ଈଶ୍ୱରଙ୍କୁ ଇ-ମେଲ୍‌

  • ଆପଣ କାହାରି ଆବେଦନ, ନିବେଦନ ପ୍ରତି କର୍ଣ୍ଣପାତ ନ କରି ଚୁଟିଧରି ଏ ପୃଥିବୀରୁ ଉଠେଇ ନିଅନ୍ତି ସମସ୍ତଙ୍କୁ। ମତେ ବି ନେବେ।
ଆନଂଦ ଚଂଦ୍ର ପହି

ପରମ ପୂଜ୍ୟ ପ୍ରଭୁ!
ଆପଣଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଆପଣଙ୍କ କୃପାରୁ ମୋ ସୁଖନଈର ଦୁଇକୂଳ ମାଡ଼ି ପାଣି ଚାଲିଛି ଫୁଲି, ଫୁଲି, ବିଭିନ୍ନ ମୁଦ୍ରାରେ ପହଁରି ପହଁରି। ଯେତିକି ଚାହିଁଥିଲି ତାଠୁ ଢେର ବେଶି, ଢେର ବେଶି ପାଇଛି। ସୁନ୍ଦରୀ ସ୍ତ୍ରୀ, ତ୍ରିତଳ ପ୍ରାସାଦ, ଦୁଇଦୁଇଟା କାର୍‌, ତିନିଟା କାରଖାନା। ଦୁଇଟା ପୁଅ। ଜଣେ ଇଞ୍ଜିନିଅର, ଆଉ ଜଣେ ଡାକ୍ତର। ଝିଅ ଅଧ୍ୟାପିକା। ସମସ୍ତେ ସୁନ୍ଦର, ଗୁଣର ସନ୍ତାନ।
ଗାଆଁରେ ମୋ ନିଜ ନାଆଁରେ ହାଇସ୍କୁଲ, ସ୍ତ୍ରୀ ପ୍ରିୟଦର୍ଶିନୀଙ୍କ ନାଆଁରେ ଡାକ୍ତରଖାନା, ଆଉ ରାଜଧାନୀରେ ଗୋଟାଏ ଅନାଥାଶ୍ରମ। ଅନେକ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନକୁ ଦାନ କରେ ମୁଁ। ଦରିଦ୍ର ମେଧାବୀ ଛାତ୍ରମାନଙ୍କୁ ମାସିକ ଅର୍ଥ ସାହାଯ୍ୟ ଦେଇ କେତେ ଛାତ୍ରଙ୍କୁ ମଣିଷ କରିଛି।
ମୋ ସୁନାମ, ପ୍ରତିପତ୍ତି ପରସ୍ପର ସହ ପ୍ରତିଯୋଗିତା କରି ଡେଙ୍ଗେଇ ଚାଲିଛନ୍ତି। ମୁଁ ଚାଲିଗଲେ ପଦ୍ମ ଫୁଟିଯାଉଛି, ଚାହିଁ ଦେଲେ ପୁଷ୍ଟ ବୃଷ୍ଟିହେଉଛି।
ପ୍ରତିଦିନର ରୁଟିନ୍‌ରେ କିଛି ନା କିଛି ଆକର୍ଷଣ ମୋ ବାଟ ଚାହିଁବସିଛି। କେଉଁଦିନ ସଭାରେ ମୁଖ୍ୟ ଅତିଥି, ଆଉ କେଉଁଦିନ ମୋ ପାଇଁ ଆୟୋଜିତ ସଭାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା, ମୋର ଦୀର୍ଘ ଜୀବନ କାମନା। ପୁଣି ଆଉ କେଉଁ ଦିନ ବିଦେଶୀ କମ୍ପାନୀ ସହିତ ଆଲୋଚନା ତ କେଉଁ ଦିନ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ୍‌କାର କାର୍ଯ୍ୟକ୍ରମ। ସବୁଆଡ଼ୁ ନିମନ୍ତ୍ରଣ, ସମ୍ବର୍ଦ୍ଧନା, ସ୍ୱାଗତ, ସମ୍ମାନ। ଆପଣଙ୍କ କରୁଣାର ପଟାନ୍ତର ନାହିଁ ପ୍ରଭୁ!
ମୋ ଚାରିପାଖର ମଣିଷମାନେ ମୋତେ ହାତ ହଲାଇ ସ୍ୱାଗତ ଜଣାଉଛନ୍ତି, ବାହାବା ଦେଉଛନ୍ତି, କୃତଜ୍ଞତାରେ ଖଇ ପରି ସଂକୁଚିତ ହୋଇ ଯାଉଛନ୍ତି।
ମୁଁ ଫୂର୍ତ୍ତିରେ ସ୍ଫିତ ହୋଇ ଫାଟି ପଡ଼ୁଛି ଠିକ୍ ଗଛଡାଳରେ ପରିପୁଷ୍ଟ ଫଳଟିଏ ପରି। ଆକଣ୍ଠ ଆନନ୍ଦରେ ଅଧୀର ହୋଇ ଡେମ୍ଫରେ ଝୁଲୁଛି।
ମୁଁ ଅନେକ ପାଇଛି ପ୍ରଭୁ! ମୋ ହାତ ଭିତରେ ଆପଣ ସମଗ୍ର ପୃଥିବୀକୁ ତୋଳି ଦେଇଛନ୍ତି। ସ୍ନେହ, ମମତା, ବନ୍ଧୁତ୍ୱର ରଜ୍ଜୁରେ ମୋର ଆପାଦମସ୍ତକ ଶୃଙ୍ଖଳିତ। ସୁଖ, ସମ୍ଭୋଗ, ସମ୍ମାନ, ସୁଖ୍ୟାତିର ନୀଳଜଳର ସରସୀରେ ମୁଁ ଅହୋରାତ୍ର ସ୍ନାନରତ। ସୁଖର ଦିନଗୁଡ଼ାକ ମୋ ହାତରୁ ଚଢ଼େଇ ପରି ଉଡି ଯାଉଛନ୍ତି, ଅନନ୍ତ ଆକାଶର ପେଟ ଚିରି।
ମୋର ସକଳ ପାତ୍ର ଆପଣ ସବୁମନ୍ତେ ପୂର୍ଣ୍ଣ କରିଛନ୍ତି ଇଚ୍ଛାମୟ। ମୋ ଆଖିକୁ ପୃଥିବୀ ସପ୍ତରଙ୍ଗରେ ଚିତ୍ରିତ ଇନ୍ଦ୍ରଧନୁ ପରି ମନୋହର, ଆକର୍ଷଣୀୟ। ପ୍ରତି ବିନ୍ଦୁର ସୌନ୍ଦର୍ଯ୍ୟର ଆନନ୍ଦରେ ମୁଁ ଆତ୍ମହରା।

ଏତେ ପ୍ରାପ୍ତି, ଏତେ ପୂର୍ତ୍ତି, ଏତେ ଆନନ୍ଦ ଭିତରେ ଗୋଟିଏ କଥା ରଡ଼ ନିଆଁ ପରି ମଝିରେ ମଝିରେ ମତେ ଚେଙ୍କି ଦେଉଛି। ସବୁ ମଣିଷ ଦିନେ ନା ଦିନେ ଏ ମନୋରମ ପୃଥିବୀକୁ ଛାଡ଼ି ମୃତ୍ୟୁପୁରୀର ଯାତ୍ରୀ ହେବେ। ମୃତ୍ୟୁ ଜନ୍ମ ପରି ସତ୍ୟ। ଅନ୍ୟ ସମସ୍ତଙ୍କ ପରି ମୋତେ ବି ଦିନେ ମୃତ୍ୟୁବରଣ କରିବାକୁ ପଡ଼ିବ। କିନ୍ତୁ ମୁଁ ଏ ପୃଥିବୀରୁ ତିଳେ ହେଲେ ଘୁଞ୍ଚିବାକୁ ପ୍ରସ୍ତୁତ ନୁହେଁ।
ଏ ପର୍ଯ୍ୟନ୍ତ ଷାଠିଏଟି ବସନ୍ତକୁ ଉପଭୋଗ କଲିଣି ମୁଁ। ଏଇ ଷାଠିଏଟି ବସନ୍ତ ମୋତେ ଦେଇଛି ଅନେକ। ଯେତିକି ଦେଇଛି ଭବିଷ୍ୟତ ଦିନମାନଙ୍କରେ ତାଠୁ ଢେର ବେଶି ଦେବାର ପ୍ରତିଶ୍ରୁତି ଦେଇଛି। ଭବିଷ୍ୟତ ଦିନମାନଙ୍କର ଅନେକ ଉଜ୍ଜ୍ୱଳ ମାନଚିତ୍ର ଆଙ୍କିଛି ମୁଁ ଜୀବନରେ ଅନେକ ସ୍ୱପ୍ନ ଢାଳି, ଅନେକ ରଙ୍ଗ ବୋଳି।
ଏ ଜୀବନରେ ମୁଁ ଯାହା ପାଇଛି, ସେଥିରେ ଅତ୍ୟନ୍ତ ଆନନ୍ଦିତ। ତାକୁ ହାତଛଡ଼ା କରି ଆଉ କେଉଁଠିକି ଯିବାକୁ ମୁଁ ପ୍ରସ୍ତୁତ ନୁହେଁ। ଏପରି କି ସ୍ୱର୍ଗପ୍ରାପ୍ତି ଇଚ୍ଛା ବି ମୁଁ ପରିତ୍ୟାଗ କରିଛି।
ପାରିବେ ଯଦି ମୋ ଆତ୍ମା ସହିତ ମୋର ଏ ଶରୀରକୁ ଅମର କରନ୍ତୁ ପ୍ରଭୁ! ମୋତେ ଅମର କରନ୍ତୁ। ଜଳରେ ବୁଡ଼ିବି ନାହିଁ, ଅଗ୍ନିର ଦାହିକା ଶକ୍ତି ମୋ ପାଖରେ ପରାଭୂତ ହେଉ। ଗୁଳି, ବନ୍ଧୁକ, ପରମାଣୁ ବୋମା କେଉଁଥିରେ ମୋର ମରଣ ନ ହେଉ। ରୋଗ ମୋ ଶରୀରକୁ ସ୍ପର୍ଶ କରି ନ ପାରୁ।
ଏ ଜୀବନ ଛୋଟ ଲାଗେ ପ୍ରଭୁ! ୟା ଚାରି ପାଖରୁ ପାଚିରି ଉଠେଇ ନିଅନ୍ତୁ। ଜୀବନକୁ ଆକାଶ ପରି ମୁକୁଳା କରନ୍ତୁ, ବ୍ୟାପକ କରନ୍ତୁ, ଅନନ୍ତ କରନ୍ତୁ।
ମୁଁ ଆଗରୁ କହିସାରିଛି ପ୍ରଭୁ! ସ୍ୱର୍ଗ ପ୍ରାପ୍ତି ମୋର ଲୋଡ଼ାନାହିଁ। ସେ ସ୍ୱର୍ଗରେ କ’ଣ ଏମିତି ଥିବ? ସେଠି ଯାହା ଥାଉନା କାହିଁକି ଏ ପୃଥିବୀ ପରି ସେଠି ଖଣ୍ଡେ ସ୍ୱର୍ଗ ମୋ ନାଆଁରେ ରେଜେଷ୍ଟ୍ରି କରି ତା’ ଉପରେ କୋଠା, କୋଠା ଉପରେ କୋଠା କରି ମୋର ପ୍ରଭୁତ୍ୱକୁ ଥାକ ଥାକ କରି ସଜେଇ ତା’ ଉପରେ ଠିଆ ହୋଇ ଗର୍ବରେ ଛାତି ଫୁଲେଇବାର ସୁଯୋଗ ସେଠି ମୋତେ ଦେଇପାରିବେ ତ ଆପଣ?
ମୋତେ ଦେଖୁ ଦେଖୁ ମୁଣ୍ଡ ନୁଆଁଇ, କାନ କୁଣ୍ଡେଇ କୃତଜ୍ଞତାରେ ବତୁରି ବତୁରି ଯାଉଥିବା ମଣିଷ ଘେରଟାଏ ମୋତେ କ’ଣ ସ୍ୱର୍ଗରେ ମିଳିବ? ଚିହ୍ନାଆଖି, ଚିହ୍ନାମୁହଁ, ଚିହ୍ନାଘରଟାଏ ସେଠି ମୋତେ ଦେଇପାରିବେ ତ ପ୍ରଭୁ? ମୋ ପାଇଁ ସେଟା ସ୍ୱର୍ଗ ନ ହୋଇ ଅରଣ୍ୟ ପରି ମନେ ହେବ ନାହିଁ ତ?
ଆପଣଙ୍କ ଘରଟା ଆପଣଙ୍କ ପାଇଁ ସ୍ୱର୍ଗ ହୋଇପାରେ। କାରଣ ସେଠି ଆପଣଙ୍କ ସ୍ତ୍ରୀ, ପିଲା, ପରିବାର ଅଛନ୍ତି। ଚିହ୍ନାଜଣା ଅନେକ ଅଛନ୍ତି। ମୋ ଘର ଥିବା, ପିଲା, ପରିବାର, ଚିହ୍ନାଜଣା, ବନ୍ଧୁ, ପ୍ରିୟଜନ ଥିବା ଏଇ ପୃଥିବୀ ମୋ ପାଇଁ ସ୍ୱର୍ଗ। ମୁଁ ଏଇଠି ରହିବାକୁ ଚାହେଁ। ଯଦି ମୋତେ ସ୍ୱର୍ଗ ଦେବାକୁ ଆପଣଙ୍କର ଏକାନ୍ତ ଇଚ୍ଛା, ତେବେ ଏଇ ସୁନ୍ଦର ପୃଥିବୀକୁ ଆପଣ ସ୍ୱର୍ଗରେ ପରିଣତ କରନ୍ତୁ।
ନଚେତ୍ ଆପଣ ସ୍ୱର୍ଗ ଛାଡ଼ି ଏଇ ପୃଥିବୀକୁ ଓହ୍ଲେଇ ଆସନ୍ତୁ। ଆସନ୍ତୁ ଏଇଠି ସବୁଦିନ ରହିବା। ଏଠି ଆପଣଙ୍କୁ ଚିହ୍ନିଥିବା ଆଉ ଚିହ୍ନିଥିବାର ଗର୍ବ କରୁଥିବା ଅନେକ ମଣିଷ ଅଛନ୍ତି। ଆପଣ ଏଇ ପୃଥିବୀର ସମସ୍ତଙ୍କୁ ଚିହ୍ନିଛନ୍ତି। ସମସ୍ତଙ୍କ ମୁହଁକୁ, ଅନ୍ତରକୁ ବି।
ଯିଏ ଚାହୁଁଛି ଏ ପୃଥିବୀ ଛାଡ଼ିବାକୁ ତାକୁ ଆପଣ ଏ ପୃଥିବୀ ଉପରେ ପକାଇ ମାଡି ବସୁଛନ୍ତି କାଉଲ ବାଉଲ କରି। ସିଏ ଅଳି ଚଳି ପାରୁ ନାହିଁ। ଅଣକାଇଦି ହୋଇ ପଡ଼ିଛି। ଆଉ ମୋ ପରି ଯିଏ ଆନନ୍ଦରେ ଆତ୍ମହରା ହୋଇ ଉନ୍ମାଦନାରେ, ଉଶ୍ୱାସରେ ଉଡି ଉଡି ଚାଲୁଛି, ଯାହାର ପାଦ ତଳେ ଲାଗୁ ନାହିଁ, ଯାହାର ମୋଟେ ଇଚ୍ଛା ନାହିଁ ଏ ମନୋହର ପୃଥିବୀରୁ ପାଦେ ଘୁଞ୍ଚିବାକୁ ତା’ ଚୁଟି ଧରି କାହିଁକି ଆପଣ ଟାଣୁଛନ୍ତି, ଝିଙ୍କୁଛନ୍ତି।

ମୁଁ ଯେତେ ଯାହା କହିଲେ ଆପଣ ମୋଟେ କାନକୁ ନେବେ ନାହିଁ; ମୁଁ ଜାଣିଛି। କାରଣ କାହାର ଅଭ୍ୟାସ କେହି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। କାହା କଥା ନ ଶୁଣି ମନଇଚ୍ଛା କାମ କରିବା ଆପଣଙ୍କର ଅନେକ ଅନେକ ବର୍ଷ ତଳର ଅଭ୍ୟାସ। ଯାହା ଅଭ୍ୟାସର ବୟସ ଯେତେ, ତାକୁ ଛାଡ଼ିବାକୁ ସେତିକି ବର୍ଷ ଅନ୍ତତଃ ଲାଗିବ।
ଆପଣ କାହାରି ଆବେଦନ, ନିବେଦନ ପ୍ରତି କର୍ଣ୍ଣପାତ ନ କରି ଚୁଟିଧରି ଏ ପୃଥିବୀରୁ ଉଠେଇ ନିଅନ୍ତି ସମସ୍ତଙ୍କୁ। ମତେ ବି ନେବେ। ଏଠୁ ଉଠେଇ ମୋତେ କେଉଁଠି ସ୍ଥାପନ କରିବେ ପ୍ରଭୁ? ମୁଁ ପୁଣି ମଣିଷ ହୋଇ ଜନ୍ମ ହେବି ନା କଙ୍ଗାରୁ, ଓଟପକ୍ଷୀ, ଧଳାଭାଲୁ, ମାଛ, ଗେଣ୍ଡା, ଗଛ, କି ଟେଳାଟାଏ କରି ମୋତେ କେଉଁଠି ଗଡ଼େଇ ଦେବେ? ମୋତେ ଆଉ କିଛି ନ କରି ମଣିଷଟିଏ କରନ୍ତୁ ପ୍ରଭୁ! ଅନ୍ତତଃ ଆଉ ସାତ ଜନ୍ମ ପର୍ଯ୍ୟନ୍ତ। ଏଇ ଜନ୍ମରେ ମୋ ମନରେ ଯେତିକି ସ୍ୱପ୍ନ, ଯେତିକି ଯୋଜନା ଖୁନ୍ଦି ହୋଇଛି, ସେତକ ସାକାର କରିବାକୁ ଆହୁରି ସାତଟି ଜନ୍ମ ମୋତେ ମଣିଷ କରନ୍ତୁ।
ମୋତେ ଯଦି ଆପଣ ଅମର କରିବାକୁ ଅନିଚ୍ଛୁକ, ତେବେ ମୁଁ ମରିବାକୁ ପ୍ରସ୍ତୁତ ଅଛି; କିନ୍ତୁ ଗୋଟିଏ ସର୍ତ୍ତରେ। ପ୍ରତି ଜନ୍ମରେ ମୋତେ ଜଣାଇ ଦିଅନ୍ତୁ ମୁଁ ପୂର୍ବ ଜନ୍ମରେ କ’ଣ ଥିଲି? କ’ଣ କରିଥିଲି? ପୂର୍ବ ଜନ୍ମର ସମସ୍ତ ସ୍ମୃତିକୁ ମୁଁ ସ୍ମରଣ କରିବାକୁ କ୍ଷମତା ମୋତେ ଦିଅନ୍ତୁ। ମୋତେ ଜାତିସ୍ମର କରନ୍ତୁ। ତା’ ହେଲେ ମୁଁ ମରିବାକୁ ମୋଟେ ଅରାଜି ହେବି ନାହିଁ। ବରଂ ଏ ଜନ୍ମରେ ଯାହା କରିପାରିଲି ନାହିଁ, ଯେଉଁ କ୍ଷମତାକୁ ଆୟତ୍ତ କରିପାରି ନାହିଁ, ପୃଥିବୀର ଯେଉଁ ଫାଳକରେ ପ୍ରଭୁତ୍ୱ ବିସ୍ତାର କରିପାରି ନାହିଁ, ସେ ସବୁ କରିବାକୁ ସବୁ ଜନ୍ମର କଳା କୌଶଳକୁ ଏକାଠି କରି ଅସାଧ୍ୟ ସାଧନ କରିବାକୁ ସମର୍ଥ ହେବି।
ଏତେ ଦିନର ଅଭିଜ୍ଞତା ଭିତରେ ମୁଁ ଯେଉଁ ଅଭିନୟ କଳା ହାସଲ କରିପାରିଛି, ମୋ ଜାଗାରେ ଯେଉଁ ତୁଚ୍ଛା ମଣିଷଟିକୁ ଆପଣ ବିନା ପୋଷାକରେ ପଠାଇବେ, ତାକୁ କେତେ ନାହିଁ କେବେ ବର୍ଷ ଲାଗିବ ରିହରସାଲ୍ କରିବାକୁ, ପାତ୍ରୋଚିତ ପୋଷାକ ପିନ୍ଧି ଅଭିନୟ କରିବାକୁ। ପୁଣି ସେ ଅଭିନୟ ମନଛୁଆଁ ହୋଇ ଦର୍ଶକକୁ ମୁଗ୍‌ଧ କରିବ କି ସଂଳାପର ମଡ୍ୟୁଲେସନ୍ ଠିକ୍ ନ ହେବ ସେ କଥା କିଏ ଏବେଠୁ କହି ପାରିବ?
ମଣିଷ ଆପଣଙ୍କ ହାତରୁ ଖସି ପୃଥିବୀରେ ପାଦ ଦେବା ମାତ୍ରେ ଭୁଲିଯାଏ ଆପଣଙ୍କୁ। ତା’ ଉପରେ ଆପଣଙ୍କର ନିୟନ୍ତ୍ରଣ ରହେ ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ। ଆପଣଙ୍କ ଆଖିରେ ସବୁ ମଣିଷ ସମାନ। ଆପଣ ସୃଷ୍ଟି କରି ପଞ୍ଝାକୁ ପଞ୍ଝା ମଣିଷ ଏ ପୃଥିବୀକୁ ଅଡ଼େଇ ଦେଲାବେଳେ ସମସ୍ତେ ହୁଏତ ସମାନ ଦିଶନ୍ତି। ସମସ୍ତଙ୍କର ଦୁଇଟା ଗୋଡ଼, ଦୁଇଟା ହାତ, ଗୋଟିଏ ମୁଣ୍ଡ ଆଉ ଦେହରେ ରକ୍ତ, ମାଂସ, ହାଡ଼। ଆପଣଙ୍କ ନିୟନ୍ତ୍ରଣ ମାନିଥିଲେ ସମସ୍ତେ ଏକା ପରି ସାଧୁ, ସଚ୍ଚୋଟ, ନ୍ୟାୟବନ୍ତ ସୁପୁରୁଷ ହୋଇ ଥାଆନ୍ତେ ନିଶ୍ଚୟ। କିନ୍ତୁ ସତରେ କ’ଣ ସେଇଆ ହେଉଛି? ଭଲ ମଣିଷ ନ ହୋଇ ଭଲ ମଣିଷର ପୋଷାକ ମଡ଼େଇ ହେବାକୁ ସମସ୍ତେ ଆଜି ବ୍ୟାକୁଳ। ଭଲ ମଣିଷର ମୁଖା ପିନ୍ଧିବାକୁ ବ୍ୟଗ୍ର।
ମତେ ଏ ପୃଥିବୀରୁ କେମିତି ନେବେ ପ୍ରଭୁ? କୌଣସି ଦୁରାରୋଗ୍ୟ ରୋଗ ମୁହଁକୁ ଠେଲି ନା ସାଂଘାତିକ ଦୁର୍ଘଟଣାଗ୍ରସ୍ତ କରି ନା ବାର୍ଦ୍ଧକ୍ୟରେ ପଚେଇ ସଢ଼େଇ।
କୌଣସି ଭୟାବହ ରୋଗ ମୁହଁକୁ ମୋତେ ଠେଲିବେ ନାହିଁ ପ୍ରଭୁ। ରୋଗକୁ ମୋର ପ୍ରାଣେ ଭୟ। ରୋଗ ମଣିଷର ତଣ୍ଟିକୁ ପ୍ରତିଦିନ ଗଁ ଗଁ କରି ଚିପୁଥାଏ। ଅଥାନ ମାନଙ୍କରେ ପାଦ ପ୍ରହାର କରି କରି ଜୀବନ ନାଟିକାଟିକୁ ଦୁର୍ବଳ କରୁଥାଏ। ପ୍ରିୟ ପରିଜନମାନଙ୍କ ସ୍ନେହ, ଶ୍ରଦ୍ଧା, ପ୍ରେମ, ଆଦରକୁ ତାଙ୍କ ମନରୁ ଖୁବ୍ ଗହୀରେଇ ଗହୀରେଇ କୋରି ପଦାକୁ ଫୋପାଡ଼ି ଦିଏ। କୋରିବା ସମୟରେ ଥରେ ଥରେ ଏମିତି ଗିରି ଗହ୍ୱରରେ ବଜେଇ ଦିଏ ଯେ, ଦିହ, ମନ, ଟଣ୍ ଟଣ୍ ହୋଇ କମ୍ପିଯାଏ। ସତେକି ସେଇନେ ଜୀବନ ଛାଡ଼ିଯିବ। କିନ୍ତୁ ନା ଜୀବନ ଯାଏନା। ଜୀବନଟା ବଞ୍ଚି ରହେ କେବଳ ଯନ୍ତ୍ରଣା, ଲାଞ୍ଛନା ସହିବାକୁ। ପ୍ରିୟ ପରିଜନଙ୍କ ସାଙ୍ଗରେ ଅପ୍ରିୟ ହୋଇ ଭର୍ତ୍ସନା ଶୁଣିବାକୁ।
ମରଣଠୁ ଘୋଷରା ବେଶି ବାଧେ। ଦେହ କାନ୍ଥିରୁ ରହି ରହି ଘଡ଼ିକେ, ପହଡକେ ଖଣ୍ଡଖଣ୍ଡ ଇଟା ଝଡ଼େ। ପାଖ ଲୋକେ ଉଚ୍ଛନ୍ନ ହୁଅନ୍ତି ଦିଅଁ ଉଜେଇଁ ବୁଡ଼ ମାରି କାମ ବଢ଼େଇ ଦେବାକୁ।
ତେଣୁ ମୋତେ କୌଣସି ଭୟାବହ ରୋଗ ମୁହଁକୁ ଠେଲି ନ ଦେଇ, ମରଣ ମୁହଁକୁ ସିଧା ଠେଲି ଦିଅନ୍ତୁ ପ୍ରଭୁ!
କୌଣସି ଆକସ୍ମିକ ଦୁର୍ଘଟଣା ମୁହଁକୁ ଠେଲିବେ ଯଦି କିରୋସିନି କି ପେଟ୍ରୋଲ ଢାଳି ପୋଡ଼ିବେ ନାହିଁ। ଦେହ ଜଳା ଯନ୍ତ୍ରଣା ସେଥିରେ। ମୋ ଉପରେ ରେଳଗାଡ଼ି କି ମଟର ଗାଡ଼ି ମଡ଼େଇସେଇ ସ୍ପଟ୍ ଉପରେ ଦେହରୁ ଜୀବନଟାକୁ କାଢ଼ିନେବେ। ଟିକେ ବି ସମୟ ଦେବେ ନାହିଁ କି ଡାକ୍ତରଖାନାରେ ପକେଇ ବେଡ଼ି ଉପରେ କୋରଡ଼ା ମାଡ ଦେବାକୁ ମନ କରିବେ ନାହିଁ। ଆକସ୍ମିକ ଦୁର୍ଘଟଣାରେ ମରିବି ତ, ଆକସ୍ମିକ ଭାବେ ମରିବି। ଠୋ କରି ଫାଟିଯିବ ଏ ଶରୀର। ପବନ ପଶୁଥିବା ଏ ମୁଣାଟା କଣା ହୋଇଯିବ। ଫୁଟା ପେଣ୍ଡୁ ପରି ପଡ଼ିଥିବ ଲୋଚା କୋଚା ହୋଇ। ଉଠ ପଡ଼ ହେବା କି ଡେଇଁବାର ଶକ୍ତି ନ ଥିବ କି ସାମର୍ଥ୍ୟ ନ ଥିବ। ଯନ୍ତ୍ରଣା ଆସିବା ପୂର୍ବରୁ ଏ ଦେହ ଛାଡ଼ି ଜୀବନଟା ଯେମିତି ପଳେଇବ ବହୁତ ଆଗରୁ। ଜୀବନ, ଦେହ ଆଉ ଯନ୍ତ୍ରଣା କାହାରି ସହିତ କାହାର ଯେମିତି ସାକ୍ଷାତ୍ ନ ହୁଏ ମୋ ମରଣ ବେଳଟାରେ।
ଆଉ ରହିଲା ବାର୍ଦ୍ଧକ୍ୟ। ବାର୍ଦ୍ଧକ୍ୟ ବି ଗୋଟେ ରୋଗ। ସବୁଠୁ ସାଂଘାତିକ ରୋଗ। ଏ ରୋଗର କୌଣସି ଚିକିତ୍ସା ନାହିଁ। କୌଣସି ଲୋକ ପକ୍ଷେ ଏ ରୋଗ କବଳରୁ ରକ୍ଷା ପାଇବା ସମ୍ଭବ ନୁହେଁ।
ଯୌବନରେ ଯେଉଁ ସିଂହାସନ ଆରୋହଣ କରି ମଣିଷ ଅଖଣ୍ଡ ଶାସନ ନିଜ ଇଲାକାରେ ଜାରି ରଖେ, ବାର୍ଦ୍ଧକ୍ୟରେ ସେଇ ସିଂହାସନକୁ କୁକୁର ପରି କେବଳ ଜଗି ରହିବାକୁ ତାକୁ ପଡ଼ିଥାଏ। ରଜାକୁ ପହରାଦାର କାମଟା ନିଜ ମଣିଷଙ୍କ ହାତରେ କ୍ରୁଶବିଦ୍ଧ ହେଲାପରି କଷ୍ଟଦାୟକ ନୁହେଁ କି ପ୍ରଭୁ? ନିଜ ଜୀବନ କାଳ ଭିତରେ ସବୁଥିରୁ ଅଧିକାର ହରଣ ନିଜ ଆଖିରେ ଦେଖିବା, ନିଜ ଦେହରୁ ଖଣ୍ଡ ଖଣ୍ଡ ମାଂସ କଟାହେବା ପରି କଷ୍ଟଦାୟକ ନୁହେଁ କି?
ଆଜିକାଲି ଗୋଟିଏ ଭଲ ଉପାୟରେ ଆପଣ କିଛି ଲୋକଙ୍କୁ ଏ ପୃଥିବୀରୁ ଉଠେଇ ନେଉଛନ୍ତି। ସେଥିରେ ଦେହକୁ କି ମନକୁ ବିଶେଷ କଷ୍ଟ ନାହିଁ। ଶହ ଶହ ମଣିଷ ମେଳରେ ହସ ଖୁସି, ଖିଆପିଆ, ନାଚ, ଗୀତ କରୁଥିବା ବେଳେ କି ନିକାଞ୍ଚନରେ, ନୀରବରେ ବିଶ୍ରାମ ନେଉଥିବା ବେଳେ ହାର୍ଟଫେଲ୍ କରୁଛି। ଚଳଚଞ୍ଚଳ ଦେହଟା ହଠାତ୍ ସ୍ଥିର ହୋଇଯାଉଛି। ମୋତେ ଯଦି ଅମର ନ କରି ପାରିବେ ପ୍ରଭୁ, ଏଇମିତି ସୁଖ ମରଣ ଦିଅନ୍ତୁ। ଜୀବନଟା ସୁଖରେ କଟିଛି, ମରଣଟା ସୁଖରେ ହେଉ।
ଏତିକିରେ ଇତି କରୁଚି ପ୍ରଭୁ! ଆଶାକରେ ମୋର ଏ ଇ-ମେଲ୍ ଆପଣ ପାଇବେ, ପଢ଼ିବେ ଆଉ ମୋ ନିବେଦନ, ଆବେଦନ ଘେନା କରିବେ।
ଚିର କୃତଜ୍ଞ ବିନୟାବନତ
ଅବିନାଶ ଚଉଧୁରୀ
“ଆନନ୍ଦ ଭବନ’, ଅନୁପମ ନଗର
ଭୁବନେଶ୍ୱର-୭୫୧୦୦୩

ଇ-ମେଲଟିକୁ କମ୍ପ୍ୟୁଟରରେ କଂପୋଜ କରିସାରି ଈଶ୍ୱରଙ୍କ ପାଖକୁ ପଠାଇବା ପାଇଁ ଅବିନାଶ ଈଶ୍ୱରଙ୍କ ଇ-ମେଲ୍ ଆଡ୍ରେସ୍ ଖୋଜିଲେ। ଈଶ୍ୱରଙ୍କ ଇ-ମେଲ୍ ଆଡ୍ରେସ୍ ପାଇଁ ସେ ଆକାଶକୁ ଚାହିଁଲେ। ସ୍ୱର୍ଗପୁରଟା ଆକାଶ ଭିତରେ ଅଛି, କିନ୍ତୁ କ’ଣ ତା’ର ଠିକଣା? ଈଶ୍ୱରଙ୍କ ଇ-ମେଲ ଆଡ୍ରେସ୍ ତାଙ୍କୁ ହିଁ ସୃଷ୍ଟି କରିବାକୁ ପଡ଼ିବ। ଭାବିଚିନ୍ତି ଇ-ମେଲ୍ ଆଡ୍ରେସ୍‌ଟିଏ ସୃଷ୍ଟିକଲେ: iswar@baikunthapur.yahoo.com । ନିଜେ ଈଶ୍ୱରଙ୍କ ଇ-ମେଲ୍ ଆଡ୍ରେସ୍‌ଟି ସୃଷ୍ଟି କରିପାରିଥିବା ଆନନ୍ଦରେ ଉଲ୍ଲସିତ ହେଲେ ଅବିନାଶ।
ନିଜେ ସୃଷ୍ଟି କରିଥିବା ଆଡ୍ରେସ୍‌ରେ ଇ-ମେଲ୍‌ଟିକୁ ଈଶ୍ୱରଙ୍କ ପାଖକୁ ଅବିନାଶ ପଠାଇଦେଲେ। ଇ-ମେଲ୍‌ଟି ଯାଉଛି କି ନାହିଁ ଉତ୍କଣ୍ଠିତ ହୋଇ ଅପେକ୍ଷା କଲେ। ବେଶି ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ। ପ୍ରାୟ ଦୁଇ ମିନିଟ୍ ଭିତରେ ଇ-ମେଲ୍‌ଟି ଚାଲିଗଲା। ତାଙ୍କୁ ମନେ ହେଲା ସତେ ଯେମିତି ତାଙ୍କ ବାର୍ତ୍ତାଟି ସର୍ବଶକ୍ତିମାନ ବିଶ୍ୱନିୟନ୍ତା ଈଶ୍ୱରଙ୍କର ହସ୍ତଗତ ହୋଇଛି।

ଅବିନାଶ କମ୍ପ୍ୟୁଟର ଛାଡ଼ିଦେଇ ଚଟାଣରେ ଆସନଟିଏ ପକାଇ ପଦ୍ମାସନରେ ବସି ଆଖି ବନ୍ଦ କରି ଈଶ୍ୱରଙ୍କୁ ପ୍ରାର୍ଥନା କଲେ। ତପସ୍ୟାରେ ମଗ୍ନ ହେବା ପରି ମୁଦ୍ରାରେ ବସି ରହି ମନକୁ କେନ୍ଦ୍ରୀଭୂତ କଲେ ଗୋଟିଏ ବିନ୍ଦୁରେ।
ଏମିତି କେତେ ସମୟ ସେ ଧ୍ୟାନରେ ବସିଛନ୍ତି ତାଙ୍କୁ ଜଣା ନାହିଁ। ଭୋକ, ଶୋଷ ତାଙ୍କୁ ଲାଗୁ ନାହିଁ। ନିଦ୍ରା କଥା ସିଏ ଭୁଲିଯାଇଛନ୍ତି। ତାଙ୍କ ଚାରି ପାଖର ପୃଥିବୀ କି ଜୀବଜଗତ କଥା ଆଉ ସ୍ମରଣ ନାହିଁ।
ତାଙ୍କ ଆଖି ବନ୍ଦ ଥିଲେ ବି କମ୍ପ୍ୟୁଟର ପରଦାଟା ତାଙ୍କୁ ସ୍ପଷ୍ଟ ଦିଶିଲା ଏବଂ ସେଥିରେ କେତେଟା ଧାଡ଼ି ଲେଖି ହୋଇଗଲା। ସେମିତି ବନ୍ଦ ଆଖିରେ ଅବିନାଶ ପଢ଼ିଲେ- ମୁଁ ଈଶ୍ୱର। ତୁମ ପ୍ରାର୍ଥନା ଶୁଣିଲି। ମୁଁ ଭାବିଲି ତୁମକୁ କିଛି ସ୍ପଷ୍ଟୀକରଣ ଦେଇ ତୁମର ସମସ୍ୟାର ସମାଧାନ କରିବି। ତୁମେ ଯେଉଁ ମାଧ୍ୟମ ସହିତ ଅଭ୍ୟସ୍ତ ତାରି ଜରିଆରେ ମୁଁ ତୁମକୁ ଉତ୍ତର ଦେବି। ଏଇ କମ୍ପ୍ୟୁଟରରେ ତୁମେ ତୁମ ଜୀବନର ସମସ୍ୟା ସଂପର୍କିତ ପ୍ରଶ୍ନ ଉପସ୍ଥାପିତ କର।
ଈଶ୍ୱର ଲେଖିଥିଲେ, କୌଣସି ପ୍ରାର୍ଥନା ଅନୁତ୍ତରିତ ରହେନା; କିନ୍ତୁ ବେଳେବେଳେ ଉତ୍ତର ନାସ୍ତିବାଚକ ଥାଏ। ଆତ୍ମବିଶ୍ୱାସ ରଖ ଓ ଭୟଛାଡ଼। ଜୀବନ ଏକ ରହସ୍ୟ ଯାହାକୁ ଭେଦ କରାଯାଏ, କିନ୍ତୁ ଜୀବନ ଏକ ସମସ୍ୟା ନୁହଁ କି ତା’ର ବିଶ୍ଳେଷଣ କରାଯାଏନା। ବଞ୍ଚିବାର କଳା ଜାଣିଥିବା ମଣିଷ ପାଇଁ ଜୀବନ ଅତି ଚମତ୍କାର।
ଅବିନାଶଙ୍କ ଧ୍ୟାନ ଭଗ୍ନ ହେଲା।
ଅତ୍ୟଧିକ ଆନନ୍ଦରେ ଉତ୍‌ଫୁଲ୍ଲିତ ହୋଇ ବଡ଼ ପାଟିରେ ହସି ଉଠିଲେ ଅବିନାଶ। ସେ ହସ ଆଉ ବନ୍ଦହେଲା ନାହିଁ। ହସ ପରେ ହସ। ଅବିନାଶଙ୍କ ହସ ଅବିଶ୍ରାନ୍ତ ଚାଲୁ ରହିଲା। ତାଙ୍କ ସ୍ତ୍ରୀ, ପୁଅ ଓ ଚାକର ଚାକରାଣୀ ଆସି ରୁଣ୍ଡ ହେଲେ। ସେ କାହାରି କଥା ନ ଶୁଣି ସେ ପ୍ରାଣଖୋଲା ହସ ହସି ଚାଲିଲେ। ତାଙ୍କ ମୁହଁ, ଦେହ, ହାତ, ଗୋଡ଼ ସବୁ ଲାଲ ପଡ଼ିଗଲା। ତଥାପି ହସ ବେଳକୁ ବେଳ ବଢ଼ିଲା। ଅଧଘଣ୍ଟାଏ ହସିବା ପରେ ଅବିନାଶ ମୂର୍ଚ୍ଛା ଗଲେ। ତାଙ୍କ ମୁହଁରେ ପାଣିଢାଳି, ଫୁଙ୍କାଫୁଙ୍କି କଲେ ମଧ୍ୟ ଚେତା ଫେରିଲା ନାହିଁ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଗଲା। ଡାକ୍ତର ପରୀକ୍ଷା କରି ଘୋଷଣା କଲେ – ଅତ୍ୟଧିକ ଆନନ୍ଦ ଯୋଗୁ ତାଙ୍କର ହୃଦ୍‌ଯନ୍ତ୍ରର କ୍ରିୟା ବନ୍ଦ ହୋଇଯାଇଛି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ।)

5 thoughts on “ଈଶ୍ୱରଙ୍କୁ ଇ-ମେଲ୍‌

    1. ଏତେ ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ।

  1. (1) ଭଲ ମଣିଷ ନ ହୋଇ ଭଲ ମଣିଷର ପୋଷାକ ମଡ଼େଇ ହେବାକୁ ସମସ୍ତେ ଆଜି ବ୍ୟାକୁଳ। ଭଲ ମଣିଷର ମୁଖା ପିନ୍ଧିବାକୁ ବ୍ୟଗ୍ର।
    (2) ମୋତେ ଯଦି ଅମର ନ କରି ପାରିବେ ପ୍ରଭୁ, ଏଇମିତି ସୁଖ ମରଣ ଦିଅନ୍ତୁ। ଜୀବନଟା ସୁଖରେ କଟିଛି, ମରଣଟା ସୁଖରେ ହେଉ ।
    (3) ଡାକ୍ତର ପରୀକ୍ଷା କରି ଘୋଷଣା କଲେ – ଅତ୍ୟଧିକ ଆନନ୍ଦ ଯୋଗୁଁ ତାଙ୍କର ହୃଦଯନ୍ତ୍ରର କ୍ରିୟା ବନ୍ଦ ହୋଇଯାଇଛି ।
    ଗାଳ୍ପିକ ଶ୍ରୀ ଆନନ୍ଦ ଚନ୍ଦ୍ର ପହିଙ୍କର ଏ ଭଳି ଇ-ମେଲ୍ ପାଇ ଈଶ୍ୱର ଉତ୍ତର ନ ଦେଇ ରହିଵେ କିପରି !

    କାରଣ ଏହି ଗଳ୍ଫରେ ନିଜ ଜୀବନରେ ଅନୁଭଵ ଓ ଉପଭୋଗ କରିଥିବା ଅ ଠୁଁ କ୍ଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଓ ଦର୍ଶନ କୁ ସମର୍ପଣର ଭାଵ ନେଇ ଓଜାଡି ଦେଇଛନ୍ତି ଏଇ ଇ-ମେଲ୍ ଟିରେ !

    “ଅତ୍ୟଧିକ ଆନନ୍ଦ ଯୋଗୁଁ ମରଣ ହେବା” – ଅଧିକ କ’ଣ ଲୋଡା ଯେ ?

    ଆନନ୍ଦଙ୍କର ଆନନ୍ଦ ପ୍ରାପ୍ତି ହେଉ; ଏହା ହିଁ କାମନା କରି ରହୁଛି।

    ପାଠକ
    ବଂଶୀଧର ମହାପାତ୍ର

    1. ମୋ ଗଳ୍ପଟିକୁ ଆପଣ ଗଭୀର ଅନୁଶୀଳନ କରି ଥିବାରୁ ଆନ୍ତରିକ ଧନ୍ୟବାଦ।

  2. ଏହା ଏକ କାଳଜୟୀ ଲେଖା l ଜୀବନର ସ୍ଥିତିକୁ ପ୍ରତ୍ୟକ୍ଷ ଭାବେ ଉପସ୍ଥାପନା କରାଯାଇଛି l ବହୁତ ହୃଦୟସ୍ପର୍ଶୀ ହୋଇଅଛି l

    ଈଶ୍ୱର ଲେଖିଥିଲେ, କୌଣସି ପ୍ରାର୍ଥନା ଅନୁତ୍ତରିତ ରହେନା; କିନ୍ତୁ ବେଳେବେଳେ ଉତ୍ତର ନାସ୍ତିବାଚକ ଥାଏ। ଆତ୍ମବିଶ୍ୱାସ ରଖ ଓ ଭୟଛାଡ଼। ଜୀବନ ଏକ ରହସ୍ୟ ଯାହାକୁ ଭେଦ କରାଯାଏ, କିନ୍ତୁ ଜୀବନ ଏକ ସମସ୍ୟା ନୁହଁ କି ତା’ର ବିଶ୍ଳେଷଣ କରାଯାଏନା।
    *ବଞ୍ଚିବାର କଳା ଜାଣିଥିବା ମଣିଷ ପାଇଁ ଜୀବନ ଅତି ଚମତ୍କାର।*

Leave a Reply

Your email address will not be published. Required fields are marked *