ଆମର ଭାଷାବିତ୍ ବନ୍ଧୁମାନେ ହୁଏତ ଭ୍ରୂକୁଞ୍ଚନ ପୂର୍ବକ ପ୍ରଶ୍ନ ଉଠାଇବେ, “ଏ ‘ଫେସବୁକିଆ’ କ’ଣ ହୋ? କେଉଁ ଭାଷାକୋଷରୁ ପାଇଲ ୟାକୁ!” ହେଲେ ଇଂରାଜୀ ଅଭିଧାନମାନଙ୍କରେ ତ ‘ଫେସବୁକିସ୍’ ଏକ ଶବ୍ଦ ଭାବରେ ସ୍ୱୀକୃତି ପାଇସାରିଲାଣି। ଆମ ଓଡିଆ ଅଭିଧାନ ଓ ଭାଷାକୋଷଗୁଡିକରେ ବି ଏହା ଅନୁପ୍ରବେଶ କରିବାକୁ ଅବା ଆଉ କେତେ ଦିନ !
ଏହି ‘ଫେସବୁକିଆ’ ସାହିତ୍ୟ ଏବେ ପ୍ରବଳ ବେଗରେ କାୟା ବିସ୍ତାର କରିଚାଲିଛି। ଅନ୍ୟ ଭାଷାର ସାହିତ୍ୟରେ ଫେସବୁକ୍ର ସଂକ୍ରମଣ ଯେତେ ନୁହେଁ, ଆମ ସାହିତ୍ୟରେ ଏହା ବରଂ ତା’ଠାରୁ ଆହୁରି କେଇ ପାଦ ଆଗୁଆ। ଛାପା କାଗଜରେ ଯେତିକି ସାହିତ୍ୟ ଆମ ଭାଷାରେ ପ୍ରକାଶିତ ହେଉଛି, ତହୁଁ ବଳି ଅଧିକ ଲେଖାଯାଉଛି ଫେସବୁକ୍ ପରଦାରେ ଓ ସାମାଜିକ ଗଣ ମାଧ୍ୟମରେ। ଲକ୍ଷ୍ୟ କରିବେ ଯେ, ଆମେ ‘ଲେଖାଯାଉଛି’ ବୋଲି କହିଲୁ, ‘ପଢ଼ାଯାଉଛି’ ବୋଲି ନୁହେଁ। ଆମ ଫେସବୁକିଆ ସାହିତ୍ୟିକ ମହଲରୁ କେହି କେହି ଅବା ଯୁକ୍ତି ରଖିପାରନ୍ତି, “କି କଥା କହିଲେ ଆପଣ? ଆପଣଙ୍କୁ କ’ଣ ଦୃଶ୍ୟ ହେଉନାହିଁ ଯେ ଫେସବୁକ୍ ରେ ପୋଷ୍ଟ ହେଉଥିବା ଆମର ଗୋଟିଏ ଗୋଟିଏ ଲେଖା ପାଠକମାନଙ୍କଠାରୁ କେତେ ପ୍ରଚୁର ‘ଲାଇକ୍’ ଓ ‘କମେଣ୍ଟ’ ପାଉଛି?” କିନ୍ତୁ ଟିକିଏ ନିରେଖିଲେ ଆମେ ଜାଣିପାରିବା ଯେ ଫେସବୁକ୍ରେ ସ୍ଥାନିତ ହେଉଥିବା ଗୋଟିଏ କବିତା ବା ଗପର ପାଦଦେଶରେ ଯେଉଁ ବୃଦ୍ଧାଙ୍ଗୁଷ୍ଠି ଅବା ଯୋଡହସ୍ତ ସୂଚକ ଇମୋଜୀମାନେ, କିମ୍ବା ‘ଗୁଡ୍’, ‘ୱାହ୍’ ଭଳି ମନ୍ତବ୍ୟମାନେ ଭିଡ଼ ଜମାଇଥାଆନ୍ତି, ତାହାର ପ୍ରେରକମାନଙ୍କ ମଧ୍ୟରୁ ଅନେକେ ଥରଟିଏ ହେଲେ ପଢ଼ିନଥା’ନ୍ତି ସେହି ଲେଖାକୁ।
ଅବଶ୍ୟ ଏହି ଫେସବୁକ୍ ମଧ୍ୟ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯେ ତୁଲାଉଛି ସେଥିରେ ଆମର ସନ୍ଦେହ ନାହିଁ। ଏହାକୁ ବରଂ ଆମ ସାହିତ୍ୟରେ ଗଣତନ୍ତ୍ରୀକରଣର ଏକ ଦୃଷ୍ଟାନ୍ତ ବୋଲି କୁହାଯାଇପାରେ। ଏହି ନବୀନ ମାଧ୍ୟମଟି ଦ୍ୱାରା ଆମ ସାହିତ୍ୟର ଅନେକ ପ୍ରତିଭାଧର ବଣମଲ୍ଲୀମାନେ ଲୋକଲୋଚନକୁ ଆସିପାରୁଛନ୍ତି ଓ ବହୁ ଉଚ୍ଚମାନର ରଚନା ମଧ୍ୟ ବିନା ପ୍ରତିବନ୍ଧକରେ ସର୍ଜିତ ଓ ପ୍ରକାଶିତ ହେବାର ଅବସର ଲାଭ କରୁଛନ୍ତି। କିନ୍ତୁ ତା’ସହିତ, ଏଥିରେ ପଠନ-ଅଯୋଗ୍ୟ କେତେକ ଅଳିଆ ମଧ୍ୟ ଯେଭଳି ସାହିତ୍ୟ ନାମରେ ପ୍ରସାର ଲାଭ କରି ରାଶି ରାଶି ଇମୋଜୀ ଓ ‘କମେଣ୍ଟ’ମାନ ସାଊଁଟୁଛନ୍ତି, ତାହା ଦେଖିଲେ ବିବ୍ରତ ହେବାକୁ ପଡେ। ଏପରିକି ହାଟ ମଝିରେ ବ୍ରହ୍ମଜ୍ଞାନ ଭଳି ଫେସବୁକ୍ର ଅସଂଯତ ପରିବେଶ ଭିତରେ ଆମର ସୁସାହିତ୍ୟ ବେଳେ ବେଳେ ଅଣନିଃଶ୍ୱାସୀ ହେବାକୁ ବସିଲାଣି।
ଥରେ ଏକ ହିନ୍ଦୀ ସମ୍ବାଦପତ୍ର ଦ୍ୱାରା ଏହି ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଜାମସେଦପୁରର ଜଣେ ଲେଖକ, ପ୍ରଫେସର ଅବନିଶ କୁମାର କହିଥିଲେ, “ଆଜିର ସାହିତ୍ୟ ଫେସବୁକ୍, ହ୍ୱାଟସଆପ ଓ ଟୁଇଟର, ଭିତରେ ହିଁ ସୀମିତ ହୋଇ ରହିଯାଇଛି। ସାହିତ୍ୟର ରଚନାକାରମାନଙ୍କ ସଂଖ୍ୟା ତ ବଢ଼ିଛି, କିନ୍ତୁ ସମସାମୟିକ ସମସ୍ୟାଗୁଡିକ ଉପରେ ଗୁଣାତ୍ମକ ଲେଖାର ସ୍ରଷ୍ଟାମାନଙ୍କ ସଂଖ୍ୟା ମଧ୍ୟ କମିଛି। ସୋସିଆଲ ମିଡିଆରେ ଅହରହ ଜଣେ ଜଣେ ନୂଆ ସାହିତ୍ୟିକ ଜନ୍ମ ନେଉଛନ୍ତି। ଏମାନେ ନିଜ ପୋଷ୍ଟ ଉପରେ ପାଉଥିବା କିଛି ‘କମେଣ୍ଟ’ ଓ ‘ଲାଇକ୍’ମାନ ଦେଖି ନିଜକୁ ଜଣେ ଜଣେ ବଡ଼ ଲେଖକ ବୋଲି ଧରିନେଉଛନ୍ତି। ଫଳରେ ଲୋକଙ୍କ ସାହିତ୍ୟ ପଠନର ସ୍ପୃହା ହିଁ କମିଯାଉଛି।” ତା’ଙ୍କର ଏହି ଟିପ୍ପଣୀ ସହିତ ଆମେ ସହମତ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )
ବର୍ତ୍ତମାନ ଅଧିକ ରଚନା ସୋସିଆଲ ମିଡିଆରେ ହିଁ ସୀମିତ ରହିଯାଉଛି।ସାହିତ୍ୟ ରଚନା ଫେସବୁକ୍ ବା ସୋସିଆଲ ମିଡ଼ିଆ ମଧ୍ୟରେ ସୀମିତ ନରହି ଛପା ଯାଇପାରିଲେ ଅଧିକ ଆଦୃତ ହୋଇପାରିବ।
ଖୁବ ସୁନ୍ଦର, ସଠିକ ଆକଳନ ଓ ସମୟ ଉପଯୋଗୀ ଲେଖା
ପ୍ରକୃତରେ ଫେସ୍ବୁକ୍ ବା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଯଥା ୱେବ୍ସାଇଟ କିମ୍ବା ଇ-ପତ୍ରିକାରେ ପ୍ରକାଶିତ ଲେଖା ପ୍ରତ୍ୟେକ ଦିନ ନୂଆ ନୂଆ ସାହିତ୍ୟିକ ବା ଲେଖକ ସୃଷ୍ଟି କରିବାରେ ବେଶ୍ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ, କିନ୍ତୁ ଏହିସବୁ ଲେଖାଗୁଡ଼ିକରୁ ଅନେକ ବା ବହୁଳ ଲେଖା ସାହିତ୍ୟ ପଦବାଚ୍ୟ ନୁହେଁ ବୋଲି ମୋର ଧାରଣା। ଏହାକୁ ନେଇ ବରିଷ୍ଠ ସାହିତ୍ୟିକ ଓ ପ୍ରତିଷ୍ଠିତ ଲେଖକମାନେ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି। କାରଣ ଏହା ନ ହେଲେ ଆଉ କିଛିଦିନ ମଧ୍ୟରେ ଅ-ସାହିତ୍ୟିକ ମାନେ ସାହିତ୍ୟିକର ସ୍ଥାନ ଗ୍ରହଣ କରିନେବା କିଛି ବିଚିତ୍ର ନୁହେଁ। ସାହିତ୍ୟ ପ୍ରକୃତ ଅର୍ଥ, ସ ହିତ ଯା ସାହିତ୍ୟ, ବା ସମସ୍ତଙ୍କ ହିତ କିମ୍ବା ଭଲ ହେଉଛି ସାହିତ୍ୟ। ଏହି ଅର୍ଥକୁ ମନରେ ରଖି ସାହିତ୍ୟ ଲେଖାଯିବା ଆବଶ୍ୟକ, ତାହା ଫେସ୍ବୁକ୍ ହେଉ ବା ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମ ହେଉ, ବା ଛାପା ମାଧ୍ୟମ ହେଉ।
There are serious writers who publish their writing in Facebook. The readers are required to give their comments on order to lead the writer in the right direction.
ଫେସବୁକ ପରି ଯେ କୌଣସି ସୋସିଆଲ ମିଡିଆ ହେଉ ବା ଛାପା ପୁସ୍ତକ ଆକାରରେ ହେଉ;ଯାହାବି ଲୋକଙ୍କ ଘାତ,ପ୍ରତିଘାତ ସହ ଜୀବନଚର୍ଯ୍ଯାକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରି ପାରିବ;ସେଇ ତକ ହିଁ କାଳ କାଳକୁ ରହିବ।ବାକି ସବୁ ସମୟ ସୁଅରେ ଆପେ ଭାସି ନିଶ୍ଚିହ୍ନ ହୋଇ ଯିବେ।ତେଣୁ ଏଥି ପାଇଁ ବିଶେଷ ବ୍ଯଥିତ ହେବାର କୌଣସି କାରଣ ନାହିଁ।