ମୋର ମତ ହେଉଛି ଯେ ବର୍ତ୍ତମାନ ନାଁ ବଦଳାଇ ‘ସାରୋଳ’ ଏବଂ ‘ମହାଭାରଥ’ କରିବା ଏକ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରେ।
ସାରଳା ମହାଭାରତ ସମ୍ପର୍କୀୟ ଗବେଷଣାରେ ପଦେ ପଦେ ବିରୁଦ୍ଧ ମତ ଦେଖିବାକୁ ମିଳେ। ପ୍ରଥମେ ନାଁ। ଦ୍ବିତୀୟରେ ତାଙ୍କ ସମୟ ଓ ଜନ୍ମସ୍ଥାନ। ମହାଭାରତର ଗୋଟିଏ ବାକ୍ୟ ‘ପ୍ରଲମ୍ବିତେ ଖଟି କପିଳେଶ୍ଵର ମହାରାଜା’ରୁ କପିଳେନ୍ଦ୍ର ଦେବଙ୍କ ନାମ ଉଦ୍ଧାର କରି ସମସ୍ତେ ତାଙ୍କୁ ପଞ୍ଚଦଶ ଶତାବ୍ଦୀର ବୋଲି ଗ୍ରହଣ କରିଥିଲେ। ଏକମାତ୍ର ଗୋପୀନାଥ ମହାନ୍ତି ତାଙ୍କର ସମୟ ନବମ/ ଦଶମ ଶତାବ୍ଦୀ ଏବଂ ତାଙ୍କର ଜନ୍ମସ୍ଥାନ ‘କଣିଆ’ ବୋଲି କହିଥିଲେ। କିନ୍ତୁ ତାଙ୍କ ମତ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଗଲା। ଏବେ ଜଣାପଡ଼ୁଛି ଯେ ଜାଭାରେ ସାରଳା ମହାଭାରତର ଗୋଟିଏ ଅନୁବାଦ ମିଳିଛି। ଯେଉଁ ରାଜାଙ୍କ ସମୟରେ ସେହି ଅନୁବାଦ ହୋଇଥିଲା ତାଙ୍କର ସମୟ ୯ମ ରୁ ୧୦ମ ଶତାବ୍ଦୀ।
ଉଦୟନାଥ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ‘ଶତାଦ୍ଦୀର ସାରଳା ସମୀକ୍ଷା’ ପୁସ୍ତକରେ ୧୬ଟି ଅଧ୍ୟାୟ ଅଛି। ସେଗୁଡିକ ହେଲା ଶ୍ୟାମସୁନ୍ଦର ରାଜଗୁରୁଙ୍କ ‘ଶୂଦ୍ରମୁନି ସାରଳାଦାସ’, ମୃତ୍ୟୁଞ୍ଜୟ ରଥଙ୍କ ‘ମହାଭାରତ’, ଗୋପୀନାଥ ନନ୍ଦଶର୍ମାଙ୍କ ‘ଭାଷା ଓ ସାହିତ୍ୟ’, ନୀଳକଣ୍ଠ ଦାସଙ୍କ ‘ସାରଳା ଦାସ’, କରୁଣାକର କରଙ୍କ ‘ସାରଳା ଦାସ ଓ ଶାକ୍ତ ଧର୍ମ’, ବିନାୟକ ମିଶ୍ରଙ୍କ ‘ସାରଳା ଦାସ’, ସରଳା ଦେବୀଙ୍କ ‘ସାରଳା ମହାଭାରତୀୟ ନାରୀଚିତ୍ର’, କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ସାରଳା ମହାଭାରତର ଐତିହାସିକ ଉପାଦାନ’, ସୁରେନ୍ଦ୍ର ମହାନ୍ତିଙ୍କ ‘ସାରଳା ମହାଭାରତର ସାହିତ୍ୟିକ ମୂଲ୍ୟ’, ଗୋପୀନାଥ ମହାନ୍ତିଙ୍କ ‘ସାରଳା ଦାସଙ୍କ ଘର କେଉଁଠି?’, ମାୟାଧର ମାନସିଂହଙ୍କ ‘ଓଡ଼ିଆ ମହାଭାରତ ଓ ତାହାର ଶୂଦ୍ର ସ୍ରଷ୍ଟା’, ସୂର୍ଯ୍ୟନାରାୟଣ ଦାସଙ୍କ ‘ଉତ୍କଳର ବ୍ୟାସକବି ଓ ମହାଭାରତ’, ଚିତ୍ତରଞ୍ଜନ ଦାସଙ୍କ ‘ଆଦି ସାହିତ୍ୟ ଓ ଆଦିକବି ସାରଳା ଦାସ’, ବଂଶୀଧର ମହାନ୍ତିଙ୍କ ‘ସାରଳା ମହାଭାରତରେ ପ୍ରାଚୀନ ଓଡ଼ିଶାର ଶିକ୍ଷା ପଦ୍ଧତି’, କୃଷ୍ଣଚରଣ ସାହୁଙ୍କ ‘ଶୁଦ୍ଧ ପାଠ-ନିର୍ଣ୍ଣୟ ସମସ୍ୟା ପ୍ରାମାଣିକ ସାରଳା ମହାଭାରତ’। ଏହା ବ୍ୟତୀତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ‘ସାରଳା ମହାଭାରତ’ ଅଛି। ଏହି ସମସ୍ତ ବିଦ୍ୱାନ ‘ସାରଳା’ ଏବଂ ‘ମହାଭାରତ’ ଶବ୍ଦ ବ୍ୟବହାର କରିଛନ୍ତି।
କୌଣସି କୌଣସି ପୋଥିରେ କୌଣସି କୌଣସି ସ୍ଥାନରେ ‘ସାରୋଳ’ ଏବଂ ‘ମହାଭାରଥ’ ଥିଲେ ମଧ୍ୟ ସମସ୍ତେ ‘ସାରଳା’ ଏବଂ ‘ମହାଭାରତ’ ବ୍ୟବହାର କରିଛନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ଲୋକ ମନରେ ଏହି ଦୁଇଟି ଶବ୍ଦ ବସିଯାଇଛି। କୌଣସି ଗୋଟିଏ ପୋଥିରେ ସବୁ ସ୍ଥାନରେ ‘ସାରୋଳ’ ଥିବା ମୁଁ ଦେଖି ନାହିଁ। ଏବେ ‘ସାରୋଳାଦାସ ମହାଭାରଥ’ ନାମରେ ଗୋଟିଏ ଗ୍ରନ୍ଥ ପ୍ରକାଶ ପାଇଥିବା ମୋ ଦୃଷ୍ଟିକୁ ଆସିଛି। ମୋର ମତ ହେଉଛି ଯେ ବର୍ତ୍ତମାନ ନାଁ ବଦଳାଇ ‘ସାରୋଳ’ ଏବଂ ‘ମହାଭାରଥ’ କରିବା ଏକ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରେ।
ଆଧୁନିକ ସମୟରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦନା ବ୍ୟତୀତ ପୁରାଣ ପ୍ରକାଶନ ସଂସ୍ଥା, ଓଡିଶା ସରକାରଙ୍କ ଦ୍ୱାରା ସମ୍ପାଦିତ ବିଭିନ୍ନ ଗ୍ରନ୍ଥ ଦେଖିବାକୁ ମିଳିଥାଏ। ଆର୍ତ୍ତବଲ୍ଲଭ ମହାନ୍ତି ଜୀବନର ଶେଷ ଅବସ୍ଥାରେ ସମ୍ପାଦନା କାର୍ଯ୍ୟରେ ହାତ ଦେଇଥିଲେ। ସେ ବିଛଣାରେ ଶୋଇ ସାମ୍ନାରେ ବସିଥିବା ଦଶ ଏଗାର ଜଣ ପଣ୍ଡିତଙ୍କୁ ଗୋଟିଏ ଗୋଟିଏ ପୋଥି ଦେଇ ପ୍ରତ୍ୟେକଙ୍କୁ ଧାଡ଼ିଏ ଧାଡ଼ିଏ ପଢିବାକୁ କହୁଥିଲେ। ତା ଭିତରୁ ଯୋଉଟା ତାଙ୍କ ମନକୁ ପାଉଥିଲା ସେଇଟାକୁ ଲେଖିବାକୁ କହୁଥିଲେ। ତାଙ୍କ ଅସୁସ୍ଥତା ଏପରି ସ୍ତରରେ ପହଞ୍ଚିଥିଲା ଯେ ଅଧ୍ୟାପକ ବଂଶୀଧର ମହାନ୍ତିଙ୍କୁ ମୁଖବନ୍ଧ ଲେଖିବାକୁ ପଡିଥିଲା।
ଏହି ସମ୍ପାଦନା କାର୍ଯ୍ୟ ଚାଲିଥିବା ବେଳେ ଥରେ ମୁଁ ଶାନ୍ତିନିକେତନରୁ କଟକ ଆସିଥିଲି। ରାସ୍ତାରେ ଆର୍ତ୍ତବାବୁଙ୍କ ସାଙ୍ଗରେ ଦେଖା ହୋଇଗଲା। ସିଏ କହିଲେ, ଓଡ଼ିଶାର ସମସ୍ତେ ସମ୍ପାଦନା କାର୍ଯ୍ୟ ଦେଖିବାକୁ ଆସିଲେ, ଏକମାତ୍ର ତୁମେ ଆସିଲ ନାହିଁ। ମୁଁ କହିଲି, ସାର୍ ମୁଁ ଶାନ୍ତିନିକେତନରେ ରହୁଛି; ଦିନେ ଦି’ଦିନ କାମରେ କଟକ ଆସିଲେ ସେତେବେଳେ ଆପଣଙ୍କ ସମୟ ଅଛି କି ନାହିଁ ବୁଝିବାକୁ ବି ବେଳ ହେଉନାହିଁ। ଆପଣଙ୍କର ଯଦି ବର୍ତ୍ତମାନ ସମୟ ଅଛି ତାହାହେଲେ ମୁଁ ଆପଣଙ୍କ ସାଙ୍ଗରେ ଆସିବି। ଆମେ ତାଙ୍କ ଘର ପାଖରେ ଥିଲୁ। ତେଣୁ ମୁଁ ତାଙ୍କ ସାଙ୍ଗରେ ଗଲି। ସେ ସମ୍ପାଦନା ବିଷୟରେ ଅଧଘଣ୍ଟାଏ ମୋ ସହିତ କଥା ହେଲେ। ମୁଁ ତାଙ୍କୁ ପଚାରିଲି, ସାର୍ ଆପଣ ଏପରି ଗୋଟିଏ ଦିଓଟି କଥା କୁହନ୍ତୁ ଯାହା ସ୍ୱତନ୍ତ୍ର। ସିଏ କହିଲେ, ଆଜି ପର୍ଯ୍ୟନ୍ତ କେହି ହେଲେ ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାଁ ଦେଇନାହାନ୍ତି, ମୁଁ ଦେଇଛି। ମୁଁ ପଚାରିଲି, ଆପଣ କୋଉ ପୋଥିରୁ ଶହେଟି ନାଁ ପାଇଲେ? ସିଏ କହିଲେ, ମୁଁ ବିଭିନ୍ନ ପୋଥିରୁ ଏ ସବୁ ନାଁ ସଂଗ୍ରହ କରିଛି। ମୁଁ ପଚାରିଲି, ବିଭିନ୍ନ ପୋଥିରୁ ମିଳେଇଲା ବେଳେ ବେଶୀ କମ ହୋଇଯାଇଥାଇପାରେ। ସିଏ କହିଲେ, ଶହେ ହେଲାପରେ ମୁଁ ଆଉ ଖୋଜିଲିନି, ସେଇଠି ବନ୍ଦ କରିଦେଲି।
କୌଣସି ଗୋଟିଏ ପୋଥିରେ ସବୁ ସ୍ଥାନରେ ‘ସାରୋଳ’ କିମ୍ବା ‘ମହାଭାରଥ’ ଥିବା ମୁଁ ଦେଖିନାହିଁ। ‘ସାରଳା ମହାଭାରତ’ ର ସମ୍ପୂର୍ଣ୍ଣ ଶବ୍ଦସୂଚୀ ହୋଇଥିବା କଥା ମୁଁ ଜାଣେ ନାହିଁ। ଥରେ ଗୋପୀନାଥ ମହାନ୍ତି ବଳଙ୍ଗା ପୋଥିରୁ ମତେ ‘ଣିଅ’ ଶବ୍ଦ ଦେଖେଇଥିଲେ। ମୁଁ ଯେତେବେଳେ ତାଙ୍କୁ କହିଲି ଯେ, ‘ଣିଅ’ ଚର୍ଯ୍ୟାର ଶବ୍ଦ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ତାଙ୍କୁ କହିଲି ଚର୍ଯ୍ୟାରେ ‘ଣିଅ ଘରଣୀ ଚଣ୍ଡାଳି ଲେଲି’ ବାକ୍ୟରେ ଏହି ଶବ୍ଦ ଅଛି। ଏହା ‘ନିଜ’ ଅର୍ଥରେ ବ୍ୟବହୃତ। ଏହି ପ୍ରସଙ୍ଗରେ ପ୍ରବୋଧ ଚନ୍ଦ୍ର ସେନଙ୍କ ସହିତ ମୋର ହୋଇଥିବା ଗୋଟିଏ ଆଲୋଚନା ମନେ ପଡୁଛି। ଚର୍ଯ୍ୟାର ‘ଶୁନ ପାଶ ଭିଡି ଲେହୁରେ ପାଶ’ ବ୍ୟାଖ୍ୟା କଲାବେଳେ ସିଏ ଲେଖିଛନ୍ତି, ‘ଭିତ୍ତି ଥେକେ ଭିଡି ହୟେଛେ |’ ମୁଁ ତାଙ୍କୁ କହିଲି ଭିଡ଼ି ହେଉଛି ଗୋଟିଏ ଓଡ଼ିଆ କ୍ରିୟାପଦ। ଏହା ବର୍ତ୍ତମାନ ବହୁପ୍ରଚଳିତ। ତାହା ଛଡ଼ା ଅର୍ଥ ଦୃଷ୍ଟିରୁ ମଧ୍ୟ ଭିତ୍ତି ଓ ଭିଡି ଦୁଇଟି ଭିନ୍ନ ଶବ୍ଦ। ତେଣୁ ‘ଭିତ୍ତି ଥେକେ ଭିଡି ହୟେଛେ’ କହିବା ଠିକ ହୋଇନାହିଁ।
ବର୍ତ୍ତମାନ ଚର୍ଯ୍ୟା ଓ ସାରଳା ମହାଭାରତରେ ଥିବା ସମାନ ଶବ୍ଦ ବିଷୟରେ ଗବେଷଣା କରିବା ବେଳ ଆସିଛି।
ସାରଳା ମହାଭାରତ ଏବଂ ସାରୋଳ ମହାଭାରଥର ଏକ ତୁଳନାତ୍ମକ ଆଲୋଚନା ହେବାର ସମୟ ଆସିଛି।
Dr D P Patnaik’s arguments seem irrefutable. It’d be interesting to see Gouranga’s opinion, although he has already elaborated on his stand in the introduction to the first volume.
ଧନ୍ୟବାଦ, ମୁଁ ଏ ସମ୍ପର୍କରେ ଏକ ଦୀର୍ଘ ମତାମତ ଦେବାକୁ ଚାହୁଁଛି.
ଆପଣଙ୍କ email ମିଳିବ କି?