ମହାବଳବନ୍ତ ନା ତୁଚ୍ଛା ବାହାପିଆ !

ମୁଁ ରାତିରେ ଲାଞ୍ଜ ପିଟିଦେଲେ, ଦଶଖଣ୍ଡ ଗାଁ ଲୋକଙ୍କ ନିଦ ଭାଙ୍ଗିଯାଏ । ସେମାନେ କଥା ହୁଅନ୍ତି , ଭୂତ ତାଳିମାରୁଛି

ଡ. ସଂକର୍ଷଣ ସାମଲ

ମୁଁ ବାଳିଆ। ମହାବଳୁଆ। ଗଡିଆ ଦେଶର ମାଛଙ୍କ ମହାରାଜା। ମୋର ବଡ ପେଟ। ବଡ଼ ବଡ଼ ନିଶ। ବଳବାନ ଭେକଟି ମୋର ସେନାପତି। ବୁଢ଼ା ବୁଢ଼ା ଶେଉଳକୁ ମୁଁ ମୋର ମନ୍ତ୍ରୀପଦ ଦେଇଛି। ରତା, ମାଗୁର , ଗଡିଶା ମୋର ଲଢ଼ୁଆ ସୈନ୍ୟ। ମୋ ପରି ରାଜାଟିଏ, କିଏ କୋଉଠି ଦେଖିଚ?
ମୁଁ ଶହେଟା ପୋଳୁହ ଭାଙ୍ଗି ମାଛମାନଙ୍କ ଭିତରେ ମହାମଲ୍ଲବୀର ବୋଲାଉଚି। ଆଜିଯାଏ ଶହେଏକ ଜାଲ ମୁଁ ଫଡାଫଡା କରିଚି। ଅନେଶତଟା ବନସିଖାଡା ମୁଁ ଭାଙ୍ଗିଚି। ଆଉ ଗୋଟିଏ ମାତ୍ର ଭାଙ୍ଗିଲେ ମୋତେ ପରମବୀର ଉପାଧି ମିଳିଯିବ। ଜାଣିଚି ସେଦିନ ମତେ ଭାଷଣ ଦେବାକୁ ପଡ଼ିବ। ମୁଁ ଘୋଷିସାରିଲିଣି, କଅଣ କଅଣ କହିବି।
ମୁଁ ଦଶଗଣ୍ଡା ଓଧକୁ ସବାଡ କରିଚି। ଚାଳିଶଟା କେଉଟଙ୍କ ଉପରେ ମାଡ଼ ବସାଇଚି। ଯିଏ ସହିଚି, ସିଏ କହିବ, ମୋ ଲାଞ୍ଜର ପ୍ରହାର କେମିତି? ଇନ୍ଦ୍ରଙ୍କ ବଜ୍ରଠୁଁ ତା ତୋଡ଼ କେତେ ବେଶି?
ମୁଁ ରାତିରେ ଲାଞ୍ଜ ପିଟିଦେଲେ, ଦଶଖଣ୍ଡ ଗାଁ ଲୋକଙ୍କ ନିଦ ଭାଙ୍ଗିଯାଏ। ସେମାନେ କଥା ହୁଅନ୍ତି , ଭୂତ ତାଳିମାରୁଛି। ହାଃ ହାଃ ହାଃ। କୋଉ ଭୂତ ! ଖଣ୍ଡିଆଭୂତ, ନା ପାଳଭୂତ, ନା ବାବନାଭୂତ। ଭୂତ ନା ଫୁତ…।


ମୁଁ ଥରେ ରାତି ଅଧରେ ଲାଞ୍ଜ ପିଟିଦେଲି ଯେ , ଏ ଗାଡିଆ ପାଖ ଆମ୍ବ ଗଛ କୋରଡରେ ମତେ ଧରିବା ପାଇଁ ପାଞ୍ଚକରି ଆସି ରହିଥିବା ଗଜାନିଶୁଆ ବଣଭୁଆଟୋକାଟା ଚମକି ତଳକୁ ଗଡ଼ି ପଡ଼ିଲା। ସେଠୁଁ ରଡ଼ିଛାଡ଼ି ଛୋଟା ହୋଇ ଛୁ। ଆହା, ବିଚରା !
ଥରେ ବାପପୁଅ ହୁଡ଼ାରେ ସଞ୍ଜବେଳେ ଯାଉଥିଲେ। ମୋ ମନ କଣ ହେଲା କେଜାଣି? ମୁଁ କୁଳ ପାଖକୁ ଯାଇ ଲାଞ୍ଜ ପିଟିଦେଲି ଢୋ। ସେମାନେ ବୋପାଲୋ ମାଆଲୋ କହି ଦଉଡ଼ି ପଳାଇଲେ। କୋଉ ଯୁଦ୍ଧର ବମ୍ ଆକାଶରୁ ତାଙ୍କ ପାଖରେ ଛିଟିକି ପଡ଼ିଲା କି!
ଆଉ ଗୋଟାଏ ଘଟଣା ମୋର ଭାରି ମନେପଡେ। ଖରା ହୋଇଥାଏ। ଗଡିଆରେ ଅଳପ ଅଳପ ପାଣିଥାଏ। ପଡିଆ ଗୋଳାହେଲା। ମୁଁ ଗୋଟାଏ କେଉଟ ହାବୁଡ଼ରେ ପଡ଼ିଲି। ସିଏ ମୋତେ ଜୋରେ କୁଣ୍ଢାଇ କୂଳକୁ ନେଇଗଲା। ମୋତେ ଭୂଇଁରେ ରଖୁଁ ରଖୁଁ ତାକୁ ଦେଲିଯେ ଏମିତି ଗୋଟାଏ ନାତ, ବିଚରା ପାଞ୍ଚହାତ ଦୂରରେ ଯାଇ ଚିତପଟାଙ୍ଗ ହୋଇପଡ଼ିଲା। ତା ଅଣ୍ଟା ଜଖମ ହେଇଗଲା। ମୁହଁ ଫାଟିଗଲା।ମତେ ଶୁଭୁଥାଏ, ସିଏ ତା ଅଣ୍ଟାକୁ ଆଉଁସି ଆଉଁସି କହୁଥିଲା – ଆଜି ବଞ୍ଚିଗଲୁରେ ପୁଅ ! ରହ, ମୋ ଦେହ ଭଲହେଇଯାଉ। ମୁଁ ଆରଥରକୁ ଆସେ। ତତେ ସାବାଡ କରିବି। ମୋ ବୁଢ଼ୀ ତୋ ପାଇଁ ପନିକି ଦାଢ଼ କରି ବସିଚି। ସେ ବଡକୁହାଟା। ଘୋଡାମୁହାଁ।
ଏଯାଏ ତ ସିଏ ଆସିନାଇଁ ! ଆସିଲେ, ତାର ମୋର ଭେଟା ଭେଟି ହେଇଯିବ। ପରଖା ପରଖି ହେଇଯିବ, ମୋ ଲାଞ୍ଜ କି ତା ବୁଢ଼ୀ ପନିକି ଦାଢ଼, କୋଉଟା ଟାଣ।
ହଁ, ମୁଁ ଯେଉଁ ବନସିଖାଡା ଭାଙ୍ଗିବା କଥା କହୁଥିଲି, ଗୋଟାଏ ମାତ୍ର ଆଉ ଭାଙ୍ଗିଦେଲେ ମତେ ତ ପରମବୀର ଉପାଧି ମିଳିଯିବ। ଭାବୁଚି ସେଥିପାଇଁ ମତେ ଆଉ ବେଶୀ ଅପେକ୍ଷା କରିବାକୁ ପଡ଼ିବନାଇଁ। ମତେ ଉପାଧି ମିଳିବାଦିନ ଧାରାପରା ହୋଇ ସାମ୍ବାଦିକମାନେ ମୋ ଫୋଟ ଉଠାଇବେ। ନାନା ପ୍ରଶ୍ନ ପଚାରି ବ୍ୟସ୍ତ କରିପକାଇବେ। ତା ପରଦିନ ଖବରକାଗଜରେ ମୋ ଫୋଟ ସହିତ ମୋ ସମ୍ମାନ ପାଇବା ଖବର ପ୍ରକାଶ ପାଇବ। ଗେଣ୍ଡାମାନେ ମୋ ବୀରତ୍ୱରଗାଥା ଗଡ଼ିଆକୂଳରେ ରାତିସାରା ଅନିଦ୍ରାହୋଇ ଲେଖିଯିବେ। ବଡ଼ିସକାଳୁ ଗଡିଆହୁଡ଼ାକୁ କସରତ କରିବାକୁ ଆସୁଥିବା କଅଁଳା ବାଛୁରୀଟି ତାକୁ ସବାଆଗ ପଢ଼ିବ। ଓଃ, କି ମଜା !
ହଁ ସାମ୍ବାଦିକ ମାନେ ଶୁଣ, ମୁଁ ତମମାନଙ୍କୁ ଏବେଠୁ କହିଦେଉଚି – ସେଦିନର ମୋ ଖବରକୁ ତମମାନଙ୍କ କାଗଜର ପ୍ରଥମ ପୃଷ୍ଠାରେ ବଡ଼ବଡ଼ ଅକ୍ଷରରେ ଛପାଇବ। ନଚେତ୍, ମୁଁ ଆସନ୍ତା ବର୍ଷାଋତୁରେ ମୋର ଏଇ ଗଡିଆରାଜ୍ୟରୁ ବାହାରି ନଈଏ ନଈଏ ଯାଇ ତମ ହୀରାକୁଦ ବନ୍ଧକୁ ଲାଞ୍ଜପିଟି ଭାଙ୍ଗିଦେବି। ନା ଆସିବ ବିଜୁଳି। ନା ବାହାରିବ ତମ କାଗଜ।
ବାଳିଆ ପରି ଜୀବଙ୍କ କଥା ସାଧାରଣ ମଣିଷ ବୁଝିପାରନ୍ତି ନାଇଁ। କିନ୍ତୁ ପିଲାମାନେ କିଛି କିଛି ବୁଝିପାରନ୍ତି ! ପିଲାମାନଙ୍କ ପାଇଁ ଲେଖୁଥିବା ଲେଖକମାନେ ସେଥିରୁ କିଛି ଠଉରେଇ ଗପକବିତା ଲେଖିପାରନ୍ତି।
ଯେମିତି ପବନକଥା ଗଛ ଶୁଣିପାରେ,
ଯେମିତି ଫୁଲକଥା ପ୍ରଜାପତି ଶୁଣିପାରେ,
ଯେମିତି ଗଛମାନଙ୍କ କଥା କଙ୍କଡାମାନେ ପୁରା ଶୁଣିପାରନ୍ତି।
ସେ ଗଡିଆ ହୁଡ଼ାରେ ତା’ଘରର ଚାରିକଡରେ ଥିବା କାନ୍ଥି ଉପରେ ବସି ହାଉଆ ଖାଉଥିବା କଙ୍କଡାଟିଏ ବାଳିଆର କଥାସବୁକୁ କାନେଇ ଶୁଣୁଥିଲା। ସେ ତା ଆଖି ଦିଟାକୁ ବହୁତ ଉପରକୁ ଟେକି, ତା ପାଟିକି ବହୁତ ମେଲାକରି କହିଲା – ହଇରେ ବାଳିଆ, ମହାବଳବନ୍ତ ନା, ତୁଚ୍ଛା ବାହାପିଆଟା।

2 thoughts on “ମହାବଳବନ୍ତ ନା ତୁଚ୍ଛା ବାହାପିଆ !

  1. ଅତ୍ୟନ୍ତ ରୋଚକ ଓ କୁରୁଳିଆ ଗପ ଟିଏ। ମଜା ଆସିଗଲା। ସାହିତ୍ୟ ଗଡ଼ିଆରେ ପରମବୀର ବାଳିଆ ଗପ ର ପ୍ରଚଣ୍ଡ ଲାଞ୍ଜପିଟା ବିସ୍ଫୋରଣ ! ବୋପାଲୋ କି କ୍ୱିଣ୍ଟାଲିଆ ମହାବଳୀ !!

Leave a Reply

Your email address will not be published. Required fields are marked *