ଜାଣିଜାଣି ଆମ ଭାଷାକୁ ବୁଡ଼ି ମରିବାକୁ ଦିଆ ନ ଯାଉ।
ଓଡ଼ିଶା ପାଇଁ ମାରକ ଦଶାର ଦଶନ୍ଧି ଥିଲା ଊନବିଂଶ ଶତାବ୍ଦୀର ଷଷ୍ଠ ଦଶକ; ଓଡ଼ିଶାରେ ମୃତ୍ୟୁର ତାଣ୍ଡବ ରଚିଥିଲା ନଅଙ୍କ ଓ ଓଡ଼ିଆ ଭାଷା ପାଇଁ ଆତଙ୍କ ଆଣିଦେଇଥିଲେ ପଡ଼ୋଶୀ ରାଜ୍ୟର ପଲେ ପଣ୍ଡିତ। ୧୮୬୪ରେ ଓଡ଼ିଶା ସ୍କୁଲ ବିଭାଗର ଇନ୍ସପେକ୍ଟର ଉମାଚରଣ ହାଲ୍ଦାର ଓଡ଼ିଶାର ବିଦ୍ୟାଳୟରୁ ଓଡ଼ିଆ ଭାଷା ଉଠିଯାଇ ବଙ୍ଗଳା ଚଳାଯାଉ ବୋଲି ଇଂରେଜ ସରକାରକୁ ପ୍ରସ୍ତାବ ଦେଲେ। ୧୮୬୮ ଡିସେମ୍ବର ୯ ତାରିଖରେ କଟକ ଡିବେଟିଂ କ୍ଲବ୍ରେ ଭାଷଣ ଦେଇ ରାଜେନ୍ଦ୍ରଲାଲ୍ ମିତ୍ର କହିଲେ-“ଉତ୍କଳର ଯଥାର୍ଥ ହିତାକାଙ୍କ୍ଷୀ ଯେ ହେବେ, ସେ ସର୍ବାଗ୍ରେ ଉତ୍କଳଭାଷା ଉଠାଇଦେଇ ବଙ୍ଗଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ; କାରଣ ଯେତେକାଳ ଉତ୍କଳ ଭାଷା ଉଠିଯାଇ ନାହିଁ, ସେତେକାଳ ଏ ଦେଶର ଉନ୍ନତି ହେବା ଅସମ୍ଭବ।”
କଟକ ହାଇସ୍କୁଲ୍ର ଆଇନ୍ ଉପଦେଷ୍ଟା ରାଜକୃଷ୍ଣ ମୁଖୋପାଧ୍ୟାୟ ‘ଉତ୍କଳ ହିତୈଷିଣୀ’ର ୧୮୬୯ ଜୁଲାଇ ୧ତାରିଖ ସଂଖ୍ୟାରେ ଲେଖିଲେ-“ଉତ୍କଳ ସଙ୍କର ଭାଷା ଅଟେ” ଓ “ବଙ୍ଗଭାଷାର ବିକୃତି ହେଲେ ଉତ୍କଳ ଭାଷା ହୁଏ”। ଉମାଚରଣ ହାଲ୍ଦାର ସେଇ ଜୁଲାଇ ପ୍ରଥମ ସପ୍ତାହରେ ‘କଟକ ଷ୍ଟାର’ ପତ୍ରିକାରେ ଏକ ପ୍ରବନ୍ଧ ଲେଖି ଓଡ଼ିଆ ଭାଷାକୁ ବଙ୍ଗୀୟ ଲିପିରେ ଲେଖାଯାଉ ବୋଲି ପ୍ରସ୍ତାବ ଦେଲେ। ବାଲେଶ୍ୱର ସରକାରୀ ସ୍କୁଲ୍ର ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ୧୮୭୦ ଜାନୁୟାରୀରେ ‘ଉଡ଼ିୟା ସ୍ୱତନ୍ତ୍ର ଭାଷା ନୟ’ ବୋଲି ଏକ ବହି ଛାପି ବାଣ୍ଟିଲେ।
୧୮୬୮ ଜାନୁୟାରୀ ୪ ତାରିଖରେ ଗୌରୀଶଙ୍କରଙ୍କ ଉତ୍କଳ ଦୀପିକାରେ ପ୍ରକାଶ ପାଇଲା- “ଓଡ଼ିଶା ପ୍ରଦେଶର ବିଦ୍ୟାଳୟ ସମୂହ ସଂକ୍ରାନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବଙ୍ଗଳା ଗଭର୍ଣ୍ଣମେଣ୍ଟର ବିଚାରାଧୀନ ଅଛି। ଶିକ୍ଷା ବିଭାଗର ଡାଇରେକ୍ଟର ଏବଂ ଏ ପ୍ରଦେଶର ଇନ୍ସପେକ୍ଟର ଗଭର୍ଣ୍ଣମେଣ୍ଟରେ ପ୍ରସ୍ତାବ କରିଛନ୍ତି ଯେ ଓଡ଼ିଶାର ସ୍କୁଲ୍ ସମସ୍ତରେ ବଙ୍ଗଭାଷାର ଅଧ୍ୟୟନ ବଳାତ୍କାରପୂର୍ବକ ଚଳନ ହେଉ ଏବଂ ବଙ୍ଗପୁସ୍ତକମାନ ଏ ସମସ୍ତ ବିଦ୍ୟାଳୟର ପାଠ୍ୟପୁସ୍ତକ ବୋଲି ଧାର୍ଯ୍ୟହେଉ।… ଯାହା ହେଉ ଏ ପ୍ରସ୍ତାବ ଓଡ଼ିଶାର ଭାବୀ ମଙ୍ଗଳ ଆଶାର ମୂଳୋତ୍ପାଟନ କରିବାର ଉପକ୍ରମ କରିଅଛି ଏବଂ ଶୀଘ୍ର ଏଥିର ଅନ୍ୟଥା ନ ହେଲେ ରକ୍ଷା ନାହିଁ।…”
ଦୋ’ଛକିରେ ଭାଷା
ପ୍ରକୃତରେ ରକ୍ଷା ହେଇଗଲା ଓଡ଼ିଆ ଭାଷା ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି, ଜନ୍ ବିମ୍ସ, ଟି.ଇ.ରେଭେନ୍ସା ପ୍ରମୁଖଙ୍କ ପାଇଁ। ଏଇମାନଙ୍କ ପ୍ରଚେଷ୍ଟାରେ ବଙ୍ଗଳା ଭାଷା ଓଡ଼ିଆ ସ୍କୁଲ୍ ପାଠ୍ୟକ୍ରମରୁ ୧୮୭୩ରେ ତଡ଼ା ଖାଇଲା। ପୋତାଯାଇଥିବା ସେଇ ଭାଷାମଞ୍ଜିରୁ ଉଠିଥିବା ଗଜାକୁ ଦ୍ରୁମ କରି ବଢ଼ାଇ ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିବାକୁ ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଓ ନୀଳମଣି ବିଦ୍ୟାରତ୍ନ ଆଦି କମ୍ ତ୍ୟାଗ ସ୍ୱୀକାର କରିନାହାନ୍ତି। ବଙ୍ଗାଳୀ ବାବୁମାନେ ଓଡ଼ିଆ ଭାଷାକୁ ବଙ୍ଗଳା ଲିପିରେ ଲେଖି ଓଡ଼ିଆ ଲିପିକୁ ଉଜାଡ଼ିଦେବା ଓ ଓଡ଼ିଆ ଭାଷାକୁ ବିଦ୍ୟାଳୟ ପାଠ୍ୟକ୍ରମରୁ ଉଠାଇ ଦେବାର ଯୋଜନା ପଛର ଅନ୍ୟତମ ଯୁକ୍ତି ଥିଲା ଓଡ଼ିଆରେ ଉପଯୁକ୍ତ ପାଠ୍ୟ ପୁସ୍ତକ ନାହିଁ।
ବଙ୍ଗାଳୀ ବାବୁମାନଙ୍କ ଯୁକ୍ତିକୁ ମିଥ୍ୟା ପ୍ରମାଣ କରିବାକୁ ପ୍ରାଥମିକ ବିଦ୍ୟାଳୟରେ ଅକ୍ଷରଶିକ୍ଷା ପାଇଁ, ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଗୋବିନ୍ଦ ରଥ ଲେଖି ପ୍ରକାଶ କଲେ ‘ବର୍ଣ୍ଣବୋଧକ’, ମଧୁସୂଦନ ମିଶ୍ର ‘ବର୍ଣ୍ଣନିର୍ଣ୍ଣୟ’, ଘନଶ୍ୟାମ ମିଶ୍ର ‘ବର୍ଣ୍ଣପରିଚୟ’, କପିଳେଶ୍ୱର ବିଦ୍ୟାଭୂଷଣ ‘ବର୍ଣ୍ଣଶିକ୍ଷା’, ଅଭିନ୍ନ ନାୟକ ‘ବର୍ଣ୍ଣବୋଧକ’, ବଳରାମ ଦାସ ‘ଶିକ୍ଷାମଞ୍ଜରୀ’, କାଳିପ୍ରସାଦ ଦାସ ‘ବର୍ଣ୍ଣବିଜ୍ଞାନ’, ଚତୁର୍ଭୁଜ ପଟ୍ଟନାୟକ ‘ବାଳବୋଧିନୀ’, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ‘ବର୍ଣ୍ଣବିଜ୍ଞାନ’, ଜଗନ୍ନାଥ ରାଓ ‘ପ୍ରଥମପାଠ’ଏବଂ ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ଇତ୍ୟାଦି।
ସବୁକୁ ବଳିଯାଇ ମଧୁସୂଦନଙ୍କ ‘ବର୍ଣ୍ଣବୋଧ’ ସର୍ବଜନଗ୍ରାହ୍ୟ, ସର୍ବଜନପ୍ରିୟ ହୋଇପାରିଲା, ଏବେ ମଧ୍ୟ ସର୍ବଜନପ୍ରିୟ ହୋଇ ରହିଛି। ମଧୁସୂଦନ ଥିଲେ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷା ପରିଦର୍ଶକ, ଭାଷାବିତ୍, ଉଭୟ ଭାଷା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଥିଲା ଗଭୀର ଅନୁଭୂତି, ଅନୁଧ୍ୟାନ ଆଉ ଅନୁଶୀଳନ। ତାଙ୍କର ନିଷ୍ଠା, ନିଦିଧ୍ୟାସ, ଆଧ୍ୟାତ୍ମିକତା, ଉଦାର ମାନବିକତା, କବିତ୍ୱ ଏବଂ ସର୍ବୋପରି ଓଡ଼ିଆ ଭାଷାପ୍ରୀତିରୁ ଜନ୍ମ ନେଇଥିଲା ‘ବର୍ଣ୍ଣବୋଧ’ଏବଂ ଖୁବ୍ କମ୍ ଦିନରେ ଏଇ ‘ବର୍ଣ୍ଣବୋଧ’ ପାଲଟି ଯାଇଥିଲା ଓଡ଼ିଆ ଜାତିର ଅକ୍ଷରବେଦ। ଓଡ଼ିଆ ଭାଷା ଯଦି ବଞ୍ଚିଛି; ଶୁଦ୍ଧ, ଶକ୍ତ, ସୁଠାମ ହେଇ ଆଜି ଠିଆ ହେଇଛି; ତା’ ପଛରେ ‘ବର୍ଣ୍ଣବୋଧ’ର ଅବଦାନକୁ କେହି ଅସ୍ୱୀକାର କରିବେ ନାହିଁ।
‘ବର୍ଣ୍ଣବୋଧ’ ଯଦିଓ ଶତାଧିକ ବର୍ଷହେଲା ସହସ୍ରାଧିକ ସଂସ୍କରଣରେ ପ୍ରକାଶ ଲଭିି ଏ ଜାତିକୁ ଅକ୍ଷର ଶିକ୍ଷା ଦେଇ ସାକ୍ଷର ଶିକ୍ଷିତ କରି ଚାଲିଛି, ତଥାପି ଏ ଅକୃତଜ୍ଞ ଓଡ଼ିଆ ବର୍ଣ୍ଣବୋଧ ରଚନାର ରୁପାର ଜୟନ୍ତୀ କି ସୁନାର ଜୟନ୍ତୀ କି ହୀରାର ଜୟନ୍ତୀଟିଏ ପାଳନ କରିନି। ଏତେ ସବୁ ସତ୍ତ୍ୱେ ବି ‘ବର୍ଣ୍ଣବୋଧ’ର ଅବଦାନକୁ ଆମ ସରକାର ଅସ୍ୱୀକାର କରିନାହାନ୍ତି। କେନ୍ଦ୍ର ସରକାରଙ୍କ ପାଖରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡ଼ିଶା ସରକାର ଦାଖଲ କରିଥବା ଦଲିଲ୍ ଦସ୍ତାବିଜ୍ର ୨୮୨ ପୃଷ୍ଠାର ଆନେକ୍ସର୍ – XXIV(12)ରେ ଥିବା ‘ପ୍ରେଜେଣ୍ଟ ଓଡିଆ ସ୍କ୍ରିପ୍ଟ : ମଧୁ ବର୍ଣ୍ଣବୋଧ’ (୧୯୦୫) ହେଉଛି ତା’ର ଜ୍ୱଳନ୍ତ ପ୍ରମାଣ।
ବର୍ଣ୍ଣମାଳାର ତାଲିକା
ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ଗଠିତ ବିଶେଷଜ୍ଞ କମିଟି କର୍ତ୍ତୃକ ପ୍ରସ୍ତୁତ ଦଲିଲ୍ରେ ଆମ ଓଡ଼ିଆ ବର୍ଣ୍ଣମାଳାରେ ସମୁଦାୟ ୪୯ଟି ବର୍ଣ୍ଣ (୧୩ଟି ସ୍ୱରବର୍ଣ୍ଣ + ୩୬ଟି ବ୍ୟଞ୍ଜନ ବର୍ଣ୍ଣ) ଏବଂ ପାଞ୍ଚଟି ଅତିରିକ୍ତ ବର୍ଣ୍ଣ ଅଛି ବୋଲି ଏକ ତାଲିକା ରହିଲା। ସେ ତାଲିକା ଆଉ କିଛି ନୁହେଁ, ୧୯୦୫ରେ ପ୍ରକାଶିତ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧରେ ଦିଆଯାଇଥିବା ବର୍ଣ୍ଣମାଳାର ତାଲିକା। ଆମ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ସେହି ଦଲିଲ୍ ପେଶ୍ କଲେ ଏବଂ ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ବୋଲି ଭାରତ ସରକାର ଘୋଷଣା କଲେ।
ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣର ଦଲିଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ଗଠିତ ରାଜ୍ୟ ଭାଷା କମିଟିର ଆବାହକ ଓଡ଼ିଆ ଭାଷା ପ୍ରତିଷ୍ଠାନର ତତ୍କାଳୀନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ପ୍ରସନ୍ନ କୁମାର ମହାନ୍ତି ଦିଲ୍ଲୀରେ ସେହି ଦଲିଲ୍ ଦସ୍ତାବିଜ୍ ଦାଖଲ କରି ଫେରିବା ପରେ ଆଗ ‘ମଧୁ ବର୍ଣ୍ଣବୋଧ’କୁ ‘ଓଡ଼ିଆ ବର୍ଣବୋଧ’ କରି ସରକାରୀ ପଇସାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରକାଶ କରିଦେଲେ। ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ମାତ୍ର ଛଅ ମାସ ବି ସମ୍ଭଳା ପଡ଼ିଲେନି। କେନ୍ଦ୍ରୀୟ ଭାଷା କମିଟି ସମକ୍ଷରେ ପେସ୍ କରାଯାଇଥିବା ମଧୁ ବର୍ଣ୍ଣବୋଧର ସେଇ ବର୍ଣ୍ଣମାଳାକୁ ଭାଙ୍ଗି ବଦଳେଇଦେଲେ। ପ୍ରକଳ୍ପ ବିଚାର କମିଟି ଓ କାର୍ଯ୍ୟନିର୍ବାହୀ କମିଟିର ବିନା ଅନୁମୋଦନ ଓ ଅନୁମତିରେ ଏପରିକି ଅଜାଣତରେ ମୂଳ ବର୍ଣ୍ଣବୋଧକୁ କାଟି, ଯୋଡ଼ି, ବିକୃତ କରିଦେଲେ, ମୂଳ ବର୍ଣ୍ଣବୋଧର ବର୍ଣ୍ଣକ୍ରମକୁ ବିଶୃଙ୍ଖଳ କରିଦେଲେ, ବର୍ଣ୍ଣମାଳାରୁ ଅନୁସ୍ୱାର, ବିସର୍ଗ, ଚନ୍ଦ୍ରବିନ୍ଦୁ ଉଠେଇଦେଲେ,‘ଜ୍ଞ’କୁ ଆଣି ବର୍ଣ୍ଣମାଳା ଭିତରେ ଥୋଇଲେ, ଯୁକ୍ତାକ୍ଷରକୁ ଭାଙ୍ଗି ଅନୁସ୍ୱାର ଦେଇ ଲେଖିବାର ବିକଳ୍ପ ବାଟ ବତାଇ ବର୍ଣ୍ଣବୋଧକୁ ବିକୃତ ବିକଳାଙ୍ଗ ବିପର୍ଯ୍ୟସ୍ତ କରିଦେଲେ ଏବଂ ରିଭ୍ୟୁ ନ କରି ବହି ଛାପିଦେଲେ।
ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ମନ୍ତବ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ-“ଓଡ଼ିଆ ଭାଷା ପ୍ରତିଷ୍ଠାନର ‘ବର୍ଣ୍ଣବୋଧ’ ହେଉଛି ଏକ ଠକାମି, ଦୁରଭିସନ୍ଧିମୂଳକ କାର୍ଯ୍ୟ। … ମଧୁସୂଦନଙ୍କୁ ଅପମାନିତ କରିବା, ଭାଷା ସାହିତ୍ୟ ପରମ୍ପରାକୁ ଭାଙ୍ଗିବା ପାଇଁ ଇଏ ଗୋଟାଏ ଷଡ଼ଯନ୍ତ୍ର। … ଏ ବହିର ସମ୍ପାଦକ ଦୁଇଜଣଙ୍କୁ ନିଯୁକ୍ତ କରିଛି କିଏ? ‘ବର୍ଣବୋଧ’ ଛପା ହେବା ପୂର୍ବରୁ ରିଭ୍ୟୁ ହେଇଛି କି?” ଡକ୍ଟର ସିଂହଙ୍କ ଏଇ ଶେଷ ପ୍ରଶ୍ନ ଦୁଇଟିର ଉତ୍ତର ପାଣି ପକେଇ ଖୋଜିଲେ ବି ମିଳିବନି ଏବଂ ଖୋଜି ନ ପାଇବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ସଂସ୍କୃତି ବିଭାଗକୁ ଲମ୍ଫ ମାରିବାର ବ୍ୟବସ୍ଥା କରିଦିଆଗଲା।
ମାନ୍ୟତା ପାଇଁ ଦଲିଲ
ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣର ଦଲିଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ଗଠିତ ରାଜ୍ୟ ଭାଷା କମିଟିର ଅଧ୍ୟକ୍ଷ ଥିଲେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ। ୨୦୧୩ ଜୁଲାଇ ୨୩ ତାରିଖରେ ନୂଆ ଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଭାଷା ବିଶେଷଜ୍ଞ କମିଟି ଆଗରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧରେ ଥିବା ଓଡ଼ିଆ ବର୍ଣ୍ଣମାଳାର ଉପରୋକ୍ତ ତାଲିକା ପେସ୍ କରିଥିଲେ। ୧୬ ଜୁନ୍ , ୨୦୧୪ ତାରିଖ ସମାଜରେ ‘ଓଡ଼ିଆ ବର୍ଣ୍ଣକ୍ରମ ଓ ବର୍ଣ୍ଣସଂଖ୍ୟା’ ଶୀର୍ଷକ ତାଙ୍କ ପ୍ରବନ୍ଧରେ କିନ୍ତୁ ଲେଖିଲେ- “ହ୍ରସ୍ୱ ଦୀର୍ଘର ବିଭେଦ କେଉଁ କାଳୁ ଲୋପ ପାଇଲାଣି। ତେଣୁ ‘ଈ, ଊ’କୁ ରଖି ଅଯଥା ବୋଝ ମୁଣ୍ଡାଇବାର ଆବଶ୍ୟକତା ଅଛି କି? ଏହା ଥିବାରୁ ବନାନ ଭୁଲ୍ ହେବାକୁ ବାଧ୍ୟ। …ସେହିପରି ତିନିଟି ଶ,ସ,ଷ ଏବଂ ଦୁଇଟି ଜ, ଯ। ଓଡ଼ିଆ ଉଚ୍ଚାରଣରେ ଏହା ସ ଓ ଜ। ପଣ୍ଡିତ ନୀଳକଣ୍ଠ ତାଙ୍କ ବ୍ୟାକରଣ ବିଚାରରେ ଗୋଟିଏ ସ ରଖିବାକୁ କହିଛନ୍ତି। ତେବେ ପାଞ୍ଚଟି ଓଡ଼ିଆ ଅକ୍ଷରର ପ୍ରୟୋଜନ ଅଛି କି?”
କେନ୍ଦ୍ର ସରକାରଙ୍କୁ ଆମ ବର୍ଣ୍ଣମାଳାର ଗୋଟାଏ ତାଲିକା ଧରାଇଦେବା ଅର୍ଥ ସବୁ ରାଜ୍ୟ ଜାଣିଲେ ଆମ ଓଡ଼ିଆ ଭାଷାର ବର୍ଣ୍ଣମାଳାରେ ୪୯ଟି ବର୍ଣ୍ଣ ଅଛି। ଆମ ଭାଷାଘରର ମୁରବି ଡକ୍ଟର ପଟ୍ଟନାୟକଙ୍କ ମୁଣ୍ଡକୁ କିନ୍ତୁ ଏ ଭଗାରିହସା ବୁଦ୍ଧି ଆସିଲା କେମିତି?
ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ସ୍ୱୀକାର କରିଛନ୍ତି ଓଡ଼ିଆ ତାଙ୍କର ପ୍ରଥମ ଭାଷା ନୁହେଁ, ତଥାପି ଦୀର୍ଘଦିନ ଧରି ସେ ଯେପରି ଓଡ଼ିଆ ଭାଷା ଗବେଷଣାରେ ନିଷ୍ଠାର ସହିତ ଆପଣାର ଅଧ୍ୟୟନ, ଅଧ୍ୟବସାୟ, ଅନୁଶୀଳନ ଜାରି ରଖିଛନ୍ତି ତାହା ଅନନ୍ୟ, ସେଥିପାଇଁ ତାଙ୍କୁ ପ୍ରଶଂସା କରିବାକୁ ଅଭିଧାନେ ଶବ୍ଦ ବି ନଅଣ୍ଟ ହେବ। ଓଡ଼ିଆ ଯୁକ୍ତାକ୍ଷରକୁ ଅନୁସ୍ୱାର ଓ ହଳନ୍ତ ଦେଇ ଭାଙ୍ଗିବା କ୍ଷେତ୍ରରେ ତାଙ୍କ ଭୂମିକା କିନ୍ତୁ ପ୍ରଶ୍ନବାଚୀ ସୃଷ୍ଟି କରେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଭକ୍ତକବି ମଧୁସୂଦନଙ୍କ ‘ବର୍ଣ୍ଣବୋଧ’କୁ ସେ ସମ୍ପାଦନା କରି ‘ଓଡ଼ିଆ ବର୍ଣବୋଧ’ କରିଛନ୍ତି।
‘ବର୍ଣ୍ଣବୋଧ’ ଏକ ପ୍ରାଥମିକ ପୁସ୍ତକ (ପ୍ରାଇମର୍), ଏଇଥିରୁ ପିଲାର ଅକ୍ଷର ଶିକ୍ଷାର ମୂଳଦୁଆ ପଡ଼େ। ଡକ୍ଟର୍ ତ୍ରିପାଠୀ ଶୁଦ୍ଧ ଲିଖନ ପାଇଁ ‘ବନାନ ଓ ପ୍ରୟୋଗ ଧାରା’, ‘ଓଡ଼ିଆ ବନାନ ଅଭିଧାନ’ ଆଦି ଏକାଧିକ ପୁସ୍ତକ ରଚନା କରିଛନ୍ତି; କିନ୍ତୁ ତାଙ୍କ ସମ୍ପାଦିତ ‘ଓଡ଼ିଆ ବର୍ଣବୋଧ’ ତ୍ରୁଟିର ଏକ ଖଜୁରି ଗଛ ପାଲଟିଲା କେମିତି? ଏଥି ଯୋଗୁ ଓଡ଼ିଆ ଭାଷାର ମୂଳଦୁଆ ଭୁଶୁଡ଼ିବନି ତ? ଡକ୍ଟର୍ ତ୍ରିପାଠୀଙ୍କ ଦ୍ୱାରା ସମ୍ପାଦିତ ‘ଓଡ଼ିଆ ବର୍ଣବୋଧ’ରେ ଏ ଉଡ୍ରୀ ଭାଷାକୁ କେମିତି ବିଷକୃତ, ବିକଳଶରୀରା କରାହୋଇଛି ସେଥିରୁ ମାତ୍ର କେତୋଟି ଉଦାହରଣ ଆସନ୍ତୁ ଦେଖିବା : ‘ଓଡ଼ିଆ ବର୍ଣବୋଧ’ର ୩୨ ପୃଷ୍ଠାରେ ଡକ୍ଟର୍ ତ୍ରିପାଠୀ ଲେଖିଲେ- ‘କେହି କେହି ବଳ୍କ ପିନ୍ଧନ୍ତି।’ -ଏ ‘ବଳ୍କ’ଟିର ଅର୍ଥ କ’ଣ? ‘ଓଡ଼ିଆ ବର୍ଣ୍ଣବୋଧ’ର ୩୩ ପୃଷ୍ଠାରେ ଥିବା ଜ୍ + ଜ + ୱ = ଜ୍ଜ କି? ଙ୍ + କ୍ଷ = ଂକ୍ଷ ଏକ ଯୁକ୍ତାକ୍ଷର କି? ଏ ପଛଆଡ଼ୁଆ ଅନୁସ୍ୱାରଦିଆ ‘ଂକ୍ଷ’କୁ ଆମ ପିଲାଏ କେମିତି ଉଚ୍ଚାରଣ କରିବେ? ୫ + ୩ = ୫୩ କି? ତେବେ ୩୧ ପୃଷ୍ଠାରେ ଲ + ଗ = ଲ୍ଗ, ଦ୍ + ଘ= ଦ୍ଘ, ଶ + ଛ = ଶ୍ଛ ହେଲା କେମିତି? ପୁଣି ତ୍ + ଥ = ତ୍ଥ ନ ହୋଇ ଥ୍ତ ହେଲା କାହିଁକି? କ’ଣ ଏଠି ୫ + ୩ = ୩୫ ? ଚ୍ + ଞ୍ = ଚ୍ଞ ଯୁକ୍ତାକ୍ଷର ହେବ ବୋଲି ଲେଖାଯାଇଛି; ଏହା କ’ଣ ଏକ ଯୁକ୍ତାକ୍ଷର? ଚ୍ଞକୁ ଉଚ୍ଚାରଣ କରିହେବ କି?
ଓଡ଼ିଆ ଭାଷା ପ୍ରତିଷ୍ଠାନ ‘ଓଡ଼ିଆ ବର୍ଣବୋଧ’ ସମ୍ପର୍କରେ କହିଛି -“ଏଥିରେ ଅନାବଶ୍ୟକ ଯୁକ୍ତାକ୍ଷରକୁ ବାଦ୍ ଦିଆଯାଇଥିବା ବେଳେ ସହଜରେ ଜଣେ ଯେପରି ଗୋଟିଏ ଶବ୍ଦକୁ ଲେଖିପାରିବ ସେଥିପାଇଁ ଉପାୟ ବତାଇ ଦିଆଯାଇଛି। …ନୂଆ ରୂପରେ ବର୍ଣ୍ଣବୋଧକୁ ବର୍ଣବୋଧ, ମହାନ୍ତିକୁ ମହାଂତି …ଲେଖାଯାଇଛି।” -(ସମ୍ବାଦ-୨୯ ଏପ୍ରିଲ୍, ୨୦୧୪)। ଉଦାହରଣ ସ୍ୱରୂପ ଆସନ୍ତୁ ଦେଖିବା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଅନୁସ୍ୱାରଦିଆ ନାଆଁ କେମିତି ସୁନ୍ଦର ଶୁଭୁଛି ଓ ଶୋଭାକର ଦିଶୁଛି। କଟକ ଷ୍ଟୁଡେଣ୍ଟ୍ ଷ୍ଟୋର୍ ପ୍ରକାଶିତ ଡକ୍ଟର ‘ମଂହାତି’ଙ୍କ ପୁସ୍ତକ “ଓଡ଼ିଆ ସାହିତ୍ୟର ଇତିହାସ : ଆଦ୍ୟ ପ୍ରୟାସ” ପଛ ମଲାଟର ଭିତର ପଟେ ଲେଖକ ପରିଚୟ ଦେବାକୁ ଯାଇ ଲେଖାଯାଇଛି ଡ.‘ମଂହାତି’। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଖୋଦ୍ ଶ୍ରୀଯୁକ୍ତ ମହାନ୍ତିଙ୍କ କ୍ଷେତ୍ରରେ ଅନୁସ୍ୱାର ଏଠିି ‘ହ’କୁ ଛାଡ଼ପତ୍ର ଦେଇ ‘ମ’କୁ ଦୁତିଅ ହେଇଛି। ଏଇ ଅନୁସ୍ୱାରିଆ ‘ମଂହାତି’ଙ୍କୁୁ କ’ଣ ଆମେ ‘ମଂ+ହାତି’ କହିବା? ଅନୁସ୍ୱାର ଦେଇ ଯୁକ୍ତାକ୍ଷରକୁ ଭାଙ୍ଗିଲେ ଭାଷା କେମିତି ଭ୍ରଷ୍ଟ ହୁଏ, ବିଶୃଙ୍ଖଳା ହୁଏ, ବିପର୍ଯ୍ୟସ୍ତ ହୁଏ ଏହାଠାରୁ ବଳି ଆଉ ବଡ଼ ପ୍ରମାଣ ଆମେ କ’ଣ ଦେବା?
ବର୍ଣ୍ଣମାଳାର ବୋଝ
ଡକ୍ଟର ତ୍ରିପାଠୀ, ଡକ୍ଟର ମହାନ୍ତିଙ୍କ ପରେ ଆସନ୍ତୁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ପାଖକୁ ଯିବା। ୧୬ ଜୁନ୍, ୨୦୧୪ ତାରିଖ ସମାଜରେ ପ୍ରକାଶିତ ‘ଓଡ଼ିଆ ବର୍ଣ୍ଣକ୍ରମ ଓ ବର୍ଣ୍ଣସଂଖ୍ୟା’ରେ ଡକ୍ଟର ପଟ୍ଟନାୟକ ଲେଖିଛନ୍ତି- “…ସେହିପରି ତିନିଟି ଶ, ସ, ଷ ଏବଂ ଦୁଇଟି ଜ, ଯ। ଓଡ଼ିଆ ଉଚ୍ଚାରଣରେ ଏହା ସ ଓ ଜ। ପଣ୍ଡିତ ନୀଳକଣ୍ଠ ତାଙ୍କ ବ୍ୟାକରଣ ବିଚାରରେ ଗୋଟିଏ ସ ରଖିବାକୁ କହିଛନ୍ତି। ତେବେ ୫ଟି ଓଡ଼ିଆ ଅକ୍ଷରର ଆବଶ୍ୟକତା ଅଛି କି? +++ ହ୍ରସ୍ୱ ଦୀର୍ଘ ବିଭେଦ ଓଡ଼ିଆରେ କେଉଁ କାଳୁ ଲୋପ ପାଇଲାଣି। ତେଣୁ ବର୍ଣ୍ଣମାଳାରେ ‘ଈ’, ‘ଊ’କୁ ରଖି ଅଯଥା ବୋଝ ମୁଣ୍ଡେଇବାର ଆବଶ୍ୟକତା ଅଛି କି? ଏହା ଥିବାରୁ ବନାନ ଭୁଲ୍ ହେବାକୁ ବାଧ୍ୟ।”
ଡକ୍ଟର ପଟ୍ଟନାୟକ ଯାହା ଲେଖିଛନ୍ତି- “ଏହା ଥିବାରୁ ବନାନ ଭୁଲ୍ ହେବାକୁ ବାଧ୍ୟ”- ପ୍ରକୃତରେ ତାଙ୍କର ଏ କଥାଟା ଶତକଡ଼ା ଶହେଭାଗ ସତ। ତା’ ନ ହେଲେ ଡକ୍ଟର ପଟ୍ଟନାୟକଙ୍କ ଭଳି ବର୍ତ୍ତମାନ ଭାରତବର୍ଷରେ ସବୁଠାରୁ ‘ବର୍ଷିୟାନ୍’ ଭାଷାବିଜ୍ଞାନୀ ହୋଇ ‘ବର୍ଷୀୟାନ୍’ ଶବ୍ଦଟାକୁ ‘ବର୍ଷିୟାନ୍’ ଲେଖି ଭୁଲ୍ କରି ନ ଥାନ୍ତେ। ୨୬.୧୧.୧୯୯୮ରେ ପ୍ରକାଶିତ ତାଙ୍କ ଲେଖାରେ ‘ବର୍ଣ୍ଣାଶୁଦ୍ଧି’କୁ ଦୁଇଥର ‘ବର୍ଣ୍ଣଶୁଦ୍ଧି’ ଲେଖିଥିବାରୁ ତାଙ୍କ କହିବା କଥାର ବିପରୀତ ଅର୍ଥ ବୁଝାଉ ନ ଥାନ୍ତା। ନିଜ ମାତୃଭାଷାରେ ରଚିତ ନିଜ ବହି “ଭାଷା ଓ ସାହିତ୍ୟ”(ପକ୍ଷୀଘର ପ୍ରକାଶନୀ, ପ୍ରଥମ ସଂସ୍କରଣ-୨୦୧୬)ର ମୁଖବନ୍ଧରେ ସେ ଋଣୀକୁ ‘ଋଣି’(୩ ଥର), ସମ୍ପୂର୍ଣ୍ଣକୁ ‘ସମ୍ପୁର୍ଣ୍ଣ’, ଶାନ୍ତିନିକେତନକୁ ‘ଶାନ୍ତିନୀକେତନ’, ପୂର୍ବସୂରୀକୁ ‘ପୂର୍ବତ୍ସରୀ’, କୁଳପତିକୁ ‘କୂଳପତି’, ଦେଶୀକୁ ‘ଦେଶି’, ବିଦେଶୀକୁ ‘ବିଦେଶି’, ତାଲିକାକୁ ‘ତାଳିକା’, ସଙ୍କଳନକୁ ‘ସଂକଳକ’ ଲେଖିଥାନ୍ତେ କେମିତି?
ସବୁଠାରୁ ମଜାର କଥା ଯେ ଏ ବହିରେ ‘ବନାନ ଭୁଲର କାରଣ’ ବୋଲି ଏକ ପ୍ରବନ୍ଧ ଅଛି ଏବଂ ଏଇ ପ୍ରବନ୍ଧରେ ଡକ୍ଟର ପଟ୍ଟନାୟକ ଭୁଲ ଶବ୍ଦର ଭୁଲ ବନାନ କରି ‘ଭୂଲ’ ବୋଲି ଲେଖିଛନ୍ତି, ତ୍ରୁଟିପୂର୍ଣ୍ଣକୁ ତ୍ରୁଟିପୂର୍ଣ୍ଣ କରି ‘ତୃଟିପୂର୍ଣ୍ଣ’ ବୋଲି ଲେଖିଛନ୍ତି। ଏଇ ‘ବନାନ ଭୁଲର କାରଣ’ରେ ‘ଶବ୍ଦ’କୁ ଆଠଥର ବନାନ ଭୁଲ୍ କରି ‘ଶଦ୍ଦ’ ଭାବେ ଲେଖିଛନ୍ତି।
କେମନ୍ତ ଧାରଣା!
ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଦ୍ୱାରା ୨୦୧୯ ଫେବୃଆରୀରେ ପ୍ରକାଶିତ ‘ବର୍ଣ୍ଣମାଳା ଆଲୋଚନା’ ବହିର ପ୍ରଥମ ପ୍ରବନ୍ଧ ‘ଓଡ଼ିଆ ବର୍ଣ୍ଣମାଳା ଧାରଣା (କନ୍ସେପ୍ଟ)’ ପ୍ରଥମ ବାକ୍ୟରେ ଡକ୍ଟର ପଟ୍ଟନାୟକ ପ୍ରବୃତ୍ତି ଜାଗାରେ ଲେଖିଛନ୍ତି ‘ପ୍ରବୃତି’, ସଞ୍ଜକୁ ଲେଖିଛନ୍ତି ‘ସଞ’, ବାଞ୍ଝକୁ ଲେଖିଛନ୍ତି ‘ବାଞ’, ବ୍ୟଞ୍ଜନକୁ ‘ବ୍ୟଞନ’। ୧୬ ଜୁନ୍ , ୨୦୧୪ ତାରିଖ ‘ସମାଜ’ରେ ପ୍ରକାଶିତ ତାଙ୍କ ଲେଖା ‘ଓଡ଼ିଆ ବର୍ଣ୍ଣ ସଂଖ୍ୟା ଓ ବର୍ଣ୍ଣକ୍ରମ’ରେ ସେ ଲେଖିଛନ୍ତି-“ପଣ୍ଡିତ ନୀଳକଣ୍ଠ ଅନୁନାସିକ ବର୍ଗୀୟ ବ୍ୟଞ୍ଜନକୁ ସ୍ୱତନ୍ତ୍ର ଅକ୍ଷର ଲେଖି ଅନୁସ୍ୱାରଯୁକ୍ତ ବର୍ଗୀୟ ବ୍ୟଞ୍ଜନ ଲେଖିବାକୁ ଡାକରା ଦେଇଥିଲେ। ତାଙ୍କ ଲେଖା ‘ପଂଡିତ’କୁ ଯେଉଁମାନେ ‘ଫଡିତ’ କହି ଥଟ୍ଟା କଲେ, ସେମାନେ ଜାଣି ନ ଥିଲେ ଯେ ଅକ୍ଷରରୁ ଛାଡ଼ି କରି ଲେଖିଲେ ତାହା ଅନୁସ୍ୱାର। ଏହା ଲେଖିବାର ସୁଯୋଗ ଯେ ଓଡ଼ିଆ ବ୍ୟାକରଣର ଏକ ଅମୂଲ୍ୟ ଦାନ, ଏହା ସେମାନେ ବୁଝିଲେ ନାହିଁ।” ଡକ୍ଟର ପଟ୍ଟନାୟକ ଯଦି ଏତେ କଥା ବୁଝିଥିଲେ ସେ ତାଙ୍କ ପ୍ରବନ୍ଧ ‘ଓଡ଼ିଆ ବର୍ଣ୍ଣମାଳା ଧାରଣା (କନ୍ସେପ୍ଟ)’ରେ ‘ସଙ୍ଘା’କୁ ‘ସଘାଂ’ ବୋଲି ଲେଖିଲେ କେମିତି???
ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୨୦୧୭ ପ୍ରକାଶିତ ‘ଚଳନ୍ତି ଓଡ଼ିଆ ଅଭିଧାନ’, ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ୨୦୧୮ ପ୍ରକାଶିତ ‘ପଠିତ ଓଡ଼ିଆ ଶବ୍ଦକୋଷ’, ୨୦୧୯ରେ ଅଷ୍ଟମ ଶ୍ରେଣୀର ‘ଆମ ଓଡ଼ିଆ ବ୍ୟାକରଣ’ ଏବଂ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅକ୍ଷର ଶିକ୍ଷା ବହି ‘ହସଖେଳ’ରେ ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରଦତ୍ତ ଦଲିଲ୍ ଅନୁସାରେ ବର୍ଣ୍ଣ ସଂଖ୍ୟା ବା ବର୍ଣ୍ଣକ୍ରମ ନାହିଁ।
‘ସାହିତ୍ୟ ଚର୍ଚ୍ଚା’ ୨୦୨୩ ମଇ ସଂଖ୍ୟାରେ ପ୍ରଫେସର ଉଦୟନାଥ ସାହୁ ଓଡ଼ିଆ ବର୍ଣ୍ଣମାଳାରେ ସମୁଦାୟ ୫୫ଟି ବର୍ଣ୍ଣ ରହିବା ଉଚିତ ବୋଲି କିଛି ଭାଷାବିଦ୍ଙ୍କୁ ନେଇ ଦିଲ୍ଲୀରେ ୨୦୧୯ ମସିହାରେ ଆୟୋଜିତ ଏକ ସଂଗୋଷ୍ଠୀ ପ୍ରସ୍ତାବ ଦେଇଥିବା କଥା ଲେଖିଛନ୍ତି। ଆମ ଓଡ଼ିଆ ଭାଷାବିଦ୍ମାନେ ବର୍ଣ୍ଣମାଳାରୁ କେବଳ କାଟିବା, କମେଇବା, ଛାଡ଼ିବା, ଛିଣ୍ଡେଇବା, ଉପାଡ଼ିବା, ଉଠେଇବା କଥା କହନ୍ତି; ଯୋଡ଼ିବା, ଗଢ଼ିବା କଥାର ଇଏ ହୁଏତ ପ୍ରଥମ ଉଦାହରଣ।
୧୯୧୪ ମସିହା ଜାନୁୟାରୀ ୧୨ ତାରିଖ ‘ଆଶା’ ପତ୍ରିକାରେ ପଣ୍ଡିତ ଗୋପବନ୍ଧୁ ଯୁକ୍ତାକ୍ଷରକୁ ଭାଙ୍ଗି ଅନୁସ୍ୱାର ଦେଇ ‘ସତ୍ୟବାଦୀ’ର ଏକ ବିଜ୍ଞାପନ ବାହାର କଲେ। ୧୯୧୪ ମସିହା, ଫିବ୍ରେଓରୀ ମାସ ୧୬ ତାରିଖରେ ପ୍ରାପ୍ତପତ୍ର ସ୍ତମ୍ଭରେ ପ୍ରକାଶିତ ଏକ ଚିଠିରେ ପଣ୍ଡିତ ଗୋଦାବରୀଶ ବନାନ, ବ୍ୟାକରଣ ଆଦି ନୀତିନିୟମର ସବୁ ବାଡ଼ ଭାଙ୍ଗି ଚୂର୍ମାର କରିଦେଇ ପଣ୍ଡିତ ଗୋପବନ୍ଧୁଙ୍କ ଆଙ୍ଗୁଠି ଦେଖାରୁ ଉନ୍ମତ୍ତ ଉତ୍ସାହରେ ବାହା ଗିଳି ପକାଇଲେ। ଏମିତି କି ଦାସେ ଆପଣେ ନିଜ ନାଆଁ ‘ଗୋପବନ୍ଧୁ ଦାସ’ ବୋଲି ଦସ୍ତଖତ କରିଥିବା ବେଳେ, ପଣ୍ଡିତ ଗୋଦାବରୀଶ କିନ୍ତୁ ନିଜ ନାଆଁକୁ ବି ଛାଡ଼ିନାହାନ୍ତି, ଦସ୍ତଖତ କରିଛନ୍ତି ‘ଗୋଦାବରିସ ମିସ୍ର’।
ସତ୍ୟବାଦୀ ଗୋଷ୍ଠୀଙ୍କ ଲିପିସଂସ୍କାର ଥିଲା ସମସ୍ୟା ସମାଧାନ ପାଇଁ, ବର୍ତ୍ତମାନର ଲିପିସଂସ୍କାର ହେଉଛି ସମସ୍ୟା ସୃଷ୍ଟି ପାଇଁ। ମୁଦ୍ରଣ ସମସ୍ୟା ଦୂର ପାଇଁ ସେମାନେ ଯୁକ୍ତାକ୍ଷର ଭାଙ୍ଗି ଅନୁସ୍ୱାର ଦେଇ ଲେଖୁଥିଲେ। କମ୍ପ୍ୟୁଟର ଆସିବା ପରେ ବର୍ଣ୍ଣମାଳାକୁ ବିଭ୍ରଷ୍ଟ କରିବା ସହ ନିଜକୁ ନଈକୁ ଠେଲିବା ପରି ମାରାତ୍ମକ ହେବ। କଟକ ଜଗତପୁର ଭିତରେ ମହାନଦୀରେ ପୋଲ ହେବା ପୂର୍ବରୁ ଲୋକେ ଗାମୁଛା ବଦଳି ନଈରେ ପଶି ଯାଉଥିଲେ। ଏବେ ଗାମୁଛା ବଦଳି କିଏ ନଈରେ ପଶି ଯାଉଛି କି ? ଯିଏ ଯିବ, ସିଏ ମରିବ ନା ନାହିଁ? ଏଣୁ ଜାଣିଜାଣି ଆମ ଭାଷାକୁ ବୁଡ଼ି ମରିବାକୁ ଦିଆ ନ ଯାଉ।
(ଏହି ପ୍ରବନ୍ଧଟି ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୩ ସଂଖ୍ୟାରେ ପ୍ରକାଶିତ।)
ବୈଷ୍ଣବ ବାବୁଙ୍କ ଵର୍ଣ୍ଣନା ଏକାନ୍ତ ଯୁକ୍ତିଯୁକ୍ତ । ଜ୍ଞାନ ନଜାଣି ନିଜକୁ ଜ୍ଞାନୀ ବୋଲାଉଥିବା ପଣ୍ଡିତ (ଫଡିତ)ମାନଙ୍କ ପାଇଁ ଏହା ଏକ ଶକ୍ତ ଚାବୁକ, ଆଶା ବାବୁମାନେ ଏଥିରୁ କିଛି ଶିଖିଵେ ।
ଶାନ୍ତନୁ ପଟ୍ଟନାୟକ, ବାଲେଶ୍ୱର
ଓଡ଼ିଆ ଲିପିର ସଂସ୍କାର ହେବା ଉଚିତ କି ନୁହେଁ, କିମ୍ବା ଯଦିବା ହୁଏ ତେବେ ତାହା କିଭଳି ହେବା ଉଚିତ – ଏ ବିଷୟରେ ଭାଷାବିତ୍ ମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଉ। ଓଡ଼ିଶା ସରକାର ଏ ବିଷୟରେ ବିହିତ ପଦକ୍ଷେପ ନିଅନ୍ତୁ।
ଓଡ଼ିଆ ଭାଷା କୁ ଯେଉଁ ଭାବରେ ବର୍ବାଦ କରିଛନ୍ତି, ଆମକୁ ଆଉ ଏ ଭାଷାରେ ଲେଖିବାକୁ ବା ପଢ଼ିବାକୁ ଭଲ ଲାଗୁନି ।