ସାକ୍ଷୀ

ଡାଲାରେ ଅନ୍ୟ ଟେଣ୍ଟ ହାଉସ୍ ସାମଗ୍ରୀ ସହ ବସିଥିଲା ସେହି କାଳିଆ ଠାକୁର। ଚାହିଁ ରହିଥିଲା ସେମିତି ଅପଲକ ନୟନରେ।

ବିଜୟକୃଷ୍ଣ ପଟ୍ଟନାୟକ

ଏତେ ଗହଳି ଚହଳିରେ ବି ସେ ନୀରବରେ ବସି ରହିଥିଲା। ତା’ର ବଡ଼ ବଡ଼ ଚକା ଆଖିରେ ସମସ୍ତଙ୍କ ଆଡ଼କୁ ହସହସ ମୁହଁରେ ଚାହୁଁଥିଲା। ତା’ ଚାହାଣୀରେ ଏକ ବିଚିତ୍ର ଭାବ। ଏକ୍‌ଦମ୍‌ ଅପଲକ ନୟନରେ ଅନ୍ୟ ଦିନମାନଙ୍କ ଭଳି ସେ ଦେଖୁଥିଲା ! ସୁରସେନ ଅନ୍ୟ ମାନଙ୍କୁ ଦେଖିବା ଛାଡ଼ି ତା’ର କଳା ମଚମଚ ମୁହଁକୁ ହିଁ ଚାହିଁ ରହିଥିଲେ। ତାଙ୍କ ମନରେ ଅସରନ୍ତି ପ୍ରଶ୍ନର ଢେଉ। ସତରେ ସେ ଆଶ୍ଚର୍ଯ୍ୟ ହୋଇ ସମସ୍ତଙ୍କୁ ଦେଖୁଛି ନା ଆଗ୍ରହରେ ! ନା, ଆଉ କିଛି ଉଦ୍ଦେଶ୍ଯ ! ସତେ ଯେମିତି ପଲକ ପଡ଼ିଗଲେ କୌଣସି ଦୃଶ୍ଯଟିଏ କାଳେ ଅଦେଖା ରହିଯିବ !

ଅତିଥି ଆସିବାର ସୂଚନା ମିଳୁଥିଲା। ମାଇକ୍‌ରେ ଦର୍ଶକଙ୍କୁ ବାରମ୍ବାର ସୂଚିତ କରୁ କରୁ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜକ ମାନେ ବେଶ୍‌ ତତ୍‌ପର ହୋଇ ଉଠୁଥିଲେ। ଦର୍ଶକ ମଧ୍ୟ ବାରମ୍ବାର ମଞ୍ଚ ଆଡ଼କୁ ଓ ପ୍ରବେଶ ଦ୍ୱାର ଆଡ଼କୁ ଚାହୁଁଥିଲେ। ଆଉ କେହି କେହି ମାନ୍ୟବର ଅତିଥିଙ୍କ ସମ୍ମାନରେ ନିଜ ଆସନ ପାଖରେ ଠିଆ ହୋଇଯାଇଥିଲେ। କିନ୍ତୁ ସେ ଥିଲା ସଂପୂର୍ଣ ପ୍ରତିକ୍ରିୟା ଶୂନ୍ଯ। ସତେ ଅବା ଆୟୋଜକ, ଅତିଥି, ଦର୍ଶକ…. ଏ ସମସ୍ତେ ତା’ପାଇଁ ନିମିତ୍ତ ମାତ୍ର!
ଅତିଥିଙ୍କ ପ୍ରବେଶ ସହ ସଭାଘରଟିର ପରିବେଶ ଚଳଚଞ୍ଚଳ ହୋଇ ଉଠୁଥିଲା। ମଞ୍ଚ ଉପରେ ଅତିଥିଙ୍କ ସହ ଆୟୋଜକ, ସ୍ତାବକ, ପୁଣି ସୁରକ୍ଷା କର୍ମୀଙ୍କ ଭିଡ଼ ବଢ଼ି ଚାଲିଥିଲା। ମଞ୍ଚର ଉଜ୍ଜଳ ଆଲୋକରେ ସଭିଙ୍କ ବେଶ ପୋଷାକଠୁଁ ଜୋତା ପର୍ଯ୍ୟନ୍ତ ଚମକ ସୃଷ୍ଟି କରୁଥିଲା। ଅତିଥି ଆସନ ଗ୍ରହଣ କରିବା ସହ ଆୟୋଜକଙ୍କ ତରଫରୁ ଅତିଥିଙ୍କ ସ୍ତୁତିଗାନରେ ସଭାଘରଟି ଫାଟି ପଡୁଥିଲା। ଉତ୍ତରୀୟ ଓ ଦାମୀ ପୁଷ୍ପଗୁଚ୍ଛ ଦେଇ ଅତିଥି ସ୍ୱାଗତ ପର୍ବ ଶେଷ ହେବା ପରେ ଉଦ୍‌ଘୋଷକଙ୍କ ଅନୁରୋଧ କ୍ରମେ ପ୍ରଦୀପ ପ୍ରଜ୍ୱଳନ ପାଇଁ ଜୋତା ବାହାର କରି ଏହି କାର୍ଯ୍ୟରେ ଭାଗନେବା ସମୟରେ ଅତିଥିଙ୍କ ଭ୍ରୁକୁଞ୍ଚନ ବେଶ୍‌ ବାରି ହୋଇପଡୁଥିଲା। ମନକୁ ମନ ବହେ ହସିଲେ ସୁରସେନ ବାବୁ। ଇଏ କି ସମ୍ମାନ? ଯେଉଁ ମଞ୍ଚରେ ଜଗତରନାଥଙ୍କୁ ଆବାହନ, ସେହି ମଞ୍ଚରେ ଜୋତା ପିନ୍ଧି ଯାତାୟତ?
ପ୍ରଦୀପ ପ୍ରଜ୍ୱଳନ ସମୟରେ ତିନି ହାତ ଦୂରରେ ଜୋତା ବାହାର କରିବା ଓ ଆବାହନ ପରେ ସେହି ମଞ୍ଚରେ ପୁଣି ଜୋତା ପିନ୍ଧି ବସିବା କ’ଣ ଭକ୍ତିମୟ ସମ୍ମାନ ପ୍ରଦର୍ଶନ ! ବିଚଳିତ ହୃଦୟରେ ସେ ଅନ୍ୟମାନଙ୍କୁ ଚାହିଁଲେ। ସମସ୍ତେ ଅତିଥିଙ୍କ ଆଡକୁ ଚାହିଁ ରହିଥିଲେ। ଆଉ କେହି କେହି ଅତିଥିଙ୍କ ଫୋଟୋ ଉଠାଇଚାଲିଥିଲେ। ସତେ ଅବା ଠାକୁରଙ୍କ ଅପେକ୍ଷା ଅତିଥି ମୁଖ୍ୟ ଆକର୍ଷଣ !! ଅନେକ ଅକୁହା ବେଦନାରେ ସୁରସେନ ଚାହିଁଲେ ତା’ ଆଡ଼କୁ। ସେମିତି ନିର୍ବିକାର ଭାବରେ ସେ ବସିଥିଲା। ଯେପରି ରୋଜଗାର ଗର୍ବରେ ମଦମତ୍ତ ପୁଅର ବେଖାତିର ଭାବକୁ ଅସହାୟ ବୁଢ଼ା ବାପାଟିଏ ଲୋକଲଜ୍ଜା ଖାତିରରେ ହଜମ କରୁଛି !
ଅତିଥିଙ୍କ ନିକଟତର ହେବା ପାଇଁ ଆୟୋଜକଙ୍କ ତତ୍‌ପରତା ବଢ଼ି ଚାଲିଥିଲା। ତାଙ୍କ ପ୍ରଶଂସାରେ ଶତମୁଖ ସବୁ ଆଲୋଚକ। ସେଠି ଯେ କୋଟି ଭକ୍ତଙ୍କ ଆରାଧ୍ଯ ବସିଛନ୍ତି, ସମସ୍ତେ ହୁଏତ ଭୁଲିସାରିଥିଲେ। ଆତୁର ମନରେ ସୁରସେନ ସେହି ଦୃଶ୍ୟ ଦେଖୁଥିଲେ। ସେମିତି ଅପଲକ ଆଖିରେ ସେ ସମସ୍ତଙ୍କୁ ଦେଖୁଥିଲା… ହସୁଥିଲା… ନିର୍ବିକାର ଥିଲା। ହେଲେ, ତାକୁ ଦେଖିବାକୁ, ତା କଥା ଭାବିବାକୁ କାହାରି ବେଳ ହିଁ ନଥିଲା। ଫ୍ୟାନ୍‌ ପବନରେ ଦୀପ ବି ଲିଭି ସାରିଥିଲା। ହେଲେ…
ଅତିଥିଙ୍କ ଭାଷଣରେ ସଭାଘର ପ୍ରକମ୍ପିତ ହେଉଥିଲା। ‘ଅମୁକ ଦେବି’, ‘ସମୁକ କରିଦେବି’ର ଭାଷଣବାଜିରେ ଉତଫୁଲ୍ଲିତ ଶ୍ରୋତାଙ୍କ ତାଳିମାଡ଼ରେ ସୁରସେନ ଅଧିକ ବ୍ୟତିବ୍ୟସ୍ତ ହୋଇଉଠୁଥିଲେ। ଠାକୁରଙ୍କ ଆଗରେ ଏତେ ବାହାସ୍ପୋଟ ! ସେ ପୁଣିଥରେ ଚାହିଁଲେ ତା ମୁହଁକୁ। ଲିଭିଯାଇଥିବା ଦୀପରୁ ଉଠୁଥିବା ଧୂଆଁରେ ମୁହଁଟି ମଳିନ ଦିଶୁଥିଲେ ବି ସେଇ ହସ ହସ ମୁହଁରେ ସେ ସମସ୍ତଙ୍କୁ ଚାହିଁ ରହିଥିଲା।
ଅତିଥିଙ୍କ ଭାଷଣ ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଲା। ଅତିଥିଙ୍କ ପାଇଁ ମଞ୍ଚ ତଳେ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା। ହଠାତ୍ ଦୁଇଜଣ ମଞ୍ଚ କଡ଼କୁ ଟାଣିନେଲେ କୋଟି ଜନଙ୍କ ଆରାଧ୍ଯଙ୍କୁ। ନାଚଗୀତରେ ମଞ୍ଚ ଦୁଲୁକୁଥିଲା। ଅନାବନା ଗୀତର ତାଳେ ତାଳେ ଶ୍ରୋତାଙ୍କ ହୁଇସିଲ୍‌ ଓ ବିଭିନ୍ନ ଶବ୍ଦରେ ଫାଟି ପଡୁଥିଲା ସଭାଘରର ପରିବେଶ। ଇଏ କାଳେ ସଂସ୍କୃତିର ଉତ୍‌ଥାନ ! ସୁରସେନଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଥିଲା। ଏହା କଣ ସାଂସ୍କୃତିକ କାର୍ଯ୍ୟକ୍ରମର ପଦବାଚ୍ୟ?
ଆରେ, ଏ କ’ଣ ! ଜୋତା ପିନ୍ଧି ଦଳେ ଗୀତର ତାଳେ ତାଳେ ଆରାଧ୍ଯ ଙ୍କ ପାଖରେ ବି ନାଚିବାକୁ ଲାଗିଲେ। ସତେ ଅବା ଭୁଲି ଯାଇଥିଲେ ଯେ କୋଟି ଓଡ଼ିଆଙ୍କ ପରିଚୟ ଜଗତର ନାଥଙ୍କୁ ଆବାହନ କରାଯାଇଛି।
କେଉଁ ଏକ ଅଜଣା ଆତଙ୍କରେ ଚିତ୍କାର କରିଉଠିଲେ ସୁରସେନ। ଏକ ରକମ ଦଉଡ଼ିଗଲେ ମଞ୍ଚ ଉପରକୁ।ଫିଙ୍ଗି ଦେଲେ ପୁଅ କିଣି ଦେଇଥିବା ଦାମୀ ଜୋତାହଳକ। ଆଉ ଆବେଗରେ କୋଳେଇ ଧରି ଭୋ ଭୋ କାନ୍ଦି କାନ୍ଦି ଉଠାଇ ଆଣିଲେ ନିଜ ଆରାଧ୍ଯଙ୍କୁ। କିଛି କ୍ଷଣ ପାଇଁ ସବୁ କିଛି ନୀରବ ହୋଇଗଲା। ସମସ୍ତେ କିଛି ବୁଝିବା ଆଗରୁ ସେ ଧୀରେ ଧୀରେ ନିଜ ଆରାଧ୍ଯଙ୍କୁ କୋଳେଇ ଧରି ମଞ୍ଚରୁ ଓହ୍ଲାଇ ଆସିଲେ। ସେଇ ନୀରବତା ମଧ୍ୟରେ ତାଙ୍କ ପାଟିରୁ ବାହାରି ଆସିଲା କୋହଭରା କେଇ ଶବ୍ଦ,
“ଏଇ ଚକା ଆଖି ସବୁ ଦେଖୁଛି। ଯୁଗ ଯୁଗକୁ ସିଏ ହିଁ ସାକ୍ଷୀ। ତା’କୁ ନେଇ ବେପାର କରନା… ରାଜନୀତି ଖେଳନା… ଅବମାନନା କରନା।”
ପୁଣି ଥରେ ନାଚଗୀତର ଆସର ବଢିଚାଲିଥିଲା। ସଭାଘର ବାହାରକୁ ଚାଲି ଆସିଲେ ସୁରସେନ। ଏବେ ସେ ବେଶ୍‌ ହାଲୁକା ଅନୁଭବ କରୁଥିଲେ। ସତେ ଅବା କେଉଁ ଏକ ବଡ଼ ବିପତ୍ତିରୁ ସେ ଉଦ୍ଧାର ପାଇଯାଇଛନ୍ତି ! ଉଦ୍ଧାର କରି ଆଣିଛନ୍ତି ନିଜ ଆରାଧ୍ଯଙ୍କୁ !
“ଆଜ୍ଞା। ସେଇଟା ଦିଅନ୍ତୁ। ଆମ ଟେଣ୍ଟ ହାଉସ୍ ରୁ ଅଣା ହେଇଛି।” ଲୋକଟିଏ ଆଦେଶ ଦେବା ଭଙ୍ଗାରେ କହିଲା ଏବଂ ଆଚମ୍ବିତ ସୁରସେନ କିଛି କହିବା ଆଗରୁ ଜଗନ୍ନାଥଙ୍କ ବିଗ୍ରହଟିକୁ ତାଙ୍କ ହାତରୁ ନେଇ ଗୋଟିଏ ଗାଡିରେ ରଖିଦେଲା।
ପୁଣି କହିଲା, “ଆଜ୍ଞା! ଇଏ ସବୁ ଦେଖେ। ହେଲେ ସାକ୍ଷୀ ରହେନି। ସବୁ ସଭାକୁ ଏମିତି ଗାଡିରେ ବୁହା ହୋଇ ଆସେ, କେତେ ତାମସା ଦେଖେ, ପୁଣି ଫେରିଯାଏ ସେଇ ଗୋଦାମ ଘରକୁ।”
ସୁରସେନଙ୍କ ମୁହଁରୁ କଥା ବାହାରୁ ନଥିଲା। କେବଳ ଆଖିରୁ ବହି ଚାଲିଥିଲା ଧାର ଧାର ଲୁହ।

ଗାଡ଼ିଟି ଧୀରେ ଧୀରେ ଆଗକୁ ବଢ଼ୁଥିଲା। ଡାଲାରେ ଅନ୍ୟ ଟେଣ୍ଟ ହାଉସ୍ ସାମଗ୍ରୀ ସହ ବସିଥିଲା ସେହି କାଳିଆ ଠାକୁର। ଚାହିଁ ରହିଥିଲା ସେହି ଅପଲକ ନୟନରେ। ସତେ ଅବା କହୁଥିଲା, “ଅପେକ୍ଷା କର। ମୁଁ ସବୁ ଦେଖୁଛି। ସାକ୍ଷୀ ସବୁ ମୁହୂର୍ତ୍ତର।”
ସୁରସେନ ସଭକ୍ତି ପ୍ରଣିପାତ କରୁ କରୁ କହିଚାଲିଥିଲେ, “ତୋ ମାୟା ତୋତେ ହିଁ ଜଣା।”

One thought on “ସାକ୍ଷୀ

  1. ଏହା ଆମର ଚରମ ନିର୍ବୋଧତା। ଧିକ ଆମର ଲୋକଦେଖା ଭକ୍ତିକୁ।

Leave a Reply

Your email address will not be published. Required fields are marked *