- ଏଇ ଦେଖୁନ ! ଏବେ ଏହି ଉତ୍କଳ ରାଜ୍ୟରେ ଝଙ୍କଡ଼ବାସିନୀ ପୁରସ୍କାରକୁ ନେଇ କେତେ ବିବାଦ !
ସୁଦୂର ଉତ୍କଳ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମୀପବର୍ତ୍ତୀ ଚକେଇପଶି ଗାଆଁରେ ଗୋଟିଏ କୃଷକ ଥିଲା। ତା ପାଖରେ କୁକୁରଟିଏ, ବିଲେଇଟିଏ ଆଉ ପାରାଟିଏ ଥିଲେ। ପାରା ଘର ମଥାନ ଉପରେ ବସେ। ସବୁବେଳେ ଘୁଟୁରୁ ଘୁଂ ଘୁଟୁରୁ ଘୁଂ ହୋଇ କୃଷକର ଅମାର ଶସ୍ୟରେ ଭରୁ ବୋଲି ଭଗବାନଙ୍କ ଆଗରେ ପ୍ରାର୍ଥନା କରେ। ଶସ୍ୟ ଉତ୍ପାଦନ ବେଶୀ ହେଲେ କେଉଁଠି ନା କେଉଁଠି ବୁଣି ବିଞ୍ଚି ହେବ। ଆଉ ତାକୁ ବର୍ଷସାରା ଖାଇବାକୁ ଦାନା ମିଳିଯିବ। ଆକାଶରେ ଉଡ଼େ ସିନା କେଇଟି କଥାରେ ତା ଜ୍ଞାନ ଅଧୁରା ଥାଏ। ଚାଳଛପର ଉପରେ ବସିଲେ ବି ଛପର ତଳେ କଣ ହେଉଛି ତାହା ଜାଣି ପାରେନା।
ପାରାର ବଡ଼ ସାଙ୍ଗ କୁକୁର। ଦେଖିବାକୁ ଭୀମ ରୂପ। ହେଲେ ସେ ବିଶ୍ୱାସୀ ଆଉ ହୃଦୟରେ ଅତୀବ ଦୟାଳୁ। କୃଷକର ଘରେ ଥିବା ଏହି କୁକୁରଟି ବାରଣ୍ଡାରେ ଶୁଏ। ବୁଲିବାକୁ ଇଚ୍ଛା ହେଲେ ଅଗଣା ପର୍ଯ୍ୟନ୍ତ ଯାଇପାରେ। ହେଲେ ତାକୁ ବେଡ଼ରୁମ ଭିତରକୁ ପଶିବାକୁ ଅନୁମତି ନ ଥାଏ। କିନ୍ତୁ ଏଥିପାଇଁ ସେ ଦୁଃଖୀ ନ ଥାଏ। ନିଜ ଘ୍ରାଣଶକ୍ତି ବଳରେ ବେଡ଼ରୁମ ଭିତରେ କଣ କଣ ହେଉଛି ଜାଣିପାରେ। ଆଉ ପାରାକୁ ସବୁ କଥା କହେ। କୁକୁର ବି ପାରା ପରି କୃଷକର ମଙ୍ଗଳ ପାଞ୍ଚେ। କୃଷକର ପତ୍ନୀ ଅନେକ ସନ୍ତାନସନ୍ତତିର ଜନନୀ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ। ଏହାର ବି କାରଣ ଅଛି। ଘରେ ବେଶୀ ପିଲା ଛୁଆ ହେଲେ ସମସ୍ତେ ଖାଇଲା ବେଳେ ଭାତ ଛାଡିବେ ଆଉ ତାହା କୁକୁର ଭାଗରେ ପଡିବ।
ବିଲେଇଟି ଏ ଦୁହିଁଙ୍କୁ ଆଦୌ ଭଲ ପାଏନା, ବିଶେଷ କରି ସେମାନଙ୍କ ମିତ୍ରତାକୁ। ସେ ଘର ଭିତର ବାହାର ଖବର ସବୁ ଜାଣେ। ସାହି ଯାକର ଖବର ତାକୁ ଜଣା। ପାରାକୁ ଯାହା ଯାହା ମିଛ କଥା କହେ ତାହାର ସତ୍ୟାସତ୍ୟ କୁକୁର ପ୍ରଘଟ କରିଦିଏ। ପାରା ଆଉ କୁକୁର ସାଙ୍ଗ ହେବାର ଆଉ ଗୋଟିଏ କାରଣ ଥିଲା। ବିଲେଇ ଚାଳ ଉପରେ ଲୁଚି ଲୁଚି ପାରାକୁ ଖାଇବାକୁ ଗଲାବେଳେ କୁକୁର ଭୁକି ଦେଇ ସାବଧାନ କରିଦିଏ। ବିଲେଇ କୃଷକର ସ୍ତ୍ରୀ ଆଣ୍ଠୁକୁରୀ ହୋଇଯାଉ ବୋଲି ସବୁବେଳେ ମନରେ ଇଚ୍ଛା ରଖିଥାଏ। କାରଣ ଘରେ ପିଲାପିଲି ନ ହେଲେ ସେ କୃଷକର ସ୍ତ୍ରୀ କୋଳରେ ଆରାମରେ ଶୋଇପାରିବ।
ପାରା ବଳରେ ଅନ୍ୟ ଦୁହିଁଙ୍କଠାରୁ କମ୍ ଶକ୍ତିଶାଳୀ ହେଲେ ବି ତିନି ଜଣଙ୍କ ଭିତରେ ସେ ଏକୁଟିଆ ଆକାଶରେ ଉଡିପାରେ। ଦେଶ ଦୁନିଆଁ ବୁଲି ବହୁତ କଥା ଜାଣିଛି। ଅନେକ ବର୍ଷ ତଳେ ସେ ଥରେ ଉଡି ଯାଇ କଲିକତା ନଗରୀରେ ପହଞ୍ଚି ଥିଲା। ଭିକ୍ଟୋରିଆ ମେମୋରିଆଲର ଛାତ ଭଲ ଲାଗିବାରୁ ସେଇଠି କେଇ ବର୍ଷ ରହି ଯାଇଥିଲା। ଏଇ କେଇ ବର୍ଷ ଆଗରୁ ଉତ୍କଳ ଫେରିଛି।
ବିଲେଇ ନ ଥିଲାବେଳେ କୁକୁର ଓ ପାରା ଅନେକ କଥା ହୁଅନ୍ତି। ଗୃହ ସ୍ୱାମୀଙ୍କ ପ୍ରତି ବିଲେଇ ଦ୍ୱାରା କରା ଯାଉଥିବା ଅଶୁଭ କାମନା ଦୁହିଁଙ୍କୁ ଭଲ ଲାଗୁ ନ ଥାଏ। ଦିନେ କୁକୁର ପାରାକୁ କହିଲା ଆମେ ମନୁଷ୍ୟେତର ଜୀବ ହିଁ ନିଜ ଭାବନାରେ ଏପରି ଖରାପ ଚିନ୍ତାଧାରା ଆଣିପାରୁ। କିନ୍ତୁ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ଏପରି କରି ପାରେନା। ଠୋ ଠୋ ହୋଇ ହସି ଉଠିଲା ପାରା ଆଉ କୁକୁରକୁ କହିଲା, ମଣିଷଙ୍କ କଥା ଜାଣିନା। ଯଦି ବିଶ୍ୱାସ ହେଉନି ତେବେ ଉତ୍କଳ ରାଜ୍ୟର ଇସ୍ପାତନଗରୀରେ ରହୁଥିବା କ୍ରୀଡ଼ାବତୀ ପଣ୍ଡାଙ୍କ କାହାଣୀ ଶୁଣ। ପାରା କହିବାକୁ ଆରମ୍ଭ କଲା।
କ୍ରୀଡ଼ାବତୀ ନାମକ ଗରିବ ଝିଅଟିଏ ଇସ୍ପାତ ନଗରୀର ଉପକଣ୍ଠ ପାନପୋସ୍ ରେ ରହୁଥିଲା। ଯେନତେନ ପ୍ରକାରେଣ ବିଏ ପାସ କରି ଚାକିରୀଟିଏ କରିବ ବୋଲି ବହୁତ ଆଶା ଥିଲା। କିନ୍ତୁ ଚାକିରୀ କରିବା ପୂର୍ବରୁ ପିତାମାତା ତାକୁ ଅଳ୍ପ ଦରମା ପାଉଥିବା ଗୋଟିଏ ଯୁବକ ସହ ବିବାହ କରାଇଦେଲେ। ଚାକିରୀ କରିବାକୁ ଆଶା ରଖିଥିବା ଝିଅଟି ଯେତେବେଳେ ହାତର ମେହେନ୍ଦୀ ଲିଭିବା ପୂର୍ବରୁ ଧୂମମୟ ରୋଷେଇଘର ଭିତରେ ନିଜକୁ ଆବିଷ୍କାର କଲା, ମନ ତାର ବିଷେଇ ଉଠିଲା। ସେ ରନ୍ଧା ବଢାରେ ଏତେ ମନୋନିବେଶ କରି ପାରିଲା ନାହିଁ। ଘର ଲୋକେ ଓ ତା ନିଜ ସ୍ୱାମୀ ଅସନ୍ତୁଷ୍ଟ ହେଲେ।
ଚାକିରୀ ପାଇବା ପାଇଁ କ୍ରୀଡ଼ାବତୀ ବ୍ୟାକୁଳ ଥିଲା ସତ, କିନ୍ତୁ ଚାକିରୀ ପାଇଁ ଜାଗା ଖାଲି ନ ଥାଏ। ସେ ପ୍ରଥମେ ଦୈନିକ ବେତନଭୋଗୀ କର୍ମଚାରୀରୂପେ ମାସିକ ଦୁଇ ହଜାର ଟଙ୍କାର ଚାକିରୀଟିଏ କଲା। ଅଳ୍ପ ଟଙ୍କା ହେଲେ ବି ଏହି ପ୍ରାଥମିକ ନିଯୁକ୍ତିଟି ତା ମନରେ ଥିବା ଚାକିରୀ କରିବାର ନିଶାକୁ ଚରିତାର୍ଥ କରୁଥିଲା। ଅନ୍ତତଃ, ତାକୁ ରୋଷେଇ ନ କରିବାର ଗୋଟିଏ ବାହାନା ମିଳିଗଲା। ସେଇଠି କାମ କଲାବେଳେ କିରାଣୀ ପଦଟିଏ ଦେବାପାଇଁ ଗୋଟିଏ ବିଭାଗର ପ୍ରମୁଖଙ୍କ ପାଖରେ ଗୁହାରି କରିଲା। “ହଉ ଦେଖିବା” କହି ବିଭାଗ ପ୍ରମୁଖ ସେତେବେଳେ ନିଜକୁ କୌଣସି ପ୍ରତିଶ୍ରୁତି ଦେବାରୁ ବଞ୍ଚାଇନେଲେ।
କୁକୁର କହିଲା, “ତା ପରେ ?”
ଏ ଘଟଣାର ଆଠ ମାସ ପରେ ଗୋଟିଏ କିରାଣୀ ପଦ ରିକ୍ତ ହେଲା। କିନ୍ତୁ କ୍ରୀଡାବତୀଠାରୁ ଅନେକ ଯୋଗ୍ୟ ପ୍ରାର୍ଥୀ ଥିଲେ। କ୍ରୀଡ଼ାବତୀ ବଞ୍ଚିତ ରହିଗଲା।
ଏଥର ପୁଣି ଦୌଡ଼ିଲା ବିଭାଗ ପ୍ରମୁଖଙ୍କ ପାଖକୁ।
କୌଣସି ଉପାୟରେ ବିଭାଗ ପ୍ରମୁଖ ତା ଅନୁନୟ ଆଗରେ ମୁଣ୍ଡ ଟୁଙ୍ଗାରି ଦେଲେ, ଠିକ ଯେମିତି ରାଜା ଦଶରଥଙ୍କୁ କୈକେୟୀ କୌଣସି ଦୁର୍ବଳ ମୁହୂର୍ତ୍ତରେ ପ୍ରତିଶ୍ରୁତିରେ ବାନ୍ଧି ଦେଇଥିଲେ। ବିଭାଗ ପ୍ରମୁଖ କଥା ଦେଲେ, “ଏଥର ଯେଉଁ ପୋଷ୍ଟ ଆସିବ, ସର୍ବ ପ୍ରଥମେ ତୋ ନାଆଁ ବିଚାରକୁ ନିଆଯିବ।”
ଏଥର ଆରମ୍ଭ ହେଲା କ୍ରୀଡାବତୀର ସ୍ୱପ୍ନ ଠିକ କୈକେୟୀଙ୍କ ଭରତକୁ ରାଜା କରିବାର ସ୍ୱପ୍ନ ପରି। କିନ୍ତୁ ସରକାରଙ୍କ ଦ୍ବାରା ଆସନ୍ତା ଦୁଇବର୍ଷ ପାଇଁ କୌଣସି ନୂଆ ପଦର ମଞ୍ଜୁରୀ ନ ଥିଲା।
ତେବେ କ୍ରୀଡ଼ାବତୀର କଣ ହେଲା ?
କ୍ରୀଡ଼ାବତୀ ଚାହିଁଲା, ଗୋଟିଏ ପୋଷ୍ଟ କିପରି ବି ସୃଷ୍ଟି ହେଉ।
ଏଥକୁ କିଛି ଉପାୟ? – କୁକୁର ପାରାକୁ ପଚାରିଲା।
ପୋଷ୍ଟ ଖାଲି ହେବାର ତ ତିନୋଟି ରାସ୍ତା – ନୂଆ ଚାକିରୀ ସର୍ଜନା, କାହାର ଚାକିରୀ ବରଖାସ୍ତ, ରିଟାୟାରମେଣ୍ଟ ଅବା …..
“କହୁ କହୁ ଅଟକି ଗଲ ଯେ!”
ପାରା ଦୀର୍ଘଶ୍ଵାସ ନେଲା ଆଉ କହିଲା, “…ଅବା ମୃତ୍ୟୁ!”
-ହେ ଭଗବାନ! ତା ପରେ ?
କ୍ରୀଡ଼ାବତୀର ଅଶୁଭକାମନା ଫଳିଲା। ଅରକ୍ଷିତ ନାୟକ ନାମକ ସେହି ବିଭାଗରେ କାର୍ଯ୍ୟରତ ଗୋଟିଏ କିରାଣୀର ମୃତ୍ୟୁ ହୋଇଗଲା। ଅରକ୍ଷିତ ନାୟକର ଉଜୁଡ଼ା ଘରସଂସାରକୁ ଆବରଣରେ ଢାଙ୍କି ଦେଇଥିଲା କ୍ରୀଡାବତୀର ସ୍ୱପ୍ନ। ଚାକିରୀଟିକୁ ନିଜ ନାଆଁରେ କରିବାକୁ ତାର ବିଭାଗ ପ୍ରମୁଖଙ୍କ ପାଖକୁ ତୁରନ୍ତ ଦୌଡ଼ିବାକୁ ଇଚ୍ଛା ହେଉଥିଲା। କିନ୍ତୁ ଲୋକଲାଜ ବି ଅଛି; କିଛିଦିନ ଅପେକ୍ଷା କରିବାକୁ ହେବ। ଅରକ୍ଷିତ ନାୟକର ଏକାଦଶାହ କର୍ମକାଣ୍ଡ ସରିବାର ପରଦିନ ସେ ବିଭାଗ ପ୍ରମୁଖଙ୍କ ବାସଗୃହରେ ସକାଳୁ ସକାଳୁ ପହଞ୍ଚି ସ୍ମରଣ କରାଇଲା,”ସାର୍, ପୋଷ୍ଟଟିଏ ଖାଲି ହୋଇଗଲା। ଏବେ ନିଜର ବଚନ ରଖନ୍ତୁ।”
ସାର ହଁ ମାରିଲେ। ପନ୍ଦରଦିନ ଭିତରେ କ୍ରୀଡାବତୀର ଚାକିରୀ ହୋଇଗଲା।
ସତରେ ମଣିଷ ଜଗତ ଭିତରେ ଏମିତି ହୋଇପାରେ, ମୁଁ ଏକଥା ଭାବି ପାରୁନାହିଁ। ହୋଇପାରେ ପେଟପାଟଣା ପାଇଁ ଏପରି ପାପ ଚିନ୍ତା ଜନ୍ମ ନେଇପାରେ।
ଏଥର ଖିଲି ଖିଲି ହୋଇ ହସିଲା ପାରା। ହସ ରୋକି ଟିକିଏ ଗମ୍ଭୀର ହୋଇ କହିଲା, “କେବଳ ପେଟ ପାଟଣା ନୁହେଁ, ମାନସମ୍ମାନ ପାଇଁ ବି ମଣିଷ ଏପରି ଘୃଣ୍ୟ ଚିନ୍ତା କରିପାରେ।”
କିପରି ? – କୁକୁରର ଉତ୍ସୁକତାରେ ଏଥର ଅସହିଷ୍ଣୁ ଭାବ ବାରି ହୋଇପଡୁଥିଲା।
-ଏଇ ଦେଖୁନ! ଏବେ ଏହି ଉତ୍କଳ ରାଜ୍ୟରେ ଝଙ୍କଡ଼ବାସିନୀ ପୁରସ୍କାରକୁ ନେଇ କେତେ ବିବାଦ!
-ଜଣେ କିଏ କହୁଥିଲେ, କୁଆଡ଼େ ଦୁଇ ଲେଖକ ମହାରଥୀଙ୍କ ଭିତରେ ଏମିତି ସମାନତା ଆସିଗଲା, ନିକିତି କଣ୍ଟା ଆନ୍ଦୋଳିତ ହୋଇ ହୋଇ ଶେଷରେ ଠିକ ମଝିଆ ମଝି ଅଟକି ଗଲା।
-ତା ପରେ ? ଏହାର ସମାଧାନ କଣ ହୋଇଥିବ ?
-କଣ ହୋଇଥିବ ଛପରତଳର କଥା ଏ ପାରା କି ଜାଣେ ଯେ ?
-ତଥାପି ?
-ଅନୁମାନ କରିବା କଥା। ଏହି ସାମଞ୍ଜସ୍ୟ ଭାଙ୍ଗିବା ପାଇଁ ତରାଜୁର ଗୋଟିଏ ପାଲାରେ ସାରୁଟିଏ, କୁନ୍ଦୁରୀଟିଏ କି କଦଳୀଟିଏ ପକାଇ ଦିଆଯାଇଥିବ।
-ୟା ପରେ କଣ ହେଲା ପୁଣି ?
-ଆରେ ହେବ କଣ ? ନିକିତି ତଉଲ ସାନ ବଡ଼କୁ, ଭାରୀ ହୁଏ ଯିଏ ରହେ ତଳକୁ। ପୁରସ୍କାର ଦେବାରେ ଯେଉଁ ଷ୍ଟେଲମେଟ ହୋଇଥିଲା ତାହା ଦୂର ହୋଇଗଲା।
-ତା ପରେ ?
-ସେଣେ ଲେଖକ ଗୋଷ୍ଠୀ ଭିତରେ ଧ୍ରୁବୀକରଣ ଚାଲୁ ହୋଇ ସାରିଥିଲା। ପୁରସ୍କାର ଦୌଡ଼ରେ ଥିବା କୌଣସି ବହି ନ ପଢି ବି ଲେଖକକୁଳ ଦୁଇ ଦଳରେ ବାଣ୍ଟ ହେବାକୁ ଲାଗିଥିଲେ। ଶାସକ ଦଳ ନ ହେଲେ ବି ବିପକ୍ଷ ଦଳର ନେତା ହେବାର ଲାଭ ଅଛି। ତାଙ୍କ ପାଳି ଆସିଲେ, ପ୍ରତିପକ୍ଷର ନେତା ଲେଖକରାଜ୍ୟର ମୁଖ୍ୟମନ୍ତ୍ରୀ ହେବ। ତାଙ୍କ ସହ ସ୍ୱର ମିଶାଇ ଶ୍ରାବ୍ୟ ଅଶ୍ରାବ୍ୟ ଭାଷାରେ ସ୍ୱର ଉତ୍ତୋଳନ କରିଥିବା ଲୋକଙ୍କୁ ନୂଆ ଛୋଟ ଛୋଟ ପଦ ମିଳିଲା ପରି ସାହିତ୍ୟିକ ଉପଢୌକନ ମିଳିବା ଥୟ।
-ଛିଃ ଛିଃ ….ଏ ସବୁ କଥା କେବଳ ରାଜନୀତିରେ ଶୋଭା ପାଏ। କିନ୍ତୁ କହିଲ, ଅନ୍ୟ ବରିଷ୍ଠଲେଖକମାନେ କିଏ ଏହି ପୁରସ୍କାର ପାଇଥିଲେ ଭଲ ହୋଇଥାନ୍ତା ବୋଲି କହୁଛନ୍ତି ?
-ଆରେ ଅଧିକାଂଶ ତ ଏୟା ଚାହୁଁଛନ୍ତି ଯେ ଦୁଇଜଣଙ୍କୁ ଦିଆ ଯାଇଥିଲେ ଭଲ ହୋଇଥାନ୍ତା। ଗୋଟିଏ ବର୍ଷରେ କାମ ଛିଣ୍ଡି ଯାଇଥାନ୍ତା। ଏଇନେ ଅନାବଶ୍ୟକ ରୂପେ ଆଉ ଗୋଟିଏ ବର୍ଷ ବରବାଦ ଯିବ। ଆଉ ସେହି କାରଣରୁ ସେମାନଙ୍କ ପାଳି ଆସିବା ଡେରି ହେବ।
ହା ହା ହା …ହସିଲା କୁକୁର। ସତରେ ଏଠାରେ ସମସ୍ତେ ସ୍ୱାର୍ଥୀ। କିନ୍ତୁ କିଏ ଜାଣେ ଏ ବର୍ଷର ଉପବିଜେତା ଆସନ୍ତା ବର୍ଷକୁ ପ୍ରତିଯୋଗିତା ଦୌଡ଼ରେ ଥିବ କି ନାହିଁ!
“ହଁ, ସତ କହୁଛି। ଦୁଇଟି ଫୁଲ ଭିତରେ ତୁଳନା କଣ ? ତୁମେ କହିଲ ଦେଖି ଗୋଲାପ ଶ୍ରେଷ୍ଠ ନା ପଦ୍ମ ?” ନିଜ ଆଶୟକୁ ବଳ ଦେବାପାଇଁ ପାରା ଏତକ କହିଲା।
ସେତିକିବେଳେ କାୟାପ୍ରବେଶ ନାମକ ବିଜ୍ଞକାକ ଚାଳମଥାନର ଅନ୍ୟ ପାର୍ଶ୍ଵରେ ବସିଲା ଆଉ କହିଲା, “ଭାଇମାନେ, କାହିଁକି ସମୟ ଅପଚୟ କରୁଛ ? କିଏ ଜାଣେ, ଏମାନେ କେଉଁ ଫୁଲ ? ପ୍ରତିଦ୍ବନ୍ଦ୍ବିତାରେ ଥିବା ଅନ୍ୟ ଫୁଲମାନଙ୍କ କଥା କାହିଁ ଉଠୁନାହିଁ ଏଠି? ଏପରି ବି ହୋଇପାରେ, ସାହିତ୍ୟର ଉପବନରେ ଆଉ କେଉଁଠି ଅପରୂପ ଫୁଲଟିଏ ଅଛି ଯିଏ ପ୍ରତିଦ୍ବନ୍ଦିତାରେ ନାହିଁ!”
“ହଁ, ସ…ତ.. କ…ଥା।”, ଅଧାବୁଝା ଅଧାବୁଝା ସ୍ୱରରେ କୁକୁର ନିଜର ପ୍ରତିକ୍ରିୟା ଦେଲା। ତା ପରେ ପାରା ଆଡକୁ ଅନେଇ କହିଲା, “କିନ୍ତୁ ଇସ୍ପାତ ନଗରୀର କ୍ରୀଡାବତୀ ପରି କୌଣସି ଲେଖକ ଅନ୍ତତଃ ଅନ୍ୟ ଲେଖକର ମୃତ୍ୟୁକାମନା କରେ ନାହିଁ ଏଠି।”
ଏଥର ପାରା ଗମ୍ଭୀର ହୋଇ କହିଲା,
” ନିଜଠାରୁ ଅଧିକ ପ୍ରତିଭାବାନ ଗୁଣୀଜନ ଥାଇପାରନ୍ତି – ଏହା ଭୁଲିଯାଇ ଯଦି ଗୋଟିଏ ବ୍ୟକ୍ତି ପୁରସ୍କାର ପାଇଁ ପ୍ରଭାବର ବ୍ୟବହାର କରେ, ତାହା ତା ଦ୍ୱାରା ସେହି ଗୁଣୀଜନ ମାନଙ୍କର ମୃତ୍ୟୁକାମନା କରିବା ସହ ସମାନ। ସେମାନେ ହିଁ ନିଜ ସ୍ୱପ୍ନରେ ମସଗୁଲ କ୍ରୀଡାବତୀ। ସେମାନେ ହିଁ ନିଜପୁତ୍ରର ରାଜ୍ୟାଭିଷେକ ଲାଳସାରେ ଅନ୍ଧୁଣି କୈକେୟୀ। ସେମାନେ ହିଁ ସମଗ୍ର ଲେଖକକୁଳର ରାତିଦିନର ଅନ୍ତର୍ଜ୍ବାଳା ଆଉ ନିରବଚ୍ଛିନ୍ନ ସାଧନାର ଖଳନାୟକ!
କୁକୁର ଆଉ କାଉ ସ୍ତବ୍ଧ ହୋଇ ପାରା କଥା ଶୁଣୁଥିଲେ। ପାରା ଆକାଶ ଆଡେ ଚଂଚୁ ଉଠାଇ କହିଲା, “ହେ ଭଗବାନ, ପ୍ରତ୍ୟେକ କଳାସାଧକର ହୃଦୟରେ ନିଜଠାରୁ ଅଧିକ ଗୁଣୀଜନର ଅନ୍ୱେଷା ଜାଗ୍ରତ କର। ଜନପ୍ରିୟତାର ଶାନ୍ତ ହ୍ରଦରୁ ପୁରସ୍କାର ଜହ୍ନ ନିର୍ବିବାଦ ଉଠାଅ ପ୍ରଭୁ। “
ଘର ଅଗଣାରୁ କୁକୁରଟି ମଥା ନୁଆଁଇ ପାରାକୁ ଧନ୍ୟବାଦ ଜଣାଉଥିଲା।
“ସାଧୁ ସାଧୁ!” ବିଜ୍ଞ କାଉଟି ସମ୍ମତିସୂଚକ କାଆ କାଆ ଶବ୍ଦ କରି ଉଡ଼ିଗଲା ବାଡ଼ିପଟର ଡେଙ୍ଗା ଆମ୍ବଗଛ ଆଡ଼କୁ।
ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଧନ୍ୟବାଦ।
ଧନ୍ୟବାଦ ଲେଖକଙ୍କୁ, ମୁଁ ରାଉରକେଲାର ବାସିନ୍ଦା ହୋଇଥିବାରୁ ଆଶା କରୁଛି ଲେଖକ ଲେଖିଥିବା ଘଟଣାକ୍ରମ ସତ୍ୟ ହୋଇଥିବ କିମ୍ବା ନ ହୋଇଥାଇପାରେ। ସେ ଯାହା ହେଉ ଲେଖାଟିର ପରିକଳ୍ପନା ଓ ବିବରଣୀର ସଂଯୋଗ ବେଶ୍ ଚମତ୍କାର। ସବୁ ସମୟରେ ଓ ସବୁ ଯୁଗରେ ମଣିଷ ହେଉଛି ମଣିଷର ପ୍ରଥମ ଶତ୍ରୁ।