- ” ମୁଖିଆ ବଡ଼ ଚାଲାକ ଲୋକ ହୋ। ପ୍ରଥମେ ମଦ ଦୋକାନଠାରୁ ଚାନ୍ଦା ଆଣିବେ, ଦ୍ୱିତୀୟରେ ମଦ ପିଇ ପିଇ ମରୁଥିବା ମଦୁଆର ସ୍ତ୍ରୀକୁ ବିଧବା-ଭତ୍ତା କରେଇଦେଇ ବାହା ବାହା ନେବେ। “
ମୁଁ କହିଲି, ପ୍ରାୟ ଅଧିକାଂଶ ଗାଁର ଲୋକମାନେ ଦାବିକରନ୍ତି ଯେ ତାଙ୍କ ଗାଁ ହେଉଛି ସଂସ୍କୃତିସମ୍ପନ୍ନ ଗାଁ। ଖତୁଆ ଝଅଟ ଉତ୍ତର ଦେଲା, କହିଲା, “ହେବନି କେମିତି କହିଲେ ଭାଇ, ଆଜି କାଲି ଚଷାପୁଅ ଚାଷ କରୁନି, ତନ୍ତୀ ପୁଅ ତନ୍ତ ଚଲାଉନି, ତେଲି ପୁଅ ଘଣା ଭୁଲିଛି, ଗୁଡ଼ିଆ ପୁଅକୁ ମାଲୁମ ନାହିଁ ଗୁଡ଼ ଉତ୍ପାଦନର ପ୍ରକ୍ରିୟା, କୁମ୍ଭାର ଚକ ଚଲେଇବା କୁମ୍ଭାର ପୁଅକୁ ମାଲୁମ ନାହିଁ, ବଢେଇ ପୁଅ ଭୁଲିଯାଇଛି ହାତୁଡ଼ି ନିହାଣ କରତ ଚଳାଇବାର କଳା, ବ୍ରାହ୍ମଣ ପୁଅ ମନ୍ତ୍ର ପଢ଼ା ଭୁଲିଯାଇଛି, ବାରିକ ପୁଅ ଖୁର ଧରିବା ଭୁଲିଯାଇଛି। ଏମିତି କହିବାକୁଗଲେ ସମସ୍ତେ ସମସ୍ତଙ୍କର କୌଳିକ ବୃତ୍ତି ଭୁଲିଗଲେଣି।” ମୁଁ କହିଲି, “ଆରେ ଖତୁଆ, ଇଏ ତ ଅପସଂସ୍କୃତି, ଏଠି ସଂସ୍କୃତିସମ୍ପନ୍ନ କହିବା ନିରର୍ଥକ।” ଖତୁଆ କହିଲା, “ମୋତେ ଆଗ କହିଲ, ସଂସ୍କୃତରୁ ସଂସ୍କୃତି ଶବ୍ଦ ସୃଷ୍ଟି ନା ନାହିଁ?” ମୁଁ କହିଲି, “ହଁ, ସଂସ୍କୃତରୁ ସଂସ୍କୃତିର ସୃଷ୍ଟି।” ଖତୁଆ କହିଲା, “ତେବେ ଶୁଣ, ଘରେ ଘରେ ଲୋକେ ଏବେ ଟଙ୍କିକିଆ ଚାଉଳ ପାଇ ନିଜ ନିଜର କୌଳିକ ବୃତ୍ତି ଛାଡ଼ି ଗାଁ ମୁଣ୍ଡରେ ଦଳ ଦଳ ହୋଇ ତାସ୍ ଖେଳୁଛନ୍ତି। ତମେ ଯଦି ଗାଁର ସେଇ କେତୋଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବ ସେଠି ଶୁଣିବାକୁ ପାଇବ ସମସ୍ତେ ସଂସ୍କୃତକୁ ଘୋରିବାଟି ପିଇ ଖାଲି ଦୁଇ ଅକ୍ଷର ବିଶିଷ୍ଟ ସଂସ୍କୃତକୁ ଠିଆ ଠିଆ ବାନ୍ତି କରୁଛନ୍ତି। ଆଜିକାଲି ପ୍ରାୟ ଅଧିକାଂଶ ଗାଁରେ ଏମନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଦର୍ଶନ ଓ ଶ୍ରବଣ ମାତ୍ରକେ ଯେ କିଏ ବି ଉପଲବ୍ଧି କରିବେ ଯେ ସମ୍ପୃକ୍ତ ଗାଁଟି ନିଶ୍ଚୟ ସଂସ୍କୃତିସମ୍ପନ୍ନ ହୋଇଥିବ।” ଖତୁଆର ଏମନ୍ତ କଥାରୁ ଆମେ ନିଶ୍ଚିତ ହେଲୁ ଯେ ଖତୁଆ ଗମାତ ମାଧ୍ୟମରେ ଗ୍ରାମେ ଗ୍ରାମେ ପ୍ରଚଳିତ ଦୋ-ଅକ୍ଷରୀ ସଂସ୍କୃତ ଭାଷାଭାଷୀଙ୍କୁ ସଂସ୍କୃତିସମ୍ପନ୍ନ ବୋଲି କହିବାର ଇଏ ଏକ ଅଭିନବ ପ୍ରୟାସ।
ସଂସ୍କୃତିସମ୍ପନ୍ନ ଗାଁ
ମୁଁ ଖତୁଆର ପାଟିକୁ ଚାପିଧରି କହିଲି, “ମୁଁ କହୁଛି କ’ଣ, ତୁ ବୁଝୁଛୁ କ’ଣ? ତୁ ଚୁପ୍ ନ ରହିଲେ ମୁଁ କିଛି କହିବିନି।” ଖତୁଆ ଶ୍ରୀକୃଷ୍ଣଙ୍କ ମାର୍କା ତେରଛା ହସି କହିଲା, “ହଉ ତୋର କ’ଣ କହିବା କଥା କହ।” ମୁଁ କହିଲି, “କାଲି ମୁଁ ଗାଁକୁ ଯାଇଥିଲି। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋତେ ଡାକିଥିଲେ କ୍ଲବ ଘରକୁ। ଗାଁର ମୁଖିଆ ମୋତେ ଦେଖି କହିଲେ, ‘ବୁଝିଲ ପୁଅ ଆମ ଗାଁ ଟି ହେଉଛି ସଂସ୍କୃତିସମ୍ପନ୍ନ ଗାଁ। ତମେମାନେ ତ ଯାଇ ବାହାରେ ରହିଲ। ଆମ ଗାଁ’ର ପୂର୍ବ ଗୌରବ କିପରି ଅକ୍ଷୁଣ୍ଣ ରହିବ ଗାଁର ପିଲାମାନଙ୍କୁ ଟିକେ ବୁଝାଇ ସେ ଦିଗରେ ମାର୍ଗଦର୍ଶନ ଦିଅ।” ଚୁପ୍ ରହିଥିବା ଖତୁଆର ବେକାବୁ ପାଟି ପୁଣି ଖୋଲିଗଲା। ଖତୁଆ କହିଲା, “ହଁ, ତୁ କହିଲୁନି, ମୁଖିଆ ମହାଶୟ, ଆମ ଗାଁର ପୂର୍ବ ଗୌରବ ଥିଲା ଆମ ଚଷାପୁଅ ଯେତିକି ଫସଲ ଅମଳ କରୁଥିଲେ ସେଥିରେ ପରିବାର ଚଳିବା ସହ ସେଇ ଧାନ ଚାଉଳ ବିକା ପଇସାରେ ତେଲଲୁଣ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସହ ବନ୍ଧୁବାନ୍ଧବ ଭାରବେଭାର ଦେଇକି ବି ବଳୁଥିଲା। ହେଲେ ଆଜି ସୁନାର ଫସଲ ହେଉଥିବା କ୍ଷେତ ପଡ଼ିଆ ପକେଇ ପିଲାଙ୍କୁ କୋଢିଆ ସଜେଇ ନିଜ ପରିବାରକୁ ଭିକାରି ସଜେଇ ସରକାରଙ୍କ ପାଖରେ ପିଲାଙ୍କୁ ହାତ ପତେଇବାକୁ ବାଧ୍ୟ କରୁଛ। ଆମ ଗାଁର ମୁଖ୍ୟ ସଂସ୍କୃତି ଥିଲା ଭାଇଚାରା, ହେଲେ ରାଜନୈତିକ ନେତାଙ୍କ ଚକ୍ରାନ୍ତରେ ପଶି ଭାଇ ଭାଇ ମଧ୍ୟରେ ବିବାଦ, ପଡ଼ିଶା ପଡ଼ିଶା ମଧ୍ୟରେ ବିବାଦ, ଗାଁ ଗାଁ ମଧ୍ୟରେ ବିବାଦ ସୃଷ୍ଟି କରୁଛ। ତା’ଛଡ଼ା ତମମାନଙ୍କ ପରି କିଛି ବାପାମାନଙ୍କ ପିଲାମାନେ କିଛି ଟଙ୍କା, ଆଉ ମଦମାଂସ ଲୋଭରେ ଶାନ୍ତିର ପରିବେଶକୁ ଅଶାନ୍ତ କରାଇ ଭାଇଚାରାର ସଂସ୍କୃତିକୁ ପୋଡ଼ି ସାରିଲା ପରେ ଏବେ କହୁଛ ସଂସ୍କୃତି ବିଷୟରେ ମାର୍ଗଦର୍ଶନ ଦେବାକୁ?” ମୁଁ କହିଲି, “ତୁ ଯଦି ମୋ କଥା ନ ଶୁଣିବୁ ମୁଁ ଆଉ କିଛି କହିବିନି।” ଏହା କହି ମୁଁ ଚୁପ୍ ରହିବାରୁ ଖତୁଆ କହିଲା, “ହେଲା ମୁଁ ଚୁପ ରହିଲି ତୁ କ’ଣ କହିବାକଥା କହ।”
ମୁଁ କହିଲି, “ମୁରବି ମୋତେ କହିଲେ, ‘ଆମ ଗାଁରେ ପ୍ରତିବର୍ଷ ଯଜ୍ଞ, ରାମଲୀଳା, ଗୀତିନାଟ୍ୟ, ବାଦୀପାଲା ବ୍ୟତୀତ ହୋଲି, ଦଶହରା ଏବଂ ରଜରେ ଗାଁର ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ପାଇଁ ଡ୍ରାମା ହୋଇଆସୁଛି। ଚଳିତବର୍ଷ ବି ରଜ ଉପଲକ୍ଷେ ଡ୍ରାମା କରିବା ପାଇଁ ମନସ୍ଥ କରିଛନ୍ତି। ତମେ ସାହାଯ୍ୟ କଲେ ଆମ ସଂସ୍କୃତି ବଞ୍ଚି ରହିବ।” ଖତୁଆର ଅମାନିଆ ପାଟି ପୁଣି ଖୋଲିଲା, କହିଲା, “ହଁ, ପିଲାମାନଙ୍କୁ ପାଠଶାଠ ନ ପଢେଇ ବର୍ଷକ ବାରମାସରେ ଅନୁଷ୍ଠିତ ଯଜ୍ଞ, ମନ୍ଦିର ନିର୍ମାଣ, ପର୍ବପର୍ବାଣି ସହ ଡ୍ରାମା ପାଇଁ ଖଣ୍ଡେ ଖଣ୍ଡେ ରସିଦ ବହି ଧରାଇ ଚାନ୍ଦା ଆଦାୟ ନିମନ୍ତେ ରାସ୍ତାରେ ଠିଆ କରାଉଛନ୍ତି। ବସ୍, ଟ୍ରକ, ଗାଡ଼ି ମଟରଠାରୁ ବେନିୟମ ଭାବେ ଚାନ୍ଦା ଆଦାୟ କରୁଥିବା ପୁଅ ଯେତେବେଳେ ଚାନ୍ଦା ଆଦାୟକୁ ବଟି ଆଦାୟରେ ପରିଣତ କରି ରୋଜଗାରର ସହଜ ଓ ସରଳ ପନ୍ଥା ଭାବି ନିଜ ପେସାରେ ପରିଣତ କରେ ସେତେବେଳେ ସେ ହୋଇଯାଏ ସମାଜ ପାଇଁ ଅସାମାଜିକ। ଗାଁର ପିଲାମାନେ ଯଦି ଅସାମାଜିକ ହୁଅନ୍ତି ତେବେ ଗାଁର ସଂସ୍କୃତି କିପରି ବଞ୍ଚିବ?” ମୁଁ କହିଲି, “ଖତୁଆ ତୋ କଥାରେ ଦମ୍ ଅଛି। ହେଲେ ଏଠି ମୋ ବ୍ୟତୀତ ତୋ କଥା ଶୁଣିବ କିଏ? ପାରୁଛୁ ଯଦି ଏକଥା ଗାଁର ମୁରବିଙ୍କୁ ଡାକି କହ। ହେଲେ ମୋ କଥାରେ ତୁ ଷଣ୍ଢ ପୂରେଇ ଚାଲିଛୁ। ମୁଁ କାଲିର ଘଟଣା ଯେତିକି କହୁଛି ତିନିଗୁଣ ପ୍ରବଚନ ତୋ ଠୁଁ ଶୁଣୁଛି।” ଖତୁଆ କହିଲା,”ଏବେ ତୁ ଯାହା କହିବୁ କହ। ମୁଁ ଆଉ ଷଣ୍ଢ ପୂରେଇବି ନାହିଁ।”
ବହି ଚୟନ
ମୁଁ ଖତୁଆକୁ କହିଲି, “ଶୁଣ, ଗତକାଲି ରଜପର୍ବ ପାଇଁ କେଉଁ ବହି ମଞ୍ଚସ୍ଥ ହେବ ସେଥିପାଇଁ ବହିବଛା ଦାୟିତ୍ୱ ସମସ୍ତେ ମୋତେ ଦେଲେ। ମୋ ଗାଁରେ ମୋତେ ଏତେ ସମ୍ମାନ ମିଳୁଥିବାରୁ ମୁଁ ଗର୍ବରେ ଫୁଲି ଯାଇଥାଏ। ପ୍ରଥମେ ମୋ ହାତରେ ପଡ଼ିଲା, ସବୁ ରାଣ୍ଡିପୁଅ ଛକରେ ଭେଟ । ଏ ବହି ନାଁ ଶୁଣି ମୁଖିଆ କହିଲେ, ‘ନାଇଁ ଏ ବହି ଚଳିବ ନାହିଁ। କାରଣ ଆଜିକାଲି ସବୁଦିନେ ଆମ ଗାଁର ପିଲାମାନେ ଦିନରାତି ନ ମାନି ଛକରେ ତାସ୍ ଖେଳିଥାନ୍ତି। ଯଦି ଏ ବହି ଚୟନ କରାଯାଏ ପଡ଼ିଶା ଗାଁର ଲୋକେ ଥଟ୍ଟା କରି ଆମ ଗାଁର ପିଲାଙ୍କୁ ରାଣ୍ଡିପୁଅ ବୋଲି ଡାକିବେ। ତା’ଛଡ଼ା ଗାଁରେ ସରକାରଙ୍କ ଦୟାରୁ ଏକ ମଦ ଦୋକାନ ହୋଇଛି। ସେ ମଦ ଦୋକାନ କରିଥିବା ନିତିଆ ଆମ ଯୁବକ ସଂଘକୁ ମୋଟା ଅଙ୍କରେ ଚାନ୍ଦା ଦେଉଛି। ସବୁ ରାଣ୍ଡିପୁଅ ଛକରେ ଭେଟ ହେବ। ଛକରେ ଥିବା ମଦ ଦୋକାନରେ ବାତେରାଙ୍କ ଭିଡ଼ ସବୁବେଳେ ଲାଗି ରହିଥାଏ। ତେବେ ଏହି ବହିର ପ୍ରଭାବରେ ଆମ ଗାଁର ମହିଳା ସମିତିର ସଦସ୍ୟମାନେ ଏକାଠି ହୋଇ ସେ ମଦ ଦୋକାନ ଉପରେ ଜୁଲମ କରିବେ। ମଦ ଦୋକାନ ଉଠିଗଲେ ଆମ ଯୁବକ ସଂଘର ରାଜସ୍ୱ ଆସିବା ବନ୍ଦ ହୋଇଯିବ। ଯୁବକ ସଂଘର ରାଜସ୍ୱ କମିଲେ ଗାଁର ସଂସ୍କୃତି ବଞ୍ଚି ରହିବ କିପରି? ତେଣୁ ଏ ବହି ହେବନି।” ମୁଖିଆଙ୍କ କଥାକୁ ସମ୍ମାନ ଜଣାଇ ସବୁ ରାଣ୍ଡିପୁଅ ଛକରେ ଭେଟ ବହିଟିକୁ ନାକଚ କରିଦେଲି। ଚୁପ ରହିଥିବା ଖତୁଆ ପୁଣି କହିଲା, “ମୁଖିଆ ବଡ଼ ଚାଲାକ ଲୋକ ହୋ। ପ୍ରଥମେ ମଦ ଦୋକାନ ଠାରୁ ଚାନ୍ଦା ଆଣିବେ, ଦ୍ୱିତୀୟରେ ମଦ ପିଇ ପିଇ ମରୁଥିବା ମଦୁଆର ସ୍ତ୍ରୀକୁ ବିଧବାଭତ୍ତା କରେଇ ଦେଇ ବାହା ବାହା ନେବେ। ଏମିତି ବହି ନାହିଁ ଯାହାର ଶୀର୍ଷକ ଥିବ, ସ୍ୱାମୀକୁ ମଦୁଆ କରିବ ଯିଏ – ବିଧବାଭତ୍ତା ପାଇବ ସିଏ । ସେ ବହି ବାଛୁନ?” ମୁଁ ଖତୁଆକୁ କହିଲି, “ତୁ ଯଦି କହିବୁ କହ, ମୁଁ ଚୁପ ରହୁଛି।’ ଖତୁଆ ଗୋଟେ ବଙ୍କା ହସ ହସିଦେଇ କହିଲା, “ହଉ ତୁ କହ।”
ତା’ପରେ ମୁଁ କହିଲି, “ମୋ ହାତକୁ ଆସିଲା ଏମିତି ଏକ ବହି ତାକୁ ଦେଖି ସମସ୍ତେ ତାଜୁବ ହୋଇଗଲେ। ବହିର ନାଁ ଥିଲା, ନାଗ ନାଗୁଣୀଙ୍କ ମାୟା ବନ୍ଧନ । ଏ ବହିର ନାଁ ଶୁଣୁ ଶୁଣୁ ଗାଁର କଣ୍ଟ୍ରାକ୍ଟର ଚଗଲା ବେହୋସ ହୋଇଗଲା। ତାକୁ ପାଣି ଛାଟି ସାଷ୍ଟାମ କରିବାରେ ସମସ୍ତେ ଲାଗିଗଲେ। ମୁଁ ବୋକାଙ୍କ ପରି ଚାହିଁ ରହିଥିଲି। ଗାଁର ମୁରବି, ପିଲାମାନଙ୍କ ଉପରେ ରାଗି କହିଲେ, ‘ତମେମାନେ ତ ଜାଣିଛ ଚଗଲା ଜାତକରେ ଏବେ କାଳେ କାଳସର୍ପ ଯୋଗ ରହିଛି, ତେଣୁ ସିଏ ନାଗ ନାଗୁଣୀ ନାଁ ଶୁଣିଲେ ବେହୋସ ହୋଇଯାଉଛି। ତମେ ଏ ବହି କାହିଁକି ଆଣୁଥିଲ?’ ଯାହେଉ କିଛି ସମୟ ପରେ ଚେତା ଫେରିବାରୁ କଣ୍ଟ୍ରାକ୍ଟର ଚଗଲାକୁ ଯୁବକ ସଂଘର ପିଲାମାନେ ତାଙ୍କ ଘରେ ଛାଡ଼ି ଦେଇ ଆସିଲେ। ତା’ର ସିନା ଚେତା ଫେରିଆସିଲା ହେଲେ ମୁଁ ସେ ବହିକୁ ଧରିଲି ନାହିଁ। ଯଦି ବହିର ନାଁର ବିଷରେ ଲୋକ ଅଚେତ ହୋଇଯାଉଛନ୍ତି, ବହି ହେଲେ ତ ବିଷ ଜ୍ୱାଳାରେ ଗାଁଟା ବିଷାକ୍ତ ହୋଇଯିବ।” ଖତୁଆ ହସି ହସି କହିଲା, “ଜଣେ କଳାକାର ହୋଇ ତୁ ବି ଜାଣିପାରିଲୁନି। ଖାଲି କଣ୍ଟ୍ରାକ୍ଟର ଚଗଲା ନୁହେଁ, ତା’ ଭଳି କିଛି ନେତା, ମନ୍ତ୍ରୀ, ହୋଟେଲ ମାଲିକ, ସିନେମା ପ୍ରଯୋଜକ ଏମିତିକି କିଛି ଥିଲାବାଲା ଘରର ପୁଅ ଯେଉଁମାନେ ଚଗଲାମି କରି ନାଗ ପେଡ଼ିରେ ପଶିଛନ୍ତି ସମସ୍ତଙ୍କର ଏବେ କାଳସର୍ପ ଯୋଗ ଆସିଛି। ସେମାନେ ଯେତେ ପୂଜା ଅର୍ଚ୍ଚନା କଲେ ବି ମୁକୁଳିବାର ବାଟ ଦିଶୁନାହିଁ। ହେଲେ କିଛି ତାନ୍ତ୍ରିକ ନାଗୁଣୀକୁ ପାଗଳ ସାବ୍ୟସ୍ତ କରିବାରେ ଲାଗିଛନ୍ତି। ଯଦି ସେମାନେ ସଫଳ ହେଲେ, ତା’ହେଲେ ସମସ୍ତଙ୍କ ରାଶିରୁ କାଳସର୍ପ ଯୋଗ ହଟିଯିବ। ନ ହେଲେ ଆଗକୁ ଏମାନଙ୍କୁ ନାଗୁଣୀ କିଭଳି କିଲିବିଲି କରିବ କେବଳ ସେମାନେ ହିଁ ଅନୁଭବ କରୁଥିବେ।”
ଇସ୍ତଫା ଦିଅ
ମୁଁ ଖତୁଆକୁ କହିଲି, “ତୁ ଧୀରେ ସୁସ୍ଥେ ଶୁଣ, ପରେ ପରେ କ’ଣ ଘଟିଲା?” ଖତୁଆ କହିଲା, “ତୁ ତ ବକ୍ତା ହୋଇଛୁ, କହ କ’ଣ ଘଟିଲା।” ମୁଁ କହିଲି, “ପରେ ମୋ ହାତକୁ ଆଉ ଏକ ନାଟକ ବହି ଆସିଲା ଯାର ନାଁ ଥିଲା, ଭଗବାନ ତମେ ଇସ୍ତଫା ଦିଅ । ଏଇ ନାଁ’ଟି ସମସ୍ତଙ୍କ ମନକୁ ପାଇଗଲା। ବିରୋଧୀ ଦଳିଆ ନଣ୍ଡା ଚିଲେଇ କହିଲା, ‘ନାଁରେ ଟିକିଏ ପରିବର୍ତ୍ତନ କର’। ମୁଖିଆ କହିଲେ, ‘ତୁ କହ ନାଁ ଟି କ’ଣ ରଖିଲେ ଭଲ ହେବ?’ ନଣ୍ଡା କହିଲା, ‘ଭଗବାନ ଜାଗାରେ ସୈତାନ ଲେଖିଦିଅ। ଅର୍ଥାତ, ସୈତାନ ତମେ ଇସ୍ତଫା ଦିଅ। ଯଦି ଭଗବାନଙ୍କୁ ଇସ୍ତଫା ଦେବାକଥା କହିବା ଲୋକେ କହିବେ ଏ ବହିକୁ ବୋଧେ ଡ. ଧର୍ମଛଡା ପସନ୍ଦ କରିଛି। ଦେଖିବାକୁ ଗଲେ କେହି ଭଗବାନଙ୍କୁ ଇସ୍ତଫା ଦେବାପାଇଁ ଦାବି କରନ୍ତି ନାହିଁ। ସମସ୍ତେ ସୈତାନମାନଙ୍କ ଇସ୍ତଫା ଦାବି କରନ୍ତି।’ ଉପସ୍ଥିତ ଥିବା ନଟିଆ ନଣ୍ଡାକୁ ସମର୍ଥନ ଜଣାଇ କହିଲା, ‘ହଁ ଭଗବାନ ଜାଗାରେ ସୈତାନ ଲେଖାଯାଉ।” ଅମାନିଆ ତୁଣ୍ଡିଆ ଖତୁଆ କହିଲା, “ହେଇଟି ଭାଇ ସୈତାନ ତମେ ଇସ୍ତଫା ଦିଅ କହି କହି ଏ ବିରୋଧୀ ଦଳିଆଙ୍କ ତଣ୍ଟି ଶୁଖିଗଲା ପଛକେ ଇସ୍ତଫା ଦେବା ତ ଦୂରର କଥା, ଖୋଦ ମୁଖିଆ ତାଙ୍କୁ ମଞ୍ଚରେ ନିଜପାଖରେ ବସେଇ ସୁନା ପୁଅର ସାର୍ଟିଫିକେଟ ଦେଇଛନ୍ତି। ଆଉ ପୋଷା ଶୁଆଙ୍କୁ ତଦନ୍ତ ଦାୟିତ୍ୱ ଦେଇ ଗୋଟାପଣ ତୁଳସୀ ସଜେଇ ଦେଲେ। ଭଗବାନମାନେ ଇସ୍ତଫା ଦିଅନ୍ତୁ ସୈତାନମାନେ ରୁହନ୍ତୁ।” ମୁଁ କହିଲି, “ଖତୁଆ, ତୁ ସବୁ ଶୁଣ ତା’ପରେ ମତାମତ ଦେବୁ।” ଖତୁଆ ଚୁପ ହୋଇ କହିଲା, “ହଉ ତୁ କହ ତା’ପରେ କ’ଣ ହେଲା।”
ମୁଁ କହିଲି, “ଉପସ୍ଥିତ ଥିବା ଶାସକ ଦଳର କର୍ମୀ କୁନା ଉଭୟ ନଣ୍ଡା ଏବଂ ନଟିଆକୁ କାଉଣ୍ଟର କରି କହିଲା, ‘ହେଇଟି ଶୁଣ ତମେ ଯେତେ ଚିଲ୍ଲେଇଲେ କିଛି ଲାଭ ପାଇଛ, ନା ପାଇବ? କେତେବେଳେ ଭୁବନେଶ୍ୱରରୁ ନୟାଗଡ଼, ତ କେତେବେଳେ କଳାହାଣ୍ଡି, ପୁଣି କେତେବେଳେ ମାହାଙ୍ଗା ଯାତ୍ରା କଲ। ତମ ଯାତ୍ରାକୁ ଲୋକେ ଉପଭୋଗ କଲେ, ହେଲେ ଫଳ ଶୂନ। ସିଏ ଭଗବାନ ହୁଅନ୍ତୁ କି ସୈତାନ ଗୋଟିଏ ଫୋନରେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି। ଅର୍ଥାତ ‘ନୋ ଝିନଝଟ ନୋ ପରିସାନୀ ରସନା ନିମ୍ବୁ ପାନି’। ଆମ ମୁଖ୍ୟଙ୍କୁ ଏମିତି ମନ୍ତ୍ର ଜଣା ଯେ ସାପ ମରିବନି କି ବାଡ଼ି ଭାଙ୍ଗିବ ନାହିଁ। ସମସ୍ତଙ୍କୁ କହିବେ ଇସ୍ତଫା ଦିଅ, ସମସ୍ତେ ଇସ୍ତଫା ଦେବେ ଚାଉଳରୁ ଗୋଡ଼ି ବାଛିଲା ପରି ସୈତାନ ଆଉ ଭଗବାନ ଅଲଗା ଅଲଗା କରିଦେବେ। ନା ରହିବ ବାଉଁଶ ନା ବାଜିବ ବଇଁଶୀ। ଚାଉଳ ଚାଉଳ ଜାଗାରେ, ଗୋଡ଼ି ତା ଜାଗାରେ। ଏ ଡ୍ରାମା ଓଡ଼ିଶାର ଲୋକମାନେ ଦେଖି ସାରିଛନ୍ତି, କାହାରିକୁ କିଛି ବୁଝେଇବାକୁ ପଡ଼ିବ ନାହିଁ।” ଖତୁଆ ପୁଣି ମୋ କଥାରେ ଷଣ୍ଢ ପୂରେଇଲା, କହିଲା, “ଯାହା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାଯାଉଛି ଯେଉଁଠି ବିରୋଧର ସ୍ୱର ଶକ୍ତିହୀନ ହୋଇପଡେ ସେତେବେଳେ ମୋଗଲ ଏବଂ ବେପାରୀ ଇଂରେଜମାନେ ପ୍ରବେଶ କରନ୍ତି। ଆମରି ମାଟିରେ ଆମେ ଅସହାୟ ହୋଇ ପଡୁ। ଆମରି ରାଜସ୍ୱରେ ଯୋଜନା କରି ଆମକୁ ଲଲିପପ୍ ଦେଇ ସେମାନେ ଖାଇଚାଲନ୍ତି ସବୁକିଛି। ଯେଉଁଠି ପେଟରେ ଥିବା ପିଲାର ମୁଣ୍ଡରେ ଋଣ ବୋଝ ଲଦି ଯୋଜନା କରାଯାଉଛି ସେଠି ସୈତାନ ହିଁ ସୈତାନ। ତେଣୁ ମୁଁ କହୁଛି, ‘ଯଦି ତମେ ସୈତାନଙ୍କୁ ନାଶ କରି ନ ପାରିବ, ହେ ଭଗବାନ ତମେ ଇସ୍ତଫା ଦିଅ ।”
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଆମ ରାଇଜର ଲୋକମାନେ କଣ ଏ ନାଟକ ବୁଝି ପାରୁନାହାଁନ୍ତି ।
ବହୁତ ସୁନ୍ଦର ଉପସ୍ଥାପନା। ଚମତ୍କାର ବର୍ଣ୍ଣନା
ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ଅବସ୍ଥାକୁ ନେଇ ଖତୁଆ ନାମକ ବ୍ୟାଙ୍ଗତ୍ମକ ଚରିତ୍ର ମାଧ୍ୟମରେ ଲେଖଙ୍କ ଉପସ୍ଥାପନା ଚପତ୍କାର। ଜଣେ ବ୍ୟଙ୍ଗ ଲେଖକ ଏହିଭଳି ଲେଖା ମାଧ୍ୟମରେ ଦୁଇଟି କାମ କରିପାରେ। ଗୋଟିଏ ହେଉଛି ସମାଜକୁ ଭଲ ରାସ୍ତା ଦେଖାଇବା ଆଉ ଅନ୍ୟଟି ହେଉଛି ପାଠକକୁ ମନୋରଞ୍ଜନ ସହିତ କିଛି ଶିକ୍ଷା ଦେବାର ପ୍ରେରଣା।