ବହିଟି ହାତରେ ପଡିବା ମାତ୍ରେ ଯଦି ଆପଣ ପୃଷ୍ଠାଗୁଡିକୁ ଏଠୁସେଠୁ ଓଲଟାଇ କିଛି ଧାଡି ଉପରେ ନଜର ପକାଇବେ, ତେବେ ପ୍ରଥମ କଥାଟି ଯାହା ଆପଣଙ୍କୁ ଆକର୍ଷିତ କରିବ ତା’ହେଲା ଲେଖକଙ୍କର କହିବାର ଶୈଳୀ। ହଁ, ଲେଖିବାର ନୁହେଁ, କହିବାର ଶେଳୀ। ଯେମିତି ମନେହେବ, ଲେଖକ ଆମ ସାମନାରେ ବସି ଅନୌପଚାରିକ ଭାବରେ ଗପି ଚାଲିଛନ୍ତି, ସାହିତ୍ୟ-ସୁଲଭ ଭାଷା ସଂଯୋଜନାର ସମ୍ଭାବ୍ୟ ଛଳନାରୁ ନିଜକୁ ନିରାପଦ ଦୂରତ୍ୱରେ ରଖି। ତେଣୁ ତାଙ୍କର ଭାଷା ମନେହୁଏ ନିହାତି ସରଳ ଓ ମନଛୁଆଁ, ଯାହାର ଭାବ ଲେଖକଠାରୁ ପାଠକ ପାଖକୁ ଅନାୟାସରେ ସଂଚରି ଯାଏ, ସତେ ଯେମିତି ଗୋଟିଏ ହୃଦୟରୁ ଆରେକ ହୃଦୟକୁ। ତେବେ ଭାଷା ସିନା ସରଳ, ରଚନାଗୁଡିକର ଭାବବସ୍ତୁ କିନ୍ତୁ ଓଜନିଆ, ଏବଂ ସ୍ଥଳ ବିଶେଷରେ ତାତ୍ତ୍ୱିକ ମଧ୍ୟ। କିଛି ରଚନାର ଶିରୋନାମା ଉପରେ ନଜର ପକାଇଲେ ତାହାର ସ୍ପଷ୍ଟ ଆଭାସ ମିଳେ। ଯଥା, ‘ଓଡିଆ ଭାଷାର ଅବ୍ୟବହାର ମୃତ୍ୟୁ’, ‘ବର୍ଣ୍ଣ ସଂସ୍କାର ନୁହେଁ ବର୍ଣ୍ଣ ବଧ’, ‘ଗାଉଁଲି ଓଡ଼ିଆ ଓ ଗଣମାଧ୍ୟମ’, ‘ଖୁଣାତ୍ମକ ଶିକ୍ଷା’ ଓ ଏମିତି ଆହୁରି ଅନେକ।
ବହିଟି ବହନ କରିଛି ଆମ ଭାଷାସମସ୍ୟାର ବିବିଧ ପ୍ରସଙ୍ଗ ଉପରେ ଆଧାରିତ ୩୨ଗୋଟି ସୁଖପାଠ୍ୟ ରମ୍ୟରଚନା, ପ୍ରତ୍ୟେକଟି ବ୍ୟଙ୍ଗ-ରସାଣିତ। ପ୍ରତ୍ୟେକ ରଚନାରେ ଆଲୋଚିତ ହୋଇଛି ଏକ ନିର୍ଦ୍ଦିଷ୍ଟ ପ୍ରଣିଧାନଯୋଗ୍ୟ ବିଷୟ, ଅତି ସ୍ପଷ୍ଟ ଓ ଶାଣିତ ଢ଼ଙ୍ଗରେ। ଏହି ସନ୍ଦର୍ଭରେ ଆସନ୍ତୁ ଦେଖିବା ‘ମୂଷାର ଡାହାଣ ପଟ ଚିପୁଥିବା ଅନୁବାଦକ’ ଶୀର୍ଷକ ରମ୍ୟରଚନାଟିର କେଇ ଧାଡି :
“ଗାଆଁଗଣ୍ଡାର ଲୋକଙ୍କୁ ପଚାରି ବୁଝାଯାଉ କେତେ ଜଣ ‘ଭିଟାମିନି’ କହିଲେ ବୁଝୁଛନ୍ତି ଓ ଆଉ କେତେଜଣ ଜୀବସାର, ଖାଦ୍ୟସାର ବା ପୋଷକ ତତ୍ତ୍ୱ କହିଲେ ବୁଝୁଛନ୍ତି । ଅଯଥା ପାଣ୍ଡିତ୍ୟ ଦେଖେଇ ଆମେ କେଂଚି କରି ପ୍ରତିଶବ୍ଦ କାଢ଼ିଲେ ଆମ ତୁଣ୍ଡଗଲୁ ମରିବ ସିନା, ଆମ କଲମର କଣ୍ଡୁ କମିବ ସିନା, ଲୋକେ ଯାହା ଗ୍ରହଣ କରିବେ, ତାହା ହିଁ ଚୂଡାନ୍ତ, ତାହା ହିଁ ଠିକ୍।”
ଏହିପରି ଭାଷା ପ୍ରସଙ୍ଗ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟର ଯୁକ୍ତିସିଦ୍ଧ ଆଲୋଚନା ଦେଖିବାକୁ ମିଳେ ପୁସ୍ତକଟିରେ ସ୍ଥାନ ପାଇଥିବା ରମ୍ୟରଚନାଗୁଡିକରେ। ଓଡିଆ ଭାଷାର ଅନେକ ପାରମ୍ପରିକ ଓ ଚଳଣିଗତ ଶବ୍ଦ ନୂଆ ପିଢ଼ିର ଓଡ଼ିଆମାନଙ୍କ ଦ୍ୱାରା ଅବ୍ୟବହୃତ ଓ ଅବହେଳିତ ହେବା ଫଳରେ ଯେଉଁ ସମସ୍ୟା ଉପୁଜିଛି ତାହା ଉପରେ ଲେଖକ ଯଥାର୍ଥ ଆଲୋକପାତ କରିଛନ୍ତି ଅନ୍ୟ ଏକ ରମ୍ୟରଚନାରେ। ସେ ଆହ୍ୱାନ ଦେଇଛନ୍ତି ଯେ, ମାତୃଭାଷାର ଏଇ ସଂକଟ ସମୟରେ ଓଡ଼ିଶାର ପ୍ରତ୍ୟେକ ବୁଦ୍ଧିଜୀବୀ, ଶିକ୍ଷିତ, ସମ୍ପନ୍ନ ବ୍ୟକ୍ତି ଅନ୍ତତଃ ନିରୁତା ମାତୃଭାଷାରେ ପ୍ରଥମେ କହିଶିଖନ୍ତୁ। ଏହି ମର୍ମରେ ସେ ମଧ୍ୟ ଉଦ୍ଧୃତ କରିଛନ୍ତି ବ୍ୟାସକବି ଫକୀରମୋହନଙ୍କ ଏକ ବାଣୀ :
“ପଢ଼ ଇଙ୍ଗିରଜୀ କେହି ମନା କରୁନାହିଁ,
କିନ୍ତୁ ଭାଇ କାମ କର ଜାତିକୂଳ ଚାହିଁ।
ଘୃଣା କରୁଅଛ ମାତୃଭାଷା କହିବାକୁ,
ହାୟ ହାୟ ଲାଜ କଥା କହିବି କାହାକୁ?”
ସର୍ବୋପରି କହିବାକୁ ଗଲେ ଆଲୋଚିତ ପସ୍ତକଟି ଆମର ସମସ୍ତ ଭାଷା-ମନସ୍କ ଓ ଚିନ୍ତାଶୀଳ ଓଡ଼ିଆଙ୍କର ଅବଶ୍ୟ ପଠନୀୟ। ଏହା ଆମକୁ ଆମ ଭାଷାର ମୌଳିକ ଗୁରୁତ୍ୱ ପ୍ରତି ସଚେତନ କରିବା ସଙ୍ଗେସଙ୍ଗେ ଏହାର ସୁରକ୍ଷା ପାଇଁ ଦିଗଦର୍ଶନ ଦେବାରେ ସହାୟକ ହେବ।
- ନିହାର ଶତପଥୀ
(ଏହି ପୁସ୍ତକ-ସମୀକ୍ଷାଟି ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଫେବୃଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଆସନ୍ତୁ ଆମେ ଆମ ମାତୃଭାଷାରେ କଥା ହେବା ଓ ଅନ୍ୟମାନଙ୍କୁ ପ୍ରବର୍ତ୍ତେଇବା ନିଜ ମାତୃଭାଷାରେ କଥା ହେବା ପାଇଁ। ନିଜ ସନ୍ତାନମାନଙ୍କର ଜନ୍ମଦିନ, ବ୍ରତଘର ଅନ୍ୟାନ୍ୟ ଉତ୍ସବର ନିମନ୍ତ୍ରଣ ପତ୍ରକୁ ନିଜ ମାତୃଭାଷାରେ ଛାପିବା ।