- କିଏ ଶୁଣୁଛି ? କଣନା ପିଲାଙ୍କ ଖୁସି ! କୁକୁରକୁ ଟେକା ମାରିବାରେ କି ଆନନ୍ଦ !
ଆମ ସାମାଜିକ ଚଳଣିରେ ବାହା ବ୍ରତ, ମଲା ମୃତିକିଆ, ଭଲ ମନ୍ଦରେ ପାଞ୍ଚ ଜଣଙ୍କ ହାତ ଅଇଁଠା, ମୁହଁ ମିଠା କରିବା ପରମ୍ପରା କ୍ରମେ ଚାଲି ଆସିଛି। ତେବେ କିଛି ଇଂରେଜି ପରମ୍ପରା କଖାରୁ ଡଙ୍କ ଭଳିଆ ମାଡିଆସିଛି ଆମ ଚାଳ ଉପରକୁ। ଦୁଇଶହ ବର୍ଷର ଗୋଲାମି ଆଜ୍ଞା! କିଛି କମ୍ କଥା ନୁହେଁ! ସଂସ୍କୃତି, ଗୋଳିଆ ମିଶା ହେବା ସ୍ବାଭାବିକ। ଆମ ଜନ୍ମଦିନ, ସ୍ୱନକ୍ଷତ୍ରରୁ ବାର୍ଥଡେ ରୁପେ ଆସି ଆମ ଠାକୁର ଘରୁ ପିଠା ଖିରୀ ଫୋପାଡି ଦେଇ, ଆମ ଡାଇନିଂ ଟେବୁଲ ଉପରେ ଚଢିଯାଇ ଇଂରେଜି ପିଠା, କେକ୍ ଉପରେ ମହମବତୀ ଲଗାଇ ଫୁଙ୍କିଦେଇ ଲିଭାଇ ଦେଲା। ଆଗେ ଗାଉଥିବା “ତମସୋ ମାମ୍ ଜ୍ୟୋତିର୍ଗମୟ” ଓଲଟି ଯାଇ ଆଲୋକ ବଦଳରେ ଅନ୍ଧକାରକୁ ଆଵାହନ କରାଗଲା। ସବୁ ସାଂସାରିକ ପର୍ବରେ କେକ୍ କଟାକୁ ଅଗ୍ରାଧିକାର ଦିଆଗଲା। ଗୋଟାଏ ଷ୍ଟାଟସ ସିମ୍ଵଲ ସାର୍ ! ବାପ ମା’ଙ୍କ ଶବ ଉଠିବା ପୁର୍ବରୁ କେକ କେବେ କଟାହେବ, ଦେଖିବାକୁ ବାକିରହିଲା।
ଆଉ ଗୋଟାଏ ପର୍ବ ବାହାଘର ବର୍ଷିକିଆ ଓଏଡିଙ୍ଗ୍ ଆନିଭର୍ସାରି। ସିଏ ପୁଣି ରୁପା, ସୁନା, ପ୍ଲାଟିନମ ପର୍ଯ୍ୟନ୍ତ ଗଲାଣି। ତା ଆଗକୁ ପରମାଇ ନାହିଁ। ପିଲାମାନେ ବଡ ହୋଇଯିବାରୁ ତାଙ୍କରି କଥାରେ ଵସ ଉଠ୍ ହେବାକୁ ପଡୁଛି। କେକ୍, ବାଜା ବାଣ, ବଡ ହୋଟେଲରେ ଭୋଜି, ବଡଲୋକ ଗୋଟାକେତେଙ୍କୁ ନିମନ୍ତ୍ରଣ, ଗୋଟାଏ ପତିଆରା! ସୋସିଆଲ ଷ୍ଟାଟସ ର ପ୍ରଚାର। ଭିଡିଓ କ୍ୟାମେରା ଆଗରେ ବୁଢା ବୁଢିଙ୍କୁ ଭିଡି ଓଟାରି ନଚାଇବା। କାହାର ସ୍ଲିପ ଡିସ୍କ ତ କାହାର ଅଷ୍ଟିଓ ଆର୍ଥ୍ରାଇଟିସ୍ , କିଏ ଶୁଣୁଛି? କଣନା ପିଲାଙ୍କ ଖୁସି! କୁକୁରକୁ ଟେକା ମାରିବାରେ କି ଆନନ୍ଦ ! ସେକଥା ସେଇ ବୁଝିଛି ଯିଏ ଅଙ୍ଗେ ଲିଭାଇଛି। ଯିଏ ଆସିଲେ, ଖାଇପିଇ ଗଲେ। “ମିଷ୍ଟାନ୍ନଂ ଇତରେ ଜନାଃ”। ସବୁ ପଇସାର ଖେଳ, ସାରେ ! ଆମ ସମାଜରେ ବର ଗଛ ଓସ୍ତଗଛ ବାହାଘର, ସାହାଡାଗଛ ସାଙ୍ଗରେ ଝିଅଟିର ବାହାଘର, ବର୍ଷା ନହେଲେ ବେଙ୍ଗ ବେଙ୍ଗୁଲି ବାହାଘର, କଣ୍ଢେଇ ବାହାଘର, କେତେ କ’ଣ। ଆମେ ସ୍କୁଲରେ ପଢୁଥିବା ବେଳେ ଶୁଣିଛୁ କଟକର ଜଣେ ଫଳ ବ୍ୟବସାୟୀଙ୍କ ଝିଅର କଣ୍ଢେଇ କନ୍ୟା ସହ କଟକର ବଡ ପୁଲିସ ଅଫିସରଙ୍କ ଝିଅର କଣ୍ଢେଇ ବର ସହ ଯେଉଁ ବାହାଘର ବାଣ ବାଜା ବରଜାତି ଭୋଜି ହୋଇଥିଲା, ସାଧାରଣ ବା ତାଠାରୁ ଟିକିଏ ଉପର ସ୍ତରରେ ମଣିଷ ଙ୍କ ବାହାଘର ଏମିତି ଜାକଜମକରେ ହେବା ସେ ସମୟରେ ଦେଖା ନଥିଲା। କନ୍ୟା ଘରୁ ଯାହା ଆସିବା କଥା ଆସିଥିଲା, ଲୋକେ ଟୁପଟାପ ହେଉଥିବା ଆମେ ଶୁଣିବାକୁ ପାଇଛୁ। ସେତେବେଳେ ଇନକମଟ୍ୟାକ୍ସ ଡିପାର୍ଟମେଣ୍ଟ ଏତେ ସକ୍ରିୟ ନଥିଲେ। ଦବା ନବା କେମିତି ଦଫା ରଫା ହୋଇଥିବ, ଅନୁମାନ କରିବା କଥା।
ଆଜି ସେ ସମୟ ବଦଳିଛି ବୋଧହୁଏ! କିଏ କହିଲା? ସେମ୍ ପ୍ରଡକ୍ଟ୍, ପ୍ୟାକିଙ୍ଗ୍ ବଦଳିଛି। ସେଇ ଡକା ହକା, ଦବାନବା ଅଛି ଯେ ନୁଆ, ହେଭି ରୁପ ନେଇ ଆସିଛି। ଗୋଟାଏ ନିମନ୍ତ୍ରଣ ପତ୍ର ତିନିଶ ପାଞ୍ଚଶ ରୁ ଅଧିକ ପଡୁଛି। ଧରନ୍ତୁ ଆମଭଳିଆ ଲୋକ ଯାହାକୁ ଡାକିଲେ ସମସ୍ତେ ଯେ ଆସିବେ, ସେମିତି କିଛି ମାନେ ନାହିଁ। ସେମାନେ ‘ଆସିପାରିଲି ନାହିଁ ଦୁଃଖିତ’, କି ‘ଆଶୀର୍ବାଦ କରୁଛି’ ବୋଲି କହିବା ବିଧିସମ୍ମତ ନୁହେଁ।ଯଦି କାହାକୁ ଭୁଲରେ ନ ଡାକି ଛାଡିଦେଇଛନ୍ତି, ଜୀବନ ଯାକ ଶୁଣୁଥିବେ। ଏମିତି ଥରେ ଗୋଟାଏ କେଶ୍ ହୋଇଥିବା ମନେ ପଡେ। ଜଣେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭ୍ରଷ୍ଟାଚାର ଆରୋପ ହୋଇଥାଏ। ସେ ନିଜର ସମସ୍ତ ସମ୍ପତ୍ତି ଗୋଟିଏ ଟଙ୍କା ରେ ବିକିଦେବେ କହି, ଖବରକାଗଜ ରେ ଇସ୍ତାହାର ଦେଲେ। କେତେ ଲୋକ ଟଙ୍କାଟିଏ କରି ତାଙ୍କ ଓକିଲ ପଟ୍ଟନାୟକ ବାବୁଙ୍କ ପାଖକୁ ମନିଅର୍ଡର ପଠାଇଲେ । ଯାହାହେଲା ,ଏସବୁ ପଲଟିକ୍ସ୍ । ସେଇ ସି. ଏମ୍ ନିଜ ଝିଅ ବାହାଘରକୁ ଓଡ଼ିଆ ଖଵରକାଗଜରେ ଛପେଇଦେଲେ ଖୋଲା ନିମନ୍ତ୍ରଣ । ଆମ ଭଳିଆ ମିଡଲ୍ କ୍ଲାସ, ଲୋୟର ମିଡିଲ୍ କ୍ଲାସ କୁଆଡେ ଯିବୁ? ଆମର ତ ଇଜ୍ଜତ ପ୍ରତି ଗୋଟାଏ ସମ୍ମାନ ଅଛି! ଯିଏ ଗଲେ ସବୁ ମାଲଦାର ପାର୍ଟି। ଆମେ ଏସବୁ ହିସାବ ରଖିନୁ କି ‘ଆମକୁ ଡାକିଲେନି’ କହିବା ଉଚିତ ମନେ କରିନୁ। ଏସବୁ ପଲିଟିକ୍ସ୍ ସାରେ, ପଲିଟିକ୍ସ୍ !
ମହାଶୟ,
ନମସ୍କାର।
ଧନ୍ୟବାଦ।
ହଁ, ଏଇମିତି ଲେଖା ମାନଙ୍କର ପ୍ରକାଶନ ପାଇଁ, ସର୍ବଦା ଅଗ୍ରାଧିକାର ମିଳୁ !
ସମୟ ବଦଳିବା ସ୍ୱାଭାବିକ କଥା । ତା ବୋଲି କ’ଣ ବାପ ନିଜ ପୁଅ ଠାରୁ ଆଶୀର୍ବାଦ ନେବ ?
ଡା ଅଭୟ ଦାଶଙ୍କ ଶାଣିତ ସ୍ଵର ନିଶ୍ଚିତ କାଳୋପଯୋଗୀ ।
ପାଠକେ ଟିକିଏ ତ ହେଲେ ନିଜକୁ ସଜାଡ଼ିବା ପାଇଁ ସତର୍କ ହେବେ !
ଲଳିତ ନିବନ୍ଧଟିର ଭାଷା, ଭାଵ ତଥା ପରିବେଷଣ ଶୈଳୀ ମନଛୁଆଁ ।
ସୃଷ୍ଟିକର୍ତା ଙ୍କୁ ସାଦର ପ୍ରଣାମ ଓ ଧନ୍ୟବାଦ।
ଅଭୟ ଦାଶ ତୀର୍ଯକ ବାଣ ମାରିବାରେ ଧୂରନ୍ଧର। ସମୟୋପଯୋଗୀ ଲେଖା। ଏପରି ଲେଖା ଆହୁରି ଲେଖିଚାଲନ୍ତୁ।
ବହୁତ ସୁନ୍ଦର ଓ ମଜାକିଆ ଲେଖା