ଆଜିର ପରିସ୍ଥିତିରେ ବଜାର ଚାହିଦା ଓ ପାଠକୀୟ ଆଦରର ମୂଲ୍ୟାୟନ କରିବା ସତରେ କଷ୍ଟକର।
ମୋର ପରିଚୟ ଜଣେ ସାଧାରଣ ଓଡ଼ିଆ ଭାବରେ। ସରକାରୀ ଚାକିରିରୁ ଅବସର ନେଇସାରିଛି। ବୟସର ଅପରାହ୍ନରେ ପହଞ୍ଚିଲିଣି। କାଳେ ଭଲପାଠ ପଢ଼ୁଥିଲି ବୋଲି ଆମ ସାର୍ମାନେ କହୁଥିଲେ। ପାଠ ବହି ଛଡା କାହାଣୀ, କବିତା, ଗଳ୍ପ ଓ ଉପନ୍ୟାସ କିଛିକିଛି ପଢ଼ିଛି, ଉଭୟ ଓଡ଼ିଆ ଓ ଇଂରାଜୀରେ। ତେବେ ସେ କ୍ଷେତ୍ରରେ ବ୍ୟାପକ ଅନୁଭୂତି ନାହିଁ। ଓଡ଼ିଆ ସାହିତ୍ୟର କ୍ରମବିକାଶ, ଉତ୍କର୍ଷ ଓ ଅପକର୍ଷ ବିଷୟରେ ବିଶେଷ ଅନୁଶୀଳନ ନାହିଁ। ସାହିତ୍ୟ କହିଲେ କ’ଣ ବୁଝ ବୋଲି ଯଦି କିଏ ପଚାରେ ତେବେ ସ୍କୁଲ କଲେଜ ସାହିତ୍ୟ ବହି ଛଡା ଅଳ୍ପ କିଛି କିଛି ଉପନ୍ୟାସ, କାହାଣୀ ବହି ତଥା ସାହିତ୍ୟ ପତ୍ରିକାରେ ଯେତିକି ସାହିତ୍ୟ ପଢିବାକୁ ମିଳିଛି ସେତିକି କହିବି। ହଁ କିଛି ଓଡ଼ିଆ ଓ ଇଂରାଜୀ ଗଳ୍ପ ଉପନ୍ୟାସ ବହି କିଣିଛି ନିଜ ବ୍ୟକ୍ତିଗତ ଲାଇବ୍ରେରୀ ପାଇଁ। ତା’ଛଡା ଓଡ଼ିଶାର ଗୋଟିଏ ଜଣାଶୁଣା ପ୍ରକାଶନ ସଂସ୍ଥାର ସ୍ୱତ୍ୱାଧିକାରୀଙ୍କ ପରିବାରରେ ବିବାହ କରିଥିବାରୁ, ଅନେକ ସାହିତ୍ୟ ବିଷୟକ ନୂଆ ପୁସ୍ତକ ବିନା ଦେୟରେ ମିଳିଯାଉଥିଲା। ଚାକିରି ଜୀବନରେ ଭାରତ ସରକାରଙ୍କ ପୁସ୍ତକ ପ୍ରକାଶନ ବିଭାଗରେ ଅନେକବର୍ଷ ପୁସ୍ତକ ଚୟନ, ସମ୍ପାଦନା ଓ ବିପଣନ ବିଷୟରେ କାର୍ଯ୍ୟ କରିଛି। ତେଣୁ କହିପାରିବି ଯେ ମୋର ବ୍ୟକ୍ତିଗତ ପରିବେଶ ମଧ୍ୟରେ ବହିପଢ଼ା ପାଇଁ ବେଶ ଅଧିକ ଉପାଦାନ ଥିଲା।
କଲେଜ ପଢିବା ସମୟରୁ ପାଠ୍ୟକ୍ରମ ବାହାରୁ ଗଳ୍ପ ଉପନ୍ୟାସ ଆଦି ବହି ପଢିବାର ଅଭ୍ୟାସ ମଧ୍ୟ ଥିଲା। ସୌଖୀନ ପାଠକ ଭାବେ ପରିଚିତ ହେବାକୁ ମୁଁ ଭଲ ପାଉଥିଲି। କ୍ଲାସରେ ସାର୍ଙ୍କୁ ଉତ୍ତର ଦେଲାବେଳେ, ପରୀକ୍ଷା ଖାତାରେ ଲେଖିଲାବେଳେ, ବକ୍ତୃତା ପ୍ରତିଯୋଗିତା ଆଦିରେ ଯୋଗ ଦେଲାବେଳେ ଓ ସାଙ୍ଗସାଥୀରେ କଥାବାର୍ତ୍ତା ହେଲାବେଳେ ମଧ୍ୟ ମୁଁ ପଢିଥିବା ବହି ବା ପତ୍ରିକାରୁ ଉପଯୁକ୍ତ ଉଦାହରଣ ଦେବାକୁ ବହୁ ସଜାଗ ରହୁଥିଲି। ଏ ସବୁ ବ୍ୟକ୍ତିଗତ ବର୍ଣ୍ଣନା କରିବାର ଧୃଷ୍ଟତା ଏଇଥିପାଇଁ କରୁଛି ଯେ, ଆପଣ ଜାଣନ୍ତୁ,ମୋ ପରି ସାଧାରଣ ବୁଦ୍ଧିବୃତ୍ତି ଥିବା ପାଠକଟିଏର ସାହିତ୍ୟ ପ୍ରତି କ’ଣ ଥାଏ ଦୃଷ୍ଟିକୋଣ?
ପାଠକୀୟ ଦୃଷ୍ଟିକୋଣ
ସାହିତ୍ୟ ସଂସ୍କୃତିର ବାହକ। ସାହିତ୍ୟ ପ୍ରତି ଅନେକ କିସମର ଦୃଷ୍ଟିକୋଣ ହୋଇପାରେ। ପ୍ରଥମେ ପାଠକୀୟ ! ପାଠକ, ଯାହାଙ୍କ ପାଇଁ ସାହିତ୍ୟର ରଚନା, ସେମାନେ ତାହାକୁ କିଭଳି ଦେଖନ୍ତି। ବହିଟିଏ, ଗଳ୍ପ ହଉ ବା ଉପନ୍ୟାସ, ପାଠକୀୟ ସ୍ୱୀକୃତି ଲାଭ କଲା ବୋଲି କେମିତି ଜାଣିବ? ବହି ବିକ୍ରି ଗୋଟିଏ ଭଲ ମାନଦଣ୍ଡ ଥିଲା। ଆଜିକାଲି ତ ଓଡିଆ ସାହିତ୍ୟ ବହିର ବଜାରରେ କାଟତି ବହୁତ କମ୍। ପ୍ରକାଶକମାନେ ଅଢେଇ ଶହରୁ ଅଧିକ ଛାପୁ ନାହାନ୍ତି ବୋଧହୁଏ। ଆଜିର ଅତ୍ୟାଧୁନିକ ମୁଦ୍ରଣ ବ୍ୟବସ୍ଥାରେ ଖଣ୍ଡିଏ ବହି ମଧ୍ୟ ଥରକେ ଛପା ହୋଇପାରୁଛି। ଚାହିଦା ପରିମାଣରେ ଛପା ହୋଇପାରୁଛି। ଏହି ନୂତନ ମୁଦ୍ରଣ କୌଶଳର ସୁବିଧା ନେଇ ପ୍ରକାଶକମାନେ ପ୍ରତ୍ୟେକ ଥରର ମୁଦ୍ରଣକୁ ଗୋଟିଏ ଲେଖାଏଁ ନୂତନ ସଂସ୍କରଣ ବୋଲି ଗଣି ଦେଉଛନ୍ତି ! ଦୁଇବର୍ଷରେ ତିନି ଚାରିଟା ସଂସ୍କରଣ ହେଇଯାଉଛି। ବ୍ୟବସାୟୀ ଚାଲ୍!
ତେଣୁ ସାହିତ୍ୟର ପାଠକ-ପ୍ରିୟତା ବୁଝିବାକୁ ସମ୍ପ୍ରତି ବହିବିକ୍ରି ମାନଦଣ୍ଡ ଉପରେ ନିର୍ଭର କରିହେବ ନାହିଁ। ମୁଁ ଗୋଟିଏ ବହି କିଣିବାକୁ କେତେବେଳେ ଚାହିଁବି, ଅଥବା ସେଇ ପୁସ୍ତକର ଲେଖକ କିଏ, ବିଷୟବସ୍ତୁ କ’ଣ ଓ ସମକାଳୀନ ଅନ୍ୟ ନୂଆ ବହିଟିଏ ପ୍ରତି ମୋର ଆଗ୍ରହର ତୁଳନାତ୍ମକ ସ୍ଥିତି ଉପରେ ନିର୍ଭର କରେ। ମୁଁ ନ କିଣିଲେ ଯେ ସେ ବହି ମୋର ପସନ୍ଦ ନୁହେଁ, ତା’ ଠିକ ନୁହେଁ। କିନ୍ତୁ ବହିଟିଏ ବେଶି ଲୋକ କିଣି ପଢିଲେ, ତା’ର ବେଶି ଚର୍ଚ୍ଚା ହେବ ଏବଂ ମୁଁ ସେଇଟି ଆଣି ପଢିବାକୁ ମୋର ଆଗ୍ରହ ବଢିବ। ସେଇଭଳି, ସେ ବହିର ସମୀକ୍ଷା ଯଦି ଲୋକପ୍ରିୟ ପତ୍ରିକାରେ ଭଲ ସମୀକ୍ଷକଙ୍କ ଦ୍ୱାରା ପ୍ରକାଶ ପାଇବ, ତେବେ ସେ ବହିଟି ମୁଁ ପଢିବା ପାଇଁ ଆଗ୍ରହୀ ହେବାର ଯଥେଷ୍ଟ ସମ୍ଭାବନା ଅଛି।
ସ୍ୱୟଂ ପ୍ରକାଶନ
ଆଜିକାଲି ସାହିତ୍ୟ ପୁସ୍ତକ ଲେଖକମାନେ ନିଜେ ନିଜର ବହି ପ୍ରକାଶନ କରୁଥିବା ଦେଖାଯାଉଛି। ଯେଉଁ ବହି ପ୍ରକାଶନ ସଂସ୍ଥାମାନେ ଛାପି ବିକ୍ରି କରୁଛନ୍ତି, ସେମାନେ ଅଧିକାଂଶ ଲେଖକଙ୍କଠାରୁ କୁଆଡେ ଆଗତୁରା ପ୍ରକାଶନ ଖର୍ଚ୍ଚ ନେଇ ଯାଉଛନ୍ତି ଓ ତାଙ୍କୁ ଅଳ୍ପ କେତେଖଣ୍ଡ ବହି ଧରାଇ ଦେଉଛନ୍ତି। ଏ ପରିସ୍ଥିତିରେ ବଜାର ଚାହିଦା ଓ ପାଠକୀୟ ଆଦରର ମୂଲ୍ୟାୟନ କରିବା ସତରେ କଷ୍ଟକର। ମୁଁ ଏଭଳି ପ୍ରକ୍ରିୟାରେ ଛପା ସାହିତ୍ୟ ବହିକୁ ପସନ୍ଦ କରିପାରିବି ନାହିଁ। ଲେଖକର ନିଜର ସୃଜନୀ ପ୍ରତିଭା ଉପରେ ଦମ୍ଭ ଓ ବିଶ୍ୱାସ ନ ଥିଲେ ଏପରି ହୁଏ ବୋଲି ମୁଁ ଭାବେ। ଚାଲାକ ବ୍ୟବସାୟୀ-ପ୍ରକାଶକ ଏହି ପରିସ୍ଥିତିର ଲାଭ ଉଠାଉଛନ୍ତି। ଏଥିରେ ବ୍ୟତିକ୍ରମ ଅବଶ୍ୟ ଦେଖିବାକୁ ମିଳୁଛି। ତେବେ ‘ମୋ ଦୃଷ୍ଟିରେ ସାହିତ୍ୟ’ ବିଷୟରେ ବଜାର ଓ ପାଠକୀୟ ସ୍ୱୀକୃତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ତାହା ମୁଁ ରେଖାଙ୍କିତ କରିବାକୁ ଚାହୁଁଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଲା, ସାହିତ୍ୟର ବିଷୟବସ୍ତୁ। ଗପ ବା ଉପନ୍ୟାସଟି କେତେ ସାର୍ଥକ ତାହା ତା’ର ବିଷୟ, ବ୍ୟଞ୍ଜନ ଓ ବିନ୍ୟାସ ଉପରେ ନିର୍ଭର କରେ। ଲେଖକ କିଏ, ତାହା ଅପେକ୍ଷା, ବିଷୟ କ’ଣ ତାହା ମତେ ବେଶି ଆକୃଷ୍ଟ କରେ। ଯଦିବା, ଲେଖକର ନାମ ଦେଖି ବହିଟି ପଢିବାକୁ କିଣିବି, ତେବେ ବିଷୟ ଭଲ ନ’ଲାଗିଲେ ତାକୁ କିଣିବିନି। ଅଧିକାଂଶ ଏଭଳି କରୁଥିବେ। ଗମ୍ଭୀର ବିଷୟବସ୍ତୁ ପ୍ରତି ମୋର ବେଶି ଆକର୍ଷଣ। ତଥ୍ୟ ଥିବ, ତତ୍ତ୍ୱ ମଧ୍ୟ ଥିବ, ତା’ସାଙ୍ଗକୁ ବିଶ୍ଳେଷଣ ଓ ବିନ୍ୟାସକୁ ମଧ୍ୟ ମୁଁ ଦେଖେ। ଉପନ୍ୟାସରେ ମଧ୍ୟ ମୁଁ ସାମାଜିକ ଅବା ବ୍ୟକ୍ତିଗତ ସତ୍ୟ ଓ ତତ୍ତ୍ୱର ଅନ୍ୱେଷଣ କରୁଥାଏ। ଲେଖକ ନିଜ ଅଭିଜ୍ଞତାରୁ କଳ୍ପନାର ପ୍ରିଜମ୍ ମାଧ୍ୟମରେ କଥାନକ ବୁଣିଥାଏ। ସେଇ ବିନ୍ୟାସ ଭିତରେ ମୁଁ ନିଜକୁ ଓ ନିଜ ଆଖପାଖର ଦୁନିଆକୁ ଖୋଜେ। କିଛି ଅଂଶ ମିଳିଗଲେ ମଧ୍ୟ ମୁଁ ମୋର ଗୋଟିଏ ସମାନ୍ତରାଳ ବିମ୍ବ ସୃଷ୍ଟି କରି ଲେଖକର କାହାଣୀକୁ ନିଜର ଆତ୍ମିକ ସନନ୍ଦ ଦେଇ ହୃଦୟଙ୍ଗମ କରେ। ଯେତିକି ହେଲା ସେଇଥିରେ ତୃପ୍ତ ହୁଏ। ଅଧିକ ହେଲେ ଉତ୍କୀର୍ଣ୍ଣ ଆନନ୍ଦରେ ଆତ୍ମହରା ହୁଏ। ଏଇଭଳି ରସସିକ୍ତ ଅନୁଭବ ମୋର ହୋଇଥିଲା ଚନ୍ଦ୍ରଶେଖର ରଥଙ୍କର ‘ଯନ୍ତ୍ରାରୂଢ଼’ ପଢ଼ିସାରି। ବହୁଦିନ ପର୍ଯ୍ୟନ୍ତ ରସୋତ୍ତୀର୍ଣ୍ଣ ଭାବରେ ରହିଥିଲି। ଏହିଭଳି ଆଉ କେତେକ ବହିର ଅନୁଭବ ମଧ୍ୟ ଅଛି। ମୋ ଦୃଷ୍ଟିରେ ତାହା ହିଁ ସାର୍ଥକ ସାହିତ୍ୟ, ଯାହା ଆତ୍ମା, ବିବେକ ଓ ସୂକ୍ଷ୍ମ ଶରୀରରେ ଦୀର୍ଘସ୍ଥାୟୀ ଅନୁରଣନ ସୃଷ୍ଟିକରେ ଏବଂ ଜୀବନ ପ୍ରତି ବ୍ୟକ୍ତିଗତ ଦୃଷ୍ଟିକୋଣକୁ ମଧ୍ୟ ପ୍ରଭାବିତ କରେ।
ସାହିତ୍ୟ ଅନୁରାଗ
ସାହିତ୍ୟ ରସର ଯଥାର୍ଥ ଆସ୍ୱାଦନ ପାଇଁ ଅନେକ ମୌଳିକ ପୃଷ୍ଠଭୂମି ରହିଛି। ଏ ମଧ୍ୟରେ ସାହିତ୍ୟ ଓ ଭାଷା-ସାକ୍ଷରତା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ସାହିତ୍ୟ ଓ ଆମର ବ୍ୟାପକ ସାଂସ୍କୃତିକ ପରିଚୟ ଏବଂ ବିଶେଷ କରି ଆଞ୍ଚଳିକ ଏବଂ ମାତୃଭାଷା ସାହିତ୍ୟରେ କିଛିଟା ପ୍ରବେଶ, ବ୍ୟକ୍ତିର ସାହିତ୍ୟ ଅନୁରାଗକୁ ଆହୁରି ପୁଷ୍କଳ କରେ। ମୋର ଏ ବିଷୟରେ ଅଳ୍ପକିଛି ପରିଚୟ ଅଛି ବୋଲି ମୁଁ ଭାବୁଛି। ତେଣୁ ଜଗନ୍ନାଥ ସଂସ୍କୃତିର କଥା ଓ ସାହିତ୍ୟ ମତେ ଉଦ୍ବୁଦ୍ଧ କରେ। କିନ୍ତୁ ଲୋକସଂସ୍କୃତିରେ ଜଗନ୍ନାଥ ଚେତନାର ଅବତାରଣା ଓ ସାମ୍ପ୍ରତିକ ବିକୃତ ଉପସ୍ଥାପନ ମତେ ବିବ୍ରତ କରେ। ଲୋକାଚାର, ସାଂସ୍କୃତିକ ଅତ୍ୟାଚାର ଭଳି ମନେହୁଏ। କେବଳ ଜଗନ୍ନାଥ ଚେତନା ନୁହେଁ, ବାକି ସବୁ ଗମ୍ଭୀର ଧର୍ମଚେତନା ମଧ୍ୟ, ଲୋକସଂସ୍କୃତିରେ ବିବର୍ତ୍ତିତ ହୋଇ ଅବକ୍ଷୟିତ ହେଲାପରି ଲାଗେ! କେବଳ ସାହିତ୍ୟ ନୁହେଁ।
ଧର୍ମ ଓ ଆଧ୍ୟାତ୍ମିକ ସାହିତ୍ୟ ଛାଡିଦେଲେ, ଉଚ୍ଚାଙ୍ଗ ପ୍ରାମାଣିକ ସାହିତ୍ୟର ସାମ୍ପ୍ରତିକ ଉପସ୍ଥାପନ ଓ ରୂପାୟନ ମୋତେ ବହୁତ ଆକର୍ଷଣ କରେ। ରୀତିଯୁଗୀୟ ସାହିତ୍ୟ ବିଷୟକ ସଭା-ସଂଗୋଷ୍ଠୀ ହେଉ ବା ସେ ସମ୍ପର୍କୀୟ ଆଲେଖ୍ୟ ବା ସମୀକ୍ଷା ମଧ୍ୟ ମତେ ଭଲ ଲାଗେ। ଅବଶ୍ୟ ଆଜିର ସାହିତ୍ୟକୁ ଏହା କିଭଳି ପ୍ରଭାବିତ କରେ ତା’ର ଆକଳନ ବଡ଼ କଷ୍ଟକର। ସ୍ମୃତିଚାରଣ ମାଧ୍ୟମରେ ଏହା ସାହିତ୍ୟାନୁକୂଳ ମାନସିକ ପରିବେଶ ସୃଷ୍ଟିକରେ, ଏହା ସତ। କ୍ଲାସିକାଲ ସାହିତ୍ୟର କୃତି ଆଜିକାଲି ମିଳିବା ବିରଳ। କାରଣ ସମାଜ ଓ ଯୁଗ ବଦଳି ଚାଲିଛି। ଯୁଗକୁ ଚାହିଁ ଲେଖକମାନେ ସାହିତ୍ୟ ସୃଷ୍ଟି କରିବା ସ୍ୱାଭାବିକ। ଫକୀରମୋହନ, ରାଧାନାଥ, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ମହାନ ସାହିତ୍ୟକାରଙ୍କ ସର୍ଜନା ଭଳି ଆଜିକାଲି ତ ଆଉ ଲେଖା ହେଉନାହିଁ! ଏବେ ଯୁବଲେଖକ ବିରଜା ମହାପାତ୍ରଙ୍କର ‘ସାରିଆ ନାନୀ’ ଉପନ୍ୟାସଟି ମୋ ମନରେ ଗଭୀର ରେଖାପାତ କରିଛି। ଏଇଟାକୁ ଗୋଟେ ମଡର୍ଣ୍ଣ କ୍ଲାସିକ ଉପନ୍ୟାସ ବୋଲି ମୁଁ କହିବି। ଫକୀରମୋହନ,ଗୋପୀନାଥ ମହାନ୍ତି ଏବଂ କାଳିନ୍ଦୀ ପାଣିଗ୍ରାହୀଙ୍କ ଭଳି ବିଷୟବିନ୍ୟାସ ଓ ପଲ୍ଲୀ ବର୍ଣ୍ଣନାର ବ୍ୟାପକ ବିସ୍ତାର ଏହାକୁ ବେଶ୍ ସୁପାଠ୍ୟ କରିଛି। ଗ୍ରାମ୍ୟ ସମାଜର ଅବକ୍ଷୟ, ନିଷ୍ଠୁର ବିବର୍ତ୍ତନ ଓ ଆଧୁନିକ ବିକାଶମୁଖୀ ପରିବର୍ତ୍ତନର କିଛିଟା ଶୁଭ ସକୁନ ମଧ୍ୟ ସାମ୍ନାକୁ ଆସିଛି। ନିରୋଳା ପଲ୍ଲୀଶବ୍ଦର ପ୍ରୟୋଗ, ଗ୍ରାମ୍ୟ ପରିବେଶର ନିଖୁଣ ଚିତ୍ରଣ ଓ କାହାଣୀର ପ୍ରଶାନ୍ତ ଗତିଶୀଳତା ଉପନ୍ୟାସଟିକୁ ଆକର୍ଷଣୀୟ କରିଛି। ଏହିଭଳି ଅଧିକ ଲେଖା ପ୍ରକାଶିତ ହେଲେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ମାନବୃଦ୍ଧି ହେବ।
ସମାଜର ଦର୍ପଣ
ସାହିତ୍ୟକୁ ସମାଜ ଓ ସମୟର ଦର୍ପଣ ବୋଲି କୁହାଯାଏ। ସାହିତ୍ୟକାରମାନେ ସାମ୍ପ୍ରତିକ ସମାଜର ନୈତିକ ଅବଧାରଣା, ମାନବୀୟ ପ୍ରସଙ୍ଗ ତଥା ଜୀବନ ସଂଘର୍ଷର ଚିତ୍ରଣ ମାଧ୍ୟମରେ କିଛି କିଛି ସାହିତ୍ୟିକ ମୂଲ୍ୟବୋଧ ମଧ୍ୟ ପ୍ରସ୍ତୁତ କରିଥାନ୍ତି। କାଳଜୟୀ ସାହିତ୍ୟ ଓ ସଂସ୍କୃତିରେ ଏହା ସ୍ପଷ୍ଟ ଜଣାପଡ଼ିଥାଏ। ତେବେ ସାହିତ୍ୟ କୃତି ମାଧ୍ୟମରେ ସମାଜ ସଂସ୍କାରର ସମ୍ଭାବନା ଆମର ଆଜିର ସାହିତ୍ୟରେ ବିରଳ। ସମାଜ ଓ ଶାସନ ବ୍ୟବସ୍ଥାର ତ୍ରୁଟି-ବିଚ୍ୟୁତିର ବିବରଣୀ ଗଳ୍ପ, ଉପନ୍ୟାସ ଓ କବିତାରେ ଲେଖିଦେଲେ ପରିବର୍ତ୍ତନ ଆସିବା ପାଇଁ ତାହା ଯଥେଷ୍ଟ ନୁହେଁ। ତା’ ସାଙ୍ଗକୁ ସମାଜରେ ପରିବର୍ତ୍ତନର ଅନୁକୂଳ ମାନସିକତା ଓ ଆନୁଷଙ୍ଗିକ କ୍ଷେତ୍ର ପ୍ରସ୍ତୁତି ମଧ୍ୟ ଆବଶ୍ୟକ। ଜନନାୟକ ଓ ଚିନ୍ତାନାୟକମାନଙ୍କର ପ୍ରେରକ ନେତୃତ୍ୱ ଓ କାର୍ଯ୍ୟକଳାପ ଆବଶ୍ୟକ। ଆଜି ଆମ ସମାଜ ଓ ଶାସନ ବ୍ୟବସ୍ଥାରେ ଅନେକ ବିସଙ୍ଗତି ଅଛି। କିନ୍ତୁ ସେଥିରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଯେଉଁ କ୍ଷେତ୍ରପ୍ରସ୍ତୁତକାରୀ ସାହିତ୍ୟର ପ୍ରୟୋଜନ ତାହାର ଅଭାବ ଲକ୍ଷିତ ହୁଏ। ଆଜିର ବଜାର ଅର୍ଥନୀତିଭିତ୍ତିକ ସଂସ୍କୃତିରେ, ସେପରି ସାହିତ୍ୟ ସୃଷ୍ଟି ବୋଧହୁଏ ସମ୍ଭବ ହେଉନାହିଁ। ଅନ୍ତତଃ ଆଜିକାଲି ଓଡ଼ିଆ ସାହିତ୍ୟରେ ଏହା ବିରଳ।
କବିତା, ସାହିତ୍ୟର ଏକ ବଡ଼ ଆବେଗଭରା କ୍ଷେତ୍ର। କବିର ଅନ୍ତର୍ଚେତନା ଓ ଅନ୍ତର୍ବେଦନା ତଥା ସାମାଜିକ ପରିବେଶ ସହିତ ଘାତସଂଘାତର ଏହା ଏକ ଲାଳିତ୍ୟପୂର୍ଣ୍ଣ ସ୍ୱାକ୍ଷର। ଆଜିକାଲିର କବିତାରେ ନିହିତ ସତ୍ୟ ଅଧିକାଂଶରେ ଏକାନ୍ତ ବ୍ୟକ୍ତିଗତ। ତେଣୁ, ପାଠକ ସମାଜକୁ ଆକର୍ଷିତ କରିବାର ଉପାଦାନ କମ! ତାତ୍କାଳିକ ଭାବାବେଶ ଓ ଅଗଭୀର ଚେତନାର ଅଧିକ ଉଚ୍ଚାରଣ ହେଉଥିବାରୁ ଆଜିର ଅଧିକାଂଶ କବିତାରେ କାବ୍ୟରସ ବା ସୌନ୍ଦର୍ଯ୍ୟବୋଧ ପରିଲକ୍ଷିତ ହେଉନାହିଁ। ଆଜିର ଖଣ୍ଡିତ ଓ କ୍ଷୁବ୍ଧ ଜୀବନାନୁଭୂତି କବିତାକୁ ମଧ୍ୟ ଭାଷା ଓ ଭାବର ଫୁଲଝଡ଼ି ବାଣ ପରି କ୍ଷଣସ୍ଥାୟୀ ଚିକିମିକି ବେଶରେ ବେଶି ଦେଖିବାକୁ ମିଳୁଛି ! ସଙ୍ଗୀତମାର୍ଗୀ ଓ ପଦଲାଳିତ୍ୟଭରା ଓ ଗଭୀର ଚେତନାର ସ୍ଫୁରଣ ବହୁତ କମ କବିତାରେ ପଢିବାକୁ ମିଳୁଛି। ମୋର ବ୍ୟକ୍ତିଗତ ରୁଚି ଏଭଳି ରସହୀନ ସର୍ଜନା ପାଇଁ ମୋଟେ ନାହିଁ। ଏଇଟା ସତକଥା ଯେ ଆଜିକାଲି ବହୁତ ଲୋକ ଓଡ଼ିଆ କବିତା ଲେଖୁଛନ୍ତି। କେତେ ଲୋକ ପଢୁଛନ୍ତି ବା ପଢି ଉଦ୍ବୁଦ୍ଧ ହେଉଛନ୍ତି ସେଇଟା କହିବା ମୁସ୍କିଲ। କବିତା ବହିର କିଣାବିକା ତଥ୍ୟ ଆହୁରି ସନ୍ଦେହମୂଳକ। ଏବେ ଜୀବନଟା ମୋଟାମୋଟି ଛନ୍ଦହୀନ ଓ ଜଟିଳ ହୋଇଗଲାଣି ତ, ତେଣୁ ତା’ର ଦର୍ପଣ ଭଳି, ଅଧିକାଂଶ କବିତା-ସାହିତ୍ୟ ମଧ୍ୟ ସେହିପରି କବିର ଖଣ୍ଡିତ ସ୍ୱଗତୋକ୍ତି ପରି ଅବୋଧ୍ୟ। ଏହାର ଅର୍ଥ ନୁହେଁ ଯେ ସାର୍ଥକ କବିତା ଓ ସାହିତ୍ୟ ରଚନା ଆଉ ହେଉନାହିଁ। କିନ୍ତୁ ଅଧିକାଂଶ କବିତାର ଗୁଣାତ୍ମକ ମାନ ନିକୃଷ୍ଟ ଜଣାପଡୁଛି ନିଶ୍ଚୟ। ସଂଖ୍ୟାବହୁଳ ହେଲେ ମଧ୍ୟ ବିଭୂତି ପରିଚୟ ବହୁତ କମ୍।
ଉପନ୍ୟାସ ରଚନା ବିରଳ
ଆଜିକାଲି ଉପନ୍ୟାସ ଲେଖା ବିରଳ। ଲୋକଙ୍କ ପାଖରେ ସମୟ ତଥା ପଢ଼ିବାର ଆଗ୍ରହ ମଧ୍ୟ ଘୋର ଅଭାବ। କ୍ଷୁଦ୍ରଗଳ୍ପର କାଟତି କିନ୍ତୁ ଅଛି। ମୋର ମଧ୍ୟ ପସନ୍ଦ। ତେବେ ଲଳିତ-ନିବନ୍ଧ ବର୍ଗର ଗଳ୍ପ ମୋର ବହୁତ ପସନ୍ଦ। ଏଥିରେ ମଧ୍ୟ ଚନ୍ଦ୍ରଶେଖର ରଥଙ୍କର ଲେଖା ମୋର ପ୍ରଥମ ପସନ୍ଦ। ମନୋଜ ଦାସଙ୍କ ‘ଅନ୍ତରଙ୍ଗ ଭାରତ’ ପଢି ମୁଁ ଭାରତୀୟ ଐତିହ୍ୟର ସମକାଳୀନ ଆତ୍ମାକୁ ଦର୍ଶନ କରିଛି! ପ୍ରବନ୍ଧ ଓ ସ୍ତମ୍ଭ ସାହିତ୍ୟ ଆଜିର ଓଡ଼ିଆ ପାଠକଙ୍କୁ ପସନ୍ଦ ହେଉଥିବ ବୋଲି ମୋର ଅନ୍ଦାଜ। ମୋର ମଧ୍ୟ ପସନ୍ଦ। ପତ୍ରପତ୍ରିକାରେ ନିୟମିତ ସ୍ତମ୍ଭଗୁଡିକର ପାଠକ ବେଶି।
ଚଟୁଳ ଓ ଅନ୍ତରଙ୍ଗ ବର୍ଣ୍ଣନା ଶୈଳୀ ସ୍ତମ୍ଭର ଲୋକପ୍ରିୟତା ବଢ଼ାଇଥାଏ। ଆଜିର ସ୍ତମ୍ଭକାରମାନଙ୍କ ମଧ୍ୟରେ ମୁଁ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଓ ଭଗବାନ ପ୍ରକାଶଙ୍କୁ ଗଣେ। ଗୌରହରି ଦାସ ମଧ୍ୟ ଜଣେ ପୋଖତ ପ୍ରାବନ୍ଧିକ ଓ କଥାକାର। ପ୍ରବନ୍ଧ ଲେଖକ ଭାବେ ମୋର ଅତି ପସନ୍ଦ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର।
ମୋର ବେଳେବେଳେ ଇଚ୍ଛା ହୁଏ ଭାବିବାକୁ ଯେ ସାହିତ୍ୟ ନ ଥିଲେ ଆଜିର ସମାଜରେ କିଛି ବଡ଼ ଧରଣର ଅସୁବିଧା ହୁଅନ୍ତା କି ? ଆଧୁନିକ ସାହିତ୍ୟ ଯୁଗ ଓ କିଛି ଉତ୍ତର ଆଧୁନିକ ଯୁଗର ଲେଖା ପରେ ଆଜି ଯେଉଁ ଅନାବନା ସାହିତ୍ୟର ଧାରା ଆସିଛି, ତା’ର ଉପାଦେୟତା ସତରେ କେତେ? ପାରମ୍ପରିକ ଓଡ଼ିଆ ସଂସ୍କୃତି ଓ ତତ୍ସଲଗ୍ନ ସାହିତ୍ୟ ଯେପର୍ଯ୍ୟନ୍ତ ଲୋକସଂସ୍କୃତି ସହ ଜଡିତ, ସେପର୍ଯ୍ୟନ୍ତ ବୋଧହୁଏ ଠିକ୍। କିନ୍ତୁ ଆଜିର ବିଶ୍ୱାୟନ ଯୁଗରେ ଆମର ଆଜିର ସାହିତ୍ୟ, ନିରୋଳା ଓଡ଼ିଆ ସାହିତ୍ୟ ରୂପେ ବୋଧହୁଏ ପରିଚୟ ହରାଇସାରିଲାଣି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା ମଞ୍ଚଗୁଡିକରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଶେଷତ୍ୱ ମଧ୍ୟ ଅବକ୍ଷୟମୁଖୀ।
ଡିଜିଟାଲ ଭଣ୍ଡାର
ଅଥଚ ସେଇ ଡିଜିଟାଲ ଭଣ୍ଡାର-ଜ୍ଞାନକୌଶଳର ସାହାଯ୍ୟରେ ଆମ ଓଡ଼ିଆ ସାହିତ୍ୟ ସମେତ ଓଡ଼ିଆ ସଂସ୍କୃତିର ବହୁ ଅନନ୍ୟ ରତ୍ନ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ କରି ରଖାଯାଇପାରୁଛି। ସେଇ ଜ୍ଞାନକୌଶଳ ଅନ୍ୟପକ୍ଷରେ ଅଣଓଡ଼ିଆ ଭାଷାର ପ୍ରୟୋଗକୁ ବହୁମାତ୍ରାରେ ପ୍ରସାରିତ କରି ଦେଉଛି।
ଜଣେ ସଚେତନ ପାଠକ ଭାବେ ମୋର ମତ ଯେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆହୁରି ଉନ୍ନତ କରିବାକୁ ହେଲେ ଆମର ପ୍ରଶାସନକୁ ସ୍ୱତନ୍ତ୍ର ରଣନୀତିର ସାହାଯ୍ୟ ନେବାକୁ ପଡିବ। ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ପ୍ରତ୍ୟେକ ଗଣସଂଚାର ମାଧ୍ୟମରେ ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକତା କରିବାକୁ ହେବ। ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବାକୁ ପଡିବ। ଆମ ଯୁବପିଢିକୁ ଓଡ଼ିଆ ସାହିତ୍ୟ ପଠନ ଦିଗରେ ଉତ୍ସାହିତ କରିବାକୁ ପଡିବ।
ଆଗର ଭାଗବତ ଟୁଙ୍ଗି ପରି ଗାଁ-ସହର ସବୁଆଡେ ସଂସ୍କୃତି ଟୁଙ୍ଗୀ ଗଠନ କରି ଉଚ୍ଚମାନର ସାହିତ୍ୟ ସୃଷ୍ଟି ପାଇଁ ନୂତନ ପିଢ଼ିକୁ ପ୍ରେରିତ କରିବାକୁ ହେବ। ପାଠକୀୟ ମତାମତକୁ ସାହିତ୍ୟ ବିକାଶ ଦିଗରେ ଉପଯୋଗ କରିବାକୁ ବ୍ୟବସ୍ଥା କରିବାକୁ ହେବ। ବୃହତ୍ତର ଓଡ଼ିଆ ବିଜ୍ଞ-ସମାଜର ଆବଶ୍ୟକତାକୁ ନିୟମିତ ସମୟ ବ୍ୟବଧାନରେ ସମୀକ୍ଷା ଓ ଆକଳନ କରାଯାଇ ସଂସ୍କୃତି ଓ ସାହିତ୍ୟର ପରିଚାଳନାରେ ଅଗ୍ରାଧିକାର ଦିଆଯିବା କଥା।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ମାର୍ଚ୍ଚ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଆମର ଦରଦ ଅଛି କି? ଆମେ କେତୋଟି ଓଡ଼ିଆ ବହି ନିଜେ କିଣିନେଇ ପଢୁ? ଏ ବିଷୟରେ ଆମ ସମସ୍ତଙ୍କୁ ଆତ୍ମାନୁଶୀଳନ କରିବାକୁ ପଡିବ।
ପ୍ରବନ୍ଧଟି ବହୁତ ଭଲ ଲାଗିଲା l
ବିଶ୍ଳେଷଣ ଉତ୍କୃଷ୍ଟ ଅଟେ l ମହାଶୟଙ୍କୁ ଧନ୍ୟବାଦ l କାନ୍ଦିବା କିଛି ଲୋକଙ୍କୁ ଭଲ ଲାଗେ l ହସିବା ସମସ୍ତଙ୍କୁ l ଯେ ପକ୍ଷୀ ଯେତେ ଦୂର ଉଡେ l କଳାକାର କଳା ସୃଷ୍ଟି କରେ l ଯୋଗ୍ୟତାର ମାନ୍ୟଦଣ୍ଡ ଅନ୍ୟମାନଙ୍କ ଉପରେ l
ଡ଼କ୍ଟର ଉମାକାନ୍ତ ମିଶ୍ରଙ୍କ ଆଲୋଚନା ” ଆମ ସାହିତ୍ୟ ଏକ ପାଠକୀୟ ଦୃଷ୍ଟି ଚାରଣ” ଅତ୍ୟନ୍ତ ନିରପେକ୍ଷ ଆକଳନ।
bahut badhia rachana
ଲେଖକଙ୍କ ସହ ସମ୍ପୂର୍ଣ୍ଣ ଏକମତ। ପ୍ରଣାମ