ସର୍ଟ୍-କଟ୍

ଏତେ ଲମ୍ବା ଲମ୍ବା ନାମ ଓ ଉପାଧିକୁ ଛୋଟ କରିଦେଲେ ଅଳ୍ପ ସ୍ଥାନରେ ବହୁତ ଲେଖିହେବ, ସାମର୍ଥ୍ୟ ବଢିବ, ଭାଷା ମଧ୍ୟ ଆଗକୁ ଦୌଡ଼ି ଚାଲିବ।

ଡାକ୍ତର ଅଭୟ ଦାଶ

ଭାଷା ବଞ୍ଚାଅ ଆନ୍ଦୋଳନର ସ୍ୱୟଂସ୍ଥାପିତ ପୁରୋଧା ରୁପେ ଅଭୟ ଦାଶ ଯେବେଠାରୁ ଆବିର୍ଭୁତ ହେଲା, ଓଡିଆ ମହଲରେ ଗୋଟାଏ ହଇଚଇ ସୃଷ୍ଟି ହୋଇଯିବା ଠାଏ ଠାଏ ଦେଖାଦେଲା। କଥା କଣ ! ଶଃ ମାରିନେଲା। କଣ ମାରିନେଲା? କାହାକୁ ଜଣା ନାହିଁ । କଥାଟା ପ୍ରଘଟ ହୋଇଗଲା ବାଦାମବାଡିରୁ ବରମୁଣ୍ଡା ଯାଏ, ପଟ୍ଟାମୁଣ୍ଡେଇରୁ ପାଣିକୋଇଲି ଯାଏ। ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ନାଁ’ରେ ଅଭିଯୋଗ, ଶଃ ସରକାରୀ ଟଙ୍କା ଗଦେଇ ଦେଲାଣି। ରିସର୍ଚ୍ଚ ନାଁ ରେ ଭୁଆଁ ବୁଲୋଉଚି ! ବୁଝୁ ବୁଝୁ ଜଣାଗଲା, ‘ଏକ୍ରୋନିମ୍’ କରି ଏତେ ଲମ୍ବା ଲମ୍ବା ନାମ ଓ ଉପାଧିକୁ ଛୋଟ କରିଦେଲେ ଅଳ୍ପ ସ୍ଥାନରେ ବହୁତ ଲେଖିହେବ, ସାମର୍ଥ୍ୟ ବଢିବ, ଭାଷା ଆଗକୁ ଦୌଡ଼ି ଚାଲିବ, ଏହାରି ଉପରେ ରିସର୍ଚ୍ଚ ଚାଲିଛି। ମାନେ ଖର୍ଚ୍ଚ କମ୍ , ମାନବିକ ସମୟ ବା ମ୍ୟାନ୍-ଆଓ୍ବାର୍ ର ଉପଯୁକ୍ତ ବ୍ୟବହାର ହେବ; କାଗଜ ବଞ୍ଚିବ। କାଗଜ? କିଏ ଆଉ ଲେଖୁଛି କାଗଜରେ? କିଏ ପଢୁଛି ସେ କାଗଜକୁ? ଇ-ବୁକ୍, ଇ-ମାଗାଜିନ୍, ଇ-ଟିକେଟ, ସବୁ ତ ଇ। କାଗଜର ଉପସ୍ଥିତି ଶେଷକୁ ବୋଧହୁଏ କେବଳ ଖାଇବା ଟେବୁଲ, ପାଇଖାନାର ମଳଭାଣ୍ଡ ନିକଟରେ ହିଁ ରହିଯିବ। ନହେଲେ କାଗଜ ଶିଳ୍ପ, ପେପର ଇଣ୍ଡଷ୍ଟ୍ରି ଚଳିବ କେମିତି? ଯୁବାଙ୍କୁ ରୋଜଗାର ଆସିବ କୁଆଡୁ? କାଗଜ, ମାନେ ଖବରକାଗଜ, ଯାହା ପାନ ଦୋକାନରେ ନୁତନ ରୁପରେ ଦେଖାଦିଅନ୍ତି। ସେମାନେ ସେମିତି ମରି ମରି ବଞ୍ଚିଛନ୍ତି। ତାଙ୍କୁ ବଞ୍ଚାଇ ରଖିବା ସହଜ ନୁହେଁ। ସେ କଥା ସିଏ ବୁଝିବେ, ଯିଏ ଚଳାଉଛନ୍ତି। ଆମର ଏ ବଡ-ଛୋଟ, ସଟ୍-କଟ୍, ଆବ୍ରିଜ୍, କଣ୍ଡେନ୍ସ ସର୍ଟ-ଫର୍ମ ରେ ତାଙ୍କର କିଛି ଯାଏ ଆସେ ନାହିଁ, ଆମେ ଯାହା ଅନୁଭବ କରୁ। ମାତ୍ର ଆମେ ଏହାକୁ ଏକ ସୋସିଆଲ ସର୍ଭିସ୍ ମୋଡ୍ ରେ ନେଇଛୁ।
ଧରନ୍ତୁ, ଏଇ ଗ୍ରାଜୁଏସନ୍ ପାଠ, ଆମେ କଣ ୟାକୁ ବ୍ୟାଚେଲର ଅଫ ଆର୍ଟସ କହୁ? ବି.ଏ କହୁ । ଇଂରେଜୀ ପ୍ରଭାବରୁ ଯେତେ ଡିଗ୍ରୀ , ଶିକ୍ଷାଗତ ଯୋଗ୍ୟତା ଆଦି ସବୁ ସର୍ଟ-ଫର୍ମ ରେ ଚାଲେ। ବି.ଇ , ବି.ଏଲ୍, ଏଲ୍.ଏଲ୍ ବି, ପି.ଏଚ.ଡି, ଏମ୍.ଡି, ଡି.ଏମ୍, ଏମ୍.ସି.ଏଚ୍ ଇତ୍ୟାଦି ଏଇ ମଡେଲ ଅନ୍ତର୍ଭୁକ୍ତ। ମାତ୍ର ସଂସ୍କୃତରେ ସାହିତ୍ୟାଚାର୍ଯ୍ୟ, ଶାସ୍ତ୍ରୀ, ହିନ୍ଦୀରେ ପ୍ରବେଶରୁ ପ୍ରାଜ୍ଞ ଯାଏ, ଏହି କ୍ରମ ଅନ୍ତର୍ଭୁକ୍ତ। ଚାଲିଆସିଛି, ଚାଲିଥିବ।

ଆମ ମେଡ଼ିକାଲ୍ ଛାତ୍ର ଜୀବନରେ ଶିକ୍ଷକମାନଙ୍କ ନାମ ସବୁ ସର୍ଟକଟ୍ କରି ଦେଉଥିଲୁ। ପ୍ରଫେସର ଦେବେନ୍ଦ୍ର ନାଥ ତ୍ରିପାଠୀ ହେଲେ ଡି.ଏନ.ଟି, ପ୍ରଫେସର ରାଜକିଶୋର ଦାସ ହେଲେ ଟିଙ୍ଗାରାଜୁ ଓରଫ ଟି.ଆର.ଡି, ସେମିତି ଅନେକ। ଆମ ମେଡିସିନ୍ ପାଠରେ ଏତେ ସର୍ଟ-ଫର୍ମ ପଶିଆସିଲାଣି ଯେ ରୋଗ ଠାରୁ ନିଦାନଯାଏ ସବୁଠେଇଁ ସର୍ଟ-ଫର୍ମ ଯଥା, ଆଇ.ଏଚ.ଡି, ସି.ଭି.ଆର, ପି.ଡି.ଏ, ଏମ.ଆର.ଆଇ, ସି.ଟି ସ୍କାନ, ଏଫ୍.ଏନ୍ ସି ଆଦି। ଭାବନ୍ତୁନାହିଁ କଥାଟା ଏତେ ସରଳ। ବେପାର ଆଜ୍ଞା, ସବୁ ବେପାର। ଯାହାକୁ ସେଇ ରୋଗ ହୋଇଥାଏ, ସେ ଯାହା ଗପିବ ଯେମିତି ସୁପର ସ୍ପେସିଆଲିଷ୍ଟ ଠାରୁ ଚାଖଣ୍ଡେ ବଡ଼। ସେ ବଡ଼ପଣକୁ ବଢ଼ାଇଦିଏ ଗୁଗୁଲ୍ ପାଠଶାଳା। ପଞ୍ଝାଏ ଭୋପା ଅଛନ୍ତି, ଲୋକ ଦେଖିଲେ ଏମିତି ଗପିବେ ଯେ, ମତେ ପରା ସି.ଏ.ପି ହୋଇଛି; କେମୋ ସରି ଆର୍.ଟି ଚାଲିଛି। ତା’ମାନେ ବୁଝିଛୁ କଣ ନା ,ବଡଲୋକି!
ଆଉ ଟିକିଏ ଆଗକୁ ଚାଲନ୍ତୁ ଦେଖିବେ ରାଜନୈତିକ ଦଳ ମାନଙ୍କ ଡିଜାଇନ୍। ଭାରତୀୟ ଜନତା ପାର୍ଟି, ହିନ୍ଦୀରେ ଭାଜପା ଇଂରେଜୀରେ ବିଜେପି, ସମାଜବାଦୀ ଜନତା ପାର୍ଟି ହିନ୍ଦୀରେ ସପା, ଇଂରେଜୀରେ ଏସ୍.ଜେ.ପି, ରାଷ୍ଟ୍ରୀୟ ଜନତାଦଳ ହିନ୍ଦୀରେ ରାଜଦ ଇଂରେଜୀରେ ଆର୍.ଜେ.ଡି, ଜନତାଦଳ ୟୁନାଇଟେଡ, ଜଦୟୁ ଅର୍ଥାତ୍ ଜେଡିୟୁ , ବିଜୁ ଜନତା ଦଳ ହେଲାଣି ବିଜଦ ଅର୍ଥାତ୍ ବି.ଜେ.ଡି, ବହୁଜନ ସମାଜ ପାର୍ଟି ହିନ୍ଦୀରେ ବସପା, ଇଂରେଜୀରେ ବି.ଏସ୍.ପି , ସେହିପରି ପି.ଡି.ପି, ଏନ୍.ସି.ପି ଆଦି ଅନେକ।
ଏବେ ଗୋଟିଏ ଓଡ଼ିଆ ବହିର ମଲାଟରେ ଲେଖାଥିବାର ଦେଖିଲୁ, ସାଏପୁବିଲେ। ବୁଝୁ ବୁଝୁ ଜଣାଗଲା ଯେ ଏହାର ଅର୍ଥ ହେଉଛି, “ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ”। ଆମ ରିସର୍ଚ୍ଚ ରୁ ଯାହା ଜଣାପଡେ, ଏ ସର୍ଟ୍-କଟ୍ ବୋଧେ ଲୋକପ୍ରିୟ ହେବାକୁ ଯାଉଛି! ଯେଉଁଥିପାଇଁ ଆମର ଜଣେ ପ୍ରିୟ ସାହିତ୍ୟ ଅନୁରାଗୀ ପ୍ରଶାନ୍ତ ଭୂୟାଁ ବିଦେଶରେ ଥାଇ “ପ୍ରଭୂ” ହୋଇଯାଇଛନ୍ତି! ସେହି ଦିନକୁ ଅପେକ୍ଷା ଅଛି, ଆଉ ଜଣେ ପ୍ରିୟ ଧୀରେନ୍ଦ୍ର କର ବାବୁ “ଧୀକ”, ନିହାର ଶତପଥି ବାବୁ “ନିଶ”, ଓ ଅଭୟ ଦାଶ “ଅଦା” ହୋଇଯିବେ ନାହିଁ ତ?
ଆଣ୍ଟିସିପେଟୋରି ବେଲ୍ ନେଇଯାଉଛି। ଦୋଷ ନ ଧରିବେ ।

6 thoughts on “ସର୍ଟ୍-କଟ୍

  1. ବାଃ ଖୁବ୍ ସୁନ୍ଦର ରଚନା …..💐🙏

  2. It has been a long and common practice among students to use acronyms & short names. I am always “Su” for my friends.

  3. ଖୁବହୋ ଖୁବହୋ : ଯଶ
    ମାନେ
    ଖୁବ ବଢ଼ିଆ ହୋଇଛି : ଯଜ୍ଞେଶ୍ୱର

  4. Dr.Abhaya Dash is a great writer and famous dramatist. His writings carry a lot of homours and are based on small things unnoticed by us.Best wishes Swami Abhayananda.

Leave a Reply

Your email address will not be published. Required fields are marked *