ଓଡ଼ିଆ ଆଇସିୟୁରେ ଅଛି ! ଏକଥା କଣ ସତ?
ଅଭୟ ଦାଶ, ଓରଫ ଅଭୟାନନ୍ଦ ଏବେ ବହୁତ ସିରିୟସ୍ ହୋଇ ରିସର୍ଚ୍ଚ କାମରେ ଲାଗିପଡିଛି। ଆଖିରୁ ନିଦ, ପେଟରୁ ଭୋକ, ମୁଣ୍ଡରୁ ବାଳ, ସବୁ ହଜିଯାଇ ଛାତିରେ ଦକ ପଶିଯାଇଛି। ଦିନ ରାତି ଏକକରି, ରିସର୍ଚ୍ଚରେ ଲାଗିପଡିଛି। ଯାହାକୁ ଦେଖୁଛି, ସେଇ ଗୋଟାଏ ପ୍ରଶ୍ନ, “ଓଡ଼ିଆକୁ ଦେଖିଛ? ଓଡି଼ଆ କେମିତି ଅଛି? କ’ଣ କହୁଛନ୍ତି? ଓଡ଼ିଆ ଆଇସିୟୁରେ ଅଛି! ଏକଥା କଣ ସତ?” ଓଡ଼ିଆ ଭାଷାଡାକ୍ତରମାନେ ବେଶି ଭୟ ସୃଷ୍ଟି କରୁଛନ୍ତି। ଆଉ ନୁହେଁ! ତା କଥା ଆଉ ନୁହେଁ! ମଣିଷ ଚିହ୍ନି ପାରୁନି। ପଚାରିଲେ ୟାଡୁ ସ୍ୟାଡୁ ଗପୁଛି। କେତେବେଳେ ହିନ୍ଦୀ ତ କେତେବେଳେ ବଙ୍ଗଳା, ନହେଲେ ‘ମାନେ’ ‘ଇୟେ’ ଲଗାଇ ଇଂରେଜୀ ଗପିଦେଉଛି। ଏ ରୋଗଟା କୁଆଡେ ଏଗାରଶ ବର୍ଷରେ ଥରେ ମହାମାରୀ ରୂପେ ଦେଖା ଦିଏ! ଯେମିତି ପାଗେଳା କୁକୁର କାମୁଡିଲେ ଯେଉଁ ରୋଗ ହୁଏ, ସେମିତି ଏ ରୋଗକୁ ଭାଷାଡାକ୍ତରମାନେ ନାଁ ଦେଇଛନ୍ତି, ‘ଓଡ୍ରୋଫୋବିଆ’! ଏ ରୋଗ,ଏକ ମାନସିକ ବ୍ୟାଧି। ମାନସିକ ସ୍ତରରେ ଆଇ ସି ଲେଭୁଲ୍, ବା ଇନ୍ଫିରିୟରିଟି କମ୍ପ୍ଲେକ୍ସ ଲେଭୁଲ୍, ଅଥବା ହୀନମନ୍ୟତା ସ୍ତର ବଢ଼ିଗଲେ ଏ ରୋଗ ଉତ୍ପନ୍ନ ହୋଇଥାଏ।
ଆପଣ ପଚାରିବେ, ଏ ଭାଷାଡାକ୍ତର କିଏ? ଏମାନେ ସବୁ ଭାଷାରେ ଉପଲବ୍ଧ। ଯଥା, ଆମର ଏଠି, କିଛି ବାହାପିଆ ଓଡିଆ ଅଧ୍ୟାପକ। ଭାଷାର ନାଡ଼ିଟା ତାଙ୍କ ହାତରେ। ସିଏ ଯଦି କହିଲେ ବଞ୍ଚିଛି, ତାହେଲେ ବଞ୍ଚିଛି ! ଯଦି କହିଲେ ମଲା, ମାନେ ଗଲା। ଏ ଯେଉଁ ଓଡ଼ିଆ ଡାକ୍ତର, ମାନେ ଓଡ଼ିଆ ଭାଷାଡାକ୍ତରଙ୍କ ଭିତରେ ଗୁଡାଏ ଇଂରେଜୀ ଭାଷାଡାକ୍ତର ପଶିଆସିଲେ; କବିତା ଲେଖିଲେ, ସନେଟ୍, ହାଇକୁ , ଲିମେରିକ, ଗଜଲ୍, ସାୟରୀ ଆଦି। ସେଇଠି ହେଲା ଇଣ୍ଟର-ଷ୍ଟେଟ୍, ଇଣ୍ଟର-କାଷ୍ଟ ପ୍ରେମ ସମ୍ପର୍କ ପ୍ରତିଷ୍ଠା। ସାମାଜିକ ସହାବସ୍ଥାନ ବା ସୋସିଆଲ ଇଣ୍ଟରକୋର୍ସ୍, କୋହାବିଟେସନ୍ କହିପାରନ୍ତି। ଉଦାହରଣ ସ୍ୱରୂପ, ମାୟାଧର ମାନସିଂ, ରମାକାନ୍ତ ରଥ, ସୌଭାଗ୍ୟ ମିଶ୍ର, ଆମ ପ୍ରଫୁଲ୍ଲ ତ୍ରିପାଠୀ ସାର୍। ତୁମେ ତ ଇଂରେଜୀ ଚାଷ ଚଷିଲ। ଓଡିଆରେ ଫଳ ଫଳାଇ ଏକ୍ସପୋର୍ଟ କରି, ସବୁ ପୁରସ୍କାର ମାରିନେଲ। ଏ କଥା କାହା ଦେହରେ ଯିବ? ଚାଲିଲା ପ୍ରଚାର, ଶ୍ୟଃ ବୁଡେଇଲେ, ହତ୍ୟା କଲେ, ମାରିଦେଲେ, ତୋଟି ଚିପିଦେଲେ ଇତ୍ୟାଦି। ଏ ପ୍ରକାର ବିଶେଷଣରେ ଆମ ଭାଷାର ପଟାନ୍ତର ନାହିଁ। ଓଡିଆ ଭାଷାଡାକ୍ତରଙ୍କ ମଧ୍ୟରେ ଭାଳେଣି ପଡି଼ଗଲା। ମଲା, ଭାଷା ବୁଡିଲା।
ସେଇ ଯେଉଁ ସୋସିଆଲ ଇଣ୍ଟରକୋର୍ସ୍ କଥା କହୁଥିଲୁ, ହରିବଂଶ ରାଏ ବଚନ ଏକ ଜ୍ୱଳନ୍ତ ଉଦାହରଣ। ଇଂରେଜୀ ରୁ ହିନ୍ଦୀ ଚାଷ, “ମଧୁଶାଳା” ଆହା ହା! କ୍ୟା ଚିଜ୍ ହୈ! ଓଡ଼ିଆ ଭାଷାଡାକ୍ତରଙ୍କ ଉତ୍ପାଦନ କ୍ଷମତା ହୁଗୁଳା କରି ଦିଆଗଲା। ଚାକିରି? କାଇଁ? ପଲିଟିକ୍ସ? ଉଁ ହୁଁ; ଏଇ ସରିଗଲା, ବୁଡିଗଲା ପଲିଟିକ୍ସ। କେତେ ଦିନ?
ଆମ ଓଡ଼ିଶା କଥା ନିଆରା। ଏଠିକା ଜଳବାୟୁ ହାୱା ପାଣି ଅଲଗା! ଏ ଜଳବାୟୁରେ ଆଳୁ ମାନେ ଆଳୁ ଫଳେ। ଆଲୁ ନୁହେଁ କି ଓଲୁଅ ନୁହେଁ। ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ଏତେ ମାଟି ତାଡ଼ିସାରିଲାଣି ଯେ ନକହ ! ଆଳୁଖୋଳୁ ଖୋଳୁ ହଠାତ୍ ମହାଦେବ ଉଭା ହୋଇଗଲେ ଯେ, ଅଭୟ ଦାଶର ଆର୍କମେଡିସ୍ ମନେପଡି ଗଲେ। ‘ୟୁରେକା ୟୁରେକା’ ବୋବାଳି ଛାଡିଲା ଯେ, ଶୁଣୁଛି କିଏ? “ଶଳା ପାଗଳ ହୋଇଗଲାଣି”, ଶୁଣିବାକୁ ମିଳିଲା। ଏମିତି ରିସର୍ଚ୍ଚ ପେପର ବୋଧେ, ଆଗରୁ କେହି ପ୍ରସ୍ତୁତ କରି ନଥିଲେ, କହିଲେ ପତ୍ରକାରମାନେ। ଦେଶରେ ଏକଚତୁର୍ଥାଂଶ ତ ଏଇମାନେ ଚଳାଉଛନ୍ତି ନା? ଚତୁର୍ଥ ଖମ୍ବ ଟି ! ଏଇଠି ଅରୁଆ, ଏଇଠି ଉଷୁନା। ଏମାନଙ୍କଠାରୁ ଲୁଚେଇ ରଖିବା କଣ ସହଜ? ହୋଇଗଲା ଆଜ୍ଞା। ଲିକ୍! ଯେଉଁଠି ପ୍ରଶ୍ନପତ୍ର ଲିକ୍ ହୋଇଯାଏ ସେଠି ଏ ଅଭୟ ଦାଶର କବିତା ବା କେତେକର?
ଯାହାହେଉ ସାର୍ବଜନିକ କରିଦେଉଛି, ଅଭୟାନନ୍ଦ ରିସର୍ଚ୍ଚର ସଂପୂର୍ଣ ସିଦ୍ଧାନ୍ତ।
ତାହା ହେଲା, ଆମ ରିସର୍ଚ୍ଚ ପରିଧି ମଧ୍ୟରେ ଥିବା ସୋସିଆଲ ଇଣ୍ଟରକୋର୍ସ୍ ର ହାଇବ୍ରିଡ୍ ପ୍ରଡକ୍ଟ୍, ମାନେ ଯେଉଁ ହାଇବ୍ରିଡ୍ ଓଡିଆ, ବାହାରିବ ତାହା ଅଧିକ ଲୋକପ୍ରିୟ ମଜବୁତ୍ ଟେକାଉ ହେବ ଏଥିରେ ସନ୍ଦେହ ନାହିଁ। ଆପଣଙ୍କ ମନେଥିବ ଓଡ଼ିଶାର ଦରମଲା ଗାଈମାନେ ପାଏ ଦୁଧ ଦେବାକୁ ଗଦାଏ ପାଳ ଖାଉଥିଲେ। ସେଇଠୁ ଆରମ୍ଭ ହେଲା ହରିୟାଣା ଷଣ୍ଢ , ସିନ୍ଦୀ ଷଣ୍ଢ, ଜର୍ସି ଷଣ୍ଢଙ୍କ ଦ୍ବାରା କୃତ୍ରିମ ପ୍ରଜନନ ପ୍ରକ୍ରିୟାର ଶୁଭାରମ୍ଭ। ବଡ ବଡ ବାଛୁରୀ ଜନ୍ମହେଲେ, ବେଶି କ୍ଷୀର ଦେଲେ। ବଡ ବଳଦ ହେଲେ ,ବଡ ଷଣ୍ଢ ହେଲେ। ବିଜୁବାବୁଙ୍କ ସ୍ବପ୍ନ ସାର୍ଥକ ହେଲା। ସେଥିପାଇଁ ବୋଧେ ବିଜୁବାବୁଙ୍କୁ ଲୋକେ କଳିଙ୍ଗ ଷଣ୍ଢ କହିଲେ ! ଏ ସବୁ ଜେନେଟିକ୍ ଇଞ୍ଜିନିୟରିଂ ପନିପରିବା ଫଳ ପାଇଁ ସମ୍ଭବ ହୋଇପାରିଥିବାରୁ ଅଭୟାନନ୍ଦ ରିସର୍ଚ୍ଚ କହେ ହାଇବ୍ରିଡ୍ ଓଡ଼ିଆର ଭବିଷ୍ୟ ମଧ୍ୟ ଉଜ୍ଜ୍ବଳ।
ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ। ଏ ରିସର୍ଚ୍ଚ ଅଭୟାନନ୍ଦ ମାଳିକା ଦ୍ବିତୀୟ ଅଧ୍ୟାୟ ଉପରେ ଆଧାରିତ, ଯଥା:
କଳିଯୁଗ କି ଅନ୍ତହେଲା
ଉତ୍କଳେ ବିପତ୍ତି ଆସିଲା
ଶିକ୍ଷାର ମାନ ନିର୍ଦ୍ଧାରଣ
ହୋଇଲା କ୍ଷୀଣ ଦିନୁଦିନ
ଶିକ୍ଷକ ଜନତା ଗଣିଲେ
ଚାଉଳ ଅଣ୍ଡା ମାପକଲେ
ଭୋଅଟ ଡିଉଟି ଲାଗିଲା
ପାଠରେ ଡୋରୀ ବନ୍ଧାହେଲା
ସର୍କାରୀସ୍କୁଲ ବନ୍ଦ ପ୍ରାୟ
ସେଣ୍ଟ ଯୋସେଫ ଜାଭିୟର
ଇଂରେଜୀ କଥା କି କହିବା
ଯେମନ୍ତ ସାରୁର ପରିବା
ଓଡ଼ିଆ ପଢ଼ିବାକୁ ଲାଜ
ଏକଥା ଟିକେ ମନେହେଜ
ପାଠପଢିଲେ ଭୁରୁକୁଣ୍ଡା
ମନ୍ତ୍ରୀ ହୋଇଲେ ପାଳବିଣ୍ଡା
ଚାକିରି ଖୋଜି ଖୋଜି ଗଲେ
କଲକତା ଦିଲ୍ଲୀ ରେ ମିଳିଲେ
ଭାଷା ହୋଇଲା ହୀନମାନ
ହୀନମନ୍ୟତା ନିତି ଦିନ
ମୁଣ୍ଡରେ ପଶିଗଲା ଯେବେ
ମହାମାରୀର ରୂପ ତେବେ ।
ତଦ୍ଭବ ତତ୍ସମ ଦେଶଜ
ବୈଦେଶିକରୁ କିଛି ନେବ
ଗୋଳାଇ ମିଶାଇ ଫେଣ୍ଟିଲେ
ଭାଷା ଆଗକୁ ବଢିଚାଲେ ।
ସଙ୍କର ହୋଇଲେ ଜନମ
ବଳିଷ୍ଠ ହେବ ଭାଷା ଜ୍ଞାନ
ଏହା ଅଭୟାନନ୍ଦ ବାଣୀ
ଶୁଣି ସଂସାରୁ ତର ପ୍ରାଣୀ ।
ଅଭୟାନନ୍ଦର ମାଳିକା
ଶୁଣିଲେ ହେବ ହକା ବକା ।
ଇତି ଶ୍ରୀ ଅଭୟାନନ୍ଦ ମାଳିକା କଥନେ ନାମ ଦ୍ବିତୀୟ ଅଧ୍ୟାୟ ସମ୍ପୁର୍ଣ୍ଣ।
ଅତି ସୁନ୍ଦର ଲେଖା। ଓଡ଼ିଆ ଭାଷା ନିଶ୍ଚିତ ଭାବରେ ବଞ୍ଚିଛି। ଆଗକୁ ମଧ୍ୟ ବଞ୍ଚି ରହିବ। କେତେ ଦିନ, ବର୍ଷ କିମ୍ବା ଶତାବ୍ଦୀ, ସେଭଳି ଭବିଷ୍ୟବାଣୀ କରିବାକୁ ମୁଁ ଅକ୍ଷମ।