ତୁଚ୍ଛତାଚ୍ଛଲ୍ୟ *

ଓଡ଼ିଆ ସାହିତ୍ୟରେ ଅହଂସର୍ବସ୍ୱ ରଥୀ ମହାରଥୀଙ୍କ ଭିଡ଼ ଏବେ।

ପ୍ରଶାନ୍ତ ଭୂୟାଁ

ପ୍ରେମ ପଞ୍ଚାମୃତରେ ପଢ଼ିଥିଲି;
“ଏ ନିତ୍ୟ ଅଇଶୁର୍ଯ୍ୟ ସୁଖ; ଏଠାରେ ନାହିଁ ଶୋକ ଦୁଃଖ”।
ଆହୁରି ମଧ୍ୟ ପଢ଼ିଥିଲି ଯେ;
“ଅନେକ ଅଗ୍ନିକୁଢ଼ ଥାଇ; ଯେସନେ ପ୍ରଦୀପ ଲଗାଇ”।
ପିଲାଟି ଦିନରୁ ଭାଷା ଓ ସାହିତ୍ୟର ସଂସାରରେ ହିଁ ଏହି ପ୍ରାଣ ସେହି ଅଇଶୁର୍ଯ୍ୟ ସୁଖ ପାଇ ଆସିଛି। ଦେଖା, ଶୁଣା, ବୁଝା, ପଢ଼ା, ଶିଖା, ଲେଖା ଓ କୁହା ପ୍ରଭୃତିର ସାତ କ୍ରିୟାପ୍ରକ୍ରିୟାରେ ଏହି ଜୀବନ ଯାତ୍ରାପଥର ଅଗ୍ନିକୁଢ଼ରୁ ଜ୍ଞାନବିଜ୍ଞାନର ପ୍ରଦୀପଟିଏ ଜଳାଇପାରିଛି ଆପଣା ହୃଦୟରେ। ଅନେକ ସୁଧୀ ଜ୍ଞାନୀଗୁଣୀଙ୍କ ଠାରୁ ବୋଧର ଇନ୍ଧନ ମଧ୍ୟ ପାଇଛି ସେହି ପ୍ରଦୀପକୁ ଜଳାଇ ରଖିବା ନିମନ୍ତେ। ଏବେ; ମୁଁ ଭାଷା ଓ ସାହିତ୍ୟ ପଥରେ ଆଗେଇ ଯିବାର ସାମର୍ଥ୍ୟ ବୁଝିଲିଣି, ଶିଖିଲିଣି ଖୁଣ୍ଟୁଣା ଖୁଣ୍ଟିରୁ ନିଜର ପଘା ଖୋଲିବାର, ଜାଣିଗଲିଣି ଚଡ଼କାକୁ ପକ୍ଷତି କରିବାର କୌଶଳ। ଏଣୁ, ଓଡ଼ିଆ ଭାଷା ସାହିତ୍ୟ ସହ ଆଗସରିବା ହିଁ ଏକମାତ୍ର ଲକ୍ଷ୍ୟ ମୋର।
ଓଡ଼ିଆ ସାହିତ୍ୟରେ ଅହଂସର୍ବସ୍ୱ ରଥୀ ମହାରଥୀଙ୍କ ଭିଡ଼ ଏବେ। ଏହା ଦୃକ୍‌ସିଦ୍ଧ ଦିନ ପ୍ରତିଦିନର ପୁସ୍ତକମେଳା, ସାହିତ୍ୟମଞ୍ଚ, ପୁସ୍ତକ ଉନ୍ମୋଚନ, ଭାଷା ମହୋତ୍ସବ ଓ ବିଭିନ୍ନ ସାହିତ୍ୟ ଯାତ୍ରାରେ। ପଣକାହାଣିଆଁ ବେଭାରରେ ପ୍ରକାଶନ, ଚଅଁରା ଭଅଁରା ବୋଧରେ ସଞ୍ଚାର ମାଧ୍ୟମରେ ପ୍ରଚାର ଓ ପ୍ରସାରଣ, ଅର୍ଦ୍ଧଜରତୀୟନ୍ୟାୟରେ ଚୟନ ପ୍ରକ୍ରିୟା, ପ୍ରଭୃତି ଦେଖି ସମୀକ୍ଷ୍ୟବାଦୀ ସଭିଏଁ ଏବେ ତୁନି ହୋଇ ବସିଛନ୍ତି। ଏହି ସୁଯୋଗରେ ଲେଖକଙ୍କ ଭାଇ-ବନ୍ଧୁ-କୁଟୁମ୍ବ ସମୀକ୍ଷ୍ୟକାରୀର ଦାୟିତ୍ୱ ନେଇଛନ୍ତି। ଦୁଇ ଚାରି ମାନପତ୍ର, ଉପାଧି ଓ ଉପଢୌକନ ପାଇସାରିଥିବା ସାହିତ୍ୟିକଗଣ ଏବକାର ଲେଖକଙ୍କୁ ତୁଚ୍ଛତାଚ୍ଛଲ୍ୟ କରିବା ନିଜର ଅଧିକାର ବୋଲି ମନେ କରୁଛନ୍ତି। ସମଝାଇ କହିବି; ବୟସାଧିକ୍ୟରେ ନିଜକୁ ଅତି ପଣ୍ଡିତ ବୋଧରେ ଅନ୍ୟକୁ ତୁଚ୍ଛତାଚ୍ଛଲ୍ୟ କରୁଥିବା ବିଜ୍ଞାନୀସମୂହ ନିଜକୁ ଏହି ବ୍ୟାଧିରୁ ନିଜକୁ ମୁକ୍ତ କରିବା ହୁଅନ୍ତୁ। ଧୁଆ ମୂଳା ଅଧୁଆ ମୂଳାକୁ ଏକା ଭାଉ ନ ଦିଅନ୍ତୁ।
“ସର୍ବନାଶେ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ଡିତଃ” ନ୍ୟାୟରେ ଓଡ଼ିଆ ଭାଷା ସାହିତ୍ୟର ଏହି ଦୁର୍ଦ୍ଦିନରେ ଅନେକ ସୁଧୀ ଭାଷାପ୍ରେମୀ ସମଗ୍ର ଭାଷା ପାଇଁ ଜନ ସଚେତନତା ଓ ସାହିତ୍ୟପ୍ରେମୀ କେତେ ଶୁଦ୍ଧ କାଳଜୟୀ ସାହିତ୍ୟକୁ ଆଦର୍ଶ ପାଠକଙ୍କ ପାଖରେ ପହଞ୍ଚାଇବାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ତାରିଖଜ୍ଞାପକ ପଞ୍ଜିକାରେ ପୁରୁଣାବର୍ଷରୁ ନୂଆବର୍ଷ ଆଡ଼କୁ ଆଗେଇଲା ବେଳେ ସାହିତ୍ୟ ସଂସାର କିଛି ଅଭିଜ୍ଞାନ ରଖିଯାଏ। ମୁଠାଏ ସୁଖଦ ଆଉ ଆଞ୍ଜୁଳାଏ ହତାଶ, ବିଫଳ, ପ୍ରବଞ୍ଚନା ଅବା ହୃଦୟବିଦାରକ କଥା ସବୁ। ସାହିତ୍ୟ ତ୍ରିଭୁଜର ସମସ୍ତ ସାହିତ୍ୟପ୍ରେମୀଙ୍କ ଦିବ୍ୟଚେତନା ଓ ଗଠନାତ୍ମକ ଅଭିବୃଦ୍ଧି ତଥା ନିରପେକ୍ଷ ସହାବସ୍ଥାନରେ ହିଁ ଓଡ଼ିଆ ସାହିତ୍ୟର ନୂଆବର୍ଷ ଆସିବ; ପ୍ରଶସ୍ତି ଓ ସମୃଦ୍ଧିର। ଚୀନ ଦେଶରେ କଥାଟିଏ ପ୍ରଚଳିତ; “ଆପଣା ହୃଦୟରେ ସବୁଜ ବୃକ୍ଷଟିଏ ସଦା ରଖି ଚାଲ; ଗୀତ ଗାଇବା ପକ୍ଷୀଟିଏ ନିଶ୍ଚୟ ଆସିବ।” ସେହି ଭାବରେ ଭାଷା ଓ ସାହିତ୍ୟପ୍ରତି ଆପଣାର ଆଗ୍ରହ ଓ ସାଧନା ଜାରୀ ରହୁ; ଓଡ଼ିଆ ସାହିତ୍ୟର ସମୃଦ୍ଧି ନିଶ୍ଚିତ ହେବ।

-ପ୍ରଭୂ

*ତୁଚ୍ଛତାଚ୍ଛଲ୍ୟ – ତୁଚ୍ଛଜ୍ଞାନ, ହେୟଜ୍ଞାନ, ହତମାନ୍ୟ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଡିସେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )

One thought on “ତୁଚ୍ଛତାଚ୍ଛଲ୍ୟ *

  1. ପ୍ରକୃତରେ ସ୍ତମ୍ଭକାର ହିଁ ସ୍ତମ୍ଭକାର। ଏହା ପ୍ରଶାନ୍ତ ବାବୁଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। ସ୍ତମ୍ଭକାର ମହୋଦୟ ସର୍ବଦା ନିଜ ଲେଖାରେ ଲେଖୁଥିବା ନୂତନ ଏବଂ ମିଶ୍ରିତ ଶବ୍ଦ ତାଙ୍କ ଲେଖାଟି ପଢ଼ିବା ପାଇଁ ମୋତେ ପ୍ରେରିତ କରିଥାଏ। ବର୍ତ୍ତମାନ ସମୟରେ ସାହିତ୍ୟ ଓ ସାହିତ୍ୟିକମାନଙ୍କର ଅବସ୍ଥା ଓ ବ୍ୟବସ୍ଥା ଦେଖିଲେ ମନରେ କ୍ଷୋଭ ଆସେ। ସତରେ କ’ଣ ଆମ ଦେଶରେ ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ ଓଡ଼ିଶା ଏବଂ ଅନେକ ଆଲୋଚନା ଓ ସମାଲୋଚନା ପରେ ୨୦୧୪ ମସିହାରୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଆମ ଭାଷାର ଲେଖକ ଲେଖିକା ଏଭଳି ସ୍ତରକୁ ଯାଇପାରନ୍ତି? ଏହି ସମୟରେ ମୋର ମନେ ପଡ଼ୁଛି ଆମ ଭାଷାର ବୋଧହୁଏ ସର୍ବୋତ୍କୃଷ୍ଟ ସଂକଳନଭାବେ ପଦବାଚ୍ୟ ପ୍ରହରାଜଙ୍କ ଭାଷାକୋଷକୁ ଭଲଭାବେ ନପଢ଼ି ସେତେବେଳର ପଣ୍ଡିତ ନୀଳକଣ୍ଠଙ୍କ ନକାରାତ୍ମକ ମତାମତ- ‘ସଂକଳନଟି ପାଳଗଦାକୁ ଯିବା ଯୋଗ୍ୟ’; କିନ୍ତୁ ପରେ ଭାଷାକୋଷକୁ ଭଲଭାବେ ଦେଖି ପଢ଼ିବା ପରେ ନିଜର ମତକୁ ବଦଳାଇ ଚମତ୍କାର ଓ ସକାରତ୍ମକ ମତାମତ ପ୍ରଦାନ। ଏହି ଘଟଣାଟିରୁ ଆଜିର ପରିଚିତ ଓ ପ୍ରତିଷ୍ଠିତ ଏବଂ ତଥାକଥିତ ଶ୍ରେଷ୍ଠ ସାହିତ୍ୟିକମାନେ କିଛି ଶିଖିବେ ବୋଲି ଆଶା କରିବା।

Leave a Reply

Your email address will not be published. Required fields are marked *