ଐତିହାସିକମାନେ ‘ମୋଦୁଲ ଗାଁ’ ଓ ‘ମୋଦଲି’ ଶବ୍ଦରୁ ମାଦଳା ଶବ୍ଦ ଆସିଥିବା ଅନୁମାନ କରନ୍ତି।
ସର୍ବଂ ରହସ୍ୟଂ ପୁରୁଷୋମସ୍ୟ
ଦେବାଃ ନ ଜାନାନ୍ତି କୁତଃ ବା ମନୁଷ୍ୟାଃ।
ବାସ୍ତବିକ୍ ଶ୍ରୀକ୍ଷେତ୍ର ତଥା ଶ୍ରୀଜଗନ୍ନାଥଙ୍କ ଇତିହାସ, ମାହାତ୍ମ୍ୟ ଓ ତତ୍ସଂଲଗ୍ନ ବିଭିନ୍ନ କଥା ସବୁ ରହସ୍ୟମୟ। କେତେ ଗବେଷକ, ଐତିହାସକ, ଗବେଷଣା କରି କରି ସଂସାରରୁ ବିଦାୟ ନେଲେଣି ସତ ମାତ୍ର ମହାପ୍ରଭୁଙ୍କ ସ୍ୱରୂପ ଓ ତାଙ୍କର ବିଭିନ୍ନ ବିଷୟ ପୂର୍ବପରି ରହସ୍ୟମୟ ହୋଇ ରହିଛି।
ଶ୍ରୀମନ୍ଦିରରେ ଲେଖାହୋଇ ଆସୁଥିବା ମାଦଳାପାଞ୍ଜି ସମଗ୍ର ଭାରତର ଗଦ୍ୟ ସାହିତ୍ୟରେ ଏକ ବିସ୍ମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ନାମକରଣ, କାଳ ନିରୂପଣ, ଐତିହାସିକ ମୂଲ୍ୟବୋଧ, ସାହିତ୍ୟିକ ମୂଲ୍ୟବୋଧ ପ୍ରତ୍ୟେକ ବିଷୟରେ ବହୁ ଗବେଷକ ଗବେଷଣା କରି ଭିନ୍ନ ଭିନ୍ନ ମତ ଦେଇ ସାରିଛନ୍ତି ଓ ଏହା ଯେ ଏକ ଅମୂଲ୍ୟ ସମ୍ପଦ, ସମସ୍ତେ ସ୍ୱୀକାର କରିଯାଇଛନ୍ତି।
ସେ ସମୟରେ ବ୍ୟବହୃତ ବିଭିନ୍ନ ପ୍ରାଚୀନ ଓଡ଼ିଆ ଶବ୍ଦ ତଥା ପ୍ରାଚୀନ ଓଡ଼ିଆ ଦେଶଜ ଶବ୍ଦର ପ୍ରାବଲ୍ୟ ଦେଖିବାକୁ ମିଳିଥାଏ। ଏପରିକି ମାଦଳା ପାଞ୍ଜିରେ ବ୍ୟବହୃତ ଅନେକ ଓଡ଼ିଆ ଶବ୍ଦ ଏବେ ମଧ୍ୟ ଆମ ମାତୃଭାଷାରେ ବ୍ୟବହୃତ ହେଉଥିବାର ପରିଲକ୍ଷିତ ହୋଇଥାଏ।
ଅଶିକ୍ଷିତ ଲିଖନକାରମାନେ ମାଦଳାପାଞ୍ଜି ରଚନା କରୁଥିଲେ ହେଁ ସେମାନଙ୍କ ମଧ୍ୟରୁ କେହି କେହି ଚିନ୍ତାଶୀଳ ବ୍ୟକ୍ତି କବିତ୍ୱ ଶୈଳୀରେ ମାଦଳାପାଞ୍ଜି ଲେଖିବାକୁ ଚେଷ୍ଟା କରିଛନ୍ତି। ଉଦାହରଣ ସ୍ୱରୂପ, ପୁରୁଷୋତ୍ତମ ଦେବଙ୍କ ବିବରଣୀରେ ଲେଖାଅଛି “ଦରଶନ କରି ପ୍ରତିଜ୍ଞା କରି ବୋଇଲେ ପୁରିଆକୁ ଆଉ ତୁମ୍ଭେ ରଖି ନ ପାରିବ ଶଙ୍ଖେ ପୂରାଇ ଚକ୍ରେ ଉହାଡ଼ିଲେ, ଅବଶ୍ୟ ମାରିବୁ ଗୋସାଇଁ, ଏତେ ବୋଲି ହମିରେ ନିକଟକୁ ଗଲେ, ପୁରୁଷୋତ୍ତମ ଦେବଙ୍କୁ ବାରଣ ହୋଇଲା।”
ପୁନଶ୍ଚ ମାଦଳାପାଞ୍ଜିର ଭାଷା ଯେ ସମ୍ପୂର୍ଣ୍ଣ ମାର୍ଜିତ ଥିଲା ତା’ ନୁହେଁ ବରଂ ତାହା କଥିତ ଭାଷାରେ ଲେଖା ହୋଇଥିବା ଓ ବହୁ ଦେଶଜ ତଥା ଖାଣ୍ଟି ଓଡ଼ିଆ ଶବ୍ଦ ଦ୍ୱାରା ପରିବେଷ୍ଟିତ ହୋଇଥିବା ଦେଖାଯାଏ। ତେଣୁ ରାଜାଙ୍କ ଆଦେଶରେ ପାଞ୍ଜି ଲେଖା କାର୍ଯ୍ୟରେ ନିଯୁକ୍ତ ଥିବା କୋଠକରଣ, ବଇଠିକରଣ, ତଢଉକରଣ, ପାଞ୍ଜିକରଣ ଓ ଦେଉଳକରଣ, ଏହି ପାଞ୍ଚକରଣ ଲେଖୁଥିବା ରାଜଖଞ୍ଜା, ଦେଶଖଞ୍ଜା, କର୍ମାଙ୍ଗୀ, ଦିନପାଞ୍ଜି ଓ ଚକଡ଼ା ଇତ୍ୟାଦିରେ ସେ ସମୟରେ ସର୍ବସାଧାରଣରେ ବ୍ୟବହୃତ ଓଡ଼ିଆ ଭାଷାର ସ୍ୱରୂପ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥାଏ।
ପଞ୍ଜିକା ଲିଖନ
ଓଡ଼ିଶାର ଗଜପତି ରାଜାମାନଙ୍କ ଆଦେଶରେ ବେତନଭୋଗୀ କର୍ମଚାରୀମାନେ ବଂଶାନୁକ୍ରମିକ ପଞ୍ଜିକା ଭାବରେ ଏହାକୁ ଲେଖିଛନ୍ତି। ସେମାନେ ହେଲେ ଦେଉଳକରଣ ବା ଲିଖନକରଣ, ତଢ଼ାଉକରଣ ଓ କୋଷ୍ଠକରଣ। ତାଳପତ୍ର ଖେଦା (ପୋଥି)ରେ ଲୌହଲେଖନୀ ସାହାଯ୍ୟରେ ଏସବୁ ଲେଖାହୋଇ ଆସୁଥିଲା। ମାଦଳାପାଞ୍ଜିରେ ଗଜପତି ରାଜାମାନଙ୍କର ରାଜଭୋଗ ବିବରଣୀ, ଜଗନ୍ନାଥ ମନ୍ଦିରର ନିର୍ମାଣ ଇତିହାସ ଓ ସେବାପୂଜା, ବିଧି-ବ୍ୟବସ୍ଥା, ସେବକମାନଙ୍କର କର୍ତ୍ତବ୍ୟ ତଥା ଆୟବ୍ୟୟର ତଥ୍ୟ ପ୍ରଦାନ କରାଯାଇଛି। ମାତ୍ର ଏହାର ନାମକରଣ ‘ମାଦଳା’ କାହିଁକି ହୋଇଛି? ଏହା ସ୍ୱତଃ ମନରେ ପ୍ରଶ୍ନ ଉଠେ। ଏହି ନାମକରଣ ସଂପର୍କରେ ମଧ୍ୟ ବିଭିନ୍ନ ଗବେଷକଙ୍କର ବିଭିନ୍ନ ମତ ରହିଛି।
ମାଦଳାପାଞ୍ଜିର ଗବେଷକ ମନମୋହନ ଚକ୍ରବର୍ତ୍ତୀ ଏସିଆଟିକ୍ ସୋସାଇଟିର ଗବେଷଣା ପତ୍ରିକାରେ ମାଦଳାପାଞ୍ଜିର ସାହିତ୍ୟିକ ମୂଲ୍ୟକୁ ଅସ୍ୱୀକାର କରିଥିଲେ ହେଁ ଏହା ବଂଶାବଳୀର ଏକ ନିଖୁଣ ଚିତ୍ର ବୋଲି ସ୍ୱୀକାର କରିଛନ୍ତି। ତାଙ୍କ ମତାନୁସାରେ ‘ମାଦଳା’ ଶବ୍ଦ ‘ମୁଦଲ’ ଶବ୍ଦରୁ ଆସିଅଛି। ପୂର୍ବକାଳରେ ରାଜାମାନେ ନିଜ ହସ୍ତରେ ପିନ୍ଧିଥିବା ମୁଦି ସାହାଯ୍ୟରେ ଗନ୍ତାଘର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ପଦାର୍ଥ ରଖାଯାଉଥିବା ଜାଗାରେ ସିଲ୍ ବା ମୋହର ମାରି ରଖୁଥିଲେ। ଶ୍ରୀଯୁକ୍ତ ଚକ୍ରବର୍ତ୍ତୀଙ୍କ ମତରେ ‘ମୁଦଲ’ ଶବ୍ଦର ଅର୍ଥ ହେଉଛି ସିଲ୍ ବା ମୋହରଦେବା। ଏବେ ମଧ୍ୟ ପ୍ରତିଦିନ ସେବାପୂଜାପରେ ମନ୍ଦିରର ବନ୍ଦଦ୍ୱାରକୁ ମୁଦଦେବା ବା ସିଲ୍ କରିବା ଲୋକର ନାମ ମୁଦ୍ରସ୍ତ। ତେଣୁ ଏହି ମୁଦ୍ରସ୍ତ ଶବ୍ଦ ସହ ତୁଳନାକରି ‘ମୁଦଲ’ ଶବ୍ଦରୁ ‘ମାଦଳା’ ଶବ୍ଦ ସୃଷ୍ଟି ହୋଇଛି ବୋଲି ସେ ମତବ୍ୟକ୍ତ କରନ୍ତି।
ଗବେଷକ ରମାପ୍ରସାଦ ଚାନ୍ଦ, ଜଗବନ୍ଧୁ ସିଂହ, ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଓ ଐତିହାସିକ ରାଖାଲ ଦାସ ବାନାର୍ଜୀ ପ୍ରମୁଖ ‘ମାଦଳା’ ଶବ୍ଦର ଅର୍ଥକୁ ବାଦ୍ୟଯନ୍ତ୍ର ବା ଢୋଲ ଭାବରେ ଗ୍ରହଣ କରିଛନ୍ତି। ପୂର୍ବକାଳରେ ଯେକୌଣସି ପୁସ୍ତକ ତାଳପତ୍ରରେ ଲୁହା ଲେଖନୀରେ ଲେଖାଯାଉଥିଲା। ଏହି ତାଳପତ୍ର ଖେଦାଗୁଡ଼ିକୁ ମୃଗଛାଲରେ ଗୋଲାକାର ଭାବେ ବାନ୍ଧିକରି ସାଇତି ରଖାଯାଉଥିଲା। ଏହାର ସ୍ୱରୂପ ମାଦଳା ବାଦ୍ୟଯନ୍ତ୍ର ପରି ହୋଇଥିବାରୁ ଏହି ପାଞ୍ଜିର ନାମ ‘ମାଦଳାପାଞ୍ଜି’ ହୋଇଛି ବୋଲି ଗବେଷକମାନେ ମତବ୍ୟକ୍ତ କରିଥା’ନ୍ତି।
ପଣ୍ଡିତ ସଦାଶିବ ରଥଶର୍ମା ମାଦଳା ପାଞ୍ଜିକୁ ପ୍ରାଚୀନ ଇତିହାସ କହି, ଏହି ଅଖଣ୍ଡିତ ତଥ୍ୟ ଲମ୍ବାଲମ୍ବି ଭାବରେ ତାଳପତ୍ରରେ ଲିଖିତ ହୋଇ ମର୍ଦ୍ଦଳାକାରରେ ବନ୍ଧା ହୋଇଥିବାରୁ ଏପରି ନାମକରଣ ହୋଇଛି ବୋଲି ମତ ଦେଇଛନ୍ତି।
ମାଦଳୀରୁ ମାଦଳା
ଥ୍ରଷ୍ଟନ୍ ସାହେବ ପ୍ରମୁଖ ‘ମୋଦଳୀ’ ଶବ୍ଦରୁ ମାଦଳାର ଉତ୍ପତ୍ତି ବୋଲି କହିଛନ୍ତି। ପୁରୁଷୋତ୍ତମଦେବଙ୍କ ରାଜତ୍ୱ କାଳରେ ମନ୍ତ୍ରୀ ରାୟରାମାନନ୍ଦ ଦାକ୍ଷିଣାତ୍ୟରୁ ଦେବଦାସୀମାନଙ୍କୁ ଅଣାଇ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ନର୍ତ୍ତକୀ ଭାବରେ ସ୍ଥାନ ଦେଇଛନ୍ତି। ଦେବଦାସୀ ପୁତ୍ରମାନଙ୍କୁ ‘ମାଦଳୀ’ ବା ‘ମୁଦଳୀ’ ବୋଲି ପରିଚିତ କରାଯାଇଥାଏ।
ଅନ୍ୟ ଏକ ମତ ଅନୁସାରେ ‘ମୁଦଲେ’ ବା ‘ମାଦଳ’ ଏକ ରାଜକୀୟ ଉପାଧି। ଏହି ଉପାଧିଧାରୀମାନେ ରାଜକୀୟ ଘୋଷଣା ଲେଖୁଥିଲେ ଓ ପ୍ରଚାର କରୁଥିଲେ। ସେମାନେ ଜଗନ୍ନାଥ ମନ୍ଦିରର ବ୍ୟବସ୍ଥାକୁ ତାଳପତ୍ର ପୋଥିରେ ଲେଖୁଥିବାରୁ ତାହା ମାଦଳାପାଞ୍ଜି ରୂପେ ପରିଚିତ।
ଗବେଷକ ଓ ଐତିହାସିକ ଅନିରୁଦ୍ଧ ଦାସ କହିଛନ୍ତି ‘ମୁଦଲ ସିଦ୍ଧି’ ଗ୍ରନ୍ଥରୁ ‘ମାଦଳା’ ଶବ୍ଦଟି ଆହରଣ କରାଯାଇଛି। ପୁରୀ ଗଜପତି ରାଜାମାନଙ୍କର ନେପାଳ ରାଜପରିବାର ସହ ସମ୍ପର୍କ ଅତି ନିବିଡ଼। ଏପରିକି ବୈବାହିକ ସମ୍ପର୍କ ମଧ୍ୟ ରହିଛି। ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ ସହ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପର୍କ ମଧ୍ୟ ଅତି ପ୍ରାଚୀନ। ନେପାଳ ରାଜାଙ୍କର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ସମୟରେ କେତେକ ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ। ‘ମୁଦଲ ସିଦ୍ଧି’ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ଏକଦା ନେପାଳର ରାଜା ଶଙ୍କରଦେବ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଦାରୁ ‘ଜୀବନ୍ତ ଶାଳଗ୍ରାମ ବା ବ୍ରହ୍ମପଦାର୍ଥ’ ପଠାଇଥିଲେ। ପୁନଶ୍ଚ ‘ମୁଦଲସିଦ୍ଧି’କୁ ରାଜକୀୟ ଆଦେଶ ବା ସ୍ୱତ୍ୱ ପ୍ରଦାନ କୁହାଯାଏ। ଆଉ ମଧ୍ୟଏହି ‘ମୁଦଲ’ ଶବ୍ଦ ଗଙ୍ଗରାଜାମାନଙ୍କ କେନ୍ଦୁଲି ତାମ୍ର ଶାସନ ଖ୍ରୀ.୧୩୦୫ ଓ ପୁରୀ ତାମ୍ର ଶାସନ ୧୩୨୬ରେ ଦେଖିବାକୁ ମିଳିଥାଏ।
ମୋଦୁଲ ଗାଁ
ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଓ ଡ. ଗଗନେନ୍ଦ୍ରନାଥ ଦାଶ ପ୍ରମୁଖ ‘ମୋଦୁଲ ଗାଁ’ ଓ ‘ମୋଦଲି’ ଶବ୍ଦରୁ ମାଦଳା ଶବ୍ଦ ଆସିଥିବା ଅନୁମାନ କରନ୍ତି। ଆନ୍ଧ୍ରପ୍ରଦେଶର ମୋଦୁଲ ଗାଁ ବା ମୋଦଳୀ ଶବ୍ଦର ଅର୍ଥ ହେଉଛି ଆରମ୍ଭରୁ ବା ପ୍ରଥମରୁ। ଧର୍ମବିଶ୍ୱାସୀ ଭାରତୀୟମାନେ କୌଣସି ଶୁଭାନୁଷ୍ଠାନ କଲାବେଳେ ଆରମ୍ଭରୁ ପୂଜା ପଦ୍ଧତିର ନିୟମକୁ ପାଳନ କରିଥା’ନ୍ତି। ତେଣୁ ମାଦଳାପାଞ୍ଜି ଗଜପତି ରାଜା ଓ ଜଗନ୍ନାଥଙ୍କ ଇତିହାସ ପ୍ରଥମରୁ ଲେଖା ହୋଇ ଆସୁଥିବାରୁଏପରି ନାମକରଣ ହୋଇଛି ବୋଲି ଅନୁମିତ ହୁଏ।
‘ମାଦଳା’ର ଆଭିଧାନିକ ଅର୍ଥ ହସ୍ତପଦହୀନ ଶରୀର। ଜଗନ୍ନାଥ ମହାପ୍ରଭୁ ଅସମ୍ପୂର୍ଣ୍ଣ ବା ହସ୍ତପଦହୀନ ମାଦଳ ହୋଇଥିବାରୁ ତାଙ୍କୁ କେନ୍ଦ୍ରକରି ରଚିତ ଏକ ପାଞ୍ଜିକୁ ‘ମାଦଳାପାଞ୍ଜି’ ଭାବରେ ନାମିତ କରିବାକୁ କେତେକ ସମାଲୋଚକ ଉଚିତ ମନେକରନ୍ତି; ମାତ୍ର ଜଗନ୍ନାଥ ମାଦଳ ନୁହନ୍ତି। ଓଡ଼ିଆ ସାହିତ୍ୟର ଦୀର୍ଘ ପରମ୍ପରାରେ କେହି ଜଣେ କବି ଜଗନ୍ନାଥଙ୍କୁ ମାଦଳ ଭାବରେ ବର୍ଣ୍ଣନା କରିନାହାନ୍ତି। ବରଂ ଭକ୍ତଗଣ ତାଙ୍କୁ ‘କଳାଶ୍ରୀମୁଖ’ ଭାବରେ ଅଭିହିତ କରି ତାଙ୍କର ସୌନ୍ଦର୍ଯ୍ୟ ଗାନ କରିବାରେ ବିଭୋର। (ଏ ସମ୍ବନ୍ଧେ ଡଃ. ମାୟାଧର ମାନସିଂହଙ୍କ ଅଭିମତ ପ୍ରଣିଧାନଯୋଗ୍ୟ-ଓଡ଼ିଆ ସାହିତ୍ୟର ଇତିହାସ, ପୃ.-୪୪)। ନିଜର ଆରାଧ୍ୟ ଦେବତା ବିଶ୍ୱବନ୍ଦ୍ୟ ଶ୍ରୀଜଗନ୍ନାଥଙ୍କୁ ମାଦଳ ବୋଲି ଚିନ୍ତାକରି ପାଞ୍ଜିକୁ ମାଦଳାପାଞ୍ଜି କହିବା ମତ ଆଦୌ ଗ୍ରହଣଯୋଗ୍ୟ ନୁହେଁ।
ମହାମହୋପାଧ୍ୟାୟ ପଣ୍ଡିତ ସଦାଶିବ ମିଶ୍ର (ବଙ୍ଗଳା ‘ଶ୍ରୀକ୍ଷେତ୍ର’ର ପାଦଟୀକା, ପୃ.-୮)ଙ୍କ ମତରେ “ମାଦଳାପାଞ୍ଜି ଓଡ଼ିଶାର ପ୍ରାଚୀନ ଇତିହାସ ସ୍ୱରୂପ ମାଦଳା ପଞ୍ଜିକା ଲମ୍ବାଲମ୍ବଭାବେ ତାଳପତ୍ର ଲିଖିତ ହଇୟା ମର୍ଦ୍ଦଳାକାରେ ବଦ୍ଧଥାକାୟଓ ଇହାର ନାମ ‘ମାଦଳାପାଞ୍ଜି’ ହଇୟାଛେ। ଇହାତେ ଶ୍ରୀଜଗନ୍ନାଥ ଦେବେର ମନ୍ଦିରେର ଓ ଓଡ଼ିଶ୍ୟାର ନୃପତିଗଣେର ଇତିବୃତ୍ତ ଲିଖିତ ହଇଛେ।”
ଜିଜାତି ପାଞ୍ଜି
ଗବେଷକ ଡଃ ଖଗେଶ୍ୱର ମହାପାତ୍ର ସାରଳା ମହାଭାରତର ଆଦିପର୍ବରେ ବର୍ଣ୍ଣିତ ‘ଜିଜାତି ପାଞ୍ଜି’ର ଉଦାହରଣ ଦେଇଏହାକୁ ‘ମାଦଳାପାଞ୍ଜି’ ରୂପେ ଗ୍ରହଣ କରିଛନ୍ତି।
“ଥାନି ଜାଗିରର କର ଛାଡ଼ ପରଜାଙ୍କୁ
ବିହନ ଭିଆଣ କଲେ ଭଣ୍ଡାର ଦେବାକୁ
ଏ ବିଧି ଭିଆଣ କଲେ ଛତିଶ ମଣ୍ଡଳେ
ଦେବ ବ୍ରାହ୍ମଣଙ୍କୁ କର ଛାଡ଼ି ସର୍ବକାଳେ
ନିଯୋଗ ଭୂମି ଛାଡ଼ିଣ ଦେଲେ ଦେବତାଙ୍କୁ
‘ଜଜାତି ପାଞ୍ଜି’ ପ୍ରମାଣେ ପାଳିଲେ ପ୍ରଜାଙ୍କୁ।”
(ସାରଳା ମହାଭାରତ, ଆଦିପର୍ବ)
ତେଣୁ ମାଦଳାପାଞ୍ଜିର ଅନ୍ୟନାମ ‘ଜିଜାତି ପାଞ୍ଜି’ ଥିଲା ବୋଲି ପ୍ରଫେସର ଖଗେଶ୍ୱର ମହାପାତ୍ରଙ୍କ ମତ।
କେତେକ ପ୍ରାଚୀନ ଶାସ୍ତ୍ର ଅନୁସାରେ ମାଦଳା ଦୁଇଟି ଶବ୍ଦ (ମାଦ+ଳା)ର ସମଷ୍ଟି। ‘ମାଦ’ର ଅର୍ଥ ଗୌରବ ବା ପ୍ରଶଂସାମୂଳକ ଭକ୍ତି ଏବଂ ‘ଳା’ର ଅର୍ଥ ସଂକଳନ ବା ସଂଗ୍ରହ। ଅତଏବ ‘ମାଦଳା’ର ଅର୍ଥ ରାଜାମାନଙ୍କର ଗୌରବାବହ ଇତିହାସର ସଂକଳନ ଏବଂ ଯେଉଁ ପାଞ୍ଜିରେ ଏହି ଇତିହାସ ସଂକଳିତ ତାହା ‘ମାଦଳାପାଞ୍ଜି’।
ଉପରୋକ୍ତ ବିଭିନ୍ନ ଗବେଷକ ଓ ଆଲୋଚକମାନଙ୍କର ମତଗୁଡ଼ିକ ଅନୁଶୀଳନ କଲେ ଦେଖାଯାଏ ବିଭିନ୍ନ ସମାଲୋଚକ ନିଜସ୍ୱ ମତର ସାର୍ଥକତା ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି।
ମାତ୍ର ଦ୍ୱିତୀୟ ମତ ଯେଉଁଟିକୁ ଗବେଷକ ରମାପ୍ରସାଦ ଚାନ୍ଦ, ସଦାଶିବ ରଥଶର୍ମା, ଜଗବନ୍ଧୁ ସିଂହ, ଡଃ. ଆର୍ତ୍ତବଲ୍ଲଭ ମହାନ୍ତି, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ଐତିହାସିକ ରାଖାଲ ଦାସ ବାନାର୍ଜୀ ପ୍ରମୁଖ ସମର୍ଥନ କରନ୍ତି ଓ ଶେଷୋକ୍ତ ମତଟି ଅଧିକ ଯୁକ୍ତିଯୁକ୍ତ ଓ ଗ୍ରହଣଯୋଗ୍ୟ ମନେହୁଏ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଏପ୍ରିଲ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଅତ୍ୟନ୍ତ ଉନ୍ନତ ଓ ଶିକ୍ଷଣୀୟ ବିଷୟ ବସ୍ତୁ।ବହୁତ କଥା ଜାଣିହେଲା।ଧନ୍ୟବାଦ ଓ ଆଶୀର୍ବାଦ।
ପ୍ରକୃତରେ ମାଦଳା ପାଞ୍ଜି ନାମକରଣ ଯେଉଁଭାବେ ହୋଇଥାଉ ନା କାହିଁକି, ଏହା ଓଡ଼ିଆମାନଙ୍କ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ, ଏହା ଅନସ୍ୱୀକାର୍ଯ୍ୟ। କାରଣ ଓଡ଼ିଶା ବା ଓଡ଼ିଆମାନଙ୍କ ସମ୍ପର୍କରେ ଲେଖାଯାଇଥିବା କୌଣସି ପ୍ରକାରର ଐତିହାସିକ ତଥ୍ୟ ତୁଳନାରେ ମାଦଳାପାଞ୍ଜିର ଗ୍ରହଣୀୟତା ଓ ତଥ୍ୟ ଏବଂ ସୂଚନା ଯଥେଷ୍ଟ ଠିକ୍। ସେହିଭଳି ଯଦିଓ ଏଥିରେ ନିର୍ଦ୍ଦିଷ୍ଟ କିଛି ତଥ୍ୟ ରହିଛି, ତାହା ସତ୍ତ୍ୱେ ସୁଦ୍ଧା ମାଦଳା ପାଞ୍ଜି ଓଡ଼ିଆମାନଙ୍କ ଇତିହାସ ଜାଣିବା ପାଇଁ ଏକ ସର୍ବାଦୌ ଗ୍ରହଣଯୋଗ୍ୟ ପୁସ୍ତକ। ଆମ ଓଡ଼ିଆମାନଙ୍କ ଦୁର୍ଭାଗ୍ୟ ଏହା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଯୁକ୍ତିସମ୍ମତ ବା ସର୍ବାଧିକ ଗ୍ରହଣଯୋଗ୍ୟ ଆମ ଜାତିର ଇତିହାସ ବିଶେଷ କରି ଏକାଦଶ ବା ଦ୍ୱାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଲିଖିତ ଇତିହାସ ନାହିଁ। ଯାହା ଅଛି ସେଥିରେ ଅନେକ ଭ୍ରମାତ୍ମକ ଓ ଅଯୁକ୍ତିକର ତଥ୍ୟ ରହିଛି।
ସେ ଯାହା ହେଉ ମାଦଳ ପାଞ୍ଜିର ନାମକରଣ ସମ୍ପର୍କୀତ ଲେଖକଙ୍କ ଆଲୋଚନା ଯୁକ୍ତିଯୁକ୍ତ, ବଳିଷ୍ଠ ଓ ଗବେଷଣାଲବ୍ଧ।
ସୁନ୍ଦର ଏବଂ ଗବେଷଣାତ୍ମକ ଅନୁଶୀଳନ
ବହୁତ ସୁନ୍ଦର ପ୍ରୟାସ🙏🙏🙏🙏🙏