ତୁ ଓଡ଼ିଶାର ବୋଲି ଫଟାକପାଳ ! ନ ହେଲେ ତୁ ହିନ୍ଦିଆ ହୋଇଥିଲେ ଗୋପାଲ୍ ବା ଗୋପାଲା ହେଇ ଝୁଲା ଝୁଲୁଥାଆନ୍ତୁ, ଗେଲ ହେଉଥାଆନ୍ତୁ। ଫିଲିମର ହିରୋ ବନିଥାଆନ୍ତୁ।
ଆଜ୍ଞା, ଆପଣ ପିଲାଦିନୁ ଏମିତି କିଛି ଶୁଣି ଆସିଥିବେ, ଯେମିତି: ଅମୁକ, ଢିଙ୍କି, ବଗ, ଚକୁଳି (ଅବଶ୍ୟ ଇଂଗ୍ରିଜିଆ ଶୈଳୀରେ ଏବେ ସହରିଆ କହୁଛନ୍ତି: ଟମ୍, ଡିକ୍, ହେରି। ଏମିତି କହିଲେ ଓଡ଼ିଆଙ୍କ ମଳିଆତୁଣ୍ଡରେ ମାହାର୍ଦ୍ଦ ଲାଗିଯାଏ ବୋଧହୁଏ)।
ଆଉ ବି ଶୁଣିଥିବେ: ରାମ, ଶାମ, ଦାମ, ଗୋପାଳ। ଶୁଣିଛନ୍ତି ନା।
ହାଁ ! ମନା ତ ଜମା କରିପାରିବେ ନାହିଁ। ମୋତେ କିନ୍ତୁ ଏଯାଏ ମଥାଗରମରେ ପକେଇଛି ଏ କଥାଲଥାର ଅଛିଦ୍ର ଶିକୁଳିର ରହସ୍ୟଘନତା। ଅମୁକ ପାଖକୁ ଢିଙ୍କି କାହିଁକି ଆସିଲା? ସେଠି ପୁଣି ନଳିଗୋଡ଼ିଆ ବଗଭାଇ ଢୁକିଲା କେମିତି। ହାହାହାହା। ସେ ଚକୁଳିପିଠାକୁ କିଏ ଏଠି ରଖିଲା?
ଏସବୁ ଅସଙ୍ଗତ ନୁହେଁ କି? ଲାଗୁଛି ହେନେରି ଇବସନଙ୍କ ନାଟକ ଭଳି। ଚଉକି ସହ କଥାଭାଷାର ଉଦ୍ଭଟତା। ନ ହେଲେ ରମେଶ ପାଣିଗ୍ରାହୀଙ୍କ ନାଟକ ‘ମୁଁ ଆମ୍ଭେ ଓ ଆମ୍ଭେମାନେ’ର ପଥପ୍ରାନ୍ତେ ପାକେଲାକଦଳୀର ପତିତ ଚୋପାକୁ ଉଠେଇ ଅନର୍ଗଳ ବକୁଥିବା ପ୍ରଫେସରଙ୍କ ଅବୋଧ୍ୟ ବାଚାଳତା। ଏ ବି ନୂଆକଥା ହୋଇ ଆଉ ଏବେ ନାହିଁ। ଦେଖନ୍ତୁ ଆପଣ କେଉଁ କଥାରେ ଗପଟେ ଆରମ୍ଭ କରିଥିବେ, ତା’ ଡାଳ, ପତ୍ର, କଲି ବାହାରି ମୂଳକଥାକୁ ଶେଷରେ କେଉଁଠି ରଖିଦେବ ଯେ ଆପଣ ଅସଙ୍ଗତିର ନାଗପାଶରୁ ମୁକୁଳିବାକୁ ଯାଇ ବାଧ୍ୟ ହୋଇ କଥାକୁ ଅସମାପ୍ତ ସିଦ୍ଧାନ୍ତରେ ରଖିବେ। ଏମିତି ତ ଆଗରୁ ଆମେ ଶୁଣିଛେ: କିସ କଥା?
ବେଙ୍ଗୁଲୀ କଥା/କି ବେଙ୍ଗୁଲୀ/କାଠ ବେଙ୍ଗୁଲୀ/କି କାଠ/ତେଲିମାଠ…ଏମିତି ଏମିତି ଏମିତି କାନକୋଳି କଣ୍ଟାରେ ଶେଷ। ଗପ ନା ଫପ। ଗୋଟିଏ ଅସଙ୍ଗତିର ଖିଅରେ ଛନ୍ଦୁଣି ମନ୍ଦୁଣି ହେଇ ଛୁଆ ଛ’ରେ ହର୍ଷଉ। ପିଲାଙ୍କୁ ଠକିବା ବା କଥାକଣାରେ ଚୁଣ୍ଟାମାରିବାକୁ ଏ ଉଦ୍ଭଟତା ହିଁ କାଫି। ସତ କହିଲି ନା।
ଗଛତୋଳା ମିଛ
ଆମ ଗାଁ’ରେ ଏମିତି ଡିହଗାଲୁଆ ଅଛନ୍ତି (ସମସ୍ତଙ୍କ ଗାଁ’ରେ ଥିବେ), ଯେଉଁମାନେ ଗଛତୋଳା ମିଛ ପଣି ଦେଇଯିବେ ଅନର୍ଗଳ। ଯାଃ’ ଅନେଇଥା ଚାଳକୁ ଥାଳକୁ। ଏମିତି ଗାଲୁଆଙ୍କୁ ଲୋକେ ଗୋପାଳ ସହ ଯୋଡ଼ିଦିଅନ୍ତି। ଯେମିତି ଗୋପାଳଭାଣ୍ଡ। ସବୁଠୁ ବିକଳିଆ କଥାଟି କ’ଣ ଜାଣିଛନ୍ତି? ରାମବାବୁ କୁହାଯିବ। ଶାମବାବୁ କୁହାଯିବ। ଦାମବାବୁ କୁହାଯିବ। ଗୋପାଳବାବୁ ପ୍ରାୟ କୁହା ହେଉ ନ ଥିବ। ଯେମିତି ମନୁ ତିଆରିଛନ୍ତି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟଙ୍କ ଏକାନ୍ତ ସେବକ ଶୁଦ୍ରଟିଏ। ଏଣୁ, ଗୋପାଳ କେତେବେଳେ ଗୋପାଳିଆ ତ କେତେବେଳେ ମଧ୍ୟମ ବର୍ଣ୍ଣରେ ଏ’କାର ଯୁକ୍ତ ଅବର୍ଜ୍ୟାଟିଏ। ସମସ୍ତେ ସପର୍ଯ୍ୟା, ଏକା ଗୋପାଳ ଅବର୍ଜ୍ୟା। ସୁରଭାଇ ଏଇନା ଥୁକି ଦେବେ: ଆ ଥୁ। କି କଥା ଏଗୁଡ଼ାକ। ଲଜ୍ଜା। ଲଜ୍ଜା! ଘୋର ଲଜ୍ଜା!
ଆହୁରି ବିକଳ ଏ ଗୋପାଳମାନେ ହୁଅନ୍ତି। ସେ ଗୋପ’, ଗୋପୀ’ ଆଦି ସମ୍ବୋଧନରେ ଗୋପନ ହୋଇଯାଆନ୍ତି। ବିଲକୁଲ ପଙ୍କୁଆକଳପା ମାଛ ଭଳି ଖଚଖଚ ହେଇ ଉଝୁଳା ପୋଖରୀରେ ଅଣନିଃଶ୍ୱାସୀ ହୋଇଯାଆନ୍ତି।
ନଗଦାନଗଦି ଦୁଃଖଟେ ବଖାଣୁଛି। ଘା’ ଶୁଖିନି। ନିତି ରାତିରେ ବକଳ ଯୋଡ଼ି ହଉ ହଉ ସକାଳୁ ମୂଲ୍ୟାଙ୍କନ କେନ୍ଦ୍ରରେ ଲହୁଲୁହାଣ ଉହୁଆହା! ଏଇ ଏଇ ହାଲି ମୁଁ ଦୁଆଦଶ ପରୀକ୍ଷା ଖାତା କମ୍ପ୍ୟୁଟରରେ ଦେଖୁଛି। ସେଠି ରୂଢ଼ି ପ୍ରବଚନ ପଡ଼ିଛି: କଂସାରିଘର ପାରା।
ପିଲା ଲେଖିଛନ୍ତି: ଗୋପାଳକୁ କ’ଣ ହାଇକୋଟ ଦେଖଉଚ ମ, ସେ ପରା କଂସାରିଘରର ପାରା!
(ଏକଦମ ଚେମେଡ଼ା କଇଁଆକାଠ! ଭଲ ଉ)।
ପୁଣି ପଡ଼ିଚି: କୁଟା ଖଣ୍ଡକ ଦି’ ଖଣ୍ଡ ନ କରିବା।
ପିଲା ଲେଖିଛନ୍ତି: ଗୋପାଳଟା ବ୍ରହ୍ମାଣ୍ଡଠକ। ମୋ ଭଉଣୀ ବାହାଘରରେ ସେ କୁଟାଖଣ୍ଡକୁ ଦି’ଖଣ୍ଡ କଲା ନାହିଁ!
(ତା’ମାନେ ମହାଠାପୁଆ! ଭଲ ଉ)।
ପୁଣି ପଡ଼ିଚି: ହଲିଲା ପାଣିରେ ଗୋଡ଼ ନ ଦେବା!
ପିଲା ଲେଖିଛନ୍ତି: ଗୋପାଳ ବଡ଼ ହୁସିଆର। ସେ ହଲିଲା ପାଣିରେ ଗୋଡ଼ ଦିଏ ନାହିଁ।
(ତା’ମାନେ ପ୍ରକାଣ୍ଡ କନ୍ଦିଗଳିଆ, ସୁବିଧାବାଦିଆ! ଭଲ ଉ)
ପୁଣି ପଡ଼ିଚି: ଋଷି ଜଟା ଛିଡ଼େଇ ମରିବା।
ପିଲା ଲେଖିଛନ୍ତି: ଗୋପାଳଟା ଏଡ଼େ ଖେଚଡ଼ ଯେ ତା କାମ ଦେଖିଲେ ଋଷି ଜଟା ଛିଡ଼େଇ ମରିବେ!
(ଗୋପାଳମାନେ କ’ଣ ଏଡ଼େ ଖରାପ! ଭଲ ଉ)
ଆଚ୍ଛା ପିଲାଏ! ରାମ, ଶାମ, ଦାମ କଥା ଲେଖୁନ। ଏଇ ଗୋପାଳ ଉପରେ ଏତେ ଗ୍ରଜ୍ ରଖୁଚ କାହିଁକି?
ଶେଷକଥାଟି ହେଲା: ଗୋପାଳଟା ଗୋଟିଏ ୟୁସ୍ଲେସ୍। ଗୋପାଳମାନେ ନନ୍ସେନ୍ସ।
ଓଡ଼ିଆ ବୋଲି ଫଟା କପାଳ
ହେ ଗୋପାଳ!
ତୁ ଓଡ଼ିଶାର ବୋଲି ଫଟାକପାଳ!
ନ ହେଲେ ତୁ ହିନ୍ଦିଆ ହୋଇଥିଲେ ଗୋପାଲ୍ ବା ଗୋପାଲା ହେଇ ଝୁଲା ଝୁଲୁଥାଆନ୍ତୁ, ଗେଲ ହେଉଥାଆନ୍ତୁ। ଫିଲିମର ହିରୋ ବନିଥାଆନ୍ତୁ। ଗିରିଧର ଗୋପାଲ୍ ହୋଇ ପୂଜା ପାଇଥାଆନ୍ତୁ।
ମୁଁ କିନ୍ତୁ ଗୋପାଳ ନୁହେଁ କି ଗୋପାଳଚନ୍ଦ୍ର ନୁହେଁ
।। ଗୋପାଳକୃଷ୍ଣ।।
ତଥାପି ଶତକଡ଼ା ନବେ ମଣିଷ ମୋତେ ଗୋପାଳ ଡାକି ହିଁ ଖୁସି ହୁଅନ୍ତି। ଅଧିକାଂଶ ଚିଠି (ସରକାରୀ ଓ ବେସରକାରୀ)ରେ କୃଷ୍ଣ କତୁରି ହୋଇ ଆସିଥାଏ।
ପିଲାଦିନେ ଖୁବ୍ ଚିଡୁ଼ଥିଲି ମୋ ନନା ବୋଉଙ୍କ ଉପରେ…
ଏବେ କିନ୍ତୁ ମୁଁ ନନାବୋଉଙ୍କ ନାମକରଣର ସାର୍ଥକତା ପ୍ରଶ୍ନର ଉତ୍ତର ଲେଖୁଛି ଯେ ଗୋଟିଏ ପ୍ରଶ୍ନର ଉତ୍ତରରେ ଘଣ୍ଟା ବାଜିଗଲା।
ରାମ ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ। ଶାମ ହୋଇଗଲେ ପ୍ରେମମୟ ପୁରୁଷ। ଦାମ ହୋଇଗଲେ ପରମ ପୂଜନୀୟ। ବିଚରା ଏଇ ଚାରିନାମରୁ ଚୋର ପରି ଅପମାନିତ ହୋଇ କାନ୍ଦିଲା ଗୋପାଳ। ଗୋ’ ମାନେ ଗୋରୁ। ଗୋପାଳ ଗୋରୁପାଳ। ସକାଳୁ ଗେଫୁ ଥା’ ବାସିପଖାଳ। ବାଡ଼ି ଖଣ୍ଡେ ଧରି ବଣକୁ ଚାଲ। ପାଠଶାଠ ନାହିଁ ଖେଳୁଥା’ ଖେଳ।
ଏ ଗୋପାଳରୁ ହେଲା ଗୁଆଳ। ଗୁଆଳରୁ ଗଉଡ଼। ଭକ୍ତଚରଣ ଲେଖିଲେ ଛିଗୁଲେଇକି:
ଘରେ ନ ରହନ୍ତି ଗଉଡ଼େ ବଡ଼ ଅଧମ ଜାତି।
ଘେନି ବଚ୍ଛା ବୃନ୍ଦ ବାଳକେ ବନେ ବୁଲନ୍ତି ନିତି।
ବାଳକ ଏମାନେ। ନିର୍ବୁଧିଆ।
ଲୋକେ ଟିହାନ୍ତି: ଅଶୀ ବର୍ଷରେ ବୁଦ୍ଧି ପାକଳ।
ଅଧମଜାତି। ଚାକୁଣ୍ଡା ପତର ଛେଦି ପକାନ୍ତି। ସୁଆରିପାଲିଙ୍କି କାନ୍ଧେ ବୁହାନ୍ତି। ହାକୁମଧାବଲ ଗୀତ ଗାଆନ୍ତି।
ଶିଶୁ ଠିଆ ଠିଆ ହଉଥିବ। କାନ୍ଥ ଧରି ଚାଲ ଚାଲ ହଉଥବ। ଢଳଢଳ ହଲୁଥବ ଦେହ। ଟଳଟଳ ହେଉଥବ ପା’ ପାପୁଲି।
ମା’ ଗୀତ ଗାଉଥବ:
ଢଳଢଳିଆ ଗଉଡ଼
ଦୁଧଭାର ନେଇ ଦଉଡ଼।
ମଥୁରା ମଙ୍ଗଳର ଚିଟାଉ
ଏ ଗଉଡ଼ମାନଙ୍କୁ ବହେ ଶୋଧି ‘ମଥୁରାମଙ୍ଗଳ’ରେ ଦ୍ରୁମିଳାନନ୍ଦନ ଚିଟଉ ପଠେଇଥେଲା ମହାମନ୍ତ୍ରୀ ତଥା ଶ୍ରୀକୃଷ୍ଣଙ୍କ ଆତ୍ମୀୟ ଅକ୍ରୂର ହାତରେ। ଧନୁଯାତ ହବ। ଅଷ୍ଟମଲ୍ଲ, କୁବଳୟା ହାତୀ ଏମିତି ତାଚଉଁ ତାଚଉଁ ଆୟୋଜନ ଚାଲିବ। ପଠାଅ ଆମ ଭଣଜା ଦୁଇଙ୍କୁ। ତୁମ ଜାତି ଗଉଡ଼। ତୁମର ବୁଦ୍ଧି କାଇଁ? କେବେଠୁ ଭେଟି ବେଠି ଦେଇନ? ତୁରନ୍ତ ମହଣମହଣ ଭାରଭାର ଦହି ଦୁଧ ଲହଣି ଆଣି, ପନିପରିବା, କଉଡ଼ି ଆଣି ଏଠିକି ଆସ। ତମ ଗୋପପୁରିଆ ମଫଗୁଡ଼ାକ। ଆମ ମଥୁରିଆ ସହରୀବାବୁଙ୍କ ପାସଙ୍ଗରେ ପଡ଼ିପାରିବ ତମେ? ତମେ ସବୁ ଗଉଡ଼ ହୁଡ଼।
ଯିମିତି ଶୁଣିଲେ ଗଉଡ଼ଛୁଆ, ଗର୍ଜିଲେ: ଧନ ଚିନିନୁ କି? ହେଇଟି ମଣି! ମାକେ ବାଉଙ୍ଗୀମାଡ଼ ଚାଖିନ ବୋଧେ। ହା’ରେ!
ଗଉଡ଼ମାନେ କୃଷ୍ଣଚେଲା। ଗୋପ ବୃନ୍ଦାବନରେ ଗୋପାଳ ପିନ୍ଧନ୍ତି କଟିକୁ ଖଣ୍ଡେ। କାନ୍ଧରେ ଖଣ୍ଡେ। ହାତରେ ଠେଙ୍ଗା ଖଣ୍ଡେ। ଉଗାଳ ଗାଇ ଚାଲନ୍ତି ବ୍ରଜଦାଣ୍ଡେ। ବାହା ହଲାଇ ଚାଣ୍ଡେଚାଣ୍ଡେ। ଆଇଁଷ ନ ଦିଅନ୍ତି ତୁଣ୍ଡେ। କାହାଠି ଦୋରେହା ରଖନ୍ତିନି ପିଣ୍ଡେ। ହସଖୁସି, ଗୀତ, ଥଟଲବାଜି, ଢଗଢମାଳି, ଖେମେଟାନାଚରେ ସବୁବେଳେ ଏମାନେ ଦୁଲୁଦୁଲୁ ଭୁସୁଭୁସୁ। ଆସିବ କିଏ ସେଠିକୁ ଆସୁ। ଫଡ଼ିଆ ଯଦି ହୁଗାଳି ନ ଦେଇଚନ୍ତି ମୋତେ କହିବ।
ଏ କୃଷ୍ଣ ହେଲେ କହ୍ନ, କହ୍ନେଇ, କାହ୍ନା। ଗୋପାଳ ଇଏ। ସୁଦୁ ଦେଶୀ।
ମଥୁରାକୃଷ୍ଣ ରାଜଧାନିଆ। ଦେଖିଲେ ଲାଗିବ ବଡ଼ ଛାନିଆ। ସେ ବାସୁଦେବ ହେଲେ ବାସିବେ। ନନ୍ଦସୁତ ହେଲେ ମଇଁଷିଆ ଗନ୍ଧେଇବେ।
ଦେଖୁନ। କଣ୍ଟ ଦେଇ ଗଲେ ବ୍ରଜବାଳୀଙ୍କୁ ଗୋପାଳକୃଷ୍ଣ। ଆଉ ଆସିବା ନାଁ’ ଧଇଲେନି। ରହିଗଲେ ସହରରେ, ମଧୁପୁରରେ। ଡକେଇଲେ ଗଉଡୁଣୀ ରାଧାକୁ। ରାଧା ବାଇବିଛ ପରି ହେଲେ ସେଠିକା ଆରବା ଦେଖି। ଖସି ପଳେଇଲେ ବଣକୁ। ସେ ପାଇଲେନି ରଜାଠି ଗୋପାଙ୍ଗନାଙ୍କ ଦୁକୂଳ ଚୋରଙ୍କୁ।
ପ୍ରଭାସଯଜ୍ଞରେ ଯଶୋମତୀ
ଏମିତି କାଳେ ପ୍ରଭାସଯଜ୍ଞରେ ଯଶୋମତୀ ଯାଇଥେଲେ ତାଙ୍କ ପୁଅକୁ ଦେଖିବାକୁ। ଚାଲିଲା ଟକରାଟକରି। ଦେବକୀ ବନାମ ଯଶୋଦା। ଗର୍ଭର ଗର୍ବ ଖର୍ବ ହେଲା ପ୍ରୀତି ସମ୍ବୋଧନରେ। ମଧୁପୁରିଆ କୃଷ୍ଣ ‘ମୋ ଗୋପାଳରେ। ମୋ କହ୍ନାଇରେ!’ ଡାକ ଶୁଣି ଅଦଭୂତ ଛିଡ଼ା ହୋଇଗଲେ ମଥାରେ ପଗଡ଼ି, ଗଳାରେ ଗରଡ଼ମାଳ, ବନମାଳ, ମଥାରେ ଜାମୁଡ଼ାଳ। ବାଳଗୋପାଳ।
ଟିକିଏ ଆଖି ପକାନ୍ତୁନା ଏଇ ମଧୁରମନ୍ତ୍ର ଆଡ଼େ:
ଗୋଧନ ପାଳକ ଗୋପକୁମାରଂ
ଚନ୍ଦନ ଚର୍ଚ୍ଚିତ କୁଙ୍କୁମଭାରଂ
ନୀଳକଳେବର ଶୋଭିତହାରଂ
ତଂ ପ୍ରଣମାମିଚ ବାଳଗୋପାଳଂ।
ଶ୍ରୀମନ୍ଦିର ଦୁଆରଫିଟା, ମଙ୍ଗଳଆଳତି, ମଇଲମ, ଅବକାଶ, ତଡ଼ପଲାଗି ଆଦି ପରେ ପା ଆରମ୍ଭ ହୁଏ ‘ଗୋପାଳ ବଲ୍ଲଭ ଭୋଗ।’ ତିନିବାଡ଼ରେ ଠାକୁରଠାକୁରାଣୀ ବିରାଜିତ ହୋଇ ଶ୍ରୀବଳଦେବ ଦ୍ୱାଦଶାକ୍ଷରୀ ବାସୁଦେବ ମନ୍ତ୍ର, ଶ୍ରୀଜଗନ୍ନାଥ ଅଷ୍ଟାଦଶାକ୍ଷରୀ ଗୋପାଳମନ୍ତ୍ର ଓ ମା’ ସୁଭଦ୍ରା ଏକାକ୍ଷର ମନ୍ତ୍ରରେ ଆରାଧିତ ହୁଅନ୍ତି ପରା। ଏଣୁ ଗୋପାଳ ସବୁବେଳେ ଅଲଗା।
ଟିକେ ହଟକେ।
ଗୋପାଳମାନେ ସବୁବେଳେ ଅଣଓରିଆ। ବାଟଘାଟରେ ନାଁ ପକାନ୍ତି। ଗଉଡୁଣିଙ୍କ ଠେକି ଭାଙ୍ଗନ୍ତି। ସରଲହୁଣି ଚୋରି କରି ଖାଆନ୍ତି। କହିବାକୁ ଗଲେ ଚୋରଜାତୀୟ। ବିଲ୍ୱମଙ୍ଗଳ ସେଇଥିପାଇଁ ‘ଚୌର ଚିନ୍ତାମଣି‘ରେ ଲେଖିଲେ:
ବ୍ରଜେ ପ୍ରସିଦ୍ଧଂ ନବନୀତ ଚୌରଂ
ଗୋପାଙ୍ଗନାନାଂଚ ଦୁକୂଳ ଚୌରଂ।।
ହେ ଭାଇ! କଥା ତ ଏଇଠି ସରିଗଲା। ଏକଦମ ସିସିଆର୍ ଖରାପ।
କବି କିନ୍ତୁ ଏଇ ଚୋରକୁ ନେଇ କେମିତି ଭଲ ଦୁଇପଦ ପରେ ଲେଖିଲେ ଦେଖନ୍ତୁ ତ:
ଅନେକ ଜନ୍ମାର୍ଜିତ ପାପ ଚୌରଂ
ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି।।
ହେ ପ୍ରଭୁ। ତୁମେ କାମଦଂମୋକ୍ଷଦଂ ଚୈବ। ତୁମେ ଗୋପାଳ।
ଗୋ’ ଶବ୍ଦର କ’ଣ କମ୍ ଅର୍ଥ କି?
ଦେଖନ୍ତୁ: ଗୋ’ଶବ୍ଦର ଅର୍ଥ: ୧)ଧେନୁ ୨)ବଳଦ ୩) ବୃକ୍ଷ ୪) ଦୁଧ,ଦହି ଓ ଘିଅ ଇତ୍ୟାଦି ୫)ପଶୁ ୬) ପୃଥିବୀ ୭)ମାତା ୮)ବେଦମାତା ୯)ବାଣୀ,ବାକ୍ୟ ୧୦)ସ୍ୱର୍ଗ ୧୧)ଚକ୍ଷୁ ୧୨)ଇନ୍ଦ୍ରିୟ ୧୩)ଦିଗ ୧୪)ଦୃଷ୍ଟି ୧୫)କେଶ ୧୬)କିରଣ ୧୭)ସୂର୍ଯ୍ୟ ୧୮)ନକ୍ଷତ୍ର ୧୯) ଚନ୍ଦ୍ର ୨୦)ଲୋମ ୨୧) ଗୃହ ୨୨) ବଜ୍ର ୨୩) ନଅସଂଖ୍ୟା ୨୪)ଗାୟକ ୨୫)ବୃଷରାଶି ଇତ୍ୟାଦି
ଗୋ’ଧାତୁର ଅର୍ଥ ହେଲା ଯଥେଷ୍ଟ ବିଚରଣଶୀଳ। ବିଶ୍ୱକୁ ବ୍ୟାପିଯାଇଛନ୍ତି ବୋଲି ନାରାୟଣ ହେଉଛନ୍ତି ‘ବିଷ୍ଣୁ’। ସେ ଅତ୍ର, ତତ୍ର, ସର୍ବତ୍ର ରହିଛନ୍ତି। ଏଣୁ ଗୋ’କୁ ଯିଏ ପାଳିବ ସେ କେତେବଡ଼ କ’ଣ ନ ହୋଇଥିବ।
ସେଇଥିପାଇଁ ଆମ ମନ୍ତ୍ର କହିଛନ୍ତି:
ହରେ ମୁରାରେ
ମଧୁକୈଟଭାରେ
ଗୋବିନ୍ଦ ଗୋପାଳ ମୁକୁନ୍ଦ ଶୌରେ
ଯଜେ୍ଞଶ ନାରାୟଣ କୃଷ୍ଣ ବିଷ୍ଣୁ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷ।
ଏଣୁ ଗୋପାଳ ନାମ କାହିଁରେ କ’ଣ ଆଜି ହେଜୁଛି। ଯେ ଗୋପାଳ ସେ ଗୋପାଳକୃଷ୍ଣ। ବ୍ରହ୍ମାଣ୍ଡକୁ ଯିଏ ଆକର୍ଷିତ କରେ ସେ ଗୋପାଳକୃଷ୍ଣ।
ଅଡୁଆରେ ନାଁ
ଏ ନାଁ’ଟି ଏମିତି ଅଡ଼ୁଆରେ ପକାଏ ଯେ ବେଳେ ବେଳେ ବିରକ୍ତ ଲାଗେ। ଅନେକ ସମୟରେ ଗୋଟିଏ ମଠର ବାବାଙ୍କ ଦୂରଭାଷ ମୋ ପାଖକୁ ଆସେ। ସେ ବାବା ମୋତେ ଜାଣନ୍ତି ବୋଲି ମୁଁ କିଛି କହିପାରେନା। ନ ହେଲେ ମୁଁ ଯୋଉଁ ଚିଡ଼ାଲୋକ ଭଲକରି ଶୁଣେଇ ଦିଅନ୍ତି। କାରଣ ସେ ତାଗିଦ କରିବା କଣ୍ଠରେ ହିଁ କଥା ଆରମ୍ଭ କରିଥାଆନ୍ତି। ଆମ ଘରେ ବା ଆମ ବନ୍ଧୁବାନ୍ଧବରେ ମୋତେ ଲୁଲୁ ବୋଲି ଡାକନ୍ତି। କିନ୍ତୁ, ମୋ କକେଇ ଓ ତାଙ୍କ ପରିବାର ମୋତେ ‘ଗୋପାଳ’ ନାମରେ ଡାକନ୍ତି। ମୁଁ ପହିଲେ ଭାରି ଚିଡୁଥିଲି ଛୁଆବେଳେ। ଭାବୁଥିଲି ସେମାନେ ମୋତେ ଭଲ ପାଆନ୍ତି ନାହିଁ। କିନ୍ତୁ ବଡ଼ ହେଲା ପରେ ଏ ନାମକୁ ମୁଁ ଜପାମାଳି କରିଛି। ମୋ ସାର (ଭାସ୍କର ସାର) ମୋତେ କେତେ ଗେହ୍ଲା କରି ବସେଇ ବସେଇ ଗୋପାଳ ବୋଲି ଡାକନ୍ତି। ଆହା ସାର୍ ଆଉ କାହାନ୍ତି?
ମୁଁ କାଳେ ଜନ୍ମ ନେଇଥିଲି ସନ୍ତାନ ଗୋପାଳ ମନ୍ତ୍ରରେ ପାଞ୍ଚ ଝିଅ ପରେ। ଯେଉଁ ମହାନ ଆତ୍ମା ସେ ମନ୍ତ୍ର ନନାଙ୍କୁ ଦାନ କରିଥିଲେ, ତାଙ୍କର ଗୋଟିଏ ପୁଅ ମୁଁ ଜନ୍ମ ହେବା ଦିନ ଆତ୍ମହତ୍ୟା କରିଥିଲେ ବୋଲି ବୋଉ କହେ। ନନାଙ୍କୁ ବାପା ସେଦିନ ଦରଦଭରା କଣ୍ଠରେ କହିଥିଲେ: ଧନ୍ୟ ତୋ ଗୁରୁ! ତୋତେ ଏ ମନ୍ତ୍ର ଦାନ କରି ସେ ତାଙ୍କ ପୁଅକୁ ଯମ ମୁହଁକୁ ଠେଲି ଦେଲେ। ମୋର ଦୁଇଟି ପୁଅ। ମୁଁ ବି ସେ ମନ୍ତ୍ର ଜାଣିଛି। ମୁଁ ତ କାହିଁ ଏତେ ନିଷ୍ଠୁର ହୋଇପାରିଲିନି।
ଶେଷକଥା :
ମୋ ନାମ ଦୋଷ ମୋଠି’ ଥାଉ। ମୁଁ ରାମ, ଶାମ, ଦାମ ନ ହୋଇ ଏମିତି ଗୋପାଳ ହୋଇଥାଏ। ଅଳିଦଳି, ରଡ଼ିମଡ଼ି ସହୁଥାଏ। ତୁମର ସେଥିରେ ମୁଣ୍ଡ ପୂରେଇବାର ନାହିଁ।
ହେଲା!
ଆପଣ ଏଇଟାକୁ ଆତ୍ମରତି (ନାରସିସିଜମ୍)ବି କହିଲେ ଭଲ।
ହେ ଗୋପାଳ ଚୂଡାମଣି!
ତୁମ ପାଇଁ ଆଜିର ଶ୍ରଦ୍ଧାଞ୍ଜଳି ଏଇ ପଦକରେ:
କସ୍ତୁରୀତିଳକଂ ଲଲାଟପଟଳେ ବକ୍ଷସ୍ଥଳେ କୌସ୍ତୁଭଂ,
ନାସାଗ୍ରେ ନବ(ବର)ମୌକ୍ତିକଂ କରତଳେ ବେଣୁଂ କରେ କଙ୍କଣଂ।
ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ କଣ୍ଠେ ଚ ମୁକ୍ତାବଳିଂ,
ଗୋପସ୍ତ୍ରୀ ପରିବେଷ୍ଟିତୋ ବିଜୟତେ
ଗୋପାଳ ଚୂଡ଼ାମଣି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର,୨୦୨୩ ସଂଖ୍ୟାରେ ପ୍ରକାଶିତ। )
ଖୁବ୍ ସୁନ୍ଦର ସର୍ଜନା। ବହୁତ ମନଛୁଆଁ। ଗୋପାଳକୃଷ୍ଣ ସମସାମୟିକ ସାହିତ୍ୟ ନାଆର ଜଣେ ଦକ୍ଷ ମଙ୍ଗୁଆଳ। ତାଙ୍କ ସାହିତ୍ୟଯାତ୍ରାର ସୁଦୀର୍ଘ ଅବଧି କାମନା କରୁଛି।
ଧନ୍ୟବାଦ ଭାଉଜ। ପ୍ରଣା଼ମ
ଚମତ୍କାର। 👍⚘👌
ଧନ୍ୟବାଦ ଭାଇ