କେବଳ ପୂଜା ପ୍ରସଙ୍ଗ ନୁହେଁ, ବରଂ ଏକ ସୁଚୟନିତ ସମକାଳୀନ ସାହିତ୍ୟର ସମ୍ଭାର ହିଁ ପୂଜାସଂଖ୍ୟାଗୁଡ଼ିକୁ ବିଶେଷତ୍ୱ ପ୍ରଦାନ କରେ।
ଓଡ଼ିଆ ପତ୍ରିକାମାନଙ୍କର ପୂଜା ସଂଖ୍ୟା ସମକାଳୀନ ଓଡ଼ିଆ ସାହିତ୍ୟର ଗତି ଓ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏହି ପୂଜା ସଂଖ୍ୟାର ପରମ୍ପରା ଆମ ପତ୍ରପତ୍ରିକା ଜଗତରେ ବଙ୍ଗ ପ୍ରଦେଶରୁ ଆମଦାନୀ ହୋଇ ଏକଦା ଅନୌପଚାରିକ ଭାବରେ ପ୍ରବେଶ କରିଥିଲେ ହେଁ ଆଜି ଆମ ରାଜ୍ୟରେ ସାହିତ୍ୟ ପତ୍ରିକା କହିଲେ ପୂଜା ସଂଖ୍ୟାଗୁଡ଼ିକୁ ହିଁ ବୁଝାଏ। କଲିକତାରୁ ପ୍ରକାଶ ପାଉଥିବା ତତ୍କାଳୀନ ସମ୍ଭ୍ରାନ୍ତ ଓଡ଼ିଆ ପତ୍ରିକା ‘ଆସନ୍ତାକାଲି’ ୧୯୫୧ ମସିହାରେ ପ୍ରଥମ ପୂଜାସଂଖ୍ୟା ପ୍ରକାଶ କରିଥିଲା। ସେତେବେଳେ କଲିକତାର ବଙ୍ଗଳା ପତ୍ରିକାମାନଙ୍କରେ ଦୁର୍ଗାପୂଜା ଅବସରରେ ସ୍ୱତନ୍ତ୍ର ପୂଜା ସଂଖ୍ୟା ପ୍ରକାଶିତ ହେବାର ପରମ୍ପରା ଦୃଢ଼ ଆସ୍ଥାନ ଜମାଇ ସାରିଥିଲା। କ୍ରମେ ଓଡ଼ିଶାର କିଛି ପତ୍ରିକା ଏହାର ଅନୁକରଣ କଲେ। ଏହାର କ୍ରମ ଅଭିବୃଦ୍ଧି ଘଟି ଆଜି ପରିସ୍ଥିତି ଏପରି ହୋଇଛି ଯେ ପୂଜାସଂଖ୍ୟା ବିନା ଯେକୌଣସି ଓଡ଼ିଆ ପତ୍ରିକାର ପରିଚୟ ଅପୂର୍ଣ୍ଣ ବୋଲି କୁହାଯାଇପାରେ।
ପୂଜା ପତ୍ରିକାଙ୍କ ସଂଖ୍ୟା
ପ୍ରତିବର୍ଷ ଦଶହରାର ଅବ୍ୟବହିତ ପୂର୍ବରୁ ସ୍ୱତନ୍ତ୍ର ପୂଜା ବିଶେଷାଙ୍କ ପ୍ରକାଶ କରୁଥିବା ପତ୍ରିକାମାନଙ୍କର ସଂଖ୍ୟା ବେଶ୍ ପ୍ରଣିଧାନ ଯୋଗ୍ୟ। ପୂର୍ବେ କେତୋଟି ପୂଜା ପତ୍ରିକା ପ୍ରକାଶ ପାଉଥିଲା ତାହା ଜାଣିବା ପାଇଁ ଯଦିଓ କିଛି ବିଧିବଦ୍ଧ ଆଧାର ନାହିଁ, ଦିନାଙ୍କ ୪.୧୨.୨୦୦୭ରେ ‘ସମୟ’ ସମ୍ବାଦପତ୍ରରେ ପ୍ରକାଶିତ ଏକ ସମ୍ବାଦରୁ ଜଣାଯାଏ ଯେ ସେ ବର୍ଷ (୨୦୦୭ ମସିହାରେ) ୭୧ଟି ଦୁର୍ଗାପୂଜା ବିଶେଷାଙ୍କ ପ୍ରକାଶ ପାଇଥିଲା। ଏହି ସଂଖ୍ୟାକୁ ବିଚାରକୁ ନେଇ ଏବର ପୂଜା ପତ୍ରିକାମାନଙ୍କ ସହିତ ତୁଳନା କଲେ ଆମେ ପାଇବା ଯେ ଏଥିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କରୋନା ମହାମାରୀ କାରଣରୁ ଓଡ଼ିଶାର ପତ୍ରିକା ବଜାର ୨୦୨୦ ଓ ୨୦୨୧ ମସିହାରେ ପ୍ରାୟତଃ ବନ୍ଦ ହୋଇପଡିଥିଲା। ଏହାପରେ ୨୦୨୨ ମସିହାରେ ଏକ ନବୀନ ଉତ୍ସାହ ସାଉଁଟି ଏହା ନବ କଳେବର ନେଲା। ଅବଶ୍ୟ ଗତବର୍ଷ, ଅର୍ଥାତ୍ ୨୦୨୨ ମସିହାରେ, ୯୮ଟି ପୂଜା ପତ୍ରିକା ଭୁବନେଶ୍ୱରର ପତ୍ରିକା ବଜାରରେ ପହଞ୍ଚିଥିବା ବେଳେ ଏ ବର୍ଷ ତାହା ଖସି ୭୮କୁ ଆସିଛି। ଏଥିରୁ ଯାହା ଅନୁମାନ କରାଯାଏ, ପାଠକମାନଙ୍କର ଚାହିଦାଠାରୁ ଅଧିକ ସଂଖ୍ୟକ ପୂଜା ପତ୍ରିକା ଗତ ବର୍ଷ ପ୍ରକାଶ ପାଇଥିବାରୁ ଅନେକ ପତ୍ରିକା ଅବିକ୍ରୀ ହୋଇ ରହିଯାଇଥିଲା। ଏଥିଯୋଗୁଁ ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି କେତେକ ପତ୍ରିକା ଏ ବର୍ଷ ପୂଜା ପତ୍ରିକା ବଜାରରେ ପାଦ ଥାପିବାକୁ ବୋଧହୁଏ ସାହସ ଜୁଟାଇ ପାରିନାହାନ୍ତି।
ତେବେ ଓଡ଼ିଆ ପତ୍ରିକା ମାନଙ୍କ ମଧ୍ୟରେ ଗତ ଅଳ୍ପ କିଛି ବର୍ଷ ହେଲା ଏକ ବିଚିତ୍ର ଧାରା ମଧ୍ୟ ଦେଖିବାକୁ ମିଳେ; ତା’ହେଲା ବର୍ଷ ଯାକ ନିୟମିତ ଭାବରେ ପ୍ରକାଶିତ ନ ହୋଇ ଅଧିକାଂଶ ପତ୍ରିକା କେବଳ ପୂଜା ବେଳକୁ ହିଁ ନିଜର ଉପସ୍ଥିତି ଜାହିର କରନ୍ତି। ଆସନ୍ତୁ ଏହି ପ୍ରେକ୍ଷାପଟରେ ଆମେ ଏବର୍ଷ ପ୍ରକାଶ ପାଇଥିବା ପୂଜା ପତ୍ରିକାମାନଙ୍କର ଏକ ସଂକ୍ଷିପ୍ତ ଆକଳନ କରିବା।
ଲକ୍ଷ୍ୟ କରିବାର କଥା ଯେ ପ୍ରତି ମାସରେ ନିୟମିତ ଭାବରେ ପ୍ରକାଶ ପାଉଥିବା କେତେକ ଲୋକପ୍ରିୟ ପତ୍ରିକା ଦଶହରା ସମୟରେ ସେମାନଙ୍କର ଚିରାଚରିତ ଅକ୍ଟୋବର ସଂଖ୍ୟା ପ୍ରକାଶ କରିଛନ୍ତି ସିନା, ହେଲେ ତାହାକୁ ପୂଜାସଂଖ୍ୟା ଭାବରେ ପରିଚିତ କରାଇବା ପାଇଁ ମନ ବଳାଇନାହାନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ‘ପୌରୁଷ’, ‘କାଦମ୍ବିନୀ’, ‘ଝଙ୍କାର’ ଓ ‘ରେବତୀ’ ଭଳି ନିୟମିତ ପତ୍ରିକା। ପ୍ରତି ତିନିମାସରେ ଥରେ କୌଣସି ନିର୍ଦ୍ଦିଷ୍ଟ ବିଷୟକୁ ନେଇ ‘କାଦମ୍ବିନୀ’ ଏକ ସ୍ତତନ୍ତ୍ର ସଂଖ୍ୟା ପ୍ରକାଶ କରିବାର ପ୍ରଥା ଅନୁସରଣ କରୁଥିଲେ ହେଁ ଏବର୍ଷ ପ୍ରଚ୍ଛଦପଟରେ କେବଳ ‘ପୂଜାସଂଖ୍ୟା’ ବୋଲି ଲେଖାଥିବା ଛଡ଼ା ଏହା ଏକ ପାର୍ବଣ ବିଶେଷାଙ୍କ ହୋଇଥିବାର କୌଣସି ବିଶେଷ ଲକ୍ଷଣ ଏଥିରେ ଦେଖାଗଲା ନାହିଁ। ବରଂ ଉଲ୍ଲାସମୟ ପାର୍ବଣ ଅବସରରେ ଓଡ଼ିଶାବାସୀଙ୍କ ସାମନାରେ ପତ୍ରିକାଟି ଦୁର୍ଭିକ୍ଷର କରୁଣ ଚିତ୍ର ଓ ଦୁଃଖଦ ଇତିହାସ ପରିବେଷଣ କରି କେତେକ ପାଠକଙ୍କୁ ବିସ୍ମିତ କରିଥାଇପାରେ। ତେବେ ଆଶ୍ୱାସନାର କଥା ଯେ ଏହି ସଂଖ୍ୟାରେ ଶକ୍ତି ପୂଜା ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିରରେ ଶକ୍ତିପୂଜା ଉପରେ ଆଧାରିତ ଗୋଟିଏ ଆଲେଖ୍ୟ ପ୍ରକାଶ ପାଇଛି। ‘ପୌରୁଷ’ର ଅକ୍ଟୋବର ସଂଖ୍ୟା ମଧ୍ୟ ଏକ ସାଧାରଣ ମାସିକ ସଂଖ୍ୟାର କଳେବର ନେଇ ପ୍ରକାଶ ପାଇଥିଲେ ହେଁ ପୂଜା ଅବସରକୁ ଦୃଷ୍ଟିରେ ରଖି ଏଥିରେ ଶ୍ରୀମନ୍ଦିରରେ ଶକ୍ତି ଉପାସନା ଉପରେ ଆଧାରିତ ଏକ ପ୍ରବନ୍ଧ ଓ ମାଆ ଜଗଦ୍ଧାତ୍ରୀଙ୍କ ଆବାହନ ପ୍ରସଙ୍ଗ ସ୍ଥାନିତ ହୋଇଛି। ‘ରେବତୀ’ ପତ୍ରିକା ମଧ୍ୟ ସେହିଭଳି ଅକ୍ଟୋବର ସଂଖ୍ୟା ଭାବରେ ପ୍ରକାଶ ପାଇଛି। ଅବଶ୍ୟ ପ୍ରଚ୍ଛଦପଟରେ ଏହା ପୂଜା ବିଶେଷାଙ୍କ କି ନୁହଁ ସେ ବିଷୟରେ କୌଣସି ସୂଚନା ନଥିବା ବେଳେ, ଏଥିରେ ‘ମାତୃଶକ୍ତିର ଆରାଧନା’ ଓ ‘ଶକ୍ତିମୟୀ ସପ୍ତମାତା’ ବିଷୟକ ରଚନା ସ୍ଥାନ ପାଇଛି। ସେହିପରି ‘ସାହିତ୍ୟ ଚର୍ଚ୍ଚା’ ମଧ୍ୟ ସାଧାରଣ ଅକ୍ଟୋବର ସଂଖ୍ୟା ଭାବରେ ହିଁ ପ୍ରକାଶ ପାଇଛି। ଅବଶ୍ୟ ଏହାର ସମ୍ପାଦକୀୟ ଓ ଗୋଟିଏ ପ୍ରବନ୍ଧରେ ଶକ୍ତି ତତ୍ତ୍ୱ ବିଷୟ ଆଲୋଚିତ ହୋଇଛି।
ପୂଜା ସଂଖ୍ୟାରେ ଦେବୀତତ୍ତ୍ୱ
ପୂଜା ସଂଖ୍ୟାରେ ଶ୍ରୀଦୁର୍ଗାଙ୍କ ଶକ୍ତି ତତ୍ତ୍ୱ ସଂପର୍କିତ ପ୍ରବନ୍ଧ ଯେ ନିଶ୍ଚିତ ଭାବରେ ପ୍ରକାଶ ପାଇବ ସେମିତି କିଛି ବିଧିବଦ୍ଧ ଧାରା ନାହିଁ। ତେବେ ବଙ୍ଗଳା ପତ୍ରିକାମାନଙ୍କ ଅନୁକରଣ କରି ‘ଆସନ୍ତାକାଲି’ ଜରିଆରେ ପୂଜା ବିଶେଷାଙ୍କ ଯେତେବେଳେ ଓଡ଼ିଶାରେ ପ୍ରଥମେ ପ୍ରବେଶ କଲା ସେତେବେଳେ ଦେବୀ ଆରାଧନା ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପ୍ରବନ୍ଧମାନ ସେମାନଙ୍କର ପରିଚୟର ଏକ ଅଂଶବିଶେଷ ଥିଲା। ଅବଶ୍ୟ ଏବେ ଅନେକ ପତ୍ରିକାର ପୂଜା ସଂଖ୍ୟାରେ ଏହି ପରମ୍ପରାର ବ୍ୟତିକ୍ରମ ଘଟିଛି। ଆଜିର ସ୍ଥିତିକୁ ଦେଖିଲେ ପୂଜା ପ୍ରସଙ୍ଗ ନୁହେଁ, ବରଂ ଏକ ସୁଚୟନିତ ସମକାଳୀନ ସାହିତ୍ୟର ସମ୍ଭାର ହିଁ ପୂଜାସଂଖ୍ୟାଗୁଡ଼ିକୁ ବିଶେଷତ୍ୱ ପ୍ରଦାନ କରେ।
ଏହି ପ୍ରସଙ୍ଗରେ ଆଉ ଗୋଟିଏ ଦିଗ ମଧ୍ୟ ଲକ୍ଷ୍ୟ କରିବାର କଥା ଯେ ପୂର୍ବେ ଶାରଦୀୟ ପାର୍ବଣ ଅବସରରେ ପ୍ରକାଶ ପାଉଥିବା ସ୍ୱତନ୍ତ୍ର ସଂଖ୍ୟାଗୁଡ଼ିକୁ ‘ପୂଜା ସଂଖ୍ୟା’ ବା ‘ପୂଜା ବିଶେଷାଙ୍କ’ ଭାବରେ ନାମିତ କରାଯାଉଥିବା ସ୍ଥଳେ ଏହା ଆଉ ଏକ ପରିବର୍ଦ୍ଧିତ ରୂପ ନେଇ ଗୋଟିଏ ଜୁମ୍ବୋ ଆକାରର ବିଶେଷାଙ୍କ ଭାବରେ ମଧ୍ୟ ଦେଖାଦେଲାଣି, ଯାହାକୁ ‘ମହାପୂଜା ବିଶେଷାଙ୍କ’ ବୋଲି କୁହାଯାଉଛି। ଏଥିରେ ଅଗ୍ରଣୀ ଭୂମିକା ନେଇଛନ୍ତି ‘ପକ୍ଷୀଘର’ ଓ ‘ବର୍ତ୍ତିକା’। ଏହି ପତ୍ରିକାଗୁଡ଼ିକରେ କିଛି ସଂଖ୍ୟକ ଉପନ୍ୟାସ ଓ ଦୀର୍ଘ ରଚନା ଅନ୍ତର୍ଭୁକ୍ତ ହୋଇଥିବା କାରଣରୁ ଏଗୁଡ଼ିକର କଳେବର ବଢ଼ିବା ସ୍ୱାଭାବିକ। ଏବର୍ଷ ‘ବର୍ତ୍ତିକା’ ୧୬୨୪ ପୃଷ୍ଠା ବିଶିଷ୍ଟ ହୋଇଥିବା ସ୍ଥଳେ, ‘ପକ୍ଷୀଘର’ର ପୃଷ୍ଠା ସଂଖ୍ୟା ହୋଇଛି ୫୫୦। ତେବେ ଏ ଦୁଇଟି ପତ୍ରିକା ବର୍ଷକରେ ମୁଖ୍ୟତଃ ଥରେ ହିଁ ପାଠକଙ୍କ ସମକ୍ଷରେ ଉପସ୍ଥିତ ହୋଇଥାଆନ୍ତି। ଅବଶ୍ୟ ‘ବର୍ତ୍ତିକା’ ହେଉଛି ଏକ ତ୍ରୈମାସିକ ପତ୍ରିକା।
ବର୍ଷକୁ ଥରେ ମାତ୍ର, ଶାରଦୀୟ ପାର୍ବଣ ଋତୁରେ ଉଚ୍ଚମାନର ରଚନା ସମ୍ଭାର ନେଇ ପ୍ରକାଶ ପାଉଥିଲେ ହେଁ ‘ସମ୍ବାଦ’ର ସ୍ୱତନ୍ତ୍ର ସଂଖ୍ୟା ନିଜକୁ ପୂଜା ସଂଖ୍ୟା ବୋଲି ନ କହି କେବଳ ବାର୍ଷିକ ସଂଖ୍ୟା ବୋଲି ପରିଚିତ ହେବାକୁ ପସନ୍ଦ କରିଛି। ଏହା ମଧ୍ୟ ଲକ୍ଷ୍ୟ କରିବାର କଥା ଯେ ଏଥିରେ ଦେବୀ ଦୁର୍ଗା ବା ଶକ୍ତି ତତ୍ତ୍ୱ ଆଧାରିତ ଗୋଟିଏ ହେଲେ ରଚନା ନାହିଁ। ତଥାପି ଏହା ଏବର୍ଷର ପୂଜା ପତ୍ରିକା ବଜାରରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପତ୍ରିକା (ବିଶେଷାଙ୍କ) ଭାବରେ ଖ୍ୟାତି ଅର୍ଜନ କରିପାରିଛି।
ଅଳଙ୍କରଣ
ପ୍ରଚ୍ଛଦପଟ, ପରିପାଟୀ ଓ ମୁଦ୍ରଣର ପରିଚ୍ଛନ୍ନତା ଦୃଷ୍ଟିରୁ ମଧ୍ୟ ଓଡ଼ିଆ ପୂଜା ପତ୍ରିକାମାନେ ଏକ ସ୍ୱତନ୍ତ୍ର ପରିଚୟର ଅଧିକାରୀ। ଏଥର ବିଭିନ୍ନ ପତ୍ରିକାମାନେ ନିଜ ପ୍ରଚ୍ଛଦପଟର ଚିତ୍ରାୟନରେ ଏକୁଁ ଆରେକ ବଳି ଯାଇଛନ୍ତି। ଅଧିକାଂଶ ପତ୍ରିକାରେ ମାଆ ଦୁର୍ଗାଙ୍କର ବିବିଧ ରୂପ ରୂପାୟିତ ହୋଇଛି। କେତେକ ପ୍ରଚ୍ଛଦପଟରେ ତାଙ୍କର ବାସ୍ତବବାଦୀ ରୂପ ସ୍ଥାନ ପାଇଛି ତ, କେତେକରେ ଅଛି ତାଙ୍କର ସାଂକେତିକ ରୂପ। ଏ ଦୃଷ୍ଟିରୁ ‘ପକ୍ଷୀଘର’, ‘ଗୋକର୍ଣ୍ଣିକା’, ‘ନବଲିପି’, ‘ସାହିତ୍ୟ ଚର୍ଚ୍ଚା’ ଓ ‘କଥାକଳିକା’ର ପ୍ରଚ୍ଛଦପଟ ବିଶେଷ ଭାବରେ ଉଲ୍ଲେଖନୀୟ। ‘ପକ୍ଷୀଘର’ର ପ୍ରଚ୍ଛଦପଟରେ ଶକ୍ତିଙ୍କୁ ଏକ ମାନବୀ ରୂପରେ ଉପସ୍ଥାପନା କରାଯାଇଛି, ଯାହା ବିଶେଷ ମନଛୁଆଁ ହୋଇପାରିଛି।
ପ୍ରଚ୍ଛଦପଟ ବ୍ୟତୀତ, ଆଭ୍ୟନ୍ତରୀଣ ପୃଷ୍ଠା ସଜ୍ଜା, ଅକ୍ଷରଗତ ତ୍ରୁଟିଶୂନ୍ୟତା ଓ ସେଥିରେ ବ୍ୟବହୃତ କାଗଜର ମାନ ମଧ୍ୟ କେତେକ ପୂଜା ପତ୍ରିକାର ପରିପାଟୀକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏ ଦୃଷ୍ଟିରୁ ସର୍ବୋଚ୍ଚ ସ୍ଥାନରେ ଅଛି ଏ ବର୍ଷର ‘ପକ୍ଷୀଘର’। ଏକ ପରିଚ୍ଛନ୍ନ, ସୁଦୃଶ୍ୟ ଓ ସଂଗ୍ରହଣୀୟ ପୂଜା ପତ୍ରିକା ଭାବରେ ଏହା ପାଠକମାନଙ୍କ ମଧ୍ୟରେ ଆଦୃତି ଲାଭ କରିଛି।
ଗତବର୍ଷ କିଛି ସଂଖ୍ୟକ ପୂଜା ପତ୍ରିକାରେ ମାତ୍ରାଧିକ ମୁଦ୍ରାପ୍ରମାଦ ପାଠକମାନଙ୍କର ଦୃଷ୍ଟିକୁ ଆସିଥିଲା। କିନ୍ତୁ ଏ ବର୍ଷ ଏହି ପରିସ୍ଥିତିରେ ବେଶ୍ ସୁଧାର ଆସିଥିବା ଭଳି ମନେହୁଏ।
ସ୍ୱନାମଧନ୍ୟ ଲେଖକ ଡ଼. ଜଗନ୍ନାଥ ପ୍ରସାଦ ଦାସ ୫ ନଭେମ୍ବର, ୨୦୨୩ ତାରିଖରେ ତାଙ୍କର ଏକ ଫେସବୁକ୍ ପୋଷ୍ଟରେ ଏବିଷୟରେ ନିମ୍ନୋକ୍ତ ମତ ଦେଇଛନ୍ତି:
“କିଛି ସ୍ୱଘୋଷିତ ବଡ଼ପଣ୍ଡାଗଣ ଅନବରତ ଭାବରେ ଅଭିଯୋଗ କରନ୍ତି ଯେ, ଆମ ଭାଷା ଦିନକୁ ଦିନ ରସାତଳଗାମୀ ହେଉଛି; ଏବଂ ଏହା ବିଦେଶୀ ଶବ୍ଦମାନଙ୍କର ବହୁଳ ଅନୁପ୍ରବେଶ, ବନାନଗତ ତ୍ରୁଟି ଓ ଅନୁପଯୁକ୍ତ ଶବ୍ଦ-ପ୍ରୟୋଗ ଦ୍ୱାରା ଆକ୍ରାନ୍ତ। ମୁଁ ସେମାନଙ୍କୁ କହିବି ଯେ (ଏ ବର୍ଷର) ଓଡ଼ିଆ ସାହିତ୍ୟ ପତ୍ରିକାମାନଙ୍କର ସ୍ୱତନ୍ତ୍ର ପୂଜାସଂଖ୍ୟା ଟିକିଏ ଦେଖନ୍ତୁ। କିଛିବର୍ଷ ହେଲା ଏମାନଙ୍କର ସଂଖ୍ୟା, ଆକାର ଓ ମୁଦ୍ରଣ ପରିପାଟୀରେ ତ ଉନ୍ନତି ଘଟିଛି, ତା’ ସହିତ ଲେଖା ଗୁଡ଼ିକରେ ମଧ୍ୟ ଉତ୍କୃଷ୍ଟତା, ଭାଷାଗତ ଶୁଦ୍ଧତା ଓ ତ୍ରୁଟିହୀନତା ପରିଲକ୍ଷିତ ହେଉଛି।” (ମୂଳ ଇଂରାଜୀ ଲେଖାର ଓଡ଼ିଆ ଅନୁବାଦ।)
ତେବେ ତାହା ସତ୍ତ୍ୱେ, ମୁଦ୍ରାପ୍ରମାଦ ଦୃଷ୍ଟିରୁ ବିଚାର କଲେ ଏବର୍ଷର କେତୋଟି ପୂଜା ପତ୍ରିକା ଆମକୁ ନିରାଶ କରିଛି। ଯେପରିକି ଏଥର ‘ଝଙ୍କାର’ରେ ପ୍ରକାଶିତ କେତୋଟି ପ୍ରବନ୍ଧରେ ପେଜମେକରରେ ଟାଇପ୍ ହୋଇଥିବା ଇଂରାଜୀ ଉଦ୍ଧୃତିଗୁଡ଼ିକୁ ଓଡ଼ିଆ ଲିପିରେ ପରିବର୍ତ୍ତିତ କରାଯାଇନଥିବାରୁ ସେଗୁଡ଼ିକ କିମ୍ଭୂତକିମାକାର ରୂପରେ ପ୍ରକାଶ ପାଇଛି।
ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ‘ବର୍ତ୍ତିକା’ ସବୁଠାରୁ ପୃଥୁଳକାୟ ପତ୍ରିକା (୧୬୨୪ ପୃଷ୍ଠା ବିଶିଷ୍ଟ) ହୋଇଥିବା ସତ୍ତ୍ୱେ ନିଜର କପିପିଛା ମୂଲ୍ୟ ମାତ୍ର ୫୦ ଟଙ୍କା ରଖି ସମସ୍ତଙ୍କୁ ଚକିତ କରିଛି। ଏଭଳି ଲୋଭନୀୟ ଦାମ୍ ସତ୍ତ୍ୱେ ଭୁବନେଶ୍ୱର ପତ୍ରିକା ବଜାରରେ ଏହାର ବିକ୍ରି ସଂଖ୍ୟା ପ୍ରଥମରେ ନ ରହି, ଦ୍ୱିତୀୟ ସ୍ଥାନରେ ରହିଛି। ସର୍ବାଧିକ ବିକ୍ରିତ ପତ୍ରିକାର ଶ୍ରେୟ ପାଇଛି ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ, ଯାହାର ପୃଷ୍ଠା ସଂଖ୍ୟା ୨୭୪, ଏବଂ କପି ପିଛା ମୂଲ୍ୟ ୭୫ ଟଙ୍କା। ଏଥିରୁ ଯାହା ଜଣାପଡ଼େ, ଓଡ଼ିଆ ପତ୍ରିକାର ଗ୍ରାହକମାନେ ପୂଜା ପତ୍ରିକା ବାଛିବାବେଳେ ତାହାର ମୂଲ୍ୟ ପ୍ରତି ଅଧିକ ସମ୍ବେଦନଶୀଳ ନହୋଇ ବରଂ ତାହାର ଅନ୍ୟାନ୍ୟ ଦିଗଗୁଡ଼ିକୁ ପ୍ରାଧାନ୍ୟ ଦେଇଥାଆନ୍ତି। ଯଦି ପତ୍ରିକାର ଦାମ୍ ତାହାର ବିକ୍ରୀ ସଂଖ୍ୟାର ଏକମାତ୍ର ନିୟାମକ ହୋଇଥାଆନ୍ତା, ତେବେ ତ ‘ଉତ୍କଳ ପ୍ରସଙ୍ଗ’ (ମୂଲ୍ୟ: ପାଞ୍ଚ ଟଙ୍କା ମାତ୍ର) ଏବର୍ଷ ପାର୍ବଣ ଋତୁର ସର୍ବାଧିକ ବିକ୍ରୀ ହୋଇଥିବା ପତ୍ରିକାର ସ୍ଥାନ ଅଧିକାର କରିଥାଆନ୍ତା।
ରଚନା ସମ୍ଭାର
ଏବେ ଏବର୍ଷର ପୂଜା ପତ୍ରିକାଗୁଡ଼ିକର ରଚନା ସମ୍ଭାରଗୁଡ଼ିକ ପ୍ରତି ମଧ୍ୟ ଦୃଷ୍ଟିପାତ କରାଯାଉ। କୁହାଯାଏ, ଓଡ଼ିଆ ପାଠକମାନେ କଳ୍ପନା ଆଧାରିତ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ। ଏହି କାରଣରୁ କଥାସାହିତ୍ୟକୁ ଆମର ପତ୍ରିକାମାନଙ୍କରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଏହାର ସୂଚକ ହେଲା ଯେ, ଏ ବର୍ଷ ‘କଥା’ ଏକ ପାର୍ବଣ ବିଶେଷାଙ୍କ ଭାବରେ ପ୍ରକାଶ ନ ପାଇଥିଲେ ସୁଦ୍ଧା ବହୁଳ ଭାବରେ ବିକ୍ରି ହୋଇଥିବା ସଂଖ୍ୟା ଭାବରେ ସମ୍ବାଦର ବାର୍ଷିକ ବିଶେଷାଙ୍କ ଓ ‘ବର୍ତ୍ତିକା’ ପଛକୁ ତୃତୀୟ ସ୍ଥାନରେ ରହିଛି। ଏଥରର ଅକ୍ଟୋବର ସଂଖ୍ୟାଟି ନବପ୍ରତିଭା ବିଶେଷାଙ୍କ ଭାବରେ ପ୍ରକାଶ କରି ଏଥିରେ ୧୦ ଜଣ ଉଦୀୟମାନ ଗାଳ୍ପିକଙ୍କ ଗଳ୍ପ ତଥା ଜଣେ ଯୁବଗାଳ୍ପିକଙ୍କ ଉପନ୍ୟାସିକା ପ୍ରକାଶ କରିଛି ଏହି ପତ୍ରିକା। ସେହିପରି ‘ଶୋଭନା’ରେ ମଧ୍ୟ ଅଛି ୬୬ଟି ଗଳ୍ପ। ପତ୍ରିକାର ଏହି ସଂଖ୍ୟାରେ ଗଳ୍ପ ଭିନ୍ନ ଅନ୍ୟ କିଛି ରଚନା ପ୍ରକାଶ ପାଇନାହିଁ। ‘କଥାକଳିକା’ ମଧ୍ୟ ନିଜର ପରମ୍ପରା ବଜାୟ ରଖି କେବଳ ଗଳ୍ପମାନଙ୍କୁ ନେଇ ବିଶେଷାଙ୍କ ପ୍ରସ୍ତୁତ କରିଛି। ଏହା ବ୍ୟତୀତ ଏଥର ପ୍ରକାଶିତ ଅନ୍ୟ ପ୍ରାୟ ସମସ୍ତ ପତ୍ରିକାରେ ମଧ୍ୟ କଥା ସାହିତ୍ୟ ପ୍ରାଧାନ୍ୟ ଲାଭ କରିଛି।
ଏଥରର ପୂଜା ପତ୍ରିକାର କଥାସାହିତ୍ୟ ସମ୍ଭାରରେ ପ୍ରତିଷ୍ଠିତ ଲେଖକମାନଙ୍କର ରଚନା ଯଥାଯୋଗ୍ୟ ସ୍ଥାନ ପାଇଥିଲେ ହେଁ ନବୀନ ଲେଖକମାନେ ମଧ୍ୟ ଅବହେଳିତ ହୋଇନାହାନ୍ତି। ପ୍ରବୀଣ ଲେଖକମାନଙ୍କ ଦ୍ୱାରା ରଚିତ କେତେକ ଉଲ୍ଲେଖନୀୟ ଗଳ୍ପ ହେଲା, ବିଭୁତି ପଟ୍ଟନାୟକଙ୍କ ‘ପାଉଁଶ ତଳର ନିଆଁ’ (ଶୋଭନା), ପ୍ରତିଭା ରାୟଙ୍କ ‘ଅବିଶ୍ୱାସର ରାତି’ (ଝଙ୍କାର), ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଭବିଷ୍ୟତର ନୋବେଲ୍ (ଅମୃତାୟନ), ଦାଶ ବେନହୁରଙ୍କ ‘କିଡନି ଡୋନର’ (ଶୋଭନା), ବନଜ ଦେବୀଙ୍କର ‘ଅକୁହା କଥା’ (ପକ୍ଷୀଘର), ବିଭୂତି ପଟ୍ଟନାୟକଙ୍କ ‘ପାଗ ପରିବର୍ତ୍ତନ’ (ବର୍ତ୍ତିକା), ତରୁଣକାନ୍ତି ମିଶ୍ରଙ୍କ ‘ନ ଦେଖିଥିବା ଦିନ’ (ରେବତୀ) ଓ ବିଜୟ ନାୟକଙ୍କ ‘ଆଉ ଫେରିବି ନାହିଁ (ଗୋକର୍ଣିକା) ପ୍ରଭୃତି। ଏହିଭଳି ଅନେକ ସୁବିଦିତ ଲେଖକମାନଙ୍କର ବହୁ ସଂଖ୍ୟକ ଗଳ୍ପରଚନାରେ ଭରପୁର ଏ ବର୍ଷର ପୂଜା ପତ୍ରିକା। ସମସ୍ତ ପତ୍ରିକାଙ୍କୁ ଦୃଷ୍ଟିରେ ରଖି ବିଚାର କଲେ, ସେମାନଙ୍କ ମଧ୍ୟରୁ କେହି କେହି ଏବର୍ଷର ପାର୍ବଣ ଋତୁରେ ମାତ୍ର ଗୋଟିଏ ବା ଦୁଇଟି ଗଳ୍ପ ଲେଖିଥିବା ବେଳେ, ଆଉ କେହି କେହି ଏପରିକି ଦଶରୁ ପନ୍ଦରଟି ପର୍ଯ୍ୟନ୍ତ ଗଳ୍ପ ମଧ୍ୟ ଲେଖିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ, ଏମାନଙ୍କ ଦ୍ୱାରା ପତ୍ରିକା ମାନଙ୍କୁ ପଠାଯାଇଥିବା ଏହି ସମସ୍ତ ଗଳ୍ପ ଏଥରର ପୂଜାସଂଖ୍ୟାମାନଙ୍କ ପାଇଁ ସେମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ରଚିତ ନୂତନ ବା ମୌଳିକ ଗଳ୍ପ କି? ଏଭଳି ମଧ୍ୟ ସମ୍ଭାବନା ଥାଇପାରେ ଯେ ଏହି ପ୍ରବୀଣ ଗାଳ୍ପିକମାନଙ୍କ ମଧ୍ୟରୁ କେତେକେ ସେମାନଙ୍କର ପୂର୍ବ-ପ୍ରକାଶିତ କେତୋଟି ଗଳ୍ପକୁ ପୁନଃ ପ୍ରକାଶିତ କରାଇଛନ୍ତି। ବର୍ଷ ତମାମ ନିରବ ରହି ହଠାତ୍ କେବଳ ପୂଜା ଅବସରରେ ହିଁ ଯେତେବେଳେ ପତ୍ରିକା ସମ୍ପାଦକମାନେ ବିଶେଷାଙ୍କ ପ୍ରକାଶ କରିବାପାଇଁ ତତ୍ପର ହୋଇଉଠନ୍ତି, ସେତେବେଳେ ସ୍ୱାଭାବିକତଃ ଲେଖକମାନେ ନିଜର ନୂଆ ଗଳ୍ପ ରଚନା କରି ସେମାନଙ୍କର ଚାହିଦା ପୂରଣ କରିବା ସମ୍ଭବ ହୋଇନଥାଏ। ଏଣୁ କେତେକ ଲେଖାର ପୁନଃପ୍ରକାଶନର ସମ୍ଭାବନା ସୃଷ୍ଟି ହୋଇଥାଏ।
ଏ ବର୍ଷ ପୂଜା ପତ୍ରିକାମାନଙ୍କରେ ସ୍ଥାନ ପାଇଥିବା ନବୀନ ଓ ଯୁବଲେଖକମାନଙ୍କର କେତୋଟି ଗଳ୍ପ ହେଲା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସଙ୍କ ‘ଧଉଳି ଏକ୍ସପ୍ରେସ୍’ (ପକ୍ଷୀଘର), ଆନନ୍ଦ କୁମାର ମାଇତିଙ୍କର ‘ବେରଙ୍ଗି ପୁରୁଷ’ (ଶୋଭନା), ଆରତୀ ସାହୁଙ୍କ ‘ଲୁଗାକାନି’ (ସାହିତ୍ୟ ଚର୍ଚ୍ଚା), ଜିନତମାମ ଦର୍ଜୀଙ୍କ ‘ପରିଚିତ ଯୋଦ୍ଧା ମାନେ’ (କଥା) ଓ ପ୍ରଭାତ ସିନ୍ହାଙ୍କ ‘ମହୁଫାଶ’ (ବର୍ତ୍ତିକା) ଇତ୍ୟାଦି। ଏବର୍ଷ ଏତେ ବହୁ ସଂଖ୍ୟକ ନବାଗତ ଲେଖକ ଓଡ଼ିଆ ପୂଜା ପତ୍ରିକାମାନଙ୍କର ପୃଷ୍ଠା ମଣ୍ଡନ କରିଛନ୍ତି ଯେ ଏହା ଓଡ଼ିଆ କଥାସାହିତ୍ୟକୁ ଏକ ନୂଆ ଦିଗ ଦେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବୋଲି ନିଃସନ୍ଦେହରେ କୁହାଯାଇପାରେ।
କଥାସାହିତ୍ୟର ଏକ ବଳିଷ୍ଠ ବିଭାଗ ହେଲା ଉପନ୍ୟାସ ବା ଉପନ୍ୟାସିକା। ଏବର୍ଷ ବେଶ୍ କିଛି ଉପନ୍ୟାସ ପୂଜା ପତ୍ରିକା ଜରିଆରେ ଲୋକଲୋଚନକୁ ଆସିଛନ୍ତି। ବିଶେଷତଃ ଯେଉଁ ପତ୍ରିକାମାନେ ପୃଥୁଳକାୟ କଳେବର ନେଇ ‘ମହାପୂଜା ବିଶେଷାଙ୍କ’ ଭାବରେ ଆତ୍ମପ୍ରକାଶ କରିଛନ୍ତି ସେମାନେ ଏଭଳି ଉପନ୍ୟାସ ବା ଉପନ୍ୟାସିକାମାନଙ୍କୁ ନିଜ ପୃଷ୍ଠାରେ ସ୍ଥାନ ଦେଇଛନ୍ତି। ଏ ବର୍ଷ ଏହି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିବା ଉପନ୍ୟାସମାନଙ୍କ ମଧ୍ୟରେ ଅଛନ୍ତି, ଅଜୟ ସ୍ୱାଇଁଙ୍କ ‘ଚିତ୍ରବାଘ’ (ପକ୍ଷୀଘର), ଶ୍ରୀପ୍ରସାଦ ମହାନ୍ତିଙ୍କ ‘ଫଣାଧରର ଫୁତ୍କାର’ (ବର୍ତ୍ତିକା), ନିଖିଳାନନ୍ଦ ପାଣିଗ୍ରାହୀଙ୍କ ‘ଯାତନା’ (ବର୍ତ୍ତିକା), ବିଭୁତି ପଟ୍ଟନାୟକଙ୍କ ‘ଶୀତ ବସନ୍ତର ବର୍ଣ୍ଣମାଳା’ (ପକ୍ଷୀଘର) ଓ ଏଭଳି ଆହୁରି କେତେକ ଉଲ୍ଲେଖନୀୟ କୃତି।
କବିତା ବିଭାଗ
କବିତା ବିଭାଗ ପ୍ରତିବର୍ଷ ଭଳି ଏଥର ମଧ୍ୟ ଓଡ଼ିଆ ପୂଜାପତ୍ରିକା ଗୁଡ଼ିକୁ ବିଶେଷ ଭାବରେ ସମୃଦ୍ଧ କରିଛି। ଅବଶ୍ୟ ଏଥର ପ୍ରକାଶିତ ହୋଇଥିବା କବିତାମାନଙ୍କ ମଧ୍ୟରେ ଅନେକ ଉଚ୍ଚକୋଟୀର ହୋଇଥିବାବେଳେ କିଛି ପତ୍ରିକାରେ କେତେକ ପ୍ରକାଶନ-ଅଯୋଗ୍ୟ କବିତା ମଧ୍ୟ ପୃଷ୍ଠା ମଣ୍ଡନ କରିଥିବା ଦେଖାଯାଇଛି। ବିଶେଷତଃ କେତେକ ନବାଗତ କବି ପୂର୍ବରୁ ଫେସବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ସେମାନେ ପୋଷ୍ଟ କରିଥିବା କବିତାକୁ ପୁନଶ୍ଚ ମୁଦ୍ରିତ ପତ୍ରିକାମାନଙ୍କର ପୂଜାସଂଖ୍ୟାକୁ ପ୍ରକାଶନାର୍ଥେ ପଠାଇବାକୁ ସଂକୋଚ କରିନାହାନ୍ତି।
ତେବେ ଏ ବର୍ଷ ପୂଜା ସଂଖ୍ୟାରେ ପାଠକମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିପାରିଥିବା କେତୋଟି କବିତା ହେଲା, ହରିହର ମିଶ୍ରଙ୍କ ‘ପତାକା ଦର୍ଶନ’ (ସତ୍ୟବାଦୀ), ସୁଶୀଲ କୁମାର ପାଣିଗ୍ରାହୀଙ୍କ ‘କରୋନା ଅକାଳ’ (ଦିଗବଳୟ), ହରପ୍ରସାଦ ଦାସଙ୍କ ‘ବାହାନଗାର କବିତା’ (ଝଙ୍କାର), ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ‘ଶାମୁକାର ଦୁଃଖ’ (ପକ୍ଷୀଘର), ଓ ମମତା ଦାଶଙ୍କ ‘ପ୍ରଶ୍ନ’ (ଗୋକର୍ଣିକା)। ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ପାଠକଙ୍କ ମନକୁ ଛୁଇଁବା ଭଳି ଏତେ ବହୁ ସଂଖ୍ୟକ କବିତା ଏଥର ପୂଜା ସଂଖ୍ୟା ଗୁଡ଼ିକରେ ପ୍ରକାଶ ଲାଭ କରିଛନ୍ତି ଯେ ଏହି ପ୍ରବନ୍ଧର ସୀମିତ କଳେବର ଭିତରେ ସେ ସମସ୍ତର ନାମୋଲ୍ଲେଖ ସମ୍ଭବ ନୁହେଁ।
ପ୍ରବନ୍ଧ ସାହିତ୍ୟ
ଓଡ଼ିଆ ସାହିତ୍ୟର ପାଠକମାନଙ୍କର କଥାସାହିତ୍ୟ ପ୍ରତି ଅଧିକ ଆଗ୍ରହ ଥିଲେ ମଧ୍ୟ ପ୍ରବନ୍ଧସାହିତ୍ୟ ମଧ୍ୟ ସେମାନଙ୍କ ପଠନରୁଚିର ବିଶେଷ ଚାହିଦା ମେଣ୍ଟାଇଥାଏ। ସେ ଦୃଷ୍ଟିରୁ ‘କଥା’, ‘କଥାକଳିକା’ ଓ ‘ଶୋଭନା’ ଭଳି କେତେକ କଥାସାହିତ୍ୟ ଆଧାରିତ ପତ୍ରିକାକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରବନ୍ଧକୁ ଯଥାଯୋଗ୍ୟ ମହତ୍ତ୍ୱ ପ୍ରଦାନ କରିଛନ୍ତି। ପ୍ରବନ୍ଧର ସଂଖ୍ୟା ଓ ମାନ ଦୃଷ୍ଟିରୁ ବିଚାର କଲେ ‘ସତ୍ୟବାଦୀ’ ଏ କ୍ଷେତ୍ରରେ ଆଗୁଆ ଅଛି। ଏ ବର୍ଷର ଶାରଦୀୟ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିବା କେତେକ ପ୍ରଣିଧାନ ଯୋଗ୍ୟ ପ୍ରବନ୍ଧ ହେଲା, ଗିରିବାଳା ମହାନ୍ତିଙ୍କ ‘ସମକାଳର ଓଡ଼ିଆ କବିତା’ (ପକ୍ଷୀଘର), ସଦାନନ୍ଦ ନାୟକଙ୍କ ‘ଓଡ଼ିଆ ମେଳା ସାହିତ୍ୟ ଓ ଅନାଲୋଚିତ ଅନନ୍ୟ ମେଳା ସଂସ୍କୃତି’ (ସତ୍ୟବାଦୀ), ରମାକାନ୍ତ ନାୟକଙ୍କ ‘ଓଡ଼ିଆ ସାହିତ୍ୟରେ ଶକ୍ତି ଉପାସନା’ (ସାହିତ୍ୟ ଚର୍ଚ୍ଚା), ନିତ୍ୟାନନ୍ଦ ପଣ୍ଡାଙ୍କର ‘ଆଖିକୁ ଦିଶୁନଥିବା ବିଜ୍ଞାନ’ (ଝଙ୍କାର), ବାବାଜୀ ଚରଣ ପଟ୍ଟନାୟକଙ୍କ ‘ମିଥ୍ ଓ ଓଡ଼ିଆ କବିତା’ (ଗୋକର୍ଣିକା) ଓ ମନୋରଞ୍ଜନ ମହାନ୍ତିଙ୍କ ଆମ ଭାଷା, ଆମ ସାହିତ୍ୟ (ବର୍ତ୍ତିକା), ନେତାଜୀ ଅଭିନନ୍ଦନଙ୍କ ‘ଦୁର୍ଭିକ୍ଷ ଓଡ଼ିଶା: ରାଜନୈତିକ ଭାବଚିତ୍ର’ (କାଦମ୍ବିନୀ), ଓ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ‘ତନ୍ତ୍ର ପରମ୍ପରାରେ ବିରଜା’ (ଅମୃତାୟନ)। ତେବେ କେତେକ ପତ୍ରିକା ପ୍ରବନ୍ଧସାହିତ୍ୟକୁ ‘ଫିଚର’ ଭାବରେ ଶ୍ରେଣୀଭୁକ୍ତ କରିଛନ୍ତି, ଯେପରି, ‘ପକ୍ଷୀଘର’ର ସୂଚୀପତ୍ରରେ ପ୍ରବନ୍ଧ ବିଭାଗ ମୋଟେ ନାହିଁ। ତାହା ପରିବର୍ତ୍ତେ ପ୍ରବନ୍ଧ ପର୍ଯ୍ୟାୟର ଲେଖାଗୁଡ଼ିକୁ ଏହି ପତ୍ରିକାରେ ‘ଫିଚର’ ବର୍ଗରେ ରଖାଯାଇଛି।
ଏହି ସମସ୍ତ ବିଭାଗର ଲେଖାମାନଙ୍କ ବ୍ୟତୀତ ସବୁ ବର୍ଷ ଭଳି ରମ୍ୟରଚନା, ବ୍ୟଙ୍ଗ, ଏକାଙ୍କିକା ଓ ଜୀବନୀ ଭଳି ବିଭାଗମାନଙ୍କର ରଚନା ମଧ୍ୟ ଏଥରର ପୂଜା ପତ୍ରିକାମାନଙ୍କୁ ସମୃଦ୍ଧ କରିଛି। ମୋଟାମୋଟି କହିବାକୁ ଗଲେ ସବୁ ଶ୍ରେଣୀର ପାଠକଙ୍କ ରୁଚିକୁ ଦୃଷ୍ଟିରେ ରଖି ରୂପାୟିତ ହୋଇଛି ଏଥରର ଅନେକ ପୂଜା ପତ୍ରିକା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର,୨୦୨୩ ସଂଖ୍ୟାରେ ପ୍ରକାଶିତ। )
ଲେଖାଟି କିଛି ଦିନ ବିଳମ୍ବରେ ହେଲେ ମଧ୍ୟ, ଏଥିରେ ପୂଜା ପତ୍ରିକା ସମ୍ପର୍କରେ ଏକ ନିରପେକ୍ଷ ଆକଳନ ହୋଇପାରିଥିବା ପ୍ରତୀୟମାନ ହେଉଛି। ଏହା ବ୍ୟତୀତ ଲେଖିକା ବିଭିନ୍ନ ପତ୍ରିକାକୁ ପଢ଼ିଛନ୍ତି ନିଶ୍ଚୟ, ନଚେତ ଏତେ ବିଶ୍ଳେଷଣ ସମ୍ଭବ ହୋଇ ନଥାନ୍ତା। ଏହି ସମ୍ପର୍କରେ ଏକ ଦୁର୍ଭାଗ୍ୟ କଥା ହେଉଛି କେବଳ ଭୁବନେଶ୍ୱର ବା କଟକକୁ ଛାଡ଼ିଦେଲେ ବୋଧହୁଏ ପ୍ରାୟ ସମସ୍ତ ପୁଜା ପତ୍ରିକା ବା ପୂଜା ବିଶେଷାଙ୍କ ପତ୍ରିକା ଓଡ଼ିଶାର ଅନ୍ୟ କୌଣସି ସହରରେ ଏକ ନିର୍ଦ୍ଦିଷ୍ଟ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ ନଥାଏ। ଏହାବ୍ୟତୀତ ବହୁଳ ପ୍ରସାରିତ ଓଡ଼ିଆ ସମ୍ବାଦପତ୍ରରେ ପୂଜାପତ୍ରିକା ସମ୍ପର୍କରେ ସୂଚନା ମଧ୍ୟ ସବିଶେଷ ପ୍ରକାଶ ପାଇ ନଥାଏ। ତେଣୁ ବିମୁଗ୍ଧ ପାଠକଟିଏ କିଣିବାକୁ ଚାହିଁଲେ ମଧ୍ୟ ଏକାଧିକ ପତ୍ରିକା କିଣିବା ସମ୍ଭବପର ହୋଇ ନଥାଏ। ଏହା ବ୍ୟତୀତ କିଛି ପୂଜା ପତ୍ରିକା ଚଳିତ ବର୍ଷ ମୂଲ୍ୟରେ ବୃଦ୍ଧି ଘଟାଇଥିବାରୁ ଏହା ଅଧିକରୁ ଅଧିକ ପାଠକଙ୍କ ନିକଟରେ ପହଞ୍ଚିବା ବୋଧହୁଏ ସମ୍ଭବ ହେଉନାହିଁ। ସେ ଯାହାହେଉ ପୂଜା ପତ୍ରିକା ସମ୍ପର୍କରେ ଲେଖିକାଙ୍କ ଆକଳନ ଓ ବିଶ୍ଳେଷଣ ବେଶ୍ ଉନ୍ନତ ଏବଂ ଉଚ୍ଚକୋଟୀର ହୋଇପାରିଛି। ସେଥିପାଇଁ ଲେଖିକା ଏବଂ ସର୍ବୋପରି ସମ୍ପାଦକଙ୍କୁ ଧନ୍ୟବାଦ ଓ ଶୁଭକାମନା।