ହେ ମୋର କେରାଣ୍ଡିଆ ବୁଦ୍ଧିବାଦୀ ସମଗ୍ର , ଚାଲନ୍ତୁ ନିଘଣ୍ଟୁର ସେହି ଗଭୀର ଜଳରେ ରୋହିମାଛ ଭଳି ବୁଡ଼ ଦେଇ ଆସିବା।
ବୀରବର ଗୀତାଭିଧାନ କୋଷକାବ୍ୟରେ ଲେଖିଛନ୍ତି;
‘ନାନାର୍ଥ ବିଧିକି ବୁଝାଇଲେ ବୁଝି ମୂର୍ଖ ହିଁ ହେବ ପଣ୍ଡିତ,
ଶବ୍ଦ ଅର୍ଥକୁ ଜାଣିବା ଇଚ୍ଛା ଥିଲେ ପଢ଼ ଏହା ଦେଇ ଚିତ୍ତ।’
ହେଲେ, ଆଜି ଅଭିଧାନ ସବୁ ଗମ୍ଭିରିକୋଣେ ପଡ଼ିରହିଛି ଓଡ଼ିଆଘରେ। ଭାଷାର ଉତ୍କର୍ଷକୁ ନେଇ ଉକୁତାଉକୁତି ହେଉଥିବା ଓଡ଼ିଆ ଜାତିରେ ଏବେ ଅଜାଗଳସ୍ତନ ପଣ୍ଡିତ ଓ ଭାଷାବିତ୍ଙ୍କର ଅଭ୍ୟୁଦୟହୋଇଛି। କିଏ ବର୍ଣ୍ଣମାଳାରୁ ଅକ୍ଷର ଲିଭାଇବା ପାଇଁ ବୋଧଜ୍ଞାନ ବାଣ୍ଟିବାରେ ବ୍ୟସ୍ତ ତ, କିଏ ଯୁକ୍ତାକ୍ଷର ଓ କାବ୍ୟାଳଙ୍କାରକୁ ଅଣଦେଖା କରିବାର ଉପଦେଶ ଦେବାକୁ ଲାଗିଲେଣି।
“ନିରସ୍ତେ ପାଦପେ ଦେଶେ, ଏରଣ୍ଡୋଽପି ଦ୍ରୁମାୟତେ” ନ୍ୟାୟରେ ଏହି ଗବଗଛିଆ ବିଜ୍ଞଙ୍କୁ ନେପଥ୍ୟ କୋଳାହଳରେ ପଣେ ଉତ୍ସାହିତ କରିବାର ପଶ୍ଚାତ୍ପଦ ହେଉନାହାନ୍ତି। ଭାଷାକୋଷରେ ପଢ଼ିଥିଲି ଯେ ଯାସ୍କ ମୁନି ବୈଦିକ ଶବ୍ଦମାନଙ୍କର ନିଘଣ୍ଟୁର ବ୍ୟାଖ୍ୟା ସଙ୍କଳନ କରିଥିଲେ, ତାହା ନିରୁକ୍ତ ନାମରେ ଖ୍ୟାତ। ଶବ୍ଦର ପ୍ରକୃତିଗତ ଅର୍ଥବାଦର ଏହା ଏକ ଗ୍ରନ୍ଥ। ସାୟନାଚାର୍ଯ୍ୟଙ୍କ ମତରେ ଏକ ଶବ୍ଦର ଏକାଧିକ ଅର୍ଥ ଓ ପର୍ଯ୍ୟାୟ ଲେଖାଥିବା ସଙ୍କଳନ ହିଁ ନିରୁକ୍ତ। କେତୋଟି ନିରୁକ୍ତ ତତ୍ତ୍ୱ ହେଲା; ବର୍ଣ୍ଣାଗମ– ଅକ୍ଷର ବଢ଼ାଇବା, ବର୍ଣ୍ଣବିପର୍ଯ୍ୟୟ– ଅକ୍ଷରମାନଙ୍କୁ ଆଗ ପଛ କରିବା, ବର୍ଣ୍ଣବିକାର– ଅକ୍ଷର ପରିବର୍ତ୍ତନ ଏବଂ ବର୍ଣ୍ଣନାଶ– ଅକ୍ଷରର ଲୋପ ଓ ଧାତୁର ଗୋଟିଏ ଅର୍ଥ ସିଦ୍ଧ କରିବା। ହେଲେ ଆଜି ନିରୁକ୍ତକାରମାନଙ୍କ ଶ୍ରମ ସବୁ କେଉଁ ଥାକରେ ଧୂଳିମଳିରେ ସଢ଼ୁଛନ୍ତି ତାର ଠିକଣା ନାହିଁ। ସେଥିକୁ ଆମ ବିଜ୍ଞାନୀଙ୍କ ନିଘା କାହିଁ!
ଓଡ଼ିଆ ଭାଷା ଶବ୍ଦର ଗନ୍ତାଘର। ଅନେକ ସଙ୍କଳକଙ୍କ ତଥ୍ୟ ଅନୁଯାୟୀ ୧୭୧୦ରୁ ୧୯୪୨ ପର୍ଯ୍ୟନ୍ତ ପାୟତଃ ୪୦ ପ୍ରକାରର ଓଡ଼ିଆ ଅଭିଧାନ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି। ଉପେନ୍ଦ୍ର ଭଞ୍ଜଙ୍କ ଗୀତାଭିଧାନ ଠାରୁ ଆରମ୍ଭ କରି ପ୍ରମୋଦ ଅଭିଧାନ ଯାଏଁ ଏହି ସବୁ ଅଭିଧାନ ବିଭିନ୍ନ ମାଧ୍ୟମରେ ସମସ୍ତ ଓଡ଼ିଆ ଅଜ୍ଞ – ବିଜ୍ଞ – ସର୍ବଜ୍ଞଙ୍କ ପାଇଁ ସାଇତା ହୋଇ ରହିଛି। ଅଭିଧାନରେ ଶବ୍ଦଗୁଡ଼ିକର ଅର୍ଥ, ବନାନର ବିବିଧତା, ଉଚ୍ଚାରଣ, ଉତ୍ପତ୍ତି ସବୁର ସୂଚନା ଥାଏ। ସେଥି ମଧ୍ୟରୁ ବିଦେଶରେ ଚହଳ ପକାଇଥିବା ୱେବ୍ଷ୍ଟର, ଚାମ୍ବର୍ସ, ଅକ୍ସଫୋର୍ଡ଼ ଅଭିଧାନ ପରି, ୨୧ବର୍ଷ ଶ୍ରମଦାନରେ ପ୍ରକାଶ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଭାରତୀୟ ଭାଷାର ସର୍ବବୃହତ୍ତ ଓ ସର୍ବଶ୍ରେଷ୍ଠ ଭାଷାକୋଷ। କେବଳ ଓଡ଼ିଆ ନୁହଁନ୍ତି; ବିଦେଶୀମାନେ ମଧ୍ୟ ଆମ ଓଡ଼ିଆ ଅଭିଧାନ ପାଇଁ ଅନେକ କିଛି କରିଯାଇଛନ୍ତି। ସଟନ୍ଙ୍କ ସହଯୋଗରେ ପ୍ରକାଶିତ ଉତ୍କଳ ଭାଷାର୍ଥାଭିଧାନ ଓ ସାଧୁଭାଷାର୍ଥାଭିଧାନ ଅନ୍ୟତମ। ଓଡ଼ିଆଙ୍କ ପାଇଁ ଅନେକଅଭିଧାନ ଅଛି; ହେଲେ ପଢୁଛି କିଏ!
ଶେଷପଦରେ ଲେଖିବି ସେଇ କଥା;
“ଅଗାଧ ଜଳସଂଚାରୀ ମା ଗର୍ବଂ ଯାତି ରୋହିତଃ, ଗଣ୍ଡୁଷ ଜଳମାତ୍ରେଣ ଶଫରୀ ଫର୍ଫରାୟତେ।”
ଏଣୁ, ହେ ମୋର କେରାଣ୍ଡିଆ ବୁଦ୍ଧିବାଦୀ ସମଗ୍ର; ଚାଲନ୍ତୁ ନିଘଣ୍ଟୁର ସେହି ଗଭୀର ଜଳରେ ରୋହିମାଛ ଭଳି ବୁଡ଼ ଦେଇ ଆସିବା। କିଛି ବୋଧଜ୍ଞାନ ସାଉଁଟି ଆଣିବା ଆପଣା ପାଣ୍ଡିତ୍ୟ ନିମନ୍ତେ। ଆସନ୍ତୁ, ଅଭିଧାନଟିଏ ପଢ଼ିବା; ଶବ୍ଦାର୍ଥଟିଏ ଜାଣିବା। ଶବ୍ଦାର୍ଥାନଭିଜ୍ଞ ହେବା ଅପେକ୍ଷା ନୂଆ ଶବ୍ଦଟିଏ ଜାଣିବାରେ ହାନି କଣ !
-ପ୍ରଭୂ
*ନିଘଣ୍ଟୁ – ଶବ୍ଦକୋଷ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ପ୍ରଶାନ୍ତ ବାବୁଙ୍କ ଲେଖା ସର୍ବଦା ନିଆରା। ସେଥିପାଇଁ ଧନ୍ୟବାଦ। ମୁଁ ଭାବୁଛି ପ୍ରଶାନ୍ତ ବାବୁଙ୍କ ସ୍ତମ୍ଭର ରଚନା ବୁଝିବା ଟିକେ କଠିନ, କାରଣ ସେଥିରେ ବ୍ୟବହୃତ ଶବ୍ଦ ନିଆରା। ସେ ଯାହାହେଉ ଏହିଭଳି ଚାଲିଥାଉ।
ଏକ ଲିଙ୍କ ଦେଉଛି – ଆମେରିକାର ଚିକାଗୋ ବା ସିକାଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଶକୁ ଡିଜିଟାଇଜ ସମ୍ପର୍କରେ:
https://dsal.uchicago.edu/dictionaries/praharaj/
ସମ୍ପୂର୍ଣ୍ଣ ପ୍ରେରଣାଦାୟକ ଲେଖା । ନମସ୍କାର