“ଏ ଦୁଇ ଜଣ ଡକାୟତ ଯେହେତୁ ଆତ୍ମସମର୍ପଣ ଆଗରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଯିବେ, ଆମକୁ ସତର୍କ ରହିବାକୁ ପଡିବ।”
୧୯୮୨ ମସିହା ମେ ମାସର ବୋଧହୁଏ ଶେଷ ସପ୍ତାହ। ପୁରୀ ଜିଲ୍ଲା ପୁଲିସ ହେଡ୍କ୍ୱାର୍ଟର୍ସକୁ ଗୋଟିଏ ଅତି କ୍ଷୁଦ୍ର ଅଥଚ ଚମକପ୍ରଦ ବେତାର ବାର୍ତ୍ତା ପହଞ୍ଚିଥିଲା। ବାର୍ତ୍ତାଟି ସଂକ୍ଷିପ୍ତ କିନ୍ତୁ ଅତୀବ ଗୁରୁତ୍ୱପୂର୍ଣ୍ଣ ଥିଲା। ମଧ୍ୟପ୍ରଦେଶ ପୁଲିସ ମୁଖ୍ୟାଳୟରୁ ଏହି ବାର୍ତ୍ତାରେ ସୂଚାଇ ଦିଆଯାଇଥିଲା ଯେ, ଜଣେ ଅତି ଦୁର୍ଦ୍ଦାନ୍ତ ଚମ୍ବଲ ଡକାୟତ ଜୁନ ମାସ (୧୯୮୨) ମସିହାରେ ମଧ୍ୟପ୍ରଦେଶର ଶାସନ ମୁଖ୍ୟ ଅର୍ଜୁନ ସିଂଙ୍କ ପାଖରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି।ଏହି ଆତ୍ମସମର୍ପଣ ଆଗରୁ ପୁରୀ ଆସି ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜକୃତ ପାପ ମାର୍ଜ୍ଜନୀ ନିମନ୍ତେ ପ୍ରାର୍ଥନା କରିବେ।
ଏ ସମ୍ବନ୍ଧରେ ଗୁପ୍ତ ଅନୁସନ୍ଧାନ କରି ତଥ୍ୟ ଯଦି ସତ୍ୟ ହୁଏ, ତାଙ୍କୁ ଜଣାଇବା ପାଇଁ ଅନୁରୋଧ କରୁଥିଲେ। ଜଣେ ଅତି ଦକ୍ଷ ଓ ଅଭିଜ୍ଞତାସମ୍ପନ୍ନ ଡି.ଏସ୍.ପି.ଙ୍କ ନେତୃତ୍ୱରେ ଆମେ କେତେ ଜଣ ଅଫିସର ଓ କନେଷ୍ଟବଳ ସେବେ ଏହି କାମ ପାଇଁ ନିୟୋଜିତ ହୋଇଥିଲୁ। ଶ୍ରୀମନ୍ଦିରରେ ନିୟୋଜିତ କେତେଜଣ ପଣ୍ଡା ଓ ସେବକ ପୁଲିସ ପାଇଁ ଦରକାର ବେଳେ ବିଶ୍ୱାସଯୋଗ୍ୟ ତଥ୍ୟ ପ୍ରଦାନ କରୁଥିଲେ। କିନ୍ତୁ ତାହା କେବଳ ପକେଟମାର ସ୍ତ୍ରୀ ଲୋକଙ୍କର ବେକରୁ ଚେନ୍ ଛିଡାଉଥିବା ଅପରାଧୀଙ୍କ ସମ୍ବନ୍ଧରେ।
ତା’ ଛଡା ଅନ୍ୟ କେତେଜଣ ସେବକ ମଧ୍ୟ ଶ୍ରୀମନ୍ଦିରରେ ଥାଆନ୍ତି। ସେମାନେ ଓଡ଼ିଶାରୁ ବାହାରର ବିଭିନ୍ନ ରାଜ୍ୟ ଗସ୍ତ କରି ଲୋକମାନଙ୍କୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରାଇବା ପାଇଁ ସାଙ୍ଗରେ ଆଣନ୍ତି। ଅଳ୍ପ ଖର୍ଚ୍ଚରେ ସେମାନଙ୍କ ଯିବା ଆସିବା ଛାଡି, ପୁରୀ ସହରରେ ଧର୍ମଶାଳାରେ ରଖିବା, ଖାଇବା ତଥା ବଡ ଦେଉଳରେ ବିଭିନ୍ନ ଦେବଦେବୀଙ୍କୁ ଦର୍ଶନ କରାଇଦେବା ତାଙ୍କର ମୁଖ୍ୟ କାମ। ସେମାନଙ୍କୁ ପୁରୀ ଭାଷାରେ ଧୂଳିଆ ଗୁମାସ୍ତା ବୋଲି କୁହାଯାଏ।
ଗୁପ୍ତ ବୈଠକ
ଏହି ଚମ୍ବଲ ଡକାୟତର ସମ୍ଭାବ୍ୟ ପୁରୀ ସହର ଗସ୍ତ ତଥା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ଡି.ଏସ୍.ପି. ଆମେ ତିନି ଜଣ ଅଫିସର ଓ ଅନ୍ୟ ଚାରିଜଣକୁ ନେଇ ଏକ ଗୁପ୍ତ ବୈଠକ କରିଥିଲେ। ଉପସ୍ଥିତ ସମସ୍ତ ଅଫିସରମାନଙ୍କ ମଧ୍ୟରେ ମୁଁ ସବୁଠାରୁ କନିଷ୍ଠ ଥିଲି। ୧୯୮୨ ମସିହା ଫେବୃୟାରୀ ମାସରେ ମୋର ପ୍ରଶିକ୍ଷଣ ସମାପ୍ତ ହେବା ପରେ ପୁରୀ ଜିଲ୍ଲାରେ ପୋଷ୍ଟିଙ୍ଗ ହୋଇଥିଲା। ଚମ୍ବଲର ଡକାୟତ ପୁଣି ପୁରୀ ସହରରେ? ସେ ସମ୍ବନ୍ଧରେ କ’ଣ କିପରି ତଥ୍ୟ ସଂଗ୍ରହ କରାଯିବ, ଜାଣିବାକୁ ନୂଆ ଚାକିରି ହେତୁ ମୁଁ ବହୁତ ଉତ୍ସାହିତ ଥିଲି। ଡି.ଏସ୍.ପି. ଏହି ସମ୍ବନ୍ଧରେ ତଥା ଚମ୍ବଲ ଡକାୟତର ସମ୍ଭାବିତ ପୁରୀ ସହର ଗସ୍ତ ବିଷୟରେ ଆମକୁ ବିସ୍ତୃତ ଭାବରେ ବୁଝାଇଲେ, ମୁଁ କ୍ରମେ ସ୍ପଷ୍ଟ ଜାଣିପାରିଲି ଯେ, ମୁଁ ଏ କାମଟିକୁ ଯେତେ ସରଳ ଭାବୁଥିଲି ତାହା ସେତେ ସହଜ ନୁହେଁ।
ପ୍ରଥମତଃ କେଉଁ ଡକାୟତ ଚମ୍ବଲରୁ ଆସି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ସମ୍ବନ୍ଧରେ ଖବର ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ନ ଥିଲା, ଦ୍ୱିତୀୟତଃ କେଉଁ ତାରିଖ କିମ୍ବା ସପ୍ତାହରେ ସେ ଆସିବାର ସମ୍ଭାବନା ଅଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ ନ ଥିଲା। ଡି.ଏସ୍.ପି. ସାର ନିମ୍ନ ପ୍ରକାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମକୁ ବୁଝାଇଥିଲେ। ସେ ସମୟରେ ସେଲ୍ ଫୋନ୍ କିମ୍ବା ଏସ୍.ଟି.ଡି. ମଧ୍ୟ ନ ଥିଲା। ରାଜ୍ୟ ରାଜ୍ୟ ଭିତରେ କୌଣସି ପ୍ରକାରର ଜରୁରୀ ସୂଚନା କେବଳ ବେତାରରେ ଏଚ୍.ଏଫ.(ହାଇ ଫ୍ରିକ୍ୟୁଏନ୍ସି) ମାଧ୍ୟମରେ ହେଉଥିଲା। ସେ ସମ୍ବନ୍ଧରେ ଯାହା କିଛି ଅଧିକ ଖବର ସଂଗ୍ରହ କରୁଥିଲେ ଜଣାଇବା ଆଗରୁ ଗୋପନ ରଖିବାକୁ ଆମକୁ ତାଗିଦ୍ କରୁଥିଲେ। ସେ କହିଥିଲେ “ଯାହା କିଛି ଖବର ମୋ ପାଖରେ ଅଛି ତୁମମାନଙ୍କୁ ଜଣାଇ ଦେଉଛି, ଆସନ୍ତା ଜୁନ୍ ମାସରେ ଅନେକ ଡକାୟତ ମଧ୍ୟପ୍ରଦେଶ ସରକାରଙ୍କ ପାଖରେ ଆତ୍ମସମର୍ପଣ କରିବେ। ସେମାନଙ୍କ ମଧ୍ୟରୁ ଖୁବ୍ ସମ୍ଭବ ଦୁଇଜଣ ଯାହାଙ୍କ ନାଁ ବଳବନ୍ତ ସିଂ ତୋମାର ଓ ମାଲଖାନ୍ ସିଂ ହେଉଛି ଅନ୍ୟତମ। ଏ ଦୁଇ ଜଣ ଡକାୟତ ସବୁଠାରୁ ଅଧିକ ଦୁର୍ଦ୍ଦାନ୍ତ ଓ ଭୟଙ୍କର। ଯେହେତୁ ସେମାନେ ଆତ୍ମସମର୍ପଣ ଆଗରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଯିବେ, ଆମକୁ ସତର୍କ ରହିବାକୁ ପଡିବ। ସେମାନଙ୍କ ପାଖରେ ଅତ୍ୟାଧୁନିକ ମାରଣାସ୍ତ୍ର ଥିବାର ବହୁତ ସମ୍ଭାବନା। ଏମାନଙ୍କ ମଧ୍ୟରୁ ବଳୱନ୍ତ ସିଂ ତୋମାରଙ୍କ ଚେହେରା ସାଧାରଣ ଓ ମାଲଖାନ୍ ସିଂଙ୍କର ଉଚ୍ଚତା ପ୍ରାୟ ଛଅ ଫୁଟ। ଉଲ୍ଲେଖଯୋଗ୍ୟ ହେଉଛି ତାଙ୍କର ଅନ୍ତର୍ଭେଦୀ ଦୃଷ୍ଟି ଓ ହ୍ୟାଣ୍ଡଲବାର ନିଶ। ତାଙ୍କ ନାମରେ ପ୍ରାୟ ୧୦୦ଟି ହତ୍ୟା, ଅପହରଣ ଓ ଡକାୟତ ମକଦ୍ଦମା ହୋଇ ସାରିଛି।
ଓଡ଼ିଆରେ କହିଲେ, ସେ ନିଶ ଗାଲ ପର୍ଯ୍ୟନ୍ତ ବଢ଼ି କାନତଳ ପର୍ଯ୍ୟନ୍ତ ବଢ଼ିଯାଇଥାଏ। ଆଉ ଗୋଟିଏ କଥା, ସେ ଡକାୟତ ଯଦି ଆସନ୍ତି, ତା’ହେଲେ ତାଙ୍କ ପାଇଁ ପୁରୀ ଠାରୁ ନୂଆଦିଲ୍ଲୀ ଯାଉଥିବା ଉତ୍କଳ ଏକ୍ସପ୍ରେସ ଟ୍ରେନ୍ଟି ବହୁତ ସୁବିଧାଜନକ। କାରଣ ଏହା ନୂଆଦିଲ୍ଲୀରୁ ପୁରୀ ଆସିବା ବେଳେ, ଚମ୍ବଲ ଭିତରେ ପଶି ଆସେ। ଚମ୍ବଲ ଇଲାକାକୁ ଲାଗିଥିବା ଗୋଆଲିୟର ଷ୍ଟେସନରେ ବେଶ୍ କିଛି ସମୟ ରହେ। ଅନ୍ୟାନ୍ୟ ରାସ୍ତା ଅପେକ୍ଷା ଉତ୍କଳ ଏକ୍ସପ୍ରେସ ଟ୍ରେନ୍ରେ ସେମାନେ ଆସିବାର ସମ୍ଭାବନା ଟିକେ ବେଶି। ଏହା ସିଧାସଳଖ ଚମ୍ବଲ ଅଞ୍ଚଳରୁ ପୁରୀ ସହିତ ସଂଯୁକ୍ତ। ଆମକୁ ଷ୍ଟେସନ୍କୁ ଯାଇ ଉତ୍କଳ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ଆଣୁଥିବା ଧୂଳିଆ ଗୁମାସ୍ତାମାନଙ୍କୁ ବିଶ୍ୱାସକୁ ନେଇ ଏ ସମ୍ବନ୍ଧରେ ଖବର ସଂଗ୍ରହ କରିବାକୁ ହେବ। ଏହାଛଡା ଲଜିଂ ଓ ଧର୍ମଶାଳାଗୁଡିକରୁ ମଧ୍ୟ ଖବର ସଂଗ୍ରହ କରିବାକୁ ଆମକୁ କୁହାଯାଇଥିଲା। ପୁରୀ ବସ୍ଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ପ୍ରତି ଜଣେ ଜଣେ ଅଫିସର ଓ ଦୁଇ ଜଣ କନେଷ୍ଟବଳଙ୍କୁ ଦାୟିତ୍ୱ ଦିଆଗଲା। ପୁରୀ ସହରର ପ୍ରତ୍ୟେକ ଲଜିଂ ଓ ଧର୍ମଶାଳାକୁ ଯାଞ୍ଚ କରିବା ପାଇଁ ଦୁଇଜଣ ଅଫିସର୍ ଓ ଚାରିଜଣ କନେଷ୍ଟବଳଙ୍କୁ ନିଯୁକ୍ତ କରାଯାଇଥିଲା। ଏସବୁ କାମ ଆମେ ସାଦା ପୋଷାକରେ କରୁଥିଲୁ।
ଅତି କଷ୍ଟକର
ଏହି କାମଟି ଆରମ୍ଭରୁ ଆମକୁ ଯେତେ ସହଜ ମନେ ହେଉଥିଲା ପ୍ରକୃତରେ ଦିନ ପରେ ଦିନ ଗଡି ଗଲା ପରେ ଅତି କଷ୍ଟକର ମନେ ହେଉଥିଲା। ସବୁଦିନ ପୁରୀ ସହରକୁ ବସ୍ ଓ ଟ୍ରେନ୍ରେ ହଜାର ହଜାର ଯାତ୍ରୀ ଆସନ୍ତି ଓ ଯାଆନ୍ତି, ତା’ ଭିତରେ ଏପରି ଜଣେ ଡକାୟତ ପୁରୀ ଆସିବା ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଚାଲିଯିବା ସମ୍ବନ୍ଧରେ ସଠିକ୍ ଖବର ନେବା ଏକ ପ୍ରକାରର ଅସମ୍ଭବ ମନେ ହେଉଥିଲା। ୟା ମଧ୍ୟରେ ଆମେ ପ୍ରାୟ ଶତାଧିକ ଧୂଳିଆ ଗୁମାସ୍ତା ଓ ଯାତ୍ରୀ ଗୁମାସ୍ତାଙ୍କୁ ପଚରାଉଚରା କରିସାରିଥିଲୁ। ପୁରୀର ରେଲୱେ ଷ୍ଟେସନରେ ଅନୁସନ୍ଧାନ ଓ ଖବର ସଂଗ୍ରହ ଦାୟିତ୍ୱରେ ମୁଁ ଥିଲି। ପାଞ୍ଚ, ଛଅ ଦିନ ବିତିଯାଇ ଜୁନ୍ ମାସ ଆରମ୍ଭ ହେବାକୁ ଯାଉଥିଲା। କୌଣସି ଖବର ନ ଥିଲା। ସବୁଦିନ ପରି ଆମେ ଡି.ଏସ୍.ପି. ସାହେବଙ୍କ ଅଫିସରେ ଦିନ ଦଶଟା ସମୟରେ ପହଞ୍ôଚ ତାଙ୍କୁ ସଂଗୃହୀତ ଖବର ସମ୍ପର୍କରେ ଜଣାଉଥିଲୁ। ସେଦିନ ବୋଧହୁଏ ମେ ମାସର ଶେଷ ତାରିଖ ଥିଲା। ଆମମାନଙ୍କଠାରୁ କୌଣସି ବିଶେଷ ଖବର ନ ପାଇ ଡି.ଏସ୍.ପି. ଚିନ୍ତିତ ଦେଖାଯାଉଥିଲେ। ତାଙ୍କ ଅଫିସରେ ଲାଗିଥିବା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରକୁ ଯୋଡ଼ହସ୍ତରେ ପ୍ରଣାମ ଜଣାଇ ଆଗକୁ କହିଲେ, “ଆଜି ମେ ମାସର ଶେଷ ତାରିଖ କାଲିଠାରୁ ଜୁନ୍ ମାସ ଆରମ୍ଭ ହୋଇଯିବ, ଯଦି କୌଣସି ଡକାୟତ ବଡଦେଉଳକୁ ଠାକୁରଙ୍କ ଦର୍ଶନ ପାଇଁ ଆସିଥିବ ତା’ ହେଲେ ଆଜି ଜଣାପଡିଯିବ। ନ ହେଲେ ସେ ଏମିତି ବି ଜୁନ୍ ମାସରେ ଆତ୍ମସମର୍ପଣ କରିବ, ତେଣୁ କାଲିଠାରୁ ଆମେ ତାକୁ ଖୋଜିବା କିମ୍ବା ତା’ ସମ୍ବନ୍ଧରେ ଖବର ସଂଗ୍ରହ କରିବା ନିରର୍ଥକ।” ଆମେ ଡି.ଏସ୍.ପି. ସାହେବଙ୍କର କଥାର ଗୁରୁତ୍ୱ ବୁଝିପାରୁଥିଲୁ। କିନ୍ତୁ ନିରୁପାୟ ଥିଲୁ। ଗତ ଏକ ସପ୍ତାହ ହେଲା ଆମେ ସମସ୍ତେ ଅକ୍ଳାନ୍ତ ପରିଶ୍ରମ କରୁଥିଲୁ। କିନ୍ତୁ ସେ ସମ୍ବନ୍ଧରେ କୌଣସି ଖୋଜ ଖବର ମିଳୁ ନ ଥିଲା। ସେଦିନ ସାରା ଷ୍ଟେସନ ଏରିଆରେ ବୁଲାବୁଲି କରି ଥକ୍କାହୋଇ ସାମନାରେ ଥିବା ଏକ ବରଗଛର ସିମେଣ୍ଟ ଚାନ୍ଦିନୀ ଉପରେ ବସିଛି, ଏତିକିବେଳେ ଜଣେ ଯାତ୍ରୀ ଗୁମାସ୍ତା ଆସି ମତେ ଅଭିବାଦନ କରି ପଚାରିଲେ-, “କ’ଣ ଆଜ୍ଞା କିଛି ଖବର ପାଇଲେ?”
“ନାଁ ବର୍ତ୍ତମାନ ପର୍ଯ୍ୟନ୍ତ ବି କୌଣସି ଖବର ନାହିଁ।”
“ମୋ ସାଙ୍ଗରେ ଟିକେ ଆସନ୍ତୁ”। ନିମ୍ନ ସ୍ୱରରେ ଏକଥା କହି ତାଙ୍କ ପଛେ ପଛେ ମତେ ଯିବା ପାଇଁ ସଂକେତ ଦେଇଥିଲେ। ଷ୍ଟେସନଠାରୁ କେତେ ଶହ ମିଟର ଦୂର ପରେ ଗୋଟିଏ ଅପେକ୍ଷାକୃତ ନିରୋଳା ସ୍ଥାନରେ ରାସ୍ତା କଡରେ ଠିଆ କରାଇ ପାଖରେ ଥିବା ଗୋଟିଏ ଛୋଟ ଚାହା ଦୋକାନକୁ ଗଲେ। ଫେରିଲାବେଳେ ତାଙ୍କ ସାଙ୍ଗରେ ଜଣେ ବେଶ୍ ହୃଷ୍ଟପୁଷ୍ଟ ଲୋକ ଥିଲେ। ତାକୁ ଦେଖାଇ ମତେ କହିଲେ, “ଆଜ୍ଞା ଏ ହେଉଛି ଶିବ ଖୁଣ୍ଟିଆ, ଇଏ ଉତ୍କଳ ଏକ୍ସପ୍ରେସ୍ର ଯାତ୍ରୀମାନଙ୍କୁ ଷ୍ଟେସନରୁ ଶ୍ରୀମନ୍ଦିର ନିଆଅଣା କରେ। ଅନ୍ୟମାନଙ୍କ ସାଙ୍ଗରେ ମିଶି ଧୂଳିଆ ଗୁମାସ୍ତା କାମ କରେ। ଆପଣ କହିଥିବା ବିଷୟରେ ମୁଁ ତା’ ସାଙ୍ଗରେ କଥାବାର୍ତ୍ତା କରିଥିଲି। ସେ ବିଷୟରେ ସେ ଆପଣଙ୍କୁ କିଛି କହିବାକୁ ଚାହୁଁଛି।” ମୁଁ ସେ ଲୋକଟିକୁ ନିରୀକ୍ଷଣ କଲି। ସେ ବୋଧହୁଏ ପୁରୀ ଜାଗା ଘରେ କୁସ୍ତି କସରତ କଲା ପରି ମତେ ମନେ ହେଲା। ବେଶ୍ ମାଂସପେଶୀ ବହୁଳ ଶକ୍ତ ଶରୀର। ତା’ର ମୁଖଭଙ୍ଗୀ ଦେଖି ମତେ ଲାଗିଲା ଯେ ସେ ଟିକେ ଭୟଭୀତ ହୋଇଯାଇଛି। ମୁଁ ତା’ର ଅତି ନିକଟକୁ ଯାଇ ନରମ ସ୍ୱରରେ ତାକୁ କହିଲି, “ତମେ ଭୟ କରିବାର କୌଣସି କାରଣ ନାହିଁ। ଏ କଥା ତୁମେ ଓ ମୋ ଛଡା ଆଉ କେହି ଜାଣିପାରିବେ ନାହିଁ। ତା’ଛଡା ତୁମର ନାଁ ମୁଁ ଅନ୍ୟ କେଉଁଠି କହିବି ନାହିଁ। ତୁମେ ନିର୍ଭୟରେ ମତେ ସମସ୍ତ କଥା କହିପାର।”
ଗୋପନ ସମ୍ବାଦଦାତା
ଆମ ସାଙ୍ଗରେ ଜିଲ୍ଲା ଡି.ଆଇ.ଜି.ର ଜଣେ କନେଷ୍ଟବଳ ଥିଲା। ସାଧାରଣତଃ ଅପରାଧ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ସଂଗ୍ରହ କରିବାକୁ ହେଲେ ସେହି ସମ୍ବାଦଦାତାକୁ କିଛି ଆର୍ଥିକ ପ୍ରୋତ୍ସାହନର ସରକାରୀ ବ୍ୟବସ୍ଥା ଥାଏ। ମୋ ଇଙ୍ଗିତରେ ସେ ଡି.ଆଇ. କନେଷ୍ଟବଳ କେତୋଟି ନୋଟ ଶିବ ଖୁଣ୍ଟିଆକୁ ଦେଇଥିଲେ। ନୋଟଗୁଡିକୁ ପରଖି, ଗଣି ଅଣ୍ଟିରେ ସୁରକ୍ଷିତ ଭାବରେ ଖୋସି ଶିବ ଖୁଣ୍ଟିଆ ଗୋଟିଏ ଛୋଟିଆ ଦୀର୍ଘ ନିଃଶ୍ୱାସ ନେଇ ତାଙ୍କର ବୟାନ ଆରମ୍ଭ କରିଥିଲେ। ସେ କିଛି କହିବା ଆଗରୁ ମୁଁ ତାଙ୍କୁ ସ୍ପଷ୍ଟ କରିଥିଲି ଯେ, ସେ ଯେତିକି ଜାଣିଛନ୍ତି ତା’ ଯଦି ସତ ବୋଲି ଭାବୁଛନ୍ତି ସେତିକି କହିବା ଉଚିତ। କୌଣସି ପ୍ରକାର ମନଗଢ଼ା ବା ଅତିରଞ୍ଜିତ କଥା କହିବା ଉଚିତ ନୁହେଁ। ସେ କହିଥିଲେ, “ନାଇଁ ସାର ମୁଁ ଆଦୌ ମିଛ କହିବି ନାହିଁ, ଯାହା ମୋ ସାଙ୍ଗରେ ହେଇଛି ମୁଁ କେବଳ ସେତିକି କହୁଛି।” ଏତିକି କହି ସେ ନିଜର ବୟାନ ନିମ୍ନଲିଖିତ ମତେ ଦେଇଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମୁଁ ତାଙ୍କ ବକ୍ତବ୍ୟର ଅବିକଳ ନକଲ ନିମ୍ନରେ ଉଲ୍ଲେଖ କରୁଛି।
“ଆଜ୍ଞା ମୁଁ ଯାତ୍ରୀ ଗୁମାସ୍ତା ଭାବରେ କାମ କରେ। ପୂର୍ବ କାଳରେ ଆମେ ଶ୍ରୀଜଗନ୍ନାଥଙ୍କ ଦର୍ଶନାଭିଳାଷୀମାନଙ୍କ ପାଖକୁ ଯାଇ ଦୂରଦୂରାନ୍ତରୁ ଚାଲି ଚାଲି ଯାଇ ଆଣୁଥିଲୁ। କିନ୍ତୁ ବର୍ତ୍ତମାନ ସବୁ ଆଡକୁ ଟ୍ରେନ ଓ ବସ୍ ଚାଲୁଥିବାରୁ ଲୋକମାନେ ଠାକୁରଙ୍କୁ ସହଜରେ ଦର୍ଶନ କରିପାରୁଛନ୍ତି। ମୁଁ ଓ ଅନ୍ୟ କେତେଜଣ ଯାତ୍ରୀ ଗୁମାସ୍ତା ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ଡାକି ସାଙ୍ଗରେ ଆଣି ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରାଇଥାଉ। ସେମାନଙ୍କୁ ପୁରୀ ସହରରେ ଧର୍ମଶାଳା ବା ହୋଟେଲରେ ରହିବା ବ୍ୟବସ୍ଥା କରାଇଥାଉ। ସବୁଦିନ ଦିଲ୍ଲୀରୁ ଆସୁଥିବା ଉତ୍କଳ ଏକ୍ସପ୍ରେସ୍କୁ ଷ୍ଟେସନରେ ଲାଗିବା ମାତ୍ରେ ଗହଳି ଚହଳି ବଢ଼ିଯାଏ। ଯାତ୍ରୀମାନଙ୍କ ପାଖକୁ ଯାଇ ଧାଁଧପଡ କରି ତାଙ୍କୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରିଥାଉ। ଏଠି ଆମେ ପ୍ରତ୍ୟେକ ଯାତ୍ରୀ ଗୁମାସ୍ତାମାନେ ଷ୍ଟେସନ ସାମ୍ନାରେ ତିନି ଚାରିଟା ରିକ୍ସା ଯୋଗାଡ କରି ରଖିଥାଉ। ଯାତ୍ରୀମାନଙ୍କୁ ଡକାହକା କରି ରିକ୍ସାରେ ବସାଉ ବସାଉ ଭିଡ ଧୀରେ ଧୀରେ କମିଯାଏ ଓ ଆମେ ଯେ ଯାହାର ଯାତ୍ରୀ ବସିଥିବା ରିକ୍ସାମାନଙ୍କ ସହିତ ବଡଦାଣ୍ଡ ମଧ୍ୟରେ ପ୍ରବେଶ କରୁ। ବେଳେବେଳେ ଯେଉଁଦିନ ଅଧିକ ଭିଡ ଥାଏ, ଯାତ୍ରୀମାନଙ୍କୁ ନିଜ ଅକ୍ତିଆରକୁ ନେବା ପାଇଁ ଆମ ଗୁମାସ୍ତାମାନଙ୍କ ଭିତରେ ମଧ୍ୟ ପାଟିତୁଣ୍ଡ ଓ ସାମାନ୍ୟ ହାତାହାତି ମଧ୍ୟ ହୋଇଯାଇଥାଏ। ତେବେ ଏଇଟା ସେଇ ସମୟ ପାଇଁ, ତା’ର ପର ମୁହୂର୍ତ୍ତରେ ଆମେ ମିଶିଯାଇଥାଉ। ଏବେ ଘଟଣାଟି କହୁଛି। ତାରିଖ ମୋର ସଠିକ୍ ମନେ ନାହିଁ। ପ୍ରାୟ ଦଶବାର ଦିନ ହେବ, ମୁଁ ଯାତ୍ରୀମାନଙ୍କର ଆଗମନ ପାଇଁ ଉତ୍କଳ ଏକ୍ସପ୍ରେସକୁ ଅପେକ୍ଷା କରିଥାଏ। ଆମ ସମସ୍ତଙ୍କ ରିକ୍ସାଗୁଡିକ ଆଗପଛ ହୋଇ ଗୋଟିଏ ଧାଡିରେ ଷ୍ଟେସନ ଆଗରେ ଥାଏ। ମୋ ପାଖରେ ଥିବା ରିକ୍ସା ତୁଳନାରେ ମୋର ଯାତ୍ରୀ ସଂଖ୍ୟା ଅଧିକା ହୋଇଥିବାରୁ, ମୋର ଗୋଟିଏ ରିକ୍ସାରେ ଯାତ୍ରୀମାନଙ୍କୁ ଧର୍ମଶାଳା ପଠାଇ ତୁରନ୍ତ ଷ୍ଟେସନକୁ ଆସି ମୋର ଅନ୍ୟ ଯାତ୍ରୀମାନଙ୍କୁ ନେବାକୁ ମୁଁ ବହୁତ ବ୍ୟସ୍ତ ଥିଲି। ମୋ ରିକ୍ସା ଆଗରେ ଆଉ ଗୋଟିଏ ରିକ୍ସାରେ ଯାତ୍ରୀ ଓ ତାଙ୍କର ସାମାନ୍ ରଖି ସାରିଥିଲେ ମଧ୍ୟ ସେ ମୋ ରିକ୍ସାକୁ ଆଗକୁ ଯିବାକୁ ଦେଉ ନ ଥିଲା। ମୁଁ ରାଗି କି ଦୌଡି ଆସି ସେଇ ଆଗରେ ଥିବା ରିକ୍ସାବାଲାକୁ ଆମ ପୁରୀ ବୋଲିରେ କାହିଁକି ଆଗକୁ ଯାଉନାହୁଁ ବୋଲି ଗାଳି କରି ପଚାରିଥିଲି। ସେ ରିକ୍ସାବାଲା ରିକ୍ସାରେ ବସିଥିବା ଲୋକକୁ ଦେଖାଇ କହିଲା “ପାସେଞ୍ଜର ଅପେକ୍ଷା କରିବାକୁ କହିଛନ୍ତି।”
ରିକ୍ସାବାଲାକୁ ଚାପୁଡ଼ା
ମୁଁ ରାଗରେ ପଚାରିଥିଲି। “କାହିଁକି ଅଟକିଛୁ, ସିଏ କ’ଣ ଇନ୍ଦ୍ର?” ଏତିକି କହି ଧମକ ଦେଲି ତୁରନ୍ତ ଆଗକୁ ଚାଲ ମୋର ଯାତ୍ରୀମାନେ ବି ପଛ ରିକ୍ସାରେ ଅଛନ୍ତି। ଜଲ୍ଦି ବାଟ ଛାଡ। ସେ ମନେ ଅନାଇ ହାତ ହଲାଇ ମନା କଲା, ମୁଁ ତ କହୁଛି ଆଜ୍ଞା ଏଥର ମୋ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ମୁଁ ଆଗକୁ ମାଡିଯାଇ ରିକ୍ସାବାଲାକୁ ଠୋ କରି ଗୋଟିଏ ଚାପୁଡା କଷି ଦେଲି। ଆଜ୍ଞା ତା’ପରେ ଯାହା ଘଟିଲା, ମୁଁ ଜୀବନରେ କେବେ ଭୁଲିପାରିବି ନାହିଁ। ସେ ରିକ୍ସାରେ ମୁଣ୍ଡରୁ ଅଣ୍ଟା ପର୍ଯ୍ୟନ୍ତ ଗୋଟିଏ ଚାଦର ଘୋଡେଇ ହୋଇ ଲୋକଟିଏ ବସିଥିଲା। ମୁଁ ତା’ ରିକ୍ସାବାଲାକୁ ଚାପୁଡା ମାରିବା ଦେଖି ସେ ତଳକୁ ଡେଇଁ ପଡିଲା। ମୁଁ ଚାହିଁଥିଲି। ପାଞ୍ଚ ହାତ ମର୍ଦ୍ଦ ଆଜ୍ଞା, ତା’ର ନାକକୁ ଛାଡି ପୂରା ମୁହଁକୁ ଢାଙ୍କିଥିବା ଚାଦରକୁ କାଢ଼ିବାରେ ସେପରି ଭୟଙ୍କର ମୁହଁ ମୁଁ ଆଗରୁ କେବେ ଦେଖି ନ ଥିଲି। ନାକତଳର ମୋଟା ନିଶ ଦୁଇ ପଟକୁ ବଢ଼ି ଗାଲ ପର୍ଯ୍ୟନ୍ତ ଉପରକୁ ମୋଡି ହୋଇଛି। ଆଉ ଆଖି ଦିଟା କଥା କ’ଣ କହିବି ଆଜ୍ଞା, ଯେମିତି ନିଆଁଝୁଲ ଖସୁଛି। ମତେ ଚାହିଁ ହିନ୍ଦୀରେ କ’ଣ କହିଲା ମୁଁ ପୂରା ବୁଝି ପାରିଲି ନାହିଁ। ମୋର ସର୍ବାଙ୍ଗ ଶରୀର ଥରିବାକୁ ଲାଗିଲା। ମୁଁ ଯାହା ବୁଝିଲି ସେ ବୋଧହୁଏ ମତେ କହିଲା “ଏ ପିଲା! ତୁ ଏ ଗରିବ ଓ ମଜଦୁର ରିକ୍ସାବାଲା ଉପରେ ହାତ ଉଠାଇବାକୁ ସାହସ କଲୁ କେମିତି? ତୋ ଭାଗ୍ୟ ଭଲ ଯେ, ଏ ସବୁ ମୋ ଆଗରେ ଘଟିଥିଲେ ମଧ୍ୟ ମୁଁ ଚୁପ ହୋଇ ରହିବାକୁ ବାଧ୍ୟ ହେଉଛି।” ଜଣେ ବାହାର ଲୋକଠାରୁ ଏ କଥା ଶୁଣି ଆମେ (ମୁଁ) ଚୁପ୍ ରହିବା ଲୋକ ନୁହେଁ ଆଜ୍ଞା। ତାକୁ ଠିକ୍ ଜବାବ୍ ଦେବାକୁ ପ୍ରସ୍ତୁତ ହେଲି। କିନ୍ତୁ ତାକୁ ଆଉ ଥରେ ଚାହିଁବା ମାତ୍ରେ ମୋର ତଣ୍ଟି ଶୁଖିଗଲା। କିଛି ଶବ୍ଦ ବାହାରିଲା ନାହିଁ। ମୁଁ ଭୟରେ ସେଠାରୁ ମୋ ଯାତ୍ରୀମାନଙ୍କୁ ଧରି ପଳାଇ ଆସିଥିଲି। ମୁଁ ବିଭିନ୍ନ ପ୍ରକାର ହଜାର ହଜାର ଯାତ୍ରୀଙ୍କୁ ଆଣି ଠାକୁର ଦର୍ଶନ କରାଉଛି କିନ୍ତୁ ଏପରି ଭୟଙ୍କର ମୁହଁ ଓ ଆଖି ମୁଁ ଆଗରୁ କେବେ ଦେଖି ନ ଥିଲି। ଆପଣ ଯାହାକୁ ଖୋଜୁଛନ୍ତି ସେ ହିଁ ନିଶ୍ଚିତ ହୋଇଥିବ।”
ଶିବ ଖୁଣ୍ଟିଆଙ୍କର ବୟାନକୁ ମୁଁ ବି ଗଭୀର ଭାବରେ ଯତ୍ନର ସହିତ ଲିପିବଦ୍ଧ କରିଥିଲି। ଏତେଦିନ ହେବ କୌଣସି ଖବର ନ ଥିଲା। ବର୍ତ୍ତମାନ ଶିବ ଖୁଣ୍ଟିଆଙ୍କଠାରୁ କିଛି ଖବର ମିଳିବା ପରେ ଆମେ ସାମାନ୍ୟ ଉତ୍ସାହିତ ଥିଲୁ। ଲଜିଂ ଓ ହୋଟେଲର ଯାଞ୍ଚ ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ଖବର ଏବଂ ଶାରୀରିକ ଗଠନ ଏବଂ ନିଶ ଇତ୍ୟାଦିର ବିଶେଷତ୍ୱ ଜଣାଇଥିଲୁ ଏବଂ ଏହାକୁ ଆଖି ଆଗରେ ରଖି ଅଧିକ ଖବର ସଂଗ୍ରହ କରିବାକୁ କୁହାଯାଇଥିଲା।
ଦୁଇଦିନ ପରେ ଏ ସଂକ୍ରାନ୍ତରେ ପୁରୀର ଗୋଟିଏ ଧର୍ମଶାଳାରୁ ଏକ ଚମକପ୍ରଦ ଖବର ମିଳିଥିଲା। ଧର୍ମଶାଳାର ମ୍ୟାନେଜର ବିଜୟ ସିଂ, ଯାହାଙ୍କର ଘର ମଧ୍ୟପ୍ରଦେଶରେ ତାଙ୍କର ବୟାନ ଏ ସମ୍ବନ୍ଧରେ ଲିପିବଦ୍ଧ କରାଯାଇଥିଲା। ତା’ର ସାରାଂଶ ନିମ୍ନମତେ ଥିଲା।
ମୋର ନାମ ବିଜୟ ସିଂ। ମୁଁ ପୁରୀର ମନ୍ଦିର ନିକଟସ୍ଥ ଏହି ଧର୍ମଶାଳାରେ ବିଗତ ପ୍ରାୟ କୋଡିଏ ବର୍ଷ ହେଲା ମ୍ୟାନେଜର ଭାବେ କାମ କରି ଆସୁଛି। ବିଗତ ଦଶ ଦିନ ତଳେ ଉତ୍ତର ଭାରତର ତିନିଜଣ ଲୋକ ଆସି ମତେ ଧର୍ମଶାଳାରେ ଗୋଟିଏ କୋଠରି ଦେବାକୁ ଅନୁରୋଧ କରିଥିଲେ। ଆମେ ପ୍ରାୟ ଦଶଜଣ ଲୋକଙ୍କୁ ଗୋଟିଏ କୋଠରି ଦେଇଥାଉ କିନ୍ତୁ ସେମାନେ ତିନିଜଣ ଆଉ କାହା ସାଙ୍ଗରେ ରହିବାକୁ ଆଦୌ ରାଜି ନ ହେବାରୁ ବାଧ୍ୟ ହୋଇ ମୁଁ ତାଙ୍କୁ ଅପେକ୍ଷାକୃତ ଗୋଟିଏ ଛୋଟ କୋଠରି ଦେଇଥିଲି। ସେମାନେ କେଉଁ ହୋଟେଲରେ ଉତ୍ତର ଭାରତୀୟ ଖାଦ୍ୟ ପାଇବେ ସବୁ ମୁଁ ତାଙ୍କୁ କହିଥିଲି। କିନ୍ତୁ ସେମାନେ ସାଙ୍ଗରେ “ଡିବିରି” କିରାସିନରେ ଜଳୁଥିବା ଚୁଲି ଆଣିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବେଶ୍ ଭଲ ଓ ଏମାନଙ୍କର ନେତା ବା ଗୁରୁଜନ ଭଳି ଜଣାପଡୁଥିଲେ। ସେ ସବୁବେଳେ ନିଜର ମୁହଁ ତଥା ଦେହର ଅଧିକାଂଶ ଅଂଶ ଚାଦରରେ ଘୋଡାଇ ରଖୁଥିଲେ। ସେ କାହା ସାଙ୍ଗରେ କିଛି କଥାବାର୍ତ୍ତା କରୁ ନ ଥିଲେ। ଯେଉଁଦିନ ସେମାନେ ପହଞ୍ଚିଲେ ସେଦିନ ମଧ୍ୟାହ୍ନରେ ଚୁଲି ଲଗାଇ ରୁଟି ପ୍ରସ୍ତୁତ କରୁଥିଲେ। ଦୁଇ ହାତରେ ପିଟି ରୁଟି କରି ତାକୁ ପିତ୍ତଳ ବେଲାରେ ଥିବା ଗରମ ଘିଅରେ ବୁଡାଇ ତାଙ୍କ ନେତାକୁ ଦେଉଥିଲେ। ଆଳୁ, ବାଇଗଣ ଛୁଙ୍କ ସହିତ ଶୁଦ୍ଧ ଘିଅର ଏତେ ବାସ୍ନା କେଉଁଠୁ ଆସୁଛି ବୋଲି ମୁଁ ଯାଇ ତାଙ୍କ କୋଠରି ଦ୍ୱାରରେ ପହଂଚିଥିଲି। ରୁଟି ଖାଉଥିବା ଲୋକର ଅନାବୃତ ମୁହଁକୁ ପ୍ରଥମ ଥର ପାଇଁ ଦେଖିଲି। ତା’ର ଜଳନ୍ତା ଆଖି ଓ ବାଘପରି ମୁହଁ ଦେଖି ମତେ ଛାନିଆ ଲାଗିଥିଲା। ମୋର ମାମୁଘର ଗୋଆଲିୟର। ସେଠିକି ବୁଲି ଗଲାବେଳେ ମୁଁ ଦେଖିଥିଲି ଚମ୍ବଲ ଡକାୟତଙ୍କ ନେତାମାନେ କାଳେ ଏପରି ନିଶ ରଖନ୍ତି।
ମଧ୍ୟପ୍ରଦେଶକୁ ବାର୍ତ୍ତା
କିଛି ଦିନ ପରେ ଆମେ ମଧ୍ୟପ୍ରଦେଶ ପୁଲିସକୁ ନିମ୍ନମତେ ଗୋଟିଏ କ୍ଷୁଦ୍ର ଓ ତଥ୍ୟଭିତ୍ତିକ ବେତାର ବାର୍ତ୍ତା ପଠାଇଥିଲୁ। “ଆପଣଙ୍କ ଚିଠି ଅନୁସାରେ ପୁରୀ ସହରକୁ ଚମ୍ବଲ ଡକାୟତ ଆସିଛନ୍ତି କି ନାହିଁ, ସେ ସମ୍ବନ୍ଧରେ ବିଶେଷ ଅନୁସନ୍ଧାନ କରାଗଲା। ବିଶେଷ ଯାଞ୍ଚରୁ ଜଣାଗଲା ସମ୍ଭବତଃ ଜଣେ ଚମ୍ବଲ ଡକାୟତ ତାଙ୍କର ଦୁଇଜଣ ସାଥୀଙ୍କ ସହ ପ୍ରାୟ ଦଶ, ଏଗାର ଦିନ ଆଗରୁ ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିଯାଇଛନ୍ତି। ସମ୍ଭବତଃ ସେମାନେ ଆତ୍ମସମର୍ପଣ କରିପାରନ୍ତି।” (ବାର୍ତ୍ତା ସମାପ୍ତ)
ଏ ଚିଠି ଯିବାର ପ୍ରାୟ ଦୁଇ ସପ୍ତାହ ପରେ ମଧ୍ୟପ୍ରଦେଶ ପୁଲିସଠାରୁ ଚିଠି ଆସିଥିଲା, “ଗତ ଜୁନ୍ ୧୫ ତାରିଖରେ ଡକାୟତଙ୍କ ନେତା ମାଲଖାନ ସିଂ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ସମ୍ମୁଖରେ ପ୍ରାୟ ତିରିଶ ହଜାର ଲୋକଙ୍କ ଉପସ୍ଥିତିରେ ନିଜର ସାଥୀମାନଙ୍କ ସହିତ ଆତ୍ମସମର୍ପଣ କରିଛନ୍ତି। ଆମ ଅନୁରୋଧରେ ଯାଞ୍ଚ କରିଥିବାରୁ ଧନ୍ୟବାଦ। ଏହା ସହିତ ଗୋଟିଏ ହିନ୍ଦୀ ସମ୍ବାଦରେ ପ୍ରକାଶିତ ଫଟୋଚିତ୍ର ମଧ୍ୟ ପଠାଇଥିଲେ। କୌତୂହଳବଶତଃ ଆମେ ଶିବ ଖୁଣ୍ଟିଆଙ୍କୁ ସେ ସମ୍ବାଦପତ୍ରରେ ପ୍ରକାଶିତ ଡକାୟତଙ୍କ ଫଟୋଚିତ୍ର ଦେଖାଇଥିଲୁ। ଫଟୋ ବେଶ୍ ସ୍ପଷ୍ଟ ଥିଲା। ଶିବ ଖୁଣ୍ଟିଆ ସେ ଫଟୋ ଦେଖି ହତବମ୍ବ ହୋଇ କହିଲେ, ଇଏ ସେଇ ତ ଆଜ୍ଞା, ୟାର ଫଟୋ କେମିତି ଉଠିଲା? ମୁଁ କିଛି କହିବା ଆଗରୁ ଆମର ଡି.ଆଇ. ଷ୍ଟାଫ କହିଥିଲେ “ସରେଣ୍ଡର”।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ମାର୍ଚ୍ଚ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
Very gripping memoir.
A real live story narrated by a dutybound officer in such an expressing language ,touched my heart.The writer needs recognition in Odia literature. It may also be published in other magazines with his permission.
ଶବ୍ଦ ବହୁତ ସରଳ l ବିଷୟ ବହୁତ ରୋମାଞ୍ଚମୟ l ସାହିତ୍ୟ ଗମ୍ଭୀର, ସେ ଡକାୟତର ମୁହଁ ଭଳି ଯାହା ଅବର୍ଣ୍ଣନୀୟ l ଧନ୍ୟବାଦ ଲେଖକଙ୍କୁ l
Amazing experience Sir
ସବୁ ସେଇ କାଳିଆ ର ଇଚ୍ଛା
As because of sincerity in such type of work
blessings of Almighty always upon you.
Thanks Sir Namaste