ଲିଟେରାରୀ ଇଂଜିନିୟରିଂ ବା ସାହିତ୍ୟିକ ଅଭିଯାନ୍ତ୍ରିକୀ ଶବ୍ଦଟି ସେତିକି ସୁବିଦିତ ନୁହେଁ, ଯେତିକି ‘ସୋସିଆଲ୍ ଇଂଜିନିୟରିଂ’ ବା ‘କଲଚରାଲ୍ ଇଂଜିନିୟରିଂ’। ଏହା ପ୍ରଚ୍ଛନ୍ନ ଭାବରେ କୌଣସି ବିଚକ୍ଷଣ କୌଶଳ ଓ ପନ୍ଥା ପ୍ରୟୋଗ କରି ସମାଜ କିମ୍ବା ସଂସ୍କୃତିକୁ ନିଜର ଇଚ୍ଛିତ ମୋଡ଼ ଦେବାର ପ୍ରଚେଷ୍ଟାକୁ ବୁଝାଏ। ତେବେ ସାହିତ୍ୟ କ୍ଷେତ୍ରରେ ଏଭଳି କୌଣସି ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ତଥାକଥିତ ଇଂଜିନିୟରିଂ କୌଶଳର ପ୍ରୟୋଗ ସେତେ ସୁଲଭ ନ ହେଲେ ହେଁ, ଦୁର୍ଲଭ ମଧ୍ୟ ନୁହେଁ।
ଏବେ କିଛିଦିନ ହେଲା ଆମ ରାଜ୍ୟର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟର ସାହିତ୍ୟ ଓ ସଂସ୍କୃତି ଗବେଷଣା ବିଭାଗ ସାରଳା ଦାସଙ୍କ ମହାଭାରତକୁ ‘ସାରୋଳଦାସ ମହାଭାରଥ’ ଭାବରେ ଚିତ୍ରିତ କରି ଏହାକୁ ସ୍ୱୀକୃତ କରାଇନେବା ପାଇଁ ଚଳାଇଥିବା ଉଦ୍ୟମକୁ ଲକ୍ଷ୍ୟ କଲେ ଏହି ‘ଲିଟେରାରୀ ଇଂଜିନିୟରିଂ’ କଥାଟି ମନକୁ ଆସେ। ଏହି ମାନସରେ ଗୋଟିକ ପରେ ଗୋଟିଏ ଗ୍ରନ୍ଥମାନଙ୍କର ପ୍ରକାଶନ ସାଙ୍ଗକୁ ବିଭିନ୍ନ ସଭାମଞ୍ଚରେ ‘ସାରୋଳଦାସ’ ଓ ‘ମହାଭାରଥ’ ଶବ୍ଦ ଦ୍ୱୟର ବହୁଳ ବ୍ୟବହାରର ପ୍ରୟାସ ଆମର ଏହି ଧାରଣାକୁ ଦୃଢ଼ୀଭୂତ କରେ। ବୋଧହୁଏ ବହୁ କାଳ ଧରି ଓଡ଼ିଶାର ଜନମାନସରେ ଆସ୍ଥାନ ଜମାଇଥିବା ଆଦିକବି ସାରଳା ଦାସଙ୍କ ମହାଭାରତ ପ୍ରତି ଚିରାଚରିତ ଧାରଣାକୁ ବଦଳାଇବାକୁ ଏହା ଅଭିପ୍ରେତ।
ତେବେ ଆମେ ସାରଳା ଦାସଙ୍କ ପ୍ରକୃତ ନାମ ଓ ତାଙ୍କ ଦ୍ୱାରା ରଚିତ ମହାଭାରତର ଅସଲ ସ୍ୱରୂପ ବିଷୟରେ ଯେ ଆହୁରି ଗବେଷଣା ଓ ବିଚାର ଆଲୋଚନାର ଆବଶ୍ୟକତା ନାହିଁ ସେ କଥା କହୁନାହୁଁ। ଏହି ଦିଗରେ ସମସ୍ତ ପ୍ରକାର ନିଷ୍ପକ୍ଷ ଓ ତର୍କସମ୍ମତ ଗବେଷଣା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ‘ସାରୋଳଦାସ ମହାଭାରଥ’ ନାମକ ଗ୍ରନ୍ଥର ମୁଖବନ୍ଧରେ ସଂପୃକ୍ତ ଗବେଷକମଣ୍ଡଳୀ ସ୍ୱୟଂ ସ୍ୱୀକାର କରିଛନ୍ତି, “ଆମେ ତିଆରି କରିଥିବା ପାଠ, ସାରୋଳଦାସମାନଙ୍କର ବିକୃତୀକରଣର ବିକୃତି।” ଏହା ସୂଚାଇଦିଏ ଯେ ଏ ବିଷୟରେ ସେମାନଙ୍କ ଗବେଷଣା ଆହୁରି ବହୁ ପଥ ଅତିକ୍ରମ କରିବାକୁ ଅଛି। ଏଣୁ ଏ ସମ୍ପର୍କରେ କୌଣସି ସର୍ବସମ୍ମତ ଓ ନିର୍ବିବାଦୀୟ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଏହାକୁ ସର୍ବସାଧାରଣରେ ଗ୍ରହଣୀୟ କରାଇବାର ପ୍ରଚେଷ୍ଟା ଅନ୍ତତଃ ନ ହେଉ।
ଗତବର୍ଷ ସାରଳା ଦାସଙ୍କ ସାହିତ୍ୟ ସମ୍ପର୍କିତ ଏହି ଗବେଷଣା ପ୍ରକଳ୍ପର ଅନ୍ୟତମ ପରାମର୍ଶଦାତା ସ୍ୱର୍ଗତ ସୁଦର୍ଶନ ଆଚାର୍ଯ୍ୟଙ୍କ ସହିତ ଆମକୁ ଏ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଥିଲା। ‘ସାରୋଳାଦାସ’ ଓ ‘ମହାଭାରଥ’ ଭଳି ଶବ୍ଦମାନଙ୍କର ଅଚାନକ ପ୍ରୟୋଗ ଓଡ଼ିଶାର ଅଗଣିତ ସାରଳା ମହାଭାରତ ପ୍ରେମୀଙ୍କୁ ବିଭ୍ରାନ୍ତ କରିବ ନାହିଁ କି ବୋଲି ପଚାରିବାରୁ ସେ କହିଥିଲେ ଯେ ଏ ସମ୍ପର୍କରେ ଚାଲିଥିବା ଗବେଷଣାର ପରିଣାମକୁ ଏବେ ସର୍ବସାଧାରଣଙ୍କ ସମକ୍ଷରେ ପହଞ୍ଚାଇବାର କୌଣସି ଅଭିପ୍ରାୟ ନାହିଁ; ବରଂ ଏହି ବିଷୟକ ପ୍ରକାଶିତ ଗ୍ରନ୍ଥସମୂହ କେବଳ ଗବେଷକମାନଙ୍କର ଅଧିକ ବିବେଚନା ଓ ବିତର୍କ ପାଇଁ ହିଁ ଉଦ୍ଦିଷ୍ଟ। କିନ୍ତୁ କାର୍ଯ୍ୟତଃ ଏହା ହେଉଛି କି?
କିଛିଦିନ ତଳେ ଆମ ପତ୍ରିକାର ଅନଲାଇନ୍ ସଂସ୍କରଣରେ ପ୍ରକାଶିତ ଏକ ଲେଖାରେ ବର୍ଷୀୟାନ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଏ ବିଷୟରେ ନିଜର ଚିନ୍ତା ପ୍ରକଟ କରିଛନ୍ତି। ବିଶିଷ୍ଟ ଗବେଷକ ଡ. ସନ୍ତୋଷ କୁମାର ରଥଙ୍କର ଭିନ୍ନ ମତ ଥାଇ ଅନ୍ୟ ଏକ ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଛି ଆମର ଚଳିତ ସଂଖ୍ୟାରେ। ଏହା ଦର୍ଶାଏ ଯେ, ଏ ସମ୍ପର୍କରେ ଯେକୌଣସି ମୁକ୍ତ ବିତର୍କର ଆମେ ସ୍ୱାଗତ କରୁ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )
There should be debates and discussions on a project of this magnitude. It is a welcome step by the Sahitya Charcha to invite open dialogue on this. Hope this will also create some interest in Sarala/ Sarola Mahabharata/ Mahabharatha among the readers.
ଦକ୍ଷିଣ ଭାରତରେ ‘ମହାଭାରଥ ‘ ଶବ୍ଦର ପ୍ରଚଳନ ଥିବାର ଦେଖାଯାଏ। ଆଗାମୀ ଦିନରେ ରାଜ୍ୟରେ ସେହି ଅଞ୍ଚଳର ଲୋକଙ୍କ ପ୍ରାଧାନ୍ୟ ଶାସନ କ୍ଷେତ୍ରରେ ବଢ଼ିବାର ସମ୍ଭାବନା ଅଧିକ ଥିବା ବେଳେ ବୋଧହୁଏ ଏବେଠାରୁ ଆଗୁଆ ବିତର୍କ ଆରମ୍ଭ ହେବାଲାଗି ପ୍ରସ୍ତୁତି ଜୋର ଧରିଛି। ଅନ୍ୟପକ୍ଷରେ ଭାଷା ସାହିତ୍ୟ ବିଭାଗୀୟ ସଚିବଙ୍କ ଶ୍ୱଶୁରାଳୟ ମଧ୍ୟ ସମାନ ଅଞ୍ଚଳରେ ହୋଇ ଥିବାରୁ ଓଡ଼ିଶାର ଆଧୁନିକୀକରଣ ନିମନ୍ତେ ଏହା ଆଉଏକ ବିଭାଜନର ପ୍ରୟାସ ହୋଇପାରେ।
ସୁନ୍ଦର ପ୍ରୟାସ ଧନ୍ୟବାଦ ସାହିତ୍ୟ ଚର୍ଚ୍ଚା 🙏💐ଖୁବ ଆବଶ୍ୟକୀୟ ବିଷୟ ରେ ଆଲୋଚନା ଆହ୍ୱାନ କରିଥିବାରୁ