ପାଦ ଥିଲେ ଚାଲି ହୁଏ, ହାତ ଥିଲେ ସବୁବେଳେ ଲେଖି ହୁଏନା। ଲେଖକ ଏ ଯୁଗର ମହାମୌନ ତପସ୍ୱୀ।
ରାତି ଗୋଟାଏ। ଗୋଟିଏ ବଡ଼ ସହରର ଘଟଣା ଶୂନସାନ ରାସ୍ତା, ଦୋକାନ ବଜାର ବନ୍ଦ ମାତ୍ର ପାନୁଆର ମନ ହେଲା, ଯେତେ ଯାହା ହେଉ ପାନ ଖାଇବ ହିଁ ଖାଇବ। ରାସ୍ତାରେ ତା’ ସହିତ ଥାଏ ଗୋଟିଏ ସାଥୀ। ତାକୁ ଜିଦ୍ ଧରି କହିଲା ପାନ ଆଣିବା ପାଇଁ। ବିଚରା ସାଥୀଟି ନାଚାର। କିନ୍ତୁ ପାନୁଆ ସହଜେ ଛାଡ଼ିବା ଲୋକ ନୁହେଁ। ପେଟେ ମଦ ପିଇଛି। ଅବଶ୍ୟ ସାଥୀଟି ମଧ୍ୟ। ସେମାନଙ୍କ ମଧ୍ୟରେ ପାନ ପ୍ରସଙ୍ଗ ବେଳକୁ ବେଳ ଚରମ ସୀମା ଛୁଇଁଲା।
ତେବେ ପାନୁଆ ମଦ ନିଶାରେ ଚୂର ହୋଇଥିଲେ ମଧ୍ୟ ବାଜି ମାରି କହିଲା ଯେ, ସେ ଅଲବତ୍ ପାନ ଆଣିବ। ରାସ୍ତାରେ କାଁ ଭାଁ ଗୋଟିଏ ଖଣ୍ଡେ କାର ଯାଉଥିବା ବେଳେ ଗାଡ଼ି ଆଗରେ ଠିଆ ହୋଇ ପାନୁଆ ଟଳି ଟଳି ନାଚ ନାଚିଲା। କେହି କେହି ଗାଡ଼ି ଚାଳକ ବିରକ୍ତ ହୋଇ ତାକୁ ଗାଳି ଦିଅନ୍ତି। ମାତ୍ର ସେ ବାଜି ଜିତିବା ଲକ୍ଷ୍ୟରେ ଜିଦ୍ଖୋର। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ କାର୍ ଅଟକିଲା। ଗାଡ଼ିରୁ ଜଣେ ଭଦ୍ରଲୋକ ଓହ୍ଲାଇ ସମ୍ମାନର ସହ କହିଲେ, “ଭାଇ ଏତେ ରାତିରେ? ଘରେ ଛାଡ଼ିଦେବି?”
କିନ୍ତୁ ପାନୁଆର ଲକ୍ଷ୍ୟ ସ୍ଥିର ଥିଲା। ଏହାର ସରଳ ଓ ନିଧାର୍ଯ୍ୟ ଉତ୍ତର ଥିଲା ‘ପାନ ଅଛି?’
ଭଦ୍ର ବ୍ୟକ୍ତି ଜଣକ ନିଜ ପକେଟରେ ଥିବା ପାନପୁଡ଼ିଆଟି ତା’ ହାତକୁ ବଢ଼ାଇ ଦେବା ମାତ୍ରେ ପୂର୍ବରୁ ‘ଭାଲୁ ପରି’ ନାଚୁଥିବା ପାନୁଆଟି ‘ରାବଣ ପରି’ ହସିଲା। ଅବଶ୍ୟ ଭଦ୍ରବ୍ୟକ୍ତି ଜଣକ ପାନ ଦେବା ପରେ ସେଠାରୁ ଚାଲି ଯାଇଥିଲେ।
ଅସାମାନ୍ୟ ପାନୁଆ
ପ୍ରିୟ ପାଠକେ! ଆପଣମାନେ ହୁଏତ ଏହି ପାନୁଆକୁ ମନେ ମନେ ଘୃଣା କରିବା ପାଇଁ ଉଦ୍ୟତ ହୋଇଥିବେ। କିନ୍ତୁ ସେ ଜଣେ ସାମାନ୍ୟ ବ୍ୟକ୍ତି ନ ଥିଲେ। ସେ ହେଉଛନ୍ତି ଖୋକା ଭାଇ। ଅକ୍ଷୟ ମହାନ୍ତି। ଆମ ରାଜ୍ୟର ଘରେ ଘରେ ତାଙ୍କ ଗୀତ ବାଜୁଛି। ତାଙ୍କ ସାଥିରେ ଯିଏ ଥିଲେ, ସେ ମଧ୍ୟ କମ୍ ପ୍ରସିଦ୍ଧ ନୁହନ୍ତି। ସେ ହେଉଛନ୍ତି ପାରଦର୍ଶୀ କଥାକାର ପ୍ରକାଶ ମହାପାତ୍ର।
ଘଟଣାଟି ୧୯୮୩ ମସିହାର। ସେତେବେଳେ କଟକର ବାରବାଟୀ ଷ୍ଟାଡିୟମ ପଛ ପଟେ ଥିବା କଟକ କ୍ଲବରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମାବେଶରେ ଉଭୟେ ମନ ଭରି ମଦ୍ୟପାନ କରିଥିଲେ। ମଦ ଆସରରେ ମଦ ନିଶାରେ ଚିୟର୍ସ ବୋଲି କହିବା ବେଳେ ଶୁଭୁଥାଏ, ‘ଚେସସସ୍’। ତେବେ ଗୁଲୁଗୁଲିଆ ଜଣେ ହୃଷ୍ଟପୁଷ୍ଟ ନାବାଳକ ପାଇଁ ସେଇ ସମୟରେ ଏହି ଶବ୍ଦଟି ‘ସସସ….ସେକ୍ସ’। ଉଭୟେ ସେଠାକାର କୁସନରେ ବସି ପିଇବା ବେଳେ ପିଲାଟିର ପାଟିରୁ ବାହାରୁଥାଏ, ‘ଏଇ ଲାଷ୍ଟ୍ଟାଇମ ଟିକେ ସେକ୍ସ କରିଦିଅ।’ ଏମିତି କହିବା ବେଳେ ସେ ଗ୍ଲାସରେ ଗ୍ଲାସ ବାଡ଼େଇଲା। (ଦ୍ରଷ୍ଟବ୍ୟ: ସ୍ସ୍ସ୍ ସେକ୍ସ, ପ୍ରକାଶ ମହାପାତ୍ର, କଥାର ନାମ ବଂଶୀ, ୧୨୯)
ଅକ୍ଷୟ ମହାନ୍ତି (୧୯୩୬-୨୦୦୨)ଙ୍କ ଠାରେ ବିଦ୍ୟମାନ ଥିଲା ପ୍ରଚଣ୍ଡ ସର୍ଜନଶୀଳ ପ୍ରତିଭା। କେବଳ କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଭାବେ ନୁହେଁ, ସେ ଜଣେ ଭିନ୍ନ ଧରଣର ସାହିତ୍ୟିକ। ତାଙ୍କ ରଚିତ ‘ବାଃ ବାଃରେ ଆମେରିକା’ ଭ୍ରମଣ କାହାଣୀ ଏହା ପୁଷ୍ଟ କରେ। ସମାଲୋଚକଙ୍କ ମତରେ ତାଙ୍କ ଲେଖାରେ ପରିଦୃଷ୍ଟ ହୁଏ, “ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାପୂର୍ଣ୍ଣ ନାଟକୀୟ ବିନ୍ୟାସ, କଥକତାଧର୍ମୀ ଶୈଳୀ, କବିତାମୟ ସାବଲୀଳ ବର୍ଣ୍ଣନା।” ତାଙ୍କ ରଚିତ ତିନୋଟି ଗୀତି କବିତା ବହି ମଧ୍ୟରେ ‘ମଧୁଶାଳା’ ଶୀର୍ଷକ ପୁସ୍ତକଟି ଅନ୍ତର୍ଭୁକ୍ତ।
ବିରଳ ବିଶେଷତ୍ୱ
ଅକ୍ଷୟ ମହାନ୍ତିଙ୍କ ଚରିତ୍ରର ଏକ ବିରଳ ବିଶେଷତ୍ୱ ହେଉଛି ଯେ, ସେ ମଦ୍ୟପାନ କରିବା ବିଷୟକୁ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି, ଯଦିଚ ଆମ ସମାଜରେ ଏହା ଏକ ମନ୍ଦ ଓ ଘୃଣ୍ୟ ଅଭ୍ୟାସ ଭାବେ ନିନ୍ଦିତ।
ଏହି ମର୍ମରେ ଅନ୍ୟ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଆମ ନଜରକୁ ଆସନ୍ତି। ସେ ହେଉଛନ୍ତି ଏକାଧାରରେ ସାହିତ୍ୟ ସାଧକ, ରାଜନୀତିଜ୍ଞ, ସାମ୍ବାଦିକ ଓ ଜନସେବକ ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦)। ଲେଖକର ସଂଜ୍ଞା ସମ୍ପର୍କରେ ସେ କହିଛନ୍ତି, “ପାଦ ଥିଲେ ଚାଲି ହୁଏ, ହାତ ଥିଲେ ସବୁବେଳେ ଲେଖି ହୁଏନା। ଲେଖକ ଏ ଯୁଗର ମହାମୌନ ତପସ୍ୱୀ ଓ ଲେଖା ତା’ର ତପସ୍ୟା:- ସତ୍ୟର ସନ୍ଧାନ ପାଇଁ ଓ ନୂତନ ମୂଲ୍ୟବୋଧର ପରିଚୟ ପାଇଁ ଚପଶ୍ଚରଣ ମଧ୍ୟରେ ଯେତିକି, ସ୍ଖଳନ ମଧ୍ୟରେ ମଧ୍ୟ ସେତିକି।” (ଦ୍ରଷ୍ଟବ୍ୟ- ମୁଁ କାହିଁକି ଲେଖେ, ସାହିତ୍ୟ କୋଷ, ପୃ. ୧୪୪୫)
ତାଙ୍କ ଲେଖନୀରେ ସ୍ଖଳନ ସମ୍ପର୍କରେ ପ୍ରବୀଣ ସାହିତ୍ୟିକ ସମାଲୋଚକମାନେ ଅବଶ୍ୟ ବିଜ୍ଞ ମତ ରଖିବେ। କିନ୍ତୁ ତାଙ୍କ ଜୀବନଚରିତରେ ସାଧାରଣଠାରୁ ଯେଉଁ ବ୍ୟତିକ୍ରମ ଆମର ଦୃଷ୍ଟି ଆକର୍ଷଣ କରିଥାଏ, ତାହା ଉଲ୍ଲେଖନୀୟ। ତାଙ୍କ ବିବାହ ସମୟର ଘଟଣା। କନ୍ୟା ଘର ପକ୍ଷରୁ ଗାଡ଼ି ଠିକ୍ ସମୟରେ ତାଙ୍କ ଡଗରପଡାସ୍ଥିତ ଘରେ ପହଂଚି ନ ଥିବାରୁ ସେ ନିଜେ ବେକରେ ଫୁଲମାଳ ଲମ୍ବାଇ ଅବିଳମ୍ବେ ଶ୍ୱଶୁରଘର ଆଡ଼କୁ ଚାଲିଲେ। ଏହି ଖବର ଶ୍ୱଶୁରଘର ଲୋକେ ଜାଣିବା ମାତ୍ରେ ନିମଚଉଡ଼ି ଠାରେ ଯାତ୍ରାରତ ସୁରେନ୍ଦ୍ରଙ୍କୁ ଦେଖି ଆଣିଥିବା ଫୁଲରେ ମଣ୍ଡିତ କାର୍ରେ ତରବରରେ ଜବରଦସ୍ତ ବସାଇଲେ। ଏହି ଦୃଷ୍ଟାନ୍ତକୁ କିଏ କହିପାରେ ତାଙ୍କ ଧୈର୍ଯ୍ୟହୀନତା। ଅବଶ୍ୟ ଅନ୍ୟ କେହି କହିପାରେ ଶୃଙ୍ଖଳାଜ୍ଞାନ। ସେମିତି ଭୂତପୂର୍ବ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଅଜ୍ଞାତରେ ତାଙ୍କ ତକିଆ ତଳ ପାଶ୍ୱର୍ରୁ ପାଞ୍ଚ ଶହ ଟଙ୍କା ନେଇ ଗଣତନ୍ତ୍ର ପରିଷଦ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆମେ ଅବଶ୍ୟ ଜାଣି ନାହୁଁ ସିଂହଦେଓ ମହାଶୟ ପର୍ସ ପରେ ଦେଖି ଚୋରି ହୋଇଛି ବୋଲି ଭାବିଥିବେ କି ନାହିଁ। ସେ ଯାହା ହେଉ ଏହି ସମ୍ପର୍କରେ ତାଙ୍କର ଜଣେ ଜୀବନୀ ଆଲୋଚକ ମନ୍ତବ୍ୟ ଦେଇଛନ୍ତି, “….ଏ ବ୍ୟାପାରରେ ସେ ମିଥ୍ୟା, ଚୋରି ଓ ଛଳନା ଇତ୍ୟାଦିର ପଥ ଆପଣେଇଥିବା ଅକପଟ ଭାବେ ନିଜ ଜୀବନସ୍ମୃତିରେ ଲେଖିଛନ୍ତି। କାରଣ ତା’ ପୂର୍ବରୁ ଉତ୍ପୀଡ଼କ ଜୀବନ ତାଙ୍କୁ ଏକ ପ୍ରକାର ଅସହାୟ କରି ଦେଇଥିଲା।”
ସୌମ୍ୟରଞ୍ଜନଙ୍କ ଭେଟି
ପରବର୍ତ୍ତୀ ସମୟରେ ତାଙ୍କର କୌଣସି ଏକ ଜନ୍ମଦିନ-ପାଳନ ଅବସରରେ ଯାହା ଘଟିଥିଲା, ତାହା ଉଲ୍ଲେଖନୀୟ। ଏହି ମର୍ମରେ ଗୋଟିଏ ଉଦ୍ଧୃତି ହେଉଛି, “ଜନ୍ମଦିନରେ ତାଙ୍କୁ ଭେଟିବାକୁ ଅନେକ ବ୍ୟକ୍ତି କିଏ କଲମ, କିଏ ଭାଗବତ, କିଏ ଜଗନ୍ନାଥଙ୍କ ଫଟୋ ଇତ୍ୟାଦି ନେଇ ଯାଆନ୍ତି। କିନ୍ତୁ ସୌମ୍ୟରଞ୍ଜନ ପଟ୍ଟନାୟକ ବିରାଟ ଲାଲ ଗୋଲାପର ଗୋଟିଏ ତୋଡ଼ା ସାଙ୍ଗକୁ ସୁରେନ୍ଦ୍ର ବାବୁଙ୍କ ମନପସନ୍ଦର ବଡ଼ ସ୍କଚ୍ ବୋତଲ ନେଇ ଭେଟନ୍ତି। ଏସବୁକୁ ଦେଖି ଉଲ୍ଲସିତ ସୁରେନ୍ଦ୍ର ବାବୁ ଥରେ କହିଥିଲେ, “ଆସ,ସୌମ୍ୟବାବୁ, ଏମାନେ ଭାଗବତ, ଗଙ୍ଗା ପାଣି, ଜଗନ୍ନାଥ ଫଟୋ ଦେଇ ମୋ ଜନ୍ମଦିନରେ ମୋତେ ମଶାଣିକୁ ପଠେଇବାର ପରିବେଶ ତିଆରି କରି ସାରିଥିଲେ। ତୁମେ ଅନ୍ତତଃ ମୋତେ ଏଥିରୁ ନିଷ୍ପୃତି ଦେଲ।” (ଦ୍ରଷ୍ଟବ୍ୟ: ଓଡ଼ିଆ ସାହିତ୍ୟର ବିସ୍ମୟ ବିଶ୍ୱକର୍ମା, ଗୌରହରି ଦାସ, ୨୧ ଡିସେମ୍ବର ୨୦୨୨)।
ମନପସନ୍ଦର ମଦ ବୋତଲ ମିଳିଗଲେ, ମଶାଣି ଘୁଂଚି ଘୁଂଚି ହଜିଯାଏ ଚକ୍ରବାଳ ସମୀପରେ। ମଦର ଶକ୍ତି କେତେ ଅକଳନ, ଏହା ଏଥିରୁ ଅନୁମେୟ। ଅବଶ୍ୟ ଏଥି ପୂର୍ବରୁ ମଧ୍ୟ ଏମିତି ମଦ୍ୟାସକ୍ତି ଅନ୍ୟ ଲେଖକଙ୍କଠାରେ ବିଦ୍ୟମାନ ଥିଲା।
ଜନପ୍ରିୟ ଗପ ‘ପେଟେଣ୍ଟ ମେଡିସିନ୍’ର ସ୍ରଷ୍ଟା ଫକୀର ମୋହନ ସେନାପତି (୧୮୪୩-୧୯୧୮) ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଯେ, ସେ ପ୍ରଥମେ ମଦିରାକୁ ବିଷ ତୁଲ୍ୟ ମଣୁଥିଲେ। … ହଠାତ୍ ମଦ ପିଇବା ପରେ ତାଙ୍କର ସବୁ ଘୃଣା ଉଭେଇଗଲା।…. ପ୍ରାର୍ଥନା ପରେ ସେ ଅନ୍ୟମାନଙ୍କ ସହ ମଦ୍ୟପାନ କରିବା ଚାଲୁ ରଖିଲେ। ଅବଶ୍ୟ ନିଶାସକ୍ତ ବୋଲି କେହି ନ ଜାଣନ୍ତୁ- ଏହି କାରଣରୁ ସେ ନିଜକୁ ସୀମିତ କରୁଥିଲେ। …. ସେମାନେ (ତିନି ଜଣ) ଶକ୍ତିଶାଳୀ ମଦର ଗୋଟିଏ ବୋତଲ ପିଉଥିଲେ। ….କ୍ଲାନ୍ତିରୁ ବିମୁକ୍ତ ହେବାକୁ ଫକୀର ମୋହନ ପ୍ରଥମେ ଦୁଇ ପେଗ୍ ଦେଶୀ ମଦରୁ ଆରମ୍ଭ କଲେ ଇତ୍ୟାଦି। ଆଇରିଶ କବି ଡବ୍ଲ୍ୟୁ. ବି. ୟିଟସ୍ (୧୮୬୫-୧୯୩୯) “ଡ୍ରିଙ୍କିଙ୍ଗ ସଙ୍ଗ୍” ଶୀର୍ଷକ ଲେଖିଥିବା ପ୍ରସିଦ୍ଧ କବିତା ଆଧାରରେ ଜେପି ଦାସ “ସ୍ୱାଦ୍ୟ” ନାମରେ ଗୋଟିଏ କ୍ଷୁଦ୍ର କବିତା ରଚନା କରିଛନ୍ତି,
“ମତେ ଭଲ ଲାଗେ ଗଦ୍ୟ
ମନ୍ଦ ଲାଗେନା ପଦ୍ୟ
ଯେଉଁଟି କିନ୍ତୁ ଅତି ଭଲ ଲାଗେ
ସେଇଟି ହେଉଛି ମଦ୍ୟ।”
ଚାରୋଟି ଉପାଦାନ
ପଦ୍ମଭୂଷଣରେ ଭୂଷିତ କବି ହରିବଂଶ ରାୟ ବଚ୍ଚନ (୧୯୦୭-୨୦୦୨) ୨୮ ବର୍ଷ ବୟସ ବେଳେ ୧୩୫ଟି ଚାରିଧାଡ଼ିଆ କବିତା ବିଶିଷ୍ଟ ‘ମଧୁଶାଳା’ ରଚନା କରିଥିଲେ। ଜୀବନର ଜଟିଳତାକୁ ଅବତାରଣା କରିବାକୁ ସେ ଚାରୋଟି ଉପାଦାନ ଉପଯୋଗ କରିଥିଲେ: ମଦ, ସାକୀ (ସୁରା ପରିବେଷଣକାରୀ ତରୁଣ ବା ତରୁଣୀ), ପ୍ୟାଲା (ପାତ୍ର, କବ୍ ବା ଗ୍ଲାସ) ଓ ମଧୁଶାଳା (ମଦିରାଳୟ, ବାର୍)। ସେ ଓମାର ଖୟାମଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ‘ମଧୁଶାଳା’ ଅପାର ଲୋକପ୍ରିୟତା ହାସଲ କରି ବିଭିନ୍ନ ଭାଷାରେ ଅନୂଦିତ ହୋଇଥିଲା। ତାଙ୍କ ଜୀବନ ଦର୍ଶନରେ ଥିଲା, ‘ଏ ଶରୀର ମାଟିର, ମନ ଖେଳୁଆଡ଼ ଓ ଜୀବନ କ୍ଷଣିକ’ ତାଙ୍କ ଏହି ସମ୍ପର୍କିତ ତିନିଖଣ୍ଡ ବିଶିଷ୍ଟ ବହିରେ ମଧୁଶାଳା ବ୍ୟତୀତ ଅନ୍ୟ ଦୁଇଟି ଲେଖା ମଧୁକଳା ଓ ମଧୁକଳଶ।
‘ମଧୁଶାଳା’ ପଦ୍ୟାବଳୀରେ ଏମିତି କିଛି ରହିଛି: ଗୋଟିଏ ମଦୁଆ ମଦ ପିଇବା ପାଇଁ ମଦ୍ୟଶାଳାକୁ ଚାଲିଲା। କିନ୍ତୁ କେଉଁ ରାସ୍ତାରେ ଯିବାକୁ ପଡ଼ିବ, ସେ ଜାଣି ପାରିଲା ନାହିଁ। ତା’କୁ ଦିଗ୍ଦର୍ଶନ ଦେଖାଇବାକୁ ପରାମର୍ଶ ଦିଆଗଲା ଯେ, ଯେଉଁ ରାସ୍ତାରେ ଚାହୁଁଛ ଯାଅ। କିନ୍ତୁ ଚାଲ, ତେବେ ମଧୁଶାଳାରେ ପହଞ୍ôଚବ। ଏହା ଏକ ପଦ୍ୟାଂଶର ଦୃଷ୍ଟାନ୍ତ। ସାହିତ୍ୟିକଙ୍କ ମତରେ ଏହା ବେଦାନ୍ତ ଓ ସୁଫି ଦର୍ଶନରେ ପରିପୁଷ୍ଟ ଓ ଛାୟାବାଦର (ନିଓ-ରୋମାଣ୍ଟିସିଜମ୍) ଏକ ଅନନ୍ୟ ସୃଷ୍ଟି।
ଯେ କୌଣସି ବ୍ୟକ୍ତିକୁ ଲାଗିପାରେ ଯେ, ଜଣେ ଯଦି ଏତେ ନିଖୁଣ ଭାବେ ମଦିରା ଉପରେ ପଦ୍ୟ ଲେଖୁଛି, ଏହାର କାରଣ ହେବ ଯେ, ସେ ନିଜ ଜୀବନରେ ଏହାର ପ୍ରତ୍ୟକ୍ଷ ଅନୁଭୂତି ଭୋଗିଛି। କିନ୍ତୁ ହରିବଂଶ ବାରମ୍ବାର କହିଛନ୍ତି ଯେ, ସେ ଜୀବନରେ ମଦ ଛୁଇଁ ନାହାନ୍ତି। ଅବଶ୍ୟ ଖୋକାଭାଇ ମଧ୍ୟ ‘ମଧୁଶାଳା’ ରଚନା କରିଛନ୍ତି କିନ୍ତୁ ସେ ମଦ୍ୟପ ବୋଲି ଖୋଲାମେଲା ଭାବେ ସ୍ୱୀକାର କରିଛନ୍ତି। ତାଙ୍କ କ୍ଷେତ୍ରରେ ପୋଥି ବାଇଗଣ ଓ ବାଡ଼ି ବାଇଗଣ ଏକା। ମାତ୍ର ହରିବଂଶଙ୍କ କ୍ଷେତ୍ରରେ ଏହା ସତ ନୁହେଁ। ତଥାପି ସାଧାରଣ ଲୋକେ ହୁଏତ କହିବେ:
“ଶୁଣ୍ଢୀ ଦୁଆରେ ଦୁଧ ପିଇଲେ
ସମସ୍ତେ କହିବେ ମଦ।
ଗଉଡ଼ ଦୁଆରେ ମଦ ପିଇଲେ
ସମସ୍ତେ କହିବେ ଦୁଧ।”
ଅର୍ଥାତ୍ ସ୍ଥାନ-କାଳ-ପାତ୍ରର ପ୍ରଭାବ ସାଧାରଣ ଭାବେ ଅଲଂଘନୀୟ। ତଥାପି ହରିବଂଶ ଯଦି ମଦ ଉପରେ ଲେଖି ଜଣେ ମଦ-ବର୍ଜନକାରୀ ବ୍ୟକ୍ତିର ଭାବମୂର୍ତ୍ତି ସୃଷ୍ଟି କରିପାରିଛନ୍ତି, ଏହା ଏକ ଅଚିନ୍ତ୍ୟ ସୌଭାଗ୍ୟର ପରିଚାୟକ ହେବ।
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଲେଖକ ମହାଶୟ ତାଙ୍କ ରଚନାରେ ଏ ଯୁଗର ଯେଉଁ କେତେ ଜଣ ମହାମୌନ ତପସ୍ୱୀଙ୍କର ବିଶେଷ ଘଟଣା ବର୍ଣ୍ଣନା କରିଛନ୍ତି ତାହା ବହୁତ ହୃଦୟ ସ୍ପର୍ଶୀ ହୋଇଛି ।
ମହାମୌନ ତପସ୍ୱୀଙ୍କ ମଧ୍ୟରେ ଅନେକ ହରିବଂଶ ଅଛନ୍ତି , ଅନେକ ଖୋକା ଭାଇ ମଧ୍ୟ ଅଛନ୍ତି ।
ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଲେଖା ଲେଖୁଥିବା ଡ. ନିଖିଳାନନ୍ଦ ପାଣିଗ୍ରାହୀ ପ୍ରକୃତରେ ଜଣେ ନିଆରା ଲେଖକ। ଏକା ସଙ୍ଗରେ ୪/୫ ଜଣ ପ୍ରତିଷ୍ଠିତ ଲେଖକଙ୍କ ସମ୍ପର୍କରେ ବର୍ଣ୍ଣନା ଏବଂ ତାହା ପୁଣି ମଦ ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଏହା କେବଳ ବୋଧ ହୁଏ ଡ. ନିଖିଳାନନ୍ଦ ପାଣିଗ୍ରାହୀଙ୍କ ଭଳି ଲେଖକଙ୍କ ଦ୍ୱାରା ସମ୍ଭବ। ତାହା ସହିତ ଲେଖାରେ ରହିଛି ହାସ୍ୟ, ବ୍ୟଙ୍ଗ ଓ ରସୋତୀର୍ଣ୍ଣ ସହିତ ଗ୍ରାମ୍ୟ ଭାଷାର ଝଲକ। ଏସବୁ ଉପରେ ସବୁଠାରୁ ବଡ଼କଥା ହେଉଛି ଲେଖାଟି ପଢ଼ିଲେ ପାଠକ ବିରକ୍ତ ହେବ ନାହିଁ ବରଂ ଉଲ୍ଲସିତ ହେବ। ଗୋଟିଏ ଅପେକ୍ଷାକୃତ ଛୋଟ ଲେଖାରେ ଅନେକ ପ୍ରସଙ୍ଗକୁ ପାଠକର ମନକୁ ଛୁଇଁବା ଭଳି କେତେ ଲେଖକ ଲେଖିପାରନ୍ତି ତାହା ହେଉଛି ଆଜିର ସମୟରେ ଓଡ଼ିଆ ସାହିତ୍ୟର ଏକ ବଡ଼ ପ୍ରଶ୍ନ।
ସେ ଯାହା ହେଉ ଡ ପାଣିଗ୍ରାହୀଙ୍କ ଲେଖାଟି ବେଶ୍ ଆମୋଦଦାୟକ ଏବଂ ପାଠକ ଉପଯୋଗୀ ହୋଇପାରିଛି। ସେଥିପାଇଁ ଉଭୟ ଲେଖକ ଓ ସମ୍ପାଦକଙ୍କୁ ଧନ୍ୟବାଦ ଓ ଶୁଭକାମନା ଜଣାଉଛି।