ଚପଲ ବର୍ଷଣ ଦୃଶ୍ୟ ଉପରାନ୍ତେ ଫିଙ୍ଗିଥିବା ବ୍ୟକ୍ତି ଘରକୁ ଫେରିବା ପୂର୍ବରୁ ନିଜ ଚପଲ ଖୋଜିବାକୁ ପୁଣିଥରେ ମଞ୍ଚକଡ଼କୁ ଯାଏ।
ଆଜି ‘ ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ପତ୍ରିକାଟିର ହ୍ବାଟସଆପ୍ ଗ୍ରୁପ୍ ରେ ଜଣେ ଲେଖକଙ୍କୁ କହିଦେଲେ ଯେ ସେ ତାଙ୍କ ଲେଖାରେ ବ୍ୟବହାର କରିଥିବା ନାରୀ ଚରିତ୍ରଟିର ନାମ ଯଦି ତାଙ୍କ ବାସ୍ତବ ଜୀବନର କୌଣସି ଚରିତ୍ରର ନାମ ହୋଇଥାଏ, ତେବେ ତାଙ୍କୁ ଚପଲ ବର୍ଷଣର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ଟିପ୍ପଣୀରେ ‘ଟଗର କଢ଼ କଳ ନଳ କଟକ ସହର’ ପରି ମାତ୍ରା ହୀନ ଶବ୍ଦଯୁଗଳ ‘ଚପଲ ବର୍ଷଣ’ର ବ୍ୟବହାର ବିଶେଷ ଦୃଷ୍ଟି ଆକର୍ଷଣ କଲା । ଅବଶ୍ୟ ସେ ଯେଉଁ ମହିଳା ଜଣକ ପ୍ରସଙ୍ଗରେ ଏହାର ପ୍ରୟୋଗ କରିଛନ୍ତି, ସେଠାରେ ଚପଲ ବର୍ଷଣ ପରିବର୍ତ୍ତେ ଚପଲ ମାଡ଼ ବୋଧେ ଅଧିକ ଉପଯୁକ୍ତ ହୋଇଥାନ୍ତା; କାରଣ ନିଶ୍ଚିତ ରୂପେ ମହିଳା ନିଜର ହଳକ ଚପଲ ନେଇ ଗୋଟିଏ ଚପଲ ବର୍ଷା ସଂଘଟିତ କରାଇ ପାରିବେ ନାହିଁ। ଚପଲ ବର୍ଷଣ କେବଳ ବହୁତ ସଂଖ୍ୟାରେ ଉପସ୍ଥିତ ଜନତା ନିଜର ପାଦୁକା ପୁଷ୍ପାଞ୍ଜଳି ଦ୍ୱାରା ସମ୍ଭବ କରାଇ ପାରନ୍ତି । ଛାଡ଼ନ୍ତୁ, ଏଠାରେ ମୋର ଉଦ୍ଦେଶ୍ୟ ବ୍ୟାକରଣଗତ ତ୍ରୁଟି ଆବିଷ୍କାର କରିବା ନୁହେଁ । ସମ୍ପାଦକ ମହାଶୟ ନିଜେ ଥରେ ପ୍ରଖ୍ୟାତ କବି, ଦାର୍ଶନିକ ଓ ସମାଲୋଚକ ସାମୁଏଲ୍ ଟେଲର୍ କଲେରିଜ୍ ଙ୍କ ସେହି ଧାରଣାକୁ ବଳ ଦେଇ କହିଥିଲେ ଯେ ନିରନ୍ତର ଛିଦ୍ର ଅନ୍ୱେଷଣ କରୁଥିବା ବ୍ୟକ୍ତି ଏହି ପ୍ରକ୍ରିୟାରେ ସାହିତ୍ୟର ପ୍ରକୃତ ସ୍ୱାଦ ଓ ଆମୋଦର ମଜା ନେଇ ପାରେ ନାହିଁ । ମୋର ବି ଉଦ୍ଦେଶ୍ୟ, ଚପଲକୁ ନେଇ ସର୍ଜିତ ହେଉଥିବା ଦୃଶ୍ୟଗୁଡ଼ିକ କେତେ ଜୀବନ୍ତ ତା ଉପରେ ଆଲୋକପାତ କରିବା, ଆଉ କିଛି ନୁହେଁ। ତେଣୁ ସମ୍ପାଦକଙ୍କ ପ୍ରୟୋଗକୁ ମୁଁ ଠିକ ମାନି ନେଲି ଆଉ ‘ଚପଲ ବର୍ଷଣ’ ସମାସଟିର ବ୍ୟାସ ବାକ୍ୟ “ଚପଲ ମାଡ଼ର ବର୍ଷା = ଚପଲ ବର୍ଷଣ” ଭାବି ନେଉଛି ।
ସତରେ ଚପଲ ମାଡ଼ ଓ ଚପଲ ବର୍ଷଣର ଚିତ୍ର କେଡ଼େ ଜୀବନ୍ତ ! ଫିଲ୍ମରେ ଅନେକ ଥର ହିରୋଇନ ଖପା ହୋଇ ହିରୋର ଛାତିରେ ମୁଷ୍ଟି ବର୍ଷଣ କରିବାର ଦୃଶ୍ୟ ଆମେ ଦେଖିଛେ। ଛାତି ଉପରେ ପ୍ରିୟାର ଅଭିମାନଭରା ଏହି ମୁଷ୍ଟି ମାଡ଼ ଯେତିକି ପ୍ରାଣବନ୍ତ ତା ଠାରୁ ଅଧିକ ଜୀବନ୍ତ ‘ଚପଲ ମାଡ଼’। ଗୋଟିଏ ଅଭିମାନରୁ ଜନ୍ମ ତ ଅନ୍ୟଟି ଆକ୍ରୋଶରୁ। ମୁଷ୍ଟି ମାଡ଼ର ଭୌଗୋଳିକ କ୍ଷେତ୍ର ପ୍ରିୟତମର ଛାତି ଯାଏଁ ସଂରକ୍ଷିତ ତ, ଚପଲ ମାଡ଼ର କୌଣସି ଭୌଗୋଳିକ ସୀମା ନାହିଁ। ସଂଘାତ କ୍ଷେତ୍ର ପିଠିର ପାନିପଥଠାରୁ ଆରମ୍ଭ ହୋଇ କାନମୂଳ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇ ପାରେ। ଚପଲ ମାଡ଼ ବେଳେ ପିଠିକୁ ପାନିପଥର ଯୁଦ୍ଧ ମୈଦାନ କହିଲେ ଗୁରୁତର ଭୁଲଟିଏ ହେବ; ତାହା ହେଲା ଏହା ବାସ୍ତବିକ ଯୁଦ୍ଧ ନୁହେଁ ଯେଉଁଠି ଦୁଇ ପଟରୁ ଆକ୍ରମଣ ଥାଏ । ଚପଲ ମାଡ଼ ଅନେକ ସମୟରେ ଏକ ତରଫା। ଗୋଟିଏ ପକ୍ଷ ଆକ୍ରମଣ କରେ ତ ଅନ୍ୟ ପକ୍ଷ ସହେ। ସହିବା ପାଇଁ ତ ପିଠିର ସୃଷ୍ଟି!
ଏଥର ବିଚାର କରିବା ଚପଲ ମାଡ଼ଠାରୁ ଆହୁରି ବ୍ୟାପକ ଚପଲ ବର୍ଷଣର ଦୃଶ୍ୟ। ମଞ୍ଚ ଉପରେ ଆସୀନ ବ୍ୟକ୍ତି ପ୍ରତି ଅଚାନକ ଜନ୍ମ ନେଇଥିବା ଘୃଣା ଚପଲ ବର୍ଷଣର ରୂପ ନିଏ। ସମବେତ ଜନତା ଘୃଣ୍ୟ ଦେବତା ପ୍ରତି ନାନା ଜାତିର ଅପଶବ୍ଦର ମନ୍ତ୍ର ଉଚ୍ଚାରଣ କରି ନିଜର ପାଦୁକା ପୁଷ୍ପାଞ୍ଜଳି କରିଥାନ୍ତି । କହିବାକୁ ଚପଲ ବର୍ଷଣ ସିନା, ମଞ୍ଚ ବା ଲକ୍ଷ୍ୟଚ୍ୟୁତ ହୋଇ ମଞ୍ଚ ଆଖପାଖରେ ପଡ଼ି ଥିବା ସମସ୍ତ ପାଦୁକା ଚପଲ ଶ୍ରେଣୀଭୁକ୍ତ ନୁହଁନ୍ତି । ସେ ସମୟରେ ଚପଲ ସହିତ ନୂଆ ପୁରୁଣା ସ୍ୟାଣ୍ଡଲ, ବୁଟ, ସବୁ କିଛି ଷ୍ଟେଜ ଉପରକୁ ଆସି ଯାଆନ୍ତି । ଭାବି ପାରୁଛନ୍ତି, ଆକ୍ରୋଶ ସର୍ବୋଚ୍ଚ ସୀମାରେ ପହଁଚିବା ପରର ସେହି ଦୃଶ୍ୟକୁ ?
ଚାଲନ୍ତୁ ଚପଲ ମାଡ଼ ଓ ଚପଲ ବର୍ଷଣର ଗୋଟିଏ ତୁଳନାତ୍ମକ ଅଧ୍ୟୟନ କରିବା । ଚପଲ ମାଡ଼ ସାଧାରଣତଃ ୱାନ-ଟୁ-ୱାନ ବା ଏକକ ସ୍ତରରେ ହୋଇଥାଏ। ଅନ୍ୟ ପକ୍ଷରେ ଚପଲ ବର୍ଷଣ ଜନସମୂହ ଦ୍ୱାରା ଗୋଟିଏ ବ୍ୟକ୍ତି ବା ଅପେକ୍ଷାକୃତ ଛୋଟ ଦଳ ଉପରେ ହୋଇଥାଏ। ଉଭୟର ଉଦ୍ଦେଶ୍ୟ ଅପର ପକ୍ଷକୁ ଦଣ୍ଡିତ କରିବାକୁ ହୋଇଥିଲେ ବି ଚପଲ ମାଡ଼ର ମୁଖ୍ୟ ଉଦ୍ଦେଶ୍ୟ ଶାରୀରିକ କ୍ଷତି ପହଞ୍ଚେଇବା। ଚପଲ ବର୍ଷଣରେ ବିଶେଷ ଶାରୀରିକ କ୍ଷତି ହୁଏନାହିଁ। କେବଳ ଭୁକ୍ତଭୋଗୀକୁ ଚପଲ ମେଳରେ ନତମସ୍ତକ ହୋଇ ଛିଡ଼ା ହେବାକୁ ପଡ଼େ। ଚପଲବର୍ଷଣର ମୁଖ୍ୟ ଉଦ୍ଦେଶ୍ୟ, ଏକଦା ସାମାଜିକରୂପେ ଗୃହୀତ କୌଣସି ବରେଣ୍ୟ ବ୍ୟକ୍ତିଙ୍କୁ ମାନସିକରୂପେ ଚୋଟ ପହଞ୍ଚେଇବା।
ଶାରୀରିକ କ୍ଷତି ହୋଇଥିଲେ ବି ଚପଲ ମାଡ଼ ଖାଇବା ଗୋଟିଏ ଛୋଟ ଘଟଣା। ଯତ୍ନ କଲେ ଏହାକୁ କାନରୁ ତିନିକାନ ହେବାକୁ ନ ଦେଇ ବ୍ୟକ୍ତିର ଯଶରକ୍ଷା କରାଯାଇ ପାରିବ। କିନ୍ତୁ ଚପଲ ବର୍ଷଣ କ୍ଷେତ୍ରରେ ମର୍ଯ୍ୟାଦାହାନି ଆନୁଷଙ୍ଗିକ। ତାହା ଘଟଣାସ୍ଥଳରେ ହିଁ ସ୍ୱତଃ ପ୍ରସାରିତ ହୋଇ ସାରିଥାଏ ତାହା ଯୁଗକର କାହାଣୀ ହୋଇଯାଏ। ଯାହା ବି ହେଉ, ଚପଲ ମାଡ଼ ବା ଚପଲ ବର୍ଷଣ କାହାରି ଜୀବନରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏହା କର୍ମଫଳ ବା ଭାଗ୍ୟଫଳ, କହିବା କଠିନ।
ଚାଲନ୍ତୁ ଭାଗ୍ୟ ଆଡ଼େ ଟିକେ ବୁଲି ଆସିବା। ଏହି ଲେଖକଙ୍କୁ ନିଜ ଜୀବନରେ ପ୍ରେମିକାର ଅଭିମାନଭରା ମୁଷ୍ଟି ବର୍ଷା କେବେ ମିଳି ନାହିଁ । ଏହି ମୃଦୁ ମୃଦୁ ମୁଷ୍ଟିବର୍ଷାର ଆଶାୟୀ ହେବା ପଛରେ ଗୋଟିଏ କାରଣ ଅଛି । ବର୍ଷା ପରେ ଚୁମ୍ବନ ଇନ୍ଦ୍ରଧନୁର ଛଟାର ଲାଭ ଯା ମିଳେ ! ପରିକଳ୍ପନା ଆଉ ପରିକଳ୍ପନାରେ ଅଧିକାଂଶ ବୟସ କଟିଗଲା । ମୋ ଅନୁମାନରେ ଅନ୍ୟ ଲେଖକଙ୍କ ଜୀବନ ଊଣା ଅଧିକେ ସେୟା ହୋଇଥିବ । କାରଣ ଜୀବନରେ ଇନ୍ଦ୍ରଧନୁଲାଭ କରିଥିବା ବ୍ୟକ୍ତିଙ୍କୁ ମୁଁ କେବେ କଳାକାରରୂପେ ଦେଖିନାହିଁ । ହଁ, ଅନେକ କଳାକାରଙ୍କ ଜୀବନରେ କିଛି ବର୍ଷା ତ ହୋଇଥାଏ । ପୁସ୍ତକ, କାଗଜ, କଲମ, ସ୍ୟାହି, ରଙ୍ଗ, ତୁଳୀ, ବଂଶୀ, ବୀଣା – ଯେଉଁ ପ୍ରିୟ ବସ୍ତୁ ସବୁକୁ ନେଇ କଳାକାରଟିଏ ତାର ଜୀବନ ଜୀଏ, କେବେ ନା କେବେ ସେ ସବୁକୁ ତାଠୁଁ ଛଡେଇ କିଏ ରାସ୍ତାକୁ ଫିଙ୍ଗି ଦିଏ । ରାସ୍ତା ନ ହେଲେ ନିଆଁ ଅବା ପାଣିକୁ । ଚପଲ ବର୍ଷଣ ଦୃଶ୍ୟ ଉପରାନ୍ତେ ଫିଙ୍ଗିଥିବା ବ୍ୟକ୍ତି ଘରକୁ ଫେରିବା ପୂର୍ବରୁ ନିଜ ଚପଲ ଖୋଜିବାକୁ ପୁଣିଥରେ ମଞ୍ଚକଡ଼କୁ ଯାଏ । କିନ୍ତୁ କଳାକାର? ନିଜେ ନ ଫିଙ୍ଗି ବି ନିଜର ଫିଙ୍ଗା ଯାଇଥିବା ବସ୍ତୁସବୁକୁ ପୁଣି ଲୁହ ଝରାଇ ଗୋଟେଇ ବସେ – ହୋଇ ପାରେ ତାହା ଭଙ୍ଗା କଲମଟିଏ, ତାର ଛିଣ୍ଡି ଯାଇଥିବା ବୀଣା, ଚିରା ଡାଏରି ବା ପେଣ୍ଟିଂ ଅବା ଭାଙ୍ଗି ବିଞ୍ଚି ହୋଇ ପଡ଼ିଥିବା ନିଜର ଆତ୍ମାଟି।
ଏକ ପ୍ରଣିଧାନ ଯୋଗ୍ୟ ରମ୍ୟରଚନା। ଭିନ୍ନ ସ୍ୱାଦର ମଧ୍ୟ।
“ନିଜେ ନଫିଂଙ୍ଗି ବି ନିଜର ଫିଙ୍ଗାଯାଇଥିବା ବସ୍ତୁ ସବୁକୁ ପୁଣି ଲୁହ ଝରାଇ ଗୋଟାଇ ବସେ ହୋଇପାରେ ତାର ଭଙ୍ଗା କଲମ ଟିଏ….” ଏମିତି ଲେଖି ନିଜ ରଚନାର ଉପସଂହାର କଲାବେଳେ ଲେଖକ ବୋଧ ହୁଏ କହିବାକୁ ଚାହୁଁଛନ୍ତି ଯେ ଅଳିଆଗଦାରେ ବି ଲେଖକ ଖୋଜୁ ଥାଏ ମଣିଷର ଆବେଗ ସହ ଯୋଡ଼ା ହୋଇଥିବା ଅଥଚ ସାଧାରଣ ଲୋକଙ୍କୁ ଅପାଂକ୍ତେୟ ମନେହେଉଥିବା ବିଷୟ ବସ୍ତୁ … ଯେମିତି ସାଧାରଣ ମଣିଷ ଆଖିରୁ ଖସି ଯାଉଥିବା କଥା ଦୁଇ ଆଙ୍ଗୁଠି ଫାଙ୍କରେ ଲେଖକକୁ ଧରାଦିଏ… ଚମତ୍କାର