଏ ହେବାକୁ ସମସ୍ତଙ୍କର ତୀବ୍ର ଲାଳସା। ଯଦି କେହି ଅପସାହିତ୍ୟ ବିରୁଦ୍ଧରେ ପ୍ରତିବାଦ କରୁଛି ସେ ଅସାହିତ୍ୟିକଙ୍କର ଆକ୍ରୋଶର ଶିକାର ହେଉଛି। କୌଣସି ସତ୍ୟନିଷ୍ଠ ସ୍ରଷ୍ଟା ଏ ସମ୍ପର୍କରେ ସ୍ୱର ଉତ୍ତୋଳନ କଲେ ତା’ର ସାରସ୍ୱତ ପ୍ରତିଭାକୁ ଅକର୍ମଣ୍ୟ କରାଯାଏ, ତା’ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା କରାଯାଏ, କଳେ ବଳେ କୌଶଳେ ତାକୁ ସାରସ୍ୱତ ପୁରସ୍କାର ଓ ସମ୍ମାନରୁ ବଞ୍ଚିତ କରାଯାଏ ଏବଂ ରାଜନୈତିକ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ତା’ ବିରୁଦ୍ଧରେ ନାନାଦି ମିଥ୍ୟା କୁହାଯାଇ ତା’ର ଅଶେଷ କ୍ଷତି ସାଧନ କରାଯାଏ। ତଥାପି ଓଡ଼ିଶାରେ ଅନେକ ସତ୍ୟାନୁସନ୍ଧାନୀ ଓ ନିର୍ଭୀକ ସାହିତ୍ୟିକ ଅଛନ୍ତି, ଯେଉଁମାନେ ଅପସାହିତ୍ୟ ସୃଷ୍ଟିକାରୀ ଅସାହିତ୍ୟିକଙ୍କୁ ଦୃଢ଼ ସମାଲୋଚନା କରିଥାନ୍ତି। ସାହିତ୍ୟ ଜାତିର ଆତ୍ମପରିଚୟ ବହନ କରୁଥିବାରୁ ଅପସାହିତ୍ୟ ବିରୁଦ୍ଧରେ ସମ୍ମିଳିତ ପ୍ରତିବାଦ ଏକାନ୍ତ ଜରୁରୀ ହୋଇପଡିଛି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ , ୨୦୨୨ ସଂଖ୍ୟାରେ ପ୍ରକାଶିତ । )

2 thoughts on “ସାହିତ୍ୟ ନାମରେ ଅପସାହିତ୍ୟ

  1. ଅତି ଚମତ୍କାର ପରିବେଷଣ। ପ୍ରତିଟି ଧାଡି ସତ୍ଯ। ବହୁତ ସୁନ୍ଦର ସମୀକ୍ଷା ଅପସାହିତ୍ୟର। ଧନ୍ୟବାଦ।

  2. ଯୁଗୋପଯୋଗୀ ଉପସ୍ଥାପନ ଓ ନିରାଟ ସତ୍ୟ ।ଲେଖକ ଓ ପ୍ରକାଶକ ମହୋଦୟଙ୍କୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *