ପ୍ରତ୍ୟେକ ଋତୁ ଧରାପୃଷ୍ଠରେ ଅବତରିତ ହେବାର ନିୟତ ଅବଧି ଥାଏ ଏବଂ କିଛି ଦିନ ଆମ ପର୍ଯ୍ୟାବରଣରେ ରାଜତ୍ୱ କରିବା ପରେ ତାହା ଅନ୍ତର୍ହିତ ମଧ୍ୟ ହୋଇଯାଇଥାଏ। କିନ୍ତୁ ଆମ ଓଡ଼ିଶା ଭୂଖଣ୍ଡରେ ଯେଉଁ ଋତୁଟି ଅପସରିବାର ନାମ ହିଁ ନେଉନାହିଁ ତା’ହେଲା ପୁସ୍ତକ ଉନ୍ମୋଚନର ଋତୁ। ଏହି ଋତୁଟି ଆମ ଏଠାରେ ଅବତରଣ କରିଛି ବିଶେଷତଃ କରୋନା କାଳ ଉପରାନ୍ତେ। ଆପଣମାନେ ଏହି ଅଜବ ଋତୁଟିକୁ ସହଜରେ ଆବିଷ୍କାର କରିପାରିବେ, ଆମ ରାଜ୍ୟର ସହରଠାରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିବା ଛୋଟରୁ ବଡ଼ ସଭାଗାରମାନଙ୍କରେ, ବିଶେଷ କରି ରାଜଧାନୀ ଭୁବନେଶ୍ୱରର ନାଭିକେନ୍ଦ୍ରରେ ବିରାଜିତ ରାଜଭବନରେ। ପୁସ୍ତକ ଉନ୍ମୋଚନ, ବିମୋଚନ ଅବା ଲୋକାର୍ପଣ – ଯେକୌଣସି ନାମରେ ତାହା ନାମିତ ହୋଇଯାଉ ନା କାହିଁକି, ଏମିତି କୌଣସି ଏକ ଦିନ ନାହିଁ ଯେବେ ଏମନ୍ତ ସଭାଟିମାନ ଆମ ରାଜ୍ୟର କେଉଁଠି ନା କେଉଁଠି ମଞ୍ଚସ୍ଥ ନ ହେଉଛି। ଆମ ସାହିତ୍ୟ ଦିନକୁ ଦିନ ରସାତଳଗାମୀ ହୋଇ ଅସ୍ତିତ୍ୱ ହରାଇବାକୁ ବସିଛି ବୋଲି ଆଶଙ୍କା ପ୍ରକାଶ କରୁଥିବା ନୈରାଶ୍ୟବାଦୀମାନଙ୍କ ପ୍ରତି ଏହା ଯେମିତି ଏକ ଚପେଟାଘାତ। ଯେଉଁ ରାଜ୍ୟରେ ବର୍ଷ ତମାମ ଶହ ଶହ ପୁସ୍ତକ ପ୍ରବଳ କରତାଳି ଓ କ୍ୟାମେରାର ଫ୍ଲାସଲାଇଟ୍ ମଧ୍ୟରେ ବିମୋଚିତ ହେଉଥାଆନ୍ତି ସେଠାରେ ବରଂ ସାହିତ୍ୟର ଏକ ସୁବର୍ଣ୍ଣ ଯୁଗ ଉପନୀତ ହୋଇଛି ବୋଲି ତ ନିଃସନ୍ଦେହରେ କୁହାଯାଇପାରେ!
ତଥାପି, କେଜାଣି କାହିଁକି, ଆମକୁ ଟିକିଏ ସନ୍ଦେହ ଘାରିଯାଏ। ସାହିତ୍ୟର ଏହି ସୁବର୍ଣ୍ଣ ଯୁଗଟିର ଅସ୍ତିତ୍ୱ ପୁସ୍ତକ ଉନ୍ମୋଚନ ସଭାର ସେହି କେତୋଟି ମାୟାଚ୍ଛନ୍ନ କ୍ଷଣ ଭିତରେ ହିଁ ସୀମିତ ନ ଥାଏ କି? ମଞ୍ଚ ଉପରେ ଯେଉଁ ଗ୍ରନ୍ଥଟି ଉନ୍ମୋଚିତ ହୋଇ ମାଇକଧାରୀ ବକ୍ତାମାନଙ୍କର ପ୍ରଶଂସା-ବାଣୀରେ ପୋତି ହୋଇପଡିଥାଏ, ତାହା ସେହି ସଭା ଅନ୍ତେ ବାସ୍ତବ ଜଗତରେ ନିଜର ସାମାନ୍ୟତମ ପରିଚୟକୁ ବି ଜାହିର କରିବାକୁ ସମର୍ଥ ହୋଇଥାଏ କି? ଉନ୍ମୋଚନ ଉତ୍ସବଟିର ଜାକଜମକ ଓ ଭୋଜନାଦିର ଆନନ୍ଦ ନେବା ପରେ ସେହି ହଲ୍ ର ଫାଟକରେ ପ୍ରଦର୍ଶିତ ହେଉଥିବା ବହିଟିର କେତୋଟି କପିକୁ ଅବା ଉପସ୍ଥିତ ଦେଖଣାହାରୀମାନେ କିଣିଥାଆନ୍ତି? କିଣିବା ତ ଦୂରର କଥା, ସଭାସ୍ଥଳରୁ ଫେରିବାପରେ ସେମାନଙ୍କ ମଧ୍ୟରୁ କେତେଜଣ ଅବା ଅନ୍ତତଃ ମନେ ରଖିଥାଆନ୍ତି ଉନ୍ମୋଚିତ ହୋଇଥିବା ସେହି ବହିଟିର ନାମ?
ସତ କହିବାକୁ ଗଲେ, କୌଣସି ବହିକୁ ଲୋକପ୍ରିୟ କରିବାରେ ଏଭଳି ଉନ୍ମୋଚନ ସଭାମାନଙ୍କର ଭୂମିକା ଏବେ ସନ୍ଦେହ ଘେରରେ। ଅନ୍ୟ ପକ୍ଷରେ, କୌଣସି ଉନ୍ମୋଚନ ସଭାର ଔପଚାରିକତା ବିନା, ସିଧାସଳଖ ବଜାରରେ ପହଞ୍ଚି ଅନେକ ବହି ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥିବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ। ତଥାପି ଆଜିର ସଂଖ୍ୟାଧିକ ଲେଖକ ଓ ପ୍ରକାଶକ ଉନ୍ମୋଚନ ସଭାମାନଙ୍କର ମୋହରୁ ନିଜକୁ ମୁକ୍ତ କରିବାକୁ ଅକ୍ଷମ। ସେମାନଙ୍କ ଦୃଷ୍ଟିରେ ବହିଟି ଯେମିତି ସୃଜିତ ହୋଇଥାଏ, ପଠିତ ହେବାପାଇଁ ନୁହେଁ, ବରଂ କେବଳ ସଭାମଞ୍ଚରେ ଲୋକାର୍ପିତ ହେବାପାଇଁ। ଆଉ କିଛି କପି ଅବଶ୍ୟ ସଂରକ୍ଷିତ କରି ରଖାହୋଇଥାଏ ଏକାଡେମୀ ବା ସେଭଳି କୌଣସି ପୁରସ୍କାର ହେତୁ ବିଚାରକମଣ୍ଡଳୀଙ୍କ ନିକଟରେ ଦାଖଲ ହେବା ପାଇଁ। ଆଧୁନିକ ଡିଜିଟାଲ ମୁଦ୍ରଣ ବ୍ୟବସ୍ଥା ଏଭଳି ଏକ ଉଦ୍ଦେଶ୍ୟ ସାଧନ ପାଇଁ ବେଶ୍ ସହାୟକ ହୋଇଛି, ଯଦ୍ୱାରା କୌଣସି ବହିର ପଚାଶଟି ମାତ୍ର କପି ମୁଦ୍ରଣ କରି ମଧ୍ୟ ଏକ ବିଶାଳ ପ୍ରକାଶନର ଭ୍ରମ ସୃଷ୍ଟି କରାଯାଇପାରେ।
ଆମ ସାହିତ୍ୟ ଜଗତ ଏହି ଆତ୍ମ-ପ୍ରତାରଣାରୁ କେବେ ଯେ ମୁକ୍ତ ହେବ ସେହି ସୁଦିନକୁ ଅପେକ୍ଷା ରହିଲା।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )
Oh excellent article . Congratulations 🙏 Nihar sir namaskar. Befitting article for the deteriorared Odia literature scenerio.Thanks a lot.
ସବୁଠାରୁ ବଡ଼ କଥା ହେଉଛି ପୁସ୍ତକ ଉନ୍ମୋଚନ ପରେ ଯେଉଁମାନେ ସେହି ଉତ୍ସବରେ ଅତିଥିଭାବେ ଯୋଗଦେଇଥାନ୍ତି, ସେମାନେ ମଧ୍ୟ ଭୁଲିଯାଇଥାନ୍ତି ପୁସ୍ତକ ସମ୍ପର୍କରେ। ଆଉ ଗୋଟିଏ ମଜା କଥା ହେଉଛି ଉନ୍ମୋଚନ ଦିନ ଲେଖକଙ୍କ ଦ୍ୱାରା ଶ୍ରଦ୍ଧାରେ ପ୍ରଦତ୍ତ ପୁସ୍ତକଟିକୁ ଅଧିକାଂଶ ବ୍ୟକ୍ତି ସମ୍ପୂର୍ଣ୍ଣଭାବେ ଓଲଟାଇ ମଧ୍ୟ ନଥାନ୍ତି, ପଢ଼ିବା ତ ଦୂରର କଥା। ଏଭଳି ବ୍ୟବସ୍ଥାରେ ସାହିତ୍ୟ ଓ ଭାଷାର ଉନ୍ନତି ଯାହା ହେବ ତାହା ଅନୁମେୟ।