ଚାରିଗୋଡିଆ ଷଣ୍ଢଠାରୁ ଦୁଇଗୋଡିଆ ଷଣ୍ଢ ଯେ କେତେ ଭୟଙ୍କର ତାହା ମୁହାଁମୁହିଁ ହେଲେ ଜାଣିବେ।
କଥାଟା କାନକୁ ଟିକେ ଅଖାଡୁଆ ଲାଗିଲେ ବି ଘଟଣାଟି ସତ। ଅବଶ୍ୟ କେହି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହିଁ ନ ଥାନ୍ତି। ଅନେକ ସମୟରେ ଅପ୍ରତ୍ୟାଶିତ ଭାବରେ ଏମିତି କିଛି ଘଟିଥାଏ। ବିନା ପୂର୍ବ ପ୍ରସ୍ତୁତିରେ ହେଉଥିବାରୁ ଯେ କେହି ହଡ଼ବଡ଼େଇ ଯିବା ସ୍ୱାଭାବିକ। କିନ୍ତୁ ଧୈର୍ଯ୍ୟ ଧରି ପରିସ୍ଥିତିର ସାମ୍ନା କରିବାକୁ ହେବ। ନଚେତ୍, “ମରଣ କାଳେ ନିଦ୍ରା ଗଲେ, ଯମ କି ଛାଡିଦେବ ଭଲେ,” ନ୍ୟାୟରେ ଖସି ଯିବାର କିଛି ସହଜ ବାଟ ନାହିଁ। ଇଏ ଗୋଟିଏ ସାଂଘାତିକ ଅବସ୍ଥା। ଏଥିରୁ ମୁକୁଳିବା ମଧ୍ୟ ଏକ ସାଂଘାତିକ ବ୍ୟାପାର। ଯିଏ ଏଭଳି ଘଟଣା ବା ଦୁର୍ଘଟଣାର ମୁହାଁମୁହିଁ ହୋଇଛନ୍ତି ସେମାନଙ୍କ ମୁହଁରୁ ଶୁଣିଲେ ଯାଇ କଥାଟି ବିଶ୍ୱାସଯୋଗ୍ୟ ହେବ, ଆଉ ମନକୁ ପାଇବ। ହଁ ଏମିତି ଏକ ଘଟଣା ମୋ ଜୀବନରେ ଘଟିଥିଲା। ଏବେ ବି ସେ ସମୟର ଚିତ୍ର ମୋ ମନରେ ସ୍ପଷ୍ଟ ଆଙ୍କି ହୋଇ ରହିଛି। ମନେ ପଡ଼ିଲେ ଜଳ ଜଳ କରି ନାଚି ଉଠେ।
ସେ ଥିଲା ୨୩/୨୪ ବର୍ଷ ତଳର କଥା। ଅଧ୍ୟାପନାରୁ ବିରତ ହେବାକୁ ତଥାପି କିଛି ବର୍ଷ ବାକି ଥାଏ। ୪/୫ ଜଣ ଅଧ୍ୟାପକ ବନ୍ଧୁ ମିଶି ଏକ ସମସ୍ୟା ନେଇ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବାହାରେ ଅପେକ୍ଷାରତ। ସମୟଟି ଥିଲା ବିଜୁବାବୁଙ୍କ ରାଜନୀତିର ଶେଷ ଅଧ୍ୟାୟ। ସେ ମୁଖ୍ୟମନ୍ତ୍ରୀ ଥା’ନ୍ତି। ତେଲ ଦର ପ୍ରତିବାଦରେ ମନ୍ତ୍ରୀ, ନେତା, ଅଫିସର ସବୁ ସରକାରୀ ଗାଡି ଛାଡି ରିକ୍ସା, ସାଇକେଲ, କେହି ଅନ୍ୟର ମଟର ସାଇକେଲରେ ସଚିବାଳୟକୁ ଯିବା ଆସିବା କରୁଥାନ୍ତି। ଜଣେ ଅଧେ କେହି (ସଚିବ) ଘୋଡା ଚଢ଼ି ମଧ୍ୟ ଅଫିସ ଯିବାର ନଜିର ରହିଛି। ମୁଖିଆ ହୋଇଥିବା ହେତୁ ବିଜୁବାବୁ ପ୍ରେରଣାର ଉତ୍ସ ଥିଲେ। ସେ ରିକ୍ସାରେ ନବୀନ ନିବାସରୁ ସଚିବାଳୟ ଯିବା ଆସିବା କରୁଥାନ୍ତି। ଆଗରେ ପଛରେ ବହୁତ କମ୍ ସୁରକ୍ଷା ପୋଲିସ ନେଉଥାନ୍ତି। ସେ ସମୟରେ ସେ ମହିଳା ସଶକ୍ତୀକରଣ ଦିଗରେ ନୂଆ ଦୁଇଟି ଯୋଜନା କାର୍ଯ୍ୟକାରୀ କରିବା ସଙ୍ଗେ ସଙ୍ଗେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ମାଡ ତତ୍ତ୍ୱର ଆହ୍ୱାନ ଦେଇଥାନ୍ତି। ପୁରୁଷ ଓ ମହିଳା ଶ୍ରମିକମାନଙ୍କ ପାଇଁ ସମାନ ମଜୁରି ଧାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି।
ବିଜୁବାବୁ ଯାହା ଉଚିତ ମନେ କରୁଥିଲେ ତାକୁ ସଙ୍ଗେ ସଙ୍ଗେ କାମରେ କରି ଦେଖାଉଥିଲେ। ମହିଳାମାନଙ୍କ ପାଇଁ ତାଙ୍କର ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ଥିଲା ବୋଳି ସମସ୍ତଙ୍କୁ ଜଣା ଥିଲା। ବୟସର ଅପରାହ୍ନରେ ମଧ୍ୟ ତାଙ୍କର ଯୁବକର ସାହସ ଓ ଉଦ୍ଦାମତା ଅକ୍ଷୁର୍ଣ୍ଣ ରହିଥିଲା। ନିର୍ବାଚନରେ ପରାଜୟ କିମ୍ବା ବିପୁଳ ଧନହାନି ତାଙ୍କ ଦୃଢ଼ ମନୋବଳକୁ ନଷ୍ଟ କରିପାରି ନ ଥିଲା। ତେଣୁ “ହାତୀ ଥିଲେ ଲକ୍ଷେ ଟଙ୍କା, ମଲେ ଲକ୍ଷେ ଟଙ୍କା” ଭଳି ସେ ରାଜ୍ୟ ତଥା ଦେଶରେ ଜଣେ ତୁଙ୍ଗ ନେତା ଭାବେ ଶାସକ ଓ ବିରୋଧୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ଥିଲେ।
ଏ ସବୁ ସତ୍ତ୍ୱେ ସେ କ୍ଷଣକୋପୀ ଓ ବଦ୍ରାଗୀ ସ୍ୱଭାବର ମଧ୍ୟ ଥିଲେ। ଜଣେ ସାହସୀ ଓ ଗୁଣୀ ବ୍ୟକ୍ତି ତାଙ୍କୁ ସହଜରେ ନିଜର କରିପାରୁଥିଲେ କାରଣ ସେ ସମସ୍ତଙ୍କୁ ସାହସୀ ଓ ଯୋଗ୍ୟ ହେବାକୁ ଉତ୍ସାହିତ କରୁଥିଲେ। ସମ୍ରାଟ ଖାରବେଳ ତାଙ୍କର ଆଦର୍ଶ ଥିଲେ। ହରେକୃଷ୍ଣ ମହତାବଙ୍କୁ ଉତ୍କଳ କେଶରୀ କହିବା ବେଳେ ଲୋକମାନେ ବିଜୁବାବୁଙ୍କୁ କଳିଙ୍ଗ ଷଣ୍ଢ କହିବାକୁ ଭଲ ପାଉଥିଲେ। ମନ୍ତ୍ରୀ ଓ ଅଫିସରମାନେ ତାଙ୍କୁ ସାମ୍ନା କରିବାକୁ ଦୋ ଦୋ ପାଞ୍ଚ ହେଉଥିଲେ। ବ୍ରହ୍ମା ବିଳି ବିଳେଇଲେ ବେଦ ପରି କେତେବେଳେ କାହାକୁ କ’ଣ କହିଦେବେ ଏ ଭୟ ସମସ୍ତଙ୍କର ରହିଥାଏ।
ମୁଁ କହିବାକୁ ଯାଉଥିବା ଘଟଣାରେ ସେଇ କଳିଙ୍ଗ ଷଣ୍ଢ ଥିଲେ ହିରୋ। ଘଟଣାଟି ଏମିତି ହଠାତ୍ ଆଖି ପିଛୁଳାକେ ଘଟିଯିବ କେହି ଭାବି ନ ଥିଲେ। ସମୟ ଦିନ ୧୦ ରୁ ୧୧ ମଧ୍ୟରେ। ବିଜୁ ବାବୁ (ମୁଖ୍ୟମନ୍ତ୍ରୀ) ନିଜ ବାସଭବନ ନବୀନ ନିବାସରୁ ବାହାରି ରାଜ୍ୟ ସଚିବାଳୟକୁ ଯାଉଥିଲେ। ରିକ୍ସାରେ ବସିଥାଆନ୍ତି। ରିକ୍ସାବାଲା ମଧ୍ୟ ଧୀରେ ସୁସ୍ଥେ ରିକ୍ସା ଚଲାଉଥାଏ। ତାଙ୍କ ପଛେ ପଛେ ପୋଲିସ ଗାଡି ରିକ୍ସା ବେଗରେ ଚାଲୁଥାଏ। ସେଥିପ୍ରତି ବିଜୁବାବୁଙ୍କ ନିଘା ନ ଥାଏ। ଏଜି ଛକ ପ୍ରାୟ ଏକ ଫର୍ଲଙ୍ଗ ଆଗରେ ଥାଏ। ଆମେ ସବୁ ଅଧ୍ୟାପକ ବନ୍ଧୁମାନେ କିଛି ଦୂରରେ ଥାଉ। ଏତିକିବେଳେ ଆଉ ଏକ ରିକ୍ସାରେ ଜଣେ ବୁଢ଼ୀ ମାଉସୀ ଏଜି ଛକରୁ ରାଜଧାନୀ ହସ୍ପିଟାଲ ଆଡକୁ ଯାଉଥାଏ। ବୋଧହୁଏ ରିକ୍ସାବାଲାଟି ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନିଥିଲା। ତାଙ୍କୁ ଦେଖି ଟିକେ ହଡବଡେଇ ଗଲା। ଜଲ୍ଦି ଗୋଟିଏ କଡକୁ ନେଉ ନେଉ ରିକ୍ସାଟି କଡେଇ ହୋଇ ପଡିଗଲା। ସେଥିରେ ବସିଥିବା ବୁଢ଼ୀ ମାଉସୀ ସଙ୍ଗେ ସଙ୍ଗେ ତଳେ ପଡିଗଲେ। ଅବଶ୍ୟ ସେତେବେଳେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଯାନବାହନ ଟିକେ କମ୍ ଥିଲା। କେହି ଜଣେ ହାଁ ହାଁ କରୁ କରୁ ଆମେ ଯାଇ ସେଠାରେ ହାଜର। ଆମେ ପହଞ୍ଚୁ ପହଞ୍ଚୁ ବିଜୁବାବୁ ମଧ୍ୟ ସେଠାରେ ପହଂଚିଗଲେ। ‘ପୁଅର ମାମୁ’ ଶବ୍ଦରେ ଆମକୁ ସମ୍ବୋଧନ କରି କହିଲେ, “ମୋ ମାଆ ପଡିଗଲା। ଆଉ ତମେମାନେ ପକେଟରେ ହାତ ପୂରାଇ ଦର୍ଶକ ସାଜିଛ?” ଖାଲି ସେତିକିରେ କଥାଟି ସରିଲା ନାହିଁ। ମୁଁ ବୁଢ଼ୀ ମାଉସୀକୁ ତଳୁ ଉଠାଉ ଉଠାଉ ବିଜୁବାବୁ ମଧ୍ୟ ତାକୁ ଉଠିବାରେ ସାହାଯ୍ୟ କଲେ। ଯତ୍ନକରି ମାଉସୀର ଦେହ ଝାଡି ଝୁଡି ଦେଇ ପଚାରିଲେ, “ମା’ ତୋର କିଛି ହୋଇନି ତ?” ତା’ପରେ ରିକ୍ସାବାଲାକୁ ତାଗିଦ୍ କରି ସାବଧାନରେ ଘରେ ପହଞ୍ଚାଇ ଦେବାକୁ କହି ତାକୁ କିଛି ଟଙ୍କା ଦେଲେ।
ସେଦିନ ବିଜୁବାବୁଙ୍କ ରାଗିବାଟା ସତସତିକା କି ମିଛିମିଛିକା ଥିଲା ଜାଣିପାରି ନ ଥିଲି। ହେଲେ ତାଙ୍କର ମାତୃଜାତିକୁ ଭଲ ପାଇବା ଓ ସମ୍ମାନ ଦେବା କଥାଟି ବୁଝିବାକୁ ବାକି ନ ଥିଲା। ନ ହେଲେ ଆଦିବାସୀ ମହିଳା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ସେ ନିଜର ପରାମର୍ଶଦାତ୍ରୀ ଭାବରେ ଗ୍ରହଣ କରି ନ ଥାନ୍ତେ। ତାଙ୍କର ମହାନତା ଆଗରେ ମୋର ମୁଣ୍ଡ ନଇଁଗଲା। ତାଙ୍କ ଯୋଗୁ ଓଡ଼ିଶା ଆଜି ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥିପାଇଁ କୁହାଯାଇଛି, “ପରିବର୍ତ୍ତିନୀ ଖଳୁ ସଂସାରେ ମୃତଃ କୋ ବା ନ ଜୟତେ, ସା ଜାତୋ ଏନ ଜାତେଂ ଜାତି ବଂଶଃ ସମୃନ୍ନତିମ୍।” ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ବିଜୁବାବୁଙ୍କ ବିଷୟରେ ଶୁଣିଥିବା ଆଉ ପ୍ରତ୍ୟକ୍ଷରେ ତାଙ୍କୁ ଦେଖି କଳନା କରିବାରେ ଢେର ଫରକ୍।
ରିକ୍ସାରେ ବସିବା ପର୍ଯ୍ୟନ୍ତ ସେ କେବଳ ଆମକୁ ଗାଳି କରି ନ ଥିଲେ, ଅଧିକନ୍ତୁ ସେ ଛଅଫୁଟିଆ ମଣିଷଟି ରାଗି ଆମକୁ ଚାପୁଡା ମାରିବା ପାଇଁ ହାତ ଉଠାଇଥିଲେ। ଅନେକ ସମୟରେ ସେ ଏହିପରି ଆଚରଣ କରି ଥାଆନ୍ତି ବୋଲି ଶୁଣିଲୁ। ତାଙ୍କ ନିକଟରେ ଆମେ ସବୁ ବାମନ ଭଳି ଦିଶୁଥିଲୁ। ମାଉସୀ ରିକ୍ସାରେ ବସିବା ସଂଗେ ସଂଗେ ଆମେ ତାଙ୍କୁ ନମସ୍କାର କରି ଦ୍ରୁତ ପଦକ୍ଷେପରେ ସେ ସ୍ଥାନ ପରିତ୍ୟାଗ କଲୁ। କଥାରେ ଅଛି, “ଯଃ ପଳାୟତି ସଃ ଜୀବତି।” ନଚେତ୍ ଗୋଟେ ଦିଟା କର୍ଣ୍ଣମୂଳିଆ ଖାଇବାରୁ ଆମେ ବଞ୍ଚିତ ହୋଇ ନ ଥାନ୍ତୁ ବୋଧେ। ଗାଈକି ଆଉଁଶି ମନେଇ ହେବ, ହେଲେ ମାରଣା ଷଣ୍ଢ ହାବୁଡରେ ପଡିଲେ ଅବସ୍ଥା ଯାହା ହୁଏ ତାହା କେବଳ ଅନୁଭବୀ ବ୍ୟତିରେକେ ବୁଝିବା କଠିନ। ଯାହା ହେଉ ଭାଗ୍ୟ ଭଲ ଥିବାରୁ ଅଳ୍ପକେ ଷଣ୍ଢ ହାବୁଡରୁ ମୁକୁଳିଲୁ। ଚାରିଗୋଡିଆ ଷଣ୍ଢଠାରୁ ଦୁଇଗୋଡିଆ ଷଣ୍ଢ ଯେ କେତେ ଭୟଙ୍କର ତାହା ମୁହାଁମୁହିଁ ହେଲେ ଜାଣିବେ। ଅନୁରୋଧ, ଷଣ୍ଢ ହାବୁଡରେ ପଡିବାକୁ କେବେ ହେଲେ ଦୁଃସାହସ କରିବେ ନାହିଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଖୁବ୍ ସୁନ୍ଦର ରଚନା।
ବିଜୁ ବାବୁଙ୍କର ଅନେକ ସମୟ ସ୍ମରଣ ଯୋଗ୍ୟ l ଲୁହାର ମଣିଷ ସେ ଥିଲେ, ଅନ୍ୟର ଲୁହ ସମ୍ଭାଳି ପାରୁ ନ ଥିଲେ l ଲୁହାକୁ ଘସି ଦେଲେ ଧାର ଅନୁଭବ କରି ହୁଏ l