ଯଦି ୨୦୨୧ ମସିହାର ଅବ୍ୟବହିତ ପରେ ଆମକୁ ଏହି ସଂକଳନଟି ପଢ଼ିବାର ଅବସର ମିଳିଥା’ନ୍ତା; କିମ୍ବା ଏବକୁ ‘ପାଠକଙ୍କ ନିର୍ବାଚିତ ଶ୍ରେଷ୍ଠ ଓଡ଼ିଆ ଗଳ୍ପ ୨୦୨୨’ ନାମକ ସଂକଳନଟିଏ ଆମ ସାମ୍ନାରେ ଥାଆନ୍ତା, ତେବେ ହୁଏତ ଆମେ ଅଧିକ ଖୁସି ହୋଇଥାଆନ୍ତୁ। ଆଲୋଚ୍ୟ ପୁସ୍ତକଟି କିଛି ଦିନ ତଳେ ହିଁ ଉନ୍ମୋଚିତ ହୋଇଥିବା କଥା ବିଚାରକୁ ନେଲେ ମନେହୁଏ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷରେ ରଚିତ ଗଳ୍ପମାନଙ୍କର ସୁନିର୍ବାଚିତ ସଂଗ୍ରହଟିଏ ଦୀର୍ଘ ଦେଢ଼ ବର୍ଷ ପରେ ପ୍ରକାଶ ପାଇବା ହୁଏତ ସଦ୍ୟ ରଚିତ ଗଳ୍ପ ପଠନ ପାଇଁ ଅପେକ୍ଷାରେ ଥିବା ପାଠକମାନଙ୍କୁ ଏଥିପ୍ରତି କିଛିଟା ନିଃସ୍ପୃହ କରିପାରେ। ଅବଶ୍ୟ ଏ ଧରଣର ସଂକଳନଟିଏର ପରିକଳ୍ପନା କରି ତାହାକୁ ସାକାର କରିବା ଏତେ ସହଜ କଥା ନୁହେଁ।
ପୁସ୍ତକଟିର ମୁଖବନ୍ଧରୁ ଅବଗତ ହେଲୁ ଯେ “ଏକ ବିଶ୍ୱସନୀୟ ପ୍ରକ୍ରିୟାରେ ଭଲ ଗପ ବାଛି ସେଗୁଡ଼ିକୁ ପରିବେଷଣ କରିବା” ହେଉଛି ଏହି ପ୍ରକଳ୍ପଟିର ଉଦ୍ଦେଶ୍ୟ। ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷରେ ପ୍ରକାଶିତ ଓଡ଼ିଆ ଭାଷାର ପ୍ରାୟ ୬୩୦୦ ଗଳ୍ପ ମଧ୍ୟରୁ ୬୧ଟିକୁ ବାଛିବାର ପ୍ରକ୍ରିୟା, ଏକ ଦୃଷ୍ଟିରୁ ଦେଖିଲେ ସାଗର ମନ୍ଥନ କରି ସେଥିମଧ୍ୟରୁ ଅମୃତ ସାଉଁଟିବା ଭଳି। ତେବେ ସୂଚୀପତ୍ରରେ ସ୍ଥାନିତ ୬୧ଟି ଯାକ ଗଳ୍ପ ଯେ ସେହିବର୍ଷ ପ୍ରକାଶିତ ହୋଇଥିବା ଓଡ଼ିଆ ଗଳ୍ପର ଅମୃତୋପମ ପ୍ରତିନିଧିତ୍ୱ କରନ୍ତି ଏହା ନିଶ୍ଚିତ ଭାବରେ କହିହେବ ନାହିଁ।
ଅନ୍ୟ ଏକ କଥା ହେଲା, କୌଣସି ସାରସ୍ୱତ କୃତିକୁ ‘ଶ୍ରେଷ୍ଠ-ନିକୃଷ୍ଟ’ ବା ‘ଭଲ-ଖରାପ’ ଭଳି ସହଜ ବର୍ଗୀକରଣର ଅନ୍ତର୍ଭୁକ୍ତ କରାଇବା ପ୍ରଥା ସମ୍ଭ୍ରାନ୍ତ ସମାଲୋଚନା ସାହିତ୍ୟରେ ନାହିଁ। ଏ ଦୃଷ୍ଟିରୁ ଏହାକୁ ‘ଶ୍ରେଷ୍ଠ ଗଳ୍ପ’ ବୋଲି ନ କହି, କେବଳ ‘ପାଠକଙ୍କ ନିର୍ବାଚିତ ଗଳ୍ପ -୨୦୨୩’ ବା ସେହିଭଳି କିଛି ଭାବରେ ନାମିତ କରିବା ବୋଧହୁଏ ଅଧିକ ଯଥାର୍ଥ ହୋଇଥାଆନ୍ତା। ଏହି ଗଳ୍ପଗୁଡ଼ିକର ଚୟନ ପ୍ରକ୍ରିୟାରେ ୫୯ ଜଣ ପାଠକ ଭାଗ ନେଇଥିବା ଜଣାଯାଏ। ଏହି କ୍ରମରେ ପ୍ରଥମେ ସେହି ବର୍ଷରେ ପ୍ରକାଶିତ ଓଡ଼ିଆ ଗଳ୍ପଗୁଡ଼ିକ ମଧ୍ୟରୁ ୨୫୨ ଗୋଟି ଗଳ୍ପକୁ ସଂକ୍ଷିପ୍ତ-ସୂଚୀବଦ୍ଧ (ସର୍ଟଲିଷ୍ଟେଡ୍) କରାଯାଇ ସେମାନଙ୍କୁ ମୋଟ ୫୦ ନମ୍ବରରୁ ପ୍ରଯୁଜ୍ୟ ନମ୍ବର ଦେବାପାଇଁ ନିର୍ଦ୍ଦିଷ୍ଟ କିଛି ପାଠକ ଅବା ବିଚାରକମାନଙ୍କୁ କୁହାଯାଇଥିଲା। ମୋଟାମୋଟି ଭାବରେ କହିଲେ, ଏହି ପ୍ରକ୍ରିୟାରେ ଗୋଟିଏ ବର୍ଷରେ ପ୍ରକାଶିତ ଗଳ୍ପଗୁଡ଼ିକ ପ୍ରକାଶକଙ୍କ ଦ୍ୱାରା ଆୟୋଜିତ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କିଛି ପାଠକଙ୍କ ଦ୍ୱାରା ନିର୍ବାଚିତ ଏହି ୬୧ ଯାକ ଗଳ୍ପ ଯେ ପରିଶେଷରେ କାଳଜୟୀ ହେବାରେ ସମର୍ଥ ହେବେ ତାହା କହିହେବ ନାହିଁ। ଫକୀରମୋହନଙ୍କ ‘ରେବତୀ’, ଗୋଦାବରୀଶଙ୍କ ‘ମାଗୁଣିର ଶଗଡ଼’ ବା କାନ୍ତକବିଙ୍କ ‘ବୁଢ଼ା ଶଙ୍ଖାରି’ ଆଦି ଗଳ୍ପ ଭୂମିଷ୍ଠ ହେବାର ବହୁ ଦଶକ ପରେ ମଧ୍ୟ ଆଜି ଅଗଣିତ ପାଠକଙ୍କର ମନରେ ପ୍ରିୟ ଗଳ୍ପ ଭାବରେ ରାଜତ୍ଵ କରୁଛନ୍ତି, ସେମାନେ ଏଭଳି କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ନ ହୋଇଥିବା ସତ୍ତ୍ୱେ।
ସଂକଳନଟିର ସୂଚୀପତ୍ରରେ ସ୍ଥାନ ପାଇଥିବା ଚିହ୍ନା ଗାଳ୍ପିକମାନଙ୍କ ତୁଳନାରେ ନବ ପ୍ରତିଭାଙ୍କ ସଂଖ୍ୟା ଯଥେଷ୍ଟ କମ୍; ଯେତେବେଳେ କି ଆଶା କରାଯିବା ସ୍ୱାଭାବିକ ଯେ ଏହି ଅଭିନବ ଚୟନ ପ୍ରକ୍ରିୟାର ମାଧ୍ୟମଟି ଦେଇ ଅଧିକାଧିକ ବିସ୍ମୟ-ପ୍ରତିଭା ମଧ୍ୟ ଲୋକଲୋଚନକୁ ଆସିପାରିଥାନ୍ତେ। ଅବଶ୍ୟ ଏହି ସଂକଳନଟିକୁ ଆମ ସାହିତ୍ୟ ଜଗତରେ ଏକ ଅନନ୍ୟ ପ୍ରୟୋଗ ବୋଲି କହିବାକୁ ହେବ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ବାସ୍ତବିକ୍ ଏହାକୁ ଶ୍ରେଷ୍ଠ ଗଳ୍ପ ନକହି ପାଠକଙ୍କ ଦ୍ଵାରା ନିର୍ବାଚିତ ଗଳ୍ପ ବୋଲି କହିବା ଠିକ୍ ହେବ। ପ୍ରତିବର୍ଷ ଏହିଭଳି ବାର୍ଷିକ ଗଳ୍ପ ସଂକଳନ ପ୍ରକାଶ କଲେ ଭଲ ହୁଅନ୍ତା। ତେବେ ଲେଖକ ମାନଙ୍କ ମନରେ ପ୍ରତିଯୋଗୀ ମନୋଭାବ ରହିବା ଉଚିତ ନୁହେଁ।
ସୁନ୍ଦର ସମୀକ୍ଷା
ସେ ଯାହାହେଉ, ଏଭଳି ଏକ ସଙ୍କଳନ ପ୍ରକାଶିତ ହେବା ଓଡ଼ିଆ ସାହିତ୍ୟ ପାଇଁ ଏକ ଭଲ ଲକ୍ଷଣ। ମୋ ମତରେ ଆଉ କିଛି ଅଧିକ ପାଠକଙ୍କୁ ଯୋଡ଼ି ବା ଅଧିକ ପାଠକଙ୍କୁ ନେଇ ୬୧ଟି ଗଳ୍ପ ଚୟନ କରାଯାଇଥିଲେ ଆହୁରି ଭଲ ହୋଇଥାନ୍ତା। ଏହା ସହିତ ଜଣେ ଭଲ ବା ପରିଚିତ ବା ଅଧିକ ପଠିତ ଗାଳ୍ପିକ ଭଳି ଜଣେ ଅଧିକ ପଢ଼ୁଥିବା ପାଠକକୁ ଜାଣିବା ଓ ଚିହ୍ନିବା ଏକ ସହଜ ପ୍ରକ୍ରିୟା ନିଶ୍ଚିତଭାବେ ନୁହେଁ। ସେ ଯାହାହେଉ ଏହିଭଳି ଏକ ସଙ୍କଳନ କରିବା, ଏବଂ ତାଠାରୁ ବଳି ପୁସ୍ତକଟିକୁ ସମୀକ୍ଷା କରିଥିବା ନିହାର ବାବୁଙ୍କୁ ଅନେକ ଅନେକ ଧନ୍ୟବାଦ। ଏହା ସହିତ ଏହିଭଳି ସଙ୍କଳନର ସମ୍ପାଦକ ଓ ପ୍ରକାଶକଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
It is a praiseworthy initiative.