ଆମେ ଯେଉଁ ଶହେଟଙ୍କିଆ ନୋଟ ଦେଖିଥିଲୁ, ତାହା ଥିଲା ସବୁଠାରୁ ପାୱାରଫୁଲ୍ ଓ ସାଇଜ୍ ରେ ବଡ। ସମୟ ଆସିଲା, ଟଙ୍କାମାନଙ୍କ ସ୍ବାସ୍ଥ୍ୟ ହାନି ହେଲା।
ପକେଟରେ ହାତପୁରେଇ ଏପଟ ସେପଟ ଖୋଜୁଥିବା ସମୟରେ ମନଟା ଭଲ ଲାଗୁ ନଥାଏ। କୁଆଡେ ଗଲା? କେତେ ରୁପ ତାର ମନେ ପଡୁଥାଏ। ବୋଉର ସରାଘଡିରୁ ବାହାରି ମୋ ହାତକୁ ଯେବେ ଆସିଥିଲା ମୁଁ ବ୍ରତ ହୋଇ ନଥାଏ। ସେ ଥିଲା ପଇସା। ପଇସାର ଛୋଟ ଭାଇ ଅଧଲା ପାହୁଲାଙ୍କୁ ଆମେ ଦେଖିଛୁ, ମାତ୍ର ତାଙ୍କ ସମ୍ପର୍କରେ ଆସି ନାହୁଁ। ପଇସାର ଅନ୍ୟ ନାମ ଥିଲା ତମ୍ବା ପଇସା, ତାହା ସାଙ୍ଗରେ ଥିଲା କଣା ପଇସା ! ଆମ ପିଲାମାନଙ୍କ ମନ ମୋହି ନେଉଥିବା ଆମ ମନେ ଅଛି। ତା’ ଉପରକୁ ଦୋ ପଇସି। ଚାରିକୋଣିଆ ପିତଳ ରଙ୍ଗର ମୁଦ୍ରାଟିଏ। ସେହି ଦି ପଇସିଟା ଥାଏ ଆମ ପ୍ରାଇମେରୀ ସ୍କୁଲ ଛାତ୍ରଙ୍କ ଇକୋନୋମିର ବ୍ୟାକ୍ ବୋନ୍। ଦି ପଇସାରେ ଗୋଟାଏ ମିଠେଇ, ଗୋଟାଏ ଜଲିପି, ଗୋଟାଏ ବରା, ଗୋଟାଏ ପିଆଜି, ଗୋଟାଏ ସ୍ୟାହି ବଟିକା, ଦି ଫର୍ଦ କାଗଜ ମିଳୁଥାଏ। ଆମ ପାଇଁ ତାହା ଥିଲା ଯଥେଷ୍ଟ। ତା’ ଉପରକୁ ଅଣି, ଦୋ ଅଣି, ଚାରେଣି ବା ସୁଉକୀ, ଆଠେଣି ବା ଅଧୁଲି, ସବୁଠୁଁ ବଡ ଟଙ୍କା। ଟଙ୍କାଟା ଆଜି କାଲିର ଏ ବାରମିଶା ଯୋଗୀ ଥାଳିଆ ଅରୁଆ ଉସୁନା ଭଳି ନଥିଲା। ଖାଣ୍ଟି ରୂପାରେ ତିଆରି। ଯାହା ପାଖରେ ସେଥିରୁ ଶହେ ଗୋଟି ଥିଲା, ସିଏ ଯେ ଘରୁଆ ଘର। ତା’ ଦାଣ୍ଡ ଆଗରେ ଦି’ ହଳ ବଳଦ ବନ୍ଧା ହୋଇ ଥାଆନ୍ତି। ଶଗଡ ଗାଡି ଚକଟାଏ କାନ୍ଥକୁ ଡେରା ହୋଇଥାଏ। ଅଧିକ ଥିଲେ ସେଗୁଡିକ ମାଟିତଳେ ମାଠିଆରେ, ଗରାରେ ପୋତା ହୋଇ ଥାଆନ୍ତି। ବ୍ୟାଙ୍କ? ହରିବୋଲ ! ସରକାର ଜାଣିଲେ କଣ ହେବ, ଜାଣିଛ ଟି? ସେଇଆକୁ କରଜ ଦେଇ, ତାଆରି ସୁଧରେ ମାମଲତ ଆଗକୁ ବଢେ ଜାଣ !
ଏମିତି ବେଳ ଆସିଲା ଯେ ସେ ରୂପା ଟଙ୍କାକୁ ଶନିସପ୍ତା ପଡିଲା ଜାଣ ! କୁଆଡେ ଗଲା ଯେ ଆଉ ଦେଖା ଦେଲାନି। ଯିଏ ସବୁ ମାଟି ତଳେ ଥିଲେ, ବଞ୍ଚିଗଲେ ଯେ, କିଛି କାମରେ ଲାଗିଲେ ନାହିଁ ! ବ୍ରିଟିଶ ସରକାର ଚାଲାକି କରି ବିଡାଏ ଲେଖାଁ କାଗଜ ଧରାଇ ଦେଲେ। ରୁପା ଟଙ୍କା ସାତ ସପନ ହେଲା। ତମ୍ଵା ପିତଳ ପଇସାମାନେ ହେଲେ ଅପମିଶ୍ରଣର ଶିକାର। ରସ, ଗିଲ୍ଟି ମିଶେଇ ନିଜର ଇଜତ ବୁଡାଇଲେ। ସେଥିପାଇଁ କେହି ପୋତିଲେ ନାହିଁ। ଏଗୁଡା ସେ କାଗଜ ସାଙ୍ଗରେ ଉଡି ବୁଲିଲେ। କେଉଁଠୁ ଆସି କୁଆଡେ ଗଲା ଆମ ପେଟକୁ ନିଅଣ୍ଟ ହେଲା। ସେଇ ଦି’ ପଇସିଆ ମିଠେଇ ଆଜି ପନ୍ଦର ଟଙ୍କା। କାଗଜ ଟଙ୍କା ଶହେ ଟଙ୍କିଆ ଆଜି କାହିଁ? ଫର୍ଦେ କାଗଜ ସାଙ୍ଗେ ସମାନ ଥିଲା। ସେ କାଗଜଗୁଡା କୁଆଡେ ବିଦେଶରୁ ଆସେ। ଭାରି ମହଙ୍ଗା ! ସେଥିପାଇଁ ସେ ନୋଟମାନଙ୍କ କଳେବର ଛୋଟ ହେବାରେ ଲାଗିଲା। ଆମେ ଯେଉଁ ଶହେଟଙ୍କିଆ ନୋଟ ଦେଖିଥିଲୁ, ତାହା ଥିଲା ସବୁଠାରୁ ପାୱାରଫୁଲ୍ ଓ ସାଇଜ୍ ରେ ବଡ। ସମୟ ଆସିଲା ଟଙ୍କା ମାନଙ୍କ ସ୍ବାସ୍ଥ୍ୟ ହାନି ହେଲା। ତାଙ୍କ ଇମ୍ୟୁନିଟି କମିଗଲା। ଶହେ ଟଙ୍କିଆ ଉପରେ ପାଞ୍ଚ ଶହ, ଦଶ ଶହ, ମାନେ, ହଜାରେ ଟଙ୍କିଆକୁ ବେଖାତିର କରି କୋଡିଏ ଶହ, ମାନେ, ଦୁଇହଜାରିଆ ନୋଟ ଆସିଗଲେ। ସେ ଦୁଇ ହଜାରିଆ ନୋଟ ଏମିତି ସମୟରେ ଆସିଲା ଯେ ଲୋକେ ଯେତେବେଳେ ମୁଣ୍ଡ ବାଡେଇ ହେଉଥିଲେ। ପେଟି ପେଟି ଟଙ୍କା ନାଳ ନର୍ଦ୍ଦମାରେ ଭାସିବା ଦେଖାଗଲା। ସେ ଟଙ୍କାଗୁଡା ରହିଥିଲେ ବାହା ହେବାକୁ ଯାଉଥିବା ବର ବେକରେ ମାଳ ରୁପେ ଶୋଭା ପାଇବାର ସୌଭାଗ୍ୟ ପାଇ ଥାଆନ୍ତା ଅବା? ପାଞ୍ଚ ଶହ ବଦଳାଇ ଦୁଇ ହଜାରିଆ ଆସୁଛି; ଦେଖିବାକୁ ଆମେ ବ୍ୟାଙ୍କ ରେ ଲାଇନ୍ ଲଗାଇ ଥିଲୁ। ସେ ନୋଟ କେଉଁ ଅଶୁଭ ମୁହୂର୍ତ୍ତରେ ଜନ୍ମ ନେଇଥିଲା କେଜାଣି? ବଡ ଲୋକ ସାଜିଥିବା ସମାଜର କିଛି ବ୍ୟକ୍ତି ବିଶେଷ, ସେ ନୋଟ ର ଏମିତି ଧର୍ଷଣ କଲେ ଯେ, ବାଧ୍ୟହୋଇ ଦୁଇ ହଜାରିଆ ନୋଟ ନିଜର କର୍ମଫଳ ଭୋଗିବାରେ ଲାଗିଛି। ଅଳ୍ପ ଶକ୍ତି ବିଶିଷ୍ଟ ନୁଆ ନୋଟ ଜନ୍ମ ନେବ, କହନ୍ତି ରାଜନୀତି ବିଶେଷଜ୍ଞ। ସେ ଦି’ହଜାରିଆ ନୋଟ କଣ କମ୍ ବଦନାମ ହୋଇଛି? ଆସିଲା ଯେ, ସାଙ୍ଗରେ ଆଣିଲା କରୋନା। ନିଜେ ଲୁଚିଗଲା ଭ୍ରଷ୍ଟାଚାରୀର ରାଜ ମହଲରେ। ଏବେ ଦେଖା ଦେଲେ ପୁଲିସି ଧରିବ। ସେଥିପାଇଁ ଆମ ପତ୍ନୀଙ୍କୁ ଆମ ଘରେ କେତେଖଣ୍ଡ ଅଛି ବୋଲି ବାରମ୍ବାର ପଚାରିବାରୁ , ଆମ ରୋଜଗାରିଆ ପଣ ଉପରେ ତା’ଙ୍କର ପ୍ରଶ୍ନ ଉଠେ ! ତେଣୁ, ଆମେ ଚୁପ୍ ରହିବା ଶ୍ରେୟ ମନେକରୁ।
ଏବେ ସେ ଟଙ୍କା କାହିଁ? ପିଲାଙ୍କ ପାଠପଢାରେ ଲକ୍ଷ, କୋଟି ଦରକାର। ବେମାର ହେଲେ କେତେ ଲକ୍ଷ ନେବ ହସ୍ପିଟାଲ? ସେଥିପାଇଁ ଆମ ପିଲାଏ ଆମକୁ ଛାଡି ଆମେରିକା, ଅଷ୍ଟ୍ରେଲିଆ, କାନାଡା ଗଲେ ! ସେଠା ଟଙ୍କାମାନେ ଆମ ଟଙ୍କାଠାରୁ ଅଶୀଗୁଣ, ଷାଠିଏ ଗୁଣ ବଳବାନ୍ ! ଆମ ଶହେ ଟଙ୍କିଆ, କିଲେ ଟମାଟୋ, କି କିଲେ ସଜନା ଛୁଇଁକୁ ଯୋଗ୍ୟ ନୁହେଁ। ହଁ, ବୁଝିଗଲି, ମୁଁ ଯେଉଁ ପାଞ୍ଚଶହ ଟଙ୍କିଆ ନୋଟକୁ ଖୋଜୁଥିଲି, ମନେ ପଡିଗଲା, “ମୁଁ ପରା ପରିବା ହାଟକୁ ଯାଇଥିଲି। ସରି !” ଆମର ଜଣେ ମୁଖ୍ୟମନ୍ତ୍ରୀ ଥରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଆମ ଓଡ଼ିଶାର ଖର୍ଚ୍ଚ ଚଳାଇବାକୁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ଅର୍ଥ ପାଇଁ ଦାବି କରି ଶୁଣିବାକୁ ପାଇଲେ, “ଟଙ୍କା କଣ ଗଛରେ ଫଳୁଛି?” ଯାହା ଆମଭଳି ସ୍ବାଭିମାନି ଓଡ଼ିଆଙ୍କୁ ବାଧିଥିଲା। ସମୟ ସାଥିରେ ଟଙ୍କା ନିଜର ରୁପ ବଦଳାଇ ଚାଲିଥିବା ଦେଖାଯାଏ। ସ୍ବର୍ଣ୍ଣ ମୁଦ୍ରାରୁ ଆଜିଯାଏ ସମୟର କେତେ ଉତ୍ଥାନ ପତନ ଦେଖିଆସିଛି ଟଙ୍କା। ସିଏ ନାହିଁ ତ କିଛି ନାହିଁ, “ତୃଣାନି ଶଯ୍ୟା ପରିଧାନ ବଳ୍କଳଂ, ବରଂ ବନେ ବ୍ୟାଘ୍ର ଗଜାଦି ସେବିତଂ, ନ ବନ୍ଧୁର୍ମଧ୍ୟେ ଧନହୀନ ଜୀବନଂ!”
ଟଙ୍କା, ବଦଳେଇପାରେ ଜୀବନର ମାନ। ଟଙ୍କାରେ କିଣାଯାଇପାରେ ସବୁକିଛି। ଟଙ୍କାର ମାନ କେତେବେଳେ କମିପାରେ ପୁଣି କେତେବେଳେ ବଢିଯାଇପାରେ। ଟଙ୍କା ଆଜିର ଦିଗ ନିର୍ଦେଶକ।
Can’t go back to Gold Standard. Paper money can’t be trustworthy. Good news is we are marching fast towards paperless money. But the fun of spending is gone…
ଟଙ୍କା ର ମାନ ଓ ମୂଲ୍ୟ ଉଭୟର ଅବକ୍ଷୟ ଘଟିଛି।
ମୋର ମନେ ଅଛି ମୋ ଜେଜେ ବାପା ତୀର୍ଥ କରିବାକୁ ଯିବା ଆଗରୁ 2 ଆଉ 3 ପ୍ଇସା ଖୁଚୁରା କରେଇ ଯାଉଥିଲେ ଭିକ ଦବା ପାଇଁ
Later the beggars didn’t accept them
ଟଙ୍କାର ବର୍ଣ୍ଣନା ଖୁବ୍ ଭଲ ହୋଇଛି । ଯୁଗ ବଦଳିବା ସହିତ ଟଙ୍କା ବି ବଦଳି ଯାଇଛି ।
ଆଜି ୭୮ବର୍ଷ ବୟସରେ ପିଲାଦିନକୁ ମନେ ପକାଇ ଦେଇ ଥିବାରୁ ଅଜସ୍ର ଧନ୍ୟବାଦ। ଲେଖାର ଶୈଳୀ ମନଛୁଆଁ।