ପ୍ରକାଶକ ଓ ପ୍ରକାଶନର ସୋପାନ

ଅନେକ କ୍ଷେତ୍ରରେ ଲେଖକମାନେ ନିଜ ବହି ନିଜେ ପ୍ରକାଶ କରିଥାନ୍ତି।

ମାନସ ରଂଜନ ମହାପାତ୍ର

ସ୍ରଷ୍ଟା ନିଜର ସୃଷ୍ଟି କର୍ମଟି ଦାୟିତ୍ୱବାନ୍ ତଥା ଯତ୍ନବାନ ଭାବରେ କରେ। ମାତ୍ର ଯେ ପର୍ଯ୍ୟନ୍ତ ତାହା ସବୁରି ଦୃଷ୍ଟରେ ନ ଆସେ ସେ ପର୍ଯ୍ୟନ୍ତ ସୃଷ୍ଟିର ମୂଲ୍ୟାୟନ ହୋଇ ପାରେ ନାହିଁ। ପୁସ୍ତକର ପାଣ୍ଡୁଲିପିଟି ପ୍ରସ୍ତୁତ କଲାପରେ ପ୍ରଥମେ ଆମେ ଯେଉଁ ପ୍ରାରୂପ ବା ଡ୍ରାଫ୍ଟ ଗଢୁ ତାହାକୁ ପ୍ରାରମ୍ଭିକ ସମ୍ପାଦନା କହି ହେବ। ପ୍ରକାଶକମାନେ ଏହାକୁ ପୁନର୍ବାର ସମ୍ପାଦନ କରି ବା କରାଇ ମୁଦ୍ରଣ ଦିଗରେ ପଦକ୍ଷେପ ଦେଇଥାନ୍ତି।
ଲେଖକଟି ପ୍ରାରମ୍ଭିକ ପାଣ୍ଡୁଲିପିଟି ସଂଶୋଧନ କରି ପ୍ରସ୍ତୁତ କଲାପରେ ପ୍ରକାଶକ ହାତରେ ତାହାକୁ ଦିଏ। ପୃଥିବୀରେ ବିଭିନ୍ନ ପ୍ରକାର ପ୍ରକାଶକ ଅଛନ୍ତି, ଯଥା- (୧) ଲେଖକ- ପ୍ରକାଶକ (୨) ସରକାରୀ ବା ଆନୁଷ୍ଠାନିକ ପ୍ରକାଶକ (୩) ଘରୋଇ ପ୍ରକାଶକ (୪) ଲେଖକ ସହଯୋଗ ସମିତି (୫) ମୁଦ୍ରକ – ପ୍ରକାଶକ (୬) ଅନ୍ୟାନ୍ୟ ବା ବିବିଧ।
ଲେଖକ – ପ୍ରକାଶକ
ଅନେକ କ୍ଷେତ୍ରରେ ଲେଖକମାନେ ନିଜ ବହି ନିଜେ ପ୍ରକାଶ କରିଥାନ୍ତି। ସେମାନେ ଏକ କାଳ୍ପନିକ ପ୍ରକାଶନ ସଂସ୍ଥାର ନାମ ଦେଇ ବା ନିଜ ପରିବାରର କାହାର ନାମ ପ୍ରକାଶକ ଭାବରେ ଦେଇ ବହିଟି ମୁଦ୍ରଣ କରି ପ୍ରକାଶ କରିଥାନ୍ତି। କଲିକତାର ‘ରାଇଟର୍ସ ୱାର୍କସପ୍‌’ ପ୍ରଥମେ ଏହିଭଳି ପ୍ରକାଶନ କାମ ଭାରତରେ ଆରମ୍ଭ କଲେ। ପରବର୍ତ୍ତୀ କାଳରେ ବହୁ ବିଶିଷ୍ଟ ଲେଖକ ଏହିଭଳି କାଳ୍ପିନିକ ନାମ ବା ବ୍ୟକ୍ତିଗତ ନାମ ପ୍ରକାଶକ ଭାବରେ ଦେଇ ପୁସ୍ତକ ପ୍ରକାଶ କରିଛନ୍ତି।
ସରକାରୀ ବା ଆନୁଷ୍ଠାନିକ ପ୍ରକାଶକ
ଭାରତ ସରକାରଙ୍କ ‘ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ’, ସାହିତ୍ୟ ଏକାଡେମୀ, ପବ୍ଲିକେସନ ଡିଭିଜନ, ବିଜ୍ଞାନ ପ୍ରସାର, ପବ୍ଲିକେସନ ଆଣ୍ଡ ଇନଫରମେସନ ଡାଇରେକ୍ଟଟୋରିଏଟ (ପିଆଇଡି), ଜନଶିକ୍ଷା ସାଧନ କେନ୍ଦ୍ର, ବିଭିନ୍ନ ସରକାରଙ୍କ କର୍ତ୍ତୃତ୍ୱାଧୀନ ସଂସ୍ଥା, ଏକାଡେମୀ ଆଦି ଏ ପ୍ରକାର ଅନୁଷ୍ଠାନମାନଙ୍କ ଭିତରେ ଅନ୍ୟତମ। ବେସରକାରୀ ସଂସ୍ଥାମାନଙ୍କ ମଧ୍ୟରେ ମଧ୍ୟ ଭାରତୀୟ ଜ୍ଞାନପୀଠ, ପ୍ରଥମ ବୁକ୍‌ସ, ରିଡ୍ ଇଣ୍ଡିଆ, ରୁମ୍ ଟୁ ରିଡ୍ ଆଦି ବହୁଳ ଭାବରେ ପୁସ୍ତକ ପ୍ରକାଶନ କରିଛନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ୟୁନେସ୍କୋ, ୟୁନିସେଫ୍‌, ଡବ୍ଲ୍ୟୁଏଚ୍‌ଓ, ଏନ୍‌ବିଡିସିଏସ୍ ଆଦି ସଂସ୍ଥାମାନେ ପୁସ୍ତକ ପ୍ରକାଶନ କରିଛନ୍ତି। ଏ ପ୍ରକାର ସଂସ୍ଥାମାନରେ ପ୍ରକାଶନ ସମ୍ପୂର୍ଣ୍ଣ ନିୟମବଦ୍ଧ ଏବଂ ଏମାନଙ୍କ ପ୍ରକାଶନଗୁଡ଼ିକ ମୂଲ୍ୟ ଦୃଷ୍ଟିରୁ ସୁଲଭ।

ଘରୋଇ ପ୍ରକାଶକ
ଭାରତରେ ଘରୋଇ ପ୍ରକାଶକମାନଙ୍କ ସଂଖ୍ୟା ହିନ୍ଦୀ ଏବଂ ବଙ୍ଗଳାରେ ପର୍ଯ୍ୟାପ୍ତ। ରାଜକମଳ ପ୍ରକାଶକ, ବାଣୀ ପ୍ରକାଶକ, ପ୍ରଭାତ ପ୍ରକାଶକ, ରାଧାକୃଷ୍ଣ ପ୍ରକାଶକ, ଲୋକ ଭାରତୀ ପ୍ରକାଶକ, ଆନନ୍ଦ ପ୍ରକାଶକ, ଅକ୍ଷର ଆଦି ଏ ଦିଗରେ କେତେଗୁଡ଼ିଏ ଉଲ୍ଲେଖଯୋଗ୍ୟ ନାମ। ଓଡ଼ିଆ ଭାଷାରେ ମଧ୍ୟ ଲାର୍କ୍ ବୁକ୍‌ସ, ଗ୍ରନ୍ଥ ମନ୍ଦିର, ଫ୍ରେଣ୍ଡ୍‌ସ ପବ୍ଲିକେସନ, କଟକ ଷ୍ଟୁଡେଣ୍ଟ ଷ୍ଟୋର, ବିଦ୍ୟାପୁରୀ, ଅଗ୍ରଦୂତ, ଚିତ୍ରୋତ୍ପଳା, ଓଡ଼ିଶା ବୁକ୍ ଷ୍ଟୋର, ଜଗନ୍ନାଥ ରଥ ଆଦି ଏ ଦିଗରେ ଉଲ୍ଲେଖ ଯୋଗ୍ୟ ନାମ।
ଲେଖକ ସହଯୋଗ ସମିତି
ଲେଖକ ସହଯୋଗ ସମିତି ମାଧ୍ୟମରେ ବିଭିନ୍ନ ସ୍ଥାନରେ ଲେଖକମାନେ ଏକାଠି ହୋଇ ସମିତି ଗଠନ କରି ପୁସ୍ତକ ପ୍ରକାଶନ କରିଛନ୍ତି। ଏ ପ୍ରକାର ସମିତି ଗଠନ କରି ପୁସ୍ତକ ପ୍ରକାଶନର ଧାରା ପୃଥିବୀର ବିଭିନ୍ନ ଦେଶରେ ବିଶେଷ କରି କମ୍ୟୁନିଷ୍ଟ ଶାସନାଧୀନ ଦେଶଗୁଡ଼ିକରେ ଅଛି। ଭାରତରେ କେରଳ ଏବଂ ପଶ୍ଚିମବଙ୍ଗରେ ଏପରି ଲେଖକ ସହଯୋଗ ସମିତିମାନ ପ୍ରାୟ ପ୍ରତ୍ୟେକ ସହରରେ ଅଛି। ଓଡ଼ିଶାରେ ଓଡ଼ିଶା ଲେଖକ ସହଯୋଗ ସମିତି, କଟକ ଲେଖକ ସହଯୋଗ ସମିତି, ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି, ନିଆଳି ଲେଖକ ସହଯୋଗ ସମିତି ଆଦି ଅନେକ ଲେଖକ ସହଯୋଗ ସମିତି ଗଢ଼ି ଉଠିଛି ମାତ୍ର ଘରୋଇ ପ୍ରକାଶନ ସଂସ୍ଥାମାନଙ୍କ ତୁଳନାରେ ଲେଖକ ସହଯୋଗ ସମିତିଗୁଡିକ ସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ କମ୍।
ମୁଦ୍ରକ-ପ୍ରକାଶକ
ବିଭିନ୍ନ ମୁଦ୍ରଣାଳୟର କର୍ମଚାରୀମାନେ ମଧ୍ୟ ପ୍ରକାଶନ ସଂସ୍ଥା ଗଠନ କରିଛନ୍ତି। ଓଡ଼ିଶାରେ ଏ ପ୍ରକାର ଦୁଇଟି ପ୍ରକାଶନ ସଂସ୍ଥା ହେଉଛି- ରାଧାନାଥ କୋଅପରେଟିଭ୍ ପ୍ରେସ୍‌, ରାଷ୍ଟ୍ରଭାଷା ପ୍ରଚାର ସମିତି।
ଅନ୍ୟାନ୍ୟ ପ୍ରକାଶକ
ପ୍ରକାଶନ ସଂସ୍ଥାର ପଞ୍ଜୀକରଣ ନେଇ ବିଶେଷ କିିଛି ନିୟମ ନାହିଁ। ପୁସ୍ତକ ବ୍ୟବସାୟ ସାଧାରଣ ବ୍ୟବସାୟ ପରି ନ ହୋଇ ଥିବାରୁ ବିକ୍ରି ସଂପୃକ୍ତ ନିୟମଗୁଡିକ ପ୍ରାୟ ଏଥିରେ ଲାଗୁ ହୁଏ ନାହିଁ। ଭାରତରେ ପୁସ୍ତକଟିଏ ପ୍ରକାଶନ କରିବା ପାଇଁ ବା ଆଇଏସ୍‌ବିଏନ୍ ବା ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ବୁକ୍ ନମ୍ବର ନେବା ଜରୁରୀ ହୋଇଥିଲେ ମଧ୍ୟ ଏ ପ୍ରକାର ପଞ୍ଜୀକରଣ ନ କରି କୋଟି କୋଟି ବହି ପ୍ରକାଶିତ ହୋଇଥାଏ।
ପାଣ୍ଡୁଲିପିର ପ୍ରକାଶନ ପାଇଁ କୋରିଆରେ ଏକ ସରକାରୀ କମିଟି ଦ୍ୱାରା ପରୀକ୍ଷଣ କରାଇବାକୁ ପଡ଼େ। ଭାରତରେ ସରକାରୀ ସଂସ୍ଥା ବା ବିଧିବଦ୍ଧ ପଞ୍ଜୀକୃତ ସଂସ୍ଥାମାନଙ୍କୁ ବାଦ ଦେଲେ ପ୍ରକାଶନ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତି – ନିୟନ୍ତ୍ରିତ। ବିଭିନ୍ନ ଯୁବକ ସଂଗଠନ, ମହିଳା ସମିତି, ମନ୍ଦିର, ଚର୍ଚ୍ଚ, ଅନ୍ୟାନ୍ୟ ଧର୍ମାନୁଷ୍ଠାନ ବିଭାଗ ମଧ୍ୟ ସାମୂହିକ ଭାବେ ନିଜ ନିଜର ପୁସ୍ତକ ପ୍ରକାଶନ କରିଥାନ୍ତି।
ପ୍ରକାଶନ ଏକ ବ୍ୟବସାୟିକ କାର୍ଯ୍ୟ, ମାତ୍ର ଭାରତରେ ଏହା କେବଳ ସରକାରୀ ଖରିଦ ବା ପାଠ୍ୟ ପୁସ୍ତକର ବ୍ୟବହାରକୁ ଆଖି ଆଗରେ ରଖି ହୋଇଥାଏ। ତଥାପି ବି ଭାଷା ଦୃଷ୍ଟିରୁ ଭାରତରେ ସର୍ବାଧିକ ଭାଷାଭିତ୍ତିକ ବହି ପ୍ରକାଶିତ ହୁଏ ଏବଂ ଭାରତରେ ଇଂରାଜୀ ଭାଷାର ପୁସ୍ତକ ପ୍ରକାଶନ ବିଶ୍ୱରେ ଚତୁର୍ଥ ସ୍ଥାନରେ ଅଧିକାରୀ।
ଭାରତରେ ପ୍ରକାଶନ ଶିଳ୍ପ ଅତି ଦୁର୍ବଳ ନ ହେଲେ ବି ବେଶି ସବଳ ନୁହେଁ। ବହୁ ପ୍ରକାଶକଙ୍କ ପାଖେ ନିୟମିତ ସଂପାଦକ ନ ଥାନ୍ତି। ତେବେ ଏକ ଆଦର୍ଶ ପ୍ରକାଶନ ସଂସ୍ଥାରେ ନିମ୍ନ ପ୍ରକାରେ ବ୍ୟବସ୍ଥା ପରିଚାଳିତ ହୁଏ।

ତେବେ, ସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ ହୋଇଥିଲେ ମଧ୍ୟ ଭାରତୀୟ ପ୍ରକାଶନ ମୁଦ୍ରଣ ଏବଂ ବିତରଣ ଦୃଷ୍ଟିରୁ ବିଶ୍ୱର ଅଧିକାଂଶ ବିକଶିତ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରୁନାହିଁ। ଓଡ଼ିଆ ଭାଷାର ପ୍ରକାଶନ ମଧ୍ୟ ଯଥେଷ୍ଟ ପଛରେ। ଆମ ଭାଷାରେ ମଧ୍ୟ ଆନ୍ତର୍ଜାତିକ ସ୍ତରର ଲେଖକ ଓ ଲେଖକମାନଙ୍କ ରଚନାରେ ବିଶ୍ୱଦୃଷ୍ଟିର ଅଭାବ ଲକ୍ଷଣୀୟ ତଥା ଚିନ୍ତାର ବିଷୟ।

( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

2 thoughts on “ପ୍ରକାଶକ ଓ ପ୍ରକାଶନର ସୋପାନ

  1. ପାଞ୍ଜି, ତଅପୋଇ ଓଷା, ଲକ୍ଷ୍ମୀପୂଜା,ବାଟ ଓଷା ଭଳି ବହି ପ୍ରକାଶ କରୁଥିବା ପ୍ରକାଶକ ମାନସମ୍ମାନର ସହ କୌଣସି ବଡ଼ ଅଧିକାରୀଙ୍କ ଅନୁଗ୍ରହକୁ ଅପେକ୍ଷା ନକରି ସିଧା ପାଠକଙ୍କ ପାଖରେ ଗାଁ ହାଟ ଫେରିଵାଲା ଇତ୍ୟାଦିଙ୍କ ମାଧ୍ୟମରେ ପହଞ୍ଚିଯାଏ । କିନ୍ତୁ ଉଚ୍ଚାଙ୍ଗ ସାହିତ୍ୟ ତଥା ଭଦ୍ରଲୋକଙ୍କ ସାହିତ୍ୟ ଛାପୁ ଥିବା ପ୍ରକାଶକ ବହୁ ବିଭାଗ ଆଗରେ ନତଜାନୁ ହେବାକୁ ପଡେ । ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କ ପାଣ୍ଡୁଲିପି ଫେରେଇ ଦେଉଥିବା ବେଳେ କ୍ଷମତାସୀନ ଅଧିକାରୀଙ୍କ ପାଣ୍ଡୁଲିପି ଆଗ୍ରହରେ ମାଗି ଛାପିବାକୁ ପଡେ । ନଚେତ ସୂତାଠୁ ସୁତୁଲୀ ଯାଏଁ ସବୁ ଖର୍ଚ୍ଚ ଲେଖକ ଧନରେ ହୁଏ । ଏ ପ୍ରକାର ସାଲିସ ଯେଉଁମାନେ ନକଲେ ସେମାନେ ଅତୀତରେ ଏଭଳି ସ୍ୱାଭିମାନ ଦେଖେଇଥିବା ଅଧିକାଂଶ ଭଦ୍ରଲୋକ ସାହିତ୍ୟ ପ୍ରକାଶକଙ୍କ ଭଳି ବଜାରରୁ ଉଭାନ ହେଇଯାଇଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକାଶକ କିମ୍ବା ପ୍ରକାଶକ ସଂଘ ସିଧାସଳଖ ପାଠକ ପାଖରେ ବହି ପହଞ୍ଚେଇବା ପାଇଁ ଆଗ୍ରହ ଦେଖେଇ ନାହାଁନ୍ତି । ସରକାରୀ ପାଠାଗାର ସ୍କିମ ଅଛି ତ ଜିନ୍ଦାଵାଦ । ‘ସ୍ୱାମୀ ଘରେ ନାହାଁନ୍ତି’ କିମ୍ବା ‘ବୁଧେଈ ଓଷା’ ଭଳି ଚଟି ବହି ଛପେଇ ଗାଁ ହାଟରେ ସିଧା ପାଠକଙ୍କୁ ବିକୁଥିବା ପ୍ରକାଶକ ସ୍ୱାଭିମାନର ସହ ବ୍ୟବସାୟ କରେ । ଅପରପକ୍ଷେ ଲେଖକଠାରୁ ଖର୍ଚ୍ଚ ନେଇ ହେଉ ଅଥବା ନିଜ କଷ୍ଟ ଅର୍ଜିତ ଧନରେ ଅତି ଉଚ୍ଚାଙ୍ଗ ସାହିତ୍ୟ ଛାପୁଥିବା ପ୍ରକାଶକ ବହି ବିକିବା ପାଇଁ ବାର ଦୁଆର ତେର ଶୁଣ୍ଢି ହେଉଥିବା, କିମ୍ବା ପିଅନ ଠାରୁ ଅଧିକାରୀଙ୍କ ପାଖରେ କିପରି ନତଜାନୁ ହୋଇ ଠିଆ ହେବାକୁ ପଡେ ତାହା କେବଳ ଭୁକ୍ତଭୋଗୀଙ୍କୁ ଜଣା ।

  2. ମୋ ମତରେ ବହି ଛପାଇବା ପିଲାର ଏକୋଇଶାରେ ଶିରିଣି ଚକଟା ସଙ୍ଗେ ସମାନ । କିଏ ପାଇଲା, କିଏ ନ ପାଇଲା କେତେ ବଳିଲା, କେତେଲୋକ ଘରକୁ ନେଲେ ଆଉ କେତେ ଭାଗ ଫ୍ରିଜ଼ରେ ପଡ଼ି ରହି ତାହା ଫୋପଡ଼ା ହେଲା ..ଏ ବିଷୟରେ ବିବେଚନା କରିବା ଆବଶ୍ୟକ ନାହିଁ । ମନେ ରଖିବାର ବିଷୟ ଏହି ଯେ ଗୋଟିଏ ସମାରୋହ ହୋଇଥିଲା ।

Leave a Reply

Your email address will not be published. Required fields are marked *