କିସାନ ଭାଷା ଓ ଏହାର ନବୀନ ଲିପି

  • ଓଡ଼ିଶାରେ କିସାନ ଭାଷାଭାଷୀ ଲୋକଙ୍କ ସଂଖ୍ୟା ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ । କିନ୍ତୁ ଏହି ଭାଷାର ନିଜସ୍ୱ ଅକ୍ଷର ବା ଲିପି ନଥିଲା ।
ଗୋପୀନାଥ କିସାନ

ଭାଷା ଶବ୍ଦଟି ବ୍ୟାପକ ଓ ନିର୍ଦ୍ଦିଷ୍ଟ ଅର୍ଥରେ ବ୍ୟବହୃତ ହୁଏ। ବ୍ୟାପକ ଅର୍ଥରେ : ପ୍ରାଣୀର ଭାବ ବିନିମୟ ପାଇଁ ବ୍ୟବହାର କରାଯାଏ। ଯେକୌଣସି ଅଙ୍ଗଭଙ୍ଗୀ, ଇଙ୍ଗିତ, କଣ୍ଠଧ୍ୱନି ଏପରିକି ନୀରବତା ମଧ୍ୟ ଭାଷାର ଅଂଶବିଶେଷ। ନିର୍ଦ୍ଦିଷ୍ଟ ଅର୍ଥରେ, ଏହା କେବଳ ମନୁଷ୍ୟର ବାଗ୍‌ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି-ପ୍ରତୀକମାନଙ୍କର ନିର୍ଦ୍ଦିଷ୍ଟ ବ୍ୟବସ୍ଥା।
ଏହି ଭାଷା ଦ୍ୱାରା ମନୁଷ୍ୟର ମନନ ଓ ଚିନ୍ତନର ପରିପ୍ରକାଶ ସମାଜର ଅନ୍ୟ ମନୁଷ୍ୟମାନଙ୍କ ସହିତ ହୋଇଥାଏ। ତେଣୁ ଭାଷା ହେଉଛି ମାନବ ଜାତିର ଚିନ୍ତାଶକ୍ତି ଭାବନା, ଅଭିବ୍ୟକ୍ତି ଓ ଉପଲବ୍ôଧର ଏକ ଅନୁବଦ୍ଧ।
ଏକ ଭୌଗୋଳିକ ପରିସୀମା ଭିତରେ ବସବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭାଷା ଏକ ହୋଇଥାଏ। କିସାନ ଆଦିବାସୀ ସଂପ୍ରଦାୟ ଓଡ଼ିଶା ଏବଂ ଏହାର ପଡୋଶୀ ରାଜ୍ୟମାନଙ୍କରେ ପରିବ୍ୟାପ୍ତ। ଓଡ଼ିଶାରେ କିସାନ ବା କୁଣ୍‌ହାଁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ। ଭିନ୍ନ ଭିନ୍ନ ଆଦିବାସୀ ଗୋଷ୍ଠୀର ଯେଭଳି ଭିନ୍ନ ଭିନ୍ନ ଭାଷା ଥାଏ, କିସାନ ଗୋଷ୍ଠୀର ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରାଚୀନ ଭାଷା ରହିଛି, ଯାହାକୁ ‘କିସାନ ଭାଷା’ କୁହାଯାଏ। ଏହା ଏକ ବହୁ ପୁରାତନ ଭାଷା। କିନ୍ତୁ ଏହାର ନିଜସ୍ୱ ଅକ୍ଷର ବା ଲିପି ନଥିଲା। କିସାନ ଭାଷାକୁ ଲିଖିତ ଆକାରରେ ପ୍ରକାଶ କରିବାପାଇଁ ଅନ୍ୟ ଭାଷାର ଅକ୍ଷର ଯଥା ଓଡ଼ିଆ ଓ ହିନ୍ଦି ଆଦି ଭାଷାର ଅକ୍ଷରକୁ ବ୍ୟବହାର କରି ଭାବନା ପ୍ରକାଶ କରାଯାଉଥିଲା।
କିନ୍ତୁ ସେହି ପ୍ରକ୍ରିୟାରେ କିସାନ ଭାଷାର କେତେକ ଶବ୍ଦକୁ ଶତପ୍ରତିଶତ ପ୍ରକାଶ କରାଯାଇ ପାରୁନଥିଲା। ଯାହା ଫଳରେ ବେଳେବେଳେ ସେ ଶବ୍ଦ ଅନ୍ୟାର୍ଥକୁ ବୁଝାଉଥିଲା। ଏଣୁ ସେହି ଶବ୍ଦର ଅର୍ଥକୁ ଠିକ୍ ଭାବରେ ପ୍ରକାଶ କରିବା ପାଇଁ ନୂତନ ଲିଖନ ବ୍ୟବସ୍ଥା କରାଗଲା। କାଳକ୍ରମେ ତାହା ‘ଲିପି’ ରେ ପରିଣତ ହେଲା। ଲିପ୍ୟତେ ଇତି ଲିପି।
ଲିପିର ଉଦ୍ଭାବନ
ବୈଜ୍ଞାନିକ ଭାତୃଦ୍ୱୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର କିସାନ ଓ ଶ୍ରୀଯୁକ୍ତ ଡ଼ିଲେଶ୍ୱର କିସାନ ବହୁବର୍ଷ ଧରି କଠିନ ଅଧ୍ୟବସାୟ ଓ ଗବେଷଣା କରି ଉଦ୍ଭାବନ କରିଛନ୍ତି କିସାନ(କୁଣହାଁ) ଅକ୍ଷର ବା ଲିପି “ରାମ୍‌ଦିଲ”। ଏହି ଲିପିମାଳା ବା ଅକ୍ଷର ମାଳାରେ ସମୁଦାୟ ୫୦ଟି ଲିପି ବା ଅକ୍ଷର ରହିିଛି। ତନ୍ମଧ୍ୟରୁ ୩୯ (ଅଣଚାଳିସ)ଟି ମେସ୍ରିମାଳା ବା ବ୍ୟଞ୍ଜନ ବର୍ଣ୍ଣରେ ଏବଂ ୧୧(ଏଗାର)ଟି ଏକସୁରିଆମାଳା ବା ସ୍ୱରବର୍ଣ୍ଣ।
ଶରୀରର ଭୋକାଲ କର୍ଡ଼ (ଭୋକାଲ୍ କର୍ଡ), କମ୍ପନ (ଭାଇବ୍ରେଟ୍‌) ହେଲେ ଶବ୍ଦ ବା ଧ୍ୱନି ସୃଷ୍ଟି ହୁଏ। ସେହି ଧ୍ୱନିର ଗଭୀରତା ଓ ପ୍ରକାର ଭେଦକୁ ନେଇ ମଣିଷ ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି କରେ। ଏହି ପ୍ରକାର ଭେଦକୁ ଉଦ୍ଭାବକ ଭାତୃଦ୍ୱୟ ତାଙ୍କ ଆଦିବାସୀ କିସାନ ଭାଷାର ଭିନ୍ନ ଭିନ୍ନ ଶବ୍ଦ ଉଚ୍ଚାରଣ ସହ ବିଶ୍ଳେଷଣାତ୍ମକ ସାମଞ୍ଜସ୍ୟ ଦେଖି ଅକ୍ଷର ସମୂହ ସୃଷ୍ଟି କରନ୍ତି।


ଉଚ୍ଚାରଣ ଆଧାରରେ ସଜ୍ଜିକରଣ
୩୯ (ଅଣଚାଳିଶଟି) ବ୍ୟଞ୍ଜନ ବର୍ଣ୍ଣ ବା ମେସ୍ରିମାଳା ମଧ୍ୟରୁ ୨୫ (ପଚିଶ)ଟି ବର୍ଣ୍ଣକୁ ତାଙ୍କ ଉଚ୍ଚାରଣ ଆଧାରରେ ୫(ପାଞ୍ଚ)ଟି ବର୍ଗରେ ସଜ୍ଜିକରଣ କରାଯାଇଛି। ବାକ୍‌ଯନ୍ତ୍ରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରୁ ୫(ପାଞ୍ଚ)ଟି ଲେଖାଏଁ ବ୍ୟଞ୍ଜନ ବର୍ଣ୍ଣର ଉତ୍ପତ୍ତ ଘଟୁଥିବାରୁ ସେମାନଙ୍କୁ ଗୋଟିଏ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଯଥା:
କ, ଖ, ଗ, ଘ, ଙ – “କ” ବର୍ଗ ବା ହଁଟ ଆଳି
ଚ, ଛ, ଜ, ଝ, ଞ – “ଚ” ବର୍ଗ ବା ତାଳୁ ଆଳି
ଟ, ଠ, ଡ଼, ଢ଼, ଣ – ଟ ବର୍ଗ ବା ମୁର୍ଦ୍ଧନୀ ଆଳି
ତ, ଥ, ଦ, ଧ, ନ – ତ ବର୍ଗ ବା ପାଲ୍ଲୁ ଆଳି
ପ, ଫ, ବ, ଭ, ମ – ପ ବର୍ଗ ବା ଚଲ ଆଳି
ଅନ୍ୟ ୧୪ଟି ମେସ୍ରିମାଳା ବା ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରଣ ସ୍ଥାନ ଭିନ୍ନ ଭିନ୍ନ ହୋଇଥିବାରୁ ଏମାନଙ୍କୁ ଅବର୍ଗ୍ୟ ଶ୍ରେଣୀରେ ରଖାଯାଇଛି।
ପୁଣି ୨୫ (ପଚିଶଟି) ଯାକ ବ୍ୟଞ୍ଜନବର୍ଣ୍ଣକୁ ତାଙ୍କ ଉଚ୍ଚାରଣ ଆଧାରରେ ଭିନ୍ନ ଭିନ୍ନ ବିଭାଗୀକରଣ କରାଯାଇଛି। “ରାମଦିଲ୍‌” ଅକ୍ଷର ମାଳାର ଯେଉଁସବୁ ବର୍ଣ୍ଣର ଉଚ୍ଚାରଣ ବେଳେ ସ୍ୱରତନ୍ତ୍ରୀ କମ୍ପନ (ଭାଇବ୍ରେସନ) ହୁଏ ନାହିଁ, ତାଙ୍କୁ ଅଘୋଷ ଧ୍ୱନି ବା ମାନ୍ ଘାସର୍ନା (ନନ୍‌-ଭାଇବ୍ରେସନାଲ୍‌) ଲିପି କୁହାଯାଏ।
ପ୍ରତ୍ୟେକ ବର୍ଗର ପ୍ରଥମ ଦୁଇଗୋଟି ବର୍ଣ୍ଣ ଲିପିକୁ ଉଚ୍ଚାରଣ କଲାବେଳେ ସ୍ୱରତନ୍ତ୍ରୀ କମ୍ପନ ହୁଏ ନାହିଁ ସେ ବର୍ଣ୍ଣ ଗୁଡ଼ିକ ହେଲେ –
କ ବର୍ଗ ବା ହଂଟ ଆଳିର – କ ଓ ଖ
ଚ ବର୍ଗ ବା ତାଳୁ ଆଳିର – ଚ ଓ ଛ
ଟ ବର୍ଗ ବା ମୁର୍ଦ୍ଧନୀ ଆଳିର – ଟ ଓ ଠ
ତ ବର୍ଗ ବା ପାଲ୍ଲୁ ଆଳିର – ତ ଓ ଥ
ପ ବର୍ଗ ବା ଚଳ ଆଳିର – ପ ଓ ଫ
ଏହି ଦଶ ଗୋଟି ବର୍ଣ୍ଣକୁ ଅଘୋଷ ବା ମାନ୍ ଘାର୍ସନା ଲିପିି କୁହାଯାଏ।
“ରାମଦିଲ୍‌” ଅକ୍ଷର ମାଳାର ଯେଉଁସବୁ ବର୍ଣ୍ଣର ଉଚ୍ଚାରଣ ବେଳେ ସ୍ୱରତନ୍ତ୍ରୀ କମ୍ପନ (ଭାଇବ୍ରେସନ୍‌) ହୁଏ ତାଙ୍କୁ ସଘୋଷ ବ ଘାସର୍ନା (ଭାଇବ୍ରେସନାଲ୍‌) ଲିପି କୁହାଯାଏ।
ପ୍ରତ୍ୟେକ ବର୍ଗର ଶେଷ ତିନୋଟି ଲିପି / ବର୍ଣ୍ଣକୁ ଉଚ୍ଚାରଣ କଲାବେଳେ ସ୍ୱରତନ୍ତ୍ରୀ କମ୍ପନ ହୁଏ ସେ ବର୍ଣ୍ଣ ଗୁଡ଼ିକ ହେଲେ – ଯଥା:
କ ବର୍ଗ ବା ହଂଟ ଆଳିର : ଗ, ଘ, ଙ
ଚ ବର୍ଗ ବା ତାଳୁ ଆଳିର : ଜ, ଝ, ଞ
ଟ ବର୍ଗ ବା ମୁର୍ଦ୍ଧନୀ ଆଳିର: ଡ଼, ଢ଼, ଣ
ତ ବର୍ଗ ବା ପାଲ୍ଲୁ ଆଳିର : ଦ, ଧ, ନ
ପ ବର୍ଗ ବା ଚଲ ଆଳିର : ବ, ଭ, ମ
ଏହି ପନ୍ଦର (୧୫) ଗୋଟି ବର୍ଣ୍ଣକୁ ଘାସର୍ନା ବା ସଘୋଷ (ଭାଇବ୍ରେସନାଲ୍‌) ବର୍ଣ୍ଣ କୁହାଯାଏ।
ବ୍ୟଞ୍ଜନ ବର୍ଣ୍ଣ
ରାମଦିଲ ଅକ୍ଷର ମାଳାର କିଛି ବର୍ଣ୍ଣ ଉଚ୍ଚାରଣ ସମୟରେ ସ୍ୱର ତନ୍ତ୍ରୀରୁ ଅଳ୍ପ ବାୟୁ ନିର୍ଗତ ହୁଏ। ସେହି ବର୍ଣ୍ଣ ଲିପି ଗୁଡ଼ିକୁ କାଟେଜିଆ ବା ଅଳ୍ପ ପ୍ରାଣ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ପ୍ରତ୍ୟେକ ବର୍ଗ ବା ଆଳିର ପ୍ରଥମ, ତୃତୀୟ ଓ ପଞ୍ଚମ ବର୍ଣ୍ଣର ଉଚ୍ଚାରଣ ସମୟରେ ସ୍ୱର ତନ୍ତ୍ରୀରୁ ଅଳ୍ପ ବାୟୁ ନିର୍ଗତ ହୁଏ। ଯଥା:-
କ ବର୍ଗ ବା ହଁଟ ଆଳିର – କ, ଗ, ଙ
ଚ ବର୍ଗ ବା ତାକୁ ଆଳିର – ଚ, ଜ, ଞ
ଟ ବର୍ଗ ବା ମୁର୍ଦ୍ଧନୀ ଆଳିର – ଟ, ଡ଼, ଣ
ତ ବର୍ଗ ବା ପାଲ୍ଲୁ ଆଳିର – ତ, ଦ, ନ
ପ ବର୍ଗ ବା ଚଲ ଆଳିର – ପ, ବ, ମ
ଏହି ପନ୍ଦରଟି ବର୍ଣ୍ଣ ବା ଲିପିକୁ କାଟେଜିଆ ବା ଅଳ୍ପ ପ୍ରାଣ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ।
ରାମଦିଲ ଅକ୍ଷର ମାଳାର କିଛି ବର୍ଣ୍ଣ ଉଚ୍ଚାରଣ ସମୟରେ ସ୍ୱର ତନ୍ତ୍ରୀରୁ ଅଧିକ ବାୟୁ ନିର୍ଗତ ହୁଏ। ସେହି ବର୍ଣ୍ଣ ଲିପି ଗୁଡ଼ିକୁ ବାଗ୍‌ଗେଜିିଆ ବା ବହୁପ୍ରାଣ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଏବଂ ଚତୁର୍ଥ ବର୍ଣ୍ଣ ଉଚ୍ଚାରଣ ସମୟରେ ସ୍ୱରତନ୍ତ୍ରୀରୁ ଅଧିକ ବାୟୁ ନିର୍ଗତ ହୁଏ। ଯଥା:-
କ ବର୍ଗ ବା ହଂଟ ଆଳିର – ଖ, ଘ
ଚ ବର୍ଗ ବା ତାଳୁ ଆଳିର – ଛ, ଝ
ଟ ବର୍ଗ ବା ମୁର୍ଦ୍ଧନୀ ଆଳିର – ଠ, ଢ଼
ତ ବର୍ଗ ବା ପାଲ୍ଲୁ ଆଳିର – ଥ, ଧ
ପବନ ବା ଚଲ ଆଳିର – ଫ ଓ ଭ
ଏହି ଦଶଗୋଟି ବର୍ଣ୍ଣ ବା ଲିପିକୁ ବାଗ୍‌ଗେଜିଆ ବା ବହୁପ୍ରାଣ ବର୍ଣ୍ଣ କୁହାଯାଏ।
ରାମଦିଲ୍ ଅକ୍ଷର ମାଳାର କେତେକ ଅକ୍ଷର/ଲିପି ଉଚ୍ଚାରଣ ସମୟରେ ମୁଖ ଗହ୍ୱର ଓ ନାସିକା ମାଧ୍ୟମରେ ସମ୍ପନ୍ନ ହୁଏ। ସେହି ବର୍ଣ୍ଣ ବା ଲିପିମାନଙ୍କୁ ମୁହି ବର୍ଣ୍ଣ ବା ନାସିକ ବର୍ଣ୍ଣ କୁହାଯାଏ।
ପ୍ରତ୍ୟେକ ବର୍ଗର ଶେଷ ବା ପଞ୍ଚମ ଅକ୍ଷରରେ ଉଚ୍ଚାରଣ ମୁଖ ଗହ୍ୱର ଓ ନାସିକା ମାଧ୍ୟମରେ ହୁଏ। ଯଥା:-
କ ବର୍ଗ ବା ହଂଟ ଆଳିର – ଙ
ଚ ବର୍ଗ ବା ତାଳୁ ଆଳିର – ଞ
ଟ ବର୍ଗ ବା ମୁର୍ଦ୍ଧନୀ ଆଳିର – ଣ
ତ ବର୍ଗ ବା ପାଲ୍ଲୁ ଆଳିର – ନ
ପ ବର୍ଗ ବା ଚଲ ଆଳିର – ମ
ଏହି ପାଞ୍ଚ ଗୋଟି ବର୍ଣ୍ଣକୁ ମୁହି ବର୍ଣ୍ଣ ବା ନାସିକା ବର୍ଣ୍ଣ କୁହାଯାଏ। ରାମଦିଲ୍ ବର୍ଣ୍ଣମାଳାର ପ୍ରତ୍ୟେକଟି ଆଳି ବା ବର୍ଗ, କିସାନ୍‌(କୁଣ୍‌ହାଁ)ଜନଜାତିର ଦେବା ଦେବୀଙ୍କ ନାମରେ ନାମିତ। ବୈଜ୍ଞାନିକ ଭାତୃଦ୍ୱୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର କିସାନ ଓ ଶ୍ରୀଯୁକ୍ତ ଦିଲେଶ୍ୱର କିସାନଙ୍କ ଉଦ୍ଭାବିତ ରାମଦିଲ୍ କିସାନ ବର୍ଣ୍ଣମାଳା ଏକ ନିର୍ଦ୍ଦିଷ୍ଟ ସମାଜକୁ ସହାୟକ ହେବ ବୋଲି ଆଶା କରାଯାଏ।

(‘ ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଅକ୍ଟୋବର , ୨୦୨୨ ସଂଖ୍ୟାରେ ପ୍ରକାଶିତ । )

3 thoughts on “କିସାନ ଭାଷା ଓ ଏହାର ନବୀନ ଲିପି

  1. ବୈଜ୍ଞାନିକ ଭାତୃଦ୍ୱୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର କିସାନ ଓ ଶ୍ରୀଯୁକ୍ତ ଦିଲେଶ୍ୱର କିସାନଙ୍କ ଉଦ୍ଭାବିତ ରାମଦିଲ୍ କିସାନ ବର୍ଣ୍ଣମାଳା ଏକ ନିର୍ଦ୍ଦିଷ୍ଟ ସମାଜ ନୁହେଁ ।ଆମେ ମଧ୍ଯ ଏହି ଲିପି ଶିକ୍ଷା କରିବା ଉଚିତ।

  2. କିସାନ ଭାଷା ଓ ଏହାର ନବୀନ ଲିପି ଆଲେଖ୍ଯ ଟି ଆମ ଭାଷା ସଂସ୍କୃତିର ଗେବେଷକଙ୍କ ପାଇଁ ନୂଆବର୍ତ୍ତା ଦେବ ଆଗକୁ ବଢିବା ପାଇଁ।

  3. ଗୋପୀନାଥ କିସାନ ମହୋଦୟଙ୍କୁ ଧନ୍ୟବାଦ । ସୁନ୍ଦର ଉପସ୍ଥାପନ ।

Leave a Reply

Your email address will not be published. Required fields are marked *