- ରାଧାନାଥଙ୍କର କେବେହେଲେ ଓଡ଼ିଆ ପ୍ରତି, ବା ଓଡ଼ିଶା ପ୍ରତି ମମତା ନଥିଲା।
ପ୍ରଫେସର ଡ଼. ସୁଦର୍ଶନ ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟର ଅଧ୍ୟୟନ ତଥା ଗବେଷଣା କ୍ଷେତ୍ରରେ ଏକ ସ୍ୱନାମଧନ୍ୟ ପ୍ରତିଭା। ୧୯୩୯ ମସିହାରେ ଜନ୍ମିତ ଏହି ସାରସ୍ୱତ ବ୍ୟକ୍ତିତ୍ୱ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୀର୍ଘ ୩୯ ବର୍ଷ କାଳ ଅଧ୍ୟାପନା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଭାବରେ ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ। ସେ ୨୦୦୬ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ‘ଅତିବଡୀ ସମ୍ମାନ’ରେ ଭୂଷିତ ହୋଇଥିଲେ। ତାଙ୍କର ସାହିତ୍ୟ ସାଧନାର ବିବିଧ ପ୍ରସଙ୍ଗକୁ ନେଇ ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ପ୍ରାଚୀନ ପୋଥିମାନଙ୍କର ପୁନରୁଦ୍ଧାର କରି ଓଡ଼ିଆ ସାହିତ୍ୟର ଐତିହ୍ୟକୁ ସମୃଦ୍ଧ କରିବାରେ ଆପଣଙ୍କର ବହୁ ଅବଦାନ ରହିଛି। ଆମର ଭାଷା ଓ ସାହିତ୍ୟର ଏହି ଦିଗଟି ପ୍ରତି କେମିତି ଦୃଷ୍ଟି ପଡ଼ିଲା ଆପଣଙ୍କର?
ସୁଦର୍ଶନ ଆଚାର୍ଯ୍ୟ: ଏହାକୁ କୁହାଯାଇପାରିବ, ଆମର ପାରିବାରିକ ସଂସ୍କୃତି। ଆମ ଘରେ ଜେଜେ ବାପାଙ୍କର, ଏବଂ ନନାଙ୍କର ବଡ଼ ଲାଇବ୍ରେରୀ ଥିଲା। ତା’ ମଧ୍ୟରେ ଅନେକ ତାଳପତ୍ର ପୋଥି ଓ ଛପା ବହି, ଉଭୟ ଥିଲା। ପୋଥିର ସଂଖ୍ୟା ତିନିରୁ ଚାରି ହଜାର ହେବ। ପିଲାଦିନୁଁ ମୁଁ ପ୍ରଥମେ ତାଳପତ୍ରରେ ଲେଖିବା ଆରମ୍ଭ କରିଥିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ଅକ୍ଷର ଶିକ୍ଷା ଆରମ୍ଭ କରିଥିଲେ ତାଳପତ୍ରରେ? ଅର୍ଥାତ୍, ଖଡ଼ି ଛୁଆଁଇଛନ୍ତି ପୋଥିରେ?
ସୁଦର୍ଶନ ଆଚାର୍ଯ୍ୟ: ହଁ।
ସାହିତ୍ୟ ଚର୍ଚ୍ଚା: ସେତେବେଳେ କାଗଜ କଲମର ପ୍ରଚଳନ ଥିବା ସତ୍ତ୍ୱେ!
ସୁଦର୍ଶନ ଆଚାର୍ଯ୍ୟ: ପିଲାଦିନେ ମୋତେ ଶିଖାଯାଇଥିଲା ତାଳପତ୍ର କେମିତି ଖୋଲିବ, ପୋଥି କେମିତି ବାନ୍ଧିବ, ଆଣ୍ଠୁ ଉପରେ ପକେଇ କେଉଁଭଳି ଲେଖିବ। ଏସବୁର ଟ୍ରେନିଂ ଘରେ ମୋତେ ଦେଇଥିଲେ। ଏଣୁ ପୋଥି ପଢିବାର ଗୋଟିଏ ଜିଜ୍ଞାସା ମୋ ମନରେ ଜାଗ୍ରତ ହେଲା। ପରବର୍ତ୍ତୀ ସମୟରେ, ମୋ ଗବେଷକ ଜୀବନରେ ଅଧ୍ୟାପକମାନେ ମଧ୍ୟ ପୋଥି ଅଧ୍ୟୟନ ପ୍ରତି ମୋ’ର ଆଗ୍ରହ ସୃଷ୍ଟି କଲେ। ସେଥିପାଇଁ ମୁଁ ଏଥିପ୍ରତି ଆକୃଷ୍ଟ ହେଲି।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଅନେକ ପୁରାତନ ପୋଥି ଲୋକଲୋଚନକୁ ଆଣିଛନ୍ତି। ତଥାପି କ’ଣ ଆପଣଙ୍କର ମନେହୁଏ ଯେ ଅନେକ କିଛି ପୋଥି ଏବେ ବି ଲୁପ୍ତ ହୋଇ ରହିଛି, ଯାହା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି।
ସୁଦର୍ଶନ ଆଚାର୍ଯ୍ୟ: ବହୁତ, ବହୁତ। ମୁଁ ତ ମୋ ଥେସିସ୍ ପାଇଁ ପ୍ରାୟ ୨୦୦ ହେବ ପୋଥି ପଢିଛି ତାଳପତ୍ରରେ। ଆହୁରି ଅନେକ ଅଛି ଆମ ମ୍ୟୁଜିଅମ୍ରେ।
ସାହିତ୍ୟ ଚର୍ଚ୍ଚା: ସେ କାଳରେ ପିଏଚ୍.ଡି ପାଇଁ ଗବେଷଣାର ଅନୁଭୂତି କେମିତି ଥିଲା ଆପଣଙ୍କର?
ସୁଦର୍ଶନ ଆଚାର୍ଯ୍ୟ: ଡ. ନଟବର ସାମନ୍ତରାୟ ମୋ’ର ଗାଇଡ୍ ଥିଲେ। ସେ ସମୟରେ ଅବଶ୍ୟ ଅନେକ ଅଧ୍ୟାପକ ଚାହୁଁଥିଲେ ଯେ ମୁଁ ତା’ଙ୍କ ଅଧୀନରେ ପିଏଚ୍.ଡି. କରେ। ମୋ ଗବେଷଣାର ବିଷୟ ଥିଲା, ‘ଓଡ଼ିଆ କାବ୍ୟ କୌଶଳ’।
ସାହିତ୍ୟ ଚର୍ଚ୍ଚା: ହଁ, ଆପଣଙ୍କର ଏହି ସନ୍ଦର୍ଭଟିକୁ ଆମେ ଦେଖିବାକୁ ପାଇଛୁ ଏକ ପୁସ୍ତକ ରୂପରେ। ଆମେ ଆପଣଙ୍କ ଦ୍ୱାରା ବିଭିନ୍ନ ପୋଥିର ପୁନରୁଦ୍ଧାର ସଂପର୍କରେ ଆଲୋଚନା କରୁଥିଲେ। ଏବେ ଏଇଠି ଆପଣଙ୍କ ଟେବୁଲ୍ ଉପରେ ଆମର ଦୃଷ୍ଟିଗୋଚର ହେଲା ଆପଣଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକଟିଏ, ରାଧାନାଥ ରାୟଙ୍କର ‘କାଳିଦାସ ସୂକ୍ତୟଃ’। ଏହା କ’ଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଥିଲା?
ସୁଦର୍ଶନ ଆଚାର୍ଯ୍ୟ: ଏହି ପୁରାତନ ବହିଟି ବହୁ ପୂର୍ବେ ଗୋଟିଏ ମନ୍ଦିରରୁ ପାଇଥିଲି। ବହିଟିର ପ୍ରକାଶ କାଳ ୧୯୦୨। କିନ୍ତୁ ଲକ୍ଷ୍ୟ କଲି ଯେ ‘ରାଧାନାଥ ଗ୍ରନ୍ଥାବଳୀ’ରେ ଏଇଟି ନାହିଁ। ଗ୍ରନ୍ଥାବଳୀଟି ପ୍ରକାଶିତ ହୋଇଛି ୧୯୦୮ରେ। କିନ୍ତୁ ରାଧାନାଥ ରାୟ ଏଇଟିକୁ ସେଥିମଧ୍ୟରେ ଅନ୍ତର୍ଭୁକ୍ତ କରିନାହାନ୍ତି।
ସାହିତ୍ୟ ଚର୍ଚ୍ଚା: କ’ଣ ହୋଇପାରେ ଏହାର କାରଣ?
ସୁଦର୍ଶନ ଆଚାର୍ଯ୍ୟ: କାରଣ ରାଧାନାଥଙ୍କର କେବେହେଲେ ଓଡ଼ିଆ ପ୍ରତି ବା ଓଡ଼ିଶା ପ୍ରତି ମମତା ନ ଥିଲା। ଏକଥା ତ ମୁଁ ମୁଖବନ୍ଧରେ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ତେବେ ତାଙ୍କର ମମତା କ’ଣ ବଙ୍ଗଳା ସାହିତ୍ୟ ପ୍ରତି ଅଧିକ ମାତ୍ରାରେ ଥିଲା?
ସୁଦର୍ଶନ ଆଚାର୍ଯ୍ୟ: ହଁ। ୧୯୦୨ ବେଳକୁ ରାଧାନାଥଙ୍କୁ ଆମେ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ନେଇଗଲୁ। ତାଙ୍କର ସବୁତକ ଲେଖା ବାହାରି ଯାଇଥିଲା ୧୯୦୨ ମସିହା ବେଳକୁ। କିନ୍ତୁ ସେତେବେଳକୁ ‘କାଳିଦାସଙ୍କ ସୂକ୍ତୟଃ’ ଯେତେବେଳେ ସେ ସଂଗ୍ରହ କରିଛନ୍ତି ସେତେବେଳେ ତାହାକୁ ଓଡ଼ିଆରେ ଅନୁବାଦ ନ କରି ବଙ୍ଗଳାରେ କରିଛନ୍ତି।
ସାହିତ୍ୟ ଚର୍ଚ୍ଚା: ‘ଓଡ଼ିଆ କାବ୍ୟ କୌଶଳ’ ଆପଣଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ପୁସ୍ତକ। ଆମ କାବ୍ୟ ବିଭବରେ, ବିଶେଷତଃ ମଧ୍ୟଯୁଗୀୟ କାବ୍ୟରେ, ସବୁଠାରୁ ଏକ ଅନନ୍ୟ ଦିଗ ବୋଲି ଆମେ କାହାକୁ କହିବା?
ସୁଦର୍ଶନ ଆଚାର୍ଯ୍ୟ: ମଧ୍ୟଯୁଗୀୟ ଓଡ଼ିଆ କାବ୍ୟର ଆତ୍ମା ହେଉଛି ରସ ଓ ଧ୍ୱନି। ସଂସ୍କୃତ ଆଳଙ୍କାରିକମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେବେ ମୋ ମତରେ ଚମତ୍କାରବାଦ ହେଉଛି ଓଡ଼ିଆ କବିତାର ଆତ୍ମା।
ସାହିତ୍ୟ ଚର୍ଚ୍ଚା: ଏହି ଚମତ୍କାରବାଦ କହିଲେ କ’ଣ, ଟିକିଏ ବୁଝାଇଦେବେ କି!
ସୁଦର୍ଶନ ଆଚାର୍ଯ୍ୟ: ଯେମିତି ଧରନ୍ତୁ, କୁହାଯାଏ ଯେ ରସ ହେଉଛି କାବ୍ୟର ଆତ୍ମା। କିନ୍ତୁ ରସଟା ବାଚ୍ୟ ନୁହେଁ। ଯେଉଁଠି କରୁଣ ରସ ରହିଲା ବା ବୀର ରସ ରହିଲା, ତାହା ସେହି କାବ୍ୟର ଆତ୍ମା ହୋଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ତାହାର ଆତ୍ମା ବୋଲି ଆମେ କାହାକୁ କହିବା?
ସୁଦର୍ଶନ ଆଚାର୍ଯ୍ୟ: ଆତ୍ମା ଦୃଶ୍ୟମାନ ହୁଏନାହିଁ, ଏହା କେବଳ ଅନୁଭବର ବସ୍ତୁ। ଓଡ଼ିଆ କାବ୍ୟରୁ ଆମେ ପାଉ ସେହିପରି ଏକ ଅନନ୍ୟ ଅନୁଭବ। ଏହା ରସ, ଧ୍ୱନି, ରୀତି ଆଦି ସମସ୍ତର ସମ୍ମିଶ୍ରଣରୁ ଉଦ୍ଭୂତ, କିନ୍ତୁ ଏସବୁରୁ ଊର୍ଦ୍ଧ୍ୱରେ। ଏହା ହିଁ ଆମ କାବ୍ୟର ଅନ୍ତର୍ନିହିତ ଚମତ୍କାରିତା।
ସାହିତ୍ୟ ଚର୍ଚ୍ଚା: ଆପଣ କହିବାର କଥା ଯେ ଏହି ଚମତ୍କାରିତାଟି ଆଲୋଚନାର ବିଷୟ ନୁହେଁ, ବରଂ ଅନୁଭବର ବିଷୟ।
ସୁଦର୍ଶନ ଆଚାର୍ଯ୍ୟ: ହଁ, ଅନୁଭବର।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ‘ଓଡ଼ିଆ କାବ୍ୟ କୌଶଳ’ ବହିରେ ମଧ୍ୟ ଅଛି, ‘ଓଡ଼ିଆ କାବ୍ୟରେ ଅର୍ଥ ସଙ୍କୁଚନ ଓ ତାହାର ପଦ୍ଧତି’। ଏହି ଅର୍ଥ ସଙ୍କୁଚନ କହିଲେ ଆପଣ କ’ଣ ବୁଝନ୍ତି?
ସୁଦର୍ଶନ ଆଚାର୍ଯ୍ୟ: ଓଡ଼ିଆରେ କାବ୍ୟ କହିଲେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଧରଣର ରଚନାକୁ ବୁଝୁଛୁ। ସେଥିରେ ଶବ୍ଦ ସଂଯୋଜନା ଥିବ, ଗୋଟିଏ ବିଷୟବସ୍ତୁ ଥିବ, ନାୟକ-ନାୟିକା ଥିବେ – କିନ୍ତୁ ସର୍ବୋପରି ଏକ ଅର୍ଥ ସଙ୍କୁଚନ ଥିବ। ଅର୍ଥାତ୍ ଯେଉଁ ରୂପରେ ଆମେ ତାହାକୁ ପାଇବା, ତାହାର ଏକ ବିସ୍ତୃତ ଅର୍ଥ ଥିବ। ଯେମିତି ‘ଚିଲିକା’, କେତେକେ କହନ୍ତି ଯେ ଏହା ଖଣ୍ଡକାବ୍ୟ; କିନ୍ତୁ ଆମେ କହୁଛୁ ଯେ ଏହା କାବ୍ୟ। ସେମିତି ‘ବୈଦେହୀଶ ବିଳାସ’ ମଧ୍ୟ ଏକ କାବ୍ୟ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ବୋଧହୁଏ କହିବାକୁ ଚାହାନ୍ତି ଯେ ସେଥିରେ ଅଛି ଭାବ ଓ ବିଷୟବସ୍ତୁ ଗତ ସାନ୍ଦ୍ରତା, ଯାହାକୁ ବୁଝିବା ପାଇଁ ତାହାର ଏକ ବିସ୍ତୃତ ତର୍ଜମା ଆବଶ୍ୟକ। ଏହା ହେଉଛି ଆମ କାବ୍ୟର ଧାରା।
ସୁଦର୍ଶନ ଆଚାର୍ଯ୍ୟ: ହଁ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ମଞ୍ଜୁଷାଠାରେ ଜନ୍ମଗ୍ରହଣ କରିଥିଲେ। ଅଧ୍ୟାପକ ଭାବରେ ନିଜର ଚାକିରି ଜୀବନ ମଧ୍ୟ ଆରମ୍ଭ କରିଥିଲେ ଶ୍ରୀକାକୁଲମରେ। ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସ୍ଥିତି ସମ୍ପର୍କରେ ଆପଣଙ୍କ ମତ କ’ଣ?
ସୁଦର୍ଶନ ଆଚାର୍ଯ୍ୟ: ମୁଁ ୧୯୬୦ରେ ଯେତେବେଳେ ଶ୍ରୀକାକୁଲମ୍ କଲେଜରେ ଯୋଗଦେଲି ସେତେବେଳେ ଓଡ଼ିଆ ବିଭାଗର ଥିଲି ଜଣେ ମାତ୍ର ଅଧ୍ୟାପକ। ଛାତ୍ର ମଧ୍ୟ ଥିଲେ ଜଣେ। ଦୁଇବର୍ଷ ରହିଲି ସେଠି। ଧୀରେ ଧୀରେ ଛାତ୍ର ସଂଖ୍ୟା ବଢିଲା। ବର୍ତ୍ତମାନ ବହୁତ କଲେଜରେ ଅଛି ଓଡ଼ିଆ ବିଭାଗ।
ସାହିତ୍ୟ ଚର୍ଚ୍ଚା: ସେଠାରେ କ’ଣ ଓଡ଼ିଆ ବିଭାଗରେ ପଢ଼ିବା ପାଇଁ ଏବେ ଛାତ୍ର ମିଳୁଛନ୍ତି?
ସୁଦର୍ଶନ ଆଚାର୍ଯ୍ୟ: ଛାତ୍ର ମିଳୁଛନ୍ତି। କିନ୍ତୁ ଅଧ୍ୟାପନାଟା ଏତେ ସଫଳ ହୋଇପାରୁନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ଏବେ ବି ସେଠାରେ ଥିବା ଓଡ଼ିଆମାନଙ୍କର ଅନୁରକ୍ତି ଅଛି ବୋଲି ଆପଣ ଭାବନ୍ତି କି?
ସୁଦର୍ଶନ ଆଚାର୍ଯ୍ୟ: ହଁ, ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ପ୍ରଥିତଯଶା ଲେଖକ ଓ ଗବେଷକ ହେବା ବ୍ୟତୀତ ଜଣେ ବିଶିଷ୍ଟ ଅନୁବାଦକ ମଧ୍ୟ। ‘କଥାସରିତ ସାଗର’ ଆପଣଙ୍କର ଏକ ସୁବିଦିତ ଅନୁବାଦ, ଯେଉଁଟି ପାଇଁ ଆପଣ କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାର ପାଇଥିଲେ। ଏହା ଅନୁବାଦ କରିବାବେଳେ କ’ଣ ଥିଲା ଆପଣଙ୍କର ଅନୁଭବ?
ସୁଦର୍ଶନ ଆଚାର୍ଯ୍ୟ: ଯେତେବେଳେ ଓଡ଼ିଆ କାବ୍ୟ ଉପରେ ଗବେଷଣା କରୁଥିଲି, ସେତେବେଳେ ଦେଖିଲି ଯେଉଁ ଗଳ୍ପ ଓ କଥାବସ୍ତୁ ସବୁ ସେଇଥିକୁ ଆଣିଛନ୍ତି ସେସବୁ କେଉଁଠୁ ଆସିଛି! ସେଥିର ନାୟକ-ନାୟିକାମାନଙ୍କର ନାମକରଣ ମଧ୍ୟ କେଉଁଠୁ ଓ କେମିତି ଆସିଥିବ? ଆମ ଘରେ ‘କଥାସରିତ ସାଗର’ ବହି ଖଣ୍ଡିଏ ଥିଲା। ତା’ଉପରେ ଆଖି ପକାଇଲି। ଦେଖିଲି ଯେ ଏହା ଭିତରେ ମୁଁ ଖୋଜୁଥିବା ପ୍ରଶ୍ନର କିଛି ଉତ୍ତର ପ୍ରଚ୍ଛନ୍ନ ଭାବରେ ରହିଛି। ତାହାରି ଭିତରେ ତ ଅଛି ପଞ୍ଚତନ୍ତ୍ର ଓ ବେତାଳ ପଞ୍ଚବିଂଶତି ଆଦି। ମୁଁ ଏଇଟି ପଢୁଥିବା ବେଳେ ବିଶିଷ୍ଟ ପ୍ରକାଶକ ‘ଦାସ ବ୍ରଦର୍ସ’ କହିଲେ, ‘ଆପଣ ଏହାର ଅନୁବାଦ କରୁନାହାନ୍ତି!’
ସାହିତ୍ୟ ଚର୍ଚ୍ଚା: ଏଇଟି ତ ଏକ ବିରାଟ ଗ୍ରନ୍ଥ, ଯାହା ପାଞ୍ଚଟି ଭାଗରେ ପ୍ରକାଶିତ ହୋଇଛି। ବହୁତ ସମୟ ଲାଗିଥିବ ଏଇଟି ସାରିବା ପାଇଁ!
ସୁଦର୍ଶନ ଆଚାର୍ଯ୍ୟ: ମୋତେ ବିଶେଷ ସମୟ ଲାଗିଲା ନାହିଁ। ୧୯୬୪ରେ ଗୋଟିଏ ଛାତ୍ର ଆନ୍ଦୋଳନ ହେଲା। କଲେଜ ସବୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ହୋଇଗଲା। ଆମେ ତ କଲେଜ ଆଉ ହେଡକ୍ୱାର୍ଟର ଛାଡି କେଉଁ ଆଡ଼େ ଯାଇପାରିବୁନି, ତେଣୁ ତା’ଭିତରେ ଅଧିକାଂଶ ଅନୁବାଦ ହୋଇଗଲା। ବଳକା ଅଂଶଟି ସାରିଲି ମୁଁ ଚାକିରିରୁ ଅବସର ନେବା ପରେ।
ସାହିତ୍ୟ ଚର୍ଚ୍ଚା: ଆଜିକାଲି ଅନେକ ଅନୁବାଦକ କହନ୍ତି ଯେ ସେମାନେ ଅନୁବାଦ କରୁନାହାନ୍ତି, ବରଂ ଅନୁସୃଜନ କରୁଛନ୍ତି। ଏ ବିଷୟରେ କ’ଣ କହିବେ?
ସୁଦର୍ଶନ ଆଚାର୍ଯ୍ୟ: ଆମେ ଯଦି କୌଣସି ଭାରତୀୟ ଭାଷାରୁ ଅନୁବାଦ କରିବା, ତାହେଲେ ତା’କୁ ସଠିକ ଭାବରେ ଓଡ଼ିଆକୁ ଅନୁବାଦ କରିହେବ। କିନ୍ତୁ ପାଶ୍ଚାତ୍ୟ ଭାଷାରୁ ଯଦି ଅନୁବାଦ କରିବା ସେତେବେଳେ ମୂଳ ଲେଖାଟି ଅନ୍ୟ କାହା ଦ୍ୱାରା ଇଂରାଜୀ ବା ହିନ୍ଦୀରେ ପ୍ରଥମେ ଅନୁବାଦିତ ହୋଇ, ସେହିଠାରୁ ଓଡ଼ିଆକୁ ଆସିଥାଏ। ତେଣୁ ଏଥିରେ ଅନୁସୃଜନର ମାତ୍ରା ଅଧିକ ହୋଇଯାଏ।
ସାହିତ୍ୟ ଚର୍ଚ୍ଚା: ଶେଷରେ ପଚାରିବି, ଓଡ଼ିଆ ସାହିତ୍ୟରେ ଏବେ ଯେଉଁମାନେ ଗବେଷଣା କରୁଛନ୍ତି, ସେମାନଙ୍କୁ କ’ଣ ସନ୍ଦେଶ ଦେବେ?
ସୁଦର୍ଶନ ଆଚାର୍ଯ୍ୟ: ଗବେଷଣା କରିବାକୁ ହେଲେ ବହୁତ ପଢ଼ିବା ପାଇଁ ପଡ଼ିବ। କବିତାଟିଏ ମନରୁ ନିସ୍ତରିତ; ଆପଣ ଯାହା ଅନୁଭବ କରୁଛନ୍ତି ତାକୁ କବିତା ଆକାରରେ ଲେଖିପାରିବେ। ଗୋଟିଏ ଘଟଣା ଦେଖିଲେ ତା’କୁ ଗଳ୍ପ ଆକାରରେ ପରିବେଷଣ କରିଦେଲେ। ସେମିତି ଆଉ ଦଶଟା ଘଟଣା ଦେଖିଲେ ତା’କୁ ଉପନ୍ୟାସ କରିଦେଇପାରିଲେ। କିନ୍ତୁ ଗବେଷଣା କରିବାକୁ ହେଲେ ଯେଉଁ ବିଷୟକୁ ଆପଣ ଗବେଷଣାର ବିଷୟବସ୍ତୁ ଭାବରେ ନେବେ ତା’ ସଂପର୍କରେ ବହୁତ କିଛି ପଢିବାକୁ ପଡିବ।
ସାହିତ୍ୟ ଚର୍ଚ୍ଚା: ଆପଣ ଭାବନ୍ତି କି ଯେ ଏହା ଆଜିକାଲି ବିଶେଷ ଭାବରେ ହେଉନାହିଁ?
ସୁଦର୍ଶନ ଆଚାର୍ଯ୍ୟ: ଏଇଟା ହେଉନାହିଁ। ମୋର ଏଥିରେ ଅନୁଭୂତି ନାହିଁ, କିନ୍ତୁ ଶୁଣିଛି ଯେ ଆଜିକାଲି କେତେକ ଅଧ୍ୟାପକ ଏପରିକି ଟଙ୍କା ଦେଇ ଥେସିସ୍ କିଣୁଛନ୍ତି, ନିଜେ ଲେଖୁନାହାନ୍ତି। ଗବେଷକଟିଏ ହେବା ପାଇଁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ। ଆମ ୟୁ.ଜି.ସି. ତ ଚାକିରି ସହିତ ପିଏଚ୍.ଡିକୁ ସଂପୃକ୍ତ କରିଦେଲା। ଏଇଠି ହିଁ ଅସୁବିଧା।
ସାହିତ୍ୟ ଚର୍ଚ୍ଚା: ତେଣୁ ଯେନତେନ ପ୍ରକାରେଣ ଗବେଷଣାଟିଏ ସାରିଦେବାର ପ୍ରବୃତ୍ତି ଦେଖାଦେଇଛି!
ସୁଦର୍ଶନ ଆଚାର୍ଯ୍ୟ: ଯେକୌଣସିମତେ ଡିଗ୍ରୀଟିଏ ଦରକାର। ତେଣୁ ଗବେଷଣାର ମାନ କମିଯାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ ଓ ବରିଷ୍ଠ ଅଧ୍ୟାପକମାନେ ଦୃଷ୍ଟି ଦେବାର ଆବଶ୍ୟକତା ଅଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଆଲୋଚନାଟି ପାଇଁ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଅଜସ୍ର ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ । )
ବହୁତ ସୁନ୍ଦର ସାକ୍ଷାତ୍କାର ନୀହାରବାବୁ। ରାଧାନାଥଙ୍କର ଓଡିଶା “ପ୍ରୀତି” ବିଷୟରେ ଆଚାର୍ଯ୍ୟ ବାବୁ ଯାହା କହିଛନ୍ତି ସେଥିରେ ମୁଁ ସମ୍ପୁର୍ଣ୍ଣ ଏକମତ!
ଧନ୍ୟବାଦ !
ଲେଖକ ଓ ଗବେଷକ ଶ୍ରୀ ସୁଦର୍ଶନ ଆଚାର୍ଯ୍ୟଙ୍କ ସାକ୍ଷାତକାର ପଢି ମୁଁ ବହୁତ ନୂଆ କଥା ଜାଣିଲି ଓ ଆନନ୍ଦ ପାଇଲି ।
ସେଥିପାଇଁ ମୁଁ “ସାହିତ୍ୟ ଚର୍ଚ୍ଚା” ପାଖରେ ବାନ୍ଧି ହୋଇଗଲି !
ଆପଣ ସମସ୍ତଙ୍କୁ ମୋର ଧନ୍ୟବାଦ ଓ ନମସ୍କାର।
“ସାହିତ୍ୟ ଚର୍ଚ୍ଚା: ତେବେ ତାହାର ଆତ୍ମା ବୋଲି ଆମେ କାହାକୁ କହିବା?
ସୁଦର୍ଶନ ଆଚାର୍ଯ୍ୟ: ଆତ୍ମା ଦୃଶ୍ୟମାନ ହୁଏନାହିଁ, ଏହା କେବଳ ଅନୁଭବର ବସ୍ତୁ। ଓଡ଼ିଆ କାବ୍ୟରୁ ଆମେ ପାଉ ସେହିପରି ଏକ ଅନନ୍ୟ ଅନୁଭବ। ଏହା ରସ, ଧ୍ୱନି, ରୀତି ଆଦି ସମସ୍ତର ସମ୍ମିଶ୍ରଣରୁ ଉଦ୍ଭୂତ, କିନ୍ତୁ ଏସବୁରୁ ଊର୍ଦ୍ଧ୍ୱରେ। ଏହା ହିଁ ଆମ କାବ୍ୟର ଅନ୍ତର୍ନିହିତ ଚମତ୍କାରିତା।
ସାହିତ୍ୟ ଚର୍ଚ୍ଚା: ଆପଣ କହିବାର କଥା ଯେ ଏହି ଚମତ୍କାରିତାଟି ଆଲୋଚନାର ବିଷୟ ନୁହେଁ, ବରଂ ଅନୁଭବର ବିଷୟ।
ସୁଦର୍ଶନ ଆଚାର୍ଯ୍ୟ: ହଁ, ଅନୁଭବର।”
……………
“ସାହିତ୍ୟ ଚର୍ଚ୍ଚା: ଶେଷରେ ପଚାରିବି, ଓଡ଼ିଆ ସାହିତ୍ୟରେ ଏବେ ଯେଉଁମାନେ ଗବେଷଣା କରୁଛନ୍ତି, ସେମାନଙ୍କୁ କ’ଣ ସନ୍ଦେଶ ଦେବେ?
ସୁଦର୍ଶନ ଆଚାର୍ଯ୍ୟ: ଗବେଷଣା କରିବାକୁ ହେଲେ ବହୁତ ପଢ଼ିବା ପାଇଁ ପଡ଼ିବ। କବିତାଟିଏ ମନରୁ ନିସ୍ତରିତ; ଆପଣ ଯାହା ଅନୁଭବ କରୁଛନ୍ତି ତାକୁ କବିତା ଆକାରରେ ଲେଖିପାରିବେ। ଗୋଟିଏ ଘଟଣା ଦେଖିଲେ ତା’କୁ ଗଳ୍ପ ଆକାରରେ ପରିବେଷଣ କରିଦେଲେ। ସେମିତି ଆଉ ଦଶଟା ଘଟଣା ଦେଖିଲେ ତା’କୁ ଉପନ୍ୟାସ କରିଦେଇପାରିଲେ। କିନ୍ତୁ ଗବେଷଣା କରିବାକୁ ହେଲେ ଯେଉଁ ବିଷୟକୁ ଆପଣ ଗବେଷଣାର ବିଷୟବସ୍ତୁ ଭାବରେ ନେବେ ତା’ ସଂପର୍କରେ ବହୁତ କିଛି ପଢିବାକୁ ପଡିବ।”
ବହୁତ ଉଚ୍ଚକୋଟୀର ମନ୍ତବ୍ୟ। ସମାଜ ପାଇଁ ଉତ୍କୃଷ୍ଟ ବାର୍ତ୍ତା। ଆଚାର୍ଯ୍ୟ ମହାଶୟଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ।