ଆଜିକାଲି ପରୀକ୍ଷାମାନଙ୍କରେ ଚାଲିଥିବା କପି ବା ନକଲ ସଂସ୍କୃତି ଉପରେ କବିଙ୍କର ଏକ ଶାଣିତ ବ୍ୟଙ୍ଗ। କବିତାଟି ପାରମ୍ପରିକ ଚଉତିଶା ଶେଳୀରେ ‘କ’ଠାରୁ ‘କ୍ଷ’ କ୍ରମରେ ଲିଖିତ।
କହଇ ଷ୍ଟୁଡେଣ୍ଟରେ ମୋ ବୋଲକର
କପି ଟିପିଣ ବାବା ଏକଜାମ୍ ତର ।
କେତେ ମାଆର୍କ ପାଇଁ କରିଚୁ ଆଶ
କପିଦାତା ଚରଣେ ଶରଣ ପଶ।
ଖଣ୍ଡି ଯେ ଖଣ୍ଡି ଯେତେ ଟିପା କାଗଜ
ଖଞ୍ଜି ଗୋପନ ଅଙ୍ଗେ ରଖିବୁ ହେଜ।
ଖେଦି ପଶିଵେ ଯେଵେ ସ୍କୁଆର୍ଡ ଦଳ
ଖପାଇବୁ କପିକି ଡେଏସ୍କ ତଳ।
ଗୁରୁ ଏକଜାମ୍ କାଳେ ମହା ବଇରି
ଗୁପତେ ଥିବୁ ତାଙ୍କୁ ତୁ ହାତକରି ।
ଗଲେଣି, ଯିବେ କେତେ ଗୁରୁଗୁରୁଣୀ
ଗେଲରେ ପିଆଇବୁ ଗୋଲାପୀପାଣି।
ଘଞ୍ଚ ସେଣ୍ଟର ଦେଖି ଏକଜାମ୍ ଦିଅ
ଘଣ୍ଟାଘଣ୍ଟି ଵେଳରେ ନ ମିଳୁ ଖିଅ।
ଘୋଓଘାଆ ନ ହେଇ ମଉନେ ଥିବୁ
ଘାଟ ପରଖ କରି ପାଣି ତେଣ୍ଡିବୁ।
ଅନାଅନିରେ କେଵେ ନୋହି ତରକା
ଅନୁନାସିକ ସ୍ବରେ ପଚାରିପକା।
ଅନାଉଥିବେ ହଲେ ମାଷ୍ଟରେ ଯେଵେ
ଅବସ୍ଥା ଦେଖି କାମ କରିବୁ ତେଵେ।
ଚୁଙ୍ଗଚୁଙ୍ଗିଆ ଭାଵ ମନରୁ ଦୂରା
ଚାହିଁଜଳକା କେଵେ ନ ହେଵୁ ପରା।
ଚଞ୍ଚଳେ ଚାଉଁଚାଉଁ ପକା ତୁ ଟିପି
ଚିତ୍ତ ଦେଇକି ବାରେ କପିଦେବୀଙ୍କି।
ଛାତିତଳେ ଟିପା ଛପାଇଥିବୁ
ଛଳନା କରି ମାଷ୍ଟ୍ର ଆଡେ ଚାହିଁବୁ।
ଛଳ ବାଣୀରେ ସମସ୍ତଙ୍କୁ ତୋଷିବୁ
ଛଳେ ବଳେ କୌଶଳେ ଉତ୍ତାରୁ ଥିବୁ୍।
ଜନମରୁ ହେଳା କରି ପାଠକୁ
ଜୀବନେ ଆଶ୍ରା କରି କପି ଶାଠକୁ।
ଜପି ଜପି କପିକି ପାଆସ୍ ହେଉ
ଜିତାପଟକୁ ଭିଡି ଦେଖାଉ ଭାଉ ।
ଝଟକା ଆସିଗଲେ ଟିପିବା ଵେଳେ
ଝାଡିଝୁଡି ଗୁଞ୍ଜିବୁ ଡେକ୍ସ ସନ୍ଧିରେ ।
ଝିଙ୍କିଲେ ହଲେ ଥିବା ଦିଦି ସାଆରେ
ଝୁଙ୍କି ଶରଣ ଯିବୁ ତାଙ୍କ ପୟରେ ।
ନ’କୋଡି ମୂର୍ଖୁଣୀଙ୍କୁ ମୂର୍ଖ ଛ’କୋଡି
ନାନା ଫାନ୍ଦେ ଏକଜାମ୍ ହୁଅନ୍ତି ପାରି।
ନ ଟିପିଲେ ନପାନ୍ତି ପାଆସ୍ ସୁଖ
ନାନା ଜଞ୍ଜାଳେ ଫସି ଲଭନ୍ତି ଦୁଃଖ।
ଟାଣଟୁଣରେ ନିଶ୍ଚେ ହେଵୁ ହତାଶ
ଟଙ୍କସାରଙ୍କୁ ଆଗେ କରତୁ ଵଶ।
ଟଙ୍କାଟୋକୀଟାଉକା ସେ ଟଙ୍କପାଣି
ଟଙ୍କାରେ ମନାଇବୁ ଆଗରୁ ପୁଣି।
ଠିକେ ସମ୍ଭଳା ପଡ଼ ନୋହି ଛାନିଆଁ
ଠିକିକି ଶିଖିଥାନ୍ତି ସାରା ଦୁନିଆଁ ।
ଠାରଠୁରାରେ କିଛି ଦେବୁ ଆନସର୍
ଠୋକାରକଲେ ଠିକେ ଫେଏଲ୍ ସାର।
ଡମ୍ଵରୁ ମାଷ୍ଟ୍ରଙ୍କର ଟଙ୍କାରେ ଧ୍ଯାନ
ଡାକିକି ଦେଇ ତାଙ୍କୁ ତୋଷ ଵହନ।
ଡବଲ୍ ଦେଇ ତାଙ୍କୁ ନେଲେ ମନାଇ
ଡୋର୍ ଵଅନ୍ଦ ଘରେ ଏକଜାମ୍ ଦେଇ
ଢକା ବାଇବେ ଵହିଃ ସ୍କୁଆର୍ଡ ଯେଵେ
ଢକଢକେ ଢୋକିବୁ କପିକୁ ତେଵେ।
ଢୁକାଇ ଦେଇ ଟିପା ଚପଲ ତଳ
ଢଙ୍ଗରେ ଢମପଣ ଛାଡିବୁ ତୋର।
ଅଣପାଠୁଆ ହେଇ ସାରା ଜୀବନ
ଅତୁଠେ ଦେଇଅଛୁ କେତେ ଏକଜାମ୍
ଅଣାଅଣି ଓସ୍ତାଦ୍ ଯେଉଁ ପିଅନ
ଅଣ୍ଟାଖୋସା ଦେଇକି ତୋଷ ତା ମନ।
ତତ୍କାଳ ଏକଜାମ୍କୁ କର ଅପେକ୍ଷା
ତତ୍ପରେ ଖାତାରେ ଉତ୍ତାରିପକା।
ତାଉ ନ ଥିବ, ନ ଥିବଟି ତୋଖଡ଼
ତେମନ୍ତ କାଳେ ନାହିଁ ଧରପଗଡ଼।
ଥୋମଣିରେ ତୁଣ୍ଡିକି ବାନ୍ଧିଣ ଥିବୁ
ଥାକକୁ ଥାକ ଥୋପ ତହିଁ ଗୁନ୍ଥିବୁ।
ଥକି ନ ପଡ଼ି ଧନ ଏକ୍ଜାମ୍ କାଳେ
ଥରକୁ ଥର ଥୟ ହେବୁଟି ବଳେ।
ଦରଦର ହାସରେ ମାଷ୍ଟ୍ରଙ୍କୁ ଜିଣି
ଦର କଷିବୁ କେତେ ନେଵେ କେଜାଣି
ଦଦରା ଦାଦେନିଆଁ ଦଶା ଦର୍ଶାଇ
ଦୂରୁଁ ତାଙ୍କେ ଶରଣ ପଶରେ ଯାଇ।
ଧୋବଲା ଶଠ ସେନ୍ଟର୍ ସୁପରିଡେନ୍ଟ
ଧୋକାରେ ଧକଧକେ ଧରିବୁ ମେଣ୍ଟ।
ଧରି ଜାଣିଲେ ହେବୁ ଏକ୍ଜାମ୍ ପାର
ଧେଟୁଆ ପଣେ ଜିଣ କପି ସାଗର।
ନେତି ଦିଦିଙ୍କି କରି ଧର୍ମମାଉସୀ
ନିତି ସଞ୍ଜେ ସକାଳେ ଭେଟିବୁ ଆସି
ନୋହିଲେ ଠକିଯିବୁ ପରୀକ୍ଷା ବେଳେ
ନଳୀ ପକାଇ ଶୋଷିନେବେ ସେକାଳେ
ପାଣି ଯୋଗାଣକାରୀ ପାଣୁଆ ଭାଇ
ପହିଲୁ ହାତେ ତାକୁ ରଖିବୁ ଯାଇ।
ପାଣି ପେଇବାଵେଳେ ଯୋଗାଇଦେବ
ପଛନ୍ତେ ହାତୁ ତୋର ସେ ନେଇନେବ
ଫଳ ଭାରରେ ଗଛ ନଇଁବା ପରି
ଫୁଟାଣି ତେଜି ହେବୁ ନରମା ଭାରି।
ଫୁଲ ନ ଥାଇ ଆଗେ ଫଳ ଫଳିବ
ଫେଏଲ୍ ଫଇସଲା ସେଇଠୁଁ ହେବ।
ବାଇନ ଭାଇଟାକୁ ରଖିଲେ ହାତେ
ବାଡ଼ ଡେଇଁ ସପ୍ଲାଇ କରିବ କେତେ।
ବାନା ହୁମଗାର୍ଡକୁ ଛୋଟ ନ ମଣ
ବାଗେ ତା ସାଥେ ଯୋଡ଼ ମଧୁରପଣ
ଭୁଲ୍ ଠିକ୍ ମିଶାଇଣ ସବୁ ଟିପିବୁ
ଭଲ ଭେଲ ଵାଛିଲେ ଉଜୁଡି ଯିବୁ।
ଭୋଳରେ ନ ରଖିବୁ ଖାତାରେ ଟିପା
ଭାକୁଡ଼ାପଣ କଲେ ଭେଇବୁ ଚୋପା।
ମଞ୍ଜକଥାକୁ ଶୁଣ ମନ ଲଗାଇ
ମଙ୍ଗ ଧରିବୁ ଆଗେ ସେଣ୍ଟରେ ତୁହି।
ମାୟାରେ ‘ମାଆ’ ଡାକି ମିନି ଦିଦିଙ୍କୁ
ମହଙ୍ଗିଆ ଶାଢ଼ୀଟେ ଦେଵୁରେ ତାଙ୍କୁ।
ଯୋଗାଣିଆଁଙ୍କ ଭିଡ଼ ଲାଗଇ କେତେ
ଯାତରାମେଳା ପ୍ରାୟ ସେଣ୍ଟର ଯେତେ
ଯତନ କରି ବାବୁ ପାସ୍-ରତନ
ଯେମନ୍ତ ହାତେଇବୁ ଏତିକି ଜାଣ।
ରତନାଇ ଜେରକ୍ସ ତୀର୍ଥ କ୍ଷେତର
ରମନ୍ତି ପରୀକ୍ଷାର୍ଥୀ ସେଇ ଠାବର।
ରାଜିରୁଜାରେ ଏଠି ହୁଅଇ ଖେଳା
ରୋଳାବାହାରେ ଆଉଭିତରେ ଖେଳା
ଲାଉଡ୍ ସ୍ପିକରରୁ ଶୁଣି ଆନସର୍
ଲୀଳାରେ ଲେଖି ତାହା ଖାତାକୁ ଭର
ଲେଖା ସାରିକି ଖାତା ଝାଡିକି ପରା
ଲୋପ କରିବୁ ସଵୁ ଚିଠା ଟୁକୁରା ।
ଓ୍ବାଟର୍ ମାଗି ପିଇବୁ ଵାରବାର
ଓ୍ବାକ୍ କରି ଯାଆ ପରିସ୍ରାଗାର
ଓ୍ବେଟ୍ କରି କିଛି ପେଜ୍ ଖୋଜିବୁ
ଓ୍ବାପସ୍ ଆସି ସଵୁ ଟିପିଣ ଦେବୁ।
ଶୃଗାଳ ଠାରୁ ସେତ ବଡ଼ ଚତୁର
ଶଙ୍କରା ପୁଲିସକୁ କର ଆଦର।
ଶାଙ୍କୁଡି ନଯା ଆରେ ଏକଜାମ୍ ହଲେ
ଶାଠେ ଶଠତା କଲେ ଜିଣିବୁ ହେଳେ
ଷଡ଼ଯନ୍ତ୍ରରେ ମତି ଥିବୁ ବଳାଇ
ଷଣ୍ଢ ପରାୟ ନିଜ ଶିଙ୍ଗ ହଲାଇ।
ଷ୍ଟାଇଲରେ ହୋଇବୁ ଷ୍ଟେସନ୍ ପାର
ଷ୍ଟାମ୍ପ୍ ପିଟାହେବ ଷଡ଼ ପ୍ରକାର।
ସଂକଳ୍ପ କରିଥିବୁ ପାଆସ୍ ପାଇଁ
ସର୍ବସଂଘାତ ବାବୁ ଯିବ ଦୂରେଇ।
ସତରକରେ ସବୁ ନିଘା ରଖିଲେ
ସଵୁ ସନ୍ତାପ ଦୂର ହେବ ସତରେ।
ହାତଖୁଆରେ ଚିତାକୁଟା ପ୍ରକାର
ହାତେ ଲେଖାଇ ଟିପା ଟାଟୁ ତିଆର
ହାଲହୋଳି କରିଲେ ପଡିବୁ ଧରା
ହେମାଳିଆ ହୋଇବ ଦେହଟା ସାରା
କ୍ଷିପ୍ରବେଗର ଵାବୁ ଏଇ ବ୍ଯଵସ୍ଥା
କ୍ଷେପଣ କଲେ କାଳ ଅତି ଅବସ୍ଥା।
କ୍ଷଣୁଁ କ୍ଷଣ ବଦଳେ କପି ତରିକା
କ୍ଷିତିପରେ ଉଡାଇ ଜୟ ପତାକା।
ଦି’ଦଶ ବାର ଵେନି ମୋଟ ପଦରେ
କପିଆ ଚଉତିଶା ମୁଦିଲି ବାରେ।
ଶୁଦ୍ଧାଶୁଦ୍ଧ ବିଚାର କର ସୁଜନେ
ଵିନୋଦେ ବାଣୀକାର ତତ୍ତ୍ବ ବଖାଣେ।
ଏହି ଶାଣିତ ବ୍ୟଙ୍ଗ ଧର୍ମୀ କବିତାଟି ବର୍ତ୍ତମାନ ପରୀକ୍ଷା ସ୍ଥିତିର ସ୍ୱାକ୍ଷର ବହନକରେ। ଖୁବ୍ ସୁନ୍ଦର ହୋଇଛି କବିତାଟି।
Nice combination of satire and humour.
ଏ ଧରଣର ବ୍ୟଙ୍ଗ ଆଜିକାଲି ବିରଳ! ଚମତ୍କାର ଢଙ୍ଗରେ ଅଜୟ ସାର୍ ଏହାକୁ ଗୁନ୍ଥିଛନ୍ତି। ଆଗକୁ ଏପରି ଅନେକ ଆଶା କରୁଛୁ। ସାହିତ୍ୟଚର୍ଚ୍ଚା ‘ର ନବୀନ ଉଦ୍ୟମ ପାଇଁ ସାଧୁବାଦ।
ଲେଖାଟି ଚମତ୍କାର ଢଙ୍ଗରେ ଏବଂ ପ୍ରକୃତରେ ଚଉତିଶା ଭାବେ ଲେଖାଯାଇଛି। ସବୁଠାରୁ ବଡ଼ କଥାହେଉଛି ଏଥିରେ ବ୍ୟବହାର ହୋଇଥିବା ଶବ୍ଦ, କାରଣ ଏହା ମଧ୍ୟରେ ଅନେକ ଗାଉଁଲି ବା ଲୋକ ଶବ୍ଦ ଅଛି, ଯାହା ସାଧାରଣଭାବେ ସାହିତ୍ୟିକମାନେ ବ୍ୟବହାର କରି ନଥାନ୍ତି ବା କରିବାକୁ ଇଚ୍ଛା କରନ୍ତି ନାହିଁ। ଏହାକୁ ପଢ଼ିଲା ବେଳେ ‘କହଇ ମନ ଆରେ ମୋ ବୋଲ କର’ ପଢ଼ିଲା ଭଳି ଲାଗୁଛି। ଅନେକ ଚିନ୍ତା କରି ଏହିଭଳି ଏକ ଚଉତିଶା ଲେଖିଥିବାରୁ ଲେଖକଙ୍କୁ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। ମୋ ମତରେ ଲେଖାଟି ଟିକେ ବଡ଼ ହୋଇଯାଇଛି କିନ୍ତୁ ଚଉତିଶା ଅର୍ଥାତ୍ ୩୪ଟି ଅକ୍ଷରକୁ ନେଇ ଲେଖାଯାଇଥିବାରୁ ବଡ଼ ହୋଇଛି। ସେ ଯାହା ହେଉ ଏହିଭଳି ଲେଖାକୁ ଆଜିକାଲିର ଯୁବକ ଓ ପିଲାମାନେ ଧୈର୍ଯ୍ୟ ଧରି ପଢ଼ିବା ଆବଶ୍ୟକ। କାରଣ ଆଜିକାଲିର ପିଲା ବା ଯୁବକମାନଙ୍କ ପାଖରେ ସମୟର ଅଭାବ। –
ମହେନ୍ଦ୍ର ମିଶ୍ର, ଘର ନଂ F – 72, Sector- 15, PO – Rourkela – 769003 , Odisha – 9437202931 ( phone ) 8917668975 ( Whatsappp)