ଯାହାକୁ ଫୋନ କର, ମିଟିଂରେ ଅଛି ବୋଲି ଶୁଣିବେ। ଏତେ ଲୋକ ମିଟିଂରେ ଥିବା, ଆମ ମନରେ ସନ୍ଦେହ ଜାତ କଲା।
ଆମ ଗାଁରେ ପିଲାଦିନେ ଦେଖିଛୁ, ଦାଣ୍ଡରେ ଚାଲିଯାଉଥିବା ଲୋକକୁ ଦାଣ୍ଡପିଣ୍ଡାରେ ବସିଥିବା ଲୋକ ପଚାରେ, କିହୋ ଦାଶେ! କୁଆଡେ? ମାନେ, କୁଆଡେ ଯାଉଛ? କିଛି ନ ହେଲେ କାହା ହାତରେ ଘଣ୍ଟା ଦେଖିଲେ, ସେହି ଦାଣ୍ଡପିଣ୍ଡାରେ ବସିଥିବା ଲୋକଟି ପଚାରେ, ବାବୁ! ଟାଇମ୍ କେତେ? ବା, କେତେଟା ବାଜିଛି? ଏସବୁ ଧରାବନ୍ଧା ପ୍ରଶ୍ନ, ସାଧାରଣ ଜନତାଙ୍କ ମଧ୍ୟରେ। ଅଚିହ୍ନା ଲୋକେ ବି ବାନ୍ଧି ହୋଇଯାଉଥିଲେ, ଏହି ପ୍ରଶ୍ନ ମାଧ୍ୟମରେ। କାହାଘରକୁ କୁଣିଆଁ ଆସିଲେ, ବାବୁ କୁଆଡେ ଯିବ? କେଉଁଠୁ ଆସିଲ? ଆଦି ପ୍ରଶ୍ନ ପଚାରନ୍ତି, ସେହି ଦାଣ୍ଡପିଣ୍ଡାରେ ବସିଥିବା ଲୋକ। ଯଦି କାହାଘରକୁ ଭାର ଆସେ, ପଚାରନ୍ତି, ଏ ଭାର କେଉଁଠିକି ଯିବ? କେଉଁଠୁ ଆସିଲା? ସେଇ ଭାରର ଆକାରରୁ ଜଣାପଡେ, କେଡେ ଘରୁଆ ଘର ବନ୍ଧୁ। ସେଥିରେ ଥାଏ କ’ଣ? ଚୁଡା, ଚୁଡାପୁଆ, ଉଖୁଡା, ମାଛ, ଦହି, ଦୁଧ, କଦଳୀ, କଞ୍ଚା, ପାଚିଲା, ଦେଶିଆଳୁ, ସାରୁ, କଦଳୀ ଗଛ, ନଡିଆ ଗଛ ଆଦି। ବାହା ବ୍ରତ ଝିଅ ପୁଆଣି, ମଡା ମୃତିକିଆ ଆଦିରେ ନିଆରା କିସମର ଭାର ପ୍ରଚଳିତ ହୋଇଥାଏ। ଆଜିକାଲି ସବୁ ଘନୀଭୂତ ହୋଇ, ଗୋଟିଏ ଲଫାଫାକୁ ନିଅଣ୍ଟ। ସମ୍ପର୍କ ଭିଡିଚାଲେ, ସେହି ଲଫାଫା ସହିତ।
କିଏ ଜଣେ ବନ୍ଧୁ ଆସିଲେ ଆଗ ପାଣିଢାଳ, ପାନଡାଲା, ପରବର୍ତ୍ତୀ ସମୟରେ ଚାହା କପ୍କୁ ଆସିଗଲା। ବାର୍ତ୍ତାଳାପ କମ୍, ମୋବାଇଲ ସବୁ ଚର୍ଚ୍ଚାର ସ୍ଥାନ ନେଲା। ଦୁହେଁ ଦୁହିଁଙ୍କ ମୋବାଇଲ ଧରି ବସିଲେ, କଥା, ଅଧାରେ ରହିଗଲା। ଆମ କାଳେ ଟେଲିଫୋନ ଥିଲା କେଉଁଠି? ଥିଲା ବଡ ପୋଷ୍ଟ ଅଫିସ, ବଡ ଅଫିସରଙ୍କ ଘର ଓ ଅଫିସରେ। ଏବେ ସମସ୍ତଙ୍କ ପକେଟ, ଝୁଲାମୁଣି ଓ କାନିରେ ବନ୍ଧା ମୋବାଇଲ ଫୋନ। ଘଣ୍ଟା ଘଣ୍ଟା ଧରି ଗପ, ବାପ ଭାଇଙ୍କ ସଙ୍ଗେ ନୁହେଁ, ସାଙ୍ଗ ସାଥୀଙ୍କ ସଙ୍ଗେ। ଭଲା କରୋନା ଆସିଲା ଯେ, ‘ୱାର୍କ ଫ୍ରମ ହୋମ୍’ ଆଉ ୱେବିନାରର ଚାହିଦା ବଢିଗଲା। ସାମାଜିକ ଦୂରତା ବଢିଗଲା, ଯାହା କରୋନା ନିବାରଣର ଏକ ଆବଶ୍ୟକତା ରୂପେ ଗ୍ରହଣୀୟ ହୋଇଗଲା। ୱେବିନାର ମାଧ୍ୟମରେ ସମସ୍ତେ ନିଜର ବୌଦ୍ଧିକ ଓ ସ୍ୱକୀୟ ଦୈହିକ ଉତ୍ପାଦନ ବିକିଲେ, ଶନିବାର ରବିବାର ତ ପୂରା ବୁକ୍! ବାକି ଦିନ ବି ବାଦ ଯାଉନାହାନ୍ତି। ସତରେ କ’ଣ ଏତେ ଜ୍ଞାନୀ ବିଜ୍ଞାନୀ ମାନସ ମନ୍ଥନରେ ଲାଗିଛନ୍ତି? କାହା ପାଖରେ ଟିକିଏ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ପାଇଁ ସମୟ ନାହିଁ?
ଯାହାକୁ ଫୋନ କର, ମିଟିଂରେ ଅଛି ବୋଲି ଶୁଣିବେ। ଏତେ ଲୋକ ମିଟିଂରେ ଥିବା, ଆମ ମନରେ ସନ୍ଦେହ ଜାତ କଲା। ସେଥିପାଇଁ ଆମ ରିସର୍ଚ୍ଚ ଟିମ୍ କାମରେ ଲାଗିଗଲା। ଗାଁରୁ ସହର ଯାଏ ବୁଲି ବୁଲି ଏ ମିଟିଂର ଅବସ୍ଥା ଅନୁଧ୍ୟାନ କରିବାରୁ ଅନେକ ତଥ୍ୟ ଆଗକୁ ଆସିଲା। ମିଟିଂ ଅଫିସରେ ହୁଏ ବୋଲି ଆମେ ଜାଣିଥିଲୁ। ସମୟ ସହ ତାଳଦେଇ ମିଟିଂ ଅଫିସରୁ ବାହାରି ଫୁଟପାଥ ଯାଏ ଆସିଲାଣି। ଯେଉଁ ନଳମିସ୍ତ୍ରି, କି ବଢେଇ ବା ଇଲେକ୍ଟ୍ରିସିଆନ୍ ଟାଇମ୍ ଦେଇ ନ ଆସିଲା, ତାକୁ ଫୋନ୍ କଲେ, ଏକ ତ ଉଠେଇବ ନାହିଁ, ଯଦି ଉଠାଇଲା ଶୁଣିବେ, ମିଟିଂରେ ଅଛି। ଇଏ ଗଲେ ଗୋଟାଏ ପ୍ରକାର। ଆଉ ଗୋଟିଏ ଗ୍ରୁପ ଅଛନ୍ତି ମନେକରନ୍ତୁ ଆପଣଙ୍କଠାରୁ ଟଙ୍କା ଉଧାର ନେଇ, ଦେବାକୁ ମନ କରୁ ନାହାନ୍ତି, ତାଙ୍କର ବହୁତ ମିଟିଂ। ଜମା ଧରାଦେବେ ନାହିଁ। ଅନ୍ୟ କାହାକୁ କହିବେ, କହିଦେ ମିଟିଂରେ ଅଛି! ଆପଣ ଭାବିବେ, ଶଳା ମିଟିଂ? ଏଇଟାକୁ କିଏ ଡାକିଛି ମିଟିଂକୁ? ଆପଣଙ୍କ ରେସିଡେଣ୍ଟ ଆସୋସିଏଶନରେ ଗୁଡାଏ ହାବିଚୁଆଲ୍ ଡିଫଲ୍ଟର ଅଛନ୍ତି! ତାଙ୍କର ସବୁ ସୁବିଧା ଦରକାର, ମାତ୍ର ପଇସାଟାଏ ଦେବେନି। ମାଗିଲେ ଧରା ନ ଦେଇ କହିବେ, ମିଟିଂରେ ଅଛି। ବାବୁମାନେ ଅଜଣା ଫୋନ ଆସିଲେ ମିଟିଂରେ ଅଛି କହି, କଥା ଟାଳି ଦିଅନ୍ତି।
ଆମ ରିସର୍ଚ୍ଚର ସମସ୍ତ କେସ୍ ଷ୍ଟଡିକୁ ମିଳାଇଲେ ଯାହା ଜଣାଯାଏ, ଯେଉଁମାନଙ୍କୁ ଦୂରେଇ ବାଟ କାଟିବା ଦରକାର ପଡେ, ସେଇଠି ଢାଲ ସାଜେ ମିଟିଂ। କି ଓଭର ଟାଇମ୍ କରି ଅଫିସରେ ମଦ ପିଇବାକୁ ପ୍ରୋତ୍ସାହନ ଦିଆଯାଏ ମିଟିଂ ବାହାନାରେ। ଆମ ରିସର୍ଚ୍ଚରୁ ସର୍ବତୋଭାବେ ପ୍ରତୀତ ହେଲାଯେ, ଆଲୋଚନାକୁ ଟାଳିବା, ସମସ୍ୟାଠାରୁ ଦୂରେଇ ଯିବାର ମୁଖ୍ୟ ଆୟୁଧ ହେଲା ମିଟିଂ। ବିଗତ ଦିନର ବାବୁ ନାହାନ୍ତି, କହିଦେ ବାବୁ ନାହାନ୍ତି, ବା ବାପା ନାହାନ୍ତି, ଏହି ମିଟିଂର ସମବାଚକ ଶବ୍ଦ ହୋଇ ପାରନ୍ତି ବର୍ତ୍ତମାନ ସମୟରେ। ମିଟିଂର ଆକାର ଯେବେ ବୃହତ୍ରୁ ବୃହତ୍ତର ହୋଇଯାଏ ତାହା ଛୋଟ ଅଫିସରୁ ବାହାରି, ହୋଇଯାଏ କନ୍ଫରେନ୍ସ, ଆଉ ଟିକିଏ କାୟା ବିସ୍ତାର କରି, ହୋଇ ଯାଏ ସମ୍ମିଟ୍, ସେଇଠୁ ବଢି ବଢି ପହଞ୍ଚି ଯାଏ ବିଶ୍ୱ ସ୍ତରରେ ଜାତିସଂଘ ରୂପରେ। ଏତେ ବଡ ସଂସ୍ଥା, ସେ ବିଲ୍ଡିଂକୁ ଚାହିଁଲେ, ବେକ ବଙ୍କା ହୋଇଯିବ। ସେହି କୋଠାର କାନ୍ଥରେ କୁଆଡେ ଲେଖାଅଛି ଭୀମଭୋଇଙ୍କ ପ୍ରସିଦ୍ଧ ଦୁଇଧାଡି “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ।” ଆମେ ଓଡ଼ିଆଏ ଛାତି ଫୁଲେଇ କହୁ, ଦେଖିଲ! ଆମ ରେଢାଖୋଲର ଅଲେଖ ବାବା କେମିତି କଥା ପଦେ କହିଦେଲା ଯେ, କଥାଯାଇ ପହଞ୍ଚି ଗଲା ବିଶ୍ୱ ଦରବାରରେ! ସବୁ ମିଟିଂରେ ଓଡିଆ ବୁଦ୍ଧିଜୀବୀ ବୋଲାଉଥିବା ଧୋବଧାଉଳିଆ ବାବୁମାନେ ସେଇକଥା କହନ୍ତି। ଆମେ ଭାବୁ, ସେ ଭୀମଭୋଇ କ’ଣ ମିଟିଂ ଡାକିଥିବେ? ଏଠୁ ସେଠୁ ଯାହା ଜାଣିଲୁ ଲୋକେ ତାଙ୍କ ଖଞ୍ଜଣିର ତାନ ଶୁଣି ଧାଇଁ ଆସୁଥିଲେ ଶୁଣିବାକୁ, “ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା!’ ସେଇ ଜାତିସଂଘ ମିଟିଂରେ ବା ଅଧିବେଶନରେ କେତେ ଦେଶ ଅଛନ୍ତି ଯେ, ସମସ୍ତଙ୍କ କାଟେତି ଏକା ପ୍ରକାର ନାହିଁ। ସେଠିବି ଗୋରା କଳା ଛୋଟ ଆଖି ଚେପାନାକିଆ କେତେ ପ୍ରକାର ଜାତିଭେଦ ଦେଖାଯାଏ। ନାଆଁକୁ ଜାତିସଂଘ। ଗଣ୍ଡାକେତେ ସିଖିଚିଲିଆଙ୍କ ଦାଦାଗିରି କହି ହୁଏନି କି ସହି ହୁଏନି। ସେଇଠୁ ମନ ଭାଙ୍ଗି ଯାଏ। ଯେତେ ଭାଇ ସେତେ ଘର ଭଳି ଅଲଗା ଗୋଷ୍ଠୀର ଉତ୍ପତ୍ତି ହୁଏ, ଯଥା ସାର୍କ ସମ୍ମିଳନୀ, ବ୍ରିକ୍ସ୍ ଗୋଷ୍ଠୀ, ଆସିଆନ୍ ଗ୍ରୁପ୍, ନାଟୋ ସେଟୋ, ଜି୨୦ ଆଦି। ଏଠି ଗୋଟିଏ ମିଟିଂ ମାନେ କୋଟିଏ କୋଟିଏ ହୋଇ କେତେ କୋଟି ଖର୍ଚ୍ଚ। ସେ “ମୋ ଜୀବନ ପଛେ ନର୍କେ ପଡିଥାଉ,” ମିଛକଥା। ସେଥିପାଇଁ ଆମେ ସ୍ୱାମୀ ଅଭୟାନନ୍ଦ କହୁ, “ଆମେ ମିଟିଂରେ ଅଛୁ।” ଆପଣ ଯାହା ବୁଝିବେ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ମାର୍ଚ୍ଚ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଡା. ଅଭୟ ଦାଶଙ୍କ ଦ୍ୱାରା ରଚିତ ଏକ ଅନୁପମ ରମ୍ୟରଚନା ସଂକଳନ ‘ଅଭୟାନନ୍ଦ ଉଵାଚ’ ଆପଣମାନେ ‘ଆମାଜନ୍’ର ତଳେ ଦିଆଯାଇଥିବା ଲିଙ୍କ ରୁ ପାଇପାରିବେ।
‘ଅ ରୁ କ୍ଷ’ ଯାଏଁ ମିଟିଙ୍ଗ l ଜଗନ୍ନାଥଙ୍କ ଜମି ହଡପରୁ ଉକ୍ରେନ ହଡପ ଯାଏଁ ମିଟିଙ୍ଗ l ବିରୋଧୀ ଦଳ ବିଧାୟକ ଓ ସାଂସଦ ମାନଙ୍କ ବାରମ୍ବାର ସଭା କକ୍ଷ ଛାଡ଼ିବା ମିଟିଙ୍ଗ l ରାହୁଲ ବାବାଙ୍କ ଦେଶ ବାହାରେ ମିଟିଙ୍ଗ l ତାର ବ୍ୟାଖ୍ୟା ପାଇଁ ଟିଭି ଠାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସବୁଠାରେ ମିଟିଙ୍ଗ l
ଯେଉଁ ଦିନ ସ୍ବର୍ଗଲୋକ ଓ ମର୍ତ୍ତ୍ୟଲୋକ ମଧ୍ୟରେ ମିଟିଙ୍ଗ ହେବ, ତାପରେ ସ୍ନେହ, ଶ୍ରଦ୍ଧା ଓ ପ୍ରୀତିର ଝରଣା ବହି ଚାଲିବ l
ଜୟ ଜଗନ୍ନାଥ l
ସୁନ୍ଦର ଉପସ୍ଥାପନ।
ମନକୁ ଛୁଇଁ ପାରିଲା ନାହିଁ । ଭାରି ଗତାନୁଗତିକ ଲେଖା