ସନ୍ତପ୍ତା

ବାକ୍‌ଶୂନ୍ୟା ହେଇଗଲେ ଅପ୍‌ସରା। ଗଙ୍ଗୁଆ ବ୍ରିଜ୍‌ ପାଖକୁ ଯାଇ ଠିଆହେଲେ। ମଇଳା ଆବର୍ଜନା ସବୁ ନେଇ ଧୀରେ ଧୀରେ ବହୁଥିଲା ନଦୀଟି।

ଆରାଧନା ମିଶ୍ର

ସ୍ବର୍ଗରେ କେତେ ନଦୀ ଓ ପୁଷ୍କରିଣୀ! ଅପ୍‌ସରାଗଣ ଆଜି ଏ ନଦୀରେ ଗାଧେଇବାକୁ ଯାଆନ୍ତି, ତ କାଲି ସେ ପୁଷ୍ଖରିଣୀକୁ। ସେଦିନ ସୁନ୍ଦରୀ ମେନକା ନିଜ ହଳଦୀ, ତେଲ ନେଇ ନଦୀକୁ ଗାଧେଇ ବାହାରିବା ବେଳେ ହଠାତ୍‌ ମନେ ପଡ଼ିଲା ଗନ୍ଧବତୀ ପୁଷ୍କରିଣୀ କଥା। ଆଃ! ଗନ୍ଧବତୀ ପୁଷ୍ଖରିଣୀ ! କି ସୁନ୍ଦର ବାସ୍ନା ତା ପାଣିର! ବହୁତ ଦିନ ତଳେ ସେ ଗାଧେଇଥିଲେ ସେଠାରେ। ମର୍ତ୍ତ୍ୟରେକି ସୁନ୍ଦର ସେଇ ଜଳାଶୟ ! କି ଥଣ୍ଡା ତା ପାଣି ! ସେଇ ନଈପାଣିର ନିର୍ମଳତା ଆଉ ସୁଗନ୍ଧ, ଦେବତା ଆଉ ଦେବୀଗଣଙ୍କୁ ଅନେକ ସମୟରେ ଟାଣିଆଣେ ସେଠିକୁ। କେତେ ମଠ ଆଉ ମନ୍ଦିର ସେ ଜଳାଶୟର କୂଳେ କୂଳେ!
‘ଆଜି ଏଇଠି ହିଁ ଗାଧେଇବି’ ଭାବି ଧରାକୁ ଅବତରଣ କଲେ ରୂପସୀ। ବାଟରେ ଦେଖା ହେଲେ ବରୁଣ ଦେବତା। ତାଙ୍କର ‘କୁଆଡ଼େ ଯାଉଛ?’ ପ୍ରଶ୍ନର ଉତ୍ତର ଦେଇ କହିଲେ ମେନକା ‘ଗନ୍ଧବତୀ ପୁଷ୍କରିଣୀକୁ’। ହାତରେ ହଳଦୀ,ତେଲ ଦେଖି ବରୁଣ ବୁଝିଗଲେ ସୁନ୍ଦରୀ ଗାଧେଇ ଯାଉଛନ୍ତି । ବାରଣ କଲେ ମେନକାଙ୍କୁ। କହିଲେ ‘ଏବେ ନଦୀ ଓ ପୁଷ୍କରିଣୀମାନଙ୍କ ଅବସ୍ଥା ଭଲ ନାହିଁ ଧରାରେ ମେନକା। ତୁମେ ଫେରିଯାଅ।’ କିନ୍ତୁ ମେନକାଙ୍କ ତ ମନ ଲାଗିଛି ଗନ୍ଧବତୀ ପୁଷ୍କରିଣୀ ପାଇଁ। ଯେମିତି ବରୁଣ ସ୍ବର୍ଗ ଆଡ଼କୁ ଯିବାକୁ ତାଙ୍କୁ ପଛ କଲେ, ମେନକା ଧରାକୁ ଓହ୍ଲେଇ ଆସିଲେ। ଲିଙ୍ଗରାଜ ମନ୍ଦିର ପାଖରେ ସେ ପୁଷ୍କରିଣୀ। ଚାରିପଟେ ବୁଦାଲତା ପୂର୍ଣ ପରିବେଶ ।

କିନ୍ତୁ ସେଠି ଓହ୍ଲେଇ ହତବାକ୍‌ ହେଇଗଲେ ସେ। କାହିଁ ଆଉ ଜଙ୍ଗଲ ! ଖାଲି ଘର ଆଉ ଘର। ଗୋଟିଏ ଆବର୍ଜନା ଭରା ନର୍ଦ୍ଦମା ପାଇଲେ ଯାହା। ପାଖ ପାନ ଦୋକାନରେ ଠିଆ ହେଇଥିଲେ ତିନି, ଚାରୋଟି ଟୋକା। ତାଙ୍କୁ ଯାଇ ପଚାରିଲେ ଗନ୍ଧବତୀ ପୁଷ୍କରିଣୀ କଥା। ସମସ୍ତେ ମନାକଲେ, ଟିକିଏ ଇତଃସ୍ତତଃ ହେଲେ – ‘ଗନ୍ଧବତୀ ପୁଷ୍କରିଣୀ କଣ ହୋ ! ‘ ସେଥିରୁ ଗୋଟିଏ ଚୁଲୁବୁଲିଆ ଟୋକା ମେନକାଙ୍କୁ କହିଲା ‘ତୁମେ ଭୁଲ୍‌ କହୁଛ। ସେଇଟା ରଙ୍ଗବତୀ। ‘ ‘ରଙ୍ଗବତୀ ହୋ ରଙ୍ଗବତୀ —‘ ଗାଇ, ଟିକେ ଅଣ୍ଟା ହଲେଇ, ମେନକାଙ୍କୁ ପଚାରିଲା, ସେଇଟା କି? ସମସ୍ତେ ହସି ଉଠିଲେ।
ମେନକାଙ୍କୁ ବହୁତ ଦୁଃଖ ଲାଗିଲା। ଆଗେଇ ଗଲେ ସେ। ଆଗକୁ ଯାଇ ଗୋଟିଏ ବୁଢ଼ା ଭଦ୍ରବ୍ୟକ୍ତିଙ୍କୁ ପଚାରିଲେ ଗନ୍ଧବତୀ କଥା । ବୁଢ଼ା ଜଣକ ଦୁଃଖୀ ଦେଖାଗଲେ। କହିଲେ ‘ମା! ଆଉ ସେ ଗନ୍ଧବତୀ ନାହିଁ । ଏବେ ଗଙ୍ଗୁଆ ନଳା ଅଛି। ସହରର ସବୁ ମଇଳା ଆବର୍ଜନା ନେଇ ବହୁଛି। ତାର ପୋଚକା ପାଣି ଦୁର୍ଗନ୍ଧମୟ। ସେଠି କୌଣସି ଜୀବଜନ୍ତୁ ବଞ୍ଚି ରହନ୍ତିନି କାରଣ ସେଇ ପାଣି ବିଷ ହେଇ ଯାଇଛି। ଯୋଉ ସହର ତାର ଚାରିପାଖେ ଗଢ଼ି ଉଠିଥିଲା ସେଇ ସହର ଆଜି ତାକୁ ଏକ ମଇଳା ନିଷ୍କାସନର ନଳା ଭାବରେ ବ୍ୟବହାର କରୁଛି। ‘ଆମେ ମଣିଷ ପ୍ରକୃତିକୁ ସମ୍ମାନ ଦେଇ ଶିଖିନୁ ମାଆ’, କହି ଆଗେଇଗଲେ ସେ।
ବାକ୍‌ଶୂନ୍ୟା ହେଇଗଲେ ଅପ୍‌ସରା। ଗଙ୍ଗୁଆ ବ୍ରିଜ୍‌ ପାଖକୁ ଯାଇ ଠିଆହେଲେ। ମଇଳା ଆବର୍ଜନା ସବୁ ନେଇ ଧୀରେ ଧୀରେ ବହୁଥିଲା ନଦୀଟି। କିଏ ତାକୁ ନଦୀ କହୁ କି ନଳା, ତା କାମ ସେ କରି ଯାଉଥିଲା ଚୁପ୍‌ଚାପ୍‌। ନଦୀର ଉପରମୁଣ୍ଡ ଆଡ଼କୁ ଗଲେ। କଟକ ରୋଡ଼ରେ ବହି ଯାଉଥିବା ତା’କୁ ଭୁଲ୍‌ରେ ବି କେହି ନଦୀ କହିବେନି! କି କଳା, ଦୁର୍ଗନ୍ଧଭରା ପାଣି! ଆହୁରି ଉପରକୁ ଯାଇ ଦେଖିଲେ ଯେତେ ଛୋଟ ଛୋଟ ପାଣି ଝର ଆସି ତା’ଠି ମିଶୁଥିଲେ; ସମସ୍ତେ ମୃତପ୍ରାୟ, କିଏ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ୍‌ ତଳେ, ତ କିଏ ଜଙ୍ଗଲ ସଫା ଆଳରେ ଶେଷ ହେଇଯାଇଛି।
ଦୁଃଖରେ ଭାଙ୍ଗିପଡ଼ିଲେ ମେନକା। ଏଇ ସେଇ ବୁଦ୍ଧିମାନ୍‌ ମଣିଷ ! ଯାହାକୁ ନେଇ ସଂସାରର ସୃଷ୍ଟି, ତା ପ୍ରତି ଏଇ ବ୍ୟବହାର! ନଦୀ ଜଣେ ଦେବୀର ରୂପ ନେଇ ତାଙ୍କ ଆଗରେ ଠିଆହେଲା। ମୁହଁରେ ହସ ଟିକିଏ ଫୁଟେଇ ପାରୁନଥିଲେ ବି କହିଲା ‘ବ୍ୟସ୍ତ ହୁଅନ୍ତୁନି ଦେବୀ। ଆଜି ମଣିଷ ମନ ଏତେ ମଇଳା ହେଇଛି ବୋଲି ପ୍ରକୃତି ପ୍ରତି ତା’ କର୍ତ୍ତବ୍ୟ ସେ ଜାଣି ପାରୁନି। ଦିନେ ନା ଦିନେ ସେ ନିଶ୍ଚିତ ସଚେତନ ହେବ।’ ମେନକା ମୂକ ପରି ଚାହିଁ ରହିଲେ ତାକୁ। ଗନ୍ଧବତୀ ସାମାନ୍ୟ ହସି କହିଲା ‘ହଁ, ହୁଏତ ମୁଁ ଆଉ ନଥିବି ସେତେବେଳେ।’

2 thoughts on “ସନ୍ତପ୍ତା

  1. ସୁନ୍ଦର ପରିକଳ୍ପନା।

  2. [] *ପାଣିର ଲାଜ* []

    ଯେଉଁ ଦିନଠାରୁ ନଈରେ ପାଣି
    ରହିବାକୁ କଲା ଲାଜ
    ସେହି ଦିନଠାରୁ ଅଲୋଡ଼ା କଷ୍ଟ
    ପାଉଛି ଲୋକସମାଜ

    ଯେଉଁଠି ମିଶେ ସହର ଯାକର
    ଗୁହ, ମୂତ, ପୂଯ, ଖଂକାର
    ତାକୁ କହଂତି ‘ ନଈ ‘ ଭାଇମାନେ
    ପୁଣ୍ୟତୋୟା ଏକ ଧାର

    ସତକୁ ଲୁଚାଇ, ମିଛକୁ ଦେଖାଇ
    ଚଳୁଛି ଏଠାରେ ଶବ୍ଦଭରା ଆଡ଼ଂବର
    ବାସ୍ତବତାକୁ କେହି କ’ଣ ଏଠି
    କରଂତି କେବେ ସ୍ବୀକାର ?

    ବାଂଝ ବାଲିମୟ ନିଷ୍ଫଳା ପ୍ରାଂତରେ
    ଦିଶେନି ଟୋପାଏ ନୀର
    ମୁଖା-ପିଂଧା ମୁଖ ସତ କହେନାହିଁ
    ଲାଗୁଥାଏ ତାକୁ ଡର

    ‘ ପାଣି, ପାଣି ‘ ଡାକ ଦାଂଡରେ ଶୁଭିବ
    ମାଗିବେ ଶୋଷିଲା ଲୋକ
    ଦେଖୁଁ ଦେଖୁଁ ଦିନେ ଉଭାନ୍‌ ହେବ
    ମଣିଷ ପେଟରୁ ଭୋକ

    ମୁଂଡ ଉପରେ ସୂର୍ଯ ଥିଲେ ବି
    ଦିଶିବ ସବୁ ଅଂଧାର
    ଆଗକୁ ଆସୁଛି ଏପରି ସମୟ
    କିପରି ହେବା ତିଆର ?

    ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave a Reply

Your email address will not be published. Required fields are marked *