- ଆମେ ଲେଖକ ଏଠି ଶହେ, ହେଲେ ପାଠକ ଏଠି ହଜାର ହଜାର। ଅଧିକାଂଶ ପାଠକ ନୀରବରେ ଲେଖା ପଢି ଚାଲିଯାଇଥାନ୍ତି।
ଓଡ଼ିଆ ସାହିତ୍ୟ ଆକାଶରେ ‘ଅନଲାଇନ ପ୍ଲାଟଫର୍ମ’ କହିଲାବେଳେ ଓଡ଼ିଆ ସାହିତ୍ୟର ଗଣତନ୍ତ୍ରୀକରଣ (ଡେମୋକ୍ରାଟାଇଜେନ) ଧାରଣାଟି ମନ ଭିତରକୁ ପଶିଆସେ। ଗଣତନ୍ତ୍ରୀକରଣର ରାଜନୈତିକ ସଂଜ୍ଞାଟି ଚୋରେଇ ଆଣିଲେ ତାହା ସାହିତ୍ୟର ସେହି ସ୍ୱରୂପକୁ ପ୍ରଦାନ କରେ ଯାହା – ଲୋକମାନଙ୍କର, ଲୋକମାନଙ୍କ ପାଇଁ ଆଉ ଲୋକମାନଙ୍କ ଦ୍ୱାରା। ଅନଲାଇନ ସାହିତ୍ୟ ପ୍ଲାଟଫର୍ମକୁ ନେଇ ଅନ୍ୟମାନଙ୍କ କଥା କହିବା ପୂର୍ବରୁ ମୁଁ ମୋ ଅନୁଭବ କହିରଖେ; ମୁଁ ଏହାକୁ ଓଡ଼ିଆ ସାହିତ୍ୟର ଗଣତନ୍ତ୍ରୀକରଣ ଦିଗରେ ବିରାଟ ଉତ୍ପ୍ରେରକ ବୋଲି ଭାବେ। ଏହି ପ୍ଲାଟଫର୍ମଗୁଡିକ ମାଧ୍ୟମରେ ମୁଁ ନିଜକୁ ଅଗଣିତ ପାଠକଙ୍କ ଭିତରେ ପାଇ ଅପୂର୍ବ ଲେଖକୀୟ ପରିତୃପ୍ତି ଅନୁଭବ କରେ। ଏହା ପାଇଁ ମୋତେ କୌଣସି ପବ୍ଲିଶିଂ ହାଉସ ଅବା ସାହିତ୍ୟ ବଡ଼ପଣ୍ଡାଙ୍କ ଦ୍ୱାରସ୍ଥ ହେବାର ବାଧ୍ୟବାଧକତା ଉତ୍ପନ୍ନ ହୋଇନାହିଁ।
ଥରକର କଥା କହୁଛି। ହାଇଦ୍ରାବାଦ ଏୟାରପୋର୍ଟରେ ଭୁବନେଶ୍ୱର ଯିବାକୁ ବିମାନର ପ୍ରତୀକ୍ଷା କଲାବେଳେ ମୁଁ କ୍ଷୁଦ୍ରଗଳ୍ପଟିଏ ସମ୍ପୂର୍ଣ୍ଣ କରି ମୋ ଫେସବୁକ୍ ଟାଇମ୍ ଲାଇନରେ ପୋଷ୍ଟ କଲି ମୋର ପ୍ରଶଂସକମାନଙ୍କ ପାଇଁ। ଏହାଛଡ଼ା ସେହି ଗପଟିକୁ ଚାରି ଚାରିଗୋଟି ଫେସବୁକ ସାହିତ୍ୟ ଗ୍ରୁପରେ ଆଉ ହ୍ୱାଟ୍ସଆପ ଗ୍ରୁପରେ ମଧ୍ୟ ପୋଷ୍ଟ କଲି। ମୋର ଫେସବୁକ୍ ଆକାଉଣ୍ଟ ସହିତ ମୋର ଇନ୍ଷ୍ଟାଗ୍ରାମ ଏକାଉଣ୍ଟ ଯୋଡ଼ା ଯାଇଥିବା କାରଣରୁ ଇନ୍ଷ୍ଟାଗ୍ରାମରେ ବି କବିତାଟି ସ୍ୱୟଂକୃତ ରୂପେ ପୋଷ୍ଟିଂ ହୋଇଗଲା। ସର୍ବଶେଷରେ ‘ପ୍ରତିଲିପି’ ନାମକ ୱେବ୍ ପୋର୍ଟାଲରେ ଯେତେବେଳେ ଗଳ୍ପଟିକୁ ପୋଷ୍ଟ୍ କଲି ତାହା ତତ୍କ୍ଷଣାତ ନୋଟିଫିକେସନ ମାଧ୍ୟମରେ ମୋର ୯୪୦୦ ଫଲୋଅରଙ୍କ ପାଖରେ ପହଞ୍ଚିଗଲା। ଏ ସବୁ ମୁଁ ପନ୍ଦର ମିନିଟ ଭିତରେ କରିପାରିଲି। ମୋର ଲେଖା ସମୟାଙ୍କିତ ହୋଇ ଅଲଗା ଅଲଗା ଫୋରମ, ୱେବ୍ସାଇଟ, ବ୍ଲଗ୍ ବା ଅନ୍ଲାଇନ ସାହିତ୍ୟ ପ୍ଲାଟଫର୍ମରେ ଉପଲବ୍ଧ ହୋଇଗଲା। ଲେଖାର ମଞ୍ଜି ବୁଣିସାରିବା ପରେ ଫସଲ କାଟିବାର ବେଳ। ମୋ ଲେଖାକୁ ନେଇ ପାଠକମାନଙ୍କର ପ୍ରତିକ୍ରିୟା ମୋ ଗୋଚରକୁ ଆସିବାକୁ ଲାଗିଲା। ବିମାନ ଉଡ଼ିବା ପୂର୍ବରୁ ସିଟରେ ବସି ରହି ମୁଁ ମୋ ପ୍ରଶଂସକମାନଙ୍କ ଟିପ୍ପଣୀ ପଢି ସେମାନଙ୍କ ଜିଜ୍ଞାସାର ହସି ହସି ସମାଧାନ କରୁଥିଲି।
ମୋର ସମସ୍ତ ଲେଖା ମୋ ଫୋନ୍ ଭିତରେ ଅଛି। ଫୋନ ଭିତରେ କହିଲେ ବି ଭୁଲ ହେବ। ସତ କହିବାକୁ ଗଲେ ଫୋନ କେବଳ ଜରିଆଟିଏ। ମୁଁ ମୋ ଫୋନର କୀ-ପ୍ୟାଡ୍ ଉପରେ ଅଙ୍ଗୁଳି ଚାଳନା କରି ଲେଖେ ସତ, ମୁଁ ଲେଖୁଥିବା ମୋର ସମସ୍ତ ସମ୍ପୂର୍ଣ୍ଣ ଆଉ ଅସମ୍ପୂର୍ଣ୍ଣ ଲେଖା ଅନ୍ୟତ୍ର ଅବସ୍ଥିତ କୌଣସି କମ୍ପୁଟର ସର୍ଭର ବା କ୍ଲାଉଡ୍ରେ ଗଚ୍ଛିତ ହୋଇଯାଏ। ମୁଁ ଯେଉଁଆଡ଼େ ଯାଏ, ମୋର ଅପ୍ରକାଶିତ ଓ ପ୍ରକାଶିତ ଲେଖାକୁ ଫୋନ୍ର ପରଦାରେ ଦେଖିପାରେ। ମୋ ଫୋନର ପରଦା କେବଳ ଗୋଟିଏ ଝରକା ମାତ୍ର। ମୋ ପ୍ରକାଶିତ ଲେଖା ପଢିବାକୁ ଦୁନିଆର ଅଲଗା ଅଲଗା କୋଣରେ ଏକ ସମୟରେ ଅଗଣିତ ଝରକା ଖୋଲିଯାଇପାରେ।
ଷ୍ଟେକ୍ ହୋଲ୍ଡର
ମୁଁ ଯେଉଁସବୁ କଥା ଏ ଯାଏଁ କହିଲି, ତାହା ସବୁ ଗୋଟିଏ ଲେଖକର ଦୃଷ୍ଟିକୋଣରୁ କହିଲି। ଗୋଟିଏ ଅନ୍ଲାଇନ ସାହିତ୍ୟ ପ୍ଲାଟଫର୍ମର ଉପଯୋଗ ବିଭିନ୍ନ ଲାଭଗ୍ରାହୀ ତତ୍ତ୍ୱ (ଷ୍ଟେକ୍ ହୋଲ୍ଡର) କରିଥାଆନ୍ତି। ସେମାନେ ହେଲେ –
(କ) ପାଠକ,
(ଖ) ଲେଖକ,
(ଗ) ପ୍ରକାଶକ ଓ ପୁସ୍ତକ ବିକ୍ରେତା; ଓ
(ଘ) ଅନ୍ୟ ବିଭିନ୍ନ ଲାଭଗ୍ରାହୀ ତତ୍ତ୍ୱ (ଅଡିଓ ବୁକ୍ ବା ଫିଲ୍ମ ନିର୍ମାତା, ରିସର୍ଚ୍ଚ କରୁଥିବା ବ୍ୟକ୍ତି ଅଥବା ସଂସ୍ଥା, ସମୀକ୍ଷକ ଇତ୍ୟାଦି)
ଏହି ତତ୍ତ୍ୱମାନଙ୍କ ବିଷୟରେ ସଂକ୍ଷେପରେ ଲେଖୁଛି।
ପାଠକ
ପାଠକ ଆଉ ଶ୍ରୋତା ନିଜର କୌଣସି ପ୍ରତ୍ୟକ୍ଷ ଯୋଗଦାନ ନ ଥାଇ ମଧ୍ୟ ସାହିତ୍ୟିକ ରଚନା ଆଉ ଅଡିଓ/ଭିଡିଓ ଉତ୍ପାଦନର ସବୁଠୁଁ ବଡ଼ ଲାଭଗ୍ରାହୀ।
ପାଠକ ଆଉ ଶ୍ରୋତା ସଂଖ୍ୟା ଗୋଟିଏ ଲେଖକ ବା ସ୍ରଷ୍ଟାର ରଚନା ଆଉ ଜନପ୍ରିୟତାର ପରିମାପକ। ନିଜ ସୃଷ୍ଟିର ଗୁଣବତ୍ତାରେ କୌଣସି ଅଭାବ ନ ଥିଲେ ମଧ୍ୟ ଏହାକୁ ଠିକ ରୂପେ ପ୍ରଚାର, ପ୍ରସାର ଓ ପରିବେଷଣ କଲେ ପାଠକ ସଂଖ୍ୟା ବଢିବ। ସେଥିପାଇଁ ଲେଖକ, ବ୍ଲଗ୍ ବା ଚ୍ୟାନେଲ ମାଲିକ ସର୍ବଦା ଲେଖାକୁ ଲାଇକ୍, କମେଣ୍ଟ, ସେୟାର ଆଉ ସବ୍କ୍ରିପ୍ସନ କରିବାକୁ କହି ଥାଆନ୍ତି।
ଲେଖକ
ଗୋଟିଏ ଲେଖକ ନିଜ ପ୍ରବୃତ୍ତିର ଦାସ। ନିଜ ସହଜାତ ପ୍ରତିଭା ଆଉ ପ୍ରବୃତ୍ତିରେ ଉନ୍ମତ୍ତ ଲେଖକ ପାଗଳ ଭଅଁରଟିଏ। ତାକୁ ଲୋଡ଼ା ପାଠକର ସ୍ନେହ। କିନ୍ତୁ ଏବେ ଲେଖକମାନେ ପେସାଦାର ହେବାକୁ ଲାଗିଲେଣି। ଆଜିକାଲି ସୃଜନଶୀଳ ଲେଖାର ଶିକ୍ଷା ଓ ତାଲିମ ଦିଆଯାଉଛି। ଲେଖକମାନେ କେବଳ ପ୍ରଶଂସା ଆଉ ନାମ ନୁହେଁ, ସେମାନଙ୍କ ଶ୍ରମର ମୂଲ୍ୟ ବି ଚାହାନ୍ତି।
ଲେଖକ ଓ ପାଠକ ଭିତରେ ଥିବା ଏହି ମୌଳିକ ସମ୍ବନ୍ଧକୁ ନେଇ ଅନ୍ୟ ଲାଭଗ୍ରାହୀମାନେ ଅନୁପ୍ରବେଶ କରିଥାନ୍ତି।
ପ୍ରକାଶକ ଓ ପୁସ୍ତକ ବିକ୍ରେତା
ଗୋଟିଏ ପ୍ରକାଶକ ଜନପ୍ରିୟ ଲେଖକମାନଙ୍କର ତଲାସରେ ଥାଏ। ସେଇମାନଙ୍କ ବହି ଛାପିଲେ ତାହା ଅତ୍ୟଧିକ ବିକ୍ରି ହେବ। ଅନ୍ଲାଇନ ସାହିତ୍ୟ ପ୍ଲାଟଫର୍ମ ହେବା ପରେ ସେମାନଙ୍କ ବ୍ୟବସାୟ ସଙ୍କୁଚିତ ହୋଇଗଲା କହିଲେ ଭୁଲ ହେବ, ବରଂ ସେମାନଙ୍କ ପାଇଁ ଜନପ୍ରିୟ ଲେଖା ନିର୍ବାଚନ କରିବା ସହଜ ହୋଇଗଲାଣି। ସମୀକ୍ଷକମାନଙ୍କୁ ସମୀକ୍ଷା ପାଇଁ ପୂର୍ବ ପରି ଏତେଗୁଡିଏ ସାମଗ୍ରୀ କିଣିବାକୁ ପଡୁନାହିଁ। ସେମାନେ ଅନଲାଇନ ସମ୍ପଦ ଅନୁଧ୍ୟାନ କରି ବିଭିନ୍ନ ସାହିତ୍ୟ ସ୍ରଷ୍ଟାଙ୍କ ବିଷୟରେ ତଥ୍ୟ ଏକାଠି କରି ପାରୁଛନ୍ତି। ଅଡିଓବୁକ୍ ଆଉ ଫିଲ୍ମ ପରି ଉପକ୍ରମ ପାଇଁ ଏବେ ନିର୍ମାତାମାନେ ଭଲ ଲେଖକ ଓ ତାଙ୍କ ଲେଖାକୁ ସହଜରେ ଚିହ୍ନଟ କରିପାରୁଛନ୍ତି।
ଅନ୍ଲାଇନ ସାହିତ୍ୟ ପ୍ଲାଟଫର୍ମର ସ୍ୱରୂପ:
(କ) ସରକାରୀ ଅନଲାଇନ ସାହିତ୍ୟ ପ୍ଲାଟଫର୍ମ : ଓଡ଼ିଆ ସାହିତ୍ୟର ବିକାଶ ପାଇଁ ବିଭିନ୍ନ ସମୟରେ ଓଡ଼ିଶା ସରକାର ଅନ୍ଲାଇନ ପ୍ଲାଟଫର୍ମ ବିକଶିତ କରିବାକୁ ଉଦ୍ୟମ କରିଛନ୍ତି। କୌଣସି ପ୍ରେରଣାରୁ ପ୍ରାରମ୍ଭ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ, ପରବର୍ତ୍ତୀ ସମୟରେ ସରକାରୀ ସାଇଟ୍ଗୁଡିକ କେବଳ ଔପଚାରିକତା ପୂର୍ଣ୍ଣ କରିବା ପାଇଁ ବା ସରକାରୀ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ କରିବା ଲାଗି ସର୍ଜିତ ବୋଲି ମନେ ହୁଏ। ବିଭିନ୍ନ ଲାଭଗ୍ରାହୀ ତତ୍ତ୍ୱଙ୍କ ସକ୍ରିୟ ଭୂମିକା ଏଥିରେ ନ ଥାଏ। ଏ ବିଷୟରେ ସ୍ଥିତି ସଂକ୍ଷେପରେ ଏହିପରି:
ଓଡ଼ିଆ ସାହିତ୍ୟ ଏକାଡେମୀ: ଏହା ସ୍ୱାଭାବିକ ଯେ, ଲେଖକ ଆଉ ପାଠକମାନେ ସାହିତ୍ୟ ବିକାଶ ଉଦ୍ଦେଶ୍ୟରେ ସ୍ଥାପିତ ସର୍ବୋଚ୍ଚ ସରକାରୀ ସଂସ୍ଥା ‘ଓଡ଼ିଶା ସାହିତ୍ୟ ଏକାଡେମୀ’ଠାରୁ ବହୁତ କିଛି ଆଶା କରନ୍ତି। ସେଥିପାଇଁ ଏକାଡେମୀ ଦ୍ୱାରା ନିର୍ମିତ ୱେବ୍ସାଇଟକୁ ମଝିରେ ମଝିରେ ଦେଖିବାକୁ ଯାଇଥାନ୍ତି। ଅନେକ ସମୟରେ ସେଠାକାର ପରିଦୃଶ୍ୟ ଉଭୟ ପାଠକ ଆଉ ଲେଖକକୁଳ ପାଇଁ ନିରାଶାଜନକ ହୋଇଥାଏ। ଏକାଡେମୀର ତ୍ରୈମାସିକ ନ୍ୟୁଜ୍ ଲେଟର ବି ନିୟମିତ ରୂପରେ ପ୍ରକାଶିତ ହେଉନାହିଁ। ଜନସାଧାରଣଙ୍କର ଆଳାପ ଆଲୋଚନା (ଇଣ୍ଟ୍ରାକ୍ସନ) କରିବାର କୌଣସି ବ୍ୟବସ୍ଥା ନାହିଁ। ଓଡ଼ିଶାର ଲେଖକ ଲେଖିକାଙ୍କ ସଦ୍ୟତମ ସୂଚୀ ଆଉ ଅନ୍ୟ ବିବରଣୀ ବି ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ।
ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ: ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ ୱେବ୍ସାଇଟର ସ୍ଥିତି ଆହୁରି ଶୋଚନୀୟ। ସେଠାରେ ଉପଲବ୍ଧ ପୁସ୍ତକର ତାଲିକାଟିଏ ବି ଦେଖିବାକୁ ପାଇଲି ନାହିଁ। ବିଭିନ୍ନ ବର୍ଷ ଲାଇବ୍ରେରୀରେ ସମ୍ମିଳିତ ହୋଇଥିବା ପୁସ୍ତକ ସଂଖ୍ୟାର ଗୋଟିଏ ଟେବୁଲ ବର୍ଷ ୨୦୧୫ ପର୍ଯ୍ୟନ୍ତ ଅପଡେଟ୍ ହୋଇ ସାଇଟ୍ରେ ପ୍ରଦର୍ଶିତ ହୋଇଛି ମାତ୍ର। ପରବର୍ତ୍ତୀ ସମୟରେ ଏହି କାମ ବୋଧେ ହାତକୁ ନିଆଯାଇ ପାରିନାହିଁ।
ଓଡ଼ିଆ ଭର୍ଚୁଆଲ ଏକାଡେମୀ (www.ova.gov.in): ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ନିମିତ୍ତ ନିର୍ମିତ ୱେବ୍ସାଇଟ। ଏହି ସଂସ୍ଥାର ଅନ୍ୟ ଲକ୍ଷ୍ୟଗୁଡିକ ମଧ୍ୟରେ ପୁରୁଣା। ଓଡ଼ିଆ ପତ୍ରିକା ଓ ମାଗାଜିନ, ଭାଷାକୋଷ, ଲୋକସାହିତ୍ୟ ଓ ଆଦିବାସୀ ସାହିତ୍ୟର ରକ୍ଷଣାବେକ୍ଷଣ ଓ ପ୍ରସାର, କମ୍ପୁଟର ଉପଯୋଗୀ ଆଧୁନିକତମ ୟୁନିକୋଡ୍ ଭାଷାର ବହୁଳ ପ୍ରଚଳନ ମଧ୍ୟ ସମ୍ମିଳିତ।
ବର୍ଷ ୨୦୨୨ ଶେଷ ସୁଦ୍ଧା କପିରାଇଟମୁକ୍ତ ୫୦୦୦ ପ୍ରାଚୀନ ଓ ବିରଳ ଓଡ଼ିଆ ପୁସ୍ତକର ଡିଜିଟାଇଜେସନ୍ କରି ପାଠକଙ୍କ ପାଇଁ ଉପଲବ୍ଧ କରିବା ଏହାର ଲକ୍ଷ୍ୟ। ଏବେ ବର୍ଷ ୨୦୨୨ ସରିବାକୁ ବସିଲାଣି। ଲକ୍ଷ୍ୟ କେତେ ପୂରଣ ହୋଇଛି, ତାହା ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ହିଁ କହି ପାରିବେ।
ସେ ଯାହା ହେଉନା କାହିଁକି, ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ଏହି ମହାନ ଯୋଜନା କିପରି ସଫଳ ହେବ ସେଥିପାଇଁ ସମସ୍ତଙ୍କୁ ଶୁଭକାମନା କରିବା ଆବଶ୍ୟକ।
ଓଡ଼ିଆ ଭାଷା ପ୍ରତିଷ୍ଠାନ: ଏହି ସଂସ୍ଥାର ଲିଙ୍କକୁ ମୁଁ www.ova.gov.in ୱେବ୍ସାଇଟରେ ପାଇଥିଲି। ଏହି ପ୍ଲାଟଫର୍ମ ଅକାମୀ ହୋଇ ପଡ଼ିଅଛି। ମୁଁ ଲିଙ୍କ୍କୁ ଖୋଲି ଆଗକୁ ଯାଇପାରିଲି ନାହିଁ।
(ଖ) ସୋସିଆଲ ମିଡିଆ ପ୍ଲାଟଫର୍ମ : ଫେସ୍ବୁକ ସାହିତ୍ୟ ଗ୍ରୁପ, ଇନଷ୍ଟାଗ୍ରାମ, ଟୁଇଟର, ୟୁ ଟ୍ୟୁବ ଆଦି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ। ଫେସ୍ବୁକରେ ଅନ୍ୟ ଭାଷା ପରି ଓଡ଼ିଆ ଭାଷାରେ ବି ଅନେକଗୁଡିଏ ସାହିତ୍ୟ ଗ୍ରୁପ ଅଛି। ସଦ୍ୟତମ ଲେଖା ପୁରୁଣା ଲେଖାକୁ ଅପସାରିତ କରି ପଛକୁ ଦେଉଥିଲେ ମଧ୍ୟ କୌଣସି ଲେଖକର ଲେଖାକୁ ଖୋଜିପାଇହେବ। ୟୁ ଟ୍ୟୁବ୍ରେ ଅନେକ ଲେଖକ ନିଜର କବିତା ବା ଗଳ୍ପକୁ ଭିଡିଓ ରୂପାନ୍ତରଣ କରି ପୋଷ୍ଟିଂ କରି ଥାଆନ୍ତି। ଟୁଇଟରରେ ଶବ୍ଦ ସଂଖ୍ୟାର ସୀମା ଥିବା ଯୋଗୁ ଅନେକ ଲେଖକ ସେଠାରେ କେବଳ ଅଣୁ କବିତା ବା ଗଳ୍ପ ସେଠାରେ ଦେଇଥାନ୍ତି। କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ଲିଙ୍କ ନିଜ ଫଲୋଅରମାନଙ୍କ ସୁବିଧା ପାଇଁ ଦେଇଥାନ୍ତି।
ସୋସିଆଲ ମିଡିଆ ହୋଇଥିବା କାରଣରୁ ସଦସ୍ୟମାନଙ୍କ ଠାରୁ ଭଦ୍ରୋଚିତ ବ୍ୟବହାର ଆଶା କରାଯାଏ। “ସାହିତ୍ୟ ସୌନ୍ଦର୍ଯ୍ୟ’, “କବି ଓ କବିତା’, “ଅଳ୍ପ ଗଳ୍ପ’ କେତୋଟି ଜନପ୍ରିୟ ଫେସବୁକ ଓଡ଼ିଆ ସାହିତ୍ୟ ଗ୍ରୁପର ଉଦାହରଣ।
ଫେସ୍ବୁକ ସାହିତ୍ୟକୁ କେତେକ ନ୍ୟସ୍ତସ୍ୱାର୍ଥ ତତ୍ତ୍ୱ ନିକୃଷ୍ଟ ସାହିତ୍ୟ ବୋଲି ଅପପ୍ରଚାର କରନ୍ତି। ଯେପରି ସମ୍ବଲପୁରୀ ଶାଢ଼ି ଫୁଟ୍ପାଥରେ ବିକ୍ରି ହୋଇପାରେ ନାହିଁ, ସେମିତି ସାହିତ୍ୟ ପାଇଁ ଫେସବୁକ ପ୍ରକୃଷ୍ଟ ଜାଗା ନୁହେଁ ବୋଲି କହନ୍ତି। କିନ୍ତୁ ଏ ସବୁ ବକ୍ତବ୍ୟ ସହ ମୁଁ ଏକମତ ନୁହେଁ।
ଲେଖକଙ୍କ ପ୍ରଚାର ପ୍ରସାର, ଲେଖାର ପ୍ରଚାର ପ୍ରସାର, ଲେଖାର ସଂରକ୍ଷଣ ଦାୟିତ୍ୱ କାହାର ନ ଥାଏ। ସେଥିପାଇଁ ଏହା ସମାଲୋଚନାର ଶରବ୍ୟ ହୋଇଥାନ୍ତି। କିନ୍ତୁ ଏହି ସତ୍ୟକୁ ଏଡ଼େଇ ହେବ ନାହିଁ, ଓଡ଼ିଆ ସାହିତ୍ୟର ଗଣତନ୍ତ୍ରୀକରଣ ଦିଗରେ ସୋସିଆଲ ମିଡିଆ ପ୍ଲାଟଫର୍ମର ବହୁତ ଭୂମିକା ରହିଛି।
(ଗ) ସୀମିତ ଉଦ୍ଦେଶ୍ୟ ୱେବ୍ସାଇଟ ଆଉ ବ୍ଲଗ୍ :
ଛୋଟ ୱେବ୍ସାଇଟ୍ ଆଉ ବ୍ଲଗ୍ ମାଧ୍ୟମରେ ସାହିତ୍ୟିକ କୃତି ପ୍ରଦର୍ଶିତ କରାଯାଇପାରେ। ଓଡ଼ିଆ ସାହିତ୍ୟରେ କୌଣସି ବ୍ଲଗ୍ ପ୍ରମୁଖତା ବା ଜନପ୍ରିୟତା ହାସଲ କରିପାରିନାହିଁ। ତେବେ ଅଧୁନା ସକ୍ରିୟ କେତୋଟି ପ୍ରମୁଖ ୱେବସାଇଟର ଉଦାହରଣ ନିମ୍ନରେ ଦେଲି: sahityacharcha.com, ameodia.com ଓ www.odia.org।
(ଘ) ଭାଷା ସମ୍ପଦ ସମ୍ବନ୍ଧିତ ୱେବ୍ସାଇଟ: କେତୋଟି ପ୍ଲାଟଫର୍ମ ଓଡ଼ିଶାର ଭାଷା ସମ୍ପଦ ଓ ଏହାର ରକ୍ଷଣାବେକ୍ଷଣ ଏବଂ ଉନ୍ନତି ଦିଗରେ କାମ କରନ୍ତି। ଏଥିରେ ପାଠକୀୟ ଭାବର ଆଦାନପ୍ରଦାନର ସମ୍ଭାବନା ନାହିଁ କହିଲେ ଭୁଲ ହେବ ନାହିଁ। କେତୋଟି ପ୍ରମୁଖ ପ୍ଲାଟଫର୍ମର ଗତିବିଧି ବିଷୟରେ ନିମ୍ନରେ ଲେଖୁଛି।
ଓଡ଼ିଆ ବିଭବ (www.odiabibhaba.in): ଏହି ସାଇଟ୍ର ଉଦ୍ୟୋକ୍ତା ପୁରାତନ ଓଡ଼ିଆ ପୁସ୍ତକ ଓ ରଚନାର ଡିଜିଟାଲାଇଜେସନ୍ କରିବା ଦିଗରେ ହିମାଳୟ ପରି ବୃହତ ଗୋଟିଏ ବିରାଟ ପ୍ରୟାସ କରିଛି। ଅଗଣିତ ପୁସ୍ତକ ଏବେ କୋମଳ ପ୍ରତିଲିପି (ସଫ୍ଟ କପି) ହୋଇ ଆମ ହାତପାଆନ୍ତାରେ ଉପଲବ୍ଧ। କୌଣସି କାରଣରୁ ଏହି କାର୍ଯ୍ୟ ସ୍ଥଗିତ ହୋଇ ମହାନ ଉଦ୍ୟମକୁ ଅଧାରାସ୍ତାରେ ରୋକି ଦେଇଛି। ପୁନର୍ବାର ଏହାକୁ ସକ୍ରିୟ କରିବାକୁ ସମସ୍ତ ସରକାରୀ ଓ ଘରୋଇ ଉଦ୍ୟମ ଆବଶ୍ୟକ।
ଓଡ଼ିଆ ଭରଚୁଆଲ ଏକାଡେମୀ (www.ova.gov.in)
ଏହି ସାଇଟ୍ ମୁଖ୍ୟତଃ ଗୋଟିଏ ଭାଷା ସମ୍ପଦଭିତ୍ତିକ ପ୍ଲାଟଫର୍ମ। ଏଥିରେ ଜନତାର ଭାବ ଆଦାନପ୍ରଦାନ (ଇଣ୍ଟରଆକ୍ସନ) କରିବାର ପରିସୀମା ବର୍ତ୍ତମାନ ସଙ୍କୁଚିତ।
(ଙ) ଇକୋସିଷ୍ଟମ ଆଧାରିତ ସାହିତ୍ୟ ପ୍ଲାଟଫର୍ମ:
ଏହା ଓଡ଼ିଆ ସାହିତ୍ୟକୁ ନେଇ ସଦ୍ୟତମ ଅନଲାଇନ ପ୍ଲାଟଫର୍ମ ଯାହା ବନାଗ୍ନି ପରି ପ୍ରସାରିତ ହେବାକୁ ଲାଗିଛି। ବିଶେଷ କରି ତରୁଣ ତରୁଣୀମାନେ ନିଜର ପାଠକୀୟ ଆବଶ୍ୟକତା ଓ ସୃଜନଶୀଳତାର ପରିପ୍ରକାଶ ଲାଗି ଏହାକୁ ବ୍ୟବହାର କରୁଛନ୍ତି।
ଏହା ଆଗରୁ ଯେଉଁ ଯେଉଁ ପ୍ଲାଟଫର୍ମଗୁଡିକ ବିଷୟରେ କୁହାଗଲା, ସେଥିରେ କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା ଲାଭଗ୍ରାହୀଙ୍କ ଭୂମିକାକୁ ପ୍ରାଥମିକତା ଦିଆଯାଉଥିଲା। ତା’ଛଡା ପରସ୍ପର ଭିତରେ ଭାବର ଆଦାନପ୍ରଦାନ ମଧ୍ୟ ସଙ୍କୁଚିତ ଥିଲା। କିନ୍ତୁ ଇକୋସିଷ୍ଟମଭିତ୍ତିକ ପ୍ଲାଟଫର୍ମଗୁଡିକ ଯେପରି ସମସ୍ତ ଲାଭଗ୍ରାହୀ (ଷ୍ଟେକ୍ ହୋଲ୍ଡର୍)ଙ୍କ ନିତ୍ୟନିୟତ ମେଳା। ଏହା ସେମାନଙ୍କୁ ସୁହାଇଲା ଭଳି ପାରିପାର୍ଶ୍ୱିକ ଅବସ୍ଥା ପ୍ରଦାନ କରିଥାଏ।
ଇକୋସିଷ୍ଟମଭିତ୍ତିକ ଅନଲାଇନ ପ୍ଲାଟଫର୍ମର କାର୍ଯ୍ୟ ପ୍ରଣାଳୀ ଓ ଆଭିମୁଖ୍ୟ ନିମ୍ନରେ ଦିଆଗଲା :
- ପାଠକଙ୍କୁ ରୋମାଣ୍ଟିକ, କମେଡି, ଭ୍ରମଣ କାହାଣୀ, ହରର କାହାଣୀ, ଜୀବନୀ, ପ୍ରେରଣା କାହାଣୀ ଏହିପରି ଅନେକ ଶୃଙ୍ଖଳାର ସାମଗ୍ରୀ ସୁରୁଚିପୂର୍ଣ୍ଣ ଢଙ୍ଗରେ ମାଗଣା ବା ଉଚିତ ମୂଲ୍ୟ ନେଇ ପରିବେଷଣ କରିବା।
- ପାଠକ ନିଜ ପସନ୍ଦର ଲେଖକଙ୍କ ଲେଖା ନୋଟିଫିକେସନ ମାଧ୍ୟମରେ ବା ଲେଖକଙ୍କ ପୋର୍ଟଫୋଲିଓ ଯାଇ ପଢିପାରିବେ।
- ଅଗଣିତ ସାହିତ୍ୟ କୃତିର ମହାସାଗର ଭିତରେ ହଜିବା ସହ ପାଠକ ଫୁରସତରେ ପଢିବା ପାଇଁ ନିଜ ପସନ୍ଦ ଅନୁସାରେ ନିଜର ଅନଲାଇନ ଲାଇବ୍ରେରୀ କରିପାରିବେ।
- ଲେଖକଙ୍କ ରଚନାକୁ ସଜେଇ ପ୍ରଦର୍ଶନ କରିବାର ସୁବିଧା ଦେବା।
- ଲେଖକଙ୍କ ଲେଖାର ପ୍ରଚାର ଓ ପ୍ରସାର କରିବା
- ଲେଖକଙ୍କ ପ୍ରଚାର କରିବା ଓ ସମ୍ମାନ ଦେବା
- ଲେଖକ ଓ ପାଠକଙ୍କ ଭିତରେ ସୌହାର୍ଦ୍ଦ୍ୟ ବିକଶିତ କରିବା। ସୋସିଆଲ ପ୍ଲାଟଫର୍ମ ପରି ପରସ୍ପର ଭିତରେ ସନ୍ଦେଶ ଆଦାନପ୍ରଦାନ କରିବାର ସୁବିଧା ଦେବା।
- ଲେଖକଙ୍କୁ ନିଜର ଲେଖା ନିଜ ଇଚ୍ଛା ଅନୁସାରେ ମୁଦ୍ରୀକରଣ (ମନିଟାଇଜେସନ୍) କରିବାର ସୁବିଧା ଦେବା।
- ଲେଖକଙ୍କ ଲେଖା ଛପେଇବା ବା ଅନ୍ଲାଇନ ବିକ୍ରୟ କରି ଉଚିତ ରୟାଲ୍ଟି ବା ମୂଲ୍ୟ ଦେବା।
ଇକୋସିଷ୍ଟମର ସଂଚାଳକ ଅନଲାଇନ ଉପସ୍ଥିତି, ପାଠକୀୟ ପ୍ରତିକ୍ରିୟା ଏବଂ ଅନୁଗାମୀ ସଂଖ୍ୟାରୁ କୌଣସି ବିଭାଗରେ ଲେଖକଙ୍କ ଜନପ୍ରିୟତା ନିରୂପଣ କରିଥାନ୍ତି। ଏହା ସେହି ଲେଖକଙ୍କ ଲେଖାକୁ ଆଗକୁ ଆଣିବାରେ ସହାୟକ ହୋଇଥାନ୍ତି।
ଓଡିଶା ସାହିତ୍ୟ ପାଇଁ ଏବେ ଦୁଇଟି ପ୍ଲାଟଫର୍ମ ଆଶାତୀତରୂପେ ସକ୍ରିୟ। ତାହା ହେଲା :
(୧) ପ୍ରତିଲିପି
(୨) ଷ୍ଟୋରି ମିରର
ଦୁଇଟିଯାକ ପ୍ଲାଟଫର୍ମ ଓଡ଼ିଶା ସାହିତ୍ୟ ଆକାଶରେ ଏକ ପ୍ରକାର ଦ୍ୱିକେନ୍ଦ୍ରିକ ଏକଚାଟିଆ କାର୍ଯ୍ୟ ବା ‘ଡ୍ୟୁଓପଲି’ର ସ୍ଥିତି ସୃଷ୍ଟି କରିଛନ୍ତି। ଏମାନେ ପ୍ରତିଯୋଗିତାମୂଳକ ରୂପରେ ଲେଖକ ଓ ପାଠକଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିବାରୁ ପରୋକ୍ଷରେ ଓଡ଼ିଆ ସାହିତ୍ୟର ବିକାଶ ହେଉଅଛି। ସେମାନଙ୍କ ଗତିବିଧି ଜିଲ୍ଲା ସ୍ତରରୁ ଆରମ୍ଭ ହୋଇ ସ୍କୁଲ ଓ ଗ୍ରାମାଞ୍ଚଳ ସୋପାନ ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି। ଏହି ଇକୋସିଷ୍ଟମର ବିଶାଳତା ‘ପ୍ରତିଲିପି’ର ଲେଖକ ଓ ପାଠକ ସଂଖ୍ୟାରୁ ଅନୁମାନ କରି ହେବ। ସର୍ବଭାରତୀୟ ସ୍ତରରେ ‘ପ୍ରତିଲିପି’ରେ ପଞ୍ଜୀକୃତ ହୋଇଥିବା ପାଠକ ସଂଖ୍ୟା ୩ କୋଟି ପାଖାପାଖି। ଏଥିରେ ୩,୭୦,୦୦୦ ଲେଖକ ନିଜର କୃତି ପ୍ରସ୍ତୁତ କରିଛନ୍ତି। ପ୍ରତିଦିନ ଅଗଣିତ ପୃଷ୍ଠାର ଲେଖା ଏହି ଇକୋସିଷ୍ଟମର ଆକାରକୁ ସମ୍ପ୍ରସାରିତ କରିଥାଏ।
ଏତେ ବଡ଼ ଇକୋସିଷ୍ଟମ ଗଠନ କରିବା ରାତାରାତି ସମ୍ଭବ ନୁହେଁ। ପ୍ରାରମ୍ଭରେ ଗୋଟିଏ ଉତ୍ସର୍ଗୀକୃତ ଟିମ୍ର ଆବଶ୍ୟକତା ରହିଛି। ଏହା ଛଡା, ଏହାର ବିକାଶ ପାଇଁ ଅର୍ଥର ପ୍ରଚୁର ଆବଶ୍ୟକତା ରହିଛି।
ଉଭୟ ‘ପ୍ରତିଲିପି’ ଓ ‘ଷ୍ଟୋରି ମିରର’ ଦେଶର ଅଗ୍ରଣୀ ଷ୍ଟାର୍ଟ ଅପ୍ କମ୍ପାନୀମାନଙ୍କ ଭିତରେ ପରିଗଣିତ। କେବଳ ପ୍ରତିଲିପିରେ ନିବେଶିତ ହୋଇଥିବା ଅର୍ଥ ୮୦ ମିଲିୟନ ଡଲାର ବା ୬୪୦ କୋଟି ଟଙ୍କାର ସମକକ୍ଷ। ପ୍ରତିଲିପିର ୨୨ ଟି ନିବେଶକମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆର ‘କ୍ରାଫ୍ଟନ’ ନାମକ ବାହୁବଳୀ ଗେମିଙ୍ଗ୍ କମ୍ପାନୀ ସାମିଲ। ଭାରତରେ ଅଗଣିତ ଲେଖକ ବିଭିନ୍ନ ଭାଷାରେ ମୌଳିକ ଲେଖା ଲେଖୁଛନ୍ତି। ଏହି ଲେଖାଗୁଡ଼ିକ ଯୋଗୁ କ୍ରାଫ୍ଟନ ପରି ବିଭିନ୍ନ କମ୍ପାନୀଙ୍କ ପାଇଁ ଭାରତ ଏକ ଉର୍ବର ଭୂମି। ଏହି କାହାଣୀ ବା ବୌଦ୍ଧିକ ସମ୍ପତ୍ତିଗୁଡିକୁ ଅନ୍ୟ ସ୍ୱରୂପ ଦେଇ ଆନ୍ତର୍ଜାତିକ ସ୍ତରରେ ବିପଣନ କରିହେବ। ଏଥିପାଇଁ ଆବଶ୍ୟକ ଆର୍ôଥକ କ୍ଷମତା ଓ ଟେକ୍ନିକାଲ ଦକ୍ଷତା ବଡ଼ କମ୍ପାନୀମାନଙ୍କ ପାଖରେ ଅଛି। ଭାରତୀୟ ସାହିତ୍ୟର ଏହି ନୂତନ ଅଭ୍ୟୁଦୟ କାଳରେ ଓଡ଼ିଆ ଭାଷା ବି ତତ୍ପର।
ସମସ୍ତଙ୍କୁ ଗୋଟିଏ କଥା ବୁଝିବାକୁ ପଡ଼ିବ ‘ପ୍ରତିଲିପି’ ବା ‘ଷ୍ଟୋରିମିରର’ ପରି କୌଣସି ବି ସଂସ୍ଥା ଗୋଟିଏ ଗୋଟିଏ ବାଣିଜ୍ୟିକ ସଂସ୍ଥା। ଏହା ଅଲଗା କଥା ଯେ ସାହିତ୍ୟ ପରି ମହତ୍ କାର୍ଯ୍ୟରେ ସେମାନଙ୍କ ଭୂମିକା ରହିଛି। ସେମାନେ ସର୍ବଦା ସେମାନଙ୍କ ସାଇଟ୍ର ସମ୍ପ୍ରସାରଣ କରିବାକୁ ଚାହାନ୍ତି, ଅତ୍ୟଧିକ ଲେଖକ ଓ ଲେଖା ସେଠିକୁ ଆଣି। ତାହାଦ୍ୱାରା ଅଧିକ ପାଠକ ଆକର୍ଷିତ କରିବାର ମୂଳ ବ୍ୟବସାୟିକ ଲକ୍ଷ୍ୟ ସାଧିତ ହେବ। ଏହା ଏକ “ତୁମର ଜିତ – ମୋର ଜିତ” (ଉଇନ୍-ଉଇନ୍) ସ୍ଥିତି। ସେମାନଙ୍କ ଉଦ୍ଦେଶ୍ୟ ତ ପୂରଣ ହେବ, ମାତ୍ର ଏହା ଦ୍ୱାରା ଅଧିକ ପାଠକ ସାଇଟକୁ ଲେଖା ପଢିବାକୁ ଆସିବେ। ଏହା ଆମ ପାଇଁ ଖୁସିର ବିଷୟ ନୁହେଁ କି ? ମୁଁ ତ ଲେଖାଲେଖିର ଅନ୍ଲାଇନ ଅନୁପ୍ରବେଶର ଭବିଷ୍ୟତକୁ ନେଇ ବହୁତ ଆଶାବାନ।
ଆମ ସମସ୍ତଙ୍କୁ ବୁଝିନେବା ଉଚିତ ଆମେ ଲେଖକ ଏଠି ଶହେ ହେଲେ ପାଠକ ଏଠି ହଜାର ହଜାର। ଅଧିକାଂଶ ପାଠକ ନୀରବରେ ଲେଖାପଢି ଚାଲିଯାଇଥାନ୍ତି। ସେଇମାନଙ୍କ ହୃଦୟରେ ଛାପ ଛାଡିବାରେ ଆମ ଲେଖକପଣିଆର ସାର୍ଥକତା।
ଶେଷରେ ଏହି ଇକୋସିଷ୍ଟମରେ ପଦାର୍ପଣ କରୁଥିବା ସମସ୍ତ ଲେଖକ ଭାଇଭଉଣୀଙ୍କୁ ଅନୁରୋଧ, ସେମାନେ ସେମାନଙ୍କ ଲେଖା ପୋର୍ଟଫୋଲିଓକୁ ସୁନ୍ଦର ଲେଖାରେ ସଜାଇ ରଖନ୍ତୁ। ଅନ୍ୟ ଦୋକାନରେ ଗ୍ରାହକ ଭିଡ଼ ଦେଖି ମନ ଛୋଟ କରିବା ଅପେକ୍ଷା ନିଜ ଦୋକାନକୁ ସୁନ୍ଦର ଲେଖାରେ ସଜାନ୍ତୁ ଓ ନିଜ ବ୍ୟବହାରରେ ବି ଲେଖକ ମନର ପରିଚୟ ଦିଅନ୍ତୁ। ଏପରି ହେଲେ ଭିଡ଼ ଥିଲେ ବି ଗ୍ରାହକ ଅନ୍ୟ ଦୋକାନ ନ ଯାଇ ସେଇଠି ଠିଆ ହେବ।
ଆଗକୁ ସୃଜନର ଗୋଟେ ବଡ଼ ଋତୁ ଆମ ସମସ୍ତଙ୍କୁ ଅପେକ୍ଷା କରିଛି !
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ।)
ଅଜୟ ବାବୁଙ୍କ ସୁନ୍ଦର ଲେଖାଟି ତଥ୍ୟପ୍ରଦ ଓ ଅନେକ ଜିଜ୍ଞାସାର ସହଜ ସମାଧାନ । ପାଠକ, ସମୀକ୍ଷକ ଓ ଗବେଷକଙ୍କ ପାଇଁ ଉପାଦେୟ ।
ଲେଖାଟି ସମୟୋପୋଯୋଗୀ ଓ ଉପାଦେୟ । ଏବର ଅନେକ ଓଡିଆ ଲେଖକ କମ୍ପ୍ୟୁଟର୍ ନିରକ୍ଷର । ନୂତନ ପୀଢିର ଲେଖକ ମାନେ ବୋଧହୁଏ ଟେକ୍ନୋଲୋଜିର ଉଚିତ ବ୍ୟବହାର କରୁଛନ୍ତି । ସମୟ ବଦଳିବ ।
ଆପଣଙ୍କ ଅନ୍ ଲାଇନ୍ ସାହିତ୍ୟ ସମୀକ୍ଷା ପଢ଼ି ବିମୁଗ୍ଧ ହେଲି।
କିଛି କିଛି ଲେଖା ଲେଖି କରୁଥିଲେ ମଧ୍ୟ ଫେସ୍ ବୁକ୍ ଏବଂ ସେଥିରେ ଥିବା “ଅଳ୍ପ ଗଳ୍ପ” ଓ କିଛି ଦିନ ଆଗ ପର୍ଯ୍ୟନ୍ତ ସାହିତ୍ୟ ମାଧୁର୍ଯ୍ୟର ପୃଷ୍ଠାକୁ ଛାଡ଼ି ଅନ୍ୟ କୌଣସି ଅନ୍ ଲାଇନ୍ ପ୍ଲାଟଫର୍ମ ରେ କୌଣସି ଲେଖା ପ୍ରକାଶିତ କରି ନାହିଁ।
ଷ୍ଟୋରି ମିରର୍ ଏଵଂ ପ୍ରତିଲିପି ଦୁହେଁ ଏତେ ବିଶାଳ ଆକାର ଧାରଣ କରି ସାରିଥିବା କଥା ମୋର ଜ୍ଞାତସାର ଭିତରେ ନ ଥିଲା।
ଆପଣଙ୍କର ଏହି ପ୍ରୟାସ ପାଇଁ ଆନ୍ତରିକ ଧନ୍ୟବାଦ୍।
ସୁନ୍ଦର ତଥ୍ୟଭିତ୍ତିକ ଆଲେଖ୍ୟଟି🙏