“କସ୍ୟ ଋଣଗ୍ରହଣ ପତ୍ରମିଦଂ କାର୍ଯ୍ୟଞ୍ଚାଗେ; ଲେଖିତଂ ଅମୁକ ଦେବ୍ୟା।”
ଆରମ୍ଭରୁ ଖେଚେଡ଼ିଆ ପଦେ ଲେଖିଛି ବୋଲି ଆମ୍ଭଙ୍କୁ ଖେଚେଡ଼ିଆ ବୋଲି ବୁଝିବେନି। ଏଇ ହେଲା ଶିକ୍ଷିତ ଓ ଅଶିକ୍ଷିତ, ସାଧୁ ଓ ସଇତାନ, ସମ୍ଭ୍ରାନ୍ତ ଓ ମଳିମୁଣ୍ଡିଆ ତଥା ସର୍ବସାଧାରଣଙ୍କ ଏକ ପବିତ୍ର ଅନୁଷ୍ଠାନରେ ବ୍ୟବହୃତ ହୋଇ ଆସୁଥିବା ଭାଷାପ୍ରୟୋଗର ଏକ ଉଦାହରଣ ମାତ୍ର।
ଆମ ଓଡ଼ିଆ ଭାଷାରେ ଏକକୁ ଆରେକ ହୁଡ଼ାହୁଡ଼ି। ଏଣୁ, ସରକାରଙ୍କ ଭାଷାକୋଷ, ସର୍ବସାଧାରଣଙ୍କ ଭାଷାକୋଷ, କଥିତ ଭାଷାକୋଷ, କାର୍ଯ୍ୟାଳୟ ଭାଷାକୋଷ, ପଣ୍ଡିତଙ୍କ ଭାଷାକୋଷ, ଆଉ କଥାଅକଥାର ଭାଷାକୋଷର ଗହଗହରେ ଆମ ପାଇଁ ଏକ ସରଳ ଶୁଦ୍ଧ ଓଡ଼ିଆ ଭାଷାକୋଷର ସଂସ୍କରଣଟିଏ ବିରଳ। ସେଥି ପ୍ରତି କେଉଁ ଅତିଜ୍ଞାନୀଙ୍କ ନିଘା ନାହିଁ। ଅଳପ ଲେଖ କି ଗଳପ ଲେଖ; ତାକୁ ଟିକଲ କରିବାକୁ ପଣ୍ଡିତଙ୍କ ଅଭାବ ନାହିଁ। ଉହୁଙ୍କି ଆସିବେ ସଂସ୍କୃତୋଡ଼ିଆ ଛାଟ ନେଇ;
“ଆରେ ହେ, ଚନ୍ଦ୍ରବିନ୍ଦୁ ଦେଲୁ କିଆଁ!”,
“ଦନ୍ତ ସ ବୋଲି କିଏ କହିଲା!”,
“ହ୍ୟାଳିପ, କେଉଁ କୋବିଦ ପଢ଼େଇଥିଲା କି ରେ!”,
“ତମ ବଉଁଶରେ କିଏ ଓଡ଼ିଆ ପଢ଼ିଥିଲା !”,
ଏହି ଭଳି କେତେକଣ ଶବ୍ଦକୋରଡ଼ାରେ ଆପଣମାନଙ୍କ ଭଳି ଏଇ ଅକିଞ୍ଚନ ମଧ୍ୟ ଅପଦସ୍ତ। ହେଲେ ବି ଖୋଜା ଚାଲିଛି ସରଳ ଶୁଦ୍ଧ ଶବ୍ଦକୋଷଟିଏ ଏହି ପଣ୍ଡିତମ୍ମନ୍ୟ ଭାଷା ଓ ସାହିତ୍ୟ ସଂସାରରେ।
ଆରମ୍ଭ କରିଥିଲି ଖେଚୁଡ଼ିଆ ଅଦାଲତୀ ଭାଷାରୁ ଯାହା କଚିରିଆ ବିକୃତ ଭାଷା ରୂପେ ସର୍ବଜନବିଦିତ; ଯେଉଁଠି ସବୁ ପ୍ରକାର ଭାଷାର ଅବାଧ ପ୍ରବେଶ। ହିନ୍ଦି, ବଙ୍ଗଳା, ଉର୍ଦ୍ଦୁ, ସଂସ୍କୃତ, ଆରବୀ, ପାର୍ଶୀ, ଇଂରାଜୀ ସହ ଆହୁରି କିଛି ବୈଦେଶିକ ଶବ୍ଦସମୂହ ଏବେ ମଧ୍ୟ ଆସ୍ଥାନ ଜମାଇ ବସିଛନ୍ତି। ବହୁ ପୂର୍ବେ ବିଭିନ୍ନ କାର୍ଯ୍ୟାଳୟରେ ଅଣଓଡ଼ିଆ ଥିବାରୁ ଏହିଭଳି ଅପଭ୍ରଂଶର ପ୍ରାରମ୍ଭ ହୋଇଥିଲା। କେତେ ସ୍ଥାନରେ ଅଣଓଡ଼ିଆ ଭାଷା ନଥିପତ୍ରର ଶୋଭାବର୍ଦ୍ଧନ କରୁଥିଲା ତ କେଉଁଠି ଶୁଦ୍ଧ ଓଡ଼ିଆ ଶବ୍ଦର କାର ଓ ଫଳା ସବୁକୁ ଠେଲାପେଲା କରି ନୂତନ ଓଡ଼ିଆ ଶବ୍ଦ ଗଠନ କରାଯାଉଥିଲା।
ଏହି ଶବ୍ଦ କେତେଗୁଡ଼ିଏ ରଖୁଛି ଆପଣଙ୍କ ସଂଶୟ ଘୁଞ୍ଚାଇବା ନିମନ୍ତେ। ଅରଜି, ଫଇସଲା, ନୋଟିସ୍, ପରୱାନା, କ୍ରୋକ, ରିଭ୍ୟୁ, ସେଟଲ୍ମେଣ୍ଟ୍, ଫରମାଇସ୍, ଚଳାଚଳ ପ୍ରଭୃତି ଏବେ ବି ନିର୍ଭୟରେ ଆମ ସଞ୍ଚାରମାଧ୍ୟମ, ଖବରକାଗଜ, ବିଜ୍ଞପ୍ତିରେ ଆତଯାତ ହେଉଛନ୍ତି।
ଅଦାଲତରେ ଓକିଲ, ମୁକ୍ତାର, ବିଭିନ୍ନ କାର୍ଯ୍ୟାଳୟର ଅମଲା ସମଗ୍ର ଏଥିପ୍ରତି ଧ୍ୟାନ ଦେଉନଥିଲେ। ସେହି ପଦପଦବୀରେ ଆମ୍ଭ ଓଡ଼ିଆ ଶିକ୍ଷିତ ଭାଇଭଉଣୀଙ୍କର ଆବିର୍ଭାବ ହୋଇଛି; ହେଲେ ସେହି ଅଶୁଦ୍ଧ, ବ୍ୟାକରଣବିରୁଦ୍ଧ, ବର୍ଣ୍ଣାଶୁଦ୍ଧିପୂର୍ଣ୍ଣ, ସାଙ୍କେତିକ, ବିକୃତ ପ୍ରଭୃତି ଶବ୍ଦମାନଙ୍କର ପ୍ରସ୍ଥାନ ହୋଇନାହିଁ। ବିଭିନ୍ନ ପୋଥି, ପାଞ୍ଜିରୁ ଦୁଇ ଚାରିପଦ ଅଳଙ୍କରଣ ଭାଷା ପୂରାଇ ତାକୁ ଆହୁରି ସମ୍ଭ୍ରାନ୍ତ କରିବାର ଲୋଭ ସମ୍ବରଣ କରିପାରୁନଥିବା ଏହି ପ୍ରଜାତିଙ୍କ ପାଇଁ ଆଜି ଏକ ସ୍ୱତନ୍ତ୍ର ଭାଷାକୋଷର ଖୋଜା ଚାଲିଛି। ଖୋଜା ଚାଲିଛି ଧୀରେ ଧୀରେ ବୟସାଧିକ୍ୟ ହେତୁ ମଉଳି ଯାଉଥିବା ଆମର ସମ୍ମାନନୀୟ ଭାଷାବିଦ୍ମାନଙ୍କର ପ୍ରକୃତ ବଂଶଧରମାନଙ୍କୁ ଯିଏ ଏହି ବିଶ୍ରୀମୟ ଅପଭ୍ରଂଶର ଶବ୍ଦସଂସାରକୁ ସୁଧାରି ନେବ ଆମ ସଭିଙ୍କ ପାଇଁ।
ଆମ ରାଜ୍ୟର ଅନେକ ଲେଖକ, ପ୍ରକାଶକ, ପାଠକ ତଥା ସମୀକ୍ଷକ ଏବେ ବି ଏହି ଅନ୍ଧତାମିସ୍ରରେ ରହିଛନ୍ତି ଯେ “ବ୍ରହ୍ମା ବିଳିବିଳେଇଲେ ବେଦ” ପ୍ରାୟେକ “ଆଗଧାଡ଼ିଆ – ପୁରସ୍କାରପ୍ରାପ୍ତ ଲେଖକ ଲେଖୁଥିବା ସବୁ ଭାଷା ଓ ବ୍ୟାକରଣ ହିଁ ସାହିତ୍ୟ”। ଏଜନ୍ ନିରାଟ ସତ ପଦିଏ କହି, କାହା ନାଗନାଡ଼ିକି ଛୁଇଁ ଦେଲି କି ଆଉ!
ଅଳମତିବିସ୍ତରେଣ।
-ପ୍ରଭୂ
* ଏଜନ୍ – (ସର୍ବନାମ) ଏହି, ବା ଏହା।
ଚମତ୍କାର ଉପସ୍ଥାପନା ପ୍ରଶାନ୍ତ ସାର। ଧନ୍ୟବାଦ।
ଚକ୍ରଧର ଭାଇ
ସୁମନାସ।
ହେ ପାଠକ!
ଆଖିରେ ଆଖିଏ ସପନ
ହୁରୁଦରେ ସରାଗର କଥା
ଶବଦ କହିବ ଆଖ୍ୟାନ
ଶୁଣିବକି ରଚକ ବାରତା
-ପ୍ରଭୂ