ଭଙ୍ଗା ଚଷମାଟାକୁ ମାଷ୍ଟ୍ରଙ୍କୁ ଦେଖାଉ ଦେଖାଉ, ମତେ ଚାହିଁଲା ଅଲି। ମୋ ଆଖିରେ ସେତେବେଳକୁ କଳାହାଣ୍ଡିଆ ମେଘ। ଧାଉଁ ଧାଉଁ ଛାତି।
ସିଲଟ ମୋର ପ୍ରଥମ ସ୍ମୃତି-ସାକ୍ଷୀ।
ଗାଆଁ ଗହଳରେ ଆଗକାଳେ ଭୂଇଁରେ ଲେଖି ପିଲାମାନେ ଅକ୍ଷର ଓ ଫଳା ଶିଖୁଥିଲେ। ବିଦ୍ୟାରମ୍ଭ ହେଉଥିଲା ବେଳେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କହି ; ତିନିଗୋଟି ମୁଣ୍ଡଳା ବୁଲାଇ। ତା’ ପରେ ଆସିଗଲା ସିଲଟ ବା ସ୍ଲେଟ୍।
ସ୍ଲେଟ୍ର ଇତିହାସ ଚମତ୍କାର, ବହୁତ ପୁରୁଣା। ଇଜିପ୍ସିଆନମାନେ ଏହାକୁ ଘର ତିଆରି କାମରେ ଲଗେଇଥିଲେ ପ୍ରଥମେ। ଭାରତରେ କିନ୍ତୁ ଚାଟଶାଳୀ ଓ ସ୍କୁଲମାନଙ୍କରେ ପ୍ରାଥମିକ ସ୍ତରରେ ସ୍ଲେଟ୍ର ବହୁଳ ପ୍ରବେଶ ହୋଇଥିଲା ଇଂରେଜମାନଙ୍କ କାରଣରୁ। ଏବେ ବି ସ୍ଲେଟ୍ ସାରା ପୃଥିବୀରେ ତା’ର ଉପଯୋଗିତା ଜାରି ରଖିଛି। କେଉଁଠି ଟିଣରେ ତିଆରି ତ କେଉଁଠି କାଠରେ। କେଉଁଠି ପ୍ଲାଷ୍ଟିକରେ ତ କେଉଁଠି ଡିଜିଟାଲ ସ୍କ୍ରିନ୍ ହୋଇ। ନାଁ କିନ୍ତୁ ରହିଯାଇଛି ସିଲଟ।
ନୂଆ ନୂଆ ପାଠପଢ଼ା ଆରମ୍ଭ କଲାବେଳେ ଅନେକଙ୍କର ହାତରେ ଥାଏ ସିଲଟ ଓ ଖଡ଼ି। କେହି କେହି ବସ୍ତାନିରେ ନେଇଯାଆନ୍ତି ତା’କୁ କାନ୍ଧରେ ଝୁଲାଇ।
ଅନ୍ତରଙ୍ଗ ସ୍ମୃତିର ସିନ୍ଦୁକ
ପାଠକେ ଭାବୁଥିବେ ଏ ଲେଖାଟି ବୋଧେ ସିଲଟର ବିଶ୍ୱବ୍ୟାପୀ ଭୂଗୋଳ ଓ ଇତିହାସକୁ ନେଇ। ସିଲଟ କିନ୍ତୁ ଏଠାରେ ଗୋଟାଏ ଅନ୍ତରଙ୍ଗ ସ୍ମୃତିର ସିନ୍ଦୁକ। ଯେହେତୁ ଏଠାରେ ନିଜ କଥା କହିବା ପାଇଁ ଆଖିବୁଜି ପଛକୁ ଚାହିଁବାର ଉପକ୍ରମ କରିଛି ତେଣୁ ମତେ ଅନ୍ଧାର ଦିଶିବା ସ୍ୱାଭାବିକ। କେଉଁଠାରୁ ଆରମ୍ଭ ହୋଇଛି ସ୍ମୃତି? କେତେବର୍ଷରୁ? କିଏ ଥିଲା ସାଥୀ?
ଆଶ୍ଚର୍ଯ୍ୟ! ସେଇ ଅନ୍ଧାର ଭିତରେ ଦେଖାଯାଉଛି ଗୋଟିଏ ସିଲଟ। ଅନ୍ଧାରୀ ଅନ୍ତରୀକ୍ଷରୁ ଖସି ଆସୁଛି କାଠ ଫ୍ରେମ୍ରେ ବନ୍ଧା ସିଲଟଟିଏ। କଳା ଦେହ, ହାଲୁକା ଧଳା ପାଇନ୍ କାଠ ଫ୍ରେମ୍ରେ ବନ୍ଧା। ତେଣୁ ତା’ ସମ୍ପର୍କରେ କିଛି କଥା ବାହାରିଯିବା ସ୍ୱାଭାବିକ୍। ତେବେ ସିଲଟର କଥାବସ୍ତୁ ମୋ ସ୍ମୃତିର ଅସଲ କାହାଣୀ ନୁହେଁ। କାହାଣୀଟି ରହିଛି ଆଢ଼ୁଆଳରେ। ସିଲଟ ମୂକସାକ୍ଷୀ ସେ କାହାଣୀ। ମୋ ସ୍ମୃତିର ପ୍ରଥମ ଆଲୋକଧାରା, ଯାହା ହୁଏତ ଅ, ଆ, ଠାରୁ ବା ପଣିକିଆଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।
ସେ ଶିକ୍ଷା ଏବେ ବି ଅମଳିନ। କରୁଣାର ଶିକ୍ଷା, ସମ୍ବେଦନର ଗୁରୁମନ୍ତ୍ର। ସିଲଟ ସାକ୍ଷୀ। କେବଳ ସ୍ମୃତିରେ। ମୋ ପାଠପଢ଼ାର ଓଁ ବିଷ୍ଣୁ ହୋଇଥିଲା ୪ବର୍ଷ ୪ ମାସ ୪ ଦିନରେ। ତା’ ପରେ ପରେ ଆରମ୍ଭ ହୋଇଗଲା ଚାଟଶାଳୀ ପଢ଼ା।
ସେଇ ସମୟର କଥା।
ଘର ଖଣ୍ଡପଡ଼ାଗଡ, ଦୋସନ୍ଧି ସାହି। ଦାଣ୍ଡ ସାହିରୁ ଆମେ ଉଠି ଆସିଥିଲୁ ଭିତରପଟର ଗୋଟେ ଅଳ୍ପଜଣା ସାହିକୁ। ସେଠି ଚାଟଶାଳୀ ବସେଇ ନ ଥିଲେ କେହି। ଆମ ପୁରୁଣା ଘର ସାମ୍ନାରେ ଥାଏ ପହ୍ନାକ (ପଟ୍ଟନାୟକ)ଙ୍କ ଘର। ଲୋକେ କହନ୍ତି କାଣ୍ଡୁ ପହ୍ନାକେ। ତାଙ୍କର ଛାତ ଘର। ଓସାର ବାରଣ୍ଡା। ବାହାର ପଟକୁ ଠାକୁର ଘର। ଠାକୁର ଘରର ଭିତର ବାରଣ୍ଡାରେ ଚାଟଶାଳୀ ବସେ। ଆଉ କିଏ କିଏ ସେଠି ପଢ଼ୁଥିଲେ କିଛି ମନେ ନାହିଁ। ମାତ୍ର କାଣ୍ଡୁ ପହ୍ନାଙ୍କ ପୁଅ ଅଲି ପଢ଼ୁଥିଲା ବୋଲି ମନେ ଅଛି। ମୋ ବୟସର ସିଏ। ତା’କୁ ମିଶାଇ ଏବଂ ଆଉ କେତେଜଣଙ୍କୁ ନେଇ ବ୍ରାହ୍ମଣ ସାହିର ଅଚ୍ୟୁତ ମାଷ୍ଟ୍ରେ ଚାଟଶାଳୀ ବସାନ୍ତି। ଅଚ୍ୟୁତ ମିଶ୍ର। ଲୁଗା ଉପରେ ଗାରଗାରିଆ ହାଫ୍ ସାର୍ଟ ପିନ୍ଧି ଆସନ୍ତି।
ଝାଳୁଆ ଦେହ। ଟଙ୍ଗ ଟଙ୍ଗ ହୋଇ ଚାଲନ୍ତି। ଚିଡ଼ା ଲୋକ ମାତ୍ର ଭିତରଟା ଭଲ। ବୋଉ ମତେ ବୁଝେଇ ଦେଇଥିଲା- “ମାଷ୍ଟ୍ରମାନେ ନ ଚିଡ଼ିଲେ, ନ ରାଗିଲେ ପିଲାମାନେ ଅମାନିଆ ହେବେ। ପାଠ ଶିଖିବେ କେମିତି?”
ଖରାବେଳେ ତିନିଟାରୁ ପାଞ୍ଚଟା ଚାଟଶାଳୀ ବସେ। ବିଚିତ୍ର ସମୟ। ଅଚ୍ୟୁତ ମାଷ୍ଟ୍ରେ ବୋଧେ ଆଉ କ’ଣ କାମ କରନ୍ତି। ଦ୍ୱିପ୍ରହରରେ ଖାଇ, ଶୋଇ ଉଠିବା ପରେ ସେଇଟା ହିଁ ପଢ଼େଇବା ବେଳ। ମୁଁ କ୍ଷୀର ଗିନେ ପିଇ ଆମ ସାହି ମୁଣ୍ଡ ପୋଖରୀ କଡ଼ ଦେଇ ଚାଲିଯାଏ ଅଲିଘରକୁ। ସେଇଟା ପାଖ।
ପହ୍ନାକେ ବିଡ଼ି ଟାଣନ୍ତି। ବିଡ଼ି ଗନ୍ଧ ଜଣାପଡ଼େ। ମୋର ବୋଧେ ନାକଟା ଗନ୍ଧ-କାତର, ନ ହେଲେ ଏ ଯାଏ କାଣ୍ଡୁ ପହ୍ନାକଙ୍କ ଘରର ବିଡ଼ି ଗନ୍ଧ ଆଉ ଅଚ୍ୟୁତ ମାଷ୍ଟ୍ରଙ୍କ ଦେହର ଝାଳଗନ୍ଧ କେମିତି ସ୍ମୃତିରେ ଅଛି? କ୍ଷୀରଗିନାର ଗନ୍ଧ ବି?
ଗନ୍ଧ ବି ଏକ ସ୍ମୃତି
ପାଠକେ ଦୟାକରି ବିଚାରକୁ ନେବେ। ଗନ୍ଧ ଗୋଟେ ସ୍ମୃତି, କାହା ପ୍ରତି ଆକ୍ଷେପ ନୁହେଁ। ପଞ୍ଚୁକ ସମୟରେ ଜଗନ୍ନାଥ ମନ୍ଦିରକୁ ଗଲାବେଳେ ସେଇ ପହ୍ନାକଙ୍କ ଘର ପାଖ ଚିନ୍ତାମଣି ଦାରୋଗାଙ୍କ ଦୁଆର ପାଖ ଦେଇ ଯିବାକୁ ହୁଏ। ତା’ଙ୍କ ଦୁଆରେ ଅଛି ଗୋଟାଏ ଏତେବଡ଼ ଝଙ୍କା ହେନାଗଛ। ଆଃ କି ସୁଗନ୍ଧ! ଏବେ ବି ସେ ଗନ୍ଧ ମୋ ନାକରେ ଠିଆ। ହେନା ନାଁ ଧରିଲେ ତାହା ଆପେ ଭିତରକୁ ସଞ୍ଚରି ଆସେ।
ସ୍ମୃତି ସିଲଟରେ ସିଏ ବି ଅନ୍ତରଙ୍ଗ। ହେଲେ କାହାଣୀ ତା’କୁ ନେଇ ନୁହେଁ। ଆଗରୁ କହିଛି, କେତେଜଣ ପିଲା ଅଚ୍ୟୁତ ମାଷ୍ଟ୍ରଙ୍କ ପାଖରେ ଚାଟଶାଳୀରେ ବସୁଥିଲୁ ମନେ ନାହିଁ। ମାଷ୍ଟ୍ରେ ଆସିବା ଯାଏ ଦଉଡ଼ା ଧାପଡ଼ା ଡିଆଁକୁଦା ଚାଲେ। ଇଏ ତା ଜିନିଷ ଛଡ଼ାଏ, ସିଏ ତା ଜିନିଷ। ଦେଖି ଦେଖି କହି ନେଇଯାଏ। ଛଡ଼ାଛଡ଼ି ଗୋଟେ ସାଧାରଣ କଥା। ଅଚ୍ୟୁତ ମାଷ୍ଟ୍ରେ ଆସିଲା ବେଳକୁ ସଭିଏଁ ଚୁପ୍ ହୋଇଯାଉ। ଟିମ୍ ଟିମ୍ ଆଖି କରି ସେ ଅନାନ୍ତି। ଡର ଲାଗେ। ଆପେ ସିଲଟରେ ଅକ୍ଷର ଲେଖି ହୋଇଯାଏ। ଗାଡ଼ୁ ଗାଡ଼ୁ ହୋଇ ସଂଖ୍ୟା ଗଣା, ପାଞ୍ଚକ ଯାଏ ପଣିକିଆ ବାହାରି ପଡ଼େ ମୁହଁରୁ।
ଦିନକର କଥା। ଅଲିର ବାପା ବୋଧେ କଟକ ଯାଇଥିଲେ। ପୁଅ ପାଇଁ ନେଇ ଆସିଥିଲେ ଗୋଟେ କଳା ଚଷମା। ଅଲି ତାଙ୍କର ସାନପୁଅ। ତେଣୁ ଟିକେ ଅଧିକ ଗେହ୍ଲା। ଆମେ ଯାଇ ତା’ଙ୍କ ବାରଣ୍ଡାରେ ପାଠ ପଢ଼ୁ। ତେଣୁ ତା’ର ଟିକେ ବାବୁଆନି ଢଙ୍ଗ ରହିବା ସ୍ୱାଭାବିକ। ଭଲ ପିନ୍ଧେ। ଦେଖିବାକୁ ହୃଷ୍ଟପୁଷ୍ଟ, ଡଉଲଡାଉଲ।
ଦେଖ ଦେଖ, ଅଲି ଆସୁଚି। ଆଖିରେ କଳାଚଷମା। ଅଚ୍ୟୁତ ମାଷ୍ଟ୍ରେ ଆସିବାକୁ ଡେରି। ଆରେ ବାଃ, ଚମତ୍କାର ମାନୁଚି ଚଷମାଟା ତା’ର ଗୋଲ ମୁହଁକୁ। କିଏ ପଚାରିଲା କେମିତି ଦିଶୁଚି ଅଲି? କୋଉ ରଙ୍ଗ ଦିଶୁଚି? କିଏ ଆଣି ଦେଇଚି?
ଦୁଇ ଚାରି ଜଣ ହାତ ବଢ଼େଇଲେ। ଦେଲୁ ଦେଲୁ ମୁଁ ଟିକଏ ପିନ୍ଧେ, କେମିତି ଦିଶୁଚି। ଅଲିର ନାଇଁ, ହଁ। ତଥାପି ଯାହାକୁ ପସନ୍ଦ ତା’ ଆଡକୁ ଧୁକୁପୁଚୁ ହୋଇ ବଢ଼େଇ ଦେଲା ସେ। ଯିଏ ପିନ୍ଧିଲା, ଖୁସିରେ ତା’ର ଦାନ୍ତ ଦି’ଧାଡ଼ି ଆଗ ଦିଶିଲା। ମୁଁ କି ଆଉ ସମ୍ଭାଳେ? ମୋର ବି ମନ ହେଲା। ହାତ ବଢ଼େଇ ମାଗିଲି। ନାଇଁ କରିଦେଲା ଅଲି। ପୁଣି ମାଗିଲି। ପୁନଶ୍ଚ ସେ ନାହିଁ କଲା। ଆରେ ସେମାନଙ୍କୁ ଦେଲୁ, ମତେ କାହିଁକି ନୁହଁ? ଏବେ ଛଡ଼େଇ ପିନ୍ଧିବାକୁ ମନ ବଳିଲା। ଛଡ଼ା ଛଡ଼ି ଚଳେ।
ଗୋଟେ ଝଟ୍କାରେ ମୁଁ ଅଲି ହାତରୁ ଚଷମାଟା ଛଡ଼େଇ ଆଣିଲି। ଏବେ ଭାବୁଚି ସିଏ ବୋଧେ ମୋ ଆଡକୁ ବଢ଼େଇବା ପାଇଁ ହାତ ଆଣୁଥିଲା।
ଅଲି ମୁହଁରେ କାନ୍ଦ
ହେ ଭଗବାନ୍! ଇଏ କ’ଣ ହେଲା! ଚଷମାଟା ହାତରୁ ଛିଟିକିଯାଇ ତଳେ ପଡ଼ି ଭାଙ୍ଗିଗଲା। ବେଣ୍ଟ ଭାଙ୍ଗିଲା, କାଚ ଫାଟି ହୁଗୁଳି ପଡ଼ିଲା। ସମସ୍ତେ ତଟସ୍ଥ। ମୁଁ ହତବାକ୍। ଅଲି ମୁହଁରେ କାନ୍ଦ। କ’ଣ ହେବ ଏବେ?
କାଣ୍ଡୁ ପହ୍ନାକେ କ’ଣ ହେଲା ବୋଲି ବାହାରକୁ ଆସି ଜାଣିବେ ଯଦି! ଅଚ୍ୟୁତ ମାଷ୍ଟ୍ରେ ଆସିଲେ କ’ଣ ହେବ! ଆମ ଘରେ ଖବର ପହଞ୍ଚିଗଲେ ମାଡ଼ ଭରଣ ପାହୁଲାଏ ହୋଇଯିବ। ସବୁ ପିଲାଙ୍କର ସମ୍ମିଳିତ ଆର୍ତ୍ତନାଦ। ଅଲି କାନ୍ଦୁଥାଏ, ମୁଁ ଥରୁଥାଏ ଭୟରେ।
ଏତିକି ବେଳେ ଅଚ୍ୟୁତ ମାଷ୍ଟ୍ରେ ଆସିଲେ। ଛାତି ମୋର ପଡ଼ିଲା ଉଠିଲା। ଅଲି ଏଇଲେ ମାଷ୍ଟ୍ରଙ୍କ ଆଗରେ ସବୁକଥା ବଖାଣିଦେବ। ନ ହେଲେ ଆଗମଡ଼ା ହୋଇ ଆଉ କିଏ ମାଷ୍ଟ୍ରଙ୍କୁ ନିଶ୍ଚୟ କହିଦେବ। କ’ଣ କରିବି? କ’ଣ ବାଟ?
ଦେଖିଲି ଅଲି ଆଉ କାନ୍ଦୁନି।
ଏତିକି ବେଳେ କିଏ ଗୋଟେ କହିଦେଲା “ଅଲିର ଚଷମାଟା ଭାଙ୍ଗିଗଲା।”
ମାଷ୍ଟ୍ରେ ପଚାରିଲେ କେମିତି?
ଭାବିଲି ମୋର ବୋଧେ ପରିସ୍ରା ହୋଇଯିବ। ସମସ୍ତେ ନୀରବ। ଅଚ୍ୟୁତ ମାଷ୍ଟ୍ରେ ପଚାରିଲେ, କିରେ କେମିତି ଭାଙ୍ଗିଲା? ଦେଖି ଦେଖି? ଭଙ୍ଗା ଚଷମାଟାକୁ ମାଷ୍ଟ୍ରଙ୍କୁ ଦେଖାଉ ଦେଖାଉ, ମତେ ଚାହିଁଲା ଅଲି। ମୋ ଆଖିରେ ସେତେବେଳକୁ କଳାହାଣ୍ଡିଆ ମେଘ। ଧାଉଁ ଧାଉଁ ଛାତି।
ସମସ୍ତଙ୍କୁ ହତଚକିତ କରି ଅଲି କହିଲା, “ମୋ ହାତରୁ ପଡ଼ିଗଲା। ସମସ୍ତେ ଛଡ଼ାଛଡ଼ି ଖେଳୁଥିଲୁ, ମୋ ହାତରୁ ଛିଟିକି ପଡ଼ିଲା।” କେହି ଆଉ କିଛି କହିବାରୁ ଜୁ ନ ଥିଲା।
ଆଃ ଅଲି! କୃତଜ୍ଞତାରେ ଭରିଗଲା ମୋ ମନ। ବାଘ ମୁହଁରୁ ବଞ୍ଚେଇଦେଲା ସେ।
ଆଜି ଭାବୁଚି କେତେ କରୁଣା ଥିଲା ତା’ ଭିତରେ! ଏ କଥାଟି ବିରଳ। ସମ୍ବେଦନା ଓ କରୁଣାର ଶିକ୍ଷା ମତେ ମିଳିଥିଲା ଅଲିଠାରୁ। ଭାବୁଚି ଯେ କୌଣସି ପାଠ ଠାରୁ ଏହାର ଉଚ୍ଚତା ଢେର ବେଶି। ସ୍ମୃତିରେ ଚିର ସଜଳ।
ସିଲଟର କଳା ଦର୍ପଣରେ ସେ କଥା ଏବେ ବି ଚହଟୁଛି। ସ୍ମୃତିର ସିଲଟ। ସେଥିରେ ଭଙ୍ଗା ଚଷମା ଚାଲିଛି ରହସ୍ୟଜନକ ଭାବେ।
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଲେଖାଟି ବହୁତ ହୃଦୟ ସ୍ପର୍ଶୀ ହୋଇଛି ।
ଅତି ହୃଦୟସ୍ପର୍ଶୀ, ମନୋମୁଗ୍ଧକର।
ମନ ଡେଇଁ ଛାତିକୁ ଛୁଇଁ ଯିବା ଭଳି ଲେଖା ।
ନମସ୍କାର । ଲେଖା ଯେମିତି ଚମତ୍କାର , ଲେଖକ ବି ସେମିତି ଚମତ୍କାର । ଖାଲି ଲେଖା କି , ବକ୍ତୃତା ବି ଚମତ୍କାର । ଯିଏ ଥରେ ତାଙ୍କ ସହିତ ମିଶିଛି , ତାଙ୍କୁ ଭୁଲିବା କଷ୍ଟକର । ସେ ଜଣେ ମଣିଷ ଭଳି ମଣିଷ । ସୁନ୍ଦର ଲେଖାଟିଏ
ସ୍ମୃତି ର ସିଲଟ ଗଳ୍ପଟି ମନକୁ ଛୁଇଁଲା l ମୁଁ କିନ୍ତୁ ତଳ ଧାଡ଼ିର ଅର୍ଥ ଠିକ୍ ଭାବେ ବୁଝି ପାରିଲିନି
“କେହି ଆଉ କିଛି କହିବାରୁ ଜୁ ନ ଥିଲା।”