ଅଜବ ରଜ-ମଉଜ

ଆଜିକାଲି ରୋଡ-ରୋମିଓମାନେ, ଦୋଳିଖେଳ ପାଖରେ କେହି ନ ଡାକିଲେ ବି ଛାଆଁକୁ ଛାଆଁ ଆସି ରୁଣ୍ଡ ହୁଅନ୍ତି।

ଡ. ଅଜୟ କୁମାର ମିଶ୍ର

ଯାବତ ବେକାରିଆ ଏ ପାଞ୍ଜିବାଲାଏ। ତିଥିବାର, ନକ୍ଷତ୍ର, କାଳବେଳା, ବାରବେଳା, ଶୁଭ-ଅମୃତ-ମାହେନ୍ଦ୍ର ଯୋଗ – ଏମିତି ନାନା ଭଙ୍ଗିଚାରେ ସହସ୍ର ପ୍ରକାରର ଭିଆଣ। ଏଇଦିନ ଏୟା ଖାଇବ, ଏୟା ଦାନ କରିବ, ଏୟା ପିନ୍ଧିବ, ଏୟା ରାନ୍ଧିବ, ଏୟା ଦେଖିବ, ଏୟା ନ ଖାଇବ, ନ ପିଇବ, ନ ଦେଖିବ- ଏମିତି କେତେ କେତେ ଉପଦେଶ ବାଣୀ। ଏବେ କିନ୍ତୁ ପାଞ୍ଜି ଖୋଲିବା ଦରକାର ପଡୁନି। କାଲିକି କେଉଁ ରାଶିରେ କ’ଣ କ’ଣ ଘଟଣା, ଅଘଟଣମାନ ଘଟିବ- ଆଜି ରାତିରୁ ଜଉତିଷ-ଜଉତୁଷୁଣୀଏ ଅଗ୍ରିମ ସାବଧାନ ନାମରେ ଏକ ପ୍ରକାରର ଛାନିଆ କରେଇ ଦେବାରେ ଫୁଣ୍ଟେ ପ୍ରମାଣେ ବି ଅବହେଳା କରୁନାହାନ୍ତି। ଏବେ ତ ଘରେ ଘରେ ବିଭିନ୍ନ ବିଜୁଳିଆ ଇଡିଅଟ୍ ବାଙ୍କୁସ। ଖୋଲିବା ମାତ୍ରେ ନାନାଦି ବେଶ ପୋଷାକରେ ଅବତରୁଛନ୍ତି, ବରାହମିହିରଙ୍କ ଅଣନାତି-ଅଣନାତୁଣୀ, ପଣନାତି-ପଣନାତୁଣୀମାନେ।
ଚଳନ୍ତି ଜଉତିଷ-ଜଉତୁଷୁଣୀଏ ଗ୍ରହ-ନକ୍ଷତ୍ରଙ୍କୁ ବେଙ୍ଗେଳା ପକେଇ ଧାନ ଜାଗାରେ ଅଗାଡି ଓଳିଆ ବାନ୍ଧିବାରେ ତତ୍ପର। ଗଣନା ବିଦ୍ୟା ଶୂନ, ଡାହା ମିଛରେ ଶୁଣାଉଛନ୍ତି ଭାଗ୍ୟଫଳ, ରାଶିଫଳ। ଏମନ୍ତ ଚବିଶକ୍ୟାରେଟ୍ ଗାଲୁଆ-ଗାଲୁଆଣୀଙ୍କୁ ବି କିଛି ଲୋକେ ବିଶ୍ୱାସ କରୁ କରୁ ବାସ୍ତୁ ସଂସ୍କାର ନାମରେ ସୁନ୍ଦର ଘରଟାକୁ ଭାଙ୍ଗି ଛାରଖାର କରୁଚନ୍ତି। ଇଡିଅଟ୍ ବକ୍ସ ମାୟାରେ ଏମାନେ କାୟାବିସ୍ତାର କରିଛନ୍ତି। କିଏ ବିଶାରଦ ଓ କିଏ ବିଶେଷଜ୍ଞ-ବିଶେଷଅଜ୍ଞ, କିଏ ମହାମହୋପାଧ୍ୟାୟ ତ, କିଏ ତହୁଁ ବଡୀ। କିଏ ତା’ ସାକ୍ଷାତରେ ଗ୍ରହଙ୍କୁ ଖେଳେଇଲାଣି, ତ କିଏ ଯବକାଚରେ ଗ୍ରହର ଶିରା ପ୍ରଶିରା ମାଇନା କଲାଣି।
ବିଭିନ୍ନ ମିଡ଼ିଆ ସଂସ୍ଥା ଆକାଶରେ ବଉଦ ଖଣ୍ଡେ ଅଧେ ଭାସୁ ନ ଭାସୁଣୁ ବାତ୍ୟାର ସୂଚନା ଦେଇ ଲୋକଙ୍କୁ ସତର୍କ କରିବା ନାଆଁରେ ବେଘର କରୁଛନ୍ତି। ଚୋରାବେପାରୀଙ୍କୁ ଏ ତ ମଉକା। ଛାନିଆଁ, ମଧ୍ୟମଛାନିଆ, ସୁପରଛାନିଆ ଗରାଖଙ୍କୁ ତଣ୍ଟି ଚିପିବାର ଏଇତ ସୁବର୍ଣ୍ଣ କାହିଁକି, ହୀରକ ମଉକା। ଏମନ୍ତ ଇଡିଅଟ୍ ବକ୍ସବାଲାଏ ବିନା ମେଘରେ ବର୍ଷା କରାନ୍ତି, ଗୋଟେ ଗୋଟେ ଘଟଣାକୁ ପେଟୁଆ ମଣିଷଭଳିଆ, ବାରବାର କହି, ମାଜି ମାଜି ସାଦା କଥାକୁ ମୋଟ କରିଦିଅନ୍ତି। ଏଇ ଚାନେଲଗୁଡିକରେ ଅନେକ ଫେସନିଆଁ ଫେସନାଣୀ ଖବର ସଂଗ୍ରହରେ ବ୍ୟସ୍ତ।

ଆଗକୁ ରଜପରବ
ଚାନେଲ୍‌ବାଲାଏ ଛେଳି ନ ବେଉଣୁ, ବୋଦା କାଢ଼ିଆ ନ୍ୟାୟରେ ପରବପରବାଣି ପଡିବାର ଅନେକ ପୂର୍ବରୁ ଏହାର ଉତ୍କଟ ଘୋଷଣା କରନ୍ତି, ଆଗାମୀ ପର୍ବରେ ଆରମ୍ଭ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଯେମିତି ଅନ୍ୟାନ୍ୟ ପର୍ବମାନ ବେରଙ୍ଗ ବେଢ଼ଙ୍ଗରେ ହୁଏ। ଆଗକୁ ରଜ ପରବ, ଚାନେଲ୍‌ରେ ଏଥିପାଇଁ ଶହେରେ ଛକୋଡି ପ୍ରଚାର। ଓଧକୁ ବଣଭୁଆ ବାୟା କଲା ଭଳିଆ ଏମନ୍ତ ପ୍ରଚାରମାନ ଦେଖି ଘଣ୍ଟେ ଅଥୟ ହେଲେ। ବସି ବସି ନାନା ଚାନେଲ୍‌ର କାଇଦାମାନ ଅନ୍ଦାଜ ଓର କରି କଳି ନେଲେ। ପିଲାଦିନୁ ଜାଣିଥିଲେ ଝୁଅ ଝୁଆଣିଏ ରଜ ପାଳନ୍ତି। ଏଥର ନୂଆ ଭିଆଣ- ପୁଅମାନେ ବି ରଜ ପାଳିବେ। ପାଳନ୍ତୁ ନ ପାଳନ୍ତୁ ଇଡିଅଟ୍ ବାଙ୍କୁସରେ ଟକରାଟକରି ବେଳେ ରୂପ ଦେଖେଇବେ ତ। ଘଣ୍ଟେ ଏଥର ଏହାକୁ ନେଇ ମାତ୍ର ଚବିଶ ପ୍ରହର ଧରି ଘୋର ଗୋବେଷଣା କଲେ। ସିଦ୍ଧାନ୍ତ ମିଳିଗଲା, ବସିବା ଠାଆରୁ ଉଠି ଧାଇଁଲେ- ଆର୍କିମିିଡସ୍ ଗାଧୁଆ କୁଣ୍ଡରୁ ଉଠି ବିନାବସ୍ତ୍ରେ ଧାବମାନ ହେବା ଭଳିଆ ନୁହେଁ, ବରଂ ଅଜବ ବେଶରେ ଦିଚକୀ ଫଟଫଟିଆ ଧରି ନିଜ ଠାଆରେ ହାଜର ହେଇଗଲେ।

ଘଣ୍ଟୁଆଙ୍କୁ ଅପେକ୍ଷା କରିଥିବା ବାବୁଲି, ଟିମା, ମକୁଆ, ସଦା ହେରିକା ତାଙ୍କ ଅତର୍କିତ ଆଗମନରେ ଚଉଠଚକିତ ହେଇ, ଶୁକ ମୁଖକୁ ପରୀକ୍ଷିତ ଅନେଇବା ଭଳିଆ ଅତି-ପ୍ରଶ୍ନିଳ ଦୃଷ୍ଟିରେ ଅନେଇଲେ। ପ୍ରତ୍ୟେକଙ୍କ ମୁଖାକାଶରେ ଭାସୁଥିଲେ ଅନେକାନେକ ପ୍ରଶ୍ନର ବଉଦ। ସେଇ ଭିତରେ ଘଣ୍ଟୁଙ୍କ ମାର୍କାମରା ହସ ଚେନାକ ଯେମିତି ବିଜୁଳିର ଝଲକ ଭଳି ବାବୁଲି ଓଗେରଙ୍କ ମନରେ ଶତକଡା ଶହେ ଆନନ୍ଦ ଉଙ୍କି ମରେଇଲା। କୋରସ୍ କୋଶ୍ଚିନ୍‌- “ଘଣ୍ଟୁଭାଇ ଆଗକୁ ଅବନା ପର୍ବ: ‘ଅଜବ ରଜ ପରବ’।” ପଇଡ ପାଣି ଦରାଣ୍ଡୁଥିବା ଘଣ୍ଟୁଙ୍କୁ ଏମାନେ ତ ବାସିତୋରାଣି ଅଫର ଦେଲେଣି। ଘଣ୍ଟୁ କହିଲେ – “ନୂଆ ପ୍ରକାରେ କିଛି ଭିଆଣ ନ କଲେ- ଏଇଟା ଶସ୍ତା ପ୍ରକାର ହେଇଯିବ।” ଉତ୍ତରିଲେ ସେମାନେ- “ଏ କେମିତି କଥା, କେତେ ଅନୁଷ୍ଠାନ ତ ପୁଣି ରଜ ପାଳିବେ ବୋଳି ଦଶହରା ସରୁ ନ ସରୁଣୁ ବିଜ୍ଞାପନ ଛିଙ୍କେଇଲେ। କେଇଟା ମେଡିଆରେ ‘ରଜସୁନ୍ଦେରୀ’ କାରଖାନା, କେତେଟାରେ ‘ରଜକୋଇନ୍‌’ ହାଙ୍ଗାମା ପାଇଁ ନାନା କାଣ୍ଡ କାରଖାନାମାନ ଘଟିଲାଣି। ଆଉ ବା ହାତଗଣତା କେଇଟା ଦିନ ରହିଲା; ତେଣୁ ଆଜି ଠୁଁ, ନାଇଁ- ଏବେ ଠୁଁ ପିଲାନ୍ ପୋରଗ୍ରାମ କରିବାକୁ ହେବ ନା।”

ନିଆରା ପରବ
ଗମ୍ଭୀରତମ ଭାବ ଉକୁଟେଇ ଘଣ୍ଟେ ଏଥର ହାଙ୍କିଲେ- “ଠିକ୍‌କଥା। ଆମର ଏସନ ରଜ ପାଳନଟା ଅତି ଚମତ୍‌କାର ଢଙ୍ଗରେ ହେବ। ଆଗରୁ ଗାଁ ଗହଳିରେ ଝିଅ ଝିଆଣିଏ ରଜ ପାଳୁଥିଲେ। ପାଦରେ ସରୁ ଅଳତା, ମଥାରେ ଟିପି ଚନ୍ଦନ,- ଏସବୁ ଥିଲା ଭୂଷଣ। ଏ ବେଳରେ ସେ ସବୁପାଇଁ ସମୟ ନାଇଁ, ଏବେ ସଭିଏଁ ପରମ୍ପରାକୁ ନାତ ମାରି ଗଡେଇ ପକେଇଲେଣି। ନୂଆ ଛାଞ୍ଚ ତିଆରିବା, କେବଳ ଝିଅଝିଆଣି ନୁହନ୍ତି, ଏଥର ପୁଅପୁଉଣା ପାଇଁ ରଜ କସରତ କରେଇବା। ବାଗୁଡି ଖେଳୁଆମାନେ ଆମ ଭିଆଣରେ ପୁଚି ଖେଳିବେ, ଦୋଳିରେ ଝୁଲିବେ, ଝୁଅମାନେ ଏସନ ବାଗୁଡି ଖେଳିବେ।”
ବାବୁଲି ଓ ମକୁଆ କଟାଳ କଲେ, “ଏ କେମେତିଆ ଓଲଟ କଥା। ଆଜିକାଲି ରୋଡରୋମିଓମାନେ, ଦୋଳିଖେଳ ପାଖରେ କେହି ନ ଡାକିଲେ ବି ଛାଆଁକୁ ଛାଆଁ ଆସି ରୁଣ୍ଡ ହୁଅନ୍ତି, ଦୋଳି ଲଗେଇବା, ସଜେଇବା, ଗଛତଳ ଅରମା ପଡିଆକୁ ସଫାସୁତରା କରିବାରେ ଷୋଳପଣା ସ୍ୱେଚ୍ଛା ସେବକ ସେମାନେ। ମାତ୍ର ଏମାନେ ଦୋଳି ଖେଳିବାକୁ ରାଜି ହେବେ ତ?”
ଟିମା, ବାବେନା ପ୍ରଶ୍ନ ଉଠେଇଲେ, ଝୁଅମାନେ ବାଗୁଡି ଖେଳ ପାଇଁ ରାଜି ହେବେ ତ? ଏ କଥାରେ ମୋର ବିଶ୍ୱାସ ଘରୁ ବାମ୍ଫ ବାହାରୁଚି। ନୋକା ବିଳିବିଳାଣ କଲା। ବଡ଼ କୌତୁକିଆ ହେବ, ଉଦ୍ଦଣ୍ଡୀ ଛଡା, ବରଡ ଗାଈମାନେ ଡିଆଁ ଝପଟ କଲା ଭଳିଆ, ଝିଅମାନଙ୍କ ବାଗୁଡ଼ି ଖେଳ ଦୃଶ୍ୟ ହବ। ଆଉ ଟୋକାମାନଙ୍କ ପୁଚିଖେଳ, ଦୋଳି ଝୁଲଣ, କିନ୍ନରୀନାଟ ଭଳିଆ ଲାଗିବ। ଆଜିକାଲି ତ ଅନେକ ପୁଅ କାନଫୋଡେଇ ନୋଳି ଲଗେଇ, ମୋଟା ହାର ପକେଇ, ଯାତ୍ରାପିଲା ଭଳିଆ ଚୁଟିରଖି ଅଧାକିନ୍ନର ସାଜିଚନ୍ତି। ଝୁଅମାନେ ଅଳତା ଭୁଲିଗଲେଣି, ପୁଅଙ୍କ ଭଳିଆ ବେଶ ପୋଷାକ। କେବଳ ଆଗ ପାଖରୁ ଦେଖିଲେ ଝୁଅ ବୋଲି ପରତେ ହେବ।

ମଜଭୁତିଆ ଖସଡା
ସମସ୍ତଙ୍କ ବିଚାର ପରେ ଓଲଟ ରଜ- ପ୍ରସ୍ତାବ ଉପରେ ଘଣ୍ଟେ ଏଥର ସମ୍ମତିର ମୋହର ମାରି କିପରି ଆଗକୁ ନେବେ, ସେ ସମ୍ପର୍କରେ ପ୍ରଥମେ ଗୋଟେ ମଜଭୁତିଆ ଖସଡା ତିଆରି କଲେ। ବାନା ଯୁବକସଂଘ ଘର ପାଖରେ କାର୍ଯ୍ୟାଳୟ କରାଯିବ। ହାତରେ ଉପଯୁକ୍ତ ପାଣ୍ଠି ନ ଥିବାରୁ, ତମ୍ବୁ ଘେରଟିଏ ନିହାତି ଦି’ ସପ୍ତାହ ଧରି କରିବାକୁ ହେବ। ଏଇ ଘେର ଭିତରେ ଚାରିସେଟ୍ ଦୋଳି ବନ୍ଧା ହେବ। ପୁଚି ଓ ବାଗୁଡ଼ି ପାଇଁ ଭୂଇଁ ସମତଳ କରି ଦି’ ଟ୍ରାକ୍ଟର ବାଲି ବିଛା ହେବ। ଏଇଠି ହେବ ଝୁଅଙ୍କ ବାଗୁଡ଼ି ତାଲିମ ଥାନ। ପ୍ରତ୍ୟେକଙ୍କୁ ଆକର୍ଷଣ କରିବାକୁ ଲିଫ୍‌ଲେଟ୍ ଛାପି, ଖବରକାଗଜିଆ ମାଧ୍ୟମରେ ଘରେ ଘରେ ବାଣ୍ଟି ଦିଆଯିବ।
ଆଗଚଲା ମକୁଆ କହିଲା କିଛି କିଛି ଯୁବ-ଯୁବା ଆସିବେ। ଆମେ କେମିତି ବଛାବଛି କରି ପ୍ରଥମ, ଦ୍ୱିତୀୟ, ତୃତୀୟ ବାଛିବା? ବିଚାରକ ବାଛୁଆରି ନ କଲେ କେମିତି ହେବ? ଘଣ୍ଟୁ କହିଲେ, ମୁମ୍ବେଇ ବଜାରରେ କେତେ ନାଚ୍‌ମାଇଆ, କେତେ ଗୀତ୍‌ବାଳୁଆ ମିଳୁଚନ୍ତି, ସେମାନଙ୍କ ଫଟୋ ଛପେଇ ଆମେ ଏଠି ତାଙ୍କୁ ବିଚାରକ କରେଇଦେବା। କିନ୍ତୁ ପ୍ରଚାରଟା ଜୋରଦାର ହେବା ନିହାତି ଜରୁରୀ।
ଶ୍ରୀରାମଙ୍କ ଆଜ୍ଞାରେ କପିଥାଟଙ୍କ ଭଳି, ଘଣ୍ଟୁଙ୍କ ଆଜ୍ଞାରେ ଖେଦିଗଲେ ତା’ର ପ୍ରାଣପ୍ରିୟ ଚାମଚା ବେଲଚାମାନେ। ତିନିଚକିଆରେ ଡାକବାଜିଆ ଖଞ୍ଜି ପ୍ରଚାର ହେଲା ଏଥର ‘ଖଳବା କିଳାବ’ ତରଫରୁ ନିଆରା ରଜପରବ ହେବ। ସଂସ୍କୃତିର ଦୁକୁଦୁକି ଘର ଏ ରଜ ପରବ ପାଇଁ ଯୁବକ ଯୁବତୀମାନଙ୍କ ପ୍ରତିଭା ସନ୍ଧାନ କରାଯାଉଚି। ଓଡ଼ିଶା ଓ ଓଡ଼ିଶା ବାହାରର ଅନେକ ଷ୍ଟାମ୍ପ୍‌ଦିଆ ଗୁରୁ-ଗୁରୁଣୀ ଏଥିରେ ବିଚାରକ ହେବେ। ୟା ପୂର୍ବରୁ ହଡିସନ୍ ପରୀକ୍ଷା ହେବ। ହଡିସନ୍ ପାଇଁ ଅନ୍ୟମାନଙ୍କ ତୁଳନାରେ ଆମର ଏଣ୍ଟ୍ରିିଫିସ୍ ଟଙ୍କା ଦୁଇଶ ମାତ୍ର। ଆସନ୍ତୁ ଯୋଗ ଦିଅନ୍ତୁ, ଗୀତ ଗାଆନ୍ତୁ, ଦୋଳି ଝୁଲନ୍ତୁ, ବାଗୁଡି ଖେଳନ୍ତୁ ହଡିସନ୍‌ରେ ଭାଗ ନେଇ ନିଜ ଶୋଇଥିବା ପ୍ରତିଭାକୁ ଚିଆଁନ୍ତୁ।
ସାଇମୁଣ୍ଡ ପଡ଼ିଆରେ ଅସ୍ଥାୟୀ ତମ୍ବୁ ଘେର, ସାମନାରେ ରଜ ପରବର ରଙ୍ଗ ବେରଙ୍ଗିଆ ଫ୍ଲେକ୍ସ, ପର୍ଦ୍ଦାରେ କେତେଟା ଓସ୍ତାଦ୍‌ଙ୍କ କେବଳ ଭାବରେ ଡି. ଟିଙ୍ଗେଶ୍ୱରରାଓ, ଏମ୍ ଚତୁରିକା, ଏଲ୍‌. ବି ମଙ୍ଗେସ, ବି.କେ. ହକଲସ୍‌, ସି. ମାରିଆ – ଇତ୍ୟାଦି କେତେ କେତେ ଅଚିହ୍ନା ଅଜଣା ମୁହଁର ଫଟୋ। ମୁମ୍ବାଇ, ଦିଲ୍ଲୀର ଏଇ ମହାନାମା, ଅତିନାମୀ କଳାକାରମାନେ ବାଛିବେ ପ୍ରତିଭାକୁ, ଖୋଳି ତାଡି, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କରି ପ୍ରତିଭା ଚିହ୍ନଟ କରିବେ।

ନୂଆ ରଜଗୀତ
ଡି. ଟିଙ୍ଗେଶ୍ୱରାଦି ଓସ୍ତାଦମାନେ ବିଚିତ୍ର ବେଶ ପୋଷାକରେ ବିଚାରକ ମଞ୍ଚ ମଣ୍ଡିଲେ। ଆଗେ ଦୋଳିଗୀତ ବୋଲାଣ। ପୁଏ ବୋଲିବେ ଗୀତ, ଝିଅ ଝୁଲିବେ ଦୋଳିରେ। ‘ବନସ୍ତେ ଡାକିଲା ରଜ’ – ଗୀତ ପୁରୁଣା ଓ ଘେଷେରା ହେଇଗଲାଣି। ଜଣେ ଘଞ୍ଚଚୁଟିଆ ଗାୟକ ନିଜେ କଂପୋଜିଥିବା ରଜଗୀତ ଗାଇଲେ-
ବଜାରେ ଖେଳୁଚି ଗଜ, ବରଷକ ସାରା ରଜ ମଉଜ ଲୋ, ଡେଲି ନୂଆ ସଜବାଜ।
ରଜ ଦୋଳି କଟ ମଟ, ନନା-ନାନୀ ମୁଣ୍ଡେ ଜରି ମୁକୁଟ ଲୋ, ଦିଶେ ପରା ରଟଝଟ।
ଭାବୀ ଖେଳିଗଲେ ପଶା, ସାଇବାଲୀ ସାଥେ ସାଙ୍ଗ ସରିଲା ଲୋ, ଶାଶୁମାନେ ଲୋକହସା।
ଉଞ୍ଚେ ଉଞ୍ଚେ ଦୋଳି ଗଲା, କିଏ ସେ କୁଇନ୍ ଆଖି ମାରିଲାଲୋ, ଟୋକା ଛାତିରେ ରକା ପଶିଲା।

ଗାୟକଙ୍କ ପୁରୁଣାପ୍ରୀତିନୀ ଦୋଳିଲେ ଝୁଲୁଝୁଲୁ ବାଲିଲେ ଖସି ପଇଲେ। ବାଜିଲା ଘନ ଘନ ତାଳି। ପାଂଚୟାସିକ୍ ପୁଞ୍ଚି ଖେଳିବାକୁ ଆସି କଂଠରେ ଗାଇଲେ କୋରସ୍ ପୁଞ୍ଚି ଗୀତ-
ପୁଞ୍ଚି ଲୋ, ଯାଆ ଘୁଞ୍ଚି ଲୋ, ପାଖେ ଥାଇ ଦେଏ କେଞ୍ଚି ଲୋ,
ଉଠେଇବି, ହଟେଇବି, ମୋବାଇଲ୍ ବିଲ୍ ଭରି ଦେଇ ସିନା, ତୋତେ ଦିନ ନିଶ୍ଚେଁ ପଟେଇବି।

କିନ୍ନରୀ ଭଂଗୀରେ ଆରମ୍ଭ ହେଲା ଠିଆ ପୁଞ୍ଚି – ମିଳିତ କଂଠରେ-
ଠିଆପୁଞ୍ଚି ନାରଙ୍ଗ, ଆ ଯିବା ବାରଙ୍ଗ,
ଆଣିବା ସେଠୁ ନାଲି ପାଣି, ପିଇଲେ ମନ ହେବ କିଣି
ମୋ ଆସିକ୍ ରାଜା, ଖାଏ ବର୍ଗର ପିଜା
ପୋଡପିଠା ମରହଟିଆ, ଷ୍ଟାର୍ଟ କର ଫଟଫଟିଆ
ବାହାରେ ଯାଇ ପିଇବା ଭାଙ୍ଗ, ଦୁନିଆଁଟା ରଙ୍ଗାରଙ୍ଗ।।

ତାଳ ଫାଳ ନ ଥିବା ପୁଞ୍ଚିରେ ବେତାଳିମାନଙ୍କ ବେଖାପିଆ ପଦପାତ। ଜଜେ, ବି.କେ. ହକଲସ୍‌- ଏମାନଙ୍କୁ ଷ୍ଟାଣ୍ଡବାୟ ରଖିଲେ। ଏମିତି ଦଳକୁ ଦଳ ଆଠଦଳ ଆଇଲେ। ବାହାରୁ ଏ ଗୀତ ଶୁଣୁଥିବା ଲୋକେ ନୂଆ ରଜଗୀତ ଶୁଣି ତାଟକା, କେହି କେହି ୨୦୦ ଜାଗାରେ ୪୦୦ ଦେଇ ଭିତରେ ପଶିଲେ।
ଝିଅମାନଙ୍କ ବାଗୁଡି ଆରମ୍ଭ ହେଇଗଲା। ଜୁଡୋ କରାଟେ ଶିଖୁଥିବା କେତେ ପୁରୀହୁଣ୍ଡୀ, କେତେ ଅଧୁଲୀ ହୁଣ୍ଡି ଏଥିରେ ଯୋଗ ଦେଲେ। ଏମ୍‌. ଚତୁରିକା ଓ ଏଲ୍‌.ବି ମଙ୍ଗେସ୍ ଏଠି ଫୁଲ୍ ଜଜ୍। ଦି’ଦଳରେ ବିଭକ୍ତ ହେଲେ ବାଗୁଡୁଣୀମାନେ। ପହିଲେ ରାହାଧରି ଆସିଲେ ସି. ରାଧିକା ‘ଏ କବାଡି କବାଡି’ ଡାକ ଦେଇ ବୀରି ଦରପରେ ପାହି ସେପଟକୁ ଯାଉ ନ ଯାଉଣୁ ଓଢ଼ଣି ଫାସ ପକେଇ ଉଦ୍ଦଣ୍ଡୀ ଗାଈକି ପଘାରେ ଛନ୍ଦିବା ଭଳିଆ ଛନ୍ଦି ଦେଲେ ପ୍ରତିପକ୍ଷର ଇସିତାରାଣୀ। ସି. ରାଧିକାଙ୍କ ଭୂମି ପତନ, ନନ୍‌ଷ୍ଟପ କ୍ରନ୍ଦନ, ଆଣ୍ଠୁ ଜଖମ। ଖେଳ କିଛି କ୍ଷଣ ପାଇଁ ଥଗିତ ରହିବା ଘୋଷିତ ହେଲା।
ତିନିଦିନର ଏମନ୍ତ କାଣ୍ଡ କାରଖାନା ଭିତରେ ପହିଲା ଓ ଦ୍ୱିତୀୟ ରାଉଣ୍ଡ ପରେ ମେଗା ରାଉଣ୍ଡକୁ ତଥାପି କିଛି ଉଠିଲେ। ଦୋଳି, ପୁଞ୍ଚିରେ କେଇଟା ଟାଉକା ବାନା ଜଖମ, ବାଗୁଡିରେ କେତେ ବୀରାଙ୍ଗନାଙ୍କ ଆଣ୍ଠୁ, କଚଟି, ଖୁଆ, କହୁଣି ବି ସ୍ଥାନାନ୍ତରିତ। ତଥାପି କିଛି ବି ଶେଷକୁ ଆସିଲେ, ଶେଷ ପାହାଚରେ ମହାମାନ୍ୟ ମହାମାନିନୀ ଜଜ୍‌, ଜଜୁଣୀମାନେ ତିନି ତିନି ଜଣଙ୍କୁ ବାଛି ଫାଇନାଲ୍ କଲେ। ଏଣିକି ସେମାନଙ୍କ ପୁରସ୍କାର ପାଇଁ ପହିଲି ରଜକୁ ସମୟ ଧାର୍ଯ୍ୟ କରାଗଲା।

ପହିଲି ରଜରେ ପୁରସ୍କାର
ପହିଲି ରଜରେ ଏ ରଜ ମଉଜ ଉଛବରେ ଜିତୁଆ ଜିତୁଆଣୀମାନେ, ଠିକଣା ଥାନକୁ ବଡ ସରାଗରେ ପୁରସ୍କାର ନେବାକୁ ଆଇଲେ। ସାଙ୍ଗରେ ସେମାନେ ସାଇପଡିଶା, ବନ୍ଧୁସୋଦରମାନେ, ୟାର, ୟାରୀ ଆସିକ, ଆସିକାମାନେ। ହାଉଯାଉ ହେଲେ- ଠିକଣା ଥାନରେ କିଛି ବି ଆୟୋଜନ ନାଇଁ, ବାତ୍ୟା ପରେ ଅସ୍ଥାୟୀ ଆଶ୍ରାଥଳ ଉଭାନ୍ ହେବା ଭଳିଆ, ତମ୍ବୁ ଘେର ନାଇଁ, ହତାଶିଆମାନେ ନିରାଶ ହେଲେ। ଘଣ୍ଟାଏ ପାରେ ଗୋଟାଏ ତିନିଚକିଆରେ ଘଣ୍ଟୁଙ୍କୁ ଥୁଆଇ ଉଭା କରେଇଲେ ବାବୁଲି ଆଉ ମକୁଆ। ଘଣ୍ଟୁଙ୍କର ଏ କି ଅବତାର? ମୁଣ୍ଡ, ହାତ, ଆଣ୍ଠୁ, ପାଦ, ଗୋଇଠି – ସବୁଆଡେ ବ୍ୟାଣ୍ଡେଜ୍। ଥମ ହେଇଗଲା ହଟଚମଟ, କୋଳାହଳ। ବାବୁଲି ବଡ ପାଟିରେ କହିଲେ – “ଆମ ଓଲଟ ରଜ ମଉଜର ନିର୍ଦ୍ଦେଶକ ପ୍ରଯୋଜକ, ଆୟୋଜକ ଘଣ୍ଟୁଆଇଙ୍କ ଆକ୍‌ସିଡେଣ୍ଟ୍‌ରେ ଅବସ୍ଥା ଏମିତି। ଏ ଅବସ୍ଥାରେ କ’ଣ ଆଜି ପୁରସ୍କାର ଉଚ୍ଛବ ମନେଇଁ ହେଇଥାନ୍ତା? ବରଂ ଏଇଟାକୁ ଶେଷ ରଜକୁ ଘୁଞ୍ଚେଇ ଦେଉଚୁ। ଆପଣମାନେ ଘଣ୍ଟୁଆଇଙ୍କୁ ଆଶୀର୍ବାଦ କରନ୍ତୁ- ସେ କେମିତି ସମାନେ ସୁସ୍ଥ ହେଇଯାଆନ୍ତୁ। ଆଗେ ଜୀବନ ନା ଆଗେ ଉଛବ?” ସେମାନଙ୍କ ଭିତରେ ଘଣ୍ଟୁ ଆଗରୁ ସେଟ୍ କରିଥିବା ତିନି ଚାରିଜଣଙ୍କ ମୁୁହଁରୁ ବାହାରିଲା- “ଆଗେ ଜୀବନ, ଜୀବନ ଥିଲେ କେତେ ଉଛବ ହେବ।”
ତତ୍‌କ୍ଷଣାତ୍ ଲେକେ ବି ସେଇକଥା ଦୋହରାଇ ପିଛେ ମୁଡ୍ ତେଇଚଲ୍‌, ଥାନ ଫାଙ୍କା। ଘଣ୍ଟୁ ଆଦେଶିଲେ- “ଆରେ ଏ ପଟି ସବୁ ଖୋଲବେ, ଗରମ ଲାଗିଲାଣି, ଆଉ ସମ୍ଭାଳି ହେଉନି।” ପଟି ଖୋଲା ହେଲା, ଘଣ୍ଟୁ ତାଙ୍କ ସହକର୍ମୀଙ୍କ ପାଉଣା ପଣି ତୁଟେଇ ମହା ଆରାମରେ ଗୃହାବସ୍ଥାନ କଲେ। ଶେଷରଜର ସକାଳଠାରୁ ଘଣ୍ଟୁଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା।
ପ୍ରତିଯୋଗୀଙ୍କ ପଡ଼ିଶାଏ ଛିଗୁଲେଇଲେ ‘ଅଜବ ରଜ ମଉଜ’- ବାଃ – ବାଃ। ଏମନ୍ତ ଆଖେଡାରେ ତମେମାନେ ଯାଇ ନିଶ୍ଚେ କିଛି ପୁରସ୍କାର ପାଇଥିବ ନା। ଉଲୁଛିଆ ପ୍ରତିଯୋଗୀମାନଙ୍କ ତୁଣ୍ଡରେ ଯେମିତି କେବଳ ତୁଳାବିଣ୍ଡା ମୁଦ ଦିଆଯାଇଥିଲା। 
 

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୩ ସଂଖ୍ୟାରେ ପ୍ରକାଶିତ ଧାରାବାହିକ ବ୍ୟଙ୍ଗ ରଚନା।)

2 thoughts on “ଅଜବ ରଜ-ମଉଜ

  1. ରଜ ପର୍ବ ଉପରେ ଏହି ବ୍ୟଙ୍ଗଧର୍ମୀ ଲେଖାଟି ବହୁତ ଭଲ ଲାଗିଲା। ଆଗକୁ ଏହିପରି ଆହୁରି ଲେଖା ଆପଣଙ୍କ ଠାରୁ ଆଶା କରୁଛୁ। ନୂଆ ରଜ ଗୀତ ମଧ୍ୟ ଚମତ୍କାର ହୋଇଛି।

  2. ରଜ ପର୍ବ ଉପଲକ୍ଷେ ସୁନ୍ଦର ଉପସ୍ଥାପନା ।

Leave a Reply

Your email address will not be published. Required fields are marked *