ଓଡ଼ିଆ ସାହିତ୍ୟରେ ପାଠକ ସମସ୍ୟା

ନୂଆ ହେଉ କି ପୁରୁଣା ହେଉ ପ୍ରତ୍ୟେକ ସାହିତ୍ୟରେ ଅମୃତ ଭରି ରହିଛି। ସେହି ଅମୃତ ହିଁ ପାଠକ ହୃଦୟରେ ଶାଶ୍ୱତ ଆନନ୍ଦ ସୃଷ୍ଟି କରିଥାଏ।

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଓଡ଼ିଆ ଭାଷା ପୂର୍ବାଞ୍ଚଳ ଭାଷା ଗୋଷ୍ଠୀଭୁକ୍ତ ଏକ ପ୍ରାଚୀନ ଆର୍ଯ୍ୟ ଭାଷା। ଭୌମକର ରାଜତ୍ୱର ଏହି ଭାଷା ପ୍ରକାର ଐଶ୍ୱର୍ଯ୍ୟମୟ ଆଭାସରେ ଉଦ୍‌ଭାସିତ ହୋଇ ଚର୍ଯ୍ୟାପଦ ସଦୃଶ ଉନ୍ନତ ଗୀତିକବିତା ସୃଷ୍ଟିର ସାମର୍ଥ୍ୟ ଲାଭ କରିଥିଲା। ଗଙ୍ଗବଂଶ ରାଜତ୍ୱରେ ସୃଷ୍ଟ ସୃଜନଶୀଳ ଓଡ଼ିଆ ସାହିତ୍ୟ ପ୍ରାକ୍‌-ସାରଳାଯୁଗୀୟ ଓଡ଼ିଆ ସାହିତ୍ୟ ରୂପେ ପରିଚିହ୍ନିତ। ସୂର୍ଯ୍ୟବଂଶୀ ଗଜପତି ଜ୍ଞାନମୟ ପୁଷ୍ପମାଲ୍ୟରେ ସୁଶୋଭନ କରିଥିଲେ। ପରବର୍ତ୍ତୀ ପଞ୍ଚସଖା ଯୁଗରେ ସାହିତ୍ୟାନୁରାଗୀଗଣ ଏକାଧାରରେ ଭକ୍ତି, ଜ୍ଞାନ, ଯୋଗ ଓ ସିଦ୍ଧ ସାହିତ୍ୟ ରଚନାପୂର୍ବକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଥିଲେ। ଏହି ସମୟରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନାପୂର୍ବକ ବିନା ବିଦ୍ୟାଳୟରେ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଶିକ୍ଷା, ସଂସ୍କୃତି ଓ ଆଧ୍ୟାତ୍ମିକତାରେ ଉଦ୍‌ବୁଦ୍ଧ କରାଇ ଏ ଜାତିର ଏକାନ୍ତ ଆତ୍ମୀୟ ହୋଇପାରିଥିଲେ, କାବ୍ୟ ଯୁଗରେ ଦୀନକୃଷ୍ଣ ଓ ଉପେନ୍ଦ୍ର ଭଞ୍ଜ ପ୍ରମୁଖ ରସ ଓ ଅଳଙ୍କାରଯୁକ୍ତ ସାହିତ୍ୟ ସୃଷ୍ଟି କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅପରୂପ ଲାବଣ୍ୟ ମଣ୍ଡିତ କରିପାରିଥିଲେ। ସେହି ସମୟରେ ମୁଦ୍ରଣଯନ୍ତ୍ର ନ ଥିଲେ ହେଁ ହଜାର ହଜାର ସଂଖ୍ୟାର ପୋଥି ପ୍ରତିଲିପି ପ୍ରସ୍ତୁତ ହୋଇ ଲକ୍ଷ ଲକ୍ଷ ପାଠକଙ୍କ ନିକଟରେ ଓଡ଼ିଆ ସାହିତ୍ୟ ପହଞ୍ôଚ ପାରୁଥିଲା। ବର୍ତ୍ତମାନ ଲେଖକ ଓ ପୁସ୍ତକ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଥିଲେ ହେଁ ପାଠକଙ୍କ ସଂଖ୍ୟା କମିବାରେ ଲାଗିଛି। ପାଠକଙ୍କ ସଂଖ୍ୟା ଦ୍ରୁତଗତିରେ କମିବାର କାରଣ ହିଁ ସାହିତ୍ୟ କ୍ଷେତ୍ରରେ ଉଦ୍‌ବେଗ ସୃଷ୍ଟି କରିଛି।


ସଚେତନତାର ଅଭାବ
ଓଡ଼ିଆ ସାହିତ୍ୟରେ ପାଠକ ସଂଖ୍ୟା ଦ୍ରୁତଗତିରେ କମିଥିଲେ ହେଁ କେହି ଏଥିପ୍ରତି ସଚେତନ ନୁହନ୍ତି। ସାହିତ୍ୟ ସହିତ ତିନି ଜଣ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଜଣେ ହେଉଛନ୍ତି ସାହିତ୍ୟର ସ୍ରଷ୍ଟା ବା ଲେଖକ, ଦ୍ୱିତୀୟ ଜଣ ହେଉଛନ୍ତି ସାହିତ୍ୟର ପୋଷଣକର୍ତ୍ତା ଅର୍ଥାତ୍ ପ୍ରକାଶକ ବା ସଂପାଦକ ଏବଂ ତୃତୀୟ ଜଣକ ହେଉଛନ୍ତି ସାହିତ୍ୟର ଉପଭୋକ୍ତା ବା ପାଠକ। ପ୍ରଥମେ ଲେଖକ ବା ସ୍ରଷ୍ଟାଙ୍କ କଥା ବିଚାରକୁ ନିଆଯାଉ। ସେ ହେଉଛନ୍ତି ସାହିତ୍ୟର ସ୍ରଷ୍ଟା। ମନନଶୀଳ ଜୀବନଧର୍ମୀ ଚେତନଶୀଳ ସାହିତ୍ୟ ସୃଷ୍ଟି କରିବା ତାଙ୍କର କର୍ତ୍ତବ୍ୟ। ବିବେକକୁ ଜାଗ୍ରତରଖି କର୍ମନିଷ୍ଠ ହେବାର ପ୍ରେରଣା ତାଙ୍କ ସୃଷ୍ଟିର ଚରିତ୍ର ହେବା ବାଞ୍ଛନୀୟ। ଜାତି ଓ ସଂସ୍କୃତିର ପୁନଃ ନିର୍ମାଣ ତାଙ୍କର ଲକ୍ଷ୍ୟ ହେବା ବିଧେୟ, ଏଥିରେ ବ୍ୟତିକ୍ରମ ଘଟିଲେ ପାଠକମାନେ ତାଙ୍କ ଲେଖାକୁ ଗ୍ରହଣ କରିବେ ନାହିଁ। ସମ୍ପ୍ରତି ଲେଖକମାନେ ଏହି ସବୁ ବିଷୟପ୍ରତି ଧ୍ୟାନ ନ ଦେଇ ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିବାରୁ ସେମାନଙ୍କ ଦ୍ୱାରା ସୃଷ୍ଟ ସାହିତ୍ୟ ପାଠକୀୟ ଆଦୃତିରୁ ବଞ୍ଚିତ।
ସାହିତ୍ୟରେ ଆଧୁନିକତା ନାମରେ ଯେଉଁ ବିଲକ୍ଷଣତା ପ୍ରକାଶ ପାଉଛି ତାହାକୁ ପାଠକ ଗ୍ରହଣ କରିପାରୁନାହାନ୍ତି। ଲେଖକଙ୍କର ମନେରଖିବା ଉଚିତ ଯେ ଆଧୁନିକତା ଏକ ଅନୁକରଣ ସର୍ବସ୍ୱ କଳା ନୁହେଁ। ଏହା ପରିସ୍ଥିତି ଓ ପରିବେଶର ସରହଦରେ ପ୍ରକଟିତ ହେଲେ ପାଠକଙ୍କ ହୃଦୟକୁ ସ୍ପର୍ଶ କରିବ। ଅନ୍ୟଥା ଏହା ପରମ୍ପରାର ପରିଧି ବାହାରକୁ ଚାଲିଯାଇ ଦୁର୍ଘଟଣା ଘଟାଇବାର ସମ୍ଭାବନା ଅଧିକ। ଅନେକ ଲେଖକ ଆତ୍ମପ୍ରଚାର ଓ ପୁରସ୍କାର ଆଶାରେ ଲେଖନୀ ଚାଳନା କରୁଛନ୍ତି ଏବଂ ସେମାନଙ୍କ ଲେଖାରେ ପାଠକୀୟ ରୁଚି ନାହିଁ। ଫଳରେ ସେମାନଙ୍କ ସାହିତ୍ୟ ପାଠକାଦୃତି ଲାଭ କରିପାରୁନାହିଁ। ସେହି ଲେଖକମାନେ କେବଳ ସାହିତ୍ୟ ରଚନା ଓ ପ୍ରକାଶ କରି ଆତ୍ମତୃପ୍ତି ଲାଭ କରୁଛନ୍ତି, ପାଠକଙ୍କୁ ତୃପ୍ତି ଦେଇପାରୁନାହାନ୍ତି। ସେହି ଲେଖକମାନେ ସ୍ମରଣ ରଖିବା ଉଚିତ ଯେ ପାଠକୀୟ ଶ୍ରଦ୍ଧା ହିଁ ସର୍ବଶ୍ରେଷ୍ଠ ପୁରସ୍କାର। ପାଠକୀୟ ସ୍ୱୀକୃତି ସାହିତ୍ୟିକ ମୂଲ୍ୟ ଦୃଷ୍ଟିରୁ ପୁରସ୍କାର ଅପେକ୍ଷା ଅଧିକ ସମ୍ମାନଜନକ।


ପ୍ରକାଶକ ଓ ସମ୍ପାଦକ
ଦ୍ୱିତୀୟରେ ପ୍ରକାଶକ ବା ସଂପାଦକ, ଯିଏକି ସାହିତ୍ୟର ପୃଷ୍ଠପୋଷକ ତଥା ଲେଖକ ଓ ପାଠକ ମଧ୍ୟରେ ମୁଖ୍ୟ ସଂଯୋଗକାରୀ। ଲେଖକର ମନୋରମ ସୃଷ୍ଟି ପ୍ରକାଶକ ବା ସଂପାଦକଙ୍କ ଆନୁକୂଲ୍ୟରେ ହିଁ ପାଠକ ସମାଜରେ ଭିନ୍ନ ଭିନ୍ନ ରୁଚିର ସମ୍ଭାରକୁ ନେଇ ଆତ୍ମପ୍ରକାଶ କରିଥାଏ ତଥା ପାଠକୀୟ ସ୍ୱୀକୃତି ଲାଭ କରିଥାଏ। ପାଠକର ଅନ୍ତର୍ଦୃଷ୍ଟିକୁ ସଂପ୍ରସାରିତ କରିବା ଦାୟିତ୍ୱ ହେଉଛି ପ୍ରକାଶକ ବା ସଂପାଦକଙ୍କର। କୌଣସି ଦୁର୍ବୋଧ୍ୟ ସାହିତ୍ୟକୁ ସୁବୋଧ୍ୟ କରାଇବାର ଗୁରୁ ଦାୟିତ୍ୱ ହେଉଛି ପ୍ରକାଶକ ବା ସଂପାଦକଙ୍କର। ଲେଖକ ସୃଷ୍ଟି କରିଥିବା ସାହିତ୍ୟକୁ ପ୍ରକାଶକ ବା ସଂପାଦକ ଆକର୍ଷଣୀୟ ଶୈଳୀରେ ପାଠକଙ୍କ ନିକଟରେ ପରିବେଷଣ କରିଥାନ୍ତି। ପ୍ରକାଶକ ବା ସଂପାଦକଙ୍କର ଚେତନା ରହିବା ଉଚିତ ଯେ ସାହିତ୍ୟ ପ୍ରକାଶନରେ ପ୍ରିୟାପ୍ରୀତିତୋଷଣ ଆଦୌ ସ୍ପୃହଣୀୟ ନୁହେଁ। ଅଗଣିତ ପାଠକଙ୍କ ରୁଚିକୁ ଆଖି ଆଗରେ ରଖି ନିର୍ବାଚନ କରିବା ଜଣେ ପ୍ରକାଶକ ବା ସଂପାଦକଙ୍କ ନିମିତ୍ତ ମହତ୍ତ୍ୱପୂର୍ଣ୍ଣ କଳାକୌଶଳ। ଲେଖକର କ୍ଷମତା, ପଦବୀ ବା ନାମକୁ ଗୁରୁତ୍ୱ ଦେଲେ ପ୍ରକାଶକ ବା ସଂପାଦକ ପାଠକବର୍ଗଙ୍କ ନିଷ୍କ୍ରିୟତା ହିଁ ଅନୁଭବ କରନ୍ତି। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହେଲେ ପ୍ରକାଶକଙ୍କୁ ଅନେକ ପ୍ରଶ୍ନ ନିମିତ୍ତ ଉତ୍ତରଦାୟୀ କରାଯାଏ। ପାଠକଙ୍କୁ ଆତ୍ମସନ୍ତୋଷ ନ ମିଳିଲେ ସେମାନେ ପ୍ରଥମ ଅଭିଯୋଗ ପ୍ରକାଶକ ବା ସଂପାଦକଙ୍କ ବିରୁଦ୍ଧରେ ହିଁ କରିଥାନ୍ତି। ସଂପ୍ରତି ପ୍ରକାଶକ ବା ସଂପାଦକମାନେ ଉପରୋକ୍ତ ବିଷୟଗୁଡିକ ପ୍ରତି ନିଘା ନ ରଖିବା ଫଳରେ ସାହିତ୍ୟ ପାଠକଙ୍କ ଆଦରର ବସ୍ତ୍ର ହୋଇ ରହୁନାହିଁ। କେତେକ ପ୍ରକାଶକ ସାହିତ୍ୟ ପ୍ରକାଶନକୁ ସମାଜର ବୌଦ୍ଧିକ ସେବା ବୋଲି ନ ଭାବି ବ୍ୟବସାୟଗତ ଧନ୍ଦା ବୋଲି ଭାବିଲେଣି। ଅନେକ ନିମ୍ନଧରଣର ଲେଖକ ଖର୍ଚ୍ଚ ବହନ କରି ସେମାନଙ୍କ ସୃଷ୍ଟ ନିକୃଷ୍ଟ ସାହିତ୍ୟ ପ୍ରକାଶନ କରିବାକୁ ପ୍ରକାଶକଙ୍କୁ ଅନୁରୋଧ କରୁଛନ୍ତି। ଏହା ସତ୍ୟ ଯେ, ସେହି ସବୁ ସାହିତ୍ୟର ଆଦୌ ପାଠକାଦୃତି ନାହିଁ।
ତୃତୀୟରେ ପାଠକପାଠିକା, ଯେଉଁମାନେ ସାହିତ୍ୟର ଉପଭୋକ୍ତା। ଜଣେ ସଶ୍ରଦ୍ଧ ପାଠକ ହିଁ ସାହିତ୍ୟ ସମୃଦ୍ଧିର ଉତ୍ତର ସହାୟକ। ଦୁଃଖର ବିଷୟ, ବର୍ତ୍ତମାନ ପାଠକଙ୍କ ଅନ୍ତରରେ ସାହିତ୍ୟ ପ୍ରୀତି ଆଉ ନାହିଁ। ପ୍ରତ୍ୟେକ ପାଠକ ମନେ ରଖିବା ଉଚିତ ଯେ, ସାହିତ୍ୟ ଅଧ୍ୟୟନରେ ଯେଉଁ ଆନନ୍ଦ ମିଳେ ତାହା ଅନ୍ୟ କୌଣସିଠାରୁ ମିଳେ ନାହିଁ। ନୂଆ ହେଉ କି ପୁରୁଣା ହେଉ ପ୍ରତ୍ୟେକ ସାହିତ୍ୟରେ ଅମୃତ ଭରି ରହିଛି। ସେହି ଅମୃତ ହିଁ ପାଠକ ହୃଦୟରେ ଶାଶ୍ୱତ ଆନନ୍ଦ ସୃଷ୍ଟି କରିଥାଏ। ସଂପ୍ରତି ପାଠକଙ୍କର ସାହିତ୍ୟ ପ୍ରତି ଅନୁରାଗ ନାହିଁ। ଆନନ୍ଦ କେଉଁଠୁ ପାଇବେ? କେତେକ ପାଠକ ସାହିତ୍ୟ ପଢ଼ନ୍ତି, ଅଥଚ ଅରୁଚିକର ଓ ଅଶ୍ଳୀଳ ସାହିତ୍ୟ ଉପରେ କୌଣସି ମନ୍ତବ୍ୟ ଓ ଅଭିଯୋଗ ନ କରି ନୀରବ ରହିଯାଆନ୍ତି। ଏହା ଏକ ମାରାତ୍ମକ ଭୁଲ। ସାହିତ୍ୟ ସାମାଜିକ ଚେତନାର ଉତ୍ତରଣ ଘଟାଇଥାଏ। ଲେଖକ ସମାଜ ଉପରେ ଏକ ବିପରୀତ ଚିନ୍ତାଧାରା ଜବରଦସ୍ତ ଲଦି ଦେଉଥିବା ସମୟରେ ପାଠକ ନୀରବ ରହିବା ଶୋଭନୀୟ ନୁହେଁ। ଓଡ଼ିଆ ସାହିତ୍ୟରେ ପାଠକାଦୃତି ଦିନକୁ ଦିନ କମିଯାଉଥିଲେ ହେଁ ପାଠକ ସଚେତନତା ସୃଷ୍ଟି ହୋଇପାରୁନାହିଁ। ପାଠକମାନେ ଦୃଢ଼ ମତ ସୃଷ୍ଟିପୂର୍ବକ ଲେଖକର ଦୃଷ୍ଟିଭାବନାରେ ପରିବର୍ତ୍ତନ ଆଣି ପାରିଲେ ତାହା ସାହିତ୍ୟ କ୍ଷେତ୍ରରେ ମଙ୍ଗଳପ୍ରଦ ହେବ।
ଗଣତାନ୍ତ୍ରିକ ଦୃଷ୍ଟିକୋଣରୁ ଲେଖକ, ପ୍ରକାଶକ ବା ସଂପାଦକ ଓ ପାଠକ ଓଡ଼ିଆ ସାହିତ୍ୟର ପାଠକାଦୃତି କମିବା ନିମିତ୍ତ ମିଳିତ ଭାବରେ ଦାୟୀ। ଆମେ ଅନ୍ନ, ବସ୍ତ୍ର, ବାସଗୃହ, ଲୋକସଂପର୍କ ପ୍ରଭୃତି ମୌଳିକ ଆବଶ୍ୟକତା ସହିତ ପୁସ୍ତକକୁ ବିଚାରକୁ ନେଇ ନାହେଁ। ସଂପ୍ରତି ସାହିତ୍ୟ ପ୍ରତି ଆମ ସମାଜରେ ଅନାଦର ବୃଦ୍ଧି ପାଇବାରେ ଲାଗିଛି। ଆମ ଭିତରୁ ଅନେକ ସାହିତ୍ୟ ସାଧନା ଓ ସାହିତ୍ୟାନୁରାଗ ଉଭୟ କାର୍ଯ୍ୟକୁ ଅଳସୁଆଙ୍କ କାର୍ଯ୍ୟ ରୂପେ ବିବେଚନା କରୁଛନ୍ତି। ଏହା ସୁସ୍ଥମତ ନୁହେଁ। ଆମ ଭିତରେ ଓଡ଼ିଆ ଚେତନାର ଅଭାବ ଆମକୁ ଆମ ଭାଷା ଓ ସାହିତ୍ୟରୁ ଦୂରକୁ ନେଇଯାଉଛି। ଆମେ ସାହିତ୍ୟ ସୃଷ୍ଟି ନିମିତ୍ତ ବ୍ୟାକୁଳ ହେଲେ ହେଁ ପାଠକ ସଚେତନତା ସୃଷ୍ଟି ନିମିତ୍ତ ତତ୍ପର ନୋହୁଁ। ଆମ ଭିତରୁ ଅନେକ ନିଜର ଆତ୍ମପ୍ରଚାର ବା ପୁରସ୍କାର ପ୍ରାପ୍ତି କାମନାରେ ସାହିତ୍ୟ ସୃଷ୍ଟି କରନ୍ତି ତଥା ନିଜେ ପ୍ରକାଶନ ଖର୍ଚ୍ଚ ବହନ କରି ବହି ବାଣ୍ଟନ୍ତି। ଅଥଚ ସେହି ସାହିତ୍ୟରେ ସମାଜ ପାଇଁ ବାର୍ତ୍ତା ଅଛି କି ନାହିଁ ସେ ବିଷୟରେ ଚିନ୍ତା କରନ୍ତି ନାହିଁ। ଆମ ସାହିତ୍ୟର ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ବହି ପ୍ରତିବର୍ଷ ପ୍ରକାଶ ପାଏ। ସେହି ବହି ଭିତରୁ କେତେ ବହି ପାଠକାଦୃତି ଲାଭ କରେ ତା’ର ହିସାବ କେହି କେବେ କରି ନାହାନ୍ତି। ପ୍ରତିବର୍ଷ ପୂଜାସଂଖ୍ୟା ପତ୍ରିକା ଛତୁ ଫୁଟିଲା ଭଳି ପ୍ରକାଶିତ ହୁଏ, କିନ୍ତୁ ବିକ୍ରି ହୁଏ ନାହିଁ। ତଥାପି ଅନେକେ ପୂଜାସଂଖ୍ୟା ପ୍ରକାଶ କରିବାକୁ ତତ୍ପର ହୋଇଥାନ୍ତି। ଆମ ସାହିତ୍ୟ କାର୍ଯ୍ୟକ୍ରମ ଅର୍ଥାତ୍ କବିତା ପାଠୋତ୍ସବ, ପ୍ରବନ୍ଧ ପାଠୋତ୍ସବ, ଗଳ୍ପ ପାଠୋତ୍ସବ, ସାହିତ୍ୟ ଆଲୋଚନା ପ୍ରଭୃତିରେ କବି, ଲେଖକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଯୋଗ ଦିଅନ୍ତି ନାହିଁ। ଏଥିରୁ ପ୍ରତୀୟମାନ ହୁଏ ଯେ ସାହିତ୍ୟ ସହିତ ସମାଜର ସମ୍ପର୍କ ନାହିଁ। ଆମକୁ ମନେ ରଖିବାକୁ ହେବ ଯେ, ଭାଷା ଓ ସାହିତ୍ୟ ଏକ ସାମାଜିକ ବସ୍ତ୍ର। ସାମାଜିକ ସ୍ୱୀକୃତି ହଁ ଏହାକୁ ଶକ୍ତିପ୍ରଦାନ କରିଥାଏ। ଅନ୍ୟ ଗୋଟିଏ ଗୁରୁତର କଥା ହେଉଛି, ସାହିତ୍ୟ କ୍ଷେତ୍ରରେ ଅସାହିତ୍ୟିକଙ୍କର ଅନୁପ୍ରବେଶ। ଏପରିକି ସ୍ଥଳ ବିଶେଷରେ ଅସାହିତ୍ୟିକମାନେ ସାହିତ୍ୟର କର୍ଣ୍ଣଧାର ବୋଲାଉଛନ୍ତି। ତେଣୁ ସାହିତ୍ୟ ସମାଜରୁ ଦୂରେଇଯାଇ ପାଠକାଦୃତି ଲାଭ କରିପାରୁନାହିଁ। ଆମ ସମାଜର ରୁଚି ବଦଳି ଗଲାଣି। ଏକବିଂଶ ଶତାବ୍ଦୀର ଓଡ଼ିଆ ସମାଜରେ ଜ୍ଞାନଭିତ୍ତିକ ସାହିତ୍ୟର ଆଦୃତି ରହିଛି, ଅଥଚ ଆମେ କଳ୍ପନାଭିତ୍ତିକ ସାହିତ୍ୟ ସୃଷ୍ଟି ନିମିତ୍ତ ବ୍ୟସ୍ତ ଓ ବିବ୍ରତ।


ପଠନାଭ୍ୟାସର ଅଭାବ
ଆମ ଭିତରୁ ଅନେକ ପୁସ୍ତକପ୍ରେମୀଙ୍କ ମଧ୍ୟରେ ପଠନାଭ୍ୟାସ ନ ଥାଏ। ଭଲ ଲେଖକଙ୍କ ମୂଲ୍ୟବାନ ତଥା ସୁଦୃଶ୍ୟ ପୁସ୍ତକରେ ଘର ସଜାଇ ଦେଲେ କାହାର ଜ୍ଞାନର ଅଭିବୃଦ୍ଧି ଘଟେ ନାହିଁ। ପୁସ୍ତକସ୍ଥିତ ଜ୍ଞାନ ଓ ଅଭିଜ୍ଞତାକୁ ନିଜର କରିବାକୁ ହେଲେ ପୁସ୍ତକ ସହ ସାହିତ୍ୟର ଏକାତ୍ମତା ସ୍ଥାପନ କରିବାକୁ ହେବ। ଅନ୍ନ ଓ ବସ୍ତ୍ର ସଦୃଶ ପୁସ୍ତକ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ନୁହେଁ। ଅନ୍ୟାନ୍ୟ କୌଣସି ଆମୋଦପ୍ରମୋଦ ସଦୃଶ ଏହା ପାଠକଙ୍କୁ ତତ୍‌କ୍ଷଣାତ୍ ଆନନ୍ଦ ଦେଇପାରେ ନାହିଁ। ଜଣେ ପାଠକ ପୁସ୍ତକପ୍ରେମୀ ହୋଇପାରିଲେ ଆନନ୍ଦ ଧୀରେ ଧୀରେ ତା’ର ଚେତନା ରାଜ୍ୟରେ ସଂପ୍ରସାରିତ ହୋଇଥାଏ। ପୁସ୍ତକ ପଠନରୁ କେବଳ ଯେ ଆନନ୍ଦ ଲାଭ କରାଯାଏ, ତାହା ନୁହେଁ, ସେଥିରୁ ଜ୍ଞାନ ମଧ୍ୟ ଲାଭ ହୋଇଥାଏ। ତେଣୁ ଜୀବନ ସହିତ ପୁସ୍ତକାନୁରାଗ ଏକାନ୍ତ ଜରୁରୀ। ଆମ ଭିତରୁ ଅନେକ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚିନ୍ତା ମଧ୍ୟ କରି ନ ଥାନ୍ତି। ଆମ ଭିତରେ ଅନେକ ପାଠକ ଅଛନ୍ତି ଯେଉଁମାନେ କେବଳ ଖ୍ୟାତନାମା ଲେଖକଙ୍କର ବହି ପଢ଼ିବାକୁ ଭଲ ପାଆନ୍ତି, ଯଦି କୌଣସି ପୁସ୍ତକ ନିମିତ୍ତ ତାହାର ଲେଖକ ପୁରସ୍କାର ପାଆନ୍ତି ତେବେ ସେହି ନିର୍ଦ୍ଦିଷ୍ଟ ପୁସ୍ତକର ପାଠକ ସଂଖ୍ୟା ହଠାତ୍ ବୃଦ୍ଧି ପାଇଯାଏ। ଏ କ୍ଷେତ୍ରରେ ଅନ୍ୟ ଲେଖକଙ୍କର ଚେତନଶୀଳ ପୁସ୍ତକ ପାଠକୀୟ ଶ୍ରଦ୍ଧାରୁ ବଞ୍ôଚତ ହୋଇଥାଏ। କେତେକ କ୍ଷେତ୍ରରେ ସ୍ରଷ୍ଟାଙ୍କର ଭାବ, ଭାଷା, ପରିବେଷଣ ଶୈଳୀ ଯୁଗୋପଯୋଗୀ ହୋଇ ନ ଥିବାରୁ ତାଙ୍କ ପୁସ୍ତକ ପାଠକୀୟ ସ୍ୱୀକୃତି ଲାଭ କରିପାରେ ନାହିଁ। ତେଣୁ ପ୍ରତ୍ୟେକ ଲେଖକ ସ୍ମରଣ ରଖିବା ଉଚିତ ଯେ ସୃଷ୍ଟିର ଅନ୍ତର୍ନିହିତ ସତ୍ୟ, ଲୁକ୍କାୟିତ ବର୍ଣ୍ଣବୈଭବ ଓ ପ୍ରଚ୍ଛନ୍ନ ରସ ମାଧୁର୍ଯ୍ୟ ହିଁ ପାଠକଙ୍କୁ ଆକର୍ଷିତ କରିଥାଏ। ଏହା ଦ୍ୱାରା ଲେଖକ ଓ ପାଠକ ମଧ୍ୟରେ ଘନିଷ୍ଠ ସମ୍ପର୍କର ସୂତ୍ରପାତ ହୋଇଥାଏ ଓ ପୁସ୍ତକଟି ଲୋକପ୍ରିୟ ପୁସ୍ତକରେ ପରିଣତ ହୁଏ। ଲେଖକ ସର୍ବଦା ମନେ ରଖିବା ଉଚିତ ଯେ ତାଙ୍କ ଲେଖାର ସତେଜ ଅନୁଭୂତି, ମୌଳିକ ଅଭିବ୍ୟକ୍ତି ଓ ହୃଦୟସ୍ପର୍ଶୀ ଭାଷା ପାଠକଙ୍କୁ ବାନ୍ଧି ରଖେ। ସମ୍ପ୍ରତି ଓଡ଼ିଆ ଭାଷାର ଅନେକ ପୁସ୍ତକରେ ଏହାର ଅଭାବ ପରିଲକ୍ଷିତ ହେଉଛି। ଫଳରେ ପୁସ୍ତକଗୁଡିକ ପାଠକାଦୃତି ଲାଭ କରି ପାରୁନାହିଁ। ଯେଉଁ ସାହିତ୍ୟର ପାଠକ ସଂଖ୍ୟା ଯେତେ ଅଧିକ ସେହି ସାହିତ୍ୟ ସେତିକି ଉନ୍ନତ। ନୂତନ ଶତାବ୍ଦୀ ଯେ ଅଣୁବିଜ୍ଞାନର ଯୁଗ ରୂପେ ଖ୍ୟାତ ହେବ ତଥା ଏହି କାଳରେ ସ୍ରଷ୍ଟା ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବ ତାର ସମ୍ଭାବନା ଅଧିକ। ଏହି ଗୁରୁତର ସମସ୍ୟା ନିମିତ୍ତ ସଜାଗ ରହିବା ଆମ ସାହିତ୍ୟ ନିମିତ୍ତ ମଙ୍ଗଳପ୍ରଦ ହେବ।


ପୁସ୍ତକର ମୂଲ୍ୟବୃଦ୍ଧି
ଓଡ଼ିଆ ଭାଷାରେ ଅସଂଖ୍ୟ ଗୁଣାତ୍ମକମାନ ସମ୍ବଳିତ ପୁସ୍ତକ ପ୍ରକାଶିତ ହେଉଥିଲେ ହେଁ ଅର୍ଥାଭାବରୁ ଅନେକ ପାଠକ ପୁସ୍ତକ କ୍ରୟ କରିପାରୁନାହାନ୍ତି। ପୁସ୍ତକର ମୂଲ୍ୟ ବୃଦ୍ଧି ଏହାର ଯଥାର୍ଥ କାରଣ ନୁହେଁ। ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକ ପଦାର୍ଥର ମୂଲ୍ୟବୃଦ୍ଧି ଘଟିଛି, ଅଥଚ ବଜାରରେ ଜିନିଷର ଅଭାବ। ପୁସ୍ତକ କ୍ଷେତ୍ରରେ ଏହି ଉକ୍ତିଟି ପ୍ରଯୁଜ୍ୟ ହୋଇପାରୁନି। ଅସଲ କଥାଟି ହେଉଛି, ଆମେ ଅନ୍ୟାନ୍ୟ ପଦାର୍ଥକୁ ଯେତିକି ଆବଶ୍ୟକ ମନେ କରୁଛେ ପୁସ୍ତକକୁ ସେତିକି ଦରକାରୀ ବୋଲି ଚିନ୍ତା କରୁନାହେଁ। ଅବଶ୍ୟ କାଗଜ, ମୁଦ୍ରଣ ପରିପାଟୀ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ପୁସ୍ତକର ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି, ଅଥଚ ଅନ୍ୟାନ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ତୁଳନାରେ ତାହା କମ୍। ଆମେ ବିଳାସବ୍ୟସନରେ ଯେତିକି ଅର୍ଥ ବିନିଯୋଗ କରୁ, ପୁସ୍ତକ କ୍ରୟରେ ତା’ଠାରୁ କମ୍ ମଧ୍ୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୋହୁଁ। ସାଧାରଣ ପାଠକଙ୍କ କଥା ଛାଡନ୍ତୁ, ବିଜ୍ଞ ତଥା ବୁଦ୍ଧିଜୀବୀମାନେ ମଧ୍ୟ ବହି କିଣି ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅନେକ ଓଡ଼ିଆ ବହି ଅପେକ୍ଷା ଇଂରାଜୀ ଓ ହିନ୍ଦୀ ବହି କିଣିବାକୁ ପସନ୍ଦ କରନ୍ତି। ଅନେକଙ୍କର ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାରୁ ସେମାନେ ଓଡ଼ିଆ ବହି କିଣିବା ଅପେକ୍ଷା ଇଂରାଜୀ ବହି କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ଅନେକ ବ୍ୟକ୍ତି ଇଂରାଜୀ ବହି ଓ ପତ୍ରପତ୍ରିକା କ୍ର୍ରୟ କରିବାକୁ ଏକ ଆଭିଜାତ୍ୟ ଭାବରେ ଗ୍ରହଣ କଲେଣି। ଓଡ଼ିଆ ପୁସ୍ତକର ବିକ୍ରୟଜନିତ ପ୍ରସାରଣର ଅଭାବହେତୁ ପାଠକ ସଂଖ୍ୟା କମିଯାଉଛି। ଏହା ଆମ ସାହିତ୍ୟର ଅଭିବୃଦ୍ଧିରେ ପ୍ରଧାନ ଅନ୍ତରାୟ।
ପୁସ୍ତକ ପଠନ ନିମିତ୍ତ ସମୟ ଏକ ଗୁରୁତର ସମସ୍ୟା, ସମ୍ପ୍ରତି ପ୍ରତ୍ୟହ କିଛି ସମୟ ପୁସ୍ତକ ପାଠରେ ବିନିଯୋଗ କରିବା ନିମିତ୍ତ ଅନେକ ପ୍ରସ୍ତୁତ ନୁହନ୍ତି। ବର୍ତ୍ତମାନ ଲୋକଙ୍କର ଜଞ୍ଜାଳଗ୍ରସ୍ତ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ଓ ସାମାଜିକ ଜୀବନରେ ବହି ପଢ଼ିବା ନିମିତ୍ତ ସମୟ ନାହିଁ। ଅନ୍ୟ ଭାଷାରେ କହିଲେ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପୁସ୍ତକ ପଠନ କୌଣସି ସ୍ଥାନ ଅଧିକାର କରିପାରି ନାହିଁ। ଅର୍ଥାତ୍ ଜୀବନଗଠନରେ ସାହିତ୍ୟର ଭୂମିକାଟି ଆମର ବିସ୍ମରଣ ହୋଇଯାଇଛି। ଅନେକ କହନ୍ତି, ସେମାନେ ବ୍ୟସ୍ତତା ଭିତରେ ରହି ବହି ଖଣ୍ଡିଏ ପଢ଼ିପାରୁ ନାହାନ୍ତି। କିନ୍ତୁ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ଅନୁଧ୍ୟାନ କଲେ ଜଣାଯାଏ, ସେମାନେ ଯେତିକି ସମୟ ବାଜେ ଗପ ଓ ଆମୋଦ ପ୍ରମୋଦରେ ବିତାଉଛନ୍ତି ସେହି ସମୟରେ ଦୁଇଖଣ୍ଡ ବହି ପଢ଼ିପାରନ୍ତେ। ସମ୍ପ୍ରତି ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ଭୀମଗତି ପାଠକୀୟ ରୁଚିକୁ ବ୍ୟାହତ କରୁଛି। ସାଂପ୍ରତିକ ଜଞ୍ଜାଳଗ୍ରସ୍ତ ମନୁଷ୍ୟ ଟିକିଏ ଅବସର ପାଇଲେ ବୈଦ୍ୟୁତିକ ଗଣମାଧ୍ୟମରୁ କ୍ଷଣିକ ଆନନ୍ଦ ଲାଭ କରିବା ନିମିତ୍ତ ଲାଳାୟିତ। ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ କେବଳ ତଥ୍ୟ ଯୋଗାଇ ପାରୁଥିଲେ ହେଁ ଜ୍ଞାନାନୁଭୂତି ଯୋଗାଇବାକୁ ଅସମର୍ଥ। ଏହା ଦ୍ୱାରା ବୌଦ୍ଧିକ ବିକାଶ ବ୍ୟାହତ ହେଉଛି। ଯାହାକି ଆଗାମୀ ଦିନରେ ମନୁଷ୍ୟ ଆପଣାର ଜ୍ଞାନବୋଧ ହରାଇବାର ଆଶା ଆଶଙ୍କା ମଧ୍ୟ ଉପୁଜିଲାଣି। ଲୋକମାନେ ଭୁଲିଗଲେଣି ଯେ, ପଠନପାଠନ ପ୍ରକ୍ରିୟା ହିଁ ଚିରସ୍ଥାୟୀ ଜ୍ଞାନବୋଧର ଉତ୍ସ। ପଠନ ଅଭ୍ୟାସ ଏକ ଉତ୍ତମ ଅଭ୍ୟାସ। ବାଲ୍ୟକାଳରୁ ଏହି ଅଭ୍ୟାସ ରହିଲେ ଜ୍ଞାନ ଓ ଆନନ୍ଦ ଲାଭର କ୍ରମୋନ୍ନତି ଓ କ୍ରମବିକାଶ ଉପଲବ୍ôଧ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, ଏହି ଅଭ୍ୟାସ ଜୀବନର ଶେଷ ଅବସ୍ଥା ପର୍ଯ୍ୟନ୍ତ ରହିଲେ ବୃଦ୍ଧାବସ୍ଥାରେ ମନୁଷ୍ୟ ନିଃସଙ୍ଗତା ଅନୁଭବ କରେ ନାହିଁ। ଅବସର, ବୃଦ୍ଧ ଓ ନିଃସଙ୍ଗ ଅବସ୍ଥାରେ ଜଣେ ବ୍ୟକ୍ତି ଯେତେବେଳେ ପରିବାର ଓ ସମାଜ ନିମିତ୍ତ ଅଦରକାରୀ ହୋଇଯାଏ ବହିଟି ତାକୁ ନିଃସଙ୍ଗତାରୁ ମୁକ୍ତି ଦେଇଥାଏ। କେବଳ ସେତିକି ନୁହେଁ, ପୁସ୍ତକ ପଠନରୁ ସେ ଆନନ୍ଦ ସହିତ ଜୀବନମୁକ୍ତି ମଧ୍ୟ ପାଇଥାଏ। ଏହି ଦିବ୍ୟଦୃଷ୍ଟିରେ ପୁସ୍ତକ ହେଉଛି ମନୁଷ୍ୟର ପରମ ବନ୍ଧୁ।


ପାଠାଗାରର ଆବଶ୍ୟକତା
ଆମର ଅଶୀ ଶତାଂଶ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସକରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ପୁସ୍ତକ ପଠନରେ ଆଗ୍ରହୀ ଥିଲେ ମଧ୍ୟ ପଢ଼ିବାକୁ ବହି ଖଣ୍ଡିଏ ପାଆନ୍ତି ନାହିଁ। ସେମାନଙ୍କ ନିମିତ୍ତ ବହି କିଣିବାର ସୁବିଧା ନାହିଁ ବା ପାଠାଗାରର ସୁବିଧା ନାହିଁ। ସରକାରଙ୍କର ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ଓ ରାଜା ରାମମୋହନ ରାୟ ଟ୍ରଷ୍ଟ ଆନୁକୂଲ୍ୟରେ ପୁସ୍ତକ ଯୋଗାଣ ଏକ ପ୍ରହସନରେ ପରିଣତ ହୋଇଛି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା, ପ୍ରତୀକ୍ଷା କରିଥାଏ। ପାଠକ ସଚେତନତା ସୃଷ୍ଟି ଦିଗରେ ପୁସ୍ତକମେଳା ଏକ ଅଭିନନ୍ଦନୀୟ ପଦକ୍ଷେପ ହେଲେ ହେଁ ଏହା ଗ୍ରାମାଞ୍ଚଳକୁ ବ୍ୟାପ୍ତ ହୋଇନାହିଁ। ସାହିତ୍ୟକୁ ପାଠକଙ୍କ ନିକଟରେ ପହଞ୍ଚାଇବାର ବଳିଷ୍ଠ ମାଧ୍ୟମ ହେଉଛି ପତ୍ରପତ୍ରିକା, ଯାହା ଗ୍ରାମାଞ୍ଚଳରେ ଉପଲବ୍ଧ ନୁହେଁ। ଗ୍ରାମାଞ୍ଚଳରେ ପତ୍ରପତ୍ରିକାର ପ୍ରସାର ନ ଥିଲେ ହେଁ ସହରାଞ୍ଚଳରେ ପ୍ରସାରିତ ଅନେକ ପତ୍ରପତ୍ରିକା ସୀମିତ ଭାବରେ ପ୍ରକାଶିତ ଅଥବା ଦୁଃସ୍ଥ। ପାଠକୀୟ ଶ୍ରଦ୍ଧାରୁ ବଞ୍ôଚତ ହୋଇ ଅନେକ ପତ୍ରପତ୍ରିକା କିଛି ଦିନ ପ୍ରକାଶନ ପରେ ବନ୍ଦ ହୋଇଯାଏ। ଏହି ପରିପ୍ରେକ୍ଷୀରେ ପତ୍ରପତ୍ରିକା ମାଧ୍ୟମରେ ପାଠକ ଅଭିବୃଦ୍ଧି ଏକ ଦୂରାଶାରେ ପରିଣତ ହୋଇଛି। ପୁସ୍ତକ ହେଉଛି ଜ୍ଞାନର ଗନ୍ତାଘର ଓ ପୁସ୍ତକମେଳା ହେଉଛି ଜ୍ଞାନର ପାରାବାର। ପୁସ୍ତକମେଳାକୁ ଜୀବନ ପ୍ରବାହର ସମ୍ପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଉପରେ ପର୍ଯ୍ୟବସିତ ଏକ ସୃଜନଶୀଳ ସାମୟିକ ଗଣଶିକ୍ଷାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁସ୍ତକମେଳା ହେଉଛି ଲେଖକ, ପ୍ରକାଶକ ଓ ପାଠକଙ୍କ ମିଳନସ୍ଥଳ। ଲେଖକ ପୁସ୍ତକମେଳାରୁ ଅନୁଭୂତି ଅର୍ଜନ କରିଥାଏ ଯେ କେଉଁ ଧରଣର ପୁସ୍ତକ ରଚନା କଲେ ତାହା ପାଠକଙ୍କୁ ଜ୍ଞାନ ଆନନ୍ଦ ଓ ଅମୃତର ସନ୍ଧାନ ଦେଇପାରିବ ଏବଂ ପ୍ରକାଶକ ମଧ୍ୟ ହୃଦୟଙ୍ଗମ କରନ୍ତି ଯେ ପାଠକ କେଉଁ ପୁସ୍ତକ ପ୍ରତି ଆଗ୍ରହୀ। ପାଠକପାଠିକାଙ୍କ ଅନ୍ତର୍ଦୃଷ୍ଟି ପୁସ୍ତକମେଳାରୁ ହିଁ ସଂପ୍ରସାରିତ ହୋଇଥାଏ। କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ଯେଉଁ ରୀତି, ନୀତି ଓ ଢଙ୍ଗରେ ପୁସ୍ତକମେଳା ହେଉଛି ତହିଁରୁ ଏସବୁକୁ ଉପଲବ୍ଧି କରିବାର ଆଶା ଦୁଃସ୍ୱପ୍ନରେ ପରିଣତ ହୋଇଛି। ତେଣୁ ଓଡ଼ିଶାରେ ପୁସ୍ତକ ମେଳା ମାଧ୍ୟମରେ ପାଠକୀୟ ସଚେତନତା ସୃଷ୍ଟି ହୋଇପାରୁନାହିଁ।
ମନୁଷ୍ୟ ଦୁଇ ଚକ୍ଷୁରେ ସମଗ୍ର ବିଶ୍ୱକୁ ଦେଖିପାରୁଥିଲେ ହେଁ ଦର୍ପଣରେ ନିଜକୁ ଦେଖିଥାଏ। ସାହିତ୍ୟ ହେଉଛି ଦର୍ପଣ ଯାହା ଦ୍ୱାରା ପାଠକ ନିଜକୁ, ନିଜ ପରିବାରକୁ, ନିଜ ସମାଜକୁ ଓ ସମଗ୍ର ବିଶ୍ୱକୁ ଦେଖିପାରିଥାଏ। ସାହିତ୍ୟ ହିଁ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ପ୍ରତ୍ୟେକଙ୍କର ମାପକାଠି। ଆମେ ଯେ ପର୍ଯ୍ୟନ୍ତ ଏହି ଦୃଷ୍ଟିରେ ସାହିତ୍ୟକୁ ଆକଳନ କରିନାହେଁ ସେ ପର୍ଯ୍ୟନ୍ତ ଆମ ପାଇଁ ସାହିତ୍ୟ ମୂଲ୍ୟହୀନ। ସାହିତ୍ୟରୁ ପାଠକ ବିଦ୍ୟା, ବୁଦ୍ଧି, ବିବେକ ଓ ବିଭବର ପ୍ରୟୋଗାତ୍ମକ ପ୍ରଣାଳୀର ସୂକ୍ଷ୍ମସୂତ୍ର ଲାଭ କରିଥାଏ। ସାହିତ୍ୟ ଜ୍ଞାନର ପ୍ରଚାର କରିବା ସହିତ ଶୃଙ୍ଖଳାବୋଧ, ନୈତିକତା, ଆଧ୍ୟାତ୍ମିକତା ଓ ମାନବିକତାର ପ୍ରସାର ଘଟାଇଥାଏ। ସଂକ୍ଷେପରେ ଉଲ୍ଲେଖ କଲେ ସାହିତ୍ୟ ହିଁ ସମାଜର ଦିଗ୍‌ଦର୍ଶକ। କିନ୍ତୁ ସାହିତ୍ୟର ପାଠକ ସଂଖ୍ୟା ବୃଦ୍ଧି କରିବାକୁ ଅଥବା ପାଠକ ସଚେତନତା ସୃଷ୍ଟି କରିବାକୁ ଆମର ପ୍ରଚେଷ୍ଟା ଏଯାବତ୍ ଜାଗ୍ରତ ହୋଇନାହିଁ। ଆମେ କେବଳ ସାହିତ୍ୟ ସୃଷ୍ଟି ଓ ପ୍ରକାଶନରେ ବ୍ୟଗ୍ର, ଅଥଚ ପାଠକ ସଚେତନତା ସୃଷ୍ଟି ନିମିତ୍ତ ତତ୍ପର ନୋହୁଁ। ଦିନକୁ ଦିନ ସ୍ରଷ୍ଟା ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାରେ ଲାଗିଛି। ଏହି ଗୁରୁତର ସମସ୍ୟାକୁ ତନ୍ନ ତନ୍ନ ଅଧ୍ୟୟନ ପୂର୍ବକ ଏକ ଯୋଜନାୟିତ ସୁଚିନ୍ତିତ ପଦକ୍ଷେପ ନେବା ହିଁ ଆମ ଭାଷା ଓ ସାହିତ୍ୟ ପକ୍ଷରେ ମଙ୍ଗଳପ୍ରଦ ହେବ।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

One thought on “ଓଡ଼ିଆ ସାହିତ୍ୟରେ ପାଠକ ସମସ୍ୟା

  1. ପାଠକ ସଚେତନତା ସୃଷ୍ଟି କରିବା ପାଇଁ ବିବିଧ କାର୍ଯ୍ୟକ୍ରମ ହେବା ଶୁଭଙ୍କର ହେବ। ସୁନ୍ଦର ବିଶ୍ଲେଷଣ।

Leave a Reply

Your email address will not be published. Required fields are marked *