- ପ୍ରବନ୍ଧ ଓ ସମାଲୋଚନା ଆମ ସାହିତ୍ୟ ଜଗତର ସୁଦୃଷ୍ଟିରୁ ବଂଚିତ, ପୁରସ୍କାରରୁ ମଧ୍ୟ ।
ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ବୈଷ୍ଣବ ମହାନ୍ତି ସରକାରୀ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ସଂପର୍କରେ ଏକ ରୋଚକ ଘଟଣାର ଅବତାରଣା କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି।
ଏହା ହେଉଛି ଶ୍ରୀମତୀ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳର ଘଟଣା। ସେ ବିଶିଷ୍ଟ ସାହିତ୍ୟିକ ନୀଳମଣି ସାହୁଙ୍କୁ ଉତ୍କଳ ପ୍ରସଙ୍ଗ ପତ୍ରିକାର ସଂପାଦକ ଭାବେ ଅବସ୍ଥାପିତ କରିଥିଲେ। ଉଦ୍ଦେଶ୍ୟ ଥିଲା ଯେ, ନୀଳମଣି ସାହୁ ଏହି ପତ୍ରିକାରେ ପରିବର୍ତ୍ତନ ଆଣି ଏକ ଉତ୍କୃଷ୍ଟ ସାହିତ୍ୟ-ପତ୍ରିକା ସୃଷ୍ଟି କରିପାରିବେ। ଏହା ଜଣାଶୁଣା ଯେ, ନୂତନ ସଂପାଦକ ଖୁବ୍ ଉତ୍ସାହୀ ଓ କର୍ମନିଷ୍ଠ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ ପଡ଼ିଆ (ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ପାର୍କ)ରେ ଜାକଜମକରେ ପ୍ୟାରେଡ ଅନୁଷ୍ଠିତ ହୁଏ। ସେଠାରେ ବହୁ ଦର୍ଶକ ଯୋଗ ଦେଇ ଉତ୍ସବକୁ ଉପଭୋଗ କରିଥାନ୍ତି। ନୀଳମଣି ସାହୁ ଚିନ୍ତା କଲେ ଯେ, ଏହା ଏକ ସୁବର୍ଣ୍ଣ ସୁଯୋଗ। ଉତ୍କଳ ପ୍ରସଙ୍ଗ ଏକ ସରକାରୀ ପତ୍ରିକା ହୋଇଥିଲେ ସୁଦ୍ଧା ଏହାର ବିଶେଷ ପ୍ରସାର ହେଉ ନ ଥିଲା। ଏହାର ପ୍ରତିକାର ପାଇଁ ସଂପାଦକ ନୀଳମଣି ସାହୁ କେତେଖଣ୍ଡ ପତ୍ରିକା କାଖରେ ଜାକି ଉତ୍ସବ ସ୍ଥଳରେ ପହଞ୍ôଚଲେ। ଘର ବାହୁଡା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପାଟି କରି ଘୋଷଣା କରୁଥାନ୍ତି, “ଓଡ଼ିଆ ପତ୍ରିକା, ଓଡ଼ିଆ ପତ୍ରିକା, ଉତ୍କଳ ପ୍ରସଙ୍ଗ। ମାତ୍ର ଟଙ୍କାକରେ ଖଣ୍ଡେ, ନିଅନ୍ତୁ ଟଙ୍କାକରେ ଖଣ୍ଡେ।” ଦୈବାତ ସେ ଭିଡ ଭିତରୁ ଜଣେ ମନ୍ତବ୍ୟ ଦେଲା ଯେ, ଟଙ୍କାକରେ କାହିଁକି, ମାଗଣା ଦେଉ ନାହଁ? ତାର ଏହି ଥଟ୍ଟା ନୀଳମଣିଙ୍କ କାନରେ ପଡ଼ିବା କ୍ଷଣି ସେ ତା’ ପାଖକୁ ଦୌଡି ଯାଇ ମାଗଣାରେ ଖଣ୍ଡେ ପତ୍ରିକା ଯାଚିଲେ। ଲୋକଟି ଏମିତି ଘଟଣା ଭାବି ନ ଥିଲା। ସେ ଲଜ୍ଜାରେ ଦୌଡି ପଳାଇବାକୁ ଆରମ୍ଭ କଲା। କିନ୍ତୁ ନୀଳମଣି ନ ଛୋଡବନ୍ଧା। ରାଜରାସ୍ତାରେ ତା ପଛେ ପଛେ ପତ୍ରିକା ଦେବା ପାଇଁ ଗୋଡାଇଲେ।
ଏହି ଘଟଣାଟି ପ୍ରତ୍ୟକ୍ଷ କରିଥିବା ସେଠିକାର ଦର୍ଶକମାନେ ହୁଏତ ଏହା ଏକ ‘ମୂଷା ବିଲେଇ ଗୋଡା ଗୋଡି’ ଖେଳ ଭାବି ବେଶ ଉପଭୋଗ କରିଥିବେ। କିନ୍ତୁ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆଖିରେ ଯଦି ଏହି ଅଭାବନୀୟ ଘଟଣା ପଡିଥିବ, ସେ ଅନୁତାପ କରିଥିବେ ଯେ, ଅନ୍ଧ ଦେଶକୁ ଗୁଡାଏ ଦର୍ପଣ ଦେଇ କେତେ ବଡ଼ ଭୁଲ୍ କରିଛନ୍ତି!
ସଂପାଦକ ନୀଳମଣି ସାହୁଙ୍କ, ଦୁର୍ଦ୍ଦଶା, ସାହିତ୍ୟ; ପୁଣି ଗଦ୍ୟମୟ। ପ୍ରାଧାନ୍ୟ ପ୍ରବନ୍ଧର। ଏହି ସଂପାଦନୀ- କାର୍ଯ୍ୟ ହରଡଘଣାରେ ଜଣକୁ ପକାଇବା ଥୟ।
ଅବଶ୍ୟ ପ୍ରସିଦ୍ଧ ଆଳଙ୍କାରିକ ବାମନାଚାର୍ଯ୍ୟ କହିଛନ୍ତି, ‘ଗଦ୍ୟ କବିନାଂ ନିକଷଂ ବଦନ୍ତି’। ସାହିତ୍ୟର ପ୍ରାରମ୍ଭ ପଦ୍ୟରୁ ହୋଇଥିଲା ଏବଂ ବହୁ ବର୍ଷ ପରେ ଗଦ୍ୟ ପ୍ରବେଶ କଲା। ତେଣୁ ପଦ୍ୟର ପ୍ରାଧାନ୍ୟ ସ୍ୱାଭାବିକ ମନେ ହୁଏ। ତେବେ ବାମନାଚାର୍ଯ୍ୟଙ୍କ ଉକ୍ତି ଉପରେ ଜଣେ ସମୀକ୍ଷକ ମତ ଦେଇଛନ୍ତି, “ଗଦ୍ୟ ହେଉଛି କବିମାନଙ୍କ ପ୍ରତିଭାର କଷଟି ପଥର। ସାହିତ୍ୟରେ ଗଦ୍ୟ ଏକ କଷ୍ଟସାଧ୍ୟ ରଚନା ହୋଇଥିବାରୁ ଗଦ୍ୟକୁ ସାହିତ୍ୟର ଶ୍ରେଷ୍ଠ ରୀତି ଭାବରେ ଗ୍ରହଣ କରାଯାଏ।”
ଅବଶ୍ୟ ବହୁ ବର୍ଷ ପୂର୍ବେ ଏହି ମତ ଉପସ୍ଥାପିତ ହୋଇଥିଲା। ସାଂପ୍ରତିକ ସ୍ଥିତିରେ ଏହାର ରୂପରେଖ ବିଚାର୍ଯ୍ୟ। ଯଶସ୍ୱୀ ସାହିତ୍ୟ ସାଧକ ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ଏକ ସାକ୍ଷାତକାର ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକା ତରଫରୁ ଅଗଷ୍ଟ ୨୦୨୧ରେ ନିଆଯାଇଥିଲା। ସେଥିରୁ କିଛି ଉଦ୍ଧୃତାଂଶ ପ୍ରତି ଦୃଷ୍ଟି ଦିଆଯାଇପାରେ।
“ପ୍ରକୃତରେ ସର୍ଜନାତ୍ମକ ସାହିତ୍ୟରୁ ଅଧିକ ଆନନ୍ଦ ମିଳେ। ଅବଶ୍ୟ ମୋ ବିଚାରରେ ସମାଲୋଚନା ମଧ୍ୟ ଏକ ସୃଜନଶୀଳ ଲେଖା। ଏହାକୁ କାହିଁକି ଏପରି ମାନ୍ୟତା ଦିଆଯାଇ ନାହିଁ ମୁଁ ବୁଝି ପାରେ ନାହିଁ।”
ସୁଦୃଷ୍ଟିରୁ ବଂଚିତ
ହୋଇପାରେ ସମାଲୋଚନା ଓ ପ୍ରବନ୍ଧ ଆମ ସାହିତ୍ୟର ସୁଦୃଷ୍ଟିରୁ ବଂଚିତ। କିନ୍ତୁ ବିଶ୍ୱସ୍ତରରେ ଏହାର ସ୍ଥିତି ସମ୍ବନ୍ଧରେ ପର୍ଯ୍ୟାଲୋଚନା କରାଯାଇପାରେ। ବାର୍ଟ୍ରଣ୍ଡ ରସେଲ (୧୮୭୨-୧୯୭୦) ଜଣେ ଗଣିତଜ୍ଞ ଓ ଦାର୍ଶନିକ। ସେ ତିନି ଭାଗ ବିଶିଷ୍ଟ ‘ପ୍ରନସପିଆ ମାଥମେଟିକା’ (୧୯୧୦-୧୩) ପୁସ୍ତକର ସହ-ଲେଖକ। ତତ୍ ସହ ଜନପ୍ରିୟ ‘ହିଷ୍ଟୋରି ଅଫ ୱେଷ୍ଟର୍ଣ୍ଣ ଫିଲୋସଫି’ (୧୯୪୬)ର ରଚୟିତା। ସର୍ବୋପରି ସେ ବହୁ ସଂଖ୍ୟକ ମନୋଜ୍ଞ ପ୍ରବନ୍ଧ ଲେଖିଛନ୍ତି। ତାଙ୍କ ରଚନା ଶୈଳୀ ଅନନ୍ୟ। ସେଥିର ରହିଛି ଚିନ୍ତାଧାରାରେ ଏକତା, ସଠିକ ଶବ୍ଦ ଚୟନ, ଭାଷାରେ ସରଳତା, ବିଷୟବସ୍ତୁରେ ଗାମ୍ଭୀର୍ଯ୍ୟ ଏବଂ ହାସ୍ୟ ଓ ବ୍ୟଙ୍ଗର ସ୍ପର୍ଶ। ବିଜ୍ଞାନ, ଦର୍ଶନ ଏବଂ ସାମାଜିକ ତଥା ନୈତିକ ସମସ୍ୟା ଉପରେ ପ୍ରାବନ୍ଧିକ ଭାବେ ତାଙ୍କର ସୁଚିନ୍ତିତ ମତ ବିଭିନ୍ନ ବର୍ଗର ପାଠକଙ୍କୁ ସ୍ପଷ୍ଟ ଦିଗ୍ଦର୍ଶନ ଦେବାରେ ସହାୟକ ହୋଇଥିଲା। ୧୯୫୦ରେ ପ୍ରବନ୍ଧ ସାହିତ୍ୟ ପାଇଁ ତାଙ୍କୁ ନୋବେଲ ପୁରସ୍କର ପ୍ରଦାନ କରାଯାଇଥିଲା।
ପ୍ରବନ୍ଧ ପାଇଁ କେବଳ ରସେଲ ନୁହନ୍ତି, ଅନ୍ୟ ଜଣେ ମହାନ ବ୍ୟକ୍ତି ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ। ସେ ହେଉଛନ୍ତି, ୱିନଷ୍ଟନ ଚର୍ଚ୍ଚିଲ (୧୮୭୫-୧୯୬୫)। ସେ ୟୁନାଇଟେଡ କିଙ୍ଗଡମର ପ୍ରଧାନମନ୍ତ୍ରୀ (୧୯୪୦-୪୫) ଥିଲେ। ଜୀବଦ୍ଦଶାରେ ସେ ‘ସାଉରୋଲ’ ନାମ ଗୋଟିଏ ଉପନ୍ୟାସ ଓ ଗୋଟିଏ ଗଳ୍ପ ଲେଖିଥିଲେ, ଯାହାର ବିଶେଷ ସାହିତ୍ୟିକ ମୂଲ୍ୟ ନାହିଁ। ତେବେ ୧୯୫୩ରେ ସେ ସାହିତ୍ୟରେ ନୋବେଲ ବିଜୟୀ ହୋଇଥିଲେ। ଏହା ଏକ ବିରଳ ଘଟଣା, କାରଣ ସେତେବେଳେ ସାଧାରଣତଃ ଜଣେ ବ୍ୟକ୍ତି କ୍ଷମତାସୀନ ଥିବା ବେଳେ ଏହି ସମ୍ମାନ ପ୍ରାପ୍ତ ହୋଇ ନ ଥାନ୍ତି। ନୋବେଲ କମିଟି ପ୍ରଶସ୍ତିପତ୍ରରେ ସୂଚନା ଦେଇଥିଲେ ଯେ, ଚର୍ଚ୍ଚିଲଙ୍କ ଐତିହାସିକ ତଥ୍ୟ ଓ ଜୀବନୀ ସଂପର୍କିତ ବର୍ଣ୍ଣନା ତଥା ଉଚ୍ଚତମ ମାନବିକ ମୂଲ୍ୟବୋଧର ରକ୍ଷା ପାଇଁ ଏବଂ ଚମତ୍କାର ବକ୍ତୃତାର ଲିପିବଦ୍ଧକୃତ ଦଲିଲ ପାଇଁ ଏହି ସ୍ୱୀକୃତି ପ୍ରଦତ୍ତ ହୋଇଛି।
ପ୍ରବନ୍ଧର ମାନ୍ୟତା
ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ପ୍ରବନ୍ଧକୁ ଏହି ପ୍ରକାର ମାନ୍ୟତା ଦିଆଯାଇଥାଏ। ଏପରିକି ଶୀର୍ଷସ୍ତରୀୟ କବିମାନେ ମଧ୍ୟ ବେଳେ ବେଳେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରିବାକୁ ଗଦ୍ୟର ଆଶ୍ରୟ ନେଇଥାନ୍ତି।
ତଥାପି ଲକ୍ଷ୍ୟ କରିବା କଥା ଯେ, ଆମ ସାହିତ୍ୟରେ ପ୍ରବନ୍ଧର ଅଗ୍ରଗତି କଣ୍ଟକମୟ। ଏଥିରେ ସୁଧାର ଆଣିବା ଅତ୍ୟାବଶ୍ୟକ। ଅବଶ୍ୟ ଏହାର ସମାଧାନ ପାଇଁ ଏକାଧିକ ପ୍ରସ୍ତାବ ସୁପାରିସ କରାଯାଇପାରେ। ହୁଏତ ତନ୍ମଧ୍ୟରେ ପୁରସ୍କାର ପ୍ରଦାନ ଅନ୍ୟତମ ବୋଲି କେହି କେହି ଦୃଢ଼ କଣ୍ଠରେ ଘୋଷଣା କରିବେ। ତାହେଲେ, ପୁରସ୍କାର?
କୌଣସି ଏକ ମହତ୍ ଉଦ୍ଦେଶ୍ୟ ନେଇ ଜଣେ ବ୍ୟକ୍ତି ବା ସଂସ୍ଥା ପୁରସ୍କାର-ପ୍ରଦାନ ବ୍ୟବସ୍ଥା ସମ୍ପାଦନ କରିଥାନ୍ତି। ଯେଉଁ ଉଦ୍ଦେଶ୍ୟର ଉନ୍ନତି, ପ୍ରଚାର ଓ ପ୍ରସାର ପାଇଁ ଏହା ସଂଘଟିତ ହୋଇଥାଏ, ତା’ର ଚରିତାର୍ଥତା ପାଇଁ ସେ ଅତ୍ୟାଗ୍ରହୀ ହେବା ସ୍ୱାଭାବିକ।
ଉଦ୍ଦେଶ୍ୟଟି ବିଭିନ୍ନ ସଂସ୍ଥା ପାଇଁ ଭିନ୍ନ ଭିନ୍ନ ହେବା ନିଶ୍ଚିତ। ତନ୍ମଧ୍ୟରେ ଭାଷା ଓ ସାହିତ୍ୟକୁ ଅନ୍ତର୍ଭୁକ୍ତ କରାଯାଇପାରେ। ଆମ ସାହିତ୍ୟ ପାଇଁ ଯେଉଁ ବହୁସଂଖ୍ୟକ ସଂସ୍ଥା ସକ୍ରିୟ ଭାବେ କାର୍ଯ୍ୟନିର୍ବାହ କରିଆସୁଛନ୍ତି, ସେଇ ତାଲିକାରେ ଶାରଳା ପୁରସ୍କାରକୁ ଅନ୍ତର୍ଭୁକ୍ତ କରାଯାଇପାରେ।
ଇମ୍ଫା (ଇଣ୍ଡିଆନ ମେଟାଲସ୍ ଆଣ୍ଡ ଫେରୋଆଲଏଜ୍)ର ଏକ ବଦାନ୍ୟ ଶାଖା ଇମ୍ପାକ୍ଟ ଦ୍ୱାରା ଘରୋଇ ଭାବେ ପରିଚାଳିତ ଏହି ସଂସ୍ଥା ତରଫରୁ ପ୍ରତିବର୍ଷ ଓଡ଼ିଆ ସାହିତ୍ୟରେ ଉତ୍କର୍ଷ ଭାବେ ବିବେଚିତ କୃତିକୁ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ। ପ୍ରଶସ୍ତିପତ୍ର ସହ କିଛି ଲକ୍ଷ ଟଙ୍କାର ଧନରାଶି ପ୍ରଦାନ ହେତୁ ଅନେକ ସାହିତ୍ୟିକଙ୍କ ସକାଶେ ଏହା ଆକର୍ଷଣର କେନ୍ଦ୍ର ହୋଇଥାଏ। ସର୍ବୋପରି ଏହି ମର୍ଯ୍ୟାଦାଜନକ ପୁରସ୍କାର ମାଧ୍ୟମରେ ଯେଉଁ ସ୍ୱୀକୃତି ପ୍ରାପ୍ତ ହୁଏ, ତାହା କମ୍ ଗୌରବର ବିଷୟ ନୁହେଁ।
ପୁରସ୍କାରର ଲକ୍ଷ୍ୟ
ପ୍ରଶ୍ନ ଉଠୁଛି : ପୁରସ୍କାରଟିଏ ଯେତେ ମୂଲ୍ୟବାନ ହେଉ ନା କାହିଁକି, ଏହା ଦ୍ୱାରା ପୁରସ୍କାରଦାତାର ଲକ୍ଷ୍ୟ କେତେଦୂର ସଫଳ ହେଉଛି? ଏହା ଅନେକ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଏହି ମର୍ମରେ କିଛି ମନ୍ତବ୍ୟ ଉଦ୍ଧୃତ କରାଯାଇପାରେ।
“…. କହିବାକୁ ଦୁଃଖ ଲାଗୁଛି, କିନ୍ତୁ ନ କହିବା ଭୁଲ ହେବ ଯେ ଆମ ସାହିତ୍ୟିକମାନଙ୍କ ସାମ୍ପ୍ରତିକ ସୃଷ୍ଟି ସେମାନଙ୍କ ସ୍ୱାର୍ଥସର୍ବସ୍ୱ ମନୋରଞ୍ଜନୀୟ ମତଲବ ପୁଷ୍ଟ ଶବ୍ଦ ବିଳାସ, ଯହିଁରୁ ସେମାନେ ନିଜ ନିଜ ପାଇଁ ଆର୍ଥିକ ପୁରସ୍କାରଯୁକ୍ତ ସମ୍ମାନ ସାଉଁଟିବାକୁ ଚେଷ୍ଟା କରନ୍ତି। ଯେହେତୁ ଏପରି ସମ୍ମାନର ଆର୍ଥିକ ମୂଲ୍ୟ ଅଛି, ସେହେତୁ ଏଥିପାଇଁ ଧରାଧରି କରନ୍ତି ଆମ ସାହିତ୍ୟିକମାନେ। ଏହି ଧରାଧରିରେ କିଏ କେତେବେଳେ କେଉଁଠି କାହାକୁ ଟପିଗଲା, ସାଧାରଣ ଓଡ଼ିଆ ପାଇଁ ତାହା କୌଣସି ଗୁରୁତ୍ୱ ରଖେ ନାହିଁ। ଏକଦା ମହାପାତ୍ର ନୀଳମଣି ସାହୁଙ୍କୁ ପଠାଇଥିବା ଏକ ଚିଠିରେ ସରସ୍ୱତୀ ସମ୍ମାନପ୍ରାପ୍ତ ରମାକାନ୍ତ ରଥ ଜଣାଇଥିଲେ ଯେ, ସେ ଲେଖିଥିବା ପୁରସ୍କୃତ ପୁସ୍ତକ ଦୀର୍ଘ ଦୁଇ ବର୍ଷରେ ମଧ୍ୟ ପଚାଶ ଖଣ୍ଡ ବିକ୍ରି ହୋଇପାରିନି। ଏଥିରୁ ଅକ୍ଲେଶରେ ଅନୁଭବ କରିହୁଏ ଆମ ଲୋକଙ୍କ ପାଇଁ ଆମ ସାହିତ୍ୟିକଙ୍କ ପ୍ରାସଙ୍ଗିକତା ପ୍ରାୟତଃ ପୋଛି ହୋଇଗଲାଣି। ସେମାନେ ପ୍ରାସଙ୍ଗିକତା କ୍ଷେତ୍ରରେ ବଞ୍ôଚ ରହିବାକୁ ଚେଷ୍ଟା କରୁଛନ୍ତି। ଧରାଧରି କରି ପାଉଥିବା ଏହିପରି ଆର୍ଥିକ ପୁରସ୍କାରଭିତ୍ତିକ ସମ୍ମାନ ପଡ଼ିଥାଉ। ଏମାନଙ୍କ ସାହିତ୍ୟ ସତ୍ତ୍ୱେ ଓଡ଼ିଆ ଭାଷା ଆପାତତଃ ମରି ସରିଲାଣି, ଏ କଥା ଏମାନେ ବୁଝିବାକୁ ଅକ୍ଷମ।” (ଦ୍ରଷ୍ଟବ୍ୟ: ମନ୍ତବ୍ୟ: ସୁଭାଷ ଚନ୍ଦ୍ର ପଟ୍ଟନାୟକ, ‘ଶାରଳା ମହାଭାରତ’, ୨୦ ସେପ୍ଟେମ୍ବର ୨୦୨୨)
ଏଥିରେ ଉଲ୍ଲେଖ ହୋଇଛି ଯେ, ପୁସ୍ତକଟିଏ ପୁରସ୍କୃତ ହୋଇ ଗଲେ ମଧ୍ୟ ତା’ର କାଟତି ବଢ଼ିବ ବୋଲି ନିଶ୍ଚିତତା ନାହିଁ, ଅନ୍ତତଃ ଓଡ଼ିଆ ଭାଷାରେ। ଅବଶ୍ୟ ଏଠାରେ କହିବା ବାହୁଲ୍ୟ ଯେ, ବହି ଅତି କମ୍ରେ ଦୁଇ ପ୍ରକାର। ଗୋଟିଏ ସାଧାରଣବର୍ଗ ପାଇଁ; ଅନ୍ୟଟି ବିଦ୍ୱାନମାନଙ୍କ ପାଇଁ, କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ, ସିନେମା ବା ଅନ୍ୟାନ୍ୟ କଳାରେ ଏମିତି ପ୍ରଭେଦ ମଧ୍ୟ ବିଦ୍ୟମାନ। ସିନେମାରେ ଆମେ ଦେଖୁ ମେନଷ୍ଟ୍ରିମ କମର୍ସିଆଲ ଫିଲ୍ମ ଓ ଏହାର ପ୍ରାୟତଃ ବିପରୀତରେ ଆର୍ଟ ବା ପାରାଲେଲ ଫିଲ୍ମ। ପ୍ରଥମୋକ୍ତ ଶ୍ରେଣୀ ପାଇଁ ବିଶାଳ ଜନ ସମୂହ ଆଗ୍ରହୀ ହୋଇଥାନ୍ତି। ତେବେ ଆର୍ଟ ପ୍ରତି ସମର୍ପିତ ଦର୍ଶକମାନେ ଏହାକୁ ଶସ୍ତା ମନୋରଞ୍ଜନ ବୋଲି ଅଭିହିତ କରି ଘୃଣା କରନ୍ତି। ପାରାଲାଲ ଫିଲ୍ମରେ କିନ୍ତୁ ରହିଥାଏ ଗମ୍ଭୀରତା, ବାସ୍ତବତା, ଯେଉଁଥିରେ ସମସାମୟିକ ସାମାଜିକ ଓ ରାଜନୈତିକ ପୃଷ୍ଠଭୂମି ବିଦ୍ୟମାନ। ତେଣୁ ଗୋଟିଏ ପୁରସ୍କୃତ ବହି ପାଠକଙ୍କୁ ବହୁ ସଂଖ୍ୟାରେ ଆକର୍ଷିତ କରିପାରୁନି ବୋଲି ଏହା ଅସାର ଓ ଅଦରକାରୀ, ଏହା କହିବା ଯୁକ୍ତିଯୁକ୍ତ ନୁହେଁ। ଏକ ଉଚ୍ଚତମ ସୋପାନରେ ପହଞ୍ôଚଥିବା ଏକ ସୂକ୍ଷ୍ମ ବୌଦ୍ଧିକ ଓ ଆବେଗିକ ସତ୍ତା ଦ୍ୱାରା ଏହା ମଣ୍ଡିତ ହୋଇପାରେ। ଅବଶ୍ୟ ବହି ବିକ୍ରେତା ଓ ପ୍ରକାଶକମାନେ ଏହାକୁ ସ୍ୱାଗତ କରି ନ ପାରନ୍ତି। ଏହି ଦୃଷ୍ଟିରୁ ପୁରସ୍କାର ପ୍ରଦାନ ସମ୍ପୂର୍ଣ୍ଣ ଅବାନ୍ତର ନ ହୋଇପାରେ।
ପ୍ରବନ୍ଧ ନାସ୍ତି
ଏହି ପ୍ରସଙ୍ଗ ଉପରେ ଅନ୍ୟ ଏକ ଦିଗ ପ୍ରଣିଧାନଯୋଗ୍ୟ।
“ଶାରଳା ପୁରସ୍କାର ଚୟନ କମିଟି ତରଫରୁ ସରୋଜ ବଳଙ୍କ ଦସ୍ତଖତରେ ମୋ ପାଖକୁ ଚିଠି ଆସିଥିଲା ଲେଖକଙ୍କ ନାଆଁ ପ୍ରସ୍ତାବ କରିବାକୁ। ମୁଁ ପ୍ରସ୍ତାବ ନ କରି ପ୍ରତିବାଦ କଲି ଏଇଥିପାଇଁ ଯେ, କୌଣସି ପ୍ରବନ୍ଧ ପୁସ୍ତକ ବା ପ୍ରାବନ୍ଧିକଙ୍କ ନାଆଁ ପ୍ରସ୍ତାବ ନ କରିବାକୁ ମୋତେ କୁହାଯାଇଥିଲା। କିଛି ମୁଁ ବୁଝିପାରିଲିନି, ପ୍ରବନ୍ଧ ଓ ପ୍ରାବନ୍ଧିକ ନିଆଁରେ ସାନ-ପାସ୍ କରିଥିବାର ପ୍ରମାଣ ଶାରଳା ପୁରସ୍କାର କର୍ତ୍ତୃପକ୍ଷଙ୍କ ପାଖରେ ହୁଏ ତ ଖବର ଅଛି। ତେବେ ପ୍ରବନ୍ଧ ସାହିତ୍ୟ କି ପାପ କରିଛି? କୋଉଥିପାଇଁ କର୍ତ୍ତୃପକ୍ଷଙ୍କ କାନଟିମାନ ପ୍ରବନ୍ଧ ନାଆଁ ଶୁଣୁ ଶୁଣୁ, ଆଖିଟିମାନ ପ୍ରବନ୍ଧ ନାଆଁ ଦେଖୁ ଦେଖୁ, ତାଙ୍କ ନାକଟିମାନ ସ୍ୱର୍ଗାଭିମୁଖୀ ହେଉଛି? …. ଆମ ସ୍କୁଲ ପାଠ୍ୟକ୍ରମରେ କେମିତି କବିତା, ନାଟକ, ଗଳ୍ପ ଆଦି ଲେଖିବାକୁ ହେବ ପଢ଼ାଯାଏନି; କିନ୍ତୁ ପ୍ରବନ୍ଧ ଓ ପତ୍ରଲିଖନ ପଢ଼ାଯାଏ। ଅଥଚ ସ୍କୁଲ ଛାଡ଼ିଲେ କେହି ପ୍ରବନ୍ଧ ଲେଖନ୍ତିନି କି ପଢ଼ନ୍ତିନି। ଯୋଉ ପ୍ରବନ୍ଧ ଲେଖାଯାଏ, ତାହା ଅଧିକାଂଶ ଉପାଧି ଉଦ୍ଦିଷ୍ଟ ପ୍ରମୋସନ-ପ୍ରୟାସୀ ପ୍ରବନ୍ଧ, ସେ ସବୁ ଅଯଥା ଅନାବଶ୍ୟକ ଉପସର୍ଗ ଉବୁଜା ଶବ୍ଦର କଡ଼ାଭାଗରେ ବନ୍ଧା ଯାଇଥାଏ ଯେ, ସାଧାରଣ ପାଠକର ଦାନ୍ତ ଭାଙ୍ଗିଯାଏ। ସେଥି ସହ ଏବେ କିଛି ସରକାରୀ ଅନୁଷ୍ଠାନ ପ୍ରବନ୍ଧର ଭ୍ରୂଣହତ୍ୟାର କାରଣ ହେଉଛନ୍ତି। କେତେ କେତେ କବିତା, କବି ସମ୍ମିଳନୀ ଆୟୋଜିତ ହେଉଛି, ପ୍ରବନ୍ଧ କିନ୍ତୁ ଆମ ସାହିତ୍ୟ ସାହିର ଏବେ ଏକ ଅପାଙ୍କ୍ତେୟ ଅବହେଳିତ ଅନ୍ୟକଥା।” (ଦ୍ରଷ୍ଟବ୍ୟ: ମନ୍ତବ୍ୟ ବୈଷ୍ଣବ ଚରଣ ମହାନ୍ତି, ‘ଶାରଳା ମହାଭାରତ!’ ୨୦ ସେପ୍ଟେମ୍ବର ୨୦୨୨)।
ଉଲ୍ଲେଖନୀୟ ଯେ, ବୈଷ୍ଣବ ଚରଣ ମହାନ୍ତି (ଜନ୍ମ ୧୯୫୪) ଜଣେ ପୁରସ୍କୃତ ଓଡ଼ିଆ ପ୍ରାବନ୍ଧିକ। ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସେ ‘ପାନ ଓ ପ୍ରିୟତମା’ ପୁସ୍ତକଟି ପାଇଁ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ପୁରସ୍କୃତ ହୋଇଛନ୍ତି।
ଶହେରେ ସତୁରି
ବୈଷ୍ଣବ ବାବୁଙ୍କ ସୁଚିନ୍ତିତ ମତ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ଅନସ୍ୱୀକାର୍ଯ୍ୟ ଯେ ଓଡ଼ିଆ ପ୍ରବନ୍ଧ ବିଭାଗ ଅନାଦର ଓ ଅବହେଳାର ଶିକାର ହୋଇଛି। ବିଶିଷ୍ଟ ପ୍ରାବନ୍ଧିକ, ବୈଜ୍ଞାନିକ ଓ ଦାର୍ଶନିକ ଶରତ କୁମାର ମହାନ୍ତି (୧୯୩୮-୨୦୦୬)ଙ୍କ ମତ ଏଠାରେ ଚର୍ଚ୍ଚିତ ହେଉ, “ମୋଟାମୋଟି ଭାବେ ଦେଖିଲେ, ଆମର ପ୍ରତି ଶହେ ସାହିତ୍ୟିକଙ୍କ ମଧ୍ୟରେ ସତୁରି ଜଣ କବି, ପନ୍ଦର ଜଣ ଗାଳ୍ପିକ, ସାତ ଆଠ ଜଣ ସମାଲୋଚକ ଓ ବାକି ସାତ ଆଠ ଜଣ ମିଶି ଉପନ୍ୟାସ, ନାଟକ ଓ ପ୍ରବନ୍ଧ ଲେଖୁଛନ୍ତି। … ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଆମର ବିଶିଷ୍ଟ କବି-ହାକିମଙ୍କର ଧାରଣା ଯେ ପ୍ରବନ୍ଧ ସୃଜନଶୀଳ ସାହିତ୍ୟ ନୁହେଁ। ଏହି କାରଣରୁ ଗୋଟିଏ ପୁରସ୍କାରରେ (ଶାରଳା ପୁରସ୍କାର) ପ୍ରବନ୍ଧ ବିଭାଗ ପାଇଁ ଥିବା ପୁରସ୍କାର ଉଠାଇ ଦିଆଗଲା। ଏହା କଲମ ଗାରକେ କଟିକଲା। ସେଇଟା ହାକିମଙ୍କ କଲମ।” (ଦ୍ରଷ୍ଟବ୍ୟ : ‘କ୍ୟାରିଅରିଷ୍ଟ ଓ ସାହିତ୍ୟ ଚାଷ’, ୧୯୯୬)।
ଏହି ଉପଲକ୍ଷେ ସାହିତ୍ୟ-ଗବେଷକ ଓ ଅନୁଧ୍ୟାନକାରୀ ଅସିତ ମହାନ୍ତି ସ୍ପଷ୍ଟ ଲେଖିଛନ୍ତି, “ଶରତ କୁମାର ମହାନ୍ତି… ପ୍ରବନ୍ଧ ପାଇଁ ପାଇଥିବା ଶାରଳା ପୁରସ୍କାର ପ୍ରତ୍ୟାଖ୍ୟାନ କରିବା ପରେ ଚିତ୍ତରଞ୍ଜନ ଦାସ ବି ସେହି ପ୍ରବନ୍ଧ ପାଇଁ ସେ ପୁରସ୍କାରଟି ପାଇଥିଲେ। କିନ୍ତୁ ଏବେ ସେ ପୁରସ୍କାରରୁ ବି ସାମୟିକ ଅଧିକାରୀମାନେ ପ୍ରବନ୍ଧକୁ ସୃଜନଶୀଳ ନୁହେଁ ବୋଲି କହି କଲମ ଗାରକେ ଉଠାଇ ଦେଇଛନ୍ତି। ଏ ପୁରସ୍କାରର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଇଲା ପଣ୍ଡା ଏବଂ ଶରତ ବାବୁ ଓ ଚିତ୍ତରଂଜନ ଦାସଙ୍କ ପରି ପୁରସ୍କାର ପ୍ରାପକଙ୍କ ପାଇଁ, ଏହା ଅସମ୍ମାନ କି ନୁହେଁ, ପାଠକେ ବିଚାର କରନ୍ତୁ।” (‘କ୍ୟାରିଅରିଷ୍ଟ ସାହିତ୍ୟ ଚାଷ ପ୍ରସଙ୍ଗ’ ପ୍ରବନ୍ଧ ବହି ଉପରେ ଅସିତ ବାବୁଙ୍କ ଟିପ୍ପଣୀ – ଆଠ ଭାଗ- ୨୧ ଅଗଷ୍ଟ ୨୦୨୨)।
ଭାଗୀରଥି ମହାସୁଆର ଏହି ମାମଲାରେ ସାମ୍ପ୍ରତିକ ପରିବେଶକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି ଯେ, ବଡ଼ ହୋଟେଲ ସାହିତ୍ୟ ଓଡ଼ିଆ ପ୍ରବନ୍ଧ ବଜାରକୁ ଆହୁରି ଅନାଦୃତ କରିଦେବ। ଫଳରେ ଏହି ପୁରସ୍କାର-କ୍ଷେତ୍ରର ଆୟତନ ସଂକୁଚିତ ହୋଇଯାଇଛି।
ବର୍ତ୍ତମାନ ପୁରସ୍କାର-ପ୍ରସଙ୍ଗର ଏକ ବୃହତ୍ତର ଆଲୋଚନା ପ୍ରାସଙ୍ଗିକ। ନୀତି ଶ୍ଳୋକରେ ଲିପିବଦ୍ଧ ଯେ :
ଦ୍ୱାବିମାବନୁଶୋଚନ୍ତି ବାଳାବସଦ ଗ୍ରହୌ।
ଯଲ୍ଲୋକଶାସ୍ତ୍ରୋପନତଂ ନ ରାତି ତଦିଚ୍ଛତି।ା
ଯେଉଁ ମନୁଷ୍ୟ ଦେବାଯୋଗ୍ୟ ପଦାର୍ଥକୁ ଦାନ କରେ ନାହିଁ ଏବଂ ଶାସ୍ତ୍ରଜ୍ଞ ହୋଇ ମଧ୍ୟ ଯେଉଁ ଲୋକ ଏପରି ଦାନ ଗ୍ରହଣ କରେ ନାହିଁ, ସେହି ଦୁଇ ପ୍ରକାର ମଣିଷ ଦୁରାଗ୍ରହୀ ବା ମୂଢ଼ ଅଟନ୍ତି। (ସମାଜ, ୨୭ ସେପ୍ଟେମ୍ବର ୨୦୨୨)।
ପୁରସ୍କାର ପ୍ରଦାନ କରିବାକୁ ସମର୍ଥ ଲୋକ ପୁରସ୍କାର ଦିଏ ଏବଂ ଏହି ପୁରସ୍କାର ଯୋଗ୍ୟ ବ୍ୟକ୍ତିକୁ ସେ ଦିଏ। ତେବେ ଏଥିରେ ଉଲ୍ଲିଖିତ ମତାନୁସାରେ ପ୍ରାପକଟି ଏହା ଗ୍ରହଣ ନ କଲେ, ସେ ନିନ୍ଦିତ ହେବା ଉଚିତ। ତଥାପି ଏଥିରେ ବ୍ୟତିକ୍ରମ ଦେଖାଦେଲେ, ସେଇ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମତଦେବା ନ୍ୟାୟସଙ୍ଗତ ହେବ।
ଅପାତ୍ରରେ ଦାନ
ଅପାତ୍ରରେ ଦାନ ଦେବାକୁ ନିଷିଦ୍ଧ କରାଯାଇଛି। କିନ୍ତୁ ସୁପାତ୍ରରେ ଦେଲେ ମଧ୍ୟ ଏତାଦୃଶ କ୍ଷେତ୍ରରେ ଆଦର୍ଶର ଦ୍ୱାହି ଦେଇ ଏହା ମନା କରାଯାଇପାରେ। ସେମିତି ବେଳେ ବେଳେ ପ୍ରସିଦ୍ଧି ଲାଭ କରିବା ପରେ ଜଣେ ବୟସ୍କ ବ୍ୟକ୍ତିକୁ ପୁରସ୍କୃତ କଲେ ସେ ମହାନ ହୋଇ ପାରନ୍ତି, ସେ ଯୁକ୍ତି ବାଢ଼ିପାରନ୍ତି ଯେ, ସେ ତାଙ୍କ ଉଦ୍ୟମରେ ପ୍ରାଣକୁ ବାଜି ଲଗାଇ ସଂଘର୍ଷ କରୁଥିବାବେଳେ ତାଙ୍କୁ ପୁରସ୍କାର ଦ୍ୱାରା ପ୍ରଣୋଦିତ କରିବା କଥା। କିନ୍ତୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ôଚବା ପରେ ଏହି ସ୍ୱୀକୃତିର ମୂଲ୍ୟ କ’ଣ? ମଝି ସମୁଦ୍ରରୁ କୂଳକୁ ଆସିବା ପାଇଁ ପ୍ରବଳ ଚେଷ୍ଟାରତ ଥିବା ବେଳେ ଲାଇଫ-ବେଲ୍ଟ୍ଟିଏ ଦେଲେ ତାହା ଅମୂଲ୍ୟ ହୋଇଥାଏ। କିନ୍ତୁ କୂଳକୁ ଫେରି ଆସିବା ପରେ ଏହା ଦେଲେ ଜଣେ ଘୃଣାର ସହିତ ସମୁଦ୍ରକୁ ଫୋପାଡି ଦେବ ସିନା। ତେଣୁ ଏମିତି ସ୍ଥିତିରେ ପୁରସ୍କାର ଅଗ୍ରହଣୀୟ ହୋଇପାରେ। ବାସ୍ତବରେ ଏତାଦୃଶ ବିଭିନ୍ନ କାରଣରୁ ପୁରସ୍କୃତ ବ୍ୟକ୍ତି ବୋଧହୁଏ ନାରାଜ ହୋଇଥାନ୍ତି।
ତଥାପି ଏତେ ସବୁ ବ୍ୟତିକ୍ରମ ସତ୍ତ୍ୱେ ସାଧାରଣତଃ ପୁରସ୍କାର ପ୍ରତି ସମସ୍ତଙ୍କର ଲୋଭ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ରହିଥାଏ। ଏହାର ମାନସିକ ଓ ସ୍ନାୟବିକ କାରଣ ରହିଛି। ସ୍ନାୟୁ ବିଜ୍ଞାନୀମାନଙ୍କ ମତରେ ମସ୍ତିଷ୍କରେ ଡୋପାମାଇନ, ସେରୋଟିନିନ, ଏଣ୍ଡେରଫିନ ଓ ଅକ୍ସିଟୋସିନ ନାମକ ସୁଖ ରାସାୟନିକ ଦ୍ରବ୍ୟମାନ – ହାପି-କେମିକାଲ୍ସ, ଯାହାକି ସ୍ନାୟୁ ରାସାୟନିକ, ନିଃସୃତ ହୋଇଥାଏ। ଏମାନଙ୍କ ମଧ୍ୟରୁ ଅକ୍ସିଟୋସିନ ‘ଲଭ ହର୍ମୋନ’ ବା ‘କଡଲ ହର୍ମୋନ’ ଭାବେ ସୁପରିଚିତ। ଜନନୀ ଯେତେବେଳେ ତା’ର ସଦ୍ୟଜାତ ସନ୍ତାନକୁ କୋଳେଇ ଧରେ ସେ ଅପୂର୍ବ ଆନନ୍ଦ ଲଭେ। ତାହା ଅକ୍ସିଟୋସିନ ଯୋଗୁ ସମ୍ଭବ ହୁଏ। ସେମିତି ପ୍ରେମିକ ଯେତେବେଳେ ତା’ ପ୍ରେମିକାକୁ ନିବୁଜ ଭାବେ କୋଳାଗ୍ରତ କରି ଚୁମ୍ବନ ଦିଏ, ତା’ ଦେହରେ ଜାତ ଶିହରଣ ଏହି ରାସାୟନିକ ଦ୍ୱାରା ବୁଝାଇହେବ।
ଏମିତି ଆମମାନଙ୍କ ମଧ୍ୟରେ କେତେ ଜଣ ‘ଲଭ ହର୍ମୋନ’ର ପ୍ରକୋପରେ ଅତ୍ୟନ୍ତ କ୍ଷୁଧାର୍ତ୍ତ ଓ ତୃଷାର୍ତ୍ତ ଭାବେ କାଳାତିପାତ କରୁଛନ୍ତି। ସେମାନେ ପୁରସ୍କାରଟିଏ ପାଇବା ମାତ୍ରେ କେମିତି ମଞ୍ଚ ଉପରକୁ ଉଠି ପୁରସ୍କାରଟିକୁ ଜାବୁଡି ଧରିବେ, ଏଥିପାଇଁ ବ୍ୟାକୁଳ। ଏହି ସ୍ପର୍ଶଜନିତ ସୁଖ ତାଙ୍କୁ ଦିଏ ପରମାନନ୍ଦ। ପୁରସ୍କାର ସହ ସଂସର୍ଗ ତାଙ୍କୁୁ ପ୍ରିୟା ମିଳନର ରୋମାଞ୍ଚରେ ଉତ୍ଫୁଲ୍ଲିତ କରିଥାଏ।
ପ୍ରାୟ ବାଇଶ-ତେଇଶ ଶହ ବର୍ଷ ପୂର୍ବେ ଗ୍ରୀକ୍ ବୈଜ୍ଞାନିକ ଆର୍କିମେଡିସ୍ ସ୍ନାନାଗାରର ପାଣିକୁଣ୍ଡରେ ବୁଡି ଗାଧେଇବାବେଳେ ରାଜା ଦେଇଥିବା ଏକ ଅସମାହିତ ପ୍ରଶ୍ନର ଉତ୍ତର ହଠାତ୍ ପାଇଗଲେ। କଥିତ ଅଛି ଯେ, ସେ ଆନନ୍ଦରେ ଆତ୍ମହରା ହୋଇଗଲେ ଓ ଲଙ୍ଗଳା ବାତୁଳା ହୋଇ ରାଜରାସ୍ତାରେ ‘ପାଇଗଲି’, ‘ପାଇଗଲି’ (ୟୁରେକା, ୟୁରେକା) ବୋଲି ପାଟି କରି ଦୌଡ଼ିଲେ।
ତେଣୁ ଦେବୀ ବୀଣାପାଣି! ଆମେ ପ୍ରାର୍ଥନା କରି ଜଣାଉଛୁ ଯେ, ଆମେ ଓଡ଼ିଶାବାସୀ ପାପ କରିଛୁ ବୋଲି ଉତ୍କଳ ପାଇଁ ତୋ କୃପା ଊଣା ହୋଇଯାଇଛି। ପୁଣି ଯଦି ଆମ ସାହିତ୍ୟିକମାନେ ‘ଲଭ ହର୍ମୋନ’ରେ ଭାରସାମ୍ୟ ନ ରଖି ପାରି ଉଲଗ୍ନ ଭାବେ ପୁରସ୍କାରକୁ ଭିଡି ଚୁମା ଦେବାକୁ ଧାଆଁନ୍ତେ, ଏହା ଏକ ବିଶ୍ୱ ସମାଚାର ହୋଇଯିବ। ଆମେ ହୋଇଯିବୁ ଉପହାସର ପାତ୍ର ଚିରଦିନ ପାଇଁ। ତେଣୁ ଆମ ପାଇଁ ଅନ୍ତତଃ ଏତିକି କୃପା କର, ଯେମିତି ପୁରସ୍କାର ରଙ୍କୁଣାମାନେ ୟୁରେକା ରୋଗରେ ପୀଡ଼ିତ ନ ହୁଅନ୍ତୁ, ଏହି ବର ତୁରନ୍ତ ଦିଆଯାଉ କାରଣ ଆମେ ଏଇ ରୋଗର ପ୍ରାଥମିକ ଲକ୍ଷଣ ଏବେ ଦେଖୁଛୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ।)
ଅତି ନିରପେକ୍ଷ ଆଲୋଚନାଟିରେ ଓଡିଆ ସାହିତ୍ଯର ସାମ୍ପ୍ରତିକ ଦୁର୍ଗତି, ଦୁଷ୍କୃତି ଓ ଦୁରାଚାର ଉପରେ ଆଲୋକପାତ କରି ଓଡିଶାର ସାହିତ୍ଯିକ ଗୋଷ୍ଠୀଙ୍କ ଚେତନା ଉଜ୍ଜୀବିତ କରିବାକୁ ପ୍ରୟାସ କରିଥିବାରୁ ପ୍ରାବନ୍ଧିକଙ୍କୁ ଧନ୍ଯବାଦ!
ତଥାପି ଆଉ ଟିକେ ଗଭୀରକୁ ଯାଇ ବିଚାର କରିବାକୁ ପଡିବ!
ଗୋଟିଏ ପତ୍ରିକା ହାତରେ ପଡିବା ମାତ୍ରେ କେତେଜଣ ପାଠକ କବିତା ବିଭାଗ, କେତେଜଣ ଗଳ୍ପ, ଉପନ୍ଯାସ ଆଦି ଗଦ୍ଯ ବିଭାଗ, କେତେଜଣ ପ୍ରବନ୍ଧ ବିଭାଗ ପଢୁଛନ୍ତି, ତାହାର ନିରପେକ୍ଷ, ପୁଙ୍ଖାନୁପୁଙ୍ଖ ତର୍ଜମା ହେବା ଦରକାର! ଏହାଦ୍ୱାରା ବର୍ତ୍ତମାନ କାଳରେ ସାହିତ୍ଯର କେଉଁ ବିଭାଗ ଟି ପ୍ରକୃତରେ ଲୋକପ୍ରିୟ ଓ କାହିଁକି, ତାହା ହୁଏତ ବୁଝିହେବ!
ଲୋକେ କହୁଛନ୍ତି, ସମାଲୋଚକେ କହୁଛନ୍ତି, କବିତା ଲେଖିବା ସହଜ ହୋଇଥିବାରୁ ବେଶୀ ଲୋକ କବିତା ଲେଖି କବି ରୂପେ ନାମ କମାଇବାକୁ ଚାହୁଁଛନ୍ତି! ସେ ନାମ ପୁରସ୍କାର ମାଧ୍ଯମରେ, ଉତ୍କୋଚ ଦ୍ବାରା ହେଉ ବା ଅନ୍ଯ କିଛି ଦାନ କରି, ସଂଗ୍ରହ କରୁଛନ୍ତି! ଜଣେ ଜଣେ କବି ବୋଲାଉଥିବା ସ୍ବନାମଧନ୍ୟ ସାହିତ୍ଯିକ/କା, ଓଡିଆ ଶବ୍ଦକୁ ସଠିକ୍ ଲେଖିବା ଜାଣି ନଥିଲେ କି ପଦ, ଛନ୍ଦ, ଅଳଙ୍କାର ଆଦିର ରହସ୍ଯ ର ଧାର ଧରି ନଥିଲେ ବି ଶହ ଶହ ପୁରସ୍କାର, ସମ୍ବର୍ଦ୍ଧନା, ସାର୍ଟିଫିକେଟ୍ ଗୋଟେଇ ସୋସିଆଲ୍ ମିଡିଆ ରେ ନିଜର କବିପଣିଆ ର ଗୌରବ ଦେଖାଇ କରି ଅନ୍ଯମାନଙ୍କୁ ଚମତ୍କୃତ କରି ବାହାବା ନେବାରେ ଧୁରନ୍ଧର ପାଲଟିଛନ୍ତି !!! ଏହାର ସତ୍ଯତା ଉପରେ ଆଜିକାଲି ଆଉ ଦ୍ୱିମତ ନାହିଁ କାରଣ ଏପରି ଗୋଟାଇବା ଓ ଗ୍ରାହକ ଯୋଗାଉଥିବା ସାହିତ୍ଯ ବେପାରୀ ନିଜେ ନିଜ ମୁହଁରେ ଏହା ସ୍ୱୀକାର କରିଥିବାର ଭାଇରାଲ୍ ଭିଡିଓ ଆମେ ସମସ୍ତେ ଦେଖିଛୁଁ!!!
ମୋର ଏତିକି ପ୍ରଶ୍ନ, ପ୍ରବନ୍ଧ ଲେଖିବା ପାଇଁ ଯେଉଁ ନିଷ୍ଠା, ଉଦ୍ଯମ ବା ଗବେଷଣା ଦରକାର, ତାହା କରିବାକୁ କେତେଜଣ ଉତ୍ସାହୀ ସାହିତ୍ଯିକ ଆମ ଭିତରେ ଅଛନ୍ତି?
ପ୍ରବନ୍ଧ ଏକ ଅବ୍ଜେକ୍ଟିଭ୍ ଲେଖା ଓ ତଥ୍ଯ ଆଧାରିତ ଲେଖା ହୋଇଥିବାରୁ ବହୁ ଲୋକ ଏଥିରୁ ବିମୁଖ ହୋଇ ନିଜ ମନ କଥା କବିତାରେ ଲେଖୁଛନ୍ତି, କାରଣ କବିତା ସବ୍ଜେକ୍ଟିଭ୍ ହୋଇ ଥିବରୁ ଏହାକୁ ଯେ ପ୍ରକାର ବି ଇନ୍ଟରପ୍ରିଟ୍ କରାଯାଇ ପାରେ, ଡିଫେନ୍ଡ କରାଯାଇ ପାରେ! ପ୍ରବନ୍ଧ ରେ ତାହା ସମ୍ଭବ ନୁହେଁ! ଆପଣଙ୍କୁ ସ୍ୱ-ମତାମତ ସହିତ ପ୍ରମାଣ ଓ ସତ୍ଯ ଆଧାରିତ ତଥ୍ଯ ଦେବାକୁ ପଡିବ, ନୁହେଁ କି?
ଜ୍ଞାନୀ ଲୋକେ ପ୍ରବନ୍ଧ ଲେଖିବାର ସାହସ କରିବେ, ସାଧାରଣ ଲୋକେ ନିଜ ବିଷୟରେ କବିତା ଲେଖିବେ, ଯେଉଁ ଥିରେ ଯେତେ ୟାଡୁସ୍ଯାଡୁ ଲେଖିଲେ ଗାଳି ମାଡ ଖାଇବାର ସମସ୍ଯା କମ୍!
ଆଶା ମୋର ମତାମତ କେହି ନା କେହି ପଢିବେ ଓ ସମାଲୋଚନା କରିବେ!!!
ଡଃ ସୁମିତ୍ରା ମିଶ୍ର
ନିଜ ସ୍ବାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ, ଦେଶହିତେ ତାର ପ୍ରତି ରକ୍ତ ବିନ୍ଦୁ – ଏଇ ମାଟିର ପୁଅ ଆମକୁ ଏଇ ବାଣୀ ଶିଖାଇଛନ୍ତି । ତେଣୁ ନିଜ ସ୍ବାର୍ଥ ପାଇଁ ଆମେ ପ୍ରବନ୍ଧ ଲେଖିବା ନାହିଁ, ଦେଶର ସ୍ବାର୍ଥ ଓ ସମାଜର ମଙ୍ଗଳ କାମନା କରି ଲେଖା ଲେଖିବା । ପୁରସ୍କାର ପଛରେ ଗୋଡାଇବା ନାହିଁ । ଆମେ ଲେଖିଚାଲିବା, କାମ କରି ଚାଲିବା, ଫଳ କଣ ମିଳିବ ସେଥିପ୍ରତି ଦୃଷ୍ଟି ଦେବା ନାହିଁ । ଦିନେ ନା ଦିନେ ଆମର କଷ୍ଟର ଫଳ ମିଳିବ ।
ଗୋପିବାବୁ ଆପଣ ଯେଉଁ ମତ ଦେଇଛନ୍ତି ତାହା ଠିକ୍ କଥା ତଥାପି ଯେଉଁମାନେ ଲେଖୁଛନ୍ତି ବା କର୍ମ କରୁଛନ୍ତି ସେମାନଙ୍କର କିଛି ଆଶା ଓ ଆକାଂକ୍ଷା ଅଛିନା
ନିଖିଳାନନ୍ଦ ପାଣିଗ୍ରାହୀଙ୍କ ଅନନ୍ୟ ସ୍ଵାଦୁ ଓ ସ୍ଵାତନ୍ତ୍ର୍ୟ ନେଇ ଅତ୍ୟନ୍ତ ଉପାଦେୟ ଲେଖା ।