ଆମ ଛୁଆବେଳେ ବୋଉମାନେ ‘ମମି ’ ହେଇ ନ ଥିଲେ। ଏବେ ମମିମୟ ମାତୃତ୍ୱ ଭିତରେ ବୋଉ ବା ମା’ଟିଏ ଖୋଜିବା ଯାହା ମାଣ୍ଡିଆ ବସ୍ତା ଭିତରେ ହଜି ଯାଇଥିବା ଗୋଟାଏ ସୋରିଷ ଦାନାକୁ ଖୋଜିବା ସେଇଆ।
“ଆମେ ତ ଭାଗ୍ୟବାନ୍ ବୁଢ଼ାରେ…”; ଆମେ ଯିଏ ବିଂଶ ଆଉ ଏକବିଂଶ ଦୁଇଟା ଶତାବ୍ଦୀ ଭିତରେ ସତୁରିରୁ ଅଧିକ ଶରତ ଭୋଗ କରିିି ଏବେ ମଧ୍ୟ ଦେହଧରି ଆତଯାତ ହେଉଛୁ, ଆମେ ସବୁ ହେଉଛୁ ଗୋଟାଏ ବିରଳରୁ ବିରଳତମ ବର୍ଗର ବୁଢ଼ାବୁଢୀ। କେବଳ ଦୁଇଟା ଶତାବ୍ଦୀ ନୁହେଁ, ଦୁଇଟା ସହସ୍ରାବ୍ଦୀର କିଛି କାଳଖଣ୍ଡ ଭୋଗ କରିବାର ସଲଗ ସୌଭାଗ୍ୟ ଲାଭ କରିଥିବା ଆମେସବୁ ବଡ଼ ବରକତିଆ ବୁଢ଼ାବୁଢ଼ୀ। ଏବେ, ଏଇ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଜନ୍ମ ନେଉଥିବା କେହି ଶିଶୁ ଯଦି ଅଶିତିପର ଆୟୁଷ ନିଏ ବା ଶତାୟୁ ହୁଏ, ସେ ହୁଏତ ଦ୍ୱାବିଂଶ ଶତାବ୍ଦୀକୁ ଭେଟିପାରେ; କିନ୍ତୁ ଚତୁର୍ଥ ସହସ୍ରାବ୍ଦୀକୁ ଭେଟିବାର ସୌଭାଗ୍ୟ ପାଇଁ ସେ କେବେ ବି ସହସ୍ରାୟୁ ହେଇପାରିବନି।
ଏଣୁ ଗୋଟାଏ ବଦଳୁଥିବା ବିଶ୍ୱର ବୁନିଆଦ ଆମେ, ଗୋଟାଏ ପ୍ରକାଣ୍ଡ ପରିବର୍ତ୍ତନଶୀଳ ପୃଥିବୀର ପ୍ରମାଣପୁରୁଷ ଆମେ, ବିଗତର ପ୍ରତିଛାୟା ଆମେ, ସମାଗତର ପ୍ରତ୍ୟୁପଭୋଗୀ ଆମେ, ଆଗତର ପ୍ରରୋହଣ ପ୍ରତୀକ୍ଷାରେ ଆମେ, ଆମ ପାଞ୍ଚପିଢି ପରିବର୍ତ୍ତନପର୍ବର ପ୍ରତିଭୂ ଆମେ, ପ୍ରତ୍ୟକ୍ଷଦର୍ଶୀ ଆମେ। ଏଇ ‘ଆମେ’ ଭିତରେ ‘ମୁଁ’ ତ ଅଛି ନିଶ୍ଚୟ। ମୋ ଜେଜେ ଝକମକି ପଥରକୁ ଲୁହାରେ ପିଟି ନିଆଁ ଝୁଲ ସୋଲରେ କାଢ଼ି ତାକୁ ନିଆଁ ବରିଆରେ ସାଇତି ରଖୁଥିଲେ, ମୋ ବାପା ନିଆଁପେଡ଼ିରୁ ନିଆଁ ବାହାର କରୁଥିଲେ, ମୁଁ ସେଇ ନିଆଁପେଡ଼ିକୁ ଦିଆସିଲି କହିଲି ଓ ସେଥିରୁ ନିଆଁ ବାହାର କଲି। ମୋ ପୁଅ ଏବେ ଲାଇଟର୍ ବ୍ୟବହାର କରୁଛି। ମୋ ଜେଜେମା’ ନିଆଁ ଲୁଣ୍ଡାରେ ପଡ଼ିଶାଘରୁ ନିଆଁ ଆଣୁଥିଲା, ଦୋପଖା ଚୁଲିରେ ଘଷି ଓ ନାଗୁଆଣି ମୁହାଁଇ, ଫୁଙ୍କୁନଳାରେ ଫୁଙ୍କି, ଗୋଜଣାରେ ଖେଞ୍ଚି ଚୁଲି ଲଗାଇ ମାଟି ପଲମରେ ଚକୁଳି ଚିତୋଉ କରୁଥିଲା। ଢିଙ୍କିରେ ଧାନ କୁଟୁଥିଲା, ଶିଳରେ ବାଟୁଥିଲା, ଚକିରେ ଚୂରୁଥିଲା, ରଗଡ଼ୁଥିଲା।
ମାତ୍ର ଦୁଇଟା ପିଢ଼ିର ବ୍ୟବଧାନ, ଏବେ ମୋ ପୁଅବୋହୂଙ୍କୁ ପଚାରିଲେ ଝକମକି, ସୋଲ, ବରିଆ, ନିଆଁପେଡ଼ି, ଲୁଣ୍ଡା, ଦୋପଖାଚୁଲି, ନାଗୁଆଣି, ଘଷି, ଗୋଜଣା, ଫୁଙ୍କୁନଳୀ, ପଲମ, ରଗଡ଼ିବା, ବାଟିବା ଆଦି କ’ଣ ସେମାନଙ୍କ ଅବବୋଧକୁ ଆସୁନି, ସେମାନେ ବୁଝିପାରୁ ନାହାନ୍ତି ଏଗୁଡ଼ା ସବୁ କ’ଣ।- ଇଏ ସବୁ ଓଡ଼ିଆ ଶବ୍ଦ, ଓଡ଼ିଆ ଭାଷା।
ମା’ ତୁଣ୍ଡର ଭାଷା
କିନ୍ତୁ ମୋ ପୁଅବୋହୂ ଏ ଶବ୍ଦ ନ ବୁଝି ପାରିବାର କାରଣ ହେଲା ମୋ ଶ୍ରୀମତୀଙ୍କ ବେଳକୁ ଏସବୁ ବଦଳି ଯାଇଥିଲା, ମୋ ଶ୍ରୀମତୀଙ୍କ, ଅର୍ଥାତ୍ ମୋ ପିଲାଏ ତାଙ୍କ ମା’ ତୁଣ୍ଡରୁ ଏ ଶବ୍ଦର ଉଚ୍ଚାରଣ ଶୁଣିନାହାନ୍ତି। ଏଣୁ ଏ ଶବ୍ଦସବୁ ଓଡ଼ିଆ ହେଇପାରେ, ମୋର ମାତୃଭାଷା ହେଇପାରେ; କିନ୍ତୁ ମୋ ପିଲାମାନେ ତାଙ୍କ ମା’ଠାରୁ ଏସବୁ ଶବ୍ଦ ଶୁଣି ନ ଥିବାରୁ ଏ ସବୁ ତାଙ୍କ ଅବୁଝା ଶବ୍ଦ ତାଲିକାଭୁକ୍ତ ଅପରିଚିତ ଶବ୍ଦସମୁଚୟ। ମୋ ବୋଉ ଯାହାକୁ ହଳଦିଆ କାମଳ କହୁଥିଲା, ବହୁମୂତ୍ର କହୁଥିଲା, ଓଷଦ କହୁଥିଲା, ଚଣାଚୂର କହୁଥିଲା, ଚଉକି କହୁଥିଲା; ମୋ ପିଲାମାନେ ତାକୁ ଜଣ୍ଡିସ୍, ଡାଇବେଟିସ୍, ମେଡିସିନ୍, ମିକ୍ଶ୍ଚର୍, ଚେୟାର୍ କହୁଛନ୍ତି। ମୋ ବୋଉର ଭାଷା ମୋ ପିଲା ବୁଝିପାରିବେନି କି ମୋ ବୋଉ ଯଦି ବଞ୍ଚିଥାଆନ୍ତା, ମୋ ପିଲାଙ୍କ ଭାଷା ସେ ବି ବୁଝି ପାରି ନ ଥାନ୍ତା। ଆଗାମୀର ଭାଷା, ଆଧୁନିକତାର ଭାଷା ବୋଲି ହୁଏତ ମୋ ବୋଉ କିଛି ଖଣ୍ଡିତ ଶବ୍ଦ, ଖଣ୍ଡିଆ ବାକ୍ୟ ମୋ ପିଲାମାନଙ୍କଠୁ ଶୁଣି କହିଶିଖିଥାନ୍ତା; କିନ୍ତୁ ମୋ ପିଲାଏ ଅତୀତର ଅଳନ୍ଧୁଲଗା ଶଢ଼ା, ଶୁକୁଟା ଶବ୍ଦ କହି ଶିଖିବା ତ ଦୂରର କଥା ଏଗୁଡ଼ାକୁ ତୁଣ୍ଡରେ ବି ଧରି ନ ଥାନ୍ତେ; ତଥାପି ଇଏ ହିଁ ଆମ ସମସ୍ତଙ୍କର ମାତୃଭାଷା। ହଳଦିଆ କାମଳ, ବହୁମୂତ୍ର, ଓଷଦ, ଚଣାଚୂର, ଚଉକି ଯେମିତି ମୋ ମା’ର ଭାଷା, ମୋ ମାତୃଭାଷା; ଜଣ୍ଡିସ୍, ଡାଇବେଟିସ୍, ମେଡିସିନ୍, ମିକ୍ଶ୍ଚର୍, ସେମିତି ମୋ ପିଲାଙ୍କ ମା’ର ଭାଷା, ସେମାନଙ୍କ ମାତୃଭାଷା ଏବଂ ସର୍ବୋପରି ଇଏ ଓଡ଼ିଆ ଏବଂ ମୋ ବାପାଙ୍କର, ମୋର ଓ ମୋ ପିଲାମାନଙ୍କର ମାତୃଭାଷା, ଆମ ତିନିପିଢ଼ିର ଭାଷା, ଆମ ସମସ୍ତଙ୍କର ମାତୃଭାଷା ଓଡ଼ିଆ।
ଟେଲିଫୋନ୍ର ମଜା
ଆମ ପିଲାଏ ପଢ଼ିଥିଲେ- “ଟେଲିଫୋନ୍ର ମଜା, ଶହେ କୋଶରୁ ଆଈ ସାଥିରେ କଥା କହନ୍ତି ଅଜା।” ଶହେ କୋଶ ତ ବହୁତ ଦୂର ହେଲାଣି, ଏଇ ପଚାଶ ବର୍ଷ ତଳେ ଅଜା ଯଦି ଭୁବନେଶ୍ୱରରେ ରହି ପନ୍ଦର କୋଶ ଦୂର କଟକରେ ଥିବା ଆଈ ପାଖକୁ ଫୋନ୍ କରୁଥିଲେ, ତେବେ ତାଙ୍କୁ ଏକ୍ସପ୍ରେସ୍ ଟ୍ରଙ୍କ୍ କଲ୍ ବୁକ୍ କରି ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। ଅଜା ଏପଟେ ପଙ୍କଭିତରୁ ତୋଡ଼ିମାଛ ମାଡ଼ିବସି ଧରିଲା ଭଳି ରିସିଭରଟାକୁ ଜୋରରେ ଜାବୁଡ଼ି ଧରି ଗଦ୍ଗଦ୍ ହେଇ କହୁଥିଲେ- “ହେଇଟି, କଣ୍ଡୁରିଆବୋଉ! ଆମ ଘରୁ ଯୋଉ ପୁରୁଣା ଗଡ଼ାକୋଳି ଆଉ କୁଆଁରୀ ଆମ୍ବୁଲ ଆଣିଥେଲୁ, ପଠେଇବୁଟି। ନାତିଟୋକାଟା ଭାରି ଭଲ ପାଉଚି ତୋ ହାତତିଆରି ଆମ୍ବୁଲ ଆଉ ଗଡ଼ାକୋଳିକି।” ସେ ପଟୁ ଆଈ କହୁଥିଲା- “ହଇହେ, ତେମେ ଗଲାବେଳେ ଭୁଲରେ ଜଡ଼ାତେଲ ଶିଶିଟା ନେଇଗଲ କି, ମୋ ମୁଣ୍ଡରେ ନଗେଇବାକୁ ତେଲଟିକେ ନାଇଁ। ନୁଖୁରା ମୁଣ୍ଡ ରକଟା ହେଲାଣି। ସାନ ଟୋକା ଗଲେ ତା’ ହାତେରେ ଜଡ଼ାତେଲ ଶିଶିଟା ଟିକେ ହେତୁକରି ବଟେଇବ।”
ଏବେ ମୋ ନାତୁଣୀର ଆଈ ଯେତେବେଳେ ତା’ ଅଜା ପାଖକୁ ଭିଡ଼ିଓ କଲ୍ କରି କହୁଛନ୍ତି- “ହାୟ୍ ରାକେଶ୍, ହାଓ ଆର୍ ୟୁ? ତମେ ବିପି ଆଉ ଡାଇବେଟିସ୍ ମେଡିସିନ୍ ରେଗୁଲାରଲି ଖାଉଛ ତ? ତମ ହେଲ୍ଥର ପ୍ରପର କେୟାର ନଉଥିବ। କେବେ ଆସୁଛ? ହଁ, ପ୍ଲେନ୍ରେ ଆସିବ, ଟ୍ରେନ୍ରେ ଆସିବନି।” ସେ ପଟୁ ମୋ ନାତୁଣୀର ଅଜା କହୁଛନ୍ତି- “ହାଲୋ ହନୀ! ତମେ ସାମ୍ପୋ କରୁନ କି? ପାର୍ଲର୍ କେବେ ଯାଇଥିଲ? ମର୍ଣ୍ଣିଂ ୱାକ୍ କରୁଛ ତ? ନେକ୍ସଟ ୱିକ୍ ମୁଁ ଆସୁଛି। ଓକେ…ବାୟ୍… ସି ୟୁ…!”
ବିଂଶ ଶତାବ୍ଦୀର ବା ପଚାଶ ବର୍ଷ ତଳର ଅଜାଆଈ ଏବଂ ଆଜିର ଏକବିଂଶ ଶତାବ୍ଦୀର ଅଜାଅଈଙ୍କ ଶବ୍ଦ, ସମ୍ବୋଧନ, ସମ୍ଭାଷଣ, ଶୈଳୀ, ସମ୍ପର୍କ, ଭାଷା, ଭାବ, ଭଙ୍ଗୀ, ଚାଲି, ଚଳଣି, ଚାହାଣି, ଚିତ୍ର, ଚରିତ୍ର ଆଦି ସବୁକ୍ଷେତ୍ରରେ ଆସିଛି ପର୍ଯ୍ୟାପ୍ତ ପରିବର୍ତ୍ତନ। ସେ ପରିବର୍ତ୍ତନ ପୁଣି ପ୍ରବଳରୁ ପ୍ରବଳତର ହେଇଉଠିଛି ପର ପିଢ଼ି ଅର୍ଥାତ୍ ବର୍ତ୍ତମାନର ବାପମା’ଙ୍କ କ୍ଷେତ୍ରରେ। ବାପାମା’ ତ ନୁହନ୍ତି, ବରଂ ‘ଡାଡିମମି’ କହିଲେ ଅଧିକ ଉପଯୁକ୍ତ ହେବ। ଆମ ଅମଳରେ ବୋଉ ବା ମା’ମାନଙ୍କ ଗହଳି ଭିତରୁ ଚୂନମାରି ଗଣତି କଲେ ବି ‘ମମିଟିଏ’ ମିଳି ନ ଥାନ୍ତେ। ଆମ ଛୁଆବେଳେ ବୋଉମାନେ ‘ମମି’ ହେଇ ନ ଥିଲେ। ଏବେ ମମିମୟ ମାତୃତ୍ୱ ଭିତରେ ବୋଉ ବା ମା’ଟିଏ ଖୋଜିବା ଯାହା ମାଣ୍ଡିଆ ବସ୍ତା ଭିତରେ ହଜି ଯାଇଥିବା ଗୋଟାଏ ସୋରିଷ ଦାନାକୁ ଖୋଜିବା ସେଇଆ।
କୋଉ ମମିଟିଏ ତୁଣ୍ଡରୁ ‘କୁକୁଡ଼ା ମାଂସ’, ‘ଛେଳି ମାଂସ’, ‘ଡାକ୍ତରଖାନା’, ‘ଆଲୁଅ’, ‘ରକ୍ତ’, ‘କଲମ’ ଆଦି ଶବ୍ଦର ଉଚ୍ଚାରଣ ଆପଣ ଏବେ କେବେ ଶୁଣିଲେଣି କି? ମମିଙ୍କ ତୁଣ୍ଡରେ ଚିକେନ୍, ମଟନ୍, ହସ୍ପିଟାଲ୍, କ୍ଲିନିକ୍, ଲାଇଟ୍, ବ୍ଲଡ଼୍, ପେନ୍ ଆଦି ଓଡ଼ିଆ ଶବ୍ଦର ପଶ୍ଚିମା ପ୍ରତିଶବ୍ଦ କେବେଠୁ ପ୍ରତିଷ୍ଠିତ ପ୍ରଚଳିତ ଓ ପ୍ରକଥିତ ହେଲାଣି ତା’ର ତିଥି ବାର ନକ୍ଷତ୍ରର ଟିପଣା କେହି ରଖିନି। ସେତେବେଳର ବୋଉ ବା ମା’ମାନଙ୍କର ‘ଧନ’, ‘ବାଇଆ’, ‘ସୁନା ପୁଅ’, ‘ଗଳାମାଳି’, ‘ରଙ୍କରତନ’ମାନେ ସେମାନଙ୍କ ମାତୃଭାଷା ଭାବେ ଡାକ୍ତରଖାନା, କଲମ, ଖାସିମାଂସ ଆଦି କହିବା ଯେମିତି ସ୍ୱାଭାବିକ, ବର୍ତ୍ତମାନର ମମିମାନଙ୍କ ‘ବେଟା’ ‘ବେଟୀ’ମାନେ ପେନ୍, ମଟନ୍ କହିବା ସେମିତି ସ୍ୱାଭାବିକ; ଖାସିମାଂସ ଧନମାନଙ୍କର ମାତୃଭାଷା ହେଇଥିବା ବେଳେ, ମଟନ୍ ବେଟାମାନଙ୍କର ବି ମାତୃଭାଷା।
ଆ’ ଜହ୍ନମାମୁ ଶରଦ ଶଶୀ
କୌଣସି ମମିଜାତିୟା ମହିଳାଙ୍କୁ ନିଜ ବେଟା ବା ବେଟୀକୁ କାଖରେ କାଖେଇକରି ଘରେ ବା ରାସ୍ତାଘାଟରେ ଯାଉଥିବାର ବିରଳ ଦୃଶ୍ୟ ଆପଣ ଏବେ କେବେ ଦେଖିଲେଣି କି? “ଜହ୍ନମାମୁରେ ଆ…ଆ… ମୋ କାହ୍ନୁ ସାଙ୍ଗରେ ଖେଳିବୁ ଆ’…ରେ ଜହ୍ନମାମୁ” କହି ବା ନିଜ ବେଟାକୁ କାଖରେ ବସେଇ “ଆ’… ଜହ୍ନମାମୁ ଶରଦଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି” ଗାଇ ଜ୍ୟୋତ୍ସ୍ନାୟିତ ସଞ୍ଜପହରକୁ ସଂଗୀତମୁଖର କରୁଥିବାର କୌଣସି ମମିଙ୍କୁ ଆପଣ ଏବେ କେବେ ଦେଖିଛନ୍ତି କି କୋଉଠି? ବୋଉ ଥିଲା ଆମର ବରାଭୟଦାୟିନୀ, ଅଭୟ ପ୍ରଦାୟିନୀ; ସାମାନ୍ୟ କିଛି ଆପଦ ବିପଦର ସମ୍ମୁଖୀନ ହେଲେ, ଝୁଣ୍ଟିପଡ଼ିଲେ, ଜ୍ୱାଳା ଯନ୍ତ୍ରଣା ହେଲେ, ଏମିତି କି ମାଷ୍ଟ୍ରଙ୍କଠାରୁ ମାଡ଼ଖାଇ “ଇଲୋ ବୋଉଲୋ ମରିଗଲି ମରିଗଲି” କହି ଆମେ ଚିଲଉଥିଲୁ। ଆପଣ ଏବେ କେବେ ଦେଖିଛନ୍ତି କି ହଠାତ୍ ପଡ଼ିଯାଇ, ଆହତ ଆକ୍ରାନ୍ତ ହେଇ ବା ଭୟଭୀତ ହେଇ ଆଜିକାର କୌଣସି ‘ବେଟା’ “ଇଲୋ ମମିଲୋ” କହିବାର? ‘ଭାଷା’ କହିଲେ ସବୁବେଳେ ଉଚ୍ଚାରିତ ଶବ୍ଦ ବା ବାକ୍ୟକୁ ବୁଝାଏ ନାହିଁ; ଭାଷା ଆମର ଆବେଗକୁ, ଆଚାରକୁ, ବିଚାରକୁ, ସଂଚାରକୁ, ସଂଳାପକୁ, ଆଳାପକୁ ପ୍ରଭାବିତ କରେ; ଭାଷା ଆମ ଭାବ, ଅଭାବ, ପ୍ରଭାବର; ଭାଷା ଆମ ସାହିତ୍ୟ, ସଂସ୍କୃତି, ଶିକ୍ଷା, ଆଚରଣ, ଉଚ୍ଚାରଣ, ଚଳଣି, ଚରିତ୍ରର ଅନୁପୂରକ ଏବଂ ପରିପୂରକ ମଧ୍ୟ। ଭାଷା ପୁଣି ଆମ ସମ୍ପର୍କ ସମ୍ବନ୍ଧର, ସୌଜନ୍ୟ ସୌହାର୍ଦ୍ଦ୍ୟର ସଂସ୍ଥାପକ, ସଂରକ୍ଷକ ଏବଂ ସଂଚାରକ ମଧ୍ୟ। ଭାଷାକୁ ଯେତେବେଳେ ମା’ସହିତ ଯୋଡ଼ି ‘ମାତୃଭାଷା’ ବୋଲି କୁହାଯାଏ, ସେତେବେଳେ ଭାଷା ବ୍ୟକ୍ତିର ଜନ୍ମ ସହିତ ଜଡ଼ିତ ହେଇଯାଏ।
ମାତୃଭାଷାର ଅର୍ଥ କରିବାକୁ ଯାଇ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ କୁହାଯାଇଛି- “ମାତୃ କ୍ରୋଡ଼ରେ ଥିବା ସମୟରେ ମାଆଙ୍କ ମୁହଁରୁ ମନୁଷ୍ୟ ଯେଉଁ ଭାଷା ଶୁଣେ।” ସତରେ ବୋଉ କୋଳ ପିଲା ପାଇଁ ପ୍ରଥମ ଏବଂ ପ୍ରଧାନ ବିଶ୍ୱବିଦ୍ୟାଳୟ, ବୋଉକୋଳରୁ ଆସେ ସେ ଏ ବିଶାଳ ସଂସାରକୁ। କୋଉ ବିଶ୍ୱବିଦ୍ୟାଳୟରେ ଯୋଉ ପାଠ ପଢ଼ାଯାଏନି, ସେ ସବୁ ପାଠ ପଢ଼ାଯାଏ ବୋଉ ବିଶ୍ୱବିଦ୍ୟାଳୟରେ। ସବୁ ବିଶ୍ୱବିଦ୍ୟାଳୟରେ ପରୀକ୍ଷାରେ କେମିତି ସଫଳ ହେବ ଶିକ୍ଷା ଦିଆଯାଏ, ବୋଉ ବିଶ୍ୱବିଦ୍ୟାଳୟରେ କିନ୍ତୁ ଜୀବନ ଜିଇବାର ପାଠ ପଢ଼ାଯାଏ; ଜୀବନର କଳା ଓ ବିଜ୍ଞାନ ଶିକ୍ଷା ଦିଆଯାଏ; ସଫଳତା ହାସଲର ବିଦ୍ୟା ସହିତ ବିଫଳତାକୁ ସମ୍ମୁଖୀନ ହେବାର ସୂତ୍ର ଶିକ୍ଷା ଦିଆଯାଏ। ବୋଉ ବିଶ୍ୱବିଦ୍ୟାଳୟରେ ପିଲା ଖାଇବା ଶିଖେ, ପିଇବା ଶିଖେ, ଶୋଇବା ଶିଖେ, କହିବା ଶିଖେ, ବସିବା ଶିଖେ, ହସିବା ଶିଖେ, ଚାଲିବା ଶିଖେ, ବୁଲିବା ଶିଖେ, ଦେଖିବା ଶିଖେ, ଶୁଣିବା ଶିଖେ, ବୁଝିବା ଶିଖେ ଏବଂ ସର୍ବୋପରି ଶିଖିବା ବି ଶିଖେ। ବୋଉ କୋଳରୁ ସେ ଭାଇ, ଭଉଣୀ, ବାପା, ଜେଜେ, ଦାଦା, ଖୁଡ଼ୀ, ପ୍ରିୟ ପରିଜନ, ପାଖପଡ଼ିଶାଙ୍କୁ ଦେଖେ, ପାଖ ପରିବେଶ ପରିମଣ୍ଡଳକୁ ଅବଲୋକନ କରେ, ଅନୁଧ୍ୟାନ କରେ; ଦେଖେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା, ଆକାଶ, ଅବନି; ଦେଖେ ଗଛବୃଚ୍ଛ, ପଶୁପକ୍ଷୀ; ଦେଖେ ନଈ, ନାଳ, ନିଆଁ, ପାଣି; ଦେଖେ ଦୁଃଖ, ଦେଖେ ସୁଖ; ଦେଖେ ହସ, ଦେଖେ କାନ୍ଦ; ତା’ ଦୃଷ୍ଟିର ଦିଗନ୍ତକ୍ରମେ ପ୍ରସାରିତ ହୁଏ, ତା’ର ବୌଦ୍ଧିକ ବିକାଶ ଘଟେ, ବୁଦ୍ଧି ବଢ଼େ, ଜ୍ଞାନ ବଢ଼େ, ବିଚାର ବିବେଚନା ବଢ଼େ। ଏଣୁ ଏ ବିଶ୍ୱରେ ଏମିତି କେହି ବିଜ୍ଞ, ବିଶାରଦ, ବିଶିଷ୍ଟ ନାହିଁ, ଯାହାର ପାଠ ବୋଉ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ନ ହେଇଛି ଏବଂ ସବୁଠୁ ବଡ଼ କଥା ହେଉଛି ବୋଉ ବିଶ୍ୱବିଦ୍ୟାଳୟରୁ ସେ ଯେଉଁ ଭାଷା ଶିଖେ, ସେ ହେଉଛି ତା’ ଜୀବନର ପ୍ରଥମ ଓ ପ୍ରଧାନ ଭାଷା; ମାତୃଭାଷା। ମା’ ଯୋଉ ଭାଷା କହିପାରେ, ଲେଖିପାରେ ଓ ବୁଝିପାରେ, ତାହା ହିଁ ସନ୍ତାନର ମାତୃଭାଷା।
ପିଲାର ଭାଷା ଶିକ୍ଷାର ଆରମ୍ଭ ମା’କୋଳରୁ ହୁଏ ବୋଲି ଆମର ଯାହା ଧାରଣା ବା ଅଭିଧାନ ଯାହା କହୁଛି; ସେ କଥାକୁ ଭୁଲ୍ ପ୍ରମାଣ କରିଛି ଆମ ପୁରାଣ। ଅର୍ଜୁନଙ୍କ ପୁଅ ଅଭିମନ୍ୟୁ ମାତୃଗର୍ଭରେ ଥିଲାବେଳେ ତା’ ବାପାମା’ଙ୍କ ଆଳାପ ଆଲୋଚନାରୁ ଚକ୍ରବ୍ୟୂହ ଭେଦର ଉପାୟ ସେ ଶିଖିଥିଲା। ଅର୍ଜୁନଙ୍କ ଅନୁପସ୍ଥିତିରେ ଚକ୍ରବ୍ୟୂହ ଭେଦର ସମସ୍ୟା ଯେତେବେଳେ ଉପୁଜିଛି, ଅଭିମନ୍ୟୁ ବ୍ୟୂହଭେଦ କରିବାକୁ ଆଗେଇ ଆସିବାରୁ ଯୁଧିଷ୍ଠିର ପଚାରିଛନ୍ତି-
“କୁମାର ବଚନେ ଯେ ଧର୍ମରାୟେ ହସି, ଚଉଦ ବରଷ ଅଗ୍ୟାନ ତୁ ବାଳଶିଷି।୨୩।
ଆମ୍ଭେ ସେନାପତି କେହ୍ନେ କରିବୁଟି ତୋତେ, ଭୂଅଭେଦ କଥା ତୁ ଜାଣିଲୁ କେମନ୍ତେ।୨୪।
ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଭିମନ୍ୟୁ କହିଛି-
“…ସମସ୍ତ କହିଲେ ଯେ ମାତାଙ୍କ ସମକକ୍ଷେ, ଚକ୍ରଭୂଅର ବାରତା କହିଲେ ସର୍ବପଛେ।୩୮।
ପିତା କହନ୍ତେଣ ଶୁଣନ୍ତି ମୋର ମାୟେ, ମୁହିଂ ଗର୍ଭେ ଥାଇଣ ଶୁଣିଲି ଧର୍ମରାୟେ।୩୯।
ତୃତୀୟ ପହର ଯେ ହୋଇଲାକ ରାତି, ମାୟେ ନିଦ୍ରା ଗଲେ ନିଶି ହୋଇଲା ପାହାନ୍ତି।୪୦।
ମାତାଂକର ନିଦ୍ରାୟେ ମୁଂ ହୋଇଲି ଅସାଷ୍ଟମ, ବାହୁଡ଼ା ବେଳ ଭୂଅକୁ କଲି ମତିଭ୍ରମ।୪୧।
-“ସାରଳା ମହାଭାରତ”-ଦ୍ରୋଣପର୍ବ
ମାତୃଗର୍ଭର ଭାଷା
ପୁରାଣ କଥାର ସତ୍ୟତା ଉପରେ ଅନେକ ବିଭିନ୍ନ ସମୟରେ ପ୍ରଶ୍ନବାଚୀମାନ ଠିଆ କରିଥାନ୍ତି; କିନ୍ତୁ ଏବେ ବିଜ୍ଞାନ କହିିଲାଣି ପିଲାର ଶିକ୍ଷା, ବିଶେଷ କରି ଭାଷା ଶିକ୍ଷା ମାତୃଗର୍ଭରୁ ହିଁ ଆରମ୍ଭ ହେଇଥାଏ। ପାଟ୍ରିସିଆ କଲ୍ (‘ଇନ୍ଷ୍ଟିଚ୍ୟୁଟ୍ ଫର ଲର୍ଣ୍ଣିଂ ଆଣ୍ଡ ବ୍ରେନ୍ ସାଇନ୍ସେସ୍’ର ନିର୍ଦ୍ଦେଶକ) କହନ୍ତି- “ଦି ମଦର ହାଜ୍ ଫାଷ୍ଟ ଡିବ୍ସ ଅନ୍ ଇନ୍ଫ୍ଲୁଏନ୍ସିଂ ଦି ଚାଇଲ୍ଡ୍ସ ବ୍ରେନ୍। ଦି ଭାଉଏଲ୍ ସାଉଣ୍ଡ୍ସ ଇନ୍ ହର୍ ସ୍ପିଚ୍ ଆର୍ ଦି ଲାଉଡେଷ୍ଟ ୟୁନିଟ୍ସ୍ ଆଣ୍ଡ ଦି ଫିଟସ୍ ଲକ୍ସ ଅନ୍ଟୁ ଦେମ୍”।
ଗର୍ଭସ୍ଥ ଭ୍ରୂଣର ନାହିନାଡ଼ ମା’ଠାରେ ଲାଗିଥିବାରୁ ମା’ଯାହା ଖାଏ, ଯାହା କହେ, ଯାହା ଶୁଣେ, ଯାହା ପଢ଼େ, ଯାହା ଦେଖେ, ଯାହା ଭାବେ; ସେସବୁରେ ଭାଗୀଦାର ହୁଏ ଭ୍ରୂଣ। ବିଶେଷ କରି ପିଲାର ଭାଷା ମା’ପେଟରୁ କଅଁଳେ, କଢ଼ାମେଲେ ଆଉ ସେ ଓଳିଆରୁ ପଡ଼ି ଗଜାହୁଏ; ଭୂମିଷ୍ଠ ହେବା ପରେ ପରେ ବି ମାତୃଭାଷା ଓ ଅନ୍ୟ ଭାଷାର ଭିନ୍ନତା ବାରିପାରେ ସେ। ବର୍ତ୍ତମାନର ଗୋଳିଆ, ଗୋଳମାଳିଆ ସାମାଜିକ ତଥା ସାଂସ୍କୃତିକ ପରିସ୍ଥିତି ଓ ପରିବେଶରେ ମାତୃଭାଷାର ପରିଚିତି ପାଣିଫାଟି ପାଣିଚିଆ ହେଇଯାଉଛି। ‘ମାତୃଭାଷା’ କହିଲେ କେବଳ ନିରୁତା ମା’ କହୁଥିବା ଭାଷା ନୁହେଁ; ବାପା, ଦାଦା, ଜେଜେ, ଜେଜେମା’, ପରିବାର ପରିଜନ ଆଦିଙ୍କ ଭାଷା ବା ଘରର ଭାଷା ହିଁ ମାତୃଭାଷା। ଯୋଗୀ ଥାଳର ଚାଉଳ ପରି ବର୍ତ୍ତମାନର ଘରଭାଷା ହେଇଗଲାଣି ବାରଜାତିଆ ଭାଷା; ବାପା କଟିକୀ ତ ବୋଉ ସମ୍ବଲପୁରୀ, ବଡ଼ବୋହୂ ତାମିଲୀ ତ ମଝିଆଁ ବୋହୂ ବଙ୍ଗାଳୁଣୀ ଓ ସାନ ବୋହୂ ତେଲେଙ୍ଗାଣୀ। ଅସଲି ଘରଭାଷା ଆଉ ପରଭାଷାର ଏକ ମିଶ୍ରିତ ମଧୁଘୋଷ ଶୁଣିବାକୁ ମିଳୁଛି ବର୍ତ୍ତମାନ ଓଡ଼ିଆଘରର ପାରିବାରିକ ପରିବେଶ ବା ଉତ୍ସବ ଅନୁଷ୍ଠାନରେ। ଶାଶୂ ଯଦି କହୁଛନ୍ତି- “ନାଇଁ ମୁଁ ଆଜି ଖାଇବିନି; ବଡ଼ପୁଅର ଝିଅଟା କହୁଛି- “ଇଲ୍ଲୈ ନାନ୍ ସାପଡ଼ ମାଟେନ୍”; ମଝିଆଁ ପୁଅର ପୁଅଟା କହୁଛି- “ନା ଆଜ୍ ଆମି ଖାବୋନା”; ଆଉ ସାନପୁଅର ପୁଅଟା କହୁଛି- “ଲେଦୁ, ନେନୁ ତିନାନୁ”।
ଆଜିକାଲିର ବୃତ୍ତି ଆଉ ପ୍ରୀତିର ସ୍ଥାୟିତ୍ୱ ବୋଲି କିଛି ନାହିଁ, ସୀମାସରହଦ ବୋଲି କିଛି ନାହିଁ, ବନ୍ଧବାଡ଼ ବୋଲି ବି କିଛି ନାହିଁ; ଓଡ଼ିଆ ପୁଅଗୁଡ଼ାଙ୍କ ହାଣ୍ଡିରେ କେମିତି ବାର ନଈ ତେର ପାହାଡ଼ ସେପାରି କେରଳ, କର୍ଣ୍ଣାଟକର ଝିଅ ଚାଉଳ ପକେଇଥିଲେ ବା ଓଡ଼ିଆ ବରପତର ସାଙ୍ଗରେ କେମିତି ଆନ୍ଧ୍ର, ହିମାଚଳ ପ୍ରଦେଶର ଓସ୍ତପତର ଯୋଡ଼ା ହେଉଛି ଆଜିକାଲିର ନାହାକ ପଣ୍ଡିତଙ୍କ ଖଡ଼ିପାଠ କହିପାରୁନି। କୋଉ ଗାଆଁ କଣର ନଖି ସୋଇଁକୁ ପଚାରିଲା ବେଳକୁ ସେ କହୁଚି- “ମୋ ପୁଅ ଅଛି ବାଙ୍ଗାଲୁରରେ, ବୋହୂଟି ତାମିଲିଆଣୀ, ରାଡ଼ୁମାଡ଼ୁ କରି କ’ଣ କହୁଚି ଆମେ କିଛି ବୁଝିପାରୁନୁ, ନାତିଟା ବି ସେମିତି ରାଡ଼ୁମାଡ଼ୁଆ।” ମାଗୁଣି ବେହେରାକୁ ପଚାରିଲା ବେଳକୁ ସେ କହୁଚି- “ମୋ ପୁଅ ଅଛି ହାଇଦରାବାଦରେ, ସିଏ ବାହା ହେଇଚି ଗୋଟାଏ ପଞ୍ଜାବୀ ଝୁଅକୁ। ମୁଁ ଶୁଣିଥେଲି ସବୁ ପଞ୍ଜାବୀଙ୍କର ଦାଢ଼ି ଥାଏ, ମୋ ବୋହୂର କିନ୍ତୁ ଦାଢ଼ି ନାହିଁ ବା! ଭଲ ଗୁଣ୍ଠୁଣିହାତୀ ଭଳିଆ ମୋ ବୋହୂଟା। ହେଲେ କ’ଣ ହବ ତା’ କଥା ତ ଆମେ ବୁଝି ପାରୁନୁ। ଗାଆଁକୁ ଆଇଥେଲେ ଯେ ନାତିନାତୁଣୀ ଦି’ଟାଙ୍କ କଥା ବି ଆମେ ବୁଢ଼ାବୁଢ଼ୀ ଦିଇଟା ସମଝି ପାରିଲୁନି।”
ଓଡ଼ିଆ ଘରର ଝିଅଟି ଯଦି ଅନ୍ୟ ରାଜ୍ୟକୁ ବୋହୂ ହେଇ ଗଲା, ସେଠିକାର ଘରଭାଷା ବା ପରିବାର ଭାଷା ତା’ ପିଲା କହିଲେ ଆମର କିଛି ଯାଏ ଆସେ ନାହିଁ। କିନ୍ତୁ ଓଡ଼ିଆ ଘରକୁ ଅନ୍ୟ ରାଜ୍ୟରୁ ବୋହୂ ଆଣିଲେ ବି ସେ ତା’ ଚାକିରି ସ୍ଥାନରେ ରହିବ; ଏଣୁ ପୁଅର ପ୍ରଭାବରେ ଯଦି ସେ ଓଡ଼ିଆ କହିବ ତେବେ ତା’ ପିଲା ଅନ୍ତତଃ କିଛି ମାତ୍ରାରେ ଓଡ଼ିଆ କହିପାରିବେ ବା ବୁଝିପାରିବେ। ତା’ ବ୍ୟତୀତ ବୋହୂ ଯେହେତୁ ବାହାରେ ରହୁଛି ତା’ ବାପମା’ଙ୍କର ଯଦି ସେ ଗୋଟିଏ ବୋଲି ସନ୍ତାନ ହେଇଥାଏ ବା ତା’ ବାପମା’ ଝିଅ ସହ ସବୁଦିନେ ଫୋନ୍ରେ ହେଉ ମଧ୍ୟ କଥାବାର୍ତ୍ତା ହେଉଥାଆନ୍ତି; ପିଲା ଉପରେ ବି ତା’ର ପ୍ରଭାବ ପଡ଼ିବ; ସେ ଜେଜେ ଜେଜେମା’ଙ୍କଠାରୁ ଅଜାଆଈଙ୍କ ଭାଷାକୁ ଅଧିକ ଗ୍ରହଣ କରିବ।
ଗ୍ରହଣଶୀଳ ନା ଆହରଣଶୀଳ?
ଭାଷା ଦୃଷ୍ଟିରୁ ଆମ ଓଡ଼ିଆମାନେ ଗ୍ରହଣଶୀଳ ହେବା ସ୍ୱାଗତଯୋଗ୍ୟ କିନ୍ତୁ ଆହରଣଶୀଳ ହେବା ମାରାତ୍ମକ। କେହି ଦେଲେ ତାହା ଗ୍ରହଣ କରାଯାଏ ବା ଆବଶ୍ୟକ ପଡ଼ିଲେ ଆମେ ଅନ୍ୟଠୁ ଗ୍ରହଣ କରିପାରିବା। କିନ୍ତୁ ଆହରଣ କରିବା ଅର୍ଥ ରାତାରାତି ବଡ଼ ବୋଲାଇବାକୁୁ ଟାଣିଓଟାରି ଘୁଅନୁଣ୍ଡାକୁ ବି ଆଣି ଘରେ ପୂରେଇବା। ଏହା ଦ୍ୱାରା ଭାଷାର ମିଶ୍ରଣ ହେଉନାହିଁ, ଭାଷାର ଅପମିଶ୍ରଣ ହେଉଛି। ଯୋଉ ଝିଅମାନେ ଆଜି ପ୍ରାଇଭେଟ୍ ଓଡ଼ିଆ ଟି.ଭି. ଚ୍ୟାନେଲରେ କହିଲାବେଳେ ଆମ ଅବ୍ୟୟସବୁକୁ ବ୍ୟୟ କରି କଥାକଥାକେ ‘ଆଣ୍ଡ୍, ଫିର୍ ଭି, ବଟ୍, ବିକଜ୍, ସୋ, ଦେନ୍’ କହୁଛନ୍ତି, ଭବିଷ୍ୟତରେ ସେମାନଙ୍କ ସନ୍ତାନମାନେ ବି ନିଶ୍ଚୟ ଏଇ ‘ଅବ୍ୟୟଉଚ୍ଛାଳ ରୋଗ’ରେ ଆକ୍ରାନ୍ତ ହେବେ ଏବଂ ଏହା ଏକ ବଂଶଗତ ରୋଗର ରୂପ ନେବ। ଏମାନଙ୍କ ଦ୍ୱାରା ‘ଅପମିଶ୍ରିତ ମାତୃଭାଷା’ ଭାଷା ପ୍ରଦୂଷଣର କାରଣ ପାଲଟିବ। ଏମାନେ ପର ଭାଷାଘରୁ ଘୋଷାରି ଆଣୁଥିବା ଘୁଅନୁଣ୍ଡା ଆମ ଭାଷାଘରେ ପୂରେଇଲେ ଦୁର୍ଗନ୍ଧରେ ଆମ କାନ ଫାଟିବ ହିଁ ଫାଟିବ।
ଯୋଉ ଓଡ଼ିଆମାନେ ବୃତ୍ତିବାଧ୍ୟ ବିଦେଶ ଜୀବନ ବିତଉଛନ୍ତି, ସେମାନଙ୍କ ପିଲାମାନେ ‘ଯେ ଦେଶ ଯାଇ ସେ ଫଳ ଖାଇ’ ନ୍ୟାୟରେ ସେଠାକାର ସ୍କୁଲ୍ରେ ପଢ଼ିଲେ; ସେମାନଙ୍କ ଚାକିରି ଯଦି ଭାରତ ଭିତରେ ହେଇଥିବ ତେବେ ଇଂରାଜୀ ଓ ହିନ୍ଦୀ ପଢ଼ିଲେ, ଲେଖିଲେ। ଘରେ ଯଦି ବାପାମା’ ଓଡ଼ିଆରେ କଥା ନ ହେଉଥାନ୍ତି ତେବେ ପିଲାଏ ଓଡ଼ିଆରେ କଥା ହେବା ପ୍ରଶ୍ନ ହିଁ ଉଠୁନାହିଁ। ବାପାମା’ ଚାକିରିକି ଗଲେ ଘରେ ଯଦି ଆୟା ଦାୟିତ୍ୱରେ ପିଲାକୁ ଛାଡ଼ିଦେଇ ଯାଉଥିବେ ତେବେ ପିଲାର ଭାଷାମହାନଦୀକି ବଳଯୋଗାଇବାକୁ ଆୟା ବି ଭାଷାର ଏକ ଉପନଦୀ ଭଳି କାମ କରିବା ସ୍ୱାଭାବିକ। ଫ୍ରିଜ୍ରେ ଆମେ କେତେ ପ୍ରକାର ମିଠା, ଫଳ ଆଉ ପାନୀୟ ମହଜୁଦ୍ କରି ରଖିଥାଉ, ଅତିଥି ଆସିଲେ ତାଙ୍କ ପସନ୍ଦମୁତାବକ ଖାଦ୍ୟ/ପାନୀୟ ପରଷିଦେଉ; ଠିକ୍ ସେମିତି ପିଲା ତା’ ଭାଷା ଭଣ୍ଡାରରେ ଏକାଧିକ ଭାଷାର ଶବ୍ଦ ସମ୍ପତ୍ତି ସାଇତି ଚାଲିଥାଏ ଏବଂ ତା’ର ମନର ଭାବ ପ୍ରକାଶ କରିବାକୁ ଲୋକ ଦେଖି ତା’ ବିଚାରରେ ସେ ଶବ୍ଦ ପ୍ରୟୋଗ କରେ।
ମୌଳବାଦୀଙ୍କ ଭୂମିକା
ଦେଖାଯାଉଛି କିଛି ନୂଆ ଶବ୍ଦ ଆମ ଭାଷା ଭିତରକୁ ପଶି ଆସିଲେ କେତେକ ମୌଳବାଦୀ ଓଡ଼ିଆ ସେ ସବୁକୁ ହାସୁହାସୁ କରି ହୁରାଡ଼ୁଛନ୍ତି, ପାଞ୍ଚଣ ଉଞ୍ଚେଇ ତଡ଼ୁଛନ୍ତି। କେଞ୍ଚି କୁନ୍ଥେଇ କରି, ଚାପି ଚୁପୁଡ଼ି କରି ଓଡ଼ିଆ ଛାଞ୍ଚରେ ପକେଇ ସେ ସବୁଥିରୁ ଗୋଟାଏ ଗୋଟାଏ ବିକୃତ ବିକଟାଳ ଶବ୍ଦ ପ୍ରସବଉଛନ୍ତି; ଏଇ ଯେମିତି କମ୍ପ୍ୟୁଟରକୁ ‘ସାଂକ୍ଷଣିକ’, ଟାଇପ୍ କରିବାକୁ ‘ଟଙ୍କଣ କରିବା’, ନେଟ୍କୁ ‘ନଭଜାଲ’, ମୋବାଇଲ୍ ଫୋନ୍କୁ ‘ଚଳଦୂରବାଣୀ’ ଇତ୍ୟାଦି। ଆମ ମୌଳବାଦୀ ଖାଣ୍ଟିଓଡ଼ିଆ ବାବୁମାନେ ଯେତେ ବାଡ଼ଦେଇ, ବାଡ଼ି ପକେଇ ଜଗି ବସିଲେ ବି ଅନ୍ୟ ଭାଷାର ଶବ୍ଦସବୁ ବାଡ଼ଡେଇଁ ପଶିବେ, ବାଡଭାଙ୍ଗି ଅନୁପ୍ରବେଶ କରିବେ ହିଁ କରିବେ। ଯାହା ସଂକ୍ଷିପ୍ତ, ସହଜ ଉଚ୍ଚାରଣୀୟ ତାହା ହିଁ ଲୋକସମୁଦାୟରେ ସହଜ ଗ୍ରହଣୀୟ ହେବ। ବିଜ୍ଞାନାଗାରରେ ବ୍ୟବହୃତ ‘ଲିଭର୍ ଅଫ୍ ସଲ୍ଫର୍’କୁ ଯଦି ଆମେ ଖାଣ୍ଟି ଓଡ଼ିଆ କରି କହିବା “ଦହାତୁ ପ୍ରାଙ୍ଗାରୀୟ ଓ ଶୁଲ୍ୱାରିର ଏକତ୍ର ତାପଜନିତ ରକ୍ତ ପିଙ୍ଗଳ ଉତ୍ପନ୍ନ ଦ୍ରବ୍ୟ” ତେବେ ଏହା ସହଜରେ ମନେ ରହିବ ତ? ବର୍ତ୍ତମାନ ସରକାର ପ୍ରଯୁକ୍ତି ବିଜ୍ଞାନ, ଯନ୍ତ୍ର ବିଜ୍ଞାନ ଓ ଭେଷଜ ବିଜ୍ଞାନ ଆଦିକୁ ମାତୃଭାଷାରେ ଶିକ୍ଷା ଦେବାକୁ ଯୋଜନା କରୁଛନ୍ତି; ଯଦି ଏମିତି ମୌଳବାଦୀ ଓଡ଼ିଆ ପଣ୍ଡିତଙ୍କ ହାତରେ ଏହାର ପରିଭାଷା ପୁସ୍ତକ ପ୍ରସ୍ତୁତିର ଦାୟିତ୍ୱ ଦିଆଯାଏ ଏଇ ପଣ୍ଡିତମାନେ ଭାଷାଶାଳଗ୍ରାମକୁ ନଚେଇ ନଚେଇ ପ୍ରାଣନେବା ଥୟ। ଆମ ଭାଷାର ଭାଇଚାରାରେ ବସି ଯୋଉ ଶବ୍ଦସବୁ ମୁଣ୍ଡନୁଆଇଁ ଆମ ଓଡ଼ିଆତ୍ୱକୁ ଆଦରିନେବେ ସେ ପରି ଶବ୍ଦକୁ ଆମେ ଆମ ଭାଇଚାରାରେ ଗ୍ରହଣ କରିନେବା ହିଁ ବିଜ୍ଞତାର ପରିଚୟ। ଆମେ ଆଗରୁ ହାସ୍ପାତାଳ, ଲଣ୍ଠନ, ଗିଲାସ, ପେଏଣ୍ଟେ ଆଦି ଶବ୍ଦକୁ ଗ୍ରହଣ ଏମିିତି ଗ୍ରହଣ କରିସାରିଛେ।
ବର୍ତ୍ତମାନ ଆମ ପିଲାମାନଙ୍କର ମିଶ୍ରିତ ମାତୃଭାଷାରୁ ମିଳୁଥିବା ସଂକେତ ଓ ସୂଚନାରୁ ଏକଥା ସ୍ପଷ୍ଟ ଯେ ଆମ ମାତୃଭାଷା ଆମ ଭଳି ବୁଢ଼ାଗୁଡ଼ାଙ୍କ ଆକଟ ଆୟତ୍ତରେ ଆଉ ନାହିଁ। ଆମ ଭଳି ବୁଢ଼ା ଗରାଖ ପରିବା କିଣିବାକୁ ଗଲେ ବାଇଗଣଗୁଡ଼ାକର ରୀତିମତ ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି କରି ପସରାଟାଯାକର ବାଇଗଣକୁ ଚିପିଚିପି କଇଁଥା କଲାପରେ ଅଧକିଲେ ବାଇଗଣ କିଣିବେ କି ନାହିଁ ସନ୍ଦେହ। ବେଶି ବାଛି ହେଉଥିବା ଆମ ଭଳି ନିକୁଟା ବୁଢ଼ାଗୁଡ଼ାଙ୍କ ଦେହି ଶାଗ ସିଝିବନି ଜାଣି ଆମ ଭାଷାଦେବୀ ଏନ୍ତୁଡ଼ିର ଶାଳରୁ ଆଦରି ନେଲେଣି ଆମ ଆଗାମୀ ପିଢ଼ିକୁ, ଯେଉଁମାନେ କି ମିଶ୍ରିତ ମାତୃଭାଷାକୁ ନେଇ ନୂଆ ଦୁନିଆ ଗଢ଼ିବେ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ।)
ଭାଷାରେ ଅନୁପ୍ରବେଶ । ବାଡଭାଙ୍ଗି ଅନୁପ୍ରବେଶ କରିବେ ହିଁ କରିବେ । ‘ଆଧୁନିକ ଓଡ଼ିଆଙ୍କ ମିଶ୍ରିତ ମାତୃଭାଷା’ ଲେଖାଟି ବହୁତ ସୁନ୍ଦର ହୋଇଛି ।
Change is a natural process and all languages and literature have to accept this. There’s no compulsion, but there is no option either. There has to be a shift from fundamentalist attitude. Our language will flourish if it accommodates what is inevitable. Nice analysis…