ମୁଁ ନୀତିଗତ ଭାବରେ ପୁରସ୍କାର ଗ୍ରହଣ କରିବାର ସପକ୍ଷବାଦୀ ନୁହେଁ। ଅବଶ୍ୟ ଭୁଲଟିଏ କରିଦେଇଥିଲି।
ବରିଷ୍ଠ ସାହିତ୍ୟିକ କମଳାକାନ୍ତ ମହାପାତ୍ରଙ୍କ ବୟସ ଏବେ ୭୨ ବର୍ଷ। ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି, ଶ୍ରୀ ମହାପାତ୍ର ପରବର୍ତ୍ତୀ ସମୟରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିଲେ, ଏବଂ ୨୦୧୩ ମସିହାରେ ଆୟକର ବିଭାଗର ପ୍ରିନ୍ସିପାଲ୍ ଚିଫ୍ କମିଶନର ପଦବୀରୁ ଅବସର ନେଇ ଏବେ ସେ କଲିକତାରେ ଅବସ୍ଥାନ କରୁଛନ୍ତି। ଓଡ଼ିଆ ଭାଷାର ଅନେକ କାଳଜୟୀ କୃତିକୁ ଇଂରାଜୀରେ ଅନୁବାଦ କରି ତାହାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଛି। ଏହା ବ୍ୟତୀତ ତାଙ୍କ ମୌଳିକ ସାହିତ୍ୟ ଯଥା, ଗଳ୍ପ, ଉପନ୍ୟାସ ଓ ଜୀବନୀ ଆଦି ମଧ୍ୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସାରସ୍ୱତ ଜୀବନର ଦୁଇଟି ଦିଗ ବିଷୟରେ ସମସ୍ତେ ଅବହିତ, ମୌଳିକ ସର୍ଜନା ଓ ଅନୁବାଦ। ଏ ଦୁଇଟି ମଧ୍ୟରୁ କେଉଁଟି ଆପଣଙ୍କୁ ଅଧିକ ବିଭୋର କରିଦିଏ?
କମଳାକାନ୍ତ ମହାପାତ୍ର: ଉଭୟ। ମୁଁ କେଉଁ ଗୋଟିକୁ ବାଦ ଦେଇ ଯେ ଅନ୍ୟଟି ପ୍ରତି ବିଶେଷ ଧ୍ୟାନ ଦେଇଛି, ତା’ ନୁହେଁ। ଉଭୟରେ ସର୍ଜନଶୀଳତା ଅଛି, ତେବେ ନିଜର ମୌଳିକ ରଚନା ପାଇଁ ବେଳେବେଳେ ମୋତେ ଅସନ୍ତୁଷ୍ଟ ଲାଗେ।
ସାହିତ୍ୟ ଚର୍ଚ୍ଚା: ତା’ର ଅର୍ଥ, ଲେଖିବା ବେଳେ ଆପଣ ସହଜରେ ସନ୍ତୁଷ୍ଟ ହୁଅନ୍ତି ନାହିଁ।
କମଳାକାନ୍ତ ମହାପାତ୍ର: ସବୁ ସରିଲା ପରେ ବି ମୁଁ ଅସନ୍ତୁଷ୍ଟ। କେବଳ ପରିମାଣ ନୁହେଁ, ଉତ୍କର୍ଷ ନେଇ ଅସନ୍ତୁଷ୍ଟ। ମୌଳିକ ସାହିତ୍ୟରେ ଯେମିତି, ଅନୁବାଦରେ ବି ସେମିତି। ଉଦାହରଣ: ମାର୍କେଜଙ୍କ ‘କ୍ରନିକ୍ଲି ଅଫ୍ ଏ ଡେଥ୍ ଫୋର୍ଟୋଲ୍ଡ’ର ଅନୁବାଦ ତିନି ଥର ଶେଷ ଯାଏ କରି ଚିରିଥିଲି; କାଫକାଙ୍କ ‘ମେଟାମର୍ଫୋସିସ୍’ ଅନୁବାଦ କରିବା ବେଳେ ଛଅ ଥର ଚିଠା ଚିରିଥିଲି। ତଥାପି ମନେହୁଏ ଯେମିତି ନିଖୁଣତା ଆଣିବାକୁ ଏବେ ବି ଆହୁରି କିଛି ବାକି ରହିଗଲା; ଏ ପ୍ରକାର ଅସନ୍ତୋଷ ମୋ ସାରା ଜୀବନ ଲାଗିରହିଛି ଏବଂ ଲାଗିରହିବ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ।
ସାହିତ୍ୟ ଚର୍ଚ୍ଚା: ଆପଣ ଟିକିଏ ଆଗରୁ କହିଲେ ଯେ ଅନୁବାଦ ସାହିତ୍ୟରେ ମଧ୍ୟ ସର୍ଜନଶୀଳତା ଥାଏ। ତେବେ ଏହି ସର୍ଜନଶୀଳତା ନାମରେ ଆଜିକାଲି ଅନୁବାଦ ତୁଳନାରେ ଅଧିକ ମର୍ମାନୁବାଦ ବା ଟ୍ରାନ୍ସକ୍ରିଏସନ୍ ହିଁ ହେଉଥିବା ଦେଖାଯାଉଛି। ଏ ବିଷୟରେ ଆପଣଙ୍କ ମତ କ’ଣ?
କମଳାକାନ୍ତ ମହାପାତ୍ର: ମୁଁ ଟ୍ରାନ୍ସକ୍ରିଏସନ୍ରେ ବିଶ୍ୱାସ କରେନାହିଁ ଏଇଥିପାଇଁ ଯେ କୌଣସି ଲେଖାର ଅଯଥା ବ୍ୟାଖ୍ୟା ବା ‘ଇଣ୍ଟରପ୍ରିଟ୍’ କରିବାର ଅଧିକାର ମୋ’ର ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ଏକମତ ଯେ ଅନୁବାଦ ଓ ମର୍ମାନୁବାଦ – ଏ ଦୁଇଟି ଭିତରୁ ଅନୁବାଦଟି ହେଉଛି ଅଧିକ କଷ୍ଟସାଧ୍ୟ?
କମଳାକାନ୍ତ ମହାପାତ୍ର: ନିଶ୍ଚିତ ଭାବରେ। ଅନୁବାଦ କ୍ରିୟାରେ ମୂଳ ଲେଖାଟି ପ୍ରତି ବିଶ୍ୱସ୍ତତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ସେଇ ବିଶ୍ୱସ୍ତତା ନ ଥାଏ, ଯେମିତି କି ମର୍ମାନୁବାଦରେ ହୁଏ, ତାହା ହେଲେ ମୋ ପାଇଁ ସେହି ବହିର ମୌଳିକ ଆବେଦନ ସନ୍ଦେହଜନକ।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା; ଆପଣଙ୍କର କୌଣସି ଓଡ଼ିଆରୁ ଇଂରାଜୀ ଅନୁବାଦରେ ଆପଣଙ୍କୁ ଏକା ଦେଖିବାକୁ ମିଳେନାହିଁ। ସଦାବେଳେ ଥାଆନ୍ତି ତିନିଜଣ: ଆପଣ, ଆପଣଙ୍କ ଧର୍ମପତ୍ନୀ ଲୀଳାବତୀ ମହାପାତ୍ର ଓ କାନାଡା ଦେଶର ସାହିତ୍ୟିକ ପଲ୍ ସେଣ୍ଟ-ପିୟର। ତିନିଜଣଙ୍କ ନାଁ, ଆପଣଙ୍କର ସମସ୍ତ ପ୍ରକାଶିତ ବହିରେ ସଂଯୁକ୍ତ ଅନୁବାଦକ ରୂପେ ଲେଖା ହୋଇଥାଏ। ଏ ତିନିଜଣିଆ ସଂଯୁକ୍ତ ଅନୁବାଦର କାର୍ଯ୍ୟଟି ଆପଣ କେମିତି ତୁଲାନ୍ତି? ବା ଏହାର ‘ମୋଡସ୍ ଅପରେଣ୍ଡି’ କଅଣ?
କମଳାକାନ୍ତ ମହାପାତ୍ର: ‘ମୋଡସ୍ ଅପରେଣ୍ଡି’ ବା ଗତିବିଧି ଭାରି ସରଳ। ଅନେକେ ଏହି ପ୍ରଶ୍ନ ସିଧାସଳଖ ମୋତେ ନ ପଚାରି ମଧ୍ୟ ଭାବନ୍ତି ଯେ ମୋ’ ଅନୁବାଦରେ କାଳେ ଅନ୍ୟ ଦୁଇଜଣ ବିଶେଷ କିଛି କାମ କରନ୍ତି ନାହିଁ। ଏଇଟା ସମ୍ପୂର୍ଣ୍ଣ ଅମୂଳକ। ମୁଁ ଆପଣଙ୍କୁ କଥାଏ କହିରଖେଁ: ଆମେ ଗୋଟିଏ ଦଳ ଭାବରେ ଅନୁବାଦ କ୍ରିୟା ସମ୍ପାଦିଥାଉ।
ସାହିତ୍ୟ ଚର୍ଚ୍ଚା: କେମିତି କରନ୍ତି, ସେ ବିଷୟରେ କୁହନ୍ତୁ।
କମଳାକାନ୍ତ ମହାପାତ୍ର: ଯେହେତୁ ଆମ ତିନିଜଣଙ୍କ ଭିତରୁ ଓଡ଼ିଆ ଭାଷା ସହିତ ମୋ’ର ବେଶି ପରିଚୟ, ଅନୁବାଦର ପ୍ରଥମ ଚିଠା ବା ଡ୍ରାଫ୍ଟ ମୁଁ କରେ। ମୁଁ ଯେଉଁଟି କରେ, ତାହା ହେଉଛି ଏକଦମ୍ ଆକ୍ଷରିକ ଡ୍ରାଫ୍ଟ। ମନେକରନ୍ତୁ ବାକ୍ୟଟି ଏହି ପରି: “ଆଜି ସନ୍ଧ୍ୟାରେ ହୁଏତ ରାମକୁ ମୁଁ ଦେଖା କରି ନ ପାରେ।” ମୁଁ ପ୍ରଥମେ ଏହାର ଆକ୍ଷରିକ ଅନୁବାଦଟି ଲେଖେ, ଯେମିତି, ଆଜି ସନ୍ଧ୍ୟାରେ : ଦିସ୍ ଇଭିନିଂ, ହୁଏତ : ପରହାପ୍ସ, ରାମକୁ : ଟୁ ରାମ୍, ମୁଁ : ଆଇ, ଦେଖା : ମିଟ୍, କରି ନପାରେ : ମାଇଟ ନଟ୍ । ଅର୍ଥାତ୍ ଏକ ଶାବ୍ଦିକ ବା ମାଙ୍କଡ଼ିଆ ଅନୁବାଦ। ବ୍ୟାକରଣ ସହ ଏହାର ସମ୍ପର୍କ ନ ଥାଏ। ଏତକ କଲାବେଳେ ମତେ ଯେଉଁ ଆନନ୍ଦ ମିଳୁଥିବ ସେକଥା ସହଜରେ ଅନୁମାନ କରିହେବ। କିନ୍ତୁ ଏହାକୁ ଆଧାର କରି ମତେ ଅନ୍ୟୂନ ତିନିଥର ଚିଠା କରିବାକୁ ହୋଇଥାଏ।
ସାହିତ୍ୟ ଚର୍ଚ୍ଚା: ଏହାପରେ ଆପଣଙ୍କ ଦଳର ଅନ୍ୟ ଦୁଇଜଣଙ୍କର ଭୂମିକା କ’ଣ ଥାଏ?
କମଳାକାନ୍ତ ମହାପାତ୍ର: ଏହା ପରେ ଡ୍ରାଫ୍ଟଟିକୁ ମୋ ପତ୍ନୀ ବେକରେ ଝୁଲେଇ ଦେଇ ବୁଲେ।
ସାହିତ୍ୟ ଚର୍ଚ୍ଚା: ଆମେ ଯାହା ଜାଣୁ, ସେ ମଧ୍ୟ ଆପଣଙ୍କ ଭଳି ଆୟକର ବିଭାଗରେ ହିଁ କାର୍ଯ୍ୟରତ ଥିଲେ ଏବଂ ତାଙ୍କର ମାତୃଭାଷା ବଙ୍ଗଳା। ସେ କ’ଣ ଓଡ଼ିଆ ମଧ୍ୟ ଜାଣନ୍ତି?
କମଳାକାନ୍ତ ମହାପାତ୍ର: ଭଲ ଭାବେ ଜାଣେ; ଏମିତିକି ବଜାରି ଶବ୍ଦ ବି। ମୁଁ ଡରେ ଯେ, କାଳେ ଯେଉଁଠି ମନ ସେଠି ତା’ ପାଟିରୁ ଏ ସଂସ୍କୃତ ବାହାରିପଡ଼ିବ!
ସାହିତ୍ୟ ଚର୍ଚ୍ଚା: ପଢ଼ିବା ଓ ଲେଖିବା, ଉଭୟ ଜାଣନ୍ତି?
କମଳାକାନ୍ତ ମହାପାତ୍ର: ନା, ମୋ ସାଙ୍ଗରେ ରହି ରହି କେବଳ ଓଡ଼ିଆ ବୁଝିବା ଓ କହିବାରେ ସେ ସୁଦକ୍ଷ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅନୁବାଦର କଞ୍ଚା ଚିଠା ପାଇବା ପରେ ସେ ସେଥିରେ କ’ଣ କରନ୍ତି?
କମଳାକାନ୍ତ ମହାପାତ୍ର: ଯାବତୀୟ ଗୁଡ଼ିଏ ପ୍ରଶ୍ନ ପଚାରେ। ଅନେକ ଓଡ଼ିଆ ଶବ୍ଦ ପାଇଁ ଇଂରାଜୀରେ ତ ଅନେକ ପ୍ରତିଶବ୍ଦ ଅଛି। ସେଥିମଧ୍ୟରୁ କେଉଁଟି ଅଧିକ ଉପଯୁକ୍ତ ହେବ, ସେହି ବିଷୟରେ ଆଲୋଚନା କରେ; ଅନୁବାଦର ‘ସିଣ୍ଟାକ୍ସ’ ଓ ‘ଟୋନ୍’କୁ ପରଖେ; ତା’ପରେ, ସେ ସେହି ଡ୍ରାଫ୍ଟକୁ ଅନ୍ତତଃ ତିନିଥର ଅଦଳବଦଳ କରିି ଦେଖେ। ସକାଳେ ଦେଇଥିବା କମା ଚିହ୍ନକୁ ଉଡ଼ାଇ ସେମିକୋଲନ୍ଟିଏ ବସେଇ ଉତ୍ଫୁଲ୍ଲ ହୁଏ; ତା’ ସହିତ ମୁଁ ବି। ଏ ବିଷୟରେ ଆମ ଭିତରେ ବହୁତ ସମନ୍ୱୟ ଅଛି। ବେଳେବେଳେ ଅମେଳ ନ ତୁଟିଲେ ବନ୍ଧନୀ ଭିତରେ ତା’ ବାକ୍ୟ ଓ ମୋ ବାକ୍ୟ ଉଭୟ ଦର୍ଶାଇବାକୁ ହୋଇଥାଏ।
ସାହିତ୍ୟ ଚର୍ଚ୍ଚା: ତା’ପରେ ଏଇଟି ପଲ୍ ସେଣ୍ଟ-ପିୟରଙ୍କ ପାଖକୁ ଯାଏ?
କମଳାକାନ୍ତ ମହାପାତ୍ର: ହଁ, କାନାଡାରେ ରହୁଥିବା ପଲ୍ ସେଣ୍ଟ-ପିୟର ପାଖକୁ ଆମେ ଏହା ଇ-ମେଲ୍ ଯୋଗେ ପଠାଇଦେଉ। ପଲ୍ କିନ୍ତୁ ଆମର ସବୁତକ ପୁରୁଣା ଡ୍ରାଫ୍ଟ ମଧ୍ୟ ମାଗେ; ଅର୍ଥାତ୍ ପ୍ରଥମେ ମୁଁ କରିଥିବା ଶବ୍ଦରୁ-ଶବ୍ଦ ଅନୁବାଦଟି ବି। ତା’ପରେ ସେ ଅନେକ ପ୍ରଶ୍ନ ଉଠାଏ, ଏକାଧିକ ପ୍ରସ୍ତାବ ଦିଏ, ତାକୁ ଚୂଡ଼ାନ୍ତ ରୂପ ଦିଏ। ତିନିଜଣ ଯାକ ରାଜି ନ ହେବା ଯାଏ ବଲ୍ ଏପାଖରୁ ସେପାଖ ଯାଉଥାଏ, ଆସୁଥାଏ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ବିଶ୍ୱସ୍ତରୀୟ ଅନୁବାଦର ରହସ୍ୟ ହେଉଛି ଏଇଆ!?
କମଳାକାନ୍ତ ମହାପାତ୍ର: ଅନୁବାଦ ବିଶ୍ୱସ୍ତରୀୟ କି ନୁହେଁ, ସେକଥା କହି ପାରିବି ନାହିଁ। ହେଲେ ରହସ୍ୟଟି ହେଲା ଆମ ଅନୁବାଦ ପ୍ରକ୍ରିୟା ଭାରି କଷ୍ଟଦାୟକ, ଶ୍ରମସାଧ୍ୟ। ଏସବୁ କଥା ନ ଜାଣି କିଛି ଲୋକ କହନ୍ତି ଯେ ପଲ୍ ହେଉଛି ଆମ ବହିର ଜଣେ ‘କପି-ଏଡିଟର୍’ ମାତ୍ର। ନା, ମୋଟେ ନୁହେଁ। ସେ ଆମର ସମସ୍ତ ବହିର ସକ୍ରିୟ, ସମର୍ଥ, ନିବିଷ୍ଟ ଓ ନିଷ୍ଠାପର ସହ-ଅନୁବାଦକ।
ସାହିତ୍ୟ ଚର୍ଚ୍ଚା: ଆମେ ଜାଣୁ, ଅନେକ ବର୍ଷ ତଳେ ପଲ୍ଙ୍କ ସହିତ ଆପଣଙ୍କ ପରିଚୟ ହୋଇଥିଲା ସ୍ୱର୍ଗତ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ଜରିଆରେ।
କମଳାକାନ୍ତ ମହାପାତ୍ର: ପରିଚୟ ହୋଇଥିଲା ଆମ ବନ୍ଧୁ ପ୍ରଫେସର ଯତୀନ ନାୟକଙ୍କ ଜରିଆରେ, ୧୯୯୮ ମସିହାରୁ। ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ଘରେ ଆମର ଅନେକ ବସାଉଠା ହେଉଥିଲା।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ସହିତ ତାଙ୍କର ସମ୍ପୃକ୍ତି ଏତେ ଅଧିକ ଯେ ତା’ଙ୍କ ବିନା ଆପଣ ଇଂରାଜୀକୁ ଗୋଟିଏ ବି ବହି ଅନୁବାଦ କରିନାହାନ୍ତି।
କମଳାକାନ୍ତ ମହାପାତ୍ର: ଏକୁଟିଆ ଯାହା ଅନୁବାଦ କରିଛି ସେସବୁ ବିଲେଇଗୁହ କହିଲେ ଚଳିବ। ୧୯୯୮ ପରେ ପଲ୍କୁ ଛାଡ଼ି ଲୀଳା ଓ ମୁଁ କିଛି ଅନୁବାଦ କରିନାହୁଁ ଏବଂ କରିବୁ ନାହିଁ। ଏବେ ପଲ୍’ର ବୟସ ୭୬ ବର୍ଷ; ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ। ସେ ଯଦି ବର୍ତ୍ତମାନ କାମ କରିବାକୁ ମନା କରିଦିଅନ୍ତି, ତେବେ ଆମେ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିବା କାର୍ଯ୍ୟଟି ପୂରା ବନ୍ଦ କରିଦେବୁ। ରସାବଳୀ ପରେ ବେସନ ଲଡ଼ୁ ଆଉ କି ପୋଷାଏ?
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା; ଆମ ଅନୁବାଦ ସାହିତ୍ୟଟା ହେଲା ଏକପାଖିଆ, ଅର୍ଥାତ୍ ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦର ସଂଖ୍ୟା ପ୍ରଚୁର; ଅଥଚ ଓଡ଼ିଆରୁ ଅନ୍ୟଭାଷାକୁ ଅନୁବାଦ କ୍ୱଚିତ ହୁଏ। ଆପଣ ଏହି ଅଭାବଟିକୁ ଅବଶ୍ୟ କିଛିମାତ୍ରାରେ ପୂରଣ କରିପାରିଛନ୍ତି। ତଥାପି ଏହା ସମୁଦ୍ରକୁ ଶଙ୍ଖେ ପାଣି, ନୁହେଁ କି?
କମଳାକାନ୍ତ ମହାପାତ୍ର: ଶଙ୍ଖେ କଥା ଛାଡ଼ନ୍ତୁ, ନଖେ ବି ନୁହେଁ! ମୋ ଧାରଣା, ଆମର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ଯେତେକ ଅଧ୍ୟାପକ ଅଛନ୍ତି, ସମସ୍ତେ ଯଦି ସାରା ଜୀବନ ମାତି ଅନ୍ତତଃ ଗୋଟିଏ ଲେଖାଏଁ ବହି, କିମ୍ବା ଦୁଇ ଚାରୋଟି କରି ଗଳ୍ପର ଦକ୍ଷ, ଦୃଢ଼ ଇଂରାଜୀ ଅନୁବାଦ କରି ଦିଅନ୍ତେ ତେବେ ଆମ ଅନୁବାଦ ସାହିତ୍ୟର ଏ ପ୍ରକାର ଦୈନ୍ୟ ଦୂର ହୋଇଯାଆନ୍ତା।
ସାହିତ୍ୟ ଚର୍ଚ୍ଚା: ‘ଗ୍ରେଟେଷ୍ଟ ଓଡ଼ିଆ ଷ୍ଟୋରିଜ୍ ଏଭର୍ ଟୋଲ୍ଡ’ ଆପଣଙ୍କର ଏକ ମୂଲ୍ୟବାନ ଅବଦାନ। ଓଡ଼ିଆ ଭାଷାର କିଛି ପ୍ରତିନିଧି ଶ୍ରେଣୀୟ ଗଳ୍ପ ଏଥିରେ ସ୍ଥାନ ପାଇଛି। ଏହି ଗଳ୍ପଗୁଡ଼ିକର ଚୟନର ଆଧାର କ’ଣ ଥିଲା?
କମଳାକାନ୍ତ ମହାପାତ୍ର: ୧୯୯୮ରେ ‘ଦ ହାର୍ପରକଲିନ୍ସ ବୁକ୍ ଅଫ୍ ଓରିୟା ଶର୍ଟ ଷ୍ଟୋରିଜ’ ଓ ୨୦୦୩ରେ ‘ଆଣ୍ଟସ୍, ଘୋଷ୍ଟସ୍ ଆଣ୍ଡ ହ୍ୱିସ୍ପରିଂ ଟ୍ରିଜ: ଆନ ଆନ୍ଥୋଲୋଜି ଅଫ୍ ଓରିୟା ଷ୍ଟୋରିଜ’ ମଧ୍ୟ ଆଉ ଦୁଇଟି ପ୍ରତିନିଧି ଶ୍ରେଣୀୟ ଗଳ୍ପ ସଂକଳନ ପ୍ରକାଶିତ। ଗଳ୍ପଗୁଡିକ ଚୟନ କରିବା ପାଇଁ ସୁନିର୍ଦ୍ଦିଷ୍ଟ ଆଧାର ପ୍ରକାଶକ ଆମକୁ ଦେଇଥିଲେ। ଆମେ ତାହାର ଅନୁସରଣ କରିଥିଲୁ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଜୀବନୀ-ସାହିତ୍ୟକୁ ମଧ୍ୟ ଆପଣଙ୍କ ଅବଦାନ ମୂଲ୍ୟବାନ। ‘ଜନମରୁ ମରଣ’, ‘ବୋଉ ହଜିଲା ଓ ମିଳିଲା’ ଓ ‘ନିଖୋଜ: ବାପାଙ୍କ ଶେଷ ଶୀତ’ ଏ କ୍ଷେତ୍ରରେ ଆପଣଙ୍କର ତିନୋଟି ଅନୁପମ କୃତି।
କମଳାକାନ୍ତ ମହାପାତ୍ର: ଏଇଟା ଆପଣଙ୍କର ମତ। ଏ ବିଷୟରେ ମୁଁ କିଛି କହିବି ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଆତ୍ମଜୀବନୀ ‘ଜନମରୁ ମରଣ’ର ନାମରେ ଥିବା ଏ ‘ମରଣ’ ଶବ୍ଦର ପ୍ରସଙ୍ଗଟିକୁ ଆମେ ଟିକିଏ ଆସିବା। ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ଆଧାର କରି ଆପଣ ସେତେବେଳେ କେମିତି ଧରି ନେଇଥିଲେ ଯେ ଆପଣଙ୍କୁ ୬୭ ବର୍ଷ ପୂରିବା ବେଳକୁ ଆପଣଙ୍କର ମରଣ ହୋଇଯିବ? ଏବଂ ସେଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ତରବରିଆ ଭାବରେ ସାରିଦେଲେ ନିଜର ଆତ୍ମଜୀବନୀ!
କମଳାକାନ୍ତ ମହାପାତ୍ର: (ହସି) ଏହା ଦେଖି କେତେଜଣ କହିଲେ ଯେ ନିଜର ଭବିଷ୍ୟତ ନେଇ ମୁଁ ବୋଧହୁଏ ବେଶି ଆତଙ୍କିତ। ସେମିତି କିଛି କଥା ନାହିଁ। ଗୋଡ଼ ଭାଙ୍ଗି ଦୁଇ ମାସ କାଳ କତରାଲଗା ହୋଇ ନ ଥିଲେ, ‘ଜନମରୁ ମରଣ’ ଲେଖା ହୋଇ ନ ଥାନ୍ତା। ଯେମିତି ତା’ର କିଛି ବର୍ଷ ପରେ ଦ୍ୱିତୀୟ ଗୋଡ଼ ଭାଙ୍ଗି ନ ଥିଲେ ‘ବୋଉ ହଜିଲା ଓ ମିଳିଲା’ ଲେଖା ହୋଇ ନ ଥାନ୍ତା। ଭାଙ୍ଗିବା ପାଇଁ ଆଠଦଶଟା ଗୋଡ଼ ଥାଆନ୍ତା କି!
ସାହିତ୍ୟ ଚର୍ଚ୍ଚା: ୬୭ କ’ଣ, ଏବେ ଆପଣଙ୍କୁ ୭୨ ବର୍ଷ ହେଲାଣି। ଏଥର ତେବେ ଲେଖାଯାଉ ଆପଣଙ୍କ ପରବର୍ତ୍ତୀ ଆତ୍ମଜୀବନୀ ‘ମରଣରୁ ମରଣୋତ୍ତର’।
କମଳାକାନ୍ତ ମହାପାତ୍ର: (ପ୍ରବଳ ହସି) ମୁଁ ଏ ବିଷୟରେ କ’ଣ ବା କହିପାରିବି! ଦେଖିବା, ଯଦି ଭୂତ ହୋଇ ଲେଖାଲେଖି ସମ୍ଭବ ହୁଏ। ମୁଁ ତ ଗୋଟିଏ କଥା ଜାଣିଛି ଯେ ମୁଁ ହେଲି ପରମ ଅଳସୁଆ ଲୋକ, ଦୀର୍ଘସୂତ୍ରୀ; ରାତିରେ ସଅଳ ଶୁଏ, ସକାଳେ ଡେରିରେ ଉଠେ – ମୋର ଏଇସବୁ ଲକ୍ଷଣ ଦେଖି ଭାବିଲି ମୋର ଅବସର ଉପରାନ୍ତେ ମୁକ୍ତ ହୋଇଯିବା ପରେ ମୁଁ କିଛି ଗୋଟିଏ ହୋଇଯିବି, ଯେମିତି, ବାନା କି ବାୟା କି ବାଳୁଙ୍ଗା। କିନ୍ତୁ ମୋ ପତ୍ନୀଙ୍କ ସୁପ୍ରଭାବରେ ଅପଦାର୍ଥ ପାଲଟିବାରୁ ରକ୍ଷା ପାଇଗଲି।
ସାହିତ୍ୟ ଚର୍ଚ୍ଚା: ଏବେ ଟିକିଏ ଆସିବା ଆଉ ଗୋଟିଏ ପ୍ରସଙ୍ଗକୁ। ସାହିତ୍ୟ ପୁରସ୍କାରମାନଙ୍କଠାରୁ ଆପଣ ନିଜକୁ ଦୂରେଇ ରଖିଛନ୍ତି, ନା ପୁରସ୍କାର ଆପଣଙ୍କୁ ଦୂରେଇ ଦେଇଛି?
କମଳାକାନ୍ତ ମହାପାତ୍ର: ମୁଁ ନୀତିଗତ ଭାବରେ ପୁରସ୍କାର ଗ୍ରହଣ କରିବାର ସପକ୍ଷବାଦୀ ନୁହେଁ। ଅବଶ୍ୟ ଭୁଲଟିଏ କରିଦେଇଥିଲି, ପ୍ରଥମ ‘ଅକ୍ଷୟ ମହାନ୍ତି ପୁରସ୍କାର’ ଗ୍ରହଣ କରି। ଏଇଟା ଏତେ ଆକସ୍ମିକ ଭାବରେ ଘଟିଲା ଯେ ମୁଁ ସ୍ଥିର ମନରେ ବିଚାର କରିବାକୁ ସମୟ ପାଇଲି ନାହିଁ। ନେଡି ଗୁଡ଼ କହୁଣୀରେ ହେଲା ବେଳକୁ ପରିତାପ କଲି।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ, ଥରେ ଆପଣ ‘ଉତ୍କଳ ସାହିତ୍ୟ ସମାଜ’ର ଏକ ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ବି ତାହା ନେବାକୁ ଆସିଲେ ନାହିଁ।
କମଳାକାନ୍ତ ମହାପାତ୍ର: ସମ୍ମାନଜନକ କି ନୁହେଁ ଜାଣେନା। ମୁଁ ଚାହିଁଲି ଯେ ସେମାନେ ଏହି ଘୋଷଣାକୁ ବାତିଲ୍ କରିଦିଅନ୍ତୁ। କିନ୍ତୁ ସେମାନେ ଏହା କଲେ ନାହିଁ, କି ମୁଁ ତାହା ଗ୍ରହଣ କଲିନାହିଁ।
ସାହିତ୍ୟ ଚର୍ଚ୍ଚା: ବର୍ତ୍ତମାନ ତ ଓଡ଼ିଆ ସାହିତ୍ୟର ପୁରସ୍କାରମାନଙ୍କୁ ନେଇ ଅନେକ ସନ୍ଦେହ ଓ ଚର୍ଚ୍ଚା। ଏ ବିଷୟରେ ଆପଣ କ’ଣ ମତ ରଖନ୍ତି?
କମଳାକାନ୍ତ ମହାପାତ୍ର: ପୁରସ୍କାର ଦିଆନିଆ ବିଷୟରେ ସର୍ବସାଧାରଣରେ ଯେଉଁ ସନ୍ଦେହ ଖୋଲାଖୋଲି ଭାବରେ ଆଲୋଚିତ, ସେସବୁ ଶୁଣିଲେ କାନରେ ହାତ ଦେବାକୁ ହୁଏ? ମୁଁ ତ କହିବି ଯେ ଯାହା ଚାଲିଛି ତାହା ଏକ ସ୍କାଣ୍ଡାଲ୍। ସେଇଥିପାଇଁ ତ ମୁଁ ଠିକ୍ କରିଛି ଯେ ଏଭଳି କୌଣସି ପୁରସ୍କାର ଆସିଲେ, ତାକୁ ପ୍ରତ୍ୟାଖ୍ୟାନ କରିବି। ଅନ୍ତତଃ, ଏହି ଧରଣର କୌଣସି ପୁରସ୍କାର ସହିତ ଯୋଡ଼ି ହୋଇ ମୁଁ ନିଜର ନାମକୁ କଳଙ୍କିତ କରିବାକୁ ଚାହୁଁନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଅନ୍ତରଙ୍ଗ ଆଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ବିଶିଷ୍ଟ ସାହିତ୍ୟିକ କମଳାକାନ୍ତ ମହାପାତ୍ରଙ୍କ ବିଷୟରେ ଅନେକ କଥା ଜାଣିବାକୁ ମିଳିଲା।
ଏହି ସାକ୍ଷାତକାର ନିଚ୍ଛକ ସତକଥା ସାମନାକୁ ଆଣିଛି।
I don’t agree with most of his opinions on editing, translation, transcreation and retelling. But interesting read. Wishing him a fracture-free time ahead!
ବହୁତ ଚମତ୍କାର ଉପସ୍ଥାପନା। ମୁଁ ଭାବୁଛି କେବଳ ନିହାର ବାବୁ ହିଁ ଏଭଳି ସାକ୍ଷାତକାର ନେଇପାରନ୍ତି, ଏଭଳି ସାକ୍ଷାତକାର, ବା ଅନ୍ୟଭାବେ କହିଲେ ମନଖୋଲା ଓ ହୃଦୟ ଖୋଲା ସାକ୍ଷାତକାର ନେବା କେବଳ ନିହାର ବାବୁଙ୍କ ଦ୍ୱାରା ସମ୍ଭବ। ହୁଏତ ଆଉ କେହି ଏହି ସାକ୍ଷାତକାର ନେଇଥିଲେ କମଳାକାନ୍ତ ମହାପାତ୍ର ଏଭଳି କହି ନଥାନ୍ତେ ।
ସେ ଯାହା ହେଉ ଓଡ଼ିଶାରୁ ଦୂରରେ ରହି ଓଡ଼ିଶା ଓ ଓଡ଼ିଆକୁ ଭଲ ପାଉଥିବା ଜଣେ ଓଡ଼ିଆଙ୍କ ବିଷୟରେ, ତାହା ପୁଣି ଓଡ଼ିଆ ଓ ଅନ୍ୟ ଭାଷାରେ ଲେଖକଙ୍କ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳିଲା, କେବଳ ସାହିତ୍ୟ ଚର୍ଚ୍ଚା ମାଧ୍ୟମରେ।
ସେଥିପାଇଁ ନିହାରବାବୁଙ୍କ ସମେତ ‘ସାହିତ୍ୟ ଚର୍ଚ୍ଚା’ର ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା।
ଭଲ ହେଇଛି କମଳାକାନ୍ତ ମହାପାତ୍ରଙ୍କ ଭଳି କିଛି ବିଶୁଦ୍ଧ ଅଳସୁଆ ( ସେ ଅନ୍ୟ ଗୋଟେ ସାକ୍ଷାତକାରରେ ମାର୍କାମରା କମଳାକାନ୍ତୀୟ ଭାଷାରେ ନିଜକୁ ଜଣେ ‘ ଥଣ୍ଡା ଠକ ‘ ବୋଲି ବର୍ଣ୍ଣନା କରିଥିଲେ) ଲେଖକ ଅଛନ୍ତି , ନିରୁତା ନିର୍ମଳ କାମ ଗୁଡ଼ିକ କରୁଛନ୍ତି ଯାହାକୁ ଭରସା କରି ଦି ପଦ ପଢ଼ିହବ । ଅନେକ କର୍ମଯୋଗୀ ଲେଖକ ଛାରପୋକ ବଂଶବୃଦ୍ଧି ଭଳି ଆବର୍ଜନା ସବୁ ସୃଷ୍ଟି କରିଛନ୍ତି ଓ କରୁଛନ୍ତି ମଧ୍ୟ ଏବଂ ତାକୁ ନେଇ ଫେରିବାଲା ଭଳି ବୁଲି ବୁଲି ନିଜ ଢୋଲ ପିଟୁଚନ୍ତି । ପରିସ୍ଥିତି ଏମିତି କରିଛନ୍ତି ଯେ ବହିଟେ ଧରି ବସିବା ପୂର୍ବରୁ ଅଶଙ୍କା ଭିତରେ ରହିବାକୁ ପଡ଼ୁଚି, ସମୟ ବରବାଦ ହେଇଯିବନି ତ? ମୋର ତିକ୍ତ ଅନୁଭୁତି ହେଲା ଏଇ ନିକଟରେ କିଛି ନାମବଡ଼ା ପୁରଷ୍କୃତ ଲେଖକଙ୍କ ବହି ପଢ଼ି ମୋର ପ୍ରକୃତରେ ସମୟ ବରବାଦ ହେଇଛି ।
It is interesting to learn that an acclaimed author and translator like Kamalakanta Mohapatra has tried to defend a co-translator (but Paul says he is a collaborator) who does not READ or WRITE or SPEAK ODIA. Unfortunately, I failed to buy KKM’s argument completely. The process he explained is nothing but the work of a copy editor. I tip my hat to you for the boldness.
ମୁଁ KKMଙ୍କ ଏହି ମନ୍ତବ୍ୟ ସହ ଏକମତ ଯେ ଅନୁବାଦ ଆଉ ଅନୁସୃଜନ ଭିତରୁ ଅନୁବାଦର ମହତ୍ତ୍ୱ ଅଧିକ । ଗୋଟିଏ ଲେଖାକୁ ତିନିଜଣ ଅନୁବାଦ କରିବାର ଧାରଣା ଠିକ ନୁହେଁ; ଏହା ତିନି ଜଣ ମିଶି ଗୋଟିଏ କାରର ଷ୍ଟିଅରିଂ ଧରିବା ପରି । ଗୋଟିଏ ଜ୍ଞାତ ଭାଷାରୁ ଊଣା ଅଧିକେ ଜଣା ଥିବା ଆଉ ଗୋଟିଏ ଜ୍ଞାତ ଭାଷାକୁ ରୂପାନ୍ତରଣ କରିବା ଅନୁବାଦର ମୁଖ୍ୟ ପ୍ରକ୍ରିୟା । ତାକୁ ଗୋଟିଏ native speaker ଦ୍ୱାରା ସଠିକ ଭାଷା ପୋଷାକ ପିନ୍ଧାଇବା ପରିମାର୍ଜିତ କରିବାର ପ୍ରକ୍ରିୟା ମାତ୍ର । ବେଳେ ବେଳେ ଏହା ଅନୁବାଦ ପ୍ରକ୍ରିୟା ଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ । କଞ୍ଚା verbatim ଅନୁବାଦ ଗୋଟିଏ ମୂର୍ତ୍ତି ଗଢ଼ିବାର ଖଡ଼ି ରଙ୍ଗ ଦେବାର ପର୍ଯ୍ୟାୟ ପର୍ଯ୍ୟନ୍ତର ପ୍ରକ୍ରିୟା । ତାପରେ ସୁନ୍ଦର ରଙ୍ଗ ବୋଳିବାର ପର୍ଯ୍ୟାୟ। ସେତିକିବେଳେ ନଖ ନାସିକାର ନିଖୁଣ ରୂପ ମିଳେ ।
ସାକ୍ଷାତ୍କାର ମନକୁ ଛୁଇଁଲା।