ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଡାହୁକ ଗୀତ

  • ରଥ-ଡାହୁକମାନେ ଲୋକଙ୍କ ମନକୁ ଆନନ୍ଦ ଦେଲା ଭଳି ରସପୂର୍ଣ୍ଣ ଢଗଢମାଳି ବୋଲି ଭକ୍ତମାନଙ୍କୁ ଉତ୍ସାହିତ କରି ଓ ଶରୀରରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ସୃଷ୍ଟି କରି ରଥଟଣାକୁ ସହଜ କରିବାକୁ ଚେଷ୍ଟା କରନ୍ତି।
କୃଷ୍ଣଚନ୍ଦ୍ର ରଥ

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବହୁ ପ୍ରାଚୀନ। ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନନ୍ୟ ଓ ଶ୍ରେଷ୍ଠ ଉତ୍ସବ ଭାବରେ ପାଳିତ ହୁଏ। ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାର ଅନୁମାନ କରାଯାଉଛି। ପୂର୍ବରୁ ଶ୍ରୀକ୍ଷେତ୍ରର ରଥଦାଣ୍ଡ ବାଲୁକାବୃତ ଓ ମାଳିନୀ ନଈ ବଳଗଣ୍ଡି ନିକଟରେ ପ୍ରବାହିତ ହେଉଥିବାରୁ ରଥଯାତ୍ରା ସମୟରେ ଛଅଟି ରଥ ନିର୍ମାଣ କରାଯାଉଥିଲା। ତିନୋଟି ରଥରେ ଚତୁର୍ଦ୍ଧାମୂର୍ତ୍ତି ମାଳିନୀ ନଈ ପର୍ଯ୍ୟନ୍ତ ଆସୁଥିଲେ। ପରେ ମହାପ୍ରଭୁମାନେ ନୌକା ବା ଦୋଳ ରୂପରେ ନଈ ପାରି ହେବା ପରେ ଆଉ ତିନୋଟି ଚାରିଚକିଆ ଶଗଡି ରଥରେ ଶ୍ରୀଗୁଣ୍ଡିଚା ମଣ୍ଡପକୁ ବିଜେ ହେଉଥିଲେ।

ନବଦିନର ଏହି ଯାତ୍ରାରେ ଠାକୁରମାନେ ସାତଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରି ବାହୁଡ଼ା ବିଜେରେ ଶ୍ରୀମନ୍ଦିର ଫେରି ଆସୁଥିଲେ। ଗବେଷକଙ୍କ ମତରେ ପ୍ରଥମ ଭାନୁଦେବ ଖ୍ରୀ.ଅ. ୧୨୬୪-୧୨୭୮ଠାରୁ ମାଳିନୀ ନଈ ପୋତାଇ ଛଅରଥ ପରିବର୍ତ୍ତେ ତିନିରଥରେ ରଥଯାତ୍ରା ଆରମ୍ଭ କରାଇଥିଲେ। ଏହି ସମୟରେ ରଥଯାତ୍ରା ଦେଖିବାକୁ କମ୍‌ସଂଖ୍ୟକ ଦର୍ଶନାର୍ଥୀ ଆସୁଥିଲେ। ରାସ୍ତାଘାଟ ଗାଡି ମଟରର ଏତେଟା ସୁବିଧା ନ ଥିଲା। ରଥ ଟାଣିବା କାର୍ଯ୍ୟ କଳାବେଠିଆ ଓ ଗଜପତିଙ୍କ ହସ୍ତୀ ଦ୍ୱାରା ସମାହିତ ହେଉଥିଲା। କାଳକ୍ରମେ ରଥଯାତ୍ରାକୁ ସରସ ସୁନ୍ଦର କରିବା ନିମନ୍ତେ ଅନଙ୍ଗ ଭୀମଦେବ (୩ୟ) ‘ରଥ ଛତିଶା ନିଯୋଗ’ ଗଠନ କରିଥିଲେ। ସେଥିରେ ରଥ ଡାହୁକ ସେବାକୁ ୩୫ତମ ସ୍ଥାନରେ ରଖିଥିଲେ। ଗବେଷକଙ୍କ ମତରେ ତ୍ରୟୋଦଶ ଶତାବ୍ଦୀରେ ଏହି ସେବା ଆରମ୍ଭ ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ସେବକ ଖଟଣି ନିଯୋଗ (କର୍ମାଙ୍ଗୀ) ମାଦଳା ପାଞ୍ଜିରେ ଭୋଇ ବଂଶ ରାଜା ରାମଚନ୍ଦ୍ର ଦେବ ଏକ ନୂଆ ସ୍ୱତ୍ୱଲିପି ପ୍ରକାଶ କରିଥିଲେ। ସେଥିରେ ରଥ ଡାହୁକ ସେବା ଅନ୍ୟତମ ସେବା ବୋଲି ଉଲ୍ଲେଖ କରାଯାଇଥିଲା। – “ଏ ଭୂଇଁ ଭୋଗୀ, ଏମାନେ ରଥ ବେଳେ ରଥ ଚଳାଇବେ। ମୋଡ ବେଳେ ରଥ ଚଳାଇବେ। ଅକଥା କହି ପରମେଶ୍ୱର ରଥ ରୋକାଇ, ଆଗ ଜନମାନବ ରୋକି, ରଥଗତି ଉଣ୍ଡି, ବେତ ଚଳାଇ ମୋଡ କଥା କହିବେ।” ୧୯୫୨ ମସିହାରେ ଶ୍ରୀମନ୍ଦିର ସ୍ୱତ୍ୱଲିପି ଶ୍ରୀମନ୍ଦିର ସ୍ପେଶାଲ ଅଫିସର ଲକ୍ଷ୍ମଣ ପଣ୍ଡାଙ୍କ ଦ୍ୱାରା ପ୍ରକାଶ କରାଯାଇ, ସେଥିରେ ୧୧୯ ପ୍ରକାର ସେବା ମଧ୍ୟରେ ୧୦୪ ତମ ସେବାରେ ରଥ ଡାହୁକ ସେବାର ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଥିଲା।

ରଥ ଡାହୁକ

ଗୁଣ୍ଡିଚା ଯାତ୍ରାର ପୂର୍ବ ଦିନରୁ ରଥ ଖଳାରୁ ସିଂହଦ୍ୱାରକୁ ରଥ ଆଣିବା ଓ ଗୁଣ୍ଡିଚା ଦିନ ଓ ବାହୁଡ଼ା ଦିନ ରଥ ଟଣା ସମୟରେ ରଥ ଉପରେ ରହି ଦୁଇ ବେତ ହଲାଇ ରଥ ଚଳାଇବା କାର୍ଯ୍ୟ ନିର୍ବାହ କରିବା, ଦକ୍ଷିଣୀ ମୋଡ ସମୟରେ ରଥ ଉପରେ ରହିବା ଓ ପ୍ରତ୍ୟେକ ରଥରେ ପାଳି ଅନୁସାରେ ଜଣେ ରଥଡାହୁକ ରହିବା ସହିତ ସେମାନେ ଲୋକଙ୍କ ମନକୁ ଆନନ୍ଦ ଦେଲା ଭଳି ରସପୂର୍ଣ୍ଣ ପଦ୍ୟାବଳୀ ଢଗଢମାଳି ବୋଲି ଶ୍ରୋତାମଣ୍ଡଳୀ ଓ ଭକ୍ତମାନଙ୍କୁ ଉତ୍ସାହିତ କରି ଶରୀରରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ସୃଷ୍ଟି କରି ରଥଟଣାକୁ ସହଜ କରିବାକୁ ଚେଷ୍ଟା କରନ୍ତି।

ଏମାନେ ଅଶ୍ଳୀଳ ଗୀତ ଗାଇବା କଥା ଅଦ୍ୟାବଧି ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲିଖିତ ରହିଛି। କିନ୍ତୁ ରଥ ଡାହୁକମାନେ କର୍ମାଙ୍ଗୀରେ ଅକଥା ବୋଲି ଗୀତ ଭାଙ୍ଗି ରଥ ଚଳାଇବାକୁ ଥିବାରୁ ସେମାନେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ପରିବର୍ତ୍ତନ ହେଲେ ବି ଅକଥା ବୋଲୁଥିଲେ। ଏହାକୁ ଜନସାଧାରଣ ଗ୍ରହଣ ମଧ୍ୟ କରୁଥିଲେ। ଏହି ସେବା ବଂଶାନୁକ୍ରମିକ ସେବା ଥିବାରୁ ରଥ ଡାହୁକମାନେ ସେମାନଙ୍କ ବଂଶଧର ପୁଅ, ପୁତୁରାଙ୍କୁ ଏହିପରି ବୋଲିବାକୁ ନିର୍ଦ୍ଦେଶ ଦେଉଥିଲେ। ଏମାନେ ଶାଢ଼ି ବନ୍ଧା ସେବକ ନୁହନ୍ତି। ଏମାନେ ସେବା କରିବାକୁ ଜମି ପାଇଥାନ୍ତି। ଏମାନେ ସାଧାରଣତଃ ପ୍ରଧାନ ଜାତିର ସେବକ। ଏମାନେ ଶ୍ରୀମନ୍ଦିର ତରଫରୁ ସ୍ୱଳ୍ପ ବେତନ ଓ ତିନି ଖଣ୍ଡ ବୋଇରାଣୀ ଶାଢ଼ି ପାଇଥାନ୍ତି। ସେବାରେ ତ୍ରୁଟି କଲେ, ସେବାରୁ ଅନ୍ତର କରାଯାଇପାରିବ ଓ ଅନ୍ୟ ସେବକ ନିଯୁକ୍ତି କରାଯିବାର ବ୍ୟବସ୍ଥା ରହିଛି। ପୂର୍ବରୁ ରଥଯାତ୍ରା ଦେଖିବାକୁ ଅଳ୍ପସଂଖ୍ୟକ ଯାତ୍ରୀ ପୁରୀକୁ ଆସୁଥିଲେ। ରାସ୍ତା ଘାଟର ସୁବନ୍ଦୋବସ୍ତ ନ ଥିଲା। ପୁରୀର ବଡ଼ଦାଣ୍ଡ ମାଟିବାଲି ପୂର୍ଣ୍ଣ ଥିଲା। ବର୍ଷା (ଆଷାଢ଼ ମାସ) ସମୟରେ ବଡ଼ଦାଣ୍ଡରେ କାଦୁଅ ହେଉଥିବାରୁ ରଥଟାଣିବା କଷ୍ଟକର ହେଉଥିଲା। ତେଣୁ ଲୋକମାନଙ୍କୁ (ଶ୍ରୋତା ମଣ୍ଡଳୀଙ୍କୁ) ଅକଥା ବା ଅଶ୍ଳୀଳ ଢଗଢମାଳି ଗୀତ ବୋଲି ରଥ ଡାହୁକମାନେ ଶିହରଣ ସୃଷ୍ଟି କରି ଉନ୍ମାଦିତ କରୁଥିଲେ ଫଳରେ ରଥ ଟାଣିବା ସହଜ ହେଉଥିଲା।

ଶବର ସଭ୍ୟତା

ରଥଟଣା ସମୟରେ ଡାହୁକ ବୋଲିକୁ କେତେକ ଗବେଷକ ମତରେ ଶବର ସଭ୍ୟତାରୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା ଆରମ୍ଭ ହୋଇଥିବାରୁ ଡାହୁକ ଏକ ପକ୍ଷୀ, ଡାହୁକ ଯେତେବେଳେ ରାବ ଦିଅନ୍ତି ସେତେବେଳେ ବର୍ଷା ହୁଏ ଓ ପୃଥିବୀ ଶସ୍ୟଶ୍ୟାମଳ ଓ ଫଳପ୍ରସୂ ହୋଇଥାଏ। ରଥ ଉପରେ ଡାହୁକ ଗୀତ ବୋଲିଲେ ମହାପ୍ରଭୁଙ୍କ ରଥଯାତ୍ରା ବେଶ ମନୋରମ ଓ ଆନନ୍ଦଦାୟକ ହୋଇଥାଏ। କେତେକ ଗବେଷକ କହନ୍ତି ଡାହୁକ ଚର୍ଯ୍ୟାପଦ୍ୟାବଳୀର ସିଦ୍ଧ ସାଧକଙ୍କ ବଂଶଧର ଓ ବୌଦ୍ଧ ଦୋହାରୁ ଡାହୁକର ପଦ୍ୟାବଳୀ ସୃଷ୍ଟି ହୋଇଥାଇପାରେ। କିନ୍ତୁ ଏପରି କିଛି ପ୍ରମାଣ ମିଳେ ନାହିଁ।

ଡାହୁକ ଗୀତ ଦ୍ବିଅର୍ଥବୋଧକ ଗୀତ। ପୂର୍ବରୁ ରଥ ଡାହୁକମାନେ ବୌଦ୍ଧ ଦୋହା ବା ଚର୍ଯ୍ୟା ପଦ୍ୟାବଳୀକୁ ରଥଯାତ୍ରା ସମୟରେ ରଥ ଉପରେ ବୋଲୁଥିଲେ। ଏଥିରେ ଯଥେଷ୍ଟ ସାହିତ୍ୟିକ ମୂଲ୍ୟବୋଧ ଥିଲା। ରଥଡାହୁକ ଗୀତରେ ସାଧାରଣତଃ ପୂର୍ବରୁ ବ୍ରହ୍ମଚର୍ଯ୍ୟ ସାଧନା, ଷଡ଼ଚକ୍ର ଭେଦ, କୁଣ୍ଡଳିନୀ ଶକ୍ତି ଜାଗ୍ରତ, ଯୋଗ ସାଧନ, ଇଳା, ଫିଙ୍ଗଳା, ସୁଷୁମ୍ନା ନାଡୀ, ଆଧ୍ୟାତ୍ମିକ ଚେତନା, ଭକ୍ତି ଭାବ କଥା ମାନ ବହୁଳ ଭାବରେ ରହୁଥିଲା। ତାହା ଦ୍ୱିଅର୍ଥବୋଧ ହେଲେ ବି ରସାଳ, ମଧୁର ଶ୍ରୁତି ମଧୁର ହେବା ସହିତ ଅନେକ ଉପମା, ରୂପକ ଶ୍ଳୋକାତ୍ମକ ଶବ୍ଦ ପ୍ରୟୋଗ ଦ୍ୱାରା ଆକର୍ଷଣୀୟ ଓ ମାଧୁର୍ଯ୍ୟପୂର୍ଣ୍ଣ ମନେ ହେଉଥିଲା। ରଥ ଡାହୁକମାନେ ୧୯୯୭ ପର୍ଯ୍ୟନ୍ତ ଦ୍ୱିଅର୍ଥବୋଧକ ଅଶ୍ଳୀଳ ବୋଲି ବୋଲୁଥିବାର ପ୍ରମାଣ ରହିଛି ଯଥା-

(୧) ଭଗତେ ହୋ , ହାଡୁପା କହିଲେ ବାଇ , ଏଠାରେ….. ପରାନ ସୁଖ ଅପାର, …… ବାଦଲେ ଲିଙ୍ଗର…. ତିରିଧାର ନାଳ ନିଅଇ ତେଣ୍ଡି , ଛଅ ଗଣ୍ଠି ଭେଦଇ ସେ ନାଳ ଯେବେ , ରମଣ କରିବୁ ଭକତ ତେବେ , ଭଗତେ ହୋ-ଭଗତେ ରଥ ଚଳିବ କି ନାହିଁ ।

(୨) ହୋ ଭଗତେ , ହୋ ଭଗତେ , ରଥ ଚାଳେ ଘୁଁ , ଚକ ଚାଲେ ଘୁ , ଯା’ର ମୁଣ୍ଡରେ ସିନ୍ଦୂର ଟୋପା ତାରି ଘଇତା ମୁଁ ।

(୩) ନଈ ତଳେ ଗଲା ଓଧ ଏଇ ଟୋକିଟାର ଫୁଲୁଆ…. କଳେ ଚାଖି ମନ ବୋଧ ।

(୪) ରସିକନାଗର ମୋହିନୀରଙ୍କା , ବାଙ୍କ ଚାହାଣୀ ତା’ ଚୂଳ ବଙ୍କା , ପୀରତି କରିବ ଦେଖିଲେ ଏକା , ହୋ ଭଗତେ ।

(୫) ଏଇ ନାଲି ଶାଢ଼ି ପିନ୍ଧା ଟୋକି କି ଦେଖ , ଢଳ ଢଳ ତା’ ନବ ଯଉବନ , ପୀରତି କରିଲେ ଏ ପାଇବୁ ସୁଖ, ହୋ ଭଗତେ ।

(୬) ହୋ ଭଗତେ, ଘର ଭିତରେ ଚାରି କଣ , ନଇଁ ପଡ଼ି ଗୋରୀ ଗଣ, ଟେକି ଦେଖ ଛଞ୍ଚାଣ, ହୋ ଭଗତେ।

(୭) ମାଠିଆ ମୁହଁ ତଳକୁ , ଟୋକିଟାକି ଦିଅ …… କୁ, …… ଯିବ ଭିତରକୁ । ଡେରି ନ କରି ଆସ ପାଖକୁ ହୋ ଭଗତେ , ରଥ ଟାଣି ନିଅ ଗୁଣ୍ଡିଚା ଘରକୁ ।

ନିଷେଧାଜ୍ଞା

ଏହିପରି ରଥ ଡାହୁକମାନେ ରସରସିଆ ଗୀତ ଯୋଡ଼ିଯାଡ଼ି ବୋଲୁଥିଲେ। ୧୯୯୭ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ଡାହୁକ ଗୀତକୁ ଅଶ୍ଳୀଳ କହି ବୋଲା ନ ଯିବା ନିମନ୍ତେ ନିଷେଧାଜ୍ଞା ଜାରି କରିଥିଲେ। କାରଣ ପୂର୍ବରୁ ସେ ବଡ଼ଦାଣ୍ଡ ଆଜି ପିଚୁ ହୋଇ ଯାଇଛି। ରାସ୍ତା ଘାଟରେ ବାଲି, ମାଟି, ପାଣି ଜମୁ ନାହିଁ। ରଥମାନେ ମହାପ୍ରଭୁଙ୍କୁ ବସାଇ ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ଯିବାକୁ ଆଉ ଅସୁବିଧା ହେଉନାହିଁ। ଗାଡ଼ି ମଟର, ରେଳଗାଡିର ସୁବିଧା ରହିଥିବାରୁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ରଥଯାତ୍ରା ସମୟରେ ହେଉଛି। ରଥ ଟାଣିବା ପାଇଁ ପୂର୍ବର ସେ ଅସୁବିଧା ଦୂର ହୋଇଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ବାହିନୀଙ୍କୁ ରଖାଯାଉଛି। ତେଣୁ ରଥ ଡାହୁକମାନେ ଅଶ୍ଳୀଳ ଗୀତ ବୋଲି ଭକ୍ତଙ୍କ ଶରୀରରେ ଶିହରଣ ସୃଷ୍ଟି କରିବାର ଆବଶ୍ୟକତା ନାହିଁ। ତଥାପି ପୂର୍ବର ପରମ୍ପରା ଅନୁଯାୟୀ ରଥ ଡାହୁକ ସେବାର ଆବଶ୍ୟକତା ସମସ୍ତେ ଉପଲବ୍ଧି କରୁଛନ୍ତି। ଏବେ ଆଧ୍ୟାତ୍ମିକ ଭକ୍ତି ଭାବନାକୁ ଆଘାତ ନ ଦେଇ ରୁଚିପୂର୍ଣ୍ଣ ସରସ ସୁନ୍ଦର ଗୀତ ବୋଲି ରଥ ଡାହୁକମାନେ ତାଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଯଥା-

(୧) କୁକୁର ଲାଙ୍ଗୁଡ ବଙ୍କା , ଜଗା ବଳିଆଙ୍କୁ ମନ ଟେକି ଦେଲେ ନ ରହିବ ଆଉ ଶଙ୍କାରେ ।

(୨) ହୋ ଭଗତେ , ରଥେ ବସିଛନ୍ତି ବାମନ ମୁରତି, ଦରଶନ କରିଲେ ପାଇବୁ ମୁକତି , ସାତ ଜନମର ପାପ ହୋଇବ କ୍ଷୟ , ମନେ ନ ରହିବ ସଂସାର ଭୟରେ ।

(୩) ବଡ଼ ଦାଣ୍ଡେ ଚାଲଇ ରଥ , ଆଗରେ ବଳିଆ , ପଛରେ କାଳିଆ , ମଝିରେ ଅଛନ୍ତି ସୁଭଦ୍ରା ମାତ , ବିଶ୍ୱପ୍ରସିଦ୍ଧ ଏ ଗୁଣ୍ଡିଚା ଯାତରେ ।

(୪) ଆଙ୍ଗୁଠି ଭିତରେ ମଳି , ଭିତରେ ଭିତରେ ସଲାସୁତରା , ତୁଚ୍ଛାକୁ ଲକ୍ଷ୍ମୀ ନାରାୟଣ କଳିରେ ।

(୫) ରଥ ଯାଏ ଗଡ଼ି ଗଡ଼ି , ଅଟକିବ ରଥ ଶରଧାବାଲିରେ , ମହାପ୍ରଭୁ ଯିବେ ଗୁଣ୍ଡିଚା ବାଡ଼ି , ଗଳି ଲାଗିକ ଆଡପ ମଣ୍ଡପେ , ଲୋକେ ହେବେ ଭିଡ଼ାଭିଡ଼ି ।

ପରମ୍ପରା ଓ ସଂସ୍କୃତି ନିଶ୍ଚୟ ବଂଚି ରହିବ। ସମୟର ପ୍ରବାହରେ କିଛି ପରିବର୍ତ୍ତନ ହୋଇପାରେ, କିନ୍ତୁ ନିଶ୍ଚିହ୍ନ ହେବା ଅସମ୍ଭବ। ରଥ ଡାହୁକ ଗୀତର ପୂର୍ବରୁ ଆବଶ୍ୟକତା ଥିଲା, ବର୍ତ୍ତମାନ ରହିଛି ଓ ଭବିଷ୍ୟତରେ ରହିବ ବୋଲି ଏହି ଲେଖକର ପୂର୍ଣ୍ଣ ବିଶ୍ୱାସ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ ପ୍ରବନ୍ଧ। )

3 thoughts on “ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଡାହୁକ ଗୀତ

  1. ସମୟ ବଦଳିଲେ ମଧ୍ୟ ସଂସ୍କୃତି ପରମ୍ପରା ବଦଳିବ ନାହିଁ ।ନିଶ୍ଚୟ ରହିବ । ଏହି ପ୍ରବନ୍ଧରେ ଲେଖକ ସୁନ୍ଦର ଭାବରେ ପରିପ୍ରକାଶ କରିଛନ୍ତି । ଲେଖକଙ୍କର ଏହି ପ୍ରେରଣାରେ ଆମେ ମଧ୍ୟ ଆମର ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ଆଗେଇ ଚାଲିବ। । ଜୟ ଜଗନ୍ନାଥ ।

  2. କଣ ବଢିଆ । ସେ କାଳର ପଖାଳ ଏ କାଳରେ ନାହିଁ । ସେତବେଳର ପରିସ୍ଥିତି ବର୍ତ୍ତମାନ ବି ନାହିଁ । ଏବେ ରଥ ଦାଣ୍ଡ ଚକଚକିଆ । ଟିକେ ଯୋର କରି ଟାଣିଦେଲେ ରଥ ଗଡି ଯାଉଛି । ତେଣୁ ଲୋକମାନଙ୍କୁ ଅକଥା ବା ଅଶ୍ଳୀଳ ଢଗଢମାଳି ଗୀତ ବୋଲି ରଥ ଡାହୁକମାନେ ଶିହରଣ ସୃଷ୍ଟି କରି ଉନ୍ମାଦିତ କରିବା ଆଉ ଦରକାର ନାହିଁ । ମୋ ମତରେ ରଥ ଛାଏଁ ଛାଏଁ ଗଡି ଯିବ । ଏସବୁ ବନ୍ଦ କରାଯାଉ ।

Leave a Reply

Your email address will not be published. Required fields are marked *