ଇଂଲିସ୍ ଫାଉଣ୍ଡେସନ୍ କୋର୍ସ

ସାରଙ୍କ କୁକୁର ଇଂଲିସ୍ ବୁଝେ। ଅବଶ୍ୟ ଗ୍ରାମାରରେ ଟିକିଏ ଦୁର୍ବଳ।

ଡାକ୍ତର ଅଭୟ ଦାଶ

ଅଭୟ ଦାଶ ବହୁ କଷ୍ଟରେ ମାଟ୍ରିକ୍ ପାଶ୍ କରିଗଲା ସିନା, ତାର ଇଂରାଜୀ ଭାଷା ପ୍ରତି ଗୋଟାଏ ପ୍ରେମ କେମିତି ରହିଯାଇଛି। କାହିଁକି? ପଚାରିଲେ, ସେ କହି ନପାରେ ! ଆଗକୁ ଯିବା ରାସ୍ତା ବନ୍ଦ। ଅପର କାଷ୍ଟ ଲିଷ୍ଟ ରେ ରହି, କୋଉ କୁଳର ହେଲାନାହିଁ। ଚାକିରି? ନୋ ଚାନ୍ସ୍। ସରକାରୀ, ମୋଟେ ନୁହେଁ !
ପ୍ରାଇଭେଟ୍, ନା ! ହୋମଗାର୍ଡ, ଶିକ୍ଷା-ସହାୟକ , ନା ! ସବୁଠେଇଁ ଫେଲ୍। ହବ ନାହିଁ ! କଣ ତ କରିବାକୁ ହେବ ! ହୋଟେଲଟିଏ କରିବ? ସମ୍ବଳ କାହିଁ? ହବ ନାହିଁ ! ଟିକିଏ ବଡ ହୋଟେଲରେ ଚାକିରି ! ମନ୍ଦ ମନ୍ଦ ଆଲୋକ ଟେବୁଲ ଉପରେ ପଡୁଥାଏ। ଅର୍ଡର ନେବାକୁ ହେବ। “ୟେସ୍ ସାର୍ ଅର୍ଡର !” ସାର୍ ବି ଇଂଲିସ୍ ରେ ଅର୍ଡର ଦିଅନ୍ତି। ଯଦିଓ ଦିହେଁ ଗୋଟିଏ ମାଟିର ଚାରା। ଉଭୟେ ଓଡିଆ ! ଦୁହେଁ ପରସ୍ପରକୁ ଓଡ଼ିଆରେ ବୁଝିପାରନ୍ତି, ଓ ବୁଝିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଗୋଟାଏ ପରମ୍ପରା ଚାଲିଆସିଛି ତ ! ଗୋଟାଏ ଡିଜାଇନ୍ ଚାଲିଛି ! ଡାକ୍ତର ଅଭୟ ଦାଶଙ୍କ ‘ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ’ ଯେବେଠାରୁ ଏ ଭିତରେ ମୁଣ୍ଡ ପୁରେଇଲାଣି ଆଉ ବାହାରି ପାରୁନାହିଁ। ଏଠିକି ଆସିଲେ ଇଂଲିସ୍ ରେ ଅର୍ଡର ଇଂଲିସ୍ ରେ ଡେଲିଭରି। “ଏକ୍ସକ୍ୟୁଜ ମି” ବୋଲି ମଝିରେ ମଝିରେ କହିବା ଦରକାର। ପାଣି ନୁହେଁ ୱାଟର, ଲୁଣ ନୁହେଁ ସଲ୍ଟ୍ କହିବାକୁ ହୁଏ। ଶେଷରେ ‘ଥ୍ୟାଙ୍କ ୟୁ’ ! ବୁଝିଗଲି କେତେ ଦରକାର ଇଂଲିସ୍।
ଅନୁସଂଧାନ ଚାଲିଥାଏ। ଭୁବନେଶ୍ୱର ବିଜୁପଟ୍ଟନାୟକ ପାର୍କ ପାଖ ଗଳିରେ ବଡ଼ ବାବୁ ଜଣେ ତିନି ଫୁଟିଆ ବାଡ଼ି ଖଣ୍ଡେ ଧରି କୁକୁରକୁ ବୁଲାଇ ନେଉଥାଆନ୍ତି। କୁକୁରଟା ଭିଡ଼ି ନେଉଥାଏ, ବାବୁ କହୁ ଥାଆନ୍ତି, “ନୋ ! ଷ୍ଟପ୍।” ସାରଙ୍କ କୁକୁର ଇଂଲିସ୍ ବୁଝେ। ଗ୍ରାମାର ରେ ଟିକିଏ ଦୁର୍ବଳ। ବଡ ବାକ୍ୟ କହି ତା ମୁଣ୍ଡ ଗରମ କରିବା ଠିକ୍ ନୁହେଁ । ଏଠି ବି ଇଂଲିସ୍ ର ସ୍କୋପ ଅଛି ।

ଅଭୟାନନ୍ଦର ରିସର୍ଚ୍ଚ ପୁରା ମୁଣ୍ଡକୁ ଚଢ଼ିଗଲାଣି। ଦିଲ୍ଲୀରୁ ଭୁବନେଶ୍ୱର ଫ୍ଲାଇଟ୍। ହାୱାଇ ସୁନ୍ଦରୀ ମାନେ ଇଂଲିସ୍ ରେ ପଚାରୁଛନ୍ତି, ଉତ୍ତର ମିଳୁଛି ଇଂଲିସ୍ ରେ। ୱାଟର, ଟି, କଫି – ହଁ, ଏଠି ଗୋଟାଏ ଗ୍ରେ ଏରିଆ ଅଛି ଇଂଲିସ୍ ପାଇଁ।
ଅଜଣା ନମ୍ବରରୁ ଫୋନ୍ ଆସେ, “ଗୁଡ୍ ମର୍ଣିଂ, ଗୁଡ୍ ଆଫଟର୍ ନୁନ୍।” କଲ୍ ସେଣ୍ଟର ଇଂଲିସ । ତାର ଗୋଟାଏ ସୀମାରେଖା ଅଛି। ଏ ସବୁ ଇଂଲିସ୍ ସହ ଏନକାଉଣ୍ଟର ହେଲା ପରେ, ଅଭୟ ଦାଶ ଠିକ୍ କଲା, ଗୋଟାଏ ଇଂଲିସ୍ ଫାଉଣ୍ଡେସନ କୋର୍ସ ଆରମ୍ଭ କରିବ। ଏ ପ୍ରକାର ଇଂଲିସ୍ ର ବହୁତ ଭବିଷ୍ୟତ ଅଛି। କଣଟାଏ ତ ହୋଇପାରିବ !
ଭୁବନେଶ୍ୱରର ଗୋଟାଏ ଛକ ମୁଣ୍ଡ ଦେଖି ସାଇନ୍ ବୋର୍ଡଟାଏ ଲାଗିଗଲା ,”ଅଭୟାନନ୍ଦ ଇଂଲିସ୍ ଫାଉଣ୍ଡେସନ” ! ବୋର୍ଡ ଦେଖି କେତେ ଲୋକ ସେଇ ଖୁଣ୍ଟରେ ସାଇକେଲ ଡେରି, ପଢିବେ କ’ଣ, ବରଂ କିଏ କିଏ ପରିଶ୍ରା କରିବାକୁ ଭଲ ଯାଗାଟାଏ ପାଇଗଲେଣି। “ଏଠାରେ ପରିଶ୍ରା କରିବା ମନା”, ବୋର୍ଡଟାଏ ଲଗାଇଲେ ବି କିଛି ଲାଭ ନାହିଁ, ଉପରେ ପାନଛେପ ଅଲଗା ! କଥାଟା ବ୍ୟାପିଲାଣି ଭୁବନେଶ୍ୱର ସାରା। କେତେ ଇନକ୍ବାରୀ ଆସୁଛି। ଏ କୋର୍ସର ଲାଭ କଣ? କି ଚାକିରି ମିଳିବ? କେତେ ଦରମା ମିଳିବ? ମୁଣ୍ଡ ଖାଇଗଲେଣି ଅଭୟ ଦାଶର।
ମୁଣ୍ଡ ଥଣ୍ଡା କରି କୋର୍ସେସ୍ ଅଫ୍ ଷ୍ଟଡିଜ୍ ଡିଜାଇନ କରିବାରେ ଲାଗି ପଡିଲା ସେ। ଭାବି ଦେଖିଲା ,ଏଇଟା ଗୋଟାଏ ଏଲ୍. ଆଇ. ଜି ଯୋଜନା। ଶିକ୍ଷାଗତ ଯୋଗ୍ୟତା, ଏଇ ଟେନ୍-ମାଇନସ୍-ଟୁ ହେଲେ ଚଳିଯିବ ! ଆମର ଟାର୍ଗେଟ ଗ୍ରୁପ୍ ହେଲେ ହାଉସ୍-ମେଡ୍, ସିକ୍ୟୁରିଟି ଗାର୍ଡ, କୁକ୍ , ୱଏଟର, ଡ୍ରାଇଭର ଆଦି। ସେମାନଙ୍କ ମନୋବଳ ବଢାଇବାକୁ ଏ ଫାଉଣ୍ଡେସନ କୋର୍ସ ର ସୃଷ୍ଟି। ଏହାକୁ ଏକ ସାମାଜିକ ଦାୟିତ୍ୱ ମନେକରି ଆଗକୁ ଆସିଛନ୍ତି ସ୍ବାମୀ ଅଭୟାନନ୍ଦ। କୋର୍ସେସ ଅଫ୍ ଷ୍ଟଡିଜ୍ ରେ ମୋଟ କୋଡିଏରୁ ତିରିଶ ଟି ଇଂରେଜି ଶବ୍ଦର ଚୟନ କରାଯାଇଛି ଯାହାକୁ ଛୋଟ ପିଲା କଣ, କୁକୁର ଓ ଶୁଆ ବି ବୁଝିପାରିବେ। ଯଥା ନୋ ନୋ , ବ୍ୟାଡ୍, ସିଟ୍, ଷ୍ଟପ୍ ଆଦି ।
‘ଟେନ୍ ମାଇନସ୍ ଟୁ ପାଶ୍ ଅବଲିକ୍ ଫେଲ୍’ ମଣିଷ ପାଇଁ “ୟେସ୍ ସାର୍”, “ଡ୍ୟାସ୍ ମାମ୍”, “ଏକ୍ସକ୍ୟୁଜ୍ ମି”, “ଥ୍ୟାଙ୍କ ୟୁ”, “କମ୍ ଏଗେନ୍”, “ଗୁଡ ମର୍ଣିଂ”ରୁ “ଗୁଡ୍ ନାଇଟ୍”, ସରି ! ବେଶ୍ ହୋଇଗଲା । ତିନି ମାସର କୋର୍ସ୍ । ଫିସ୍ ଛ ଶହ ଟଙ୍କା। ଟ୍ରେନିଂ ପାଇଁ ନିଜର ପୋଷା କୁକୁର ଓ ଶୁଆ ଆଣିବେ। ଶୁଆକୁ ରାମ ରାମ ସହ ଗୁଡମର୍ଣିଂ, ନମସ୍କାର, ଗୁଡନାଇଟ୍ ଶିକ୍ଷା ଦିଆଯିବ, ‘ସାର୍ – ମାମ୍’ ଡାକିବ ଶୁଆ। ଦେଖିବେ ମଣିଷଠାରୁ କୁକୁର ପର୍ଯ୍ୟନ୍ତ ସୋସିଆଲ ଷ୍ଟାଟସ୍ କେମିତି ବଢିଯିବ ! ଅଭୟ ଦାଶ ଓରଫ ସ୍ବାମୀ ଅଭୟାନନ୍ଦ ତ ପୁରା ବିଶ୍ବାସ ରଖିଛି, “ହମ୍ ହୋଙ୍ଗେ କାମିୟାବ୍”! ପରୀକ୍ଷା ପ୍ରାର୍ଥନୀୟ ।

4 thoughts on “ଇଂଲିସ୍ ଫାଉଣ୍ଡେସନ୍ କୋର୍ସ

  1. Bahut badhiaa byanga tiye. Praakrutika bhaabe rachaa jaaichi. Mora aantarika subhechhaa.

  2. Hahaha. This is so on point. Definitely needed research on why pet owners use English as the only language to communicate with their pets. This was a fun read. Thank you.

  3. ଡାକ୍ତର ଅଭୟ ଦାଶଙ୍କ ଲେଖାଟି ଛୋଟ ହେଲେ ମଧ୍ୟ ଆମେ ଓଡ଼ିଆ ଯେଉଁମାନେ ଆଭିଜାତ୍ୟ, ଆଧୁନିକତା ଏବଂ ଉନ୍ନତ ମସିସ୍କ ନାମରେ ପ୍ରତିଦିନ ଭିନ୍ନ ଭିନ୍ନ ସମୟରେ ଖଣ୍ଡି ଇଂରାଜୀ ବା ହିନ୍ଦି ମିଶା ଇଂରାଜୀ କହିବାକୁ ପସନ୍ଦ କରିଥାନ୍ତି, ସେମାନଙ୍କ ପାଇଁ ଏହା ଏକ ଶିକ୍ଷା ହେବ ବୋଲି ମୁଁ ଆଶା କରୁଛି୤ କାରଣ ସେହି ଓଡ଼ିଆମାନେ ବୋଧହୁଏ ଜାଣନ୍ତି ନାହିଁ ବା ଜାଣି ଅଜଣା ରହିଛନ୍ତି ଯେ ଏହିଭଳି କାର୍ଯ୍ୟ ଓଡ଼ିଆମାନଙ୍କ ବ୍ୟତୀତ ଆମ ପଡ଼ୋଶୀ ରାଜ୍ୟ ବଙ୍ଗଳା, ଛତିଶଗଡ଼ ବା ଝାଡ଼ଖଣ୍ଡବାସୀ ପ୍ରାୟ କରି ନଥାନ୍ତି୤ ଏହାର ଅର୍ଥ ଏହା ନୁହେଁ ଯେ ସେହି ରାଜ୍ୟର ବାସିନ୍ଦାମାନେ ନିରକ୍ଷର ବା ଇଂରାଜୀ ଜାଣନ୍ତି ନାହିଁ୤ ସେମାନେ ନିଜର ମାତୃଭାଷାକୁ ଆମଠାରୁ ଅଧିକ ଭଲପାଆନ୍ତି୤ ଅନ୍ୟ ଭାଷାରେ ଡାକ୍ତର ଦାଶଙ୍କ ଲେଖାରେ ଥିବା ବର୍ଣ୍ଣନା କୁକୁର ଓ ଅନ୍ୟ ଗୃହପାଳିତ ପଶୁ ମଧ୍ୟ ଇଂରାଜୀ ବୁଝନ୍ତି କଥା ବେଶ୍‌ ବ୍ୟଙ୍ଗାତ୍ମକ ହୋଇ ପାରିଛି , ଏହାକୁ ଆମ ଓଡ଼ିଆମାନେ ବୁଝିଲେ ହେଲା ?

Leave a Reply

Your email address will not be published. Required fields are marked *