ଶାରଳା ପୁରସ୍କାର: ଆରମ୍ଭରୁ ଏଯାବତ୍‌

୧୯୮୦ମସିହାଠାରୁ ୨୦୨୨ ମସିହା ଭିତରେ ମୋଟ ୪୭ଜଣ ସାହିତ୍ୟିକ ଏହି ସମ୍ମାନଜନକ ବାର୍ଷିକ ପୁରସ୍କାରର ବିଜେତା ହୋଇସାରିଛନ୍ତି।

ଡ. ପ୍ରତୀଚୀ ନନ୍ଦ

ପୂର୍ବ ଓଡ଼ିଶାର ପ୍ରାକୃତିକ କୋଳରେ ୧୯୬୧ ମସିହାରେ ଗଢି ଉଠିଥିଲା ‘ଇମ୍ଫା’। ଏହାର ପ୍ରତିଷ୍ଠାତା ହେଉଛନ୍ତି ସ୍ୱର୍ଗତ ଡ. ବଂଶୀଧର ପଣ୍ଡା ଏବଂ ତାଙ୍କର ପତ୍ନୀ ସ୍ୱର୍ଗତ ଇଲା ପଣ୍ଡା। ଏହି ସଂସ୍ଥା ପକ୍ଷରୁ ଓଡ଼ିଆ ସାହିତ୍ୟରେ ଉତ୍ତରୋତ୍ତର ଉନ୍ନତି ଏବଂ ପ୍ରେରଣା ପାଇଁ ସମ୍ମାନଜନକ ପୁରସ୍କାର ସହିତ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଦେବାର ବ୍ୟବସ୍ଥା ୧୯୮୦ ମସିହାଠାରୁ ଆରମ୍ଭ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟର ଆଦିକବି ସାରଳା ଦାସଙ୍କ ନାମ ଅନୁସାରେ ଉକ୍ତ ପୁରସ୍କାରର ନାମକରଣ କରଯାଇଥିଲା। ୧୯୮୦ମସିହାଠାରୁ ୨୦୨୨ମସିହା ଭିତରେ ମୋଟ ୪୭ଜଣ ସାହିତ୍ୟିକ ଏହି ସମ୍ମାନଜନକ ବାର୍ଷିକ ପୁରସ୍କାରର ବିଜେତା ହୋଇସାରିଛନ୍ତି। ପ୍ରତିବର୍ଷ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରୁ ପୁସ୍ତକ ଆମନ୍ତ୍ରଣ କରାଯାଇ ଗୋଟିଏ ଚୟନ ମଣ୍ଡଳୀଦ୍ୱାରା ଉକ୍ତ ପୁସ୍ତକଗୁଡ଼ିକର କଥାବସ୍ତୁ, ଶୈଳୀ, ସାମାଜିକ ଆବେଦନ ଆଦିପରି ବିଭିନ୍ନ ମାନଦଣ୍ଡରୁ ପରୀକ୍ଷଣ ଏବଂ ପରିସଂଖ୍ୟାନ ପରେ ସାତଗୋଟି ବହିକୁ ସର୍ଟଲିଷ୍ଟ୍ କରାଯାଇଥାଏ। ଏହା ପରେ ଜୁରିଙ୍କ ଚୟନିତ ସର୍ବଶ୍ରେଷ୍ଠ ପୁସ୍ତକ ଏବଂ ରଚୟିତାଙ୍କ ନାମ ଉକ୍ତବର୍ଷର ବିଜୟୀଭାବରେ ଘୋଷଣା କରାଯାଏ। ଯଦିଓ ଏଥିରେ ଚୟନ ମଣ୍ଡଳୀ, ସର୍ଟଲିଷ୍ଟ୍ ହୋଇଥିବା ତାଲିକା ସାର୍ବଜନୀନ କରା ନ ଯାଇ ଗୋପନୀୟ ରଖା ଯାଇଥାଏ। ପୁରସ୍କୃତ ହୋଇଥିବା ପୁସ୍ତକଗୁଡ଼ିକୁ ବିଭିନ୍ନ ବିଭାଗାନୁଯାୟୀ ନିମ୍ନମତେ ଆଲୋଚନା କରାଗଲା।

ଉପନ୍ୟାସ
ନବଉତ୍କଳ ନିର୍ମାଣ ଏବଂ ମଧୁସୂଦନ ଦାସଙ୍କ ନିଃସଙ୍ଗ, ଯନ୍ତ୍ରଣାମୟ ସଂଗ୍ରାମର ଇତିହାସକୁ ଉପଜୀବ୍ୟ କରି ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ରଚନା କରିଥିଲେ ଦୁଇଟି ପର୍ଯ୍ୟାୟକ୍ରମିକ ଉପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’ ଏବଂ ‘କୁଳବୃଦ୍ଧ’। ‘କୁଳବୃଦ୍ଧ’ ଚରିତୋପନ୍ୟାସରେ ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାଠାରୁ ୧୯୩୪ ମସିହା ମଧୁସୂଦନଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ଘଟିଥିବା ପ୍ରସଙ୍ଗ ବର୍ଣ୍ଣିତ। ଏହି ଐତିହାସିକ ଉପନ୍ୟାସ ୧୯୭୮ ମସିହାରେ ପ୍ରକାଶ ଲାଭ କରି ଚହଳ ପକାଇଥିଲା ଏବଂ ୧୯୮୦ ମସିହାରେ ପ୍ରଦତ୍ତ ପ୍ରଥମ ଶାରଳା ପୁରସ୍କାର ଲାଭ କରିଥିଲା। ଏହା ପରେ ସମୟକ୍ରମେ ଅନ୍ୟ ଆଠଗୋଟି ଉପନ୍ୟାସ ଏବଂ ଔପନ୍ୟାସିକ ଉକ୍ତ ପୁରସ୍କାରକୁ ନିଜ ନାମରେ କରିପାରିଛନ୍ତି। ସେଗୁଡିକ ହେଲା – ୧୯୮୭ ମସିହାରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶକୁନ୍ତଳା’, ୧୯୯୦ ମସିହାରେ ଯୁଗ୍ମ ବିଜେତା ଭାବରେ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’, ୧୯୯୩ରେ ନୃସିଂହ ଚରଣ ପଣ୍ଡାଙ୍କ ‘ଖାରବେଳ’, ୧୯୯୪ରେ ଭୁବନେଶ୍ୱର ବେହେରାଙ୍କ ‘ଗାଁର ଡାକ’, ୨୦୦୪ରେ ସାତକଡ଼ି ହୋତାଙ୍କ ‘ମୁକ୍ତି ମନ୍ତ୍ର’ ଓ ‘ଜନନୀ ଜନ୍ମଭୂମି’, ୨୦୧୨ରେ ହୃଷୀକେଶ ପଣ୍ଡାଙ୍କ ‘ଗର୍ବ କରିବାର କଥା’, ୨୦୧୯ରେ ପ୍ରଦୀପ ଦାସଙ୍କ ‘ଚ’ରୁ ଚିବର ଚର୍ଯ୍ୟା’ ଏବଂ ୨୦୨୧ ମସିହାରେ ପାରମିତା ଶତପଥୀଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ଶାରଳା ପୁରସ୍କାର ତାଲିକାଭୁକ୍ତ ହୋଇଛି।
ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ୧୯୮୭ ମସିହାରେ ପ୍ରକାଶିତ ‘ଶକୁନ୍ତଳା’ ଉପନ୍ୟାସରେ ସ୍ୱାଧୀନତା ପରବର୍ତ୍ତୀ ଭାରତର ରାଜନୀତିକ ପରିବେଶ ଏବଂ ସମାଜବାଦୀ ଗଣତନ୍ତ୍ରର ଚିତ୍ର ରୂପଲାଭ କରିଛି। ୧୯୮୪ ମସିହାରେ ଔପନ୍ୟାସିକା ପ୍ରତିଭା ରାୟଙ୍କ କର କଲମରୁ ଜନ୍ମ ନେଇଥିଲା ‘ଯାଜ୍ଞସେନୀ’। ଯେଉଁଥିରେ ପତ୍ର ମାଧ୍ୟମରେ ମହାଭାରତର ମିଥ୍‌କୁ ଆଧାର କରି କାହାଣୀ ପରିବେଷିତ କରାଯାଇଛି। ଯଜ୍ଞଜନ୍ମା ଦ୍ରୌପଦୀଙ୍କର ଚରିତ୍ରକୁ ମୁଖ୍ୟକରି ଖୁବ୍ ସୁନ୍ଦର ଭାବରେ ନାରୀ ମନସ୍ତତ୍ତ୍ୱକୁ ଦେଖାଇ ଦିଆଯାଇଛି। ଐତିହାସିକ ଜନନାୟକ ମହାମେଘବାହନ ଐର ଖାରବେଳଙ୍କ ଜୀବନୀ ଓ ଇତିହାସକୁ ନେଇ ନୃସିଂହ ଚରଣ ପଣ୍ଡା ୧୯୯୩ ମସିହାରେ ରଚନା କରିଥିଲେ ଐତିହାସିକ ଉପନ୍ୟାସ ‘ଖାରବେଳ’। ସେହିପରି ନିଜ ଜୀବନାଂଶକୁ ଉପଜୀବ୍ୟ କରି ୧୯୯୪ ମସିହାରେ ଭୁବନେଶ୍ୱର ବେହେରାଙ୍କ କର କଲମରୁ ଜନ୍ମ ନିଏ ‘ଗାଁର ଡାକ’ ନାମକ ଆତ୍ମଜୀବନୀମୂଳକ ଉପନ୍ୟାସ। ‘ଜନନୀ ଜନ୍ମଭୂମି’ ନାମକ ଜାତୀୟତାଭିତ୍ତିକ ଉପନ୍ୟାସ ୨୦୦୪ ମସିହାରେ ସାତକଡ଼ି ହୋତାଙ୍କ ଦ୍ୱାରା ରଚିତ ହୋଇ ପ୍ରକାଶ ଲାଭ କରେ। ୧୫୧୪ରୁ ୧୯୦୫ମସିହା ପର୍ଯ୍ୟନ୍ତ ଇତିହାସର ପୃଷ୍ଠଭୂମି ଉପରେ ୨୦୧୨ ମସିହାରେ ରଚିତ ହୋଇଛି ହୃଷୀକେଶ ପଣ୍ଡାଙ୍କ ‘ଗର୍ବ କରିବାର କଥା’ ନାମକ ମନୋଜ୍ଞ ଉପନ୍ୟାସ। ଏଥିରେ ପାଞ୍ଚଶହ ବର୍ଷର ଉତ୍କଳର ଗୌରବ ଓ ସେ ଗୌରବର ଅବକ୍ଷୟର କଥା ବର୍ଣ୍ଣିତ। ୨୦୧୯ ମସିହା ମଇ ମାସରେ ପଦାର୍ପଣ କରେ ପ୍ରଦୀପ ଦାସଙ୍କ ‘ଚ’ରୁ ଚିବର ଓ ଚର୍ଯ୍ୟା’ ନାମକ ଭିନ୍ନ ସ୍ୱାଦର ଉପନ୍ୟାସ। ସ୍ୱାଧୀନତା ସଂଗ୍ରାମରେ ନିଜକୁ ବହ୍ନି କରି ଜାଳିଥିବା କେତେକ ଅପରିଚିତଙ୍କ କଥା କହିଛନ୍ତି ଔପନ୍ୟାସିକା ପାରମିତା ଶତପଥୀ ତାଙ୍କର ୨୦୨୧ ମସିହାରେ ପ୍ରକାଶିତ ‘ଅଭିପ୍ରେତ କାଳ’ଉପନ୍ୟାସରେ। ଆଲୋଚ୍ୟ ପୁରସ୍କାର ପ୍ରାପ୍ତ ଉପନ୍ୟାସ ଗୁଡ଼ିକର ସ୍ୱତନ୍ତ୍ରତା ଓଡ଼ିଆ ସାହିତ୍ୟରେ ବେଶ ଅନୁମେୟ।
ଗଳ୍ପ
ଏଯାବତ୍ ଘୋଷିତ ହୋଇଥିବା ଶାରଳା ପୁରସ୍କୃତ ପୁସ୍ତକ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟାରେ ରହିଛି ଗଳ୍ପ ସଙ୍କଳନ। ତେବେ କହିବା ବାହୁଲ୍ୟ ଯେ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନା ତୁଳନାତ୍ମକ ଭାବରେ ଅଧିକ।
୧୯୮୧ ମସିହାରେ ପ୍ରଥମେ କ୍ଷୁଦ୍ରଗଳ୍ପ ପାଇଁ ତଥା ଦ୍ୱିତୀୟ ଶାରଳା ପୁରସ୍କାର ବିଜୟୀ ଭାବରେ ସମ୍ବର୍ଦ୍ଧିତ ହୁଅନ୍ତି ଗାଳ୍ପିକ ମନୋଜ ଦାସ। କିଶୋର ବୟସରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କରୁ ଏକ ଉତ୍ତରଣ ପର୍ଯ୍ୟନ୍ତ ଚେତନା ପ୍ରବାହର ଗଳ୍ପଗୁଡ଼ିକର ସମାବେଶରେ ୧୯୭୭ ମସିହାରେ ପ୍ରକାଶ ପାଏ ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’। ୧୯୮୦ ମସିହାରେ ମନସ୍ତତ୍ତ୍ୱ ସମ୍ବଳିତ କାହାଣୀକୁ ଗର୍ଭସ୍ଥ କରି ପ୍ରକାଶିତ ହୁଏ ଚନ୍ଦ୍ରଶେଖର ରଥଙ୍କ ‘ସମ୍ରାଟ ଓ ଅନ୍ୟମାନେ’ ନାମକ ଗଳ୍ପ ସଙ୍କଳନ। ଏହାର ଲିଖନ ଶୈଳୀ ଓ ଭାବ ସ୍ୱାତନ୍ତ୍ର‌୍ୟ ହେତୁ ୧୯୮୨ ମସିହାରେ ଶାରଳା ପୁରସ୍କାର ପାଇଁ ମନୋନୀତ ହୁଏ। ମହାପାତ୍ର ନୀଳମଣି ସାହୁ, ତାଙ୍କ ଜୀବନରେ ଘଟିତ ଘଟଣା ଓ ଚରିତ୍ରମାନଙ୍କୁ ନେଇ ରଚନା କରନ୍ତି ଆତ୍ମଜୀବନୀମୂଳକ ଗଳ୍ପ ପୁସ୍ତକ ‘ଅଭିଶପ୍ତ ଗନ୍ଧର୍ବ’। ୧୯୮୧ ମସିହାରେ ଏହା ପ୍ରକାଶିତ ହୋଇ ୧୯୮୩ ମସିହାରେ ଶାରଳା ପୁରସ୍କାର ଲାଭ କରେ। ୧୯୮୪ ମସିହାରେ କିଶୋରୀ ଚରଣ ଦାସଙ୍କ ‘ଭିନ୍ନ ପାଉଁଶ’ ଗଳ୍ପ ସଙ୍କଳନ ପ୍ରକାଶ ପାଏ। ମଧ୍ୟବିତ୍ତ ଶ୍ରେଣୀର ଜୀବନ ସଂଗ୍ରାମ ତାଙ୍କ ରଚନାରେ ବିଶେଷ ଭାବରେ ଦେଖିବାକୁ ମିଳେ। ଜଣେ ଅଷ୍ଟ୍ରେଲିଆନ୍ ଝିଅ ମ୍ୟାରିଲିନର ମୃତ୍ୟୁ ହେବା ଏବଂ ତାର ପାଉଁଶକୁ ସଂଗ୍ରହ କରି ପହଞ୍ଚାଇ ଦେବା ଦାୟିତ୍ୱ ସମ୍ପର୍କୀୟଙ୍କ ଆବେଗ ଖୁବ୍ ହୃଦୟସ୍ପର୍ଶୀ।
୧୯୯୧ ମସିହାରେ ଯୁଗ୍ମ ବିଜେତା ଭାବରେ ଗଳ୍ପ ପାଇଁ ଶାରଳା ପୁରସ୍କାର ଲାଭ କରନ୍ତି ରବି ପଟ୍ଟନାୟକ ଏବଂ ରାମଚନ୍ଦ୍ର ବେହେରା। ୧୯୮୮ ମସିହାରେ ରବି ପଟ୍ଟନାୟକଙ୍କ ଗଳ୍ପ ସଂକଳନ ‘ବନ୍ଧ୍ୟା ଗାନ୍ଧାରୀ’ ପ୍ରକାଶିତ ହୁଏ। ଏଥିରେ ଅସ୍ତିତ୍ୱବାଦ, ଅତିବାସ୍ତବବାଦ ସହିତ ପାଶ୍ଚାତ୍ୟ ମନସ୍ତତ୍ତ୍ୱର ନାନା ପରୀକ୍ଷା ଓ ପ୍ରୟୋଗ ଦେଖିବାକୁ ମିଳେ। ରାମଚନ୍ଦ୍ର ବେହେରାଙ୍କ ଲିଖିତ ଗଳ୍ପ ସଙ୍କଳନ ‘ଓଁକାର ଧ୍ୱନି’ ପ୍ରକାଶ ପାଏ ୧୯୮୭ ମସିହାରେ। ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଳେଷଣ, ସମବେଦନା ଓ ମନନଶୀଳତାକୁ ନେଇ ରଚିତ ଗଳ୍ପଗୁଡ଼ିକ ସେଥିରେ ସ୍ଥାନିତ। ୧୯୯୮ ମସିହାରେ ଉକ୍ତ ପୁରସ୍କାରର ଅଧିକାରୀ ହୁଅନ୍ତି ଜଗନ୍ନାଥ ପ୍ରସାଦ ଦାସ। ୧୯୯୨ ମସିହାରେ ତାଙ୍କ ରଚିତ ବାରଗୋଟି ଗଳ୍ପର ମନୋଜ୍ଞ ସଂକଳନ ‘ପ୍ରିୟ ବିଦୂଷକ’ପାଇଁ।
ଓଡ଼ିଆ ଗଳ୍ପକୃତି ପାଇଁ ୨୦୦୧, ୨୦୦୨ ଏବଂ ୨୦୦୩ ମସିହା ପାଇଁ ଶାରଳା ପୁରସ୍କାର ବିଜେତା ହୋଇଛନ୍ତି ଯଥାକ୍ରମେ ତରୁଣକାନ୍ତି ମିଶ୍ର ‘ଆକାଶ ସେତୁ’ ପାଇଁ, ଉତ୍ତମ କୁମାର ପ୍ରଧାନ ‘କଳାହାଣ୍ଡିର କଥାକାର’ ପାଇଁ ଏବଂ ଜଗଦୀଶ ମହାନ୍ତି ‘ସୁନାଇଲିସି’ ଗଳ୍ପ ସଂକଳନ ପାଇଁ। ମଣିଷର ଅସହାୟତା, ସଫଳତା–ବିଫଳତା, ପ୍ରେମ- ଯନ୍ତ୍ରଣାର ସ୍ୱରରେ ଉଦ୍ଭାସିତ ଗଳ୍ପଗୁଡ଼ିକର ସମାହାରରେ ୧୯୯୯ ମସିହାରେ ପ୍ରକାଶ ପାଏ ତରୁଣକାନ୍ତି ମିଶ୍ରଙ୍କ ‘ଆକାଶ ସେତୁ’। କଳାହାଣ୍ଡିର ପୃଷ୍ଠଭୂମିରେ ରଚିତ ଜୀବନର ବ୍ୟାପକ ଅନୁଭୂତିର ଚିତ୍ର ସମ୍ବଳିତ ଗଳ୍ପସମୂହକୁ ନେଇ ୧୯୯୨ ମସିହା ନଭେମ୍ବର ମାସରେ ଉତ୍ତମ କୁମାର ପ୍ରଧାନଙ୍କ ‘କଳାହାଣ୍ଡିର କଥାକାର’ ପ୍ରକାଶ ଲଭିଛି। ଆଧୁନିକ ମଣିଷର ଅସହାୟତା, ଜଟିଳ ମାନସିକତାର ବିଶ୍ଳେଷଣ ସହିତ ସ୍ୱଚ୍ଛନ୍ଦ ଜୀବନର ସତ୍ୟ ଓ ବାସ୍ତବତାର ରୂପଚିତ୍ର ନେଇ ଜଗଦୀଶ ମହାନ୍ତିଙ୍କ ‘ସୁନା ଇଲିସି’ ଗଳ୍ପ ସଙ୍କଳନଟି ଆତ୍ମପ୍ରକାଶକରେ।
୨୦୦୭ ମସିହାରେ ବୀଣାପାଣି ମହାନ୍ତିଙ୍କ ଗଳ୍ପ ସଙ୍କଳନ ‘ଅପହଞ୍ଚ ଆକାଶ’ ପ୍ରକାଶ ପାଇଥିଲା। ତାଙ୍କ ଗଳ୍ପରେ ଚରିତ୍ରମାନଙ୍କର ବିଭିନ୍ନ ସମସ୍ୟା ଓ ମାନସିକ ଦ୍ୱନ୍ଦ୍ୱକୁ ଆଲୋକପାତ କରିଥାନ୍ତି। ଉକ୍ତ ପୁସ୍ତକଟି ୨୦୧୦ ବର୍ଷ ପାଇଁ ଶାରଳା ପୁରସ୍କାର ବିଜେତା ଭାବରେ ପୁରସ୍କୃତ ହୋଇଥିଲା। ୨୦୧୩ ମସିହାରେ ଏହି ପୁରସ୍କାର ସ୍ୱୀକାର କରନ୍ତି ଗାଳ୍ପିକ ଅଚ୍ୟୁତାନନ୍ଦ ପତି ତାଙ୍କର ଗଳ୍ପଗ୍ରନ୍ଥ ‘ଚା’ରୁ ଚୈତନ୍ୟ ପର୍ଯ୍ୟନ୍ତ’। ୨୦୦୭ ମସିହାରେ ଉକ୍ତ ପୁସ୍ତକଟି ସାମାଜିକ ଜୀବନର ତ୍ରୁଟି ବିଚ୍ୟୁତି ବିରୋଧରେ ବିଦ୍ରୋହାତ୍ମକ ଚିନ୍ତା ଏବଂ ବିଶ୍ଳେଷଣାତ୍ମକ ରଚନା ଶୈଳୀ ବିଶିଷ୍ଟ ଗଳ୍ପକୁ ସମୂହ କରି ପ୍ରକାଶ ପାଇଥିଲା। ୨୦୧୫ ମସିହାରେ ଶାରଳା ପୁରସ୍କାରର ଅଧିକାରୀ ହୁଅନ୍ତି ଗାଳ୍ପିକ ମନୋଜ କୁମାର ପଣ୍ଡା; ୨୦୧୦ ମସିହାରେ ଜୀବନ ଦର୍ଶନକୁ କେନ୍ଦ୍ର କରି ରଚିତ ଗଳ୍ପ ସଙ୍କଳନ ‘ମାୟା ବଗିଚା’ ପାଇଁ। ୨୦୧୬ ମସିହାରେ ‘କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ’ ରଚନା କରି ଗାଳ୍ପିକ ବନଜ ଦେବୀ ୨୦୧୭ ମସିହାର ସମ୍ମାନଜନକ ଶାରଳା ପୁରସ୍କାର ବିଜେତା ସାଜିଥିଲେ। ୨୦୨୨ ମସିହାରେ ଏହି ସମ୍ମାନର ଅଧିକାରୀ ହୋଇଥିଲେ କଥାକାର ଗୌରହରି ଦାସ ୨୦୨୦ ମସିହାରେ ପ୍ରକାଶିତ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ନିମନ୍ତେ। ଅଣଦେଖା ମଣିଷର କଥା ଓ ବ୍ୟଥାର କୁହୁକ ଭିତରେ ପାଠକକୁ ଛନ୍ଦି ରଖିବାରେ ସେ ଧୂରୀଣ।

କବିତା
ପ୍ରଥମେ କବିତାକୁ ନେଇ ଶାରଳା ପୁରସ୍କାର ଲାଭ କରିଥିଲେ ୧୯୮୪ ମସିହାରେ ରମାକାନ୍ତ ରଥ, ୧୯୮୨ ମସିହାରେ ରଚିତ ତାଙ୍କର କବିତା ଗ୍ରନ୍ଥ ‘ସଚିତ୍ର ଅନ୍ଧାର’ ପାଇଁ। ସେ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ତସଂରଚନାକୁ ଅଭିନବ ସୌନ୍ଦର୍ଯ୍ୟକୁ ସମୃଦ୍ଧ କରିଛନ୍ତି। ଏହାର ପରବର୍ତ୍ତୀ ବର୍ଷ ପାଇଁ ସୀତାକାନ୍ତ ମହାପାତ୍ରଙ୍କ ‘ଆରଦୃଶ୍ୟ’ କବିତା ସଂକଳନ ଶ୍ରେଷ୍ଠ ବିବେଚିତ ହୋଇଥିଲା। ୧୯୮୧ ମସିହାରେ ମିଥ୍ ଓ ଚିତ୍ରକଳ୍ପ, ପ୍ରତୀକ ଆଦି ପ୍ରୟୋଗରେ ବଳିଷ୍ଠ କବିତାଗୁଡ଼ିକ ‘ଆରଦୃଶ୍ୟ’ ନାମରେ ପ୍ରକାଶ ପାଏ ଏବଂ ୧୯୮୫ ମସିହାର ସମ୍ମାନଜନକ ଶାରଳା ପୁରସ୍କାରର ବିଜେତା ସାଜେ। ୧୯୯୧ ମସିହାରେ ଅନ୍ୟ ଏକ କବିତା ସଙ୍କଳନ ପ୍ରକାଶ ପାଏ ‘ଶବରୀ’ ନାମରେ ପ୍ରତିଭା ଶତପଥୀଙ୍କ କର କଲମରୁ। ଯାହାକି ୧୯୯୨ ମସିହା ପାଇଁ ଶାରଳା ପୁରସ୍କାରକୁ ନିଜ ନାମରେ କରାଇନିଏ। ତାଙ୍କର କବିତାରେ ଶବ୍ଦ ଚତୁରୀ ଏବଂ ହର୍ଷ ବିଷାଦର ବ୍ୟଞ୍ଜନା ପାଠକକୁ ବାନ୍ଧିରଖେ। ୧୯୯୫ ମସିହାରେ ‘ଅନ୍ୟା ଓ ଶୈଳକଳ୍ପ’ କବିତା ଗ୍ରନ୍ଥ ପାଇଁ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ଚୟନ କରାଯାଇଥିଲେ ହେଁ ସେ ଉକ୍ତ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାଙ୍କର କବିତା ପୁସ୍ତକ ଦ୍ୱୟ ‘ଅନ୍ୟା’ ୧୯୮୨ରେ ଏବଂ ‘ଶୈଳକଳ୍ପ’ ୧୯୮୮ ମସିହାରେ ରଚିତ ହୋଇଥିଲା। ଜୀବନର ସୂକ୍ଷ୍ମଅବବୋଧ ସହିତ ତାଙ୍କ କବିତାର ଜଗତ ସର୍ବଦା ପ୍ରେମ, ମୃତ୍ୟୁ ଓ ମୃତ୍ୟୋତ୍ତର ଭବଲୋକରେ ସଦାବିଚରଣଶୀଳ।
୨୦୦୨ ଏବଂ ୨୦୦୩ ମସିହା ପାଇଁ ଯଥାକ୍ରମେ ଶ୍ରୀନିବାସ ଉଦ୍‌ଗାତାଙ୍କ ‘ଋତମ’ ଏବଂ ଦୀପକ ମିଶ୍ରଙ୍କ ‘ନିଦାଘ ଯାତ୍ରା’ ଶାରଳା ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ସେହିପରି ୨୦୦୮ ଏବଂ ୨୦୦୯ ମସିହା ପାଇଁ ଯଥାକ୍ରମେ ‘ହାରମୋନିଅମ୍‌ରେ ତୋଡ଼ି’ (୨୦୧୨)ପାଇଁ କବି ହରପ୍ରସାଦ ଦାସ ଏବଂ ‘ଖରାରେ ବାଙ୍ଗରା ଲୋକ’ (୨୦୦୬) ପାଇଁ ପ୍ରସନ୍ନ କୁମାର ମିଶ୍ର ଶାରଳା ପୁରସ୍କାର ଲାଭ କରିଥିଲେ। ଆଧୁନିକତା ଭିତରେ ଗୀତିମୟତାରେ ରସାନ୍ୱିତ ହୋଇଛି ହରପ୍ରସାଦ ଦାସଙ୍କ କବିତା। ଛତାବର ଗାଁର ମିଛିମିଛିକା ଗୋଟେ ଚନ୍ଦ୍ରଉଦିଆ ରାତିରେ ଭୋଳାନାଥ ମହାନ୍ତିଙ୍କ ହାର୍ମୋନିଆମ ବାଜୁଥିଲା କବିସୂର୍ଯ୍ୟଙ୍କ ‘ଗ’ ଚମ୍ପୂରେ। ତେଣୁ ଉକ୍ତ ଗ୍ରନ୍ଥର ଏପରି ନାମ କରଣ ହୋଇଛି। ‘ଖରାରେ ବାଙ୍ଗରା ଲୋକ’ରେ ଲୋକ ଜୀବନର ସଂଘର୍ଷ, ଅନିଶ୍ଚିତତାକୁ କବି ନିଖୁଣ ଭାବରେ ବ୍ୟଞ୍ଜିତ କରିଛନ୍ତି। ଅତିକଳ୍ପନା ଓ କୌତୁକ ମାଧ୍ୟମରେ ଏକ ଭାବଲୋକ ଗଢ଼ିବା କବିଙ୍କର ଲିଖନ ବୈଚିତ୍ର‌୍ୟ।
କବି ହରିହର ମିଶ୍ର ‘ଦିବ୍ୟ ଅସନ୍ତୋଷ’ କବିତା ପୁସ୍ତକ ପାଇଁ ୨୦୧୧ ମସିହାରେ ପୁରସ୍କୃତ ହୋଇଥିଲେ। ଉକ୍ତ ପୁସ୍ତକଟି ୨୦୦୯ ମସିହାରେ ପ୍ରକାଶିତ ହୋଇଥିଲା। ମାନବ ସ୍ୱାଧିକାର, ଜୀବନର ଚରମ ସତ୍ୟ ଏବଂ ମାନବତାର ଦିବ୍ୟକୃପା ଉତ୍ତରଣ ପାଇଁ ଅଭୀପ୍ସାର ଯାତ୍ରାପଥ ସୂଚିତ କରିଛନ୍ତି କବି ଉକ୍ତ ପୁସ୍ତକଟିରେ ସ୍ଥାନିତ କବିତାଗୁଡ଼ିକ ମାଧ୍ୟମରେ। ୨୦୧୫ ମସିହାରେ ହୃଷୀକେଶ ମଲ୍ଲିକଙ୍କ ଦ୍ୱାରା ରଚିତ ‘ଜେଜେ ଦେଖି ନ ଥିବା ଭାରତବର୍ଷ’ କବିତା ସଂକଳନ ପାଇଁ ୨୦୧୬ ମସିହାରେ ଶାରଳା ପୁରସ୍କାର ଲାଭ କରିପାରିଥିଲେ। ଗୀତିଗୁମ୍ଫିତ, ସହଜବୋଧ୍ୟ ବ୍ୟଞ୍ଜନାଧର୍ମୀ ଶୈଳୀ ଯୋଗୁ ସେ ପାଠକ ପ୍ରାଣର ଅତି ନିକଟବର୍ତ୍ତୀ ହୋଇପାରିଥିଲେ। ୨୦୧୮ ମସିହାରେ ଶାରଳା ପୁରସ୍କାର ଶତ୍ରୁଘ୍ନ ପାଣ୍ଡବ ତାଙ୍କର ‘ମିଶ୍ର ଧ୍ରୂପଦି’ (୨୦୧୬) କବିତା ସଂକଳନ ପାଇଁ ଲାଭ କରିଥିଲେ। ଏହା ହେଉଛି ୧୯୯୫ ମସିହାରୁ ୨୦୧୫ମସିହା ମଧ୍ୟରେ କବିଙ୍କ ଦ୍ୱାରା ଲେଖାଯାଇଥିବା କବିତାଗୁଡ଼ିକର ମନୋଜ୍ଞ ସଂକଳନ। ନିତ୍ୟାନନ୍ଦ ନାୟକଙ୍କ ଦ୍ୱାରା ୨୦୧୭ ମସିହାରେ ରଚିତ କବିତା ଗ୍ରନ୍ଥ ‘ସେତେବେଳକୁ ନ ଥିବି’ ନିମନ୍ତେ ୨୦୨୦ ବର୍ଷ ଶାରଳା ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିଲେ।
ଆତ୍ମଜୀବନୀ
ଜୀବନୀ ଏବଂ ଆତ୍ମଜୀବନୀ ସାହିତ୍ୟର ଏପରି ଏକ ବିଭାଗ ଯେଉଁଥିରେ ସତ୍ୟ, ବାସ୍ତବତା ଏବଂ ଅନୁଭୂତି ଗ୍ରନ୍ଥିତ ହୋଇଥାଏ। ନିଜ ଜୀବନ ଯାତ୍ରାରେ ଭେଟିଥିବା ଉତ୍ଥାନ ପତନ ମଧ୍ୟଦେଇ ପାଠକ ଅନେକ ଶିକ୍ଷା ପାଇଥାଏ। ଏହିପରି କେତୋଟି ଶିକ୍ଷଣୀୟ ଏବଂ ଉତ୍ସାହପ୍ରଦ ଆତ୍ମଜୀବନୀ ଶାରଳା ପୁରସ୍କାର ତାଲିକା ଭୁକ୍ତହୋଇ ପାରିଛି। ସେଗୁଡ଼ିକ ହେଲା -୧୯୯୪ ମସିହାରେ ପ୍ରକାଶିତ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଚରିତ ‘ମୋ ଜୀବନ ସଂଗ୍ରାମ’ ୧୯୯୬ ମସିହା ପାଇଁ ଶାରଳା ପୁରସ୍କାର ବିଜୟୀ ହୋଇଥିଲା। ୧୯୨୯- ୧୯୪୭ ମସିହା ଭିତରେ ଘଟିତ ଘଟଣା ଓ ଜୀବନକ୍ରମକୁ ସେ ଉକ୍ତ ପୁସ୍ତକରେ ଲେହନ କରିଛନ୍ତି। ମନମୋହନ ଚୌଧୁରୀଙ୍କ ‘କସ୍ତୁରୀ ମୃଗସମ’ ଆତ୍ମଚରିତ ୧୯୯୫ ମସିହାରେ ପ୍ରକାଶିତ ହୋଇ ୧୯୯୭ ମସିହା ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଏଥିରେ ଲେଖକଙ୍କ ଜୀବନୀ ସହିତ ଓଡ଼ିଶାର ତଥା ଦେଶ ବିଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପ୍ରସଙ୍ଗର ସମୀକ୍ଷା ରହିଛି। ୨୦୦୫ ମସିହା ପାଇଁ ପୁରସ୍କୃତ ପୁସ୍ତକ ଭାବରେ ହୃଦାନନ୍ଦ ରାୟଙ୍କ ‘ଜଣେ ଅନୁଭବୀ ଅନୁଭବରେ’ ଆତ୍ମଚରିତଟି ବିବେଚିତ। ଏଥିରେ ତାଙ୍କର ବାଲ୍ୟକାଳରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜୀବନ କାହାଣୀ ଲିପିବଦ୍ଧ। ୨୦୦୬ ମସିହାରେ ଅନ୍ନପୂର୍ଣ୍ଣା ମହାରଣାଙ୍କ ‘ଅମୃତ ଅନୁଭବ’ ପୁସ୍ତକଟି ପୁରସ୍କୃତ। ୨୦୦୫ ମସିହାରେ ପ୍ରକାଶିତ ଏହି ଆତ୍ମଚରିତରେ ସ୍ୱାଧୀନତା ସଂଗ୍ରାମରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଅବଦାନ ତଥା ଓଡ଼ିଶାର ଅନ୍ୟାନ୍ୟ ନାରୀ ସଂଗ୍ରାମୀଙ୍କର ଭୂମିକା ବର୍ଣ୍ଣିତ। ପ୍ରଫୁଲ୍ଲ ଦାସଙ୍କ ଜୀବନଚରିତ ‘ବହ୍ନିମାନ’ ୨୦୧୦ ମସିହାରେ ପ୍ରକାଶିତ ହୋଇ ୨୦୧୪ ମସିହାରେ ପୁରସ୍କୃତ ହୁଏ। ଏଥିରେ ଶ୍ରୀମତୀ ମାଳତୀ ଦେବୀ ଚୌଧୁରୀ ଏବଂ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଲିଖିତ।
ପ୍ରବନ୍ଧ
୧୯୮୦ ମସିହାରୁ ଏଯାବତ୍ ମାତ୍ର ତିନିଗୋଟି ମୌଳିକ ପ୍ରବନ୍ଧ ସଙ୍କଳନ ପୁରସ୍କୃତ ହୋଇଛି। ପ୍ରଥମଟି ହେଉଛି ୧୯୮୮ ମସିହା ପାଇଁ ଚୟିତ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ‘ସଂସ୍କୃତି ଅପସଂସ୍କୃତି’ ପୁସ୍ତକ। ଉକ୍ତ ପୁରସ୍କାରକୁ ପ୍ରାବନ୍ଧିକ ପ୍ରତ୍ୟାଖ୍ୟାନ କରିବା ପରେ ୧୯୮୯ ମସିହାରେ ‘ଓଡ଼ିଶା ଓ ଓଡ଼ିଆ’ ପାଇଁ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଶାରଳା ପୁରସ୍କାର ଲାଭ କରିଥିଲେ। ତୃତୀୟରେ ୨୦୦୭ ମସିହାରେ ‘ବିଦଗ୍ଧ ମାନସ’ ପ୍ରବନ୍ଧ ପାଇଁ ପ୍ରାବନ୍ଧିକ ଦାଶରଥି ଦାସ ପୁରସ୍କୃତ ହୋଇଛନ୍ତି। ମାତ୍ର ଏହା ପରବର୍ତ୍ତୀ ସମୟରେ ପୁରସ୍କାର ଚୟନ ପ୍ରକ୍ରିୟାରେ ପ୍ରବନ୍ଧକୁ ବାଦ୍ ଦିଆଯାଇଛି।

ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତିଙ୍କ ଏକ ବିବୃତିରୁ ଜଣାଯାଏ ଯେ ‘ଶାରଳା ପୁରସ୍କାର କମିଟି’ ତରଫରୁ ତା’ଙ୍କ ପାଖକୁ ଏକ ଚିଠି ଆସିଥିଲା, ଲେଖକଙ୍କ ନାଆଁ ପ୍ରସ୍ତାବ କରିବାକୁ ; କିନ୍ତୁ ସେଥିରେ କୌଣସି ପ୍ରବନ୍ଧ ପୁସ୍ତକ କିମ୍ବା ପ୍ରାବନ୍ଧିକଙ୍କ ନାଆଁ ପ୍ରସ୍ତାବ ନ କରିବାକୁ କୁହାଯାଇଥିଲା। (‘ପୁରସ୍କାର ପାଇଁ ନିଷିଦ୍ଧ ଇଲାକା’ – ପ୍ରବନ୍ଧ, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ସାହିତ୍ୟ ଚର୍ଚ୍ଚା, ୧୧/୨୦୨୨)
ପ୍ରବନ୍ଧ ପରି ଏକ ବଳିଷ୍ଠ ଓ ଆୟାସସାଧ୍ୟ ବିଭାଗରେ ହସ୍ତଚାଳନା କରିବାକୁ ଜ୍ଞାନର ଗଭୀରତା ଆବଶ୍ୟକ। ସମାଲୋଚନାକୁ ଛାଡ଼ିଦେଲେ ମୌଳିକ ସର୍ଜନଶୀଳ ପ୍ରବନ୍ଧଟିଏ ଲେଖିବାକୁ ଅନେକ ଅନୁଧ୍ୟାନ ଏବଂ ସାଧନା ଲୋଡ଼ା। ତେଣୁ ଏପରି ଏକ ବିଭାଗରେ ଲେଖିବା ହେତୁ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିକରୁ ଅଧିକ ସୁଯୋଗ ରହୁ।
ନାଟକ
ପୁରସ୍କାର ପ୍ରଦାନର ଦୀର୍ଘ ଗତିପଥ ଭିତରେ ମାତ୍ର ଗୋଟିଏ ହିଁ ନାଟକ ଶାରଳା ପୁରସ୍କାର ତାଲିକାରେ ରହିବା ବାସ୍ତବିକ ଓଡ଼ିଆ ସାହିତ୍ୟ ପାଇଁ ଦୁଃଖ ଏବଂ ପରିତାପର ବିଷୟ। ୧୯୯୦ ମସିହାରେ ଯୁଗ୍ମ ଭାବରେ ପୁରସ୍କୃତ ହୋଇଥିବା ନାଟକ ‘ନନ୍ଦିକା କେଶରୀ’ ବ୍ୟତୀତ ଅନ୍ୟ କୌଣସି ନାଟକ ଦୃଷ୍ଟିଗୋଚର ହୁଏ ନାହିଁ। ୧୯୮୫ ମସିହାରେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା। ଐତିହାସିକ କିମ୍ବଦନ୍ତୀକୁ ଆଧାର କରି ଉକ୍ତ ନାଟକଟି ମହାକାବ୍ୟିକ ନାଟ୍ୟଧାରା ଶୈଳୀରେ ରଚିତ ହୋଇଛି। ତୁଳନାମୂଳକ ଭାବରେ ଦେଖିବାକୁ ଗଲେ ଏକବିଂଶ ଶତାବ୍ଦୀରେ ଉଚ୍ଚାଙ୍ଗ ନାଟକ ରଚନା କ୍ରମଶଃ ମନ୍ଥର ହୋଇଯାଇଥିବା ଦେଖାଯାଏ।
ସାମଗ୍ରିକ କୃତି
ନିଜର ଆଜୀବନ ସାହିତ୍ୟ ସାଧନା ଏବଂ ସାମଗ୍ରିକ କୃତି ମୂଲ୍ୟାୟନରେ ଦୁଇଜଣ ସାହିତ୍ୟ ସାଧକ ଏଯାବତ୍ ଶାରଳା ପୁରସ୍କାର ଲାଭ କରିଛନ୍ତି। ସେ ହେଉଛନ୍ତି କଥା ସାହିତ୍ୟର ଚିରସ୍ରୋତା ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଅନ୍ୟ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ନାଟ୍ୟ ଜଗତର ଅଗ୍ରଣୀ ନାଟ୍ୟକାର ଗୋପାଳ ଛୋଟରାୟ। ୧୯୯୯ ମସିହାରେ ଔପନ୍ୟାସିକ ବିଭୂତି ପଟ୍ଟନାୟକ କଥା ସାହିତ୍ୟ – ସାମଗ୍ରିକ ରଚନା ପାଇଁ ଏବଂ ନାଟ୍ୟକାର ଗୋପାଳ ଛୋଟରାୟ ୨୦୦୦ ମସିହାରେ ନାଟ୍ୟ ସାହିତ୍ୟ – ସମଗ୍ର କୃତି ପାଇଁ ଶାରଳା ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି।
କୌଣସି ପୁରସ୍କାର ଅଥବା ତଜ୍ଜନିତ ପ୍ରାପ୍ତ ଉପାୟନ, ଅର୍ଥ ରାଶି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଲେଖକ, ସାହିତ୍ୟିକଙ୍କୁ ପ୍ରୋତ୍ସାହିତ କରିବା। ସେମାନଙ୍କ ଭିତରେ ସର୍ଜନର ନୂତନ ଉଦ୍‌ବେଗ, ଆଗ୍ରହ ଜାତ/ଜାଗ୍ରତ କରାଇବା। ପୁସ୍ତକଟିଏ ପୁରସ୍କାର ମାଧ୍ୟମରେ ଅଧିତ ପ୍ରଚାରିତ ପ୍ରସାରିତ ହୋଇ ପାଠକ ନିକଟରେ ଅଧିକରୁ ଅଧିକ ପହଞ୍ଚି ପାରିବା ହିଁ ସ୍ରଷ୍ଟା ପାଇଁ ବାସ୍ତବ ଉପହାର।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

4 thoughts on “ଶାରଳା ପୁରସ୍କାର: ଆରମ୍ଭରୁ ଏଯାବତ୍‌

  1. ଏକ ଚମତ୍କାର ଓ ଗବେଷଣା ସମ୍ପନ୍ନ ଲେଖା। ଏହି ଲେଖା ମାଧ୍ୟମରେ କୌଣସି ପାଠକ ଓଡ଼ିଶାର ଏକ ପ୍ରତିଷ୍ଠିତ ପୁରସ୍କାରଭାବେ ପରିଚିତ ସାରଳା ପୁରସ୍କାର ପାଇଥିବା ଲେଖକ ଓ ସେମାନଙ୍କ ସାହିତ୍ୟ କୃତି ସମ୍ପର୍କରେ ବିସ୍ତୃତ ଧାରଣା ପାଇପାରିବ। ଏଥିପାଇଁ ଲେଖିକାଙ୍କୁ ଅନେକ ଅନେକ ଧନ୍ୟବାଦ।

  2. ବହୁତ ସୁନ୍ଦର ସୂଚନାଧର୍ମୀ ଲେଖା। ଲେଖିକାଙ୍କୁ ସାଧୁବାଦ।

  3. ତଥ୍ୟଭିତ୍ତିକ ଓ ତତ୍ତ୍ୱସମୃଦ୍ଧ.. ଖୁବ ସୁନ୍ଦର ଆଲୋଚନା ମୂଳକ ଆଲେଖ୍ୟ ଟିଏ | କିନ୍ତୁ ଏକ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ ର ଜଣେ ଓଡ଼ିଆ ଭାଷା ସାହିତ୍ୟର ଗବେଷଣା କରୁଥିବା ଛାତ୍ରୀ ଙ୍କ ପାଖରୁ ଅତ୍ୟନ୍ତ ସାମାନ୍ୟ ବ୍ୟାକରଣଗତ ତୃଟି ଓ ବନାନ ଅଶୁଦ୍ଧି ମଧ୍ୟ ଆଶା କରାଯାଏ ନାହିଁ

Leave a Reply

Your email address will not be published. Required fields are marked *